ସମ୍ପାଦନା ଅନୁଭୂତି -୪
ଭଞ୍ଜବିହାର ଓଡିଆ ବିଭାଗରେ ‘ଯୁଗରୁଚି’ ସାମୟିକ ଭାବେ ପ୍ରାତୀର ପତ୍ରିକା ରୂପରେ ପ୍ରକାଶ ପାଉଥିଲା ବେଳେ ଓଡିଆ ବିଭାଗ ପାଠଚକ୍ର ତରଫରୁ “ଆକାଂକ୍ଷା” ନାମରେ ଏକ ବାର୍ଷିକ ପତ୍ରିକା ପ୍ରକାଶ ପାଉଥିଲା। “ଆକାଂକ୍ଷା” ପତ୍ରିକାଟି ବି ଥିଲା ଦେବୀସାରଙ୍କର ମାନସ ପରିକଳ୍ପନା। ନିଜର ଜ୍ୟେଷ୍ଠକନ୍ୟା ଆକାଂକ୍ଷା ନାମରେ ସେ ଏହି ପତ୍ରିକାର ନାମକରଣ କରିଥିଲେ। ମୁ ଯୋଉବର୍ଷ ଭଞ୍ଜବିହାରରେ ଜଏନ କଲି ସେ ବର୍ଷର ପାଠଚକ୍ର ସମ୍ପାଦକ ଥିଲେ ଉମାକାନ୍ତ ସାବତ। ସେ ବର୍ଷର “ଆକାଂକ୍ଷା” ତାଙ୍କର ସମ୍ପାଦନାରେ ପ୍ରକାଶ ପାଇଥିଲା। ତା ପରବର୍ଷ ମୁଁ ପାଠଚକ୍ର ସମ୍ପାଦକ ହେଲି ଓ ମୋ ସମ୍ପାଦନାରେ “ଆକାଂକ୍ଷା” ପ୍ରକାଶ ପାଇଲା।
ପତ୍ରିକାଟିକୁ ବ୍ରହ୍ମପୁର ଗୋଇଲୁଣ୍ଡିସ୍ଥିତ ଦୁର୍ଗା ପ୍ରେସରେ ଛପା ଯାଇଥିଲା। ମୁଁ ପ୍ରତିଦିନ ରୋଡଟ୍ରେନରେ ବ୍ରହ୍ମପୁର ପ୍ରେସକୁ ଯାଇ ପ୍ରୁଫ୍ କରେକସନ ସାରି ପୁଣି ରାତି ନଅଟାରେ ହଷ୍ଟେଲକୁ ଫେରୁଥିଲି। ସେତେବେଳକୁ ବ୍ରହ୍ମପୁରରେ ଅଫସେଟ୍ ପ୍ରିଣ୍ଟିଙ୍ଗ୍ ମେସିନ୍ ନଥିଲା। ତେଣୁ ମାନୁଆଲ୍ ପ୍ରେସରେ ଛପା ଯାଉଥିଲା। ଏହାବ୍ୟତୀତ ସେତେବେଳେ ବ୍ରହ୍ମପୁରରେ କଭର ପୃଷ୍ଠା କରିବା ପାଇ ଜଣେ ଦିଜଣ ଲୋକ ଥିଲେ, ଯେଉଁମାନେ କାଠରେ ଖୋଦେଇ କରି ବ୍ଳକ୍ ତିଆରି କରୁଥିଲେ। କଭର ପୃଷ୍ପାଟି ଯେତୋଟି କଲର ହେବ ସେତୋଟି ବ୍ଳକ୍ ତିଆରି ହେଉଥିଲା। ସେଇ ଅନୁସାରେ କଭର ପୃଷ୍ଠା ଛପା ହେଉଥିଲା। “ଆକାଂକ୍ଷା”ର କଭର ପୃଷ୍ଠାଟି ମୁଁ ଆଙ୍କିଥିଲି।
“ଆକାଂକ୍ଷା” ପ୍ରକାଶ ପାଇବା ପରେ ମୋର ଖୁସି କହିଲେ ନସରେ। ଆଗରୁ ମୁଁ ଚିତ୍ର କରୁଥିଲି ଓ ପ୍ରାଚୀର ପତ୍ରିକାର ସମ୍ପାଦକ ଥିଲି। ଏବେ ଗୋଟିଏ ଛାପା ପତ୍ରିକାର ସମ୍ପାଦକ ଭାବେ ଏହା ମୋ ପାଇଁ ଏକ ଆହ୍ବାନ୍ ଥିଲା। ଆଗରୁ ନିଶାକର ପାଢୀ ସାର୍ ମୋତେ କହିଥିଲେ- “ସମ୍ପାଦକ ହାତରେ ଗୋଟିଏ କଇଞ୍ଚି ଥାଏ।ଯେତେ ବଡ ଲେଖକ ହେଉ, ତଥ୍ୟ କିମ୍ବା ତତ୍ତ୍ଵଗତ ତ୍ରୁଟି ଥିଲେ, ଆବଶ୍ୟକ ପଡିଲେ ସମ୍ପାଦକ ନିଜସ୍ବ ବାଗରେ ତାକୁ କାଟିକୁଟି ସଜାଡି ପାରିବେ।” ଏହାକୁ ମାଧ୍ୟମ କରି ମୁଁ ଲେଖାଗୁଡ଼ିକର ବାକ୍ୟଗଠନ ଓ ବନାନ ଅଶୁଦ୍ଧିକୁ ତନ୍ନ ତନ୍ନ କରି ଦେଖି ଆବଶ୍ୟକ ସ୍ଥଳେ ସଂଶୋଧନ କରିଥିଲି। ଶେଷରେ ସମ୍ପାଦକୀୟ ଲେଖିବା ସମୟ ଆସିଲା। ଜୀବନରେ ପ୍ରଥମଥର ପାଇ ସମ୍ପାଦକୀୟ ଲେଖିବି, କେମିତି ଲେଖିବି, କଣ ଲେଖିବି ବୋଲି ଆଶଙ୍କିତ ହୋଇ ପଡିଥିଲି। ତେଣୁ ପୂର୍ବରୁ ପ୍ରକାଶିତ ସିଦ୍ଧାର୍ଥ ଶଙ୍କର ପାଢୀ ଓ ନଳିନୀ କୁମାର ପାଣିଗ୍ରାହୀ ପ୍ରମୁଖଙ୍କ ଦ୍ବାରା ସମ୍ପାଦିତ କିଛି ପତ୍ରିକା ସଂଗ୍ରହ କଲି। ତାପରେ ସମ୍ପାଦକୀୟ ଲେଖିଲି।
ପତ୍ରିକାଟି ସେ ବର୍ଷର ଓଡିଆ ବିଭାଗର ବାର୍ଷିକୋତ୍ସବରେ ଉନ୍ମୋଚିତ ହୋଇଥିଲା। ଉନ୍ମୋଚନ କରିଥିଲେ ଓଡିଆ ସାହିତ୍ୟର ବିଶିଷ୍ଟ ଲୋକପ୍ରିୟ ଔପନ୍ୟାସିକ ବିଭୂତି ପଟ୍ଟନାୟକ। ତରୁଣ ବୟସରେ ମୋର ପ୍ରିୟ ଓ ସ୍ବପ୍ନର ଲେଖକଙ୍କ ପାଖରେ ମଞ୍ଚରେ ବସିବାର ସୌଭାଗ୍ୟ ମିଳିଥିବାରୁ ନିଜକୁ ବେଶ ଗର୍ବିତ ମନେ କରୁଥିଲି। ଆକାଂକ୍ଷା ଥିଲା ଏହାର ଅନ୍ୟତମ ମାଧ୍ୟମ।
ପ୍ରଥମ ସମ୍ପାଦିତ(ପ୍ରକାଶିତ) ପତ୍ରିକାର ଅନୁଭୂତି ଥିଲା ବେଶ୍ ନିଆରା। ସହପାଠୀ ସହପାଠିନୀମାନଙ୍କର ଲେଖା ପଢିବା, ତାକୁ ଅନୁଶୀଳନ କରିବା ଏବଂ ସମ୍ପାଦକ ବୋଲାଇବାର ଯେଉଁ ମଧୁର ନିଶା ତାହା ଥିଲା ବେଶ୍ ପୁଲକପ୍ରଦ। “ଆକାଂକ୍ଷା” ମାଧ୍ୟମରେ ମୋ ମନର ଆକାଂକ୍ଷା ମୋତେ ପରବର୍ତ୍ତୀ ପତ୍ରିକା “ଅନନ୍ୟା”, “ଚୁମା”, “ସାହିତ୍ୟ”, “ବହିବିଚାର”, “ଅନ୍ୟତ୍ର” ସମ୍ପାଦନା ଆଡକୁ ବାଟ କଢେଇଥିଲା।
ସେ ବାଟରେ ଏବେ ଚାଲୁଛି ଯେ ଚାଲୁଛି।
ବାଟ ସରୁ ନାହିଁ।
ବାଟର ଶେଷ ନଥାଏ, ବାଟ ମୋ ପାଖ ଦେଇ ଚାଲୁଥାଏ
ଆରଥରକୁ ଦ୍ବିତୀୟ ସମ୍ପାଦିତ ପତ୍ରିକା ଅନନ୍ୟା