ପୋଲର ଧାରେ ବସିଥିବା ବୁଢାଲୋକ ଜଣେ

ମୂଳ ଲେଖା : ଆର୍ଣ୍ଣେଷ୍ଟ ହେମିଙ୍ଗଓୟେ || ଅନୁବାଦ : ଜ୍ୟୋତି ନନ୍ଦ

(ଯୁଦ୍ଧକାଳରେ କାର୍ଯ୍ୟତଃ ଶତ୍ରୁର ସଂଧାନରେ ନିୟୋଜିତ ଥିବା ଚରିତ୍ରଟିଏ କେମିତି  ସଂବେଦନଶୀଳ ମଣିଷ ପାଲଟିଯାଏ, ତାହାର ସୂକ୍ଷ୍ମ ବିବର୍ତ୍ତନର ଏଇଟି ଗୋଟିଏ ସୂକ୍ଷ୍ମ କାହାଣୀ। ଆର୍ଣ୍ଣେଷ୍ଟ ହେମିଙ୍ଗଓୟେଙ୍କ ରଚିତ ଏହି ମୂଳ କାହାଣୀଟିକୁ ଅନୁବାଦ କରିଛନ୍ତି ଜ୍ୟୋତି ନନ୍ଦ ।)

ଆଖିରେ ଷ୍ଟିଲ୍ ଫ୍ରେମର ଚଷମା,ପୋଷାକ ଧୂଳୀଧୂସରିତ ,ବୃଦ୍ଧଲୋକ ଜଣକ ରାସ୍ତା କଡରେ ବସି ରହିଛନ୍ତି । ତାଙ୍କରି ସାମ୍ନାରେ  ଛୋଟ ଭସାପୋଲ ଆଉ ତାହାରି ଉପର ଦେଇ  ଅସଂଖ୍ୟ ଖଚରଟଣା ଗାଡି,ଟ୍ରକ୍,ନାରୀ ପୁରୁଷ ଶିଶୁ ନଈ ପାର ହେଉଛନ୍ତି, ଦିନଟି ସାରା। ନଈର କୂଳ ଏମିତି ତୀଖା ଯେ ଖଚର ଟଣା ଗାଡି ର ଖଚରମାନଙ୍କୁ ଗାଡି ଟାଣିବାରେ ବେଶ୍ କଷ୍ଟ ହେଉଛି ଆଉ ସେମାନଙ୍କର କଷ୍ଟକୁ ଲାଘବ କରିବା ପାଇଁ ଭସାପୋଲରୁ ନଈକୂଳକୁ ଗଲା ପରେ ଆଗରେ ଉପରକୁ ସହଜରେ ଯିବା ପାଇଁ  ସୈନିକମାନଙ୍କୁ ସେହି ଖଚରଟଣା ଗାଡିର ଅଖରେ ନିଜ ନିଜର ହାତ ଲଗାଉବାକୁ ପଡୁଛି । ସବା ଆଗରେ ରହିଛନ୍ତି ଟ୍ରକଗୁଡିକ । ଗୋଇଠି ଯାଏଁ ଧୂଳିରେ ବୁଡିଗଲାଣି, ଚାଷୀମାନେ କ୍ଲାନ୍ତ ଭଂଗୀରେ ଚାଲିଛନ୍ତି । କିନ୍ତୁ ଏଇ ବୁଢାଲୋକ ଜଣକ ଆଉ କୁଆଡକୁ ନିଜ ହାତ ଗୋଡକୁ ଟିକିଏ ହଲାଇବାକୁ ନଯାଇ ସେଇଠି ଏକା ଭାବରେ ବସି ରହିଥିଲା। ସେ ଏତେ ପରିଶ୍ରାନ୍ତ ଯେ ଚାଲିବା ଭଳି କ୍ଷମତା ତାହାର ଆଉ ନଥିଲା ସାଥିରେ ।

ମୋର କାମ ହେଉଛି କେବଳ ପୋଲ ପାରହୋଇ ଆରପଟକୁ ଯାଇ  ଖୋଜିବା ଆଉ ଅନୁସନ୍ଧାନ କରିବା ଯେ, ଶତ୍ରୁମାନେ କେତେବାଟ ଆଗେଇ ଆସିଛନ୍ତି ତାହାକୁ ଲକ୍ଷ୍ୟ କରିବା । ମୋର ସେଇ କାମକୁ ଶେଷ କରି ମୁଁ ଭସାପୋଲର ଉପର ଦେଇ ଏପଟକୁ ଫେରିଆସି ସାରିଲିଣି । ଖଚର ଟଣା ଗାଡି ଏଇଲେ ଆଉ ଅଧିକ ନାହିଁ । ଆଉ ପାଦରେ ଚାଲିଚାଲି ଯେଉଁମାନେ ଯିବେ ସେମାନଙ୍କର ସଂଖ୍ୟା ବି ଏବେ ଯଥେଷ୍ଟ କମ୍ । କିନ୍ତୁ ସେଇ ବୁଢାଲୋକଟି ତଥାପି ସେଇଠି ଅଛି ।

“କେଉଁଠୁ ମହାଶୟଙ୍କର ଆସିବା ହୁଏ” ମୁଁ ତାଙ୍କୁ ପଚାରିଲି ।

“ସାନ୍ କାର୍ଲୋସ୍” ଏତିକି କହି ସେ ଟିକିଏ ହସିଦେଲେ ।

ସେଇଟି ତାଙ୍କର ନିଜ ସହର । ସେଇ ନିଜପଣର କଥାକୁ ଉଲ୍ଲେଖ କରିବାକୁ ଗଲାବେଳେ ତାଙ୍କର ଓଠରେ ଏମିତି ତୃପ୍ତିକର ମୃଦୁ ହସ ଉକୁଟି ଉଠିଛି ।

“ମୁଁ ପଶୁପକ୍ଷୀମାନଙ୍କର ଦେଖାଶୁଣା କରୁଥିଲି” ବୁଢାଲୋକ ଜଣକ ମୋତେ ବୁଝାଇ କହିବାକୁ ଚେଷ୍ଟାକଲେ ।

“ଓହୋ” ନବୁଝିବା ଭଳି ମୋର ଉତ୍ତର ଥିଲା ।

“ହଁ ” ସେ କହିଥିଲେ,” ପଶୁପକ୍ଷୀମାନଙ୍କର ଦେଖାଶୁଣା କରିବାପାଇଁ ଏତେ ଦିନ ଥିଲି,ବୁଝିଲ ? ମୁଁ ଶେଷ ଲୋକ ଯିଏ ସାନ୍ କାର୍ଲୋସ୍ ସହର ଛାଡିଛି ।”

ସେ ଏମିତିରେ କୌଣସି ମେଷପାଳକ ବା ପଶୁପାଳକ ଭଳି ଦେଖାଯାଉନଥିଲେ । ମୁଁ ତାଙ୍କର କଳାରଂଗର ଧୂଳିମଖା ଜାମାକାପଡ ଆଡକୁ ଏବଂ ଧୂସର ଧୂଳିଭର୍ତ୍ତି ଦାଢୀ ଆଡକୁ ଏବଂ ଷ୍ଟିଲଫ୍ରେମ୍ ର ଚଷମା ଆଡକୁ ଚାହିଁ ପଚାରିଥିଲି,”ତମର ପାଖରେ କି କି ପଶୁ ଥିଲେ ?”

“ନାନା ରକମର ଜୀବଜନ୍ତୁ ” ସେ କହିଲେ ଏବଂ ମଥା କୁ ତଳକୁ ଝୁଙ୍କାଇ ପୁଣି  କହିଲେ,”ଶେଷରେ ସେ ସବୁକୁ ଛାଡି ମୋତେ ଆସିବାକୁ ହେଲା !”

ମୁଁ ଭସାପୋଲଟିକୁ ଏବଂ ଆଫ୍ରିକାର ଭଳି ଦେଖାଯାଉଥିବା ଏବରୋ ଡେଲଟାର ଦେଶଟିକୁ ଲକ୍ଷ୍ୟ କରୁଥିଲି ଆଉ ଭାବୁଥିଲି ,ଶତ୍ରୁମାନଙ୍କର ସମ୍ମୁଖୀନ ହେବାକୁ ଆଉ କେତେ ଡେରି ହେବ । ଆଉ ସେହି ଅଦ୍ଭୁତ ରହସ୍ୟମୟ ଘଟଣା ଯାହାକୁ କୁହାଯାଏ ଶତ୍ରୁସଂଯୋଗ ,ଇଂଗିତବହନକାରୀ ସେଇ ଶବ୍ଦ ତାହାକୁ ଶୁଣିବାକୁ ଚେଷ୍ଟା କରୁଥିଲି ସବୁସମୟ।

ବୁଢାଲୋକ ଜଣକ ତଥାପି ସେଇଠି ବସିରହିଥିଲେ ।

” କି କି ପ୍ରାଣୀ ଥିଲେ,କହୁଚ ?” ମୁଁ ପଚାରିଲି।

“ତିନୋଟି ଜନ୍ତୁ ଥିଲେ” ସେ କହିଲେ,”ଦୁଇଟି ଛେଳି,ଆଉ ଗୋଟିଏ ବିରାଡି ଆଉ ଥିଲା ଚାରି ହଳ ପାରା”।

“ସେମାନଙ୍କୁ ଛାଡି ଆସିବାକୁ ହେଲା ତମକୁ,ନୁହଁ ? ମୁଁ ପଚାରିଲି ।

“ହଁ । ଖାସ୍ ତୋପବାହିନୀ ଙ୍କ ପାଇଁ। ବିଶେଷରେ ତୋପବାହିନୀ ପାଇଁ କ୍ୟାପଟେନ୍ ମୋତେ ପଳାଇଯିବାକୁ କହିଥିଲେ ।”

“ତମର ପରିବାର ପରିଜନ କ’ଣ କେହି ନାହାଁନ୍ତି?” ପୋଲ ର ଦୂରପ୍ରାନ୍ତରେ ଯେଉଁଠି ଅଳ୍ପ କେତୋଟି ଖଚରଟଣା ଗାଡି ଢାଲୁ ନଈକୂଳ ଦେଇ ଦୂରକୁ ଯାଉଥିଲା ତାହା ଉପରେ ଆଖି ରଖି ମୁଁ ଏକଥା ପଚାରିଥିଲି।

“ନା” ବୁଢାଲୋକଜଣକ କହିଲେ,”ଯେଉଁ ଜନ୍ତୁମାନଙ୍କ କଥା କହିଛି ସେମାନଙ୍କ ଛଡା ମୋର ନିଜର ବୋଲି ଆଉ କେହି ନାହାଁନ୍ତି । ବିରାଡିଟିର କିଛି ଅସୁବିଧା ହେବନି । ସେ ନିଜର ବ୍ୟବସ୍ଥା ନିଜେ କରିନେଇପାରିବ,ହେଲେ ଅନ୍ୟମାନଙ୍କର ଅବସ୍ଥା କ’ଣ ହେବ,ମୁଁ ସେକଥା ଭାବି ପାରୁନି।”

“କେଉଁ ରାଜନୀତିରେ ତମର ବିଶ୍ୱାସ ?”

“ମୋର କୌଣସି ରାଜନୀତିରେ ବିଶ୍ୱାସ ନାହିଁ।” ସେ କହିଲେ,”ମୋର ବୟସ ଏଇଲେ ଛଅସ୍ତରୀ ବର୍ଷ। ବାର କିଲୋମିଟର ରାସ୍ତା ପାଦରେ ଚାଲିକି ଆସିଛି । ଲାଗୁଛି  ଆଉ ଅଧିକ ଚାଲିପାରିବି ନାହିଁ ।”

“ଅଟକି ରହିବାପାଇଁ ଏଇଟି ଜମା ଭଲ ଯାଗା ନୁହଁ ।”ମୁଁ କହିଲି,” ଯଦି ମନସ୍ଥିର କରି ପାରିବ,ଦେଖ,ଟରଟୋସା ଆଡକୁ ଗୁଡିଏ  ଟ୍ରକ୍ ତ ଯାଉଛି ।”

“ମୁଁ ଆଉ ଟିକିଏ ଏଇଠି ଡେରି କରିବି, ତାହାପରେ ଚାଲିଯିବି । ଟ୍ରକ ଗୁଡିକ କେଉଁଠିକୁ ଯାଉଛନ୍ତି ,କହୁଥିଲ ?”

“ବାର୍ସିଲୋନା ଆଡକୁ” ମୁଁ କହିଥିଲି।

“ସେପଟରେ ମୁଁ କାହାକୁ ଜାଣିନି” ସେ କହିଲେ,” କିନ୍ତୁ ତମକୁ ଧନ୍ୟବାଦ । ଅସଂଖ୍ୟ ଧନ୍ୟବାଦ ତମକୁ ।”

ଶୂନ୍ୟଦୃଷ୍ଟିରେ ନିହାତି ଶାନ୍ତ ଭାବରେ ସେ ମୋ ଆଡକୁ ଚାହିଁଥିଲେ । ତାହାପରେ ଯେମିତି ନିଜର ଦୁଃଖ ର ଭାର ଆଉ କାହାକୁ ଦେବା ପାଇଁ କହିଲେ,” ବିରାଡିର କିଛି ଅସୁବିଧା ହେବନି । ଏକଥା ମୁଁ ଠିକ୍ ଜାଣେ । ତେଣୁ ତା’ ବିଷୟରେ ଦୁଃଶ୍ଚିନ୍ତା କରିବାର କିଛି ନାହିଁ । କିନ୍ତୁ ଅନ୍ୟ ମାନେ ? ଅନ୍ୟ ମାନଙ୍କର ଅବସ୍ଥା ତାହାହେଲେ କ’ଣ ହେବ କୁହ ତ ?

“ବୋଧ ହୁଏ ସେମାନେ ବି ଠିକ୍ ଠିକ୍ ଏଇ ଦୁର୍ଦ୍ଦିନକୁ ପାର ହୋଇଯିବେ ।”

“ତମର କ’ଣ ସେହିପରି ମନେହେଉଛି? “

“ହଁ। ନିଶ୍ଚୟ” ନଈକୂଳ ର ଦୂରପ୍ରାନ୍ତରେ ଯେଉଁଠି ଏଇଲେ କୌଣସି ଗାଡି ନଥିଲା ସେହିଦିଗକୁ ଲକ୍ଷ୍ୟ କରୁକରୁ ମୁଁ ଏମିତି କହିଥିଲି ।

“କିନ୍ତୁ ମୋତେ ଯେତେବେଳେ ତୋପବାହିନୀର ଉତ୍ପାତର କାରଣରୁ ପଳାଇ ଆସିବାକୁ କହିଛନ୍ତି,ସେତେବେଳେ ଯଦି ସେଇଠି ତୋପ ବର୍ଷିବ  ତାହାହେଲେ ଏଇ ବିଚରା ମାନେ କରିବେ କ’ଣ ?”

“ପାରାଭାଡିର ବାଟଗୁଡିକ ଖୋଲା ରଖିକି ଆସିଛ ତ?” ମୁଁ ପଚାରିଲି ।

“ହଁ।”

“ତାହାହେଲେ ସେମାନେ ନିଶ୍ଚୟ ଉଡିଯାଇପାରିବେ । କିନ୍ତୁ ଅନ୍ୟଗୁଡିକ? ଅନ୍ୟଗୁଡିକଙ୍କ କଥା ନକହିବା ଭଲ” ସେ କହିଲେ ।

“ତମର ବିଶ୍ରାମ ଯଦି ଯଥେଷ୍ଟ  ହୋଇଯାଇଥାଏ ତାହାହେଲେ ମୁଁ ଏଥର ଯିବି ?” ପଚାରିଲି । ଆଉ ବାଧ୍ୟ କଲା ଭଳି କହିଲି,”ଆସ୍ତେ ଆସ୍ତେ ଉଠ ଆଉ  ଏବେ ପାଦ ପକାଇବାକୁ ଚେଷ୍ଟା କର ।”

“ଧନ୍ୟବାଦ। “ସେ ଉଠି ଠିଆହେଲେ ,କିନ୍ତୁ ଉଠି ଠିଆହେବା ମାତ୍ରକେ ଟଳମଳ ହେବାକୁ ଲାଗିଲେ ଆଉ ତାହାପରେ ଲଥ୍ କରି ଭୂଇଁ ଉପରେ ବସି ପଡିଲେ ।

“ମୁଁ ଜୀବଜନ୍ତୁ ଦେଖାଶୁଣା କରୁଥିଲି ।” ନିହାତି ଭଙ୍ଗା ଗଳାରେ କହିଥିଲେ ସେ, ସେଇ କଥା କିନ୍ତୁ ଏଥର ଆଉ ମୋ ଉଦ୍ଦେଶ୍ୟରେ ଆଉ ନଥିଲା,” ମୁଁ ଜୀବଜନ୍ତୁ ମାନଙ୍କର ଦେଖାଶୁଣା କରୁଥିଲି ।”

ତାଙ୍କ ବିଷୟରେ ମୋର ଆଉ କିଛି କରିବାର ନଥିଲା। ଆଜି ଇଷ୍ଟର ର ରବିବାର ,ଏବରୋ ଦିଗରେ ଫାସିଷ୍ଟ ମାନେ ଆଗେଇ ଆସୁଛନ୍ତି । ଧୂସର ମେଘାଚ୍ଛନ୍ନ ସକାଳ ର ଦିନ ଥିଲା ସେଇଟି । କାର୍ଯ୍ୟତଃ ଫାସିଷ୍ଟ ବ୍ୟୋମଯାନଗୁଡିକ ଆଜି ଉଡିନାହାଁନ୍ତି -ଏହି ସୁବିଧା ଆଉ ବିରାଡିମାନେ ନିଜର ବ୍ୟବସ୍ଥା ନିଜେ କରିନେଇ ପାରନ୍ତି -ଏଇ ଭଳି ଆସ୍ଥା ବ୍ୟତୀତ ବୁଢାର ଭାଗ୍ୟରେ ଭଲ କିଛି ଆଉ ଜୁଟିବ ନାହିଁ ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →