ଏପ୍ରେଲ୍ ପହିଲା

ଶ୍ରୀ ଗୋପାଳଚନ୍ଦ୍ର ପ୍ରହରାଜ

୧୯୩୬ ସାଲ ଏପ୍ରେଲ ମାସ ପହିଲା ତାରିଖ ଓଡିଆ ଜାତି ପକ୍ଷରେ ଶୁଭଦିନ । ମୋର ମନେ ଅଛି ଆଜକୁ ୩୩, ୩୪ ବର୍ଷ ତଳେ ସ୍ୱର୍ଗୀୟ ମଧୁସୁଦନ ଦାସ, ସ୍ୱର୍ଗୀୟ ବିଶ୍ୱନାଥ କର, ସ୍ୱର୍ଗୀୟ ରାଜା ହରିହର ପର୍ଦ୍ଦାରେ,ସ୍ୱର୍ଗୀୟ ନରସିଂହ ଦାସ,ପଣ୍ଡିତ ଗଦାଧର ବିଦ୍ୟାଭୂଷଣ, ସ୍ୱର୍ଗୀୟ ଫକୀରମୋହନ ସେନାପତି, ସ୍ୱର୍ଗୀୟ ମହାରାଜା ରାମଚନ୍ଦ୍ର, ଶ୍ୟାମସୁନ୍ଦର ରାଜଗୁରୁ, ସ୍ୱର୍ଗୀୟ ପାରଳା ସେକେଣ୍ଡ ପ୍ରିନ୍ସ ଚନ୍ଦ୍ର ମହାରାଜା, ଶ୍ରୀ ଶ୍ରୀବତ୍ସ ପଣ୍ଡା, ସ୍ୱର୍ଗୀୟ ଗୌରୀଶଙ୍କର, ସ୍ୱର୍ଗୀୟ ରାମକିଙ୍କର,ସ୍ୱର୍ଗୀୟ ରାମଚନ୍ଦ୍ର ଦାସ ଆଦି କର୍ମବୀର ମାନେ ସ୍ୱତନ୍ତ୍ର ଉତ୍କଳଭାଷୀ ଅଂଚଳକୁ ଏକ ଶାସନାଧୀନ କରିବାକୁ ଜାତିର ଗଭୀର ବେଦନା ସରକାରକୁ ଜଣାଇଥିଲେ । ଏ ଆଜକୁ ୩୪ ବର୍ଷ ତଳର କଥା । ସେତେବେଳେ ଓଡିଶାର ଓଡିଆମାନେ ବଙ୍ଗଳା ଅଧୀନ ଓ ସିଂହଭୂମର ଓଡିଆମାନେ ଛୋଟନାଗପୁର ଅଧୀନ ,ସମ୍ବଲପୁରର ଓଡିଆମାନେ ମଧ୍ୟପ୍ରଦେଶର ଅଧୀନ ଓ ଗଞ୍ଜାମ ବିଶାଖାପାଟଣାର ଓଡିଆମାନେ ମାନ୍ଦ୍ରାଜ ଅଧୀନ ଥିଲେ । କ୍ରମଶଃ ଏଇ ଦଳରେ ମଞ୍ଜୁଷାର, ଧରାକୋଟର, ସୁରଙ୍ଗୀର, ଚିକିଟିର ଓ ଭାଇଜାଗ୍ ର ରାଜା ମାନେ ଯୋଗଦେଲେ ଓ ମେଣ୍ଟ ଏଭଳି ସ୍ପଷ୍ଟ ହେଲା ଓ ଉତ୍କଳ ସମ୍ମିଳନୀ ବର୍ଷକୁ ବର୍ଷ ସମଗ୍ର ଉତ୍କଳଭାଷୀ ଅଂଚଳର ଏକତ୍ରୀକରଣ ପ୍ରସ୍ତାବ ଅଧିବେଶନରେ ପାଶ୍ କରି ସରକାରଙ୍କୁ ଜଣାଇଲେ । ବହୁଦିନର ଆନ୍ଦୋଳନ ଫଳରେ ସମ୍ବଲପୁର ଓଡିଶାରେ ମିଶିଲା । ଇଂରେଜ ଫିଲିପ୍ ଲାଙ୍ଗୁଏଜ କମିଶନରଙ୍କ ତଦନ୍ତ ଓ ରିପୋର୍ଟ ଫଳରେ ଗଞ୍ଜାମର ଓଡିଆ ଅଂଚଳ ଓଡିଶାରେ ମିଶିବା ଆଶା ଉଇଁଲା । ତାପରେ ମଣ୍ଟେଗୁ-ଚେମସଫୋର୍ଡ ଓ ମର୍ଲେ-ମିଣ୍ଟୋଙ୍କ ରିପୋର୍ଟରେ ଏ ଆଶାର ଆଲୋକ ଆହୁରି ଟିକିଏ ଲେଖାଏଁ ଉଜ୍ଜଳ ହେଲା । ଶେଷକୁ ସାଇମନ୍ କମିଶନ୍ ଙ୍କ ଭାରତଗସ୍ତ ବେଳେ ଓଡିଆଭାଷୀ ସମସ୍ତ ଅଂଚଳର ଓଡିଆମାନଙ୍କର ମଧ୍ୟରେ ଏ ଜାଗରଣ ପୁଣି ବିକଶିତ ହେଲା । ଦୈବଯୋଗକୁ ସମସ୍ତ ଭାରତର ଉନ୍ନତି ପାଇଁ ଗଠିତ କଙ୍ଗ୍ରେସ ଓଡିଆଙ୍କ ଭାଗ୍ୟକୁ ଏ ଆନ୍ଦୋଳନର ପ୍ରତି କ୍ରୁରତାଆଚରଣ କଲା,ଏମନ୍ତ କି ଯେଉଁ କଙ୍ଗ୍ରେସ ଭାଷାସୂତ୍ରରେ ପ୍ରଦେଶ ଗଢାଯିବା ପାଇଁ ସର୍ବତ୍ର ଘୋଷଣା କରେ,ସେହି କଙ୍ଗ୍ରେସ ର କର୍ମୀମାନେ ପ୍ରଥମେ ପ୍ରଥମେ ଓଡିଆ ଜାତିର ଏ ଆଶାକୁ ଅପ୍ରସନ୍ନ ନେତ୍ରରେ , ପରେ ପ୍ରତିକୂଳ ନେତ୍ରରେ ଓ ଶେଷକୁ ଓଡିଆଜାତିର ମୁଣ୍ଡରେ ଠେଙ୍ଗାମାଡର କ୍ରୁରତା ଲହରିବାରେ ମାତିଲେ । ସମଗ୍ର ଭାରତର ଅନ୍ୟ ସବୁ ଜାତିଙ୍କ ପକ୍ଷରେ ଯାହାହେଲା ନିୟମ ଓଡିଆଙ୍କ ଭାଗ୍ୟରେ ତାହାହେଲା ବେନିୟମ । ଯାହାହେଉ କେତେ ବାଟ,କେତେ ହୁନ୍ଦର,କେତେ ଗର୍ଜନପରେ କେତେ କନଫରେନସ୍,କେତେ ତଦନ୍ତ କେତେ ରିପୋର୍ଟ ପରେ ବିଲାତ ପାର୍ଲିଆମେଣ୍ଟ ଓଡିଆଭାଷୀ ଅଂଚଳମାନଙ୍କୁ ମିଶାଇ ଗୋଟିଏ ପ୍ରଦେଶ ଗଢା ହେବାର ଘୋଷଣା କଲେ । ଯେବେ ଅନ୍ୟଜାତିର ଭାଇମାନେ ଏ ଆନ୍ଦୋଳନର ବିରୁଦ୍ଧରେ ଠିଆ ହୋଇ ନଥାନ୍ତେ ,ତେବେ ସମଗ୍ର ଓଡିଆ ଅଂଚଳ ଆଜି ଓଡିଶାରେ ମିଶିଥାନ୍ତା । କିନ୍ତୁ ଯେଉଁମାନେ ଓଡିଆଙ୍କ ମୁଣ୍ଡରେ ଆଜିଯାକେ ନଡିଆ ଭାଙ୍ଗୁଥିଲେ ଓଡିଆମାନେ ତାଙ୍କ କବଜାରୁ ଖସିଗଲେ । ତାଙ୍କର କାଠହଣା ଓ ପାଣି ଆପଟ [Hewer of wood and drawer of water ] ହେବ କିଏ ? ଏଥିପାଇଁ ସେମାନେ କଳେ, ବଳେ, ସ୍ଥଳେ , ଯେ ଉପାୟରେ ତାତିଲେ , ଯେ ଉପାୟରେ ଓଡିଆଙ୍କ ନମିଶାଯାଇଥିବା ଫିକରରେ ନାଚିଲେ ଉଡିଲେ ଏହା ଫଳରେ ସିଂହଭୂମ, ମେଦିନାପୁର, ମଧ୍ୟପ୍ରଦେଶ ,ଗଞ୍ଜାମ ଓ ବିଶାଖାପାଟଣାର ଗୁଡିଏ ଓଡିଆ ମୂଲକ ଓଡିଶା ପ୍ରଦେଶର ବାହାରେ ରହିଗଲା । ଆମ ଦୁର୍ଦ୍ଦଶା ସେତିକିରେ ସରିଲା ନାହିଁ । ଆମ ସ୍ୱାଧୀନ ଓଡିଶାର ଗଜପତି ଗୌଡେଶ୍ୱର ନବକୋଟି କର୍ଣ୍ଣାଟ ଉତ୍କଳବର୍ଗେଶ୍ୱରଙ୍କ ଭାଇ,ବିରାଦରୀ,ସାମନ୍ତମାନଙ୍କ ଶାସିତ ଗଡଜାତମାନ ଏକଦମ ଓଡିଶାରୁ ଅଲଗା ହୋଇଗଲା ।

ଯେ ହେଉ,ଆଜି ଆମେ ଯାହା ପାଇଲେଇଁ ଏହା ପାଇବା ବୋଲି ଅବଶ୍ୟ ୩୪ ବର୍ଷକାଳ ସରକାରଙ୍କ ଠାରେ ହୁଲିଅତ ଥାଇଁ, କିନ୍ତୁ ଏହା ପାଇବା ବୋଲି ଆମର ହୃଦୟର ଅନ୍ତରତମ ପ୍ରଦେଶରେ ପ୍ରତେ ହେଉ ନଥାଏ । ଆଜି ଯେଉଁ ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଆମକୁ ମିଳିଲା ସେଥିରୁ ଏତିକି ଜଣାଗଲା ଯେ,ଭାଷାସୂତ୍ରରେ ଏ ପ୍ରଦେଶକୁ ଗଢି ବ୍ରିଟିଶ ସରକାର, ବ୍ରିଟିଶ ପାର୍ଲିଆମେଣ୍ଟ , ଭାରତ ସମ୍ରାଟ ଓ ଭାରତ ସରକାର ଓଡିଆ ଭାଷାର,ଓଡିଆ ସଭ୍ୟତାର ଓଡିଆ କୃଷ୍ଟି ( Culture)ର ସ୍ୱାତନ୍ତ୍ର୍ୟ ସ୍ୱୀକାର କଲେ । ଏବଂ ଯେଉଁ ସାମାନ୍ୟ କଥନ ଫଳରେ କଟକ, ପୁରୀ, ବାଲେଶ୍ୱର, ସମ୍ବଲପୁର, ଅନୁଗୁଳ, ଜୟପୁର, ଗଞ୍ଜାମ, ପାରଳା, ଖଡିଆଳ ଏକ ମୂଲକ ହେଲା,ସେହି ସାମାନ୍ୟ କଥନକୁ ଖଟାଇ ଦିନେ ସମଗ୍ର ଓଡିଆ ମୂଲକ ଏକ ପତାକା ତଳେ ଆସିବ ହିଁ ଆସିବ । ଅତ୍ର ସନ୍ଦେହ ନାସ୍ତି । ଯେଉଁ ଦିନ ଓଡିଶାର ବାହାରେ ଥିବା ଓଡିଆମାନେ ସମ୍ମିଳିତ ଭାରତ ସାମ୍ରାଜ୍ୟ(Federal India ) ର ଧର୍ମଧ୍ୱଜ ଲହରାଇ ଆପଣାର ଓଡିଆତ୍ୱ ପ୍ରମାଣିତ କରି ପାରିବେ,ସେଦିନ ସେମାନେ ଆମପାଖକୁ ଆସିବେ ହିଁ ଆସିବେ । ଏହି ଆଶାର ଉଜ୍ଜଳ ଆଲୋକ ପ୍ରତି ଦୃଷ୍ଟି ରଖି ଯେବେ ଓଡିଶା ପ୍ରଦେଶର ଓ ପ୍ରଦେଶ ବାହାରର ଓଡିଆମାନେ କାର୍ଯ୍ୟକରିବା ତେବେ ଆମର ପ୍ରାଚୀନ କଳିଙ୍ଗର ,ପ୍ରାଚୀନ କୋଶଳର,ପ୍ରାଚୀନ ଉଡ୍ରର ଉନ୍ନତ ସ୍ୱର ଫେରି ଆସିବ । ଅତଏବ ଯାହା ପାଇଲେଇଁ ସେଥିପାଇଁ ଭାରତ ସରକାରଙ୍କ ପାଖରେ ,ବ୍ରିଟିଶ ଜାତି ଠାରେ,ବ୍ରିଟିଶ ପାର୍ଲିଆମେଣ୍ଟ ଠାରେ ,ଭାରତ ସମ୍ରାଟଙ୍କ ଠାରେ କୃତଜ୍ଞତା ଓ ରାଜଭକ୍ତି ଦେଖାଇବା ସମସ୍ତଙ୍କର କର୍ତ୍ତବ୍ୟ । ଆଜି ଦିନଟି ଓଡିଆ ଜାତିର ଇତିହାସରେ ଗୋଟିଏ ଚିରସ୍ମରଣୀୟ ଦିନ ହେବ । ଓଡିଆ ଜାତିର ଭବିଷ୍ୟତ ଉନ୍ନତିର ଆଜି ଶୁଭ ଦିଆହେଲା ବୋଲି ଓଡିଶାମାତାଙ୍କର ଦେଢକୋଟି ପୁତ୍ରକନ୍ୟା ବିଶ୍ୱନିୟନ୍ତା ଙ୍କ ଠାରେ ମୁଣ୍ଡିଆ ମାରିବ ।

°°°°°

ଏଇ ଲେଖାଟି ସାପ୍ତାହିକ ସଂବାଦପତ୍ର “ନବୀନ” ର ୧୯୩୬ ଏପ୍ରିଲ୍ ପହିଲା ସଂଖ୍ୟାରେ ପ୍ରକାଶିତ ହୋଇଥିଲା। ସ୍ୱତନ୍ତ୍ର ଓଡିଶା ପ୍ରଦେଶ ଉପଲକ୍ଷେ ଏହା ଥିଲା “ନବୀନ” ର ଏକ ସ୍ୱତନ୍ତ୍ର ସଂଖ୍ୟା । ଏଇ କ୍ଷୁଦ୍ର ଲେଖାରୁ ଆମେ ପଣ୍ଡିତ ଗୋପାଳ ଚନ୍ଦ୍ର ପ୍ରହରାଜ ଙ୍କର ଓଡିଶା ପ୍ରଦେଶ ଗଠନ ସଂପର୍କରେ ତତକ୍ଷାଣିକ ପ୍ରତିକ୍ରୀୟା ତ ନିଶ୍ଚୟ ଦେଖିବା ଆଉ ତାହା ସହିତ ଓଡିଶା ପ୍ରଦେଶ ଗଠନର ବିସ୍ତୃତ ଇତିହାସର ସାର ରୂପ ବି ଦେଖିପାରିବା ।

ନବୀନ” ର ଏହି ନୂତନ ଓଡିଶା ସ୍ୱତନ୍ତ୍ର ସଂଖ୍ୟାରେ ଗୋଟିଏ ବ୍ୟଙ୍ଗ ନାଟିକା ପ୍ରକାଶିତ ହୋଇଥିଲା । ଏହାର ଶୀର୍ଷକ ଥିଲା,” ମିସ୍ ଓଡିଶା” ଆଉ ଏହାକୁ ରଚନା କରିଥିଲେ କଲିକତାରୁ ସଚ୍ଚି ରାଉତରାୟ,ଆମର ମହାକବି ସଚ୍ଚିଦାନନ୍ଦ ରାଉତରାୟ ।

Leave a Reply

Your email address will not be published. Required fields are marked *