ବହିବିଚାର; ପୁସ୍ତକ ସମୀକ୍ଷାଧର୍ମୀ ପତ୍ରିକା

ସମ୍ପାଦନା ଅନୁଭୂତି-୭

ପକେଟ୍ ମାଗାଜିନ୍ ‘ଚୁମା’ର ଅପୂର୍ବ ସଫଳତା ଓ ଲୋକପ୍ରିୟତାରେ ମନ ପୁରି ଉଠୁଥାଏ। ୨୦୦୩ ବେଳକୁ ମୋର ଗବେଷଣା ଶେଷ ହେଲା। ପୁସ୍ତକ ପଢିବା ଓ ତାର ସମୀକ୍ଷା କରିବା ମୋର ଗୋଟାଏ ଅଭ୍ୟାସରେ ପରିଣତ ହୋଇ ସାରିଥାଏ। ସେତେବେଳେ କେଜାଣି  କାହିଁକି ମନେ ହେଲା, ଓଡିଶାରେ ପୁସ୍ତକ ସମୀକ୍ଷାଧର୍ମୀ ପତ୍ରିକା ଗୋଟିଏ ନାହିଁ। ତେଣୁ ସେମିତି ଗୋଟିଏ ପତ୍ରିକା ବାହାର କଲେ କେମିତି ହୁଅନ୍ତା ? ଏହି ପ୍ରଶ୍ନବାଚୀ ଓ ଅନ୍ବେଷାବୋଧ ଭିତରେ ଥିବାବେଳେ ହଠାତ୍ ଗୋଟିଏ ପତ୍ରିକା ନଜରରେ ଆସିଲା। ସେଇଟି ହେଲା, ବିଭୂତି ମିଶ୍ରଙ୍କ ସମ୍ପାଦିତ “ବହିଜଗତ”। ତାକୁ ଦେଖିଲା ପରେ ମୋର ପ୍ରଶ୍ନର ସମାଧାନ ହେଲାପରି ମନେହେଲା।

‘ବହିଜଗତ’ ମାତ୍ର ଦୁଇଟି ସଂଖ୍ୟା ବାହାରି ବନ୍ଦ ହୋଇ ସାରିଥାଏ। ତେଣୁ “ବହିବିଚାର” ନାମରେ ଗୋଟିଏ ତ୍ରୟୋମାସିକ ପତ୍ରିକା ବାହାର କରିବା ପାଇ ସ୍ଥିରକଲି।  ସେତେବେଳେ ମୁଁ ଆନ୍ଧ୍ରପ୍ରଦେଶ ସ୍ଥିତ ବାରୁଆ ସରକାରୀ ମହାବିଦ୍ୟାଳୟରେ ଚୁକ୍ତିଭିତ୍ତିକ ଅଧ୍ୟାପକ ଥାଏ। ଦଶମାସ ଚାକିରୀ, ଦୁଇମାସ ବେକାରୀ। ତଥାପି ପତ୍ରିକା ବାହାର କରିବି ବୋଲି ମନରେ ସାହାସ ବାନ୍ଧିଥିଲି। ସେତେବେଳକୁ ଏଥେନା ବୁକସ ସହ ସମ୍ପର୍କ ହୋଇସାରିଥାଏ। ସେଠାରେ ରାଜକିଶୋର ଦାସଙ୍କ ସାନଭାଇ ବ୍ରଜ ଡିଟିପି କରୁଥିଲେ। ସେଇଠି ବସି ମୁଁ ଆଗରୁ “ଚୁମା” ପତ୍ରିକାର ଲେଆଉଟ୍ ଓ ପ୍ଳାନିଙ୍ଗ୍ କରିଥିଲି। ‘ବହିବିଚାର’ ପତ୍ରିକା ବି ସେଠାରେ ଡିଟିପି ହେଲା। ରାତି ରାତି ବସି ଏହାର ଲେଆଉଟ୍ କରିଥିଲି। ମୁଁ ଯେତେ ପତ୍ରିକା ଲେଆଉଟ୍ କରିଛି, ସେଭିତରୁ ବହିବିଚାର ମୋତେ ଅଧିକ ଆନନ୍ଦ ଦେଇଛି। ଶେଷରେ ବ୍ରହ୍ମପୁର ସାନବଜାର ସ୍ଥିତ ‘ମନମୋହନ ଟ୍ରେଡରସ୍’ ପାଖରେ ପତ୍ରିକାଟି ଛପେଇଲି। ୨୦୦୪ ମସିହାରେ ଏହାର ପ୍ରଥମ ସଂଖ୍ୟା ପ୍ରକାଶ ପାଇଲା। କ୍ରାଉନ୍ ସାଇଜ୍ ୬୪ ପୃଷ୍ଠାର ଏହି ପତ୍ରିକାରେ ପୁସ୍ତକ ସମାଲୋଚନା, ସମୀକ୍ଷା, ଭଲ ବହି, ପଢା ଟେବୁଲର ବହି, ପୁରସ୍କୃତ ବହି, ପ୍ରାଚୀନ ବହି, ସଦ୍ୟ ପ୍ରକାଶିତ ବହି, ବିତର୍କିତ ବହି, ନୋବେଲ୍ ପୁରସ୍କାରପ୍ରାପ୍ତ ବହି, ନିଜ ବହି ସମ୍ପର୍କରେ ନିଜେ, ବହି ପ୍ରକାଶନ, ବହି କଭର,  ସାକ୍ଷାତକାର ଆଜି ବହି ସମ୍ପର୍କିତ ବିଭିନ୍ନ ବିଷୟ ପ୍ରକାଶ କରୁଥିଲି। ତ୍ରୟମାସିକ ପତ୍ରିକା ବୋଲି ଲେଖା ଯାଇଥିଲେ ହେଁ, ଏହା ସାମୟିକୀ ଭାବେ ପ୍ରକାଶ ପାଉଥିଲା। ଗୋଟିଏ ସଂଖ୍ୟା ନିମନ୍ତେ ୮୦୦/- ଟଙ୍କା ଖର୍ଚ୍ଚ ହେଉଥିଲା। କୌଣସି ପ୍ରକାରେ ସାଙ୍ଗସାଥୀମାନଙ୍କ ଠାରୁ ଶହେ ଦି’ଶ ଲେଖାଏ ଯୋଗାଡ କରି ପ୍ରେସର ବାକି ଶୁଝୁଥିଲି। ସେତେବେଳେ କବି ଅନୁପ ମିଶ୍ର, ବନ୍ଧୁ କାହ୍ନୁଚରଣ ସାହୁ, ଅନୁଜ ପ୍ରତିମ ପ୍ରମୋଦ ନାୟକ ପ୍ରମୁଖ ବିଜ୍ଞାପନ ଯୋଗାଡ ପୂର୍ବକ ସହଯୋଗ କରୁଥିଲେ। ସେତେବେଳେ ଏ‌ହା କେବଳ ପୁସ୍ତକ ସମୀକ୍ଷାଧର୍ମୀ ପତ୍ରିକା ଭାବରେ ପ୍ରକାଶ ପାଇଥିବାରୁ ବୌଦ୍ଧିକ ପାଠକ ଜଗତରେ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲା। ଏହାର ମାତ୍ର ପାଞ୍ଚଗୋଟି ସଂଖ୍ୟା ପ୍ରକାଶ ପାଇଥିଲା। ୨୦୦୯ ମସିହାରେ ଶାନ୍ତିନିକେତନ ଗଲାପରେ ବହିବିଚାରର ଗୋଟିଏ ସଂଖ୍ୟା ପ୍ରକାଶ ପାଇ ତାପରେ ବନ୍ଦ ହୋଇଯାଇଥିଲା। ତାର ଅନେକ ଦିନ ପରେ ବଙ୍ଗଳାରେ ‘ବହିର ଦେଶ୍’ ନାମରେ ଏକ ପୁସ୍ତକ ସମୀକ୍ଷାଧର୍ମୀ ପତ୍ରିକା ଓ ଓଡିଶାରେ ମଧ୍ୟ ଦୁଇ ତିନିଟି ପତ୍ରିକା ପ୍ରକାଶ ପାଇଥିଲା। ‘ବହିବିଚାର’ ପ୍ରକାଶ କାଳରେ ଅନେକ ବହି ପଢିବାର ଯେଉଁ ସୁଯୋଗ ପାଇଛି ସେସବୁ ମୋର ପୁଞ୍ଜି। ଏହାର‌ ସମ୍ପାଦନା ହିଁ ମୋତେ ସମାଲୋଚନା ପ୍ରତି ଅଧିକ ଆକର୍ଷିତ କରିଛି। ତାପରେ ମୁଁ ସମାଲୋଚନା ଜଗତରେ ପାଦ ଦେଇଛି।

ଜୀବିକା ଅନ୍ବେଷଣ କରିବା ପଥରେ ଶତ ବାଧାର ସମ୍ମୁଖୀନ ହୋଇଛି, ହେଲେ ପତ୍ରିକା ସମ୍ପାଦନା କାଳୀନ ବୌଦ୍ଧିକ ଆନନ୍ଦରେ ସବୁ ଭୁଲିଯାଇଛି। ସେତେବେଳେ ବି ମତେ ମନେ ହେଉଥିଲା ଜୀବିକା ଅନ୍ବେଷଣଠୁ ବଡ ସାହିତ୍ୟ ପ୍ରତି ଅନୁରାଗ ଓ ଆତ୍ମସମର୍ପଣ। ବହିବିଚାର ପୁଣି ପ୍ରକାଶ କରିବା ପାଇଁ ପାଠକଙ୍କ ବହୁ ଆଗ୍ରହ, ଅନୁରୋଧ ରହିଥିଲା। ହେଲେ ଶାନ୍ତିନିକେତନ ଗଲାପରେ ତାହା ବନ୍ଦ ହୋଇଯାଇଥିଲା।

ଏବେ ବହିବିଚାର ସିନା ଆଉ ନାହି, କିନ୍ତୁ ସେ ସ୍ମୃତି ସବୁ ସତେଜ ଅଛି। କେହି କେହି ସେ କଥା ମନେ ପକେଇଲେ ମନ ପୁଲକିତ ହୋଇଉଠୁଛି। ସତରେ, ସେ ସ୍ମୃତି ଖୁବ୍ ନିଆରା ଓ ଅପାସୋରା।

ଭଞ୍ଜବିହାରରୁ ଶାନ୍ତିନିକେତନ ଯାତ୍ରାପଥରେ  “ବହିବିଚାର” ମୋ ପାଇ ଏକ ବୌଦ୍ଧିକ ପରିକଳ୍ପନା ଓ ସମାଲୋଚନାର ଆଦ୍ୟ ଆଶ୍ବାସନା।

About Dr. Sarat Kumar Jena

Dr. Sarat Kumar Jena is a writer, researcher and from Odisha. Currently he is working as a professor at Biswabharati University, Kolkata.

View all posts by Dr. Sarat Kumar Jena →