ଦୁଇ ପାଖରେ ଉଚ୍ଚ ଉଚ୍ଚ ପାହାଡ଼ । ମଝିରେ ରାସ୍ତା । ସେ ରାସ୍ତାରେ ମୁଁ ଚାଲିଛି । ଲକ୍ଷହୀନ, ଉଦେଶ୍ୟହୀନ । ହଠାତ ପାହାଡ଼ ଉପରୁ ବଡ଼ ପଥର ଖଣ୍ଡେ ଗଡ଼ି ଗଡ଼ି ଆସି ଠିକ ମୋ ସାମ୍ନାରେ ଆସି ଅଟକିଲା ।
ପଥର କହିଲା- ଭାଇ ମୁଁ ତମ ପାଖକୁ ଆସିଲି । ମୋ ଭିତରେ ଗୋଟେ ମୂର୍ତ୍ତି ରହିଛି, ତାକୁ ବାହାର କଲ । ମୋତେ ବହୁତ କଲବଲ କଲାଣି । ମୋ ଭିତରୁ ସେ ନ ବାହାରିବା ଯାଏଁ ମୋତେ ଶାନ୍ତି ନାହିଁ ।
ମୁଁ ।
ହଁ, ତମେ । ତମେ ତ ମୂର୍ତ୍ତିକାର ।
ହଁ ଯେ, ହେଲେ ମୁଁ ଛୋଟ ମୂର୍ତ୍ତିକାର । ଏଡ଼େ ବଡ଼ ପଥର ଭିତରେ … ପୁଣି ତମ ଭିତରେ କି ମୂର୍ତ୍ତି ଅଛି – ତୁମେ ବି ଜାଣିନ … ମୁଁ କଣ ପାରିବି ?
ପାରିବ କି ନ ପାରିବ – ମୁଁ ଜାଣିନି ତେବେ ଏତିକି କହିପାରେ ଈଶ୍ୱର ତୁମକୁ ଗୋଟେ ସୁଯୋଗ ଦେଇଛନ୍ତି ଏମିତି ମୂର୍ତ୍ତିଟିଏ ଗଢିବାର, ଗଢ଼ିବ କି ନ ଗଢ଼ିବ, ଗଢିଲେ ଭଲ ଗଢି ପାରିବ କି ନାହିଁ – ଏସବୁ ତମେ ଚିନ୍ତା କରିବ ।
ଏତିକି କହି ପଥର ନିର୍ଜୀଵ ହୋଇଗଲା ।
… ମୋ ନିଦ ଭାଙ୍ଗିଗଲା ।