ଭକ୍ତର ସାକ୍ଷାତକାର : ଧାର୍ମିକ ଚିନ୍ତାର ଏକ ବିବର୍ତ୍ତନ

ମୂଳ ଲେଖା : ଅବିନାଶ ଦାସ ଚୌଧୁରୀ || ଅନୁବାଦ : ଜ୍ୟୋତି ନନ୍ଦ

ଭିନ୍ନମତ ହେଉଛି ଏକ ବିବଦମାନ ଧାରଣା। ଏହାର ପରିସରରେ  ଅନେକ ସଂପ୍ରଦାୟ,ଅନେକ ବୌଦ୍ଧିକ ଏବଂ ଧର୍ମତାତ୍ତ୍ୱିକ ବିରୋଧାଭାଷ ବସ୍ତୁତଃ ବିଭିନ୍ନ ବିରୋଧି ସାମାଜିକ ଅବସ୍ଥାନରେ  ଭିନ୍ନ ଭିନ୍ନ  ରୂପ ଗ୍ରହଣ କରିଥାଏ ।

-ଇ ପି ଥମ୍ପସନ, ଦି ମେକିଙ୍ଗ ଅଫ୍ ଦି ଇଂଗ୍ଲିଶ ୱାର୍କିଙ୍ଗ୍ କ୍ଲାସ୍।

ବିଗତ ଦଶନ୍ଧି ଧରି ଅଥବା ଧର୍ମକୁ ନେଇ ବିଚାରର କ୍ଷେତ୍ରରେ ଅନେକ ତାତକ୍ଷଣିକ ପରିବର୍ତ୍ତନ ହୋଇଛି,ଅନ୍ୟ ପୂର୍ବବର୍ତ୍ତି ସମୟ ଅପେକ୍ଷା ଯଥେଷ୍ଟ ଅଧିକ। ଏହା ଭିତରୁ ଗୋଟିଏ ହେଉଛି ଏଇ ସମୟଖଣ୍ଡରେ ଐତିହାସିକ ଘଟଣାବଳି ଏବଂ ଧର୍ମଗତ ଚିନ୍ତା ଆଉ ପ୍ରୟୋଗକୁ ନେଇ ଅତ୍ୟନ୍ତ ସଚେତନ ଭାବରେ ଭିତରୁ ଜାଗରିତ ପରିବର୍ତ୍ତନ। ସାମାଜିକ-ରାଜନୈତିକ ଘଟଣାବଳୀ ଏବଂ ତାହା ସହିତ  ତାହାର ପାଖାପାଖି ରହିଥିବା ଧାରଣା,ବିଶ୍ୱାସ ତଥା ଗୋଟିଏ ଧର୍ମରୁ ସଂଜାତ ଅନୁଷ୍ଠାନ ଆଚାର ଆଦିର ବିକାଶ,ଉଭୟ ମଧ୍ୟରେ ଯେଉଁ ଜଟିଳ ଏବଂ ଅନେକ ସମୟରେ ଅସ୍ଥିର ଗତିଶୀଳତା ଦେଖାଯାଇଛି ତାହା ବସ୍ତୁତଃ ବିକାଶ ଲାଭ କରିଛି ,ପରିବର୍ତ୍ତିତ ହୋଇଛି ଏବଂ ଏକ ପ୍ରକାର ନୂତନତ୍ୱ ଅର୍ଜନ କରି ଏହାର ବାଧକ ସାଜିଛି।

ଅନ୍ୟ ପକ୍ଷରେ ଦେଖିବାକୁ ଗଲେ,ଧର୍ମ (ରିଲିଜିଅନ)କୁ ଏକ ଅପରିବର୍ତ୍ତନୀୟ ଏବଂ ଅସ୍ଥିସୁଲଭ ମୌଳିକ ଦୃଢତାର ଏକ ପ୍ରାଥମିକ “ପବିତ୍ରତା” ର ବିଧାନରେ ସର୍ବଦା ଉପସ୍ଥାପନ କରାଯାଉଥିଲା,ଯାହାର କୌଣସି ଐତିହାସିକତା ନଥିଲା,ସାମାଜିକ ତଥା ରାଜନୈତିକ ଆଧାର ନଥିଲା । ଏଇ ଭଳି ପ୍ରକ୍ରିୟା ସମାନ ଭାବରେ ରାଜନୈତିକ,ଲୋକପ୍ରିୟ ତଥା ଶିକ୍ଷଣ-ପରିଚର୍ଚ୍ଚା ର ପରିସରରେ ଚାଲି ଆସିଛି ଯାହାର ଭୟାବହ ଉଦଗମ ଆମେ ଆମର ବିବିଧତା ତଥା ବହୁମାତ୍ରିକତାରେ ଭରପୁର ଦେଶରେ ଦେଖିପାରୁଛୁ : ସାଂପ୍ରଦାୟିକ ଯାତନା ଏବଂ ଗଣଧାରଣାର ଧ୍ରୁବୀକରଣ।

ଧର୍ମର ପରିସରରେ ଏହି ଭଳି ଏକ ଅଣଐତିହାସିକ ବଖାଣକୁ ପୁରୋଦୃଷ୍ଟି ପ୍ରଦାନ କରିବା ନିମନ୍ତେ ସବୁଠାରୁ ଉର୍ବର କ୍ଷେତ୍ରଟି ହେଉଛି ଭକ୍ତି ପରଂପରାରୁ ଉଦ୍ଭୁତ ପୁସ୍ତକ ମାନଙ୍କର ଏକ ଅଣପାଠ ପସ୍ତୁତ କରିବା ଏବଂ ଏହି ଭଳି ପ୍ରସ୍ତୁତ ଅଭିମତକୁ କାଳବିବର୍ଜିତ ଭାବରେ ପ୍ରଭାବୀ ପ୍ରକାଶ କରିବା। ଭକ୍ତି ପରଂପରା ଯାହା ଧର୍ମର ବଖାଣକୁ ଅଧିକ ବ୍ୟକ୍ତିପରକ,ବିବିଧ ଏବଂ ଭିନ୍ନମତକୁ ବାକରୀତିର ମାଧ୍ୟମରେ ଉପସ୍ଥାପନ କରିଥିଲା,ତାହା ମୌଳବାଦୀ ଏବଂ ଔପନିବେଶବାଦୀ ବୁଦ୍ଧିଜୀବୀମାନଙ୍କ ଦ୍ୱାରା ମିଥ୍ୟାବୃତ୍ତ ଭାବରେ ରଖାଯାଇଛି। ସେ ଯାହାହେଉ,ଧର୍ମକୁ ବ୍ୟାପକ ଭାବରେ ଏବଂ “ଭକ୍ତି” କୁ ତାହାର ଏକ ପ୍ରସଙ୍ଗ-ବିଷୟ ଆକାରରେ,ଏହାର ସବିଶେଷ ଅନ୍ତର୍ନିହିତ ବୈଶିଷ୍ଟ୍ୟକୁ ଏହି ସମସ୍ତ ଅପହରଣର କବଳରୁ ମୁକ୍ତ କରାଯିବା ଗୁରୁତ୍ୱପୂର୍ଣ୍ଣ।

ଆଦ୍ୟକାଳରୁ ଭାରତୀୟ ଐତିହାସିକ ପରଂପରାରେ ଭକ୍ତିକାଳର  ବୈଶିଷ୍ଟ୍ୟକୁ ମୁକ୍ତିର ମାର୍ଗ ନିମିତ୍ତ ଜ୍ଞାନର ଆଚାର  ଆକାରରେ ଉଚ୍ଚବର୍ଗର ସଂସ୍କୃତ ବାକଧାରା ସହିତ ଦେଶଜ ପରଂପରା ତଥା ଲୋକଭାଷା -ସେଇ ସବୁ ଭାଷା ଯାହା ପରେ ଆଧୁନିକ ଭାରତୀୟ ଭାଷା ଆକାରରେ ପରିଭାଷିତ ହୋଇଛି, ଓଡିଆ, ବାଂଲା, ଗୁଜୁରାଟି ଇତ୍ୟାଦି – ତାହାର ସଂଶ୍ଳେଷ ଏକୀକରଣ ରେ ହିଁ ଅଧିକ ଭଲ ଭାବରେ ବୁଝାଯାଇପାରିବ। ସେହି ସଂଶ୍ଳେଷ ଏକୀକରଣ ଦୁଇଟି ନିର୍ଦ୍ଦିଷ୍ଟ ଭାବରେ ଘଟିଅଛି : ପ୍ରଚଳିତ ଧର୍ମ ଓ ନୈତିକତାର ସମର୍ଥନର ବିରୁଦ୍ଧ ରେ ଏକ ଦୃଷ୍ଟିକୋଣ ଯାହା ଅନେକ ସମୟରେ ଧର୍ମଗତ ଜ୍ଞାନର ଘେରାବନ୍ଦୀ କରିବାକୁ ଅସ୍ୱୀକାର କରିଛି,ଏବଂ ବେଳେ ବେଳେ, ସେହି ସଂସ୍କୃତ ପାଠ ର ତତ୍ତ୍ୱାଦର୍ଶକୁ ଜନପ୍ରିୟ କରିବାକୁ ପ୍ରୟୋଜନୀୟ ବୋଲି ବିଚାର କରିଛି। ଭକ୍ତି ପରଂପରାରେ ବର୍ତ୍ତମାନ ପର୍ଯ୍ୟନ୍ତ ଯାହା  ଉପସ୍ଥାପିତ ତାହା ହେଉଛି,ସେଇ ବିପୁଳ ଜନସମଗ୍ର ଯାହା ଏହାର ମାନସିକ ପରିସରର ବାହାରେ ଅବସ୍ଥିତ, ତାହାର ମୋକ୍ଷ,ମୁକ୍ତି ର ନିମିତ୍ତ ଜ୍ଞାନକୁ ଆହରଣ କରିବାର ଅସାମର୍ଥ୍ୟ।

ଏହି ଭଳି ଗୋଟିଏ ପ୍ରଗତିଶିଳ ଦୃଷ୍ଟିଭଙ୍ଗୀ ସହିତ,ଭକ୍ତି ପରଂପରା ଥିଲା ଗୋଟିଏ ସଂଯୁକ୍ତ ତଥାପି ସ୍ୱତନ୍ତ୍ର କେତେଗୁଡିଏ ଆନୁଷ୍ଠାନିକ ଉପଚାର ଯାହା ଉପମହାଦେଶର ଦକ୍ଷିଣପ୍ରାନ୍ତରୁ ଉଦ୍ଭବ ହୋଇଥିଲା ଏବଂ ଏହା ପରବର୍ତ୍ତି ପର୍ଯ୍ୟାୟରେ ଭାରତର ଉତ୍ତରାଞ୍ଚଳକୁ ଯାତ୍ରାକରିଥିଲା ଏବଂ ଅଷ୍ଟାଦଶ ଶତାବ୍ଦୀ ପର୍ଯ୍ୟନ୍ତ ନିଜର ଅସ୍ତିତ୍ୱକୁ ବଜାୟ ରଖିଥିଲା,ଯାହା ବସ୍ତୁତଃ ସାଧାରଣ ଜନସମଗ୍ର ମଧ୍ୟରେ ଧର୍ମକୁ ନେଇ ଏକ ନୂତନ ପ୍ରକାରର ଆଗ୍ରହ ସୃଷ୍ଟି କରିଥିଲା। ଯଦିଓ ଏ ସଂପର୍କିତ ଅଧିକାଂଶ ଆଗ୍ରହ ଏବଂ ଅଧ୍ୟୟନ ଭକ୍ତି କୁ ଏକପ୍ରକାର ସମନ୍ୱିତ “ଆନ୍ଦୋଳନ” ବୋଲି ପରିଭାଷିତ କରୁଥିଲେ,ସେମାନେ ଏଥିରେ ସେମାନଙ୍କର ତତ୍ତ୍ୱାଦର୍ଶକୁ ସାଧାରଣ ଲୋକମାନଙ୍କ ନିକଟରେ ପହଞ୍ଚାଇବା ଭଳି କୌଣସି ସମାନୁରୂପ ପ୍ରକ୍ରିୟାକୁ ଏଡାଇ ଯାଉଥିଲେ,ଏବଂ ସେମାନଙ୍କର ତତ୍ତ୍ୱାଦର୍ଶ ପରିସର-ସୀମିତ ତଥା ରହସ୍ୟମୟ ଭାବରେ ବ୍ୟକ୍ତିପରକ ରହିଥିଲା ଏବଂ ସମାନ ଭାବରେ ଏହାର ପୃଷ୍ଠଭୂମୀଟି  ରହିଥିଲା ପ୍ରକାଶ୍ୟ ଭାବରେ ରାଜନୀତିଗତ ।

ଭକ୍ତିକାଳର କବି ମାନେ ପ୍ରମୁଖ ଭାବରେ ଆଞ୍ଚଳିକ ଥିଲେ। ସେମାନେ ସଚେତନ ଭାବରେ ନିଜର ପାଠକ/ଶ୍ରୋତାକୁ ଏକ ବିଶେଷ ଭାଷା କ୍ଷେତ୍ରରେ ଆବଦ୍ଧ କରି ରଖିବା ଭଳି ନିର୍ଣ୍ଣୟକୁ ବାଛି ନେଇଥିଲେ,ଯଦିଓ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କର ସମକାଳର ନାଗରିକ ଭାଷା ସଂସ୍କୂତ ରେ ଯଥେଷ୍ଟ ବ୍ୟୁତ୍ପତ୍ତି ରହିଥିଲା। ଏହି କ୍ଷେତ୍ରରେ, ସେମାନେ ଆଧୁନିକ ଭାଷାରେ ଯାହାକୁ କୁହାଯିବ “ଉପ-ଜାତୀୟତାବାଦ” ସେଇଭଳି କିଛିକୁ ସେମାନେ ସମର୍ଥନ କରୁନଥିଲେ। ତାହା ବଦଳରେ ,ପ୍ରତ୍ୟେକ ଭକ୍ତର ଅନ୍ୱେଷା ରହିଥିଲା ନିଜ ପ୍ରତି ଅଥବା ତାହାର ଭାଷା ପ୍ରତି,ଯାହାଥିଲା  ତାହାର ବିଶ୍ୱଦୃଷ୍ଟିର ଆବେଦନ ନିମିତ୍ତ ଏକ ଇଂଗିତ-ଠାଣି। ଏଇ ଭଳି ଅନ୍ୱେଷଣରେ ସେମାନେ ଏକ ନିର୍ଦ୍ଦିଷ୍ଟ ନୈତିକ ଦର୍ଶନର ବିକାଶ ସ୍ଥାପନ କରିଥିଲେ,ଇମାନୁଏଲ୍ କାଣ୍ଟଙ୍କ “ସର୍ତ୍ତବିହୀନ ଅନୁଜ୍ଞା” ବା “କାଟେଗୋରିକାଲ ଇମ୍ପେରେଟିଭ” ସଦୃଶ,ଯାହା କହିଥାଏ ଯେ ମଣିଷ ବାଧ୍ୟ ସେଇ ସବୁ କାମ କରିବା ପାଇଁ ” ସେଇ ଆପ୍ତବାକ୍ୟ ଯେ ତମେ ଯାହା କରୁଛ ତାହା ସମାନ ସମୟରେ ବୈଶ୍ୱିକ ନିୟମ ପାଲଟି ଯାଉଛି”। ତେଣୁ ଏହା ଭକ୍ତମାନଙ୍କ ପାଇଁ ବି ଉଦ୍ଦିଷ୍ଟ ଥିଲା,ନିଜ ପାଇଁ କେବଳ ସମସ୍ତ କିଛି କର ନାହିଁ ବୋଲି  ତାହାଏକ ପ୍ରୟାସ ଥିଲା,ବରଂ ବ୍ୟକ୍ତିପରକ କ୍ରୀୟାକୁ ବୃହତ୍ତର ସ୍ୱାର୍ଥରେ ବିପଣନ କରିବା ପାଇଁ ନିଶ୍ଚିତ ଭାବରେ ଯୋଗସୂତ୍ରର କାରକ ହେବାପାଇଁ କୁହାଯାଉଥିଲା। ଏହି ଭଳି ଆତ୍ମିକ ବିରୋଧାଭାଷ ଅନ୍ୟମାନଙ୍କ ଭିତରେ ସଦର୍ଥକ ପ୍ରଭାବ ପକାଉଥିଲା।

Rupa Goswami ( 1489-1564 AD)

ଭକ୍ତିର ବୌଦ୍ଧିକ ପୂର୍ବସର୍ତ୍ତ ଗୁଡିକ,ଯେଉଁଭଳି ଏହାର ସନ୍ଥକବି ମାନେ ଯୁକ୍ତି କରିଛନ୍ତି, ଅନେକ ଆଗରୁ ସ୍ଥାପନା କରାଯାଇଛି ଯେଉଁଠି ବେଦର ଆଉ ଉପନିଷଦର ଉଲ୍ଲେଖ ରହିଛି। ହେଲେ,ଏହି ସବୁ ବସ୍ତୁପାଠରେ ଭକ୍ତିକୁ ଶାଣିତ କରିବା ପାଇଁ ଏକ ଉତ୍କୃଷ୍ଟ ମାଧ୍ୟମ ବୋଲି ଯେ ଖାଲି ମନେ କରାଯାଉ ନଥିଲା,ମୋକ୍ଷ ପ୍ରାପ୍ତି ହିଁ ଜୀବନର ମୁଖ୍ୟ ଲକ୍ଷ୍ୟ ଥିଲା। ଭଗବତ ପୁରାଣ ଯାହା  ୮୦୦ ଖ୍ରୀଷ୍ଟାବ୍ଦରୁ ରୁ ୧୦୦୦ ଖ୍ରୀଷ୍ଟାବ୍ଦ ମଧ୍ୟରେ ରଚିତ ହୋଇଥିଲା,ଯେଉଁଥିରୁ ଭକ୍ତିର ସବୁଠାରୁ ଉଲ୍ଲେଖଯୋଗ୍ୟ ଆଉ ସ୍ୱତନ୍ତ୍ର ଆକଳନ ବିକଶିତ ହୋଇଥିଲା ,ଯାହାର ଅନ୍ତର୍ନିହିତ ଶକ୍ତି ବ୍ୟାପିଯାଇଥିଲା ଦୂରଦୂରାନ୍ତରକୁ । ଭଗବତ ପୁରାଣ,ଏମିତି ଏକ ଗ୍ରନ୍ଥ ଯାହା ଶ୍ରୀକୃଷ୍ଣଙ୍କ ଧରାଗମନ ସହିତ ତାଙ୍କର ଜୀବନକୁ ପାଳନ କରେ,କାଳକ୍ରମରେ ଦୈବିକତା ର ସଂପର୍କିତ ଏକ ନବ୍ୟ ଆଗମନର ଆରମ୍ଭ – ଯେଉଁଠି ଦୈବିକ ସମର୍ପଣର ଆନନ୍ଦ ମୁକ୍ତିର କାମନା ଉପରେ କିସ୍ତିମାତ କରିଛି,ଏବଂ ଦୈବିକ ଉଲ୍ଲାସ କୁ ମଣିଷର  ଉତ୍ତମ ଜୀବନର ମୌଳରୂପ ଆକାରରେ ଦେଖାଯାଇଛି।ରୂପ ଗୋସ୍ୱାମୀ (୧୪୮୯-୧୫୬୪ଖ୍ରୀଅ) ଙ୍କ ଭଳି ଗୌଡୀୟ ବୈଷ୍ଣବମାନେ ଭକ୍ତିକୁ ଏପରି ପୁନର୍ବ୍ୟାଖ୍ୟାନ କରିଛନ୍ତି ଯେଉଁଠି ଭକ୍ତି ହେଉଛି ଏକ ସ୍ୱତନ୍ତ୍ର ଶ୍ରେଣୀର ଅବଧାରଣା ଯାହା ବିଶେଷ ଭାବରେ ଜ୍ଞାନ ଠାରୁ ସ୍ୱତନ୍ତ୍ର ଏବଂ ସେ ଏହାକୁ ମୋକ୍ଷଠାରୁ ଉଚ୍ଚତର ଲକ୍ଷ୍ୟ ବୋଲି ବିଚାର କରୁଥିଲେ।

ଏଇ ଭଳି ଦ୍ୱିବିଧତାରେ ଜ୍ଞାନ ବୈଦିକ ଆଚାର ଅନୁଷ୍ଠାନର ସ୍ପର୍ଶ ତଥା ବେଦାନ୍ତର ଧାର୍ମିକ-ସଂଜ୍ଞାନକୁ ପରିପ୍ରକାଶ କରୁଥିଲା। ଭକ୍ତିର ଅର୍ଥ ଥିଲା ଏହାର ଓଲଟା,କୃଷ୍ଣ ସେବା ପ୍ରତି ଏକ ବିଭୋର ଅନୁରକ୍ତି ,ଯେଉଁଠିକୁ ଅନୁପ୍ରବେଶ ନଥିଲା ଅନ୍ୟ କୌଣସି କର୍ମଧାରଣା ବା ଜ୍ଞାନର।

ମୋକ୍ଷ ଠାରୁ ଭକ୍ତି ଯାଏଁ  ଏହି ବିବର୍ତ୍ତନ ବସ୍ତୁତଃ ଭାରତୀୟ ଦର୍ଶନ ପରଂପରାର ଗତିଶୀଳତାର ସେଇ ଲକ୍ଷଣକୁ ପ୍ରକାଶ କରୁଥାଏ ଯାହା ବୈଦିକ ଜ୍ଞାନର ଆଧିପତ୍ୟରୁ  ଅଧିକ ସଂହତ ପୁରାଣଗତ ହିନ୍ଦୁଧର୍ମ ନିକଟରୁ ଅପସରି ଯାଏ ଯାହା କେବଳ ଯେ ନୂତନ ପ୍ରକାର ଚରିତ୍ର ଏବଂ କାହାଣୀର ଜନ୍ମ ଦେଇନାହିଁ ,ତାହା ସହିତ ତାହାର ବଖାଣକୁ ଅଧିକ ଜନସମଗ୍ର ନିକଟରେ ପହଞ୍ଚାଇ ପାରିଛି। ଏହା ହିଁ ଥିଲା ସେହି ବିପୁଳ ବାଚିକ ଏବଂ ବୌଦ୍ଧିକ ଇତିହାସ ଯାହା ଆମର ପରିଚିତ ପ୍ରଖ୍ୟାତ ଭକ୍ତି କବିତାର ଉତ୍ତରାଧୀକାର ।

Jagannath Temple, Puri, Odisha

ଏହି ପଶ୍ଚାତ କଥନଟି ଆମକୁ ଓଡିଆ ପରିପ୍ରେକ୍ଷୀରେ ତାହାର ଭକ୍ତ,ସେମାନଙ୍କର ଅନୁଭବ ଏବଂ ବିଶେଷ ଭାବରେ ସେମାନଙ୍କର ଚିନ୍ତନର କ୍ଷେତ୍ରକୁ ବୁଝିବା ପାଇଁ କିଛି ପରିମାଣରେ ସାହାଯ୍ୟ କରିବ।

ଭାରତର ଅନ୍ୟାନ୍ୟ ପ୍ରାନ୍ତରୁ ସୃଷ୍ଟି ହୋଇଥିବା ବିପୁଳ ସାହିତ୍ୟ ପ୍ରବାହ ସହିତ ତାଳ ଦେଇ ଓଡିଶାରେ ମଧ୍ୟ ବ୍ୟାପକ ସାହିତ୍ୟ ଖ୍ରୀଷ୍ଟୀୟ ପଞ୍ଚଦଶ ଶତାବ୍ଦୀରେ ବିକାଶ ଲାଭ କରିଥିଲା। ଏହାର ବ୍ୟାପକ ପରିଚିତିଟି ବିଶେଷତଃ ପଞ୍ଚସଖା -ପାଞ୍ଚ ଜଣ ଭକ୍ତି କାଳର ସନ୍ଥ- ଆକାରରେ,ଏହି ଯୁଗ ମୁଖ୍ୟତଃ ଭାଷାର ବିକାଶ ଏବଂ ଓଡିଆ ଜନସମଗ୍ରର  ଅସ୍ମିତାର ଦ୍ୟୋତକ । କୃଷ୍ଣ ଏବଂ ତାଙ୍କର ଜୀବନ ପ୍ରତି ପ୍ରେମ ଏହି ସମୟର ସାହିତ୍ୟର ମୁଖ୍ୟ ବିଷୟବସ୍ତୁ ଆକାରରେ ଏଇ ସନ୍ଥ କବିଙ୍କ ପଦ୍ୟଭାବ ପ୍ରକାଶରେ ରହିଥିଲା। ତଥାପି ଏହି ଭକ୍ତବୃନ୍ଦ, ସେମାନେ ଯେଉଁ ଆଧାରରୁ ନିଜର ବିଶ୍ୱଦୃଷ୍ଟିଟିକୁ ସଂଗ୍ରହ କରୁଥିଲେ ତାହା କିନ୍ତୁ ଏକମୁଖା ନଥିଲା। ସେମାନଙ୍କ ମଧ୍ୟରୁ ଦୁଇଜଣ ଭକ୍ତ,ବଳରାମ ଦାସ ଓ ଜଗନ୍ନାଥ ଦାସ,ଙ୍କ ଲେଖାରେ ଏହି ପ୍ରସଂଗଟି ସ୍ପଷ୍ଠ ଭାବରେ ପରିଲକ୍ଷିତ ହୁଏ।

ବଳରାମ ଦାସ -ପଞ୍ଚସଖାଙ୍କ ଭିତରେ ବୟଜ୍ୟେଷ୍ଠ  ଏବଂ ଯିଏ ନିଜକୁ ଜଣେ ଶୁଦ୍ର ବୋଲି ବିଚାରୁଥିଲେ- ତାଙ୍କର “ଲକ୍ଷ୍ମୀ ପୁରାଣ” ପାଇଁ ସବୁଠୁ ଅଧିକ ଚର୍ଚ୍ଚିତ। ଲକ୍ଷ୍ମୀ ପୁରାଣ ହେଉଛି ଏକ ଦୀର୍ଘ କବିତା ଯାହାକୁ ଓଡିଆ ପଞ୍ଜିକା ଅନୁସାରେ ପବିତ୍ର ମାର୍ଗଶିର ମାସରେ ଗାୟନ କରାଯାଏ। (ଗ୍ରେଗୋରିଆନ କାଲେଣ୍ଡର ହିସାବରେ ମାର୍ଗଶିର ହେଉଛି ନଭେମ୍ବର )। ଅତ୍ୟନ୍ତ ସରଳ ଭାଷାରେ ରଚିତ,ଯଦିଓ ଏହାର ରଚନା ଛନ୍ଦଟି ସେ ସମୟର ପ୍ରଭାବୀ ଦାଣ୍ଡିବୃତ୍ତ ଛନ୍ଦ,ଏହାର ବହିପାଠ,ପ୍ରଥମ ଦୃଷ୍ଟିରେ ଗୋଟିଏ ପ୍ରାଚୀନପନ୍ଥୀ ଧର୍ମଗ୍ରନ୍ଥର ସମସ୍ତ ଆବଶ୍ୟକତାକୁ ପୂରଣ କରୁଥିଲା : ଏହା ସୈଦ୍ଧାନ୍ତିକ,ଏହାର ଗତି ନିର୍ଦ୍ଦେଶିତ କରେ କିଛି ଆଚାର ଅନୁଷ୍ଠାନର ଦିଗକୁ ଏବଂ ରେଖାଙ୍କିତ କରୁଥାଏ ସେଇ ସମସ୍ତ ପଥକୁ ଯେଉଁଠି ଦେବୀ ହେଉଛନ୍ତି ଶକ୍ତିଶାଳୀ ଏବଂ ତାଙ୍କର ବଶ୍ୟତାକୁ ମାନିନେବାକୁ ହେବ।

ହେଲେ ଏହା ଉପରେ ଗଭୀର ଦୃଷ୍ଟିପାତ କଲେ ସେଇ ଅବଧାରଣା ଗୁଡିକ ସହଜରେ ଝରିପଡୁଥିବାର ଦେଖାଯାଏ।

ଲକ୍ଷ୍ମୀ ପୁରାଣର ବଖାଣ ବସ୍ତୁତଃ ଲକ୍ଷ୍ମୀ – ଲକ୍ଷ୍ମୀ ଧନର ଦେବୀ ତଥା ବିଷ୍ଣୁଙ୍କର ଏକ ଅବତାର ଜଗନ୍ନାଥଙ୍କର ସ୍ତ୍ରୀ- ଏବଂ ଲକ୍ଷ୍ମୀଙ୍କର ଆରାଧନାକାରୀଙ୍କ ମଧ୍ୟରେ ବୃତ୍ତରୂପୀ ଏକ ବଖାଣ। ମାର୍ଗଶିର ମାସରେ ତାଙ୍କର ନିୟମିତ ସ୍ୱାଭାବିକ ନଗରବୁଲା ସମୟରେ ଲକ୍ଷ୍ମୀ ଗୋଟିଏ ଗୃହକୁ ଅତ୍ୟନ୍ତ ପରିଷ୍କାର ଏବଂ ମୌଳିକ ଅବସ୍ଥାକୁ ଅକ୍ଷୁର୍ଣ୍ଣ ରଖିଥିବା ତଥା ତାଙ୍କର ସ୍ୱାଗତ ନିମନ୍ତେ ସମସ୍ତ ବିଧିବିଧାନକୁ ଅକ୍ଷରଶଃ ପାଳନ କରିଥିବା କଥାକୁ ଭେଟନ୍ତି। ସେହି ସାଧାରଣ ଘରଟି ଗୋଟିଏ ଦରିଦ୍ର ଅଚ୍ଛବ ମହିଳାର,ଶ୍ରୀୟା ତାହାର ନାଆଁ,ସହରର ଉପାନ୍ତରେ ଥାଏ ସେହି ଘରଟି। ଲକ୍ଷ୍ମୀ ସେଇ ଗର ଭିତରକୁ ପ୍ରବେଶ କରନ୍ତି ଏବଂ ତାଙ୍କର ସେହି ଆରାଧନାକାରିଣୀକୁ ଉପହାର ଏବଂ ସମ୍ପଦ ପ୍ରଦାନ କରନ୍ତି। ସେ ଯାହା ହେଉ ,ମନ୍ଦିରକୁ ଫେରିଆସିବା ପରେ,ଜଗନ୍ନାଥ ତାଙ୍କର ଜ୍ୟେଷ୍ଠ ଭ୍ରାତା ବଳଭଦ୍ରଙ୍କ ଚାପରେ ତାଙ୍କୁ ମନ୍ଦିର ପ୍ରବେଶକୁ ବାରଣ କରନ୍ତି,କାରଣ ଅଚ୍ଛବ ସଂଶ୍ରବରେ ଆସି ସେ ତାଙ୍କର ଜାତି ଅବସ୍ଥାନକୁ “ହରାଇ ବସିଛନ୍ତି।

ଲକ୍ଷ୍ମୀ ଜଗନ୍ନାଥଙ୍କୁ ଗୋଟିଏ ଶିକ୍ଷା ଦିଅନ୍ତି,ସେହି ଶିକ୍ଷାର ଆଧାର ବିନ୍ଦୁ ଟି ହେଉଛି ଯେ ତାଙ୍କର ଭକ୍ତ ର ଜାତି-ପରିଚୟଟିର କୌଣସି ପ୍ରାସଙ୍ଗିକ ଅର୍ଥ ନାହିଁ ଯଦି ଉପଯୁକ୍ତ ଅଧ୍ୟବସାୟକୁ ଅନୁସରଣ କରାଯାଇଥାଏ ,ଯେଉଁ ପରି କରିଛି ଶ୍ରୀୟା। ସେ ତାଙ୍କର ସ୍ୱାମୀଙ୍କୁ ତ୍ୟାଗ କରନ୍ତି ଏବଂ ଏପରି ବିଧାନ କରନ୍ତି ଯେପରି ସେ ସେହି ପର୍ଯ୍ୟନ୍ତ ଅନାହାର କଷ୍ଟକୁ ଭୋଗିବେ ଯେଉଁ ପର୍ଯ୍ୟନ୍ତ ସେ ଲକ୍ଷ୍ମୀଙ୍କର ନିଜ ଇଚ୍ଛାରେ ଯେ କୌଣସି ଗୃହକୁ ନିଜର ନଗରବୁଲା ସମୟରେ ଯିବା ଭଳି ଅଧିକାରକୁ ମାନି ନନେଇଛନ୍ତି ,ଯେ ତାଙ୍କର ଦୟାପସରା କେବଳ ନିର୍ଦ୍ଦିଷ୍ଟ କାହା ପ୍ରତି ସଂକୁଚିତ ହୋଇ ରହିପାରିବନି,ଏବଂ ଅଚ୍ଛବ ଆଉ ବ୍ରାହ୍ମଣ ଉଭୟଙ୍କୁ ସମାନ ବ୍ୟବହାର ପ୍ରଦାନ କରାଯିବ।

ଏହି ଗ୍ରନ୍ଥପାଠକୁ ବିଚାରକୁ ନେଲେ ଦେଖିବା ଯେ, ଏହା ହେଉଛି ଧର୍ମପରାୟଣତାର ମୌଳିକ ଦୃଷ୍ଟାନ୍ତକାରୀ ଏକ ପୁନର୍ନିର୍ମାଣ। ବଳରାମ ଦାସଙ୍କ ଅନ୍ୱେଷା ଏଠାରେ ହିନ୍ଦୁ/ବୈଷ୍ଣବ ପନ୍ଥାନୁସାରେ ରହିଥିବା ଜଗନ୍ନାଥ ଏବଂ ଲକ୍ଷ୍ମୀଙ୍କ ପ୍ରଚଳିତ ଆଧିପତ୍ୟର ମାଧ୍ୟମରେ ବୈଦିକ ଆଧିପତ୍ୟକୁ କ୍ଷୁର୍ଣ୍ଣ କରିବା,ସେଇ ଦିଗକୁ ସେମାନଙ୍କର ଯାତ୍ରାପଥ,ବିଶେଷ ଭାବରେ ତାହା ସେମାନଙ୍କୁ” ନିମ୍ନ ଜାତି” ନାରୀସମୂହର  ନିକଟବର୍ତ୍ତି କରିପାରିଛି। ଏହା ସହିତ,ଲକ୍ଷ୍ମୀ ପୁରାଣ  ମଧ୍ୟ ହେଉଛି ଗୋଟିଏ ବ୍ରତକଥା- ଏକ ପାଠ ଯାହାକୁ ନାରୀମାନେ ଲକ୍ଷ୍ମୀଙ୍କ ଉପସ୍ଥିତିର ବେପଥୁକୁ ଅନୁଭବ ତଥା ପାଳନ କରିବା ପାଇଁ ଗାୟନ କରିଥାନ୍ତି -ଏହାର ଭାବଧାରା ପ୍ରମୂଖ ଭାବରେ ଜନସମୂହର କୃଷିକର୍ମଭିତ୍ତିକ ଜୀବନ ପ୍ରବାହରୁ ଆହରିତ ଏବଂ ଯାହାର କୌଣସି ଏକ ପ୍ରାକ୍ ସଂସ୍କୃତ ନମୁନା ରହିନାହିଁ ଯେ ଯାହା ଉପରେ ଏପରି ଏକ ପୁନର୍ନିର୍ମାଣ କରାଯାଇଛି ବୋଲି ଅନ୍ତତଃ  କୁହାଯାଇପାରିବ। ବଳରାମ ଦାସଙ୍କ କ୍ଷେତ୍ରରେ,ଏଇ ପୁରାଣଟି ପ୍ରାଥମିକ ଭାବରେ ଦୁଇଟି ଦିଶା ନିର୍ଦ୍ଦେଶ କରିଥାଏ : ସାଙ୍କେତିକ ଭାବରେ ଗୋଟିଏ ଜନଗୋଷ୍ଠୀର ଏକ ଅଧିକ “ଗମ୍ଭୀର” ଭୂଦେଶରେ ନିଜର ଦାଖିଲାକୁ ସ୍ଥାପିତ କରିବା ,ଏବଂ ସମାନ ସମୟରେ,ଏହି ଶୈଳୀର ପ୍ରୟୋଗ କରି ବୈଦିକ ଆଧିପତ୍ୟର ସତ୍ତାବସାନ ଘଟାଇବା।

Balaram Dasa (1472-1556 AD)

ଏହି ଭଳି ସୁଯୋଗ ପୁରାଣ ବିଧିର ଅତ୍ୟନ୍ତ ନିବିଡ ହୋଇଯାଏ,କହିବାକୁ ଗଲେ ତାହାର ହୃଦୟକୁ ଛୁଇଁଯାଏ। ପୁରାଣକୁ ସଂସ୍କୃତ ସାହିତ୍ୟରେ ତ୍ରିସ୍ତରୀୟ ପ୍ରକାଶଧାରାରୁ ଗୋଟିଏ ବୋଲି ବିବେଚନା କରାଯାଏ,ଯେଉଁଠି ଆର ଦୁଇଟି ସାହିତ୍ୟଗତ ପ୍ରକାଶଧାରା ହେଉଛି ବୈଦିକ ଏବଂ ଲୋକକଥା। ପୁରାଣ ବସ୍ତୁତଃ ହେଉଛି ଏକ ପଦ୍ଧତି  ଯେଉଁଠି ଲୋକକଥା କୁ ଏକ ଗଠନରୀତି ହିସାବରେ ଉଲ୍ଲେଖ କରାଯାଏ ଯାହା ଉପସ୍ଥିତ ବୈଦିକ ଏବଂ ଲୋକକଥାକୁ ଏକ ଭିନ୍ନ କାଳ/ଦେଶ ର ପୃଷ୍ଟଭୂମୀରେ ନିରନ୍ତରତାର ସହ ବ୍ରାହ୍ମଣବାଦୀ ଆଦର୍ଶଗତ ବର୍ଣ୍ଣଧର୍ମକୁ ପ୍ରତିସ୍ଥାପିତ କରିଥାଏ । ସେ ଯାହାହେଉ,ଏହା ହେଉଛି ସେଇ ସମାନ ପୁରାଣ-ପରଂପରା ଯାହା ତାହାର ସଂରଚନା ଏବଂ ବସ୍ତୁପାଠରେ ଏକ ଗଭୀର ପରିବର୍ତ୍ତନର କଥା କହିଥାଏ,ଭଗବତ ପୁରାଣ ଠାରୁ ଆରମ୍ଭ କରି,ସମସ୍ତ ପୁରାଣବାଦୀ ଅବସ୍ଥାନର ଭିତରେ ଭକ୍ତି ପାଇଁ ଏକ ଔଚିତ୍ୟବୋଧ ର ପ୍ରତିଷ୍ଠା କରିଥିଲା।

ବଳରାମ ଦାସଙ୍କର ଠିକ୍ ଓଲଟା ପଟେ ଛିଡା ହୋଇଛନ୍ତି ଜଗନ୍ନାଥ ଦାସ ,ସେହି ସନ୍ଥ କବି ଯିଏ ପବିତ୍ର ଓଡିଆ “ଭାଗବତ” ର ରଚନା କରିଛନ୍ତି,ସଂସ୍କୃତ “ଭାଗବତ ପୁରାଣ” ର ଏହା ଏକ ଅନୁସୃଜନ ।

ଓଡିଆ ଭାଗବତ ହେଉଛି ମୁଖ୍ୟତଃ ସେଇ ସଂସ୍କୃତ ଗ୍ରନ୍ଥର ଏକ ପୁନର୍କଥନ,ବିଶେଷ ଭାବରେ ଏଥିରେ ମୂଳ ଗ୍ରନ୍ଥର ଜଟିଳ ଦାର୍ଶନିକ ସିଦ୍ଧାନ୍ତ ଗୁଡିକ ଅତି ସରଳ ଓଡିଆରେ ବର୍ଣ୍ଣନା କରାଯାଇଛି। ମାତ୍ର  ଏକ ଉପଯୁକ୍ତ ବଖାଣର ନିର୍ମାଣ ଏହାର ଉଦ୍ଦେଶ୍ୟ ରହିଚି  ଯାହା ସାଧାରଣ ଜନସମଗ୍ରର ବୋଧଗମ୍ୟ ହୋଇପାରିବ। ଉଦାହାରଣ ସ୍ୱରୂପ କୃଷ୍ଣଙ୍କ ଜନ୍ମକୁ ନେଇ ଯେଉଁ ସଂକ୍ଷିପ୍ତ ଓ ଶକ୍ତିଶାଳୀ,ଅଲୌକିକ ତଥା ଦୈବିକ ଚିତ୍ରକଳ୍ପ ଆଦିକୁ ଆମେ ସଂସ୍କୃତ “ଭଗବତ ପୁରାଣ” ରେ ସାମ୍ନା କରିଥାଉ ତାହା ଓଡିଆ “ଭାଗବତ”ରେ ଆମର ହାତପାହାନ୍ତାର କଥା ଭଳି ,ଏପରି କି କୌଣସି ପାରିବାରିକ ନାଟକ,ଯେଉଁଠି ତାଙ୍କର ପିତାମାତା ବସୁଦେବ ଆଉ ଦେବକୀ ସିଧାସଳଖ କଥାବାର୍ତ୍ତା କରୁଛନ୍ତି। “ଭାଗବତ” ତାହାର ପାଠକ/ଶ୍ରୋତା ର ଆଗରେ ଉପସ୍ଥାପନ କରେ- ଏକ ବୃହତ୍ତର  କୃଷକ ଏବଂ କୃଷିଜୀବୀ ଜନସମଗ୍ର – ଦୈବିକତା ର ଭକ୍ତି ଭିତରକୁ ଏକ ଯଥାଯୋଗ୍ୟ ପ୍ରବେଶ ପଥ,ସେମାନଙ୍କର ଜୀବନାନୁଭବରେ ଏକ ଘଟଣା।

ଉଭୟ ସଂସ୍କୃତ ଏବଂ ଓଡିଆରେ ରହିଥିବା ପୁରାଣର ବସ୍ତୁପାଠର ଭିତରେ ଥିବା  ପାର୍ଥକ୍ୟ ଯାହା ପାଠକ ଆଗରେ ରହିଥାଏ ସେଥିରେ ଦେଖାଯାଏ ଯେ କେଉଁ ଭଳି କେତେମାତ୍ରାରେ ସତର୍କ ରହି ଅନୁବାଦକ ଜଣକ ଏଇଠି ତାହାର ବସ୍ତୁପାଠର ପ୍ରସଂଗକୁ ଅନୁଧ୍ୟାନ କରିଛି ଏବଂ କେଉଁଭଳି ଜଣେ ଧାରାଭାଷ୍ୟକାର ଆକାରରେ ତାହାର ଉପସ୍ଥିତ ଶ୍ରୋତାଙ୍କ ଆଗରେ ସେଇ ତତ୍ତ୍ୱର ଜଟିଳତାକୁ ବୁଝାଇ ଚାଲିଛି ତାହାର ଅଭିଳଷିତ ଲକ୍ଷ୍ୟ ଉଦ୍ଦେଶ୍ୟରେ,ଅଭିଳଷିତ ଲକ୍ଷ୍ୟ ହେଉଛି : ବଖାଣ କର,ତାହା ଯେମିତି ଥିଲା, “ଭାଗବତ ପୁରାଣ” ର ରସ।

Jagannath Dasa (1490-1550 AD)

ସେ ଯାହା ହେଉ ଜଗନ୍ନାଥ ଦାସ  ବିଶେଷତଃ ଅଞ୍ଚଳବାଦୀତାକୁ ପ୍ରୋତ୍ସାହିତ କରିଛନ୍ତି  ଏବଂ ଏହା ସହିତ ବି ସେ ପ୍ରାଚୀନ ଧର୍ମଶାସ୍ତ୍ରକୁ ଦୃଢତାର ସହିତ ଜାତି ଆଉ ବର୍ଣ୍ଣ ପ୍ରସଂଗର ବ୍ୟାଖ୍ୟାନ ସମୟରେ ଉଲ୍ଲେଖ କରିଛନ୍ତି। ତାଙ୍କର ଭକ୍ତି ପ୍ରସଙ୍ଗଟି ପ୍ରାଥମିକ ଭାବରେ ଜନସମଗ୍ରକୁ ଭାକ୍ତିକ ଅନୁସଙ୍ଗ ନିମନ୍ତେ ଆତ୍ମନିଗ୍ରହ ଭଳି କ୍ଳେଶକୁ ବରଣ କରିବା ନିମନ୍ତେ ଉଦ୍ଦିଷ୍ଟ ଥିଲା,ଯାହା କି ସମ୍ଭବତଃ ସମାଜର ନିର୍ଦ୍ଦିଷ୍ଟ ଶକ୍ତିଶାଳୀ ବର୍ଗ ଭିତରେ ଅନେକ ପରିମାଣରେ ସଂକୁଚିତ ହୋଇ ରହିଯାଇଥିଲା । ଏହା ସହିତ ଏ କଥା ମଧ୍ୟ ସଂଯୋଜନ କରାଯାଇପାରେ ଯେ,ସେତେବେଳେ ଉଚ୍ଚ ଜାତିର ସାମାଜିକ ନିୟମମାନକୁ ଯଥାବସ୍ଥାରେ ରଖାଯାଇଥିଲା। ଯଦିଓ ଜଗନ୍ନାଥ ଦାସ ପାରିବାରିକ ନାଟକରୁ ସ୍ୱତନ୍ତ୍ର ଭାବରେ କୃଷ୍ଣ ଜନ୍ମକୁ ବର୍ଣ୍ଣନ କରିଛନ୍ତି ,ସେ ନିରନ୍ତର ଭାବରେ ବିଶ୍ୱସ୍ତ ରହିଛନ୍ତି ସେଇ ଆଦର୍ଶଗତ ପ୍ରୋତ୍ସାହ କୁ ଯାହାର ଧାରଣା ହେଉଛି କୃଷ୍ଣ ଜଣେ “ଦ୍ୱିଜ”,ଦି ଥର ଯାହାର ଜନ୍ମ,ଆଉ ଏହା ତାଙ୍କର ବ୍ରାହ୍ମଣବାଦୀ ବିନ୍ୟାସକୁ ସଂଚାଳିତ କରିବା ଭଳି ଅଭିଳାଷକୁ ପୁଷ୍ଠ କରିଥାଏ । ( ଏକଥା ଆମର ମନେ ରଖିବା ଗୁରୁତ୍ୱପୂର୍ଣ୍ଣ ଯେ,ଜଗନ୍ନାଥ ଦାସଙ୍କର ଜନ୍ମ ପୁରୀର ଏକ ବ୍ରାହ୍ମଣ ପରିବାରରେ ଘଟିଥିଲା ଆଉ ଧର୍ମଶାସ୍ତ୍ର ସଂପର୍କିତ ତାଙ୍କର ସମସ୍ତ କଠୋର ଅଧ୍ୟୟନ ତାଙ୍କର ପିତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧନରେ ସଂପନ୍ନ ହୋଇଥିଲା।]

ଏଇ ଦୁଇଟି ଯାକ ଅବସ୍ଥାନକୁ ଟିକିଏ ବିସ୍ତାରରେ ରେଖାଙ୍କିତ କରିବା ସମୟରେ ମୁଁ  ପୁରାଣବାଦୀ ହିନ୍ଦୁଧର୍ମ  – ଅଥବା ପୁରାଣ ଏକ  ଶୈଳୀ ବା ଜାଁର- ର ଉଲ୍ଲେଖ କରିଛି ଯାହା ସେଇ ସମୟର ସାମାଜିକ-ରାଜନୈତିକ ସ୍ଥିତାବସ୍ଥା ସହିତ ଅନ୍ତର୍କ୍ରିୟା ଦ୍ୱାରା ଉପସ୍ଥିତ ହିନ୍ଦୁଧର୍ମର ବୈଦିକ ଅବଧାରଣାଗୁଡିକୁ ପୁନର୍ନିର୍ମାଣ କରିଛି ଏବଂ ତାହା ସହିତ  ଯାହା ସେଇ ଲୋକମାନେ ବୁଝିପାରିବେ ସେଇଭଳି ଏକ ନୂତନ ପ୍ରକାରର ଭାଷା ର ସଂଯୋଜନ ଘଟାଇଛି । ଗୋଟିଏ ଥରରେ (ବଳରାମ ଦାସଙ୍କ ପ୍ରଭାବ),ଏହା ଏପରି ଏକ ଅନ୍ତର୍ଘାତୀ ,ସବଭର୍ସିଭ୍, ଗ୍ରନ୍ଥପାଠ ଯାହା  ସିଧାସଳଖ ବ୍ରାହ୍ମଣବାଦୀ ସତ୍ତା-ଆଧିପତ୍ୟକୁ ପ୍ରତ୍ୟାଖାନ କରେ। ଅନ୍ୟଥିରେ (ଜଗନ୍ନାଥ ଦାସ),ବ୍ରାହ୍ମଣବାଦୀ ଆଦର୍ଶ କୁ ଏକ ଉଚ୍ଚାଭିଳାଷ ଆକାରରେ ଚିରସ୍ଥାୟୀକରଣ ତଥା ଏହା ସହିତ ଅଧିକ ଜନସମୂହକୁ ଯୋଡିବାର ପ୍ରୟାସ କରାଯାଇଛି। ଏହି ଉଭୟ କ୍ଷେତ୍ରରେ ,ଯଦିଓ ସେମାନେ ଜ୍ଞାନର ପ୍ରସଂଗକୁ ଜନବାଦୀ କରିବା ପ୍ରଶ୍ନରେ ସମସ୍ତ ପୁନର୍ନିର୍ମାଣ କରିଛନ୍ତି ଏବଂ ବୈଦିକ ବ୍ରାହ୍ମଣବାଦର ସମସ୍ତ ଆଦର୍ଶଗତ ପ୍ରସ୍ତାବନାକୁ ସ୍ଥାନୀୟ ଲୋକଭାଷାରେ ବିରଚିତ ପୁରାଣ ମାଧ୍ୟମରେ ସଂଶୋଧିତ କରିଛନ୍ତି।

ମୋର ଏଇଠି ପ୍ରସ୍ତାବନା ରହୁଛି ଯେ ଆମେ ଭକ୍ତ କୁ କେବଳ ଏକ ପ୍ରକାର ଉଲ୍ଲସିତ,ସଂପୂର୍ଣ୍ଣ ଆବେଗପରକ ଗୋଟିଏ ପ୍ରଜାତି ଯାହା ପାଇଁ ଦୈବିକ ପ୍ରେମ ହେଉଛି ସର୍ବଗ୍ରାସୀ,ସେଇପରି ଅନୁଧ୍ୟାନ କରିବା ଠିକ୍ ନୁହଁ। ଏହା ସଚେତନ ବିଚାର ବ୍ୟତୀତ  କୌଣସି ଆନନ୍ଦର କ୍ଷେତ୍ର ବିଶେଷ ନୁହଁ,ଏହା ନିଜକୁ ସଂପୂର୍ଣ୍ଣ ଭାବରେ ଉଜାଡି ଦେଇ ସମର୍ପଣ କରିବା ଭଳି କୌଣସି କ୍ଷେତ୍ର ନୁହଁ ଯେଉଁଠି ବୌଦ୍ଧିକ ବିବିଧତା ପାଇଁ କୌଣସି ସ୍ଥାନ ରହିନାହିଁ । ଏହା ବ୍ୟତୀତ,ଏଇ ଦୁଇଟି କ୍ଷେତ୍ର ଆମକୁ ଯାହା ଦେଖାଏ,ଭକ୍ତ ଏଠାରେ ଆରାଧନାକୁ ଏକ ଆଳଙ୍କାରିକ ରୂପକ ଆକାରରେ ବ୍ୟବହାର କରିଛି,ବିଶ୍ୱାସ କରୁଛି ଯେ ସେ ଯେଉଁ ସାମାଜିକ ଅବସ୍ଥାନର ପକ୍ଷଧର , ସବୁଠୁ ଗୁରୁତ୍ୱପୂର୍ଣ୍ଣ ,ସେଇ ଭଳି ଶ୍ରୋତାବର୍ଗଙ୍କୁ ସେ ତାହାର କଥା କହିଚାଲୁଛି ।

ଏହି କାରଣ ଗୁଡିକ ଗୁରୁତ୍ୱପୂର୍ଣ୍ଣ ଯେ ଏହା ବସ୍ତୁତଃ ନିର୍ଦ୍ଧାରଣ କରିଥାଏ ସାଧାରଣ ଭାବରେ ଯାହାକୁ  ଭକ୍ତି କୁହାଯାଏ ତାହା ଭଳି ଏକ ବ୍ୟାପକ ଦୃଷ୍ଟିକୋଣର ଭିତରେ କେଉଁପରି ଧାରଣାର ବହୁବିଧତା ର ଉଦଗମ ଏବଂ ପ୍ରସାର ଘଟିଥିଲା।

ଭକ୍ତ ସାଧାରଣଭାବରେ ପୂର୍ବରୁ ଉପଲବ୍ଧ ସମାଜ-ନୀତିକୁ ତାହା ପାଇଁ ଉଦ୍ଦିଷ୍ଟ ଥିବା ଲୋକକ୍ଷେତ୍ରରେ ବ୍ୟବହାର କରିଛି ଏବଂ ତାହାକୁ ତାହାର ବିଚାରଶିଳା ର ଆଧାର ଆକାରରେ ପରିବର୍ତ୍ତନ-ନିର୍ମାଣ କରିଛି। ଏଥିରେ ଭକ୍ତି ଆରାଧନାର ଅନୁଷ୍ଠାନରେ ଆଉ ମଞ୍ଜ ହୋଇ ରହିନାହିଁ; ବରଂ ଏହା ପାଲଟି ଯାଇଛି ଗତିଶୀଳ କ୍ଷେତ୍ରାଧାର। ଭକ୍ତ ଜଣେ ନାଗରିକ ହିସାବରେ ,ହାବରମାସ ଙ୍କ ଲୋକକ୍ଷେତ୍ର ଭଳି( ଜର୍ଗେନ ହାବରମାସ ଜଣେ ସମାଜ ବିଜ୍ଞାନୀ ,ଜନକ୍ଷେତ୍ର ଆଉ ଜନମତ ଉପରେ ତାଙ୍କର ସାମାଜିକ ଚିନ୍ତନ ରହିଛି। ତାଙ୍କ ଅନୁସାରେ, ଆମେ ଯେଉଁ ଘଟଣା ଆଉ ସମୟକୁ “ପବଲିକ” ବୋଲି କହୁ ଯେତେବେଳେ ତାହା ସମସ୍ତଙ୍କ ପାଇଁ ଉନମୁକ୍ତ ଥାଏ,କୌଣସି ବ୍ୟକ୍ତିଗତ ଏବଂ କୌଣସି ବିଶେଷତାର ଏହା ପରିପନ୍ଥୀ। ହାବରମାସ ଙ୍କ ଯେଉଁ ଉଲ୍ଲେଖଟି ଏଇଠି ପ୍ରାସଙ୍ଗିକ ତାହା ହେଉଛି ” ଯେଉଁ ପରିସରକୁ ଆମେ ଲୋକକ୍ଷେତ୍ର କହିବା ସେଇଠି ପୁରାତନ ବା ଆଣ୍ଟିକ୍ୱିଟି କୁ ବ୍ୟକ୍ତିଗତ ହିସାବରେ ବୁଝାଯାଏ।”) କେବଳ ଯେ ତାହାର ବ୍ୟକ୍ତିଗତ ସତ୍ୟ କୁ ନିର୍ମାଣ କରିବା ପାଇଁ ଯୋଗଦାନ କରି ନଥାଏ,ସେ ମଧ୍ୟ ଲୋକକ୍ଷେତ୍ରର ତର୍କକୁ ଆମର ଆଧୁନିକ ଜୀବନର  ଆନୁଷ୍ଠାନିକ ପ୍ରଥା ଅନୁସାରେ ନିଆଯାଉଥିବାଶ ନିଷ୍ପତ୍ତି ଭଳି ସମାଧାନ କରିଥାଏ।

ଆଦ୍ୟ ଆଧୁନିକ କାଳର ଏଇ ଭଳି ଧାରଣାକୁ ନେଇ ଯୁକ୍ତି ଏବଂ ଉପସ୍ଥିତ ଥିବା ଲୋକକ୍ଷେତ୍ରର କ’ଣ ପ୍ରାସଙ୍ଗିକତା ଅଛି ? ଏହା କେଉଁଭଳି ଆମର ବର୍ତ୍ତମାନ ସମୟର ରାଜନୈତିକ ବିମର୍ଶର ସହାୟକ ହେବ ?

ବୈଦିକ ବ୍ୟବସ୍ଥାର କାହାଣୀକୁ ବହୁଧା କ୍ଷେତ୍ରରେ  ପୁନର୍ନିମାଣ କରି ତାହାକୁ ପୁରାଣ ବିଧିରେ ତଥା ବଖାଣରେ ଉପସ୍ଥାପନା କରିବା ଆମକୁ ଦେଖାଇଥାଏ ଯେ ଗୋଟିଏ ଅସଂପୃକ୍ତ କାହାଣୀକୁ କେଉଁ କେଉଁ ବାଟରେ ଗଠନ କରାଯାଇ ପାରିବ ଯାହାକି କୌଣସି ନିର୍ଦ୍ଦିଷ୍ଟ ଘଟଣା ପ୍ରବାହରେ ନିର୍ଦ୍ଦିଷ୍ଟ ପ୍ରକାର ର ଆଦର୍ଶଗତ ଫଳାଫଳ ପ୍ରଦାନ କରିପାରିବ। ମଧ୍ୟଯୁଗୀୟ ଓଡିଶାର ଯଦି ଏଇ ଉଦାହାରଣକୁ ଆମେ ସମକାଳର  ପରିପ୍ରେକ୍ଷ୍ୟରେ ଦେଖିବା ତେବେ ଭିତରେ ଯେଉଁ  ଅସହମତିର ସ୍ୱର,ଅସ୍ୱୀକାର ଏବଂ ଆଦର୍ଶର ମୂଳଗଠନ ନିର୍ମାଣ ରହିଅଛି ସେଇଠି ତାହାକୁ “ପବିତ୍ର” ପରିସର ବୋଲି କୁହାଯାଉଛି ଆଉ ତାହାକୁ ସମସ୍ତ ଐତିହାସିକତାର ଅନ୍ୱେଷଣରୁ ବର୍ଜିତ କରାଯାଉଛି। ଏଇ ସବୁ ପ୍ରତି  ଦୃଷ୍ଟିପାତ କରିବା ବେଳେ ଯେଉଁଠି ସନ୍ଥକବି ମାନଙ୍କର ବ୍ୟକ୍ତିପରକ ଐଶ୍ୱରିକତା(ସ୍ପିରିଚୁଆଲ) ର ସ୍ୱର  ବୃହତ୍ତର ରାଜନୈତିକ କ୍ଷେତ୍ରରେ,ସାମାଜିକ ଭୂଦେଶରେ ଏବଂ ପ୍ରୋତ୍ସାହନ ପ୍ରକ୍ରିୟା ତଥା  ଅର୍ଥନୀତିରେ ସଂଶ୍ଳିଷ୍ଟ ହୋଇଛି ,ଆମେ ଏଥିରୁ ଏକ ଅଧିକ ସଂହତ ବିଚାରକୁ ଆହରଣ କରିପାରିବା ଯାହା ଦେଖାଇ ଦେବ ଯେ ଆମର  ଭିନ୍ନ ଭିନ୍ନ ବିମର୍ଶରେ ଏବଂ ଅସହମତିରେ ଯାହା ରହିଛି ତାହା  ସୁଉଚ୍ଚ ଦାର୍ଶନିକ ଆଦର୍ଶ ନୁହଁ, ଆଧୁନିକ,ଧର୍ମନିରପେକ୍ଷ ଏବଂ ଗଣତାନ୍ତ୍ରିକ ଦୃଷ୍ଟିଭଂଗୀ ତାହା ଆମ ଉପରେ ଚାପି ଦେଇଅଛି ସେକଥା ବି ନୁହଁ।

ଏହାର ପରିବର୍ତ୍ତେ, ନାଗରିକ ଅଧିକାର ର ଆଧୁନିକ ଢାଞ୍ଚାର ତଥା ଗଣତାନ୍ତ୍ରିକ ପ୍ରବିଧିରେ ମୁକ୍ତ ସଂପ୍ରେଷଣ ଏବଂ ବକ୍ତବ୍ୟ ର  ଅନୁଧ୍ୟାନ ଏବଂ ଆକଳନ କରି,ଆମର ନିଜସ୍ୱ “ଐତିହ୍ୟ” ର ଆଲୋକରେ ମୂଲ୍ୟାଙ୍କନ କରି , ଆମର ଐତିହ୍ୟ ଯାହା ଆମର ସର୍ବୋତ୍ତମ ବିଚାରର ଫଳଶ୍ରୁତି,ଆମ ପାଖରେ ଏକ ସୁଯୋଗ ରହିବ ଯାହା ଦ୍ୱାରା ଆମେ ଆମର “ନେଟିଭିଷ୍ଟ” ଅଥବା “ଆଦିବାସିନ୍ଦାବାଦୀ” ଏବଂ “ମଡର୍ଣ୍ଣିଷ୍ଟ”ବା “ଆଧୁନିକବାଦୀ” ଦୃଷ୍ଟିଭଂଗୀର ଭିତରେ ହେଉଥିବା କ୍ରମବର୍ଦ୍ଧିଷ୍ଣୁ ଫାଟ ଟିକୁ ଦୂର କରି ପାରିବା।

ଏହି ଦୁଇଟି ମଧ୍ୟରେ ରହିଥିବା କୃତ୍ରୀମ ଦ୍ୱିଅଂଶକତ୍ୱ (ବାଇନାରି) ଯେଉଁଠି ପରଂପରା ସହିତ ଅସହମତି କୁ “ଭାରତୀୟ” ସାଂସ୍କୃତିକ ମୂଲ୍ୟବୋଧର ଉଲ୍ଲଂଘନ କରୁଛି ବୋଲି ଦେଖାଯାଏ ,ତାହା ବିଶେଷ ଭାବରେ ସଂକୁଚିତ ଏବଂ ଅନେକାଂଶରେ ତ୍ରୁଟିପୂର୍ଣ୍ଣ ଧାରଣା । “ଧର୍ମ ନିରପେକ୍ଷ” ମୂଲ୍ୟବୋଧର ବିମର୍ଶ ଏବଂ ଅଧିକାର

ପ୍ରାକ୍ -ଆଧୁନିକ ମୂଲ୍ୟବୋଧ ସହିତ ନିଶ୍ଚିତ ଭାବରେ ଔଚିତ୍ୟାର୍ଥରେ  ସମନ୍ୱିତ ହୋଇ ରହିଥିଲା,କୌଣସି ପ୍ରକାର ଆଦର୍ଶଗତ ବା ଅତୀତର ଗୌରବବର୍ଦ୍ଧନ କରିବା ପାଇଁ ନୁହଁ,ବରଂ ଗୋଟିଏ ବୃହତ୍ତର ପ୍ରକ୍ଷେପ ପଥ (ଟ୍ରାଜେକ୍ଟୋରି) ର ସୂଚକ ଆକାରରେ ଯେଉଁଠି ସେଇ ଧାରଣାଗୁଡିକର ଉଦଗମ ଏବଂ ଦୃଢତା କାଳକ୍ରମରେ ସମାଜର ସୀମାନ୍ତବାସୀ ଅଧିକରୁ ଅଧିକ ଲୋକଙ୍କୁ ଶକ୍ତିସମର୍ଥ କରିଥିଲା।

°°°°°

Abinash Dash Choudhury

ଶ୍ରୀ ଅବିନାଶ ଦାସ ଚୌଧୁରୀ ସଂପ୍ରତି ଯୁକ୍ତରାଜ୍ୟ ଆମେରିକାର ଜର୍ଜିଆ ବିଶ୍ୱବିଦ୍ୟାଳୟରେ

ତୁଳନାତ୍ମକ ସାହିତ୍ୟ ଏବଂ ଆନ୍ତଃସଂସ୍କୃତି ଅଧ୍ୟୟନ ରେ ପିଏଚଡି ନିମନ୍ତେ ଗବେଷଣାରତ।

ଶ୍ରଦ୍ଧେୟ ଅବିନାଶଙ୍କ ଭଳି ତରୁଣ ଆଉ ପ୍ରଖର ବିଦ୍ୱାନମାନେ ଆମ ସଂସ୍କୃତିବୋଧ ଆଉ ସାହିତ୍ୟକୁ ନେଇ ଯେ ଏପରି ଶାଣିତ ଆଉ ମାର୍ଜିତ ବିଚାର କୁ ବ୍ୟକ୍ତ କରିପାରୁଛନ୍ତି ତାହା ଆମ ପାଇଁ ନିହାତି ସୁଖର ବିଷୟ ।

ସମୟ ମିଳିଲେ ନିଜର ଚିନ୍ତାକୁ ଓଡିଆ ଭାଷାରେ ବ୍ୟକ୍ତ କରିବେ ବୋଲି ଅବିନାଶ ଉପସ୍ଥିତ ଲେଖକକୁ କହିଛନ୍ତି । ସେମିତି ହେଲେ ଆମର ଏଠିକାର ବିଚାର ଦିଗନ୍ତଟି ଅଧିକ ସ୍ପଷ୍ଟ ଓ ସମୃଦ୍ଧ ହୋଇପାରିବ।

ଏଇ ଆଲେଖରେ ଶ୍ରଦ୍ଧେୟ ଅବିନାଶ ଓଡିଆ ମଧ୍ୟଯୁଗୀୟ ଭକ୍ତି ସାହିତ୍ୟକୁ ଯେଉଁ ଦୃଷ୍ଟିରେ ଆଲୋକପାତ କରିଛନ୍ତି ତାହାର ସଂକ୍ଷିପ୍ତ ରୂପଟି ଏହିପରି ହେବ :

୧| ଭକ୍ତି ପରଂପରା  ଯାହା ଭିନ୍ନମତକୁ ସ୍ଥାପନ କରି ଧର୍ମଗତ ବିମର୍ଶକୁ ଅଧିକ ବ୍ୟକ୍ତିପରକ,

ବହୁବିଧ,ଜନପ୍ରିୟ ଏବଂ ଜନବାର୍ତ୍ତାର ପରିସରକୁ ଆଣିପାରିଥିଲା ତାହା ଏବେ ମିଛ ବର୍ଣ୍ଣନା ଏବଂ ଅନୈତିହାସିକତାର ପୃଷ୍ଟଭୂମୀ ପ୍ରସ୍ତୁତ କରୁଛି।

୨| ପ୍ରତ୍ୟେକ ଭକ୍ତର ଆତ୍ମନିର୍ଦ୍ଧାରିତ ଲକ୍ଷ୍ୟ ବା ନିଜର ଭାଷା ଉଦ୍ଦେଶ୍ୟରେ ଅନ୍ୱେଷା ହେଉଛି ବସ୍ତୁତଃ ଏକ ବୈଶ୍ୱିକ ଆବେଦନ ।

୩| ଭକ୍ତର ଦୃଷ୍ଟିରେ ମୋକ୍ଷ ଠାରୁ ଭକ୍ତିର ଅବସ୍ଥାନ୍ତର ଭାରତୀୟ ଦର୍ଶନ ପରଂପରାର ବହୁ ଆୟାମି ଗତିଶୀଳତାକୁ ପରିପ୍ରକାଶ କରେ ଯାହା ବୈଦିକ ଜ୍ଞାନର କବଳରୁ ତାହାକୁ ମୁକ୍ତ କରି ଏକ ପୁରାଣବାଦୀ ହିନ୍ଦୁଧର୍ମ ସହ ତାହାକୁ ସମନ୍ୱିତ କରିଛି।

୪| ବଳରାମ ଦାସଙ୍କ କ୍ଷେତ୍ରରେ ପୁରାଣର ଦୁଇଟି ଆଭିମୂଖ୍ୟ ଦେଖାଯାଏ : ଏକ୍,ଏଥିରେ ଜନଗୋଷ୍ଠୀ ବା ଫୋକ୍ ଦୃଢତାର ସହ ନିଜକୁ ବୃହତ୍ତର ସାମାଜିକ ପରିପ୍ରେକ୍ଷ୍ୟରେ ନିଜକୁ ଏକ  ଗଂଭୀରସମୂହ ଭାବରେ ଦୃଢତାର ସହିତ ଜାହିର୍ କରେ । ଦୁଇ,ଜନଗୋଷ୍ଠୀର ଏହି ଦୃଢପଣ ବୈଦିକ ଆଧିପତ୍ୟର ଋଢିବାଦିତାକୁ ନିରସ୍ତ କରିବାରେ ପ୍ରୟାସରତ ରହେ।

୫| ପୁରାଣବାଦୀ ହିନ୍ଦୁଧର୍ମ ସାମାଜିକ ଆଉ ରାଜନୈତିକ ସ୍ଥିତାବସ୍ଥା ସହିତ ଆନ୍ତର୍ସମ୍ବନ୍ଧ ପ୍ରତିଷ୍ଠା କରେ ଆଉ  ପ୍ରଚଳିତ ହିନ୍ଦୁଧର୍ମର ବୈଦିକ ଧାରଣା ଗୁଡିକର ନୂତନ ରୂପ ବିନ୍ୟାସ କରି ତାହାକୁ ବୃହତ୍ତର ଜନସଂଗୋଷ୍ଠୀ ସହିତ ଏକ ନୂତନ ସମନ୍ୱୟ ରେ ବିକଶିତ କରିଛି।

ଆପଣମାନେ କିଛି ସମୟ ଦେଇ ଏଇ ମନନଶୀଳ ଆଲେଖକୁ ଯତ୍ନର ସହ ପାଠ କରିବେ ବୋଲି ଆଶା କରୁଛି।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →