ସମ୍ପାଦନା ଅନୁଭୂତି-୬
ଭଞ୍ଜବିହାରରେ ଏମ୍ଏ ଶ୍ରେଣୀରେ ପଢିଲା ବେଳେ “ଯୁଗରୁଚି” ଓ “ଆକାଙକ୍ଷା” ସମ୍ପାଦନା କେବଳ ଓଡିଆ ବିଭାଗ ଭିତରେ ସୀମିତ ଥିଲାବେଳେ “ଅନନ୍ୟା”ର ସମ୍ପାଦନା ମାଧ୍ୟମରେ ଏକ ବୃହତ୍ତର ସାହିତ୍ୟଗୋଷ୍ଠୀ ସହ ମୋର ପରିଚୟ ହେଲା। ସ୍ନାତକୋତ୍ତର ପରେ ପରେ ୧୯୯୮ ମସିହାରେ ସିଧା ଗବେଷଣା କରିବା ପାଇଁ ସ୍ଥିର କଲି ଓ ସେ ବର୍ଷ ପିଏଚ୍.ଡି. ପଞ୍ଜୀକରଣ କଲି। “ଅନନ୍ୟା” ପତ୍ରିକାର ଗୋଟିଏ ସଂଖ୍ୟା ପ୍ରକାଶନର ଖୁସି ଓ ଆଉ ନ ପ୍ରକାଶ ପାଇବାର ଦୁଃଖ- ଦ୍ବୈତଭାବରେ ମୁଁ ଘାଣ୍ଟି ଚକଟି ହେଉଥାଏ। ସେଇ ମାନସିକ ଉଦବେଳନ ଭିତରୁ ଗୋଟିଏ ସୂତ୍ର ବାହାରିଲା। ସୂତ୍ରଟି ହେଲା, ‘ଅନନ୍ୟା’ ଭଳି ବଡ ମାଗାଜିନ୍ କଲେ ସିନା ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡୁଛି। ଯଦି ଛୋଟିଆ ପତ୍ରିକା ବାହାର କରାଯାଏ, ତେବେ କମ୍ ଖର୍ଚ୍ଚରେ ହୋଇଯିବ ଏବଂ ପତ୍ରିକାଟିକୁ ବି ସମସ୍ତେ କିଣି ନେଇଯିବେ। ସେଇ ଭାବନାର ଫଳଶ୍ରୁତି ଥିଲା “ଚୁମା”।

ସେତେବେଳକୁ ଓଡ଼ିଶାରେ ମିନି ମାଗାଜିନ୍ ପତ୍ରିକା ନଥାଏ। କିନ୍ତୁ ଅଶୀଦଶକରେ ଓଡ଼ିଶାରୁ “କଳା ଓ କଳଙ୍କ”, “ସଂଯୋଗ”, “ଉତ୍ତେଜନା”, “ଙଞଲୁ”, “ପ୍ରତୀକ” ଆଦି ଅନେକ ମିନି ମାଗାଜିନ୍ ( ପକେଟ୍ ସାଇଜ୍ ଅର୍ଥାତ୍ ଏ୪ ସାଇଜ୍ ପେପରର ଆଠଭାଗରୁ ଭାଗେ) ପ୍ରକାଶ ପାଉଥିଲା। ବିଏ ପଢିଲା ବେଳକୁ ମୁଁ ନିଶାକର ପାଢୀ ସାରଙ୍କ ସୌଜନ୍ୟରୁ ସେସବୁ ସମ୍ପର୍କରେ ଆସିଥାଏ। ପ୍ରସନ୍ନ ପାଟ୍ଟଶାଣୀ, ପ୍ରଫୁଲ୍ଲ କୁମାର ତ୍ରିପାଠୀ ,ଭଗବାନ ଜୟସିଂହ, କେଳୁଚରଣ ସାମନ୍ତରାୟ ପ୍ରମୁଖ ବହୁ ସମ୍ପାଦକ ଏଭଳି ପକେଟ୍ ମାଗାଜିନ୍ ପ୍ରକାଶ କରୁଥିଲେ।(ଏବେ ବି ମୋ ପାଖରେ ସେ ସବୁ ଅଛି)। ଭଞ୍ଜନଗରରେ ପଢିଲା ବେଳେ ମୁଁ “ବହିତ୍ର” ପତ୍ରିକା ସହିତ ଅଶୋକ ସାହୁଙ୍କ ସମ୍ପାଦନାରେ ପ୍ରକାଶ ପାଉଥିବା “ପ୍ରତୀକ” ପତ୍ରିକାର ବି କଭର ପୃଷ୍ଠା ଆଙ୍କିଥିଲି। ସେଇ ସବୁ ଅନୁଭୂତିକୁ ଆଧାର କରି ଭାବିଲି ଗୋଟିଏ ପକେଟ୍ ସାଇଜ୍ ମିନି ମାଗାଜିନ୍ ବାହାର କରିବି। ସେତେବେଳେ ଭଞ୍ଜବିହାର ହଷ୍ଟେଲରେ ମୋର ସହପାଠୀ ସାହିତ୍ୟିକବନ୍ଧୁ ସୁଶାନ୍ତ କର ଥାଆନ୍ତି। ସେ ସେତେବେଳେ ତାରାତାରିଣୀ ପୁସ୍ତକାଳୟର ଇଜି ଆପ୍ରୋଚ୍ ସିରିଜ୍ ସହିତ ସଂପୃକ୍ତ ଥାଆନ୍ତି । ତାଙ୍କର ସହଯୋଗରେ ସମସ୍ତଙ୍କୁ ଆକୃଷ୍ଟ କଲାଭଳି “ଚୁମା” ନାମରେ ରୋମାଣ୍ଟିକ୍ କାବ୍ୟଧର୍ମୀ ପକେଟ୍ ସାଇଜ୍ ମିନି ପତ୍ରିକାଟିଏ ବାହାର କଲି। ପ୍ରଥମ ସମ୍ପାଦକୀୟ ପୃଷ୍ଠାରେ ଲେଖିଥିଲି-
“ଚୁମା,
ଯିଏ ବାନ୍ଧି ଦେଇପାରେ ଦୁଇଟି ହୃଦୟ
ମୁକୁଳେଇ ଦେଇପାରେ ସବୁ ପରିଚୟ।
ଯା ପାଇଁ ଭୁଲି ହୁଏ ଆପଣା ଠିକଣା
ଖାସ୍ ତା ପାଇଁ ବୟସର ତାରତମ୍ୟ ଡେଇଁ
ଯେ କେହି ହୁଏ ବାଟବଣା।
ଏବେ ଆସନ୍ତୁ, ବାଟବଣା ବାଟୋଇମାନଙ୍କୁ ଆବିଷ୍କାର କରିବା ଚୁମାର ସ୍ପର୍ଶରେ ସ୍ପର୍ଶରେ, ପୃଷ୍ଠାରେ ପୃଷ୍ଠାରେ”।(ଚୁମା-୧)

୨୦୦୧ ମସିହା ମହାଶିବରାତ୍ରି ଅବସରରେ ଏହାର ପ୍ରଥମ ସଂଖ୍ୟା ପ୍ରକାଶ ପାଇଥିଲା। ବ୍ରହ୍ମପୁର ନେହେରୁ ନଗର ସ୍ଥିତ ସିଦ୍ଧବୀର ଅପସେଟରେ ଏହାକୁ ଛପେଇଥିଲି। ସେଦିନ ମୋ ସହିତ ବନ୍ଧୁ ସୁଶାନ୍ତ କର ଓ ବରିଷ୍ଠ ସାହିତ୍ୟିକ ମହାପାତ୍ର ଭାସ୍କର ଗନ୍ତାୟତ୍ ମଧ୍ୟ ପ୍ରେସରେ ଉପସ୍ଥିତ ଥିଲେ। ସେ ବର୍ଷର ବ୍ରହ୍ମପୁର ପୁସ୍ତକମେଳାରେ ପତ୍ରିକାଟି ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲା। “ଟଙ୍କାଏରେ ଗୋଟେ ଚୁମା”, “ଟଙ୍କାଏରେ ଗୋଟେ ଚୁମା”- ଏଭଳି ଡାକିଲା ବେଳେ ଲୋକଙ୍କ ଉତ୍କଣ୍ଠା ବଢୁଥିଲା। ଏତେ ଶସ୍ତା ଦାମରେ ପତ୍ରିକାଟିଏ ମିଳୁଥିବାରୁ ସମସ୍ତେ ଆଗ୍ରହର ସହିତ କିଣି ନେଉଥିଲେ।
ସେ ଅବସରରେ ଏକ ସ୍ମରଣୀୟ କଥା ମନେପଡେ। ପୁସ୍ତକମେଳା କାର୍ଯ୍ୟାଳୟ ପରିସରରେ ‘କସ୍ତୁରୀ’ ପତ୍ରିକାର ସମ୍ପାଦିକା ସ୍ବର୍ଗୀୟା ସଂଯୁକ୍ତା ମହାପାତ୍ର ହଠାତ୍ କିଛି “ଚୁମା” ପତ୍ରିକା ମୋଠୁ ମାଗିନେଇ “ଟଙ୍କାଏରେ ଗୋଟେ ଚୁମା” ବୋଲି ପ୍ରଚାର କରିବା ଦ୍ବାରା ଶହ ଶହ ଲୋକ ସେଠାରେ ରୁଣ୍ଡ ହୋଇଗଲେ। ଗୋଟିଏ ସୁନ୍ଦରୀ ଯୁବତୀଙ୍କ ଏଭଳି ପ୍ରଚାର ସଭିଙ୍କୁ ଉତ୍କଣ୍ଠିତ ଓ ଆମୋଦିତ କରିଥିଲା। ସେଇଠି ହିଁ ଚାରିଶହ କପି ବିକ୍ରି ହୋଇ ଯାଇଥିଲା। ସେ ବର୍ଷ ପୁସ୍ତକମେଳାରେ ଚୁମାର ହଜାରେ କପି ସରିଯାଇଥିଲା।

ସେହିପରି ତା ପର ବର୍ଷ ପୁସ୍ତକମେଳାରେ ହଜାରେ କପି ସରିଥିଲା। ଏହାର ଲୋକପ୍ରିୟତାକୁ ଆଖି ଆଗରେ ରଖି ତା ପରବର୍ଷ ଏହା ଭୁବନେଶ୍ୱର ପୁସ୍ତକମେଳା ଅବସରରେ ପ୍ରକାଶ ପାଇଥିଲା ଓ ଭୁବନେଶ୍ବରରେ ମଧ୍ୟ ହଜାରେ କପି ବିକ୍ରି ହୋଇଥିଲା। ମିନି ପତ୍ରିକା ଭାବରେ ଏହା ପକେଟରେ ରଖି ହେଉଥିଲା ଓ ଯୁବବର୍ଗକୁ ଆକର୍ଷଣ କଲା ଭଳି ରୋମାଣ୍ଟିକ୍ କବିତା ସବୁ ଥିଲା। ଏହାବ୍ୟତୀତ ଦାମ୍ ବି ଅତି ଶସ୍ତା ଥିଲା। ତେଣୁ ସମଗ୍ର ଓଡିଶା ଓ ଓଡିଶା ବାହାରେ ବି ଏହାର ବେଶ୍ ଆଦର ଥିଲା। ଯୁବବର୍ଗ ଏହି ପତ୍ରିକାକୁ ଉପହାର ଆକାରରେ ପରସ୍ପରକୁ ଦେଇ ମୁଗ୍ଧ ହେଉଥିଲେ।
ତେବେ ଏହାର ନାମକରଣକୁ ନେଇ ଜଣେ ଦିଜଣ ନାପସନ୍ଦ ବି କରିଥିଲେ। ସେଥିପାଇଁ ଏହାର ତୃତୀୟ ସଂଖ୍ୟାର ସମ୍ପାଦକୀୟରେ ମୁଁ ଲେଖିଥିଲି;
” ଚୁମାର ମୁହଁକୁ ଦେଖି ସମସ୍ତେ ଭାବିଥିଲେ ଭିତରେ କିଛି ଅଶ୍ଳୀଳତା ଥାଇପାରେ, କିନ୍ତୁ ଭିତରକୁ ଯାଇ ଦେଖିଲେ ମନେହୁଏ, ସେଥିରେ ଭରି ରହିଛି କେବଳ ଭଲ ପାଇବାର ମନ୍ଦ ମନ୍ଦ ଗନ୍ଧ, ବିଚିତ୍ର ବିଭୂତି। xx ଚୁମାର ଏ ଛୋଟ କଳେବର ଭିତରେ ସାହିତ୍ୟକୁ ଆକଣ୍ଠ କରିବାର ଦୁର୍ବାର ଲାଳସା। ଯୁଗ ଯୁଗ ଧରି ଯାହା ରାଶି ରାଶି ରଚନାରେ କୁହା ଯାଇପାରି ନାହିଁ ତାକୁ ପୁଣି ମାତ୍ର କେତୋଟି ଧାଡିରେ କହିବାକୁ ସମର୍ଥ ହୋଇଛନ୍ତି ଏ ସଂଖ୍ୟାର ଲେଖକମାନେ “।(ଚୁମା-୩)
୨୦୦୧ରୁ ୨୦୦୯ ମଧ୍ୟରେ ‘ଚୁମା’ର ଦଶଟି ସଂଖ୍ୟା ପ୍ରକାଶ ପାଇଥିଲା। ଏହାର ଛୋଟ କଳେବର ଭିତରେ କବିତା, ଗୀତିକବିତା, ଗଳ୍ପ, ପ୍ରବନ୍ଧ, ସାକ୍ଷାତକାର ଆଦି ବିଷୟ ରହୁଥିଲା। ବହୁ ଆଗଧାଡିର କବି ଓ ସାହିତ୍ୟିକ ସ୍ବତଃ ପ୍ରବୃତ୍ତ ଭାବେ ଏଥିରେ ଲେଖା ଦେଉଥିଲେ। ୨୦୦୫ ମସିହାରୁ “ଚୁମା”ର ଦାମ୍ ୨ଟଙ୍କା ରଖା ଯାଇଥିଲା। ତେବେ ୨୦୦୯ରେ ମୁଁ ଶାନ୍ତିନିକେତନ ଗଲାପରେ ପତ୍ରିକାଟି ବନ୍ଦ ହୋଇଯାଇଥିଲା। ପୁଣି ପ୍ରକାଶ କରିବା ପାଇଁ ପାଠକଙ୍କ ବହୁ ଆଗ୍ରହ, ଅନୁରୋଧ ରହିଥିଲା। ହେଲେ, ପତ୍ରିକାର ବି ଗୋଟିଏ ଭାଗ୍ୟ ଥାଏ। ତାର ଜୀବନରେଖାକୁ ଧରି ସେ ଜନ୍ମ ହୋଇଥାଏ। ‘ଚୁମା’ର ଜୀବନ କାଳ ମାତ୍ର ନଅ ବର୍ଷ ହୋଇପାରେ, କିନ୍ତୁ ସେଇ ନଅବର୍ଷ ଭିତରେ ସେ ଅମାପ ଶ୍ରଦ୍ଧା ସାଉଁଟି ଥିଲା ଓ ଓଡିଆ ମିନି ମାଗାଜିନ୍ ଜଗତରେ ଏକ ଆନ୍ଦୋଳନ ସୃଷ୍ଟି କରିଥିଲା।
‘ଚୁମା’ ସମ୍ପାଦନାକାଳୀନ ଯୁବବର୍ଗଙ୍କ ଭାବ ବିନିମୟ, ‘ଚୁମାକୁ’ ଦେଶ ବିଦେଶ ପଠେଇବାର ସ୍ମୃତିମୁଖର ମୁହୂର୍ତ୍ତ ସବୁ ଏଯାବତ୍ ଅଭୁଲା ଓ ଅବିସ୍ମରଣୀୟ।
ସତରେ, ଭଞ୍ଜବିହାର ଓ ବ୍ରହ୍ମପୁର ରହଣିରେ “ଚୁମା” ଏକ ବିଭୋର ପରିକଳ୍ପନା ଓ ଆଶ୍ବାସନା।
