ମୂଳ ଲେଖା: ଚିନୁଆ ଆଚିବି || ଅନୁବାଦ: ଜ୍ୟୋତି ନନ୍ଦ
ଏହାକୁ ଅନେକ ପରିମାଣରେ ଅକସ୍ମାତ ବୋଲି କହିହେବ ଯେ ପ୍ରତ୍ୟାଶିତ ସମୟଠାରୁ ବେଶ୍ ଆଗରୁ ମାଇକେଲ୍ ଅବି ର ସ୍ୱପ୍ନଟି ଯେମିତି ପୂରଣ ହୋଇଗଲା।୧୯୪୯ ସାଲରେ ସେ ନିଯୁକ୍ତ ହୋଇଗଲା ନଦୁମ ସେଣ୍ଟ୍ରାଲ୍ ସ୍କୁଲ୍ ର ପ୍ରଧାନ ଶିକ୍ଷକ ହିସାବରେ।ଏଇ ସ୍କୁଲ୍ ଟି କହିବାକୁ ଗଲେ ଅନ୍ୟାନ୍ୟ ସ୍କୁଲ୍ ଠୁ ଥିଲା ଖୁବ୍ ପଛୁଆ।ଆଉ ସେଇଥିପାଇଁ ମିଶନ କର୍ତ୍ତୃପକ୍ଷ ମାଇକେଲ୍ ଅବି ଭଳି ବେଶ୍ ତାଜା ଯୁଆନ ଆଉ କାମିକା ଜଣକୁ ସେଇଠିକୁ ପୂରା ଦାୟିତ୍ୱ ଦେଇ ପଠାଇବାର ସିଦ୍ଧାନ୍ତ ନେଇଥିଲେ।ଅବି ବେଶ୍ ଖୁସି ହୋଇ ସଂଗେ ସଂଗେ ତାହା ଉପରେ ଅର୍ପିତ ଏଇ କାର୍ଯ୍ୟଭାରକୁ ଗ୍ରହଣ କରିନେଲା।ତାହା ଭିତରେ ସ୍କୁଲକୈନ୍ଦ୍ରୀକ ଅନେକ ସୁନ୍ଦର ସୁନ୍ଦର ପରିକଳ୍ପନା ମହଜୁଦ୍ ଥିଲା ଏବଂ ଏଗୁଡିକୁ ବାସ୍ତବରେ ରୂପାୟିତ କରିବାର ଏମିତି ଗୋଟିଏ ବଡ ଧରଣର ସୁଯୋଗ ତାହାର ହାତମୁଠାକୁ ଆସିଗଲା। ସେ ନିଜେ ପୂର୍ଣ୍ଣାଙ୍ଗ ଉଚ୍ଚତ୍ତର ଶିକ୍ଷା ଲାଭ କରିଛି ଯାହା ଫଳରେ ସେ ଜଣେ ଗୁଣୀ ଶିକ୍ଷକ ହିସାବରେ ଯଥେଷ୍ଟ ପରିଚିତି ପାଇଛି।ତାହାର ସ୍ଥାନଟି ମିଶନର ଅନ୍ୟ ଶିକ୍ଷକ ମାନଙ୍କ ଉପରେ ସେଇଥିପାଇଁ ରହିଥିଲା।ଅନ୍ୟାନ୍ୟ ବୟସ୍କ ଓ ଅଳ୍ପଶିକ୍ଷିତଙ୍କ ସଂକୀର୍ଣ୍ଣ ମାନସିକତା କୁ ତୁଳନାକୁ ନେଇ ଦେଖିଲେ ସେ ଥିଲା ଅନେକ ଉଦାର।
ପଦୋନ୍ନତିର ଖବର ପାଇଲା ପରେ ସେହି ଆନନ୍ଦଘନ ମୁହୂର୍ତ୍ତରେ ସେ ତାହାର ତରୁଣୀ ପତ୍ନୀକୁ ପଚାରିଲା,”କ’ଣ କହୁଚ,ଆମେ ଏଇ ସୁଯୋଗକୁ ଭଲଭାବରେ କାମରେ ଲଗାଇପାରିବାନି ?”
“ଆମେ ଆମର ସବୁଠୁ ଶ୍ରେଷ୍ଠ ଟି କରି ଦେଖାଇବା”ଉତ୍ତରରେ ପତ୍ନୀ କହେ।” ଆମର ସୁନ୍ଦର ବଗିଚା ଥିବ।ସବୁ ଆଧୁନିକ। ସବୁ ଖୁସିର-।”
ସେମାନଙ୍କର ଦୁଇବର୍ଷର ବୈବାହିକ ଜୀବନରେ ସ୍ତ୍ରୀ ଟି ସ୍ୱାମୀର “ଆଧୁନିକ ଚିନ୍ତା ପଦ୍ଧତି” ଏବଂ “ଏବେବି ଶିକ୍ଷକତା ର ପେଶାରେ ନିୟୋଜିତ କିଛି ବୃଦ୍ଧ ଓ ପୁରୁଣା ଲୋକ ଯେଉଁମାନେ ହୁଏତ ବଜାରକୁ ଯାଇ ବ୍ୟବସାୟ କଲେ ଭଲ କରିଥାନ୍ତେ” ସେମାନଙ୍କ ପ୍ରତି ବାଜେ ମନୋଭାବ ର ଆବେଗ ଦ୍ୱାରା ପୁରାପୁରି ଭାବେ ପ୍ରଭାବିତ ହୋଇଥିଲା।ସେ ଇତିମଧ୍ୟରେ ପ୍ରଧାନଶିକ୍ଷକଙ୍କ ଗୁଣଗ୍ରାହୀ ପତ୍ନୀ ହିସାବରେ ନିଜକୁ ଦେଖିବାକୁ ଆରମ୍ଭ କରିଥିଲା,ଯେମିତି ସେ ହିଁ ଅସଲରେ ଏଇ ସ୍କୁଲ୍ ରେ ଗୋଟିଏ ରାଣୀର ଆସନ ଲାଭ କରିଛି।
ଅନ୍ୟାନ୍ୟ ଶିକ୍ଷକଙ୍କ ପତ୍ନୀମାନେ ନିଶ୍ଚୟ ଏବେ ତାହାର ଅବସ୍ଥାନକୁ ହିଂସା କରିବାକୁ ଆରମ୍ଭ କରିବେ।ତେଣୁ ସେ ସବୁ ବିଷୟରେ ଟିକିଏ ଜଗି ରଖି, ଓଜନ ରଖି ଚଲାବୁଲା କରିବ ବୋଲି ଭାବିନେଲା।ତାହାପରେ ସେ ହଠାତ୍ ଆବିଷ୍କାର କରେ ଯେ ନିୟମ ଅଛି, ତା’ବ୍ୟତୀତ ସ୍କୁଲ୍ ରେ ଆଉ ଜଣେ କାହାରି ପତ୍ନୀ ରହିପାରିବେ ନାହିଁ। ଆଶା ଆଉ ଭୟର ଦୋଛକିରେ ତେଣୁ ଛିଡା ହୋଇ ସେ ତାହାର ପତିକୁ ଉଦ୍ବିଗ୍ନ ଦୃଷ୍ଟିରେ ସେ ବିଷୟରେ ସବିଶେଷ ଜାଣିବାକୁ ଚାହିଁଥିଲା।
“ଆମର ସବୁତକ ସହକର୍ମୀ ହେବେ ତରୁଣ ଆଉ ଅବିବାହିତ”ସ୍ୱାମୀ କହିଲା ବେଳେ ତାହାର ମୁଁହ ହସହସ।”ଆମ ପାଇଁ ସେଇଟା ଖୁବ୍ ଭଲ ହେବ,ନୁହଁ?” ସେ କହିଚାଲେ।
“କାହିଁକି ?”
“ଆରେ କାହିଁକି ବୋଲି କ’ଣ କହୁଛ !ଏଥିରେ ସମସ୍ତେ ତାଙ୍କର ସବୁତକ ସମୟ ଆଉ ସାମର୍ଥ୍ୟ ସ୍କୁଲ ପାଇଁ ଦେଇ ପାରିବେ।”
ଏ କଥା ଶୁଣି ନାନ୍ସି,ତାହାର ପତ୍ନୀ, ହତାଶାରେ ଆଖି ଦୁଇଟିରେ ଭୂଇଁତଳକୁ ଚାହେଁ ।କିଛି ସମୟ ପାଇଁ ସେ ନୂଆ ସ୍କୁଲର କଥାରେ ଉଦାସୀନ ହୋଇ ପଡେ;କିନ୍ତୁ ତାହା ମାତ୍ର କେଇ ମିନିଟ୍ ପାଇଁ।ତାହାର ସାମାନ୍ୟ ବ୍ୟକ୍ତିଗତ ଆକାଂକ୍ଷା ର ପରିପୂରଣ ନହେବା ସ୍ୱାମୀର ସୁଖୀ ସୁନ୍ଦର ସମ୍ଭାବନା ଭଳି କଥାରେ ତାହାକୁ ଅଂଧ କରି ଦେଇ ପାରିନାହିଁ।ସ୍ୱାମୀଟି ଯେତେବେଳେ ହାତପାଦ କୁ ବିଛାଡି ଆରାମ କରି ଚେୟାର୍ ରେ ବସିଛି ସେତେବେଳେ ପତ୍ନୀଟି ତାହା ଆଡକୁ ଗୋଟିଏ ନଜର ପକାଏ।ସ୍ୱାମୀଟି ସାମନା ପଟକୁ ଟିକିଏ ଝୁଙ୍କି ପଡିଛି ଆଉ ଦେଖାଯାଉଛି ଦୁର୍ବଳ ଆଉ ଖୁବ୍ ମୁଲାୟମ୍। ହେଲେ ସେ ମଝିରେ ମଝିରେ ଉଠିପଡି ନିଜର ଶାରୀରିକ ଶକ୍ତିରେ ଲୋକବାକଙ୍କୁ ହତବାକ କରିଦେଇପାରିବାକୁ ବେଶ୍ ସକ୍ଷମ।ଯେମିତି ଏଇଲେ ବସିଛି ସେ ଲାଗୁଛି ତାହାର ସମସ୍ତ ଶାରୀରିକ ଶକ୍ତି ଯେମିତି ତାହାର ଆଖି ଦିଇଟିର ଗହୀରରେ ଆଶ୍ରାନେଇ ସେହି ଆଖି ହଳକୁ ଆହୁରି ବେଶି ପରିମାଣରେ ତୀକ୍ଷ୍ଣ କରି ଦେଇଛି।ଯଦିଓ ତା’କୁ ମାତ୍ର ଛବିଶ,ଲାଗୁଛି ସେ ଯେମିତି ତିରିଶ ଠୁ ଅଧିକ ବର୍ଷ, ବୟସରେ।ଅବଶ୍ୟ ସବୁକିଛିକୁ ମିଶାମିଶି କରି ଦେଖିଲେ ସେ ବେଶ୍ ସୁନ୍ଦର।
ଟିକିଏ ପରେ ନାରୀବିଷୟକ ମ୍ୟାଗାଜିନ୍ ଟି ଆଖି ସାମ୍ନାରେ ଖୋଲିଧରି ନାନ୍ସି ବିଡବିଡ ହୋଇ କହେ,”ତମର ଚିନ୍ତାକୁ ବାହାବା ଜଣାଉଛି,ମାଇକ୍”।
“ମୁଁ ଭାବୁଛି ଖାଲି, କେଉଁପରି ଗୋଟିଏ ସ୍କୁଲ୍ କୁ ପରିଚାଳନା କରାଯିବା ଉଚିତ, ଏଇ ସବୁ ଦୁର୍ମୁଖ ଲୋକବାକଙ୍କୁ ଯାହା ଦେଖାଇବାର ଏକ ମହତ ସୁଯୋଗ ଶେଷରେ ଆମ ହାତକୁ ଆସିଛି।”
ସ୍କୁଲଟି ସବୁଆଡୁ ଦେଖିଲେ ପଛୁଆ।ମାଇକେଲ୍ ଅବି ତାହାର ସବୁ ଶକ୍ତି-ସାମର୍ଥ୍ୟ ନେଇ କାମକୁ ଡେଇଁପଡିଲା ଆଉ ତା’ ସହିତ ଥିଲା ସେଇଠେ ତାହାର ପତ୍ନୀଟି।ତାହାର ମୂଳ
ଲକ୍ଷ୍ୟ ଥିଲା ଦୁଇଟି। ଉଚ୍ଚତର ମାନର ଗୋଟିଏ ଶିକ୍ଷାବ୍ୟବସ୍ଥା ସେଇଠେ ଚାଲୁ କରିବା ଆଉ ସ୍କୁଲ୍ ପ୍ରାଙ୍ଗଣ କୁ ସୌନ୍ଦର୍ଯ୍ୟଭରା ଗୋଟିଏ ସ୍ଥାନ ଭଳି ଗଢି ତୋଳିବା। ନାନ୍ସିର ସ୍ୱପ୍ନର ବଗିଚା ତେଣୁ ଏତେଦିନପରେ ବାସ୍ତବ ହେଲା ଆଉ ଭଲ ବର୍ଷା ହେବା ଯୋଗୁ ବେଶ୍ ଫୁଲ ଫଳ ରେ ଭରି ଉଠିଲା।ଗାଢ ଲାଲ ଆଉ ହଳଦିଆ ରଙ୍ଗର ଉଜ୍ଜଳ ମଂଦାର ଫୁଲ ଆଉ ଆଲ୍ଲାମାଣ୍ଡା ଲତାରେ ଆଚ୍ଛାଦିତ ସ୍କୁଲଟି ଆଖପାଖର ଅଯତ୍ନ ଗଛଲତାରେ ବଣୁଆ ଦିଶୁଥିବା ଅଞ୍ଚଳ ଠାରୁ ବେଶ୍ ବାରି ହୋଇ ପଡିଲା।
ଦିନେ ସଂଧ୍ୟାବେଳେ ଅବି ଯେତେବେଳେ ଖୁବ୍ ଆରାମରେ ତାହାର କାମ କରିଯାଉଥିଲା ସେତିକିବେଳେ ହବଲି ଗାଆଁରୁ ଜଣେ ବୁଢୀ ସ୍କୁଲ୍ ପଡିଆର ମଝିରେ ମାରିଗୋଲ୍ଡ ଫୁଲ ଆଉ ଅନ୍ୟାନ୍ୟ ଲତାର ପାଖଦେଇ ବୁଲି ବୁଲି ସ୍କୁଲ ଭିତରକୁ ଆସୁଥିବାର ଦେଖି ତାହାକୁ ଭାରି ଦୁଃଖ ଲାଗିଲା।ସେଇଠିକୁ ଯାଇ ସେ ଦେଖେ,ଗାଆଁ ଆଡୁ ଆସିଲେ ସ୍କୁଲ୍ ପଡିଆର ମଝିରେ ଗୋଟିଏ ବୁଲାଣି ଦେଇ ଆସିବା ଭଳି ଗୋଟିଏ ଅବ୍ୟବହୃତ ପାଦଚଲା ରାସ୍ତା ରହିଛି। ସେଇ ପାଦଚଲା ବୁଲାଣି ରାସ୍ତାଟି ଏବେ ତା’ ଆଖିରେ ପଡିଗଲା।
ତିନି ବର୍ଷ ହେଲାଣି ସେଇ ସ୍କୁଲ୍ ରେ କାମ କରି ଆସୁଥିବା ଏମିତି ଜଣେ ଶିକ୍ଷକଙ୍କୁ ସେ ଜଣେ ପ୍ରଧାନ ଶିକ୍ଷକର ଅଧିକାରରେ ପଚାରିଥିଲା,” ସ୍କୁଲ ଭିତର ଦେଇ ଏଇ ପାଦଚଲା ରାସ୍ତାଟିର କାହିଁକି ବ୍ୟବସ୍ଥା ଅଛି ? ଏତେ ଭଲ ରାସ୍ତା ଚାରିଆଡେ ଅଛି।ଏପରି କାହିଁକି ,ପୁଣି ଗୋଟାଏ ବୁଲାଣି ରାସ୍ତା ? ମୋର ଜମା ପସନ୍ଦ ନୁହଁ।”
ଶିକ୍ଷକ ଜଣକ ଟିକିଏ ଥଙ୍ଗେଇ ଥଙ୍ଗେଇ କହିଲା, ” ସାର୍ ଏଇ ରାସ୍ତାଟି ଗାଆଁ ଲୋକଙ୍କ ପାଇଁ ଖୁବ୍ ଗୁରୁତ୍ୱପୂର୍ଣ୍ଣ।ଯଦିଓ ଏଇଟା ଏବେ କମ୍ ବ୍ୟବହୃତ ହେଉଛି,ଏଇ ରାସ୍ତାଟି ଆଜ୍ଞା ଗାଆଁର ମନ୍ଦିର ଠାରୁ ସ୍କୁଲ୍ ପଡିଆ ଭିତରଦେଇ ସିଧା ସେମାନଙ୍କର କବରଖାନା ଯାଏଁ ଯାଇଛି।”
ପ୍ରଧାନଶିକ୍ଷକ ରାଗିଯାଇ କହିଲେ,
“ତାହାହେଲେ ଆମ ସ୍କୁଲ୍ ର କ’ଣ ହବ ଥରେ ଭାବି ଦେଖିଛ ?”
ଆଉ ଜଣେ ଶିକ୍ଷକ ନିଜ କଥାକୁ ଯଥାସମ୍ଭବ କୋମଳ କରି କହିଲା,”ତାହା ତ ଆମେ କହିପାରିବୁନାହିଁ,ସାର୍,କିନ୍ତୁ ମୋର ବେଶ୍ ମନେ ଅଛି ଆଗେ ଯେତେବେଳେ ଆମେ ଏଇଟାକୁ ବନ୍ଦ କରିଦେବାର ଉଦ୍ୟମ କରିଥିଲୁ ସେତେବେଳେ ଏଇ ରାସ୍ତାଟି କିନ୍ତୁ ଖୁବ୍ ଭଲ ଥିଲା।।”
ପ୍ରଧାନ ଶିକ୍ଷକ ଅବି ତାହାପରେ କହିଥିଲା,”ଆଗରୁ କ’ଣ ଥିଲା ମୁଁ ଜାଣିନାହିଁ କିନ୍ତୁ ମୋର ସାଫ କଥା ଏବେଠୁ ଆଉ ଏଇଟି ବ୍ୟବହାର କରାଯିବନି।ସରକାରୀ ଶିକ୍ଷା କର୍ମକର୍ତ୍ତା ଆର ସପ୍ତାହରେ ସ୍କୁଲ୍ ପରିଦର୍ଶନରେ ଆସିବେ।ମୁଁ ଯେତେଦୂର ଜାଣେ ଗାଆଁ ଲୋକେ ସମ୍ଭବତଃ ସ୍କୁଲ୍ କକ୍ଷକୁ ପାଗାନ୍ (ବହୁଦେବପୂଜନ,ବିଧର୍ମୀ)ଉତ୍ସବ ପାଇଁ ବ୍ୟବହାର କରିବାକୁ ସ୍ଥିର କରିଛନ୍ତି,ଠିକ୍ ସେତିକିବେଳେ ଯେତେବେଳେ ଶିକ୍ଷା କର୍ମକର୍ତ୍ତା ମାନେ ସ୍କୁଲକୁ ପରିଦର୍ଶନ କରୁଥିବେ।”
ଭିତରକୁ ପ୍ରବେଶ କରିବା ଆଉ ସ୍କୁଲ୍ ପଡିଆରୁ ବାହାରିଯିବା ଏଇ ଦୁଇ ବାଟକୁ ବଡବଡ ବରଗା ପୋତି ଭଲଭାବରେ ବନ୍ଦ କରିଦିଆଗଲା।ସେଇଠେ ଭଲରକମର କଂଟା ପକାଇ ବାଟକୁ ନିବୁଜ କରାଗଲା ଯେମିତିକି ଏଇ ବାଟଦେଇ କିଏ ପରେ କେତେବେଳେ ବି ଯାଇ ପାରିବ ନାହିଁ।
ତିନିଦିନ ପରେ ଗାଆଁର ଯାଜକ ଆସିଲେ ପ୍ରଧାନ ଶିକ୍ଷକଙ୍କ ସହ ଦେଖା କରିବା ପାଇଁ।ସେ ବେଶ୍ ବୁଢା।ବୟସ ଭାରରେ ନଇଁଯାଇଛନ୍ତି।ହାତରେ ତାଙ୍କର ରହିଛି ଗୋଟିଏ ବେଶ୍ ଶକ୍ତ ଲାଠି।ସେଇ ଲାଠିଟିକୁ ସେ ଭୂଇଁରେ ଆସ୍ତେ ଆସ୍ତେ ଠୁକୁରାଇଦେଉଥାନ୍ତି। ସେଇଟା ବଦଭ୍ୟାସ।
ତାଙ୍କର ସେହି କାମଟି କିନ୍ତୁ ଅଧିକ ଭାବରେ ଦେଖାଯାଏ ବିଶେଷତଃ ସେ ଯେତେବେଳେ ନିଜ କଥାରେ ଅଧିକ ଯୁକ୍ତିମାନ ଯୋଡୁଥାଆନ୍ତି,ଠିକ୍ ସେତିକିବେଳେ।ପ୍ରାଥମିକ ସମ୍ଭାଷଣ ପରେ ବୃଦ୍ଧ ଯାଜକ ଜଣକ କହିବାକୁ ଆରମ୍ଭ କଲେ,”ମୁଁ ଶୁଣିବାକୁ ପାଇଲି ଆମ ପୂର୍ବପୁରୁଷର ରାସ୍ତାଟିକୁ କୁଆଡେ କିଛିଦିନ ହେଲା ପୁରାପୁରି ବନ୍ଦ କରିଦିଆଯାଇଛି ?”
ଉତ୍ତର ରେ ମାଇକେଲ୍ ଅବି କହିଲା,”ହଁ ଆପଣ ଠିକ୍ ଶୁଣିଛନ୍ତି,ଆମେ ନିଶ୍ଚୟ ଆମର ଅଧିକାର ମୁତାବକ ସ୍କୁଲ୍ ପଡିଆ ଭିତର ଦେଇ ସାଧାରଣ ଲୋକବାକଙ୍କର ବ୍ୟବହାର ଉଦ୍ଦେଶ୍ୟରେ ଗୋଟିଏ ସଦରରାସ୍ତା ତିଆରି ହେବାକୁ ମନା କରିଦେଇପାରିବୁ।”
ବୃଦ୍ଧ ଯାଜକ ନିଜର ଚାଲିବାର ସାଥି ସେଇ ଲାଠିଟିକୁ ଭୂଇଁରେ ଠୁକ୍ ଠୁକ୍ କରି କହିଲେ,”ଶୁଣ ବାବୁ ଏଇ ରାସ୍ତାଟି ତମର ଏପରିକି ତମ ପିତାମାତାଙ୍କ ଜନ୍ମର ବହୁପୂର୍ବରୁ ଅଛି।ଏଇ ଗାଆଁ ଟି ତାହାର ପୁରା ଜୀବନକାଳ ଧରି ଏହା ଉପରେ ନିର୍ଭର କରି ଆସିଛି।ଆମର ମୃତ ଆତ୍ମୀୟ ସ୍ୱଜନ ମାନେ ଏଇ ବାଟକୁ ପାର ହୋଇ ଯାଇଥାନ୍ତି ଆଗକୁ ଆଉ ଆମର ପୂର୍ବପୁରୁଷ ମାନେ ଏଇ ବାଟଦେଇ ଦେଖିବାକୁ ଆସିଥାନ୍ତି ଆମମାନଙ୍କୁ।କିନ୍ତୁ ଏହାଛଡା ଆଉ ଯେଉଁ କଥାଟି ପ୍ରମୁଖ ତାହା ହେଉଛି,ଏଇଟି ହେଉଛି ସେଇ ବାଟ ଯେଉଁ ବାଟ ଦେଇ ଆସିଥାନ୍ତି ଦେବଶିଶୁମାନେ ଆମର ଏଠାରେ ଜନ୍ମଗ୍ରହଣ କରିବାକୁ।”
ମାଇକେଲ୍ ଅବି ର ମୁହଁରେ ମୃଦୁହସ।ସେ ସବୁ କଥା ଶୁଣୁଥାଏ।
ଅବଶେଷରେ ସେ କହେ,”ଆମ ସ୍କୁଲ୍ ର ପ୍ରଧାନ ଉଦ୍ଦେଶ୍ୟ ହେଉଛି ଏଇ ସବୁ କୁସଂସ୍କାରପୂର୍ଣ୍ଣ ବିଶ୍ୱାସକୁ ମଣିଷ ମନରୁ ପୁରାପୁରି ପୋଛି ପରିଷ୍କାର କରି ଦେବା।ମଲାମଣିଷର କେତେବେଳେ ବି ଦରକାର ପଡେନାହିଁ କୌଣସି ପାଦଚଲା ରାସ୍ତା।ଆମର ଦାୟିତ୍ୱ ହେଉଛି ଆପଣଙ୍କର ସନ୍ତାନମାନଙ୍କୁ ଏମିତି ଶିକ୍ଷାରେ ଶିକ୍ଷିତ କରି ଗଢିବା ଯାହା ଫଳରେ ଏଇସବୁ ଅଜବ ଧାରଣାଗୁଡିକରେ ସେମାନଙ୍କୁ ହସ ମାଡିବ।”
ମୁଣ୍ଡ ତଳକୁ କରି ବୃଦ୍ଧ ଜଣାଇଲେ,”ତୁମେ ଯାହା କହିଲ ତାହା ହୁଏତ ସତ,କିନ୍ତୁ ଆମେ ଆମର ପୂର୍ବପୁରୁଷଙ୍କୁ ଅନୁସରଣ କରି ଚାଲୁ।ତୁମେ ଯଦି ବାଟଟିକୁ ଖୋଲି ଦେବ ତାହାହେଲେ ଏହାକୁ ନେଇ ଆମର ଆଉ କିଛି କହିବାର ନାହିଁ।ମୁଁ ଯାହା ସବୁବେଳେ କହିଥାଏ ତାହା ହେଲା,ଗୋଟିଏ ଡାଳରେ ପେଚା ଏବଂ ଈଗଲ୍ ଦୁଇଟିକୁ ହିଁ ବସିବାକୁ ଦିଅ।” ତାହାପରେ ଯିବାପାଇଁ ଉଠି ଠିଆହେଲେ ବୃଦ୍ଧ ଯାଜକ ଜଣକ।
ତରୁଣ ପ୍ରଧାନ ଶିକ୍ଷକ ଉଠି ଠିଆହେଲେ,କହିଲେ,”ମୁଁ ଆନ୍ତରିକ ଭାବେ ଦୁଃଖିତ,ଆମ ସ୍କୁଲ୍ ଭିତର ଦେଇ କୌଣସି ରାସ୍ତା ଫିଟିବ ନାହିଁ।ଏହା ଆମର ସ୍କୁଲ୍ ର ନିୟମକାନୁନର ବିରୁଦ୍ଧରେ ଯିବ।ଆପଣମାନେ ଚାହିଁଲେ ଆମ ସ୍କୁଲ୍ ପଡିଆ ପାଖରେ ଆଉ ଗୋଟିଏ ବାଟ ତିଆରି କରି ପାରିବେ।ଏଥିରେ ଆମର କିଛି ଆପତ୍ତି ନାହିଁ ବରଂ ଏଇ ଭଳି ରାସ୍ତାଟିଏ ଯଦି ତିଆରି ହୁଏ ତେବେ ଆମ ପିଲାଏ ଏହାର ତିଆରି ବେଳେ ଭରପୁର ସାହାଯ୍ୟ କରିବେ।ମୁଁ ଭାବୁନାହିଁ ଯେ ,ପାଖାପାଖି ଆଉଗୋଟିଏ ବାଟକୁ ଖୋଜିନେବା ପାଇଁ ଆପଣଙ୍କ ପୂର୍ବପୁରୁଷଙ୍କୁ ସେମିତି ସମସ୍ୟାରେ ପଡିବାକୁ ହେବନାହିଁ।”
ଇତିମଧ୍ୟରେ ବାହାରକୁ ବାହାରି ଆସି ବୃଦ୍ଧ ଯାଜକ ଜଣକ ଘୋଷଣା କରନ୍ତି,”ମୋର ଏଇ ବିଷୟରେ ଆଉ କିଛି କହିବାର ନାହିଁ।”
ଦୁଇଦିନ ପରେ ଗାଆଁର ଜଣେ ସ୍ତ୍ରୀଲୋକ ସନ୍ତାନ ପ୍ରସବ ବେଳେ ମୃତ୍ୟୁବରଣ କରେ।ଆଉ ଘଡିଟିଏ ଡେରିନକରି ତାହାପରେ ସମସ୍ତେ ଜଣେ ଜ୍ୟୋତିଷ ସହ ବିଶେଷ ପରାମର୍ଶ କରିବାକୁ ବସିଯାଆନ୍ତି ଏବଂ ପୂର୍ବପୁରୁଷ ମାନେ ଗାଆଁକୁ ଆସିବାକାମଟି ଏଇଭଳି ବାଡବନ୍ଧା ହେବା ଦ୍ୱାରା ଯେଉଁପରି ବାଧାପ୍ରାପ୍ତ ହୋଇଛି, ସେମାନଙ୍କର ମନରେ ଯେଉଁ କ୍ଷୋଭର ସଂଚାର କରିଅଛି, ତାହାର ଉପଶମ ପାଇଁ ବେଶ୍ ବଡ ମାପର କିଛି ଉତ୍ସର୍ଗ କରାଯିବାର ଆବଶ୍ୟକ ବୋଲି ସେ ଅଭିମତ ପ୍ରଦାନ କରେ।
ପରଦିନ ସକାଳେ ମାଇକେଲ୍ ଅବି ଯେମିତି ତାହାର ସକଳ କାର୍ଯ୍ୟର ଧ୍ୱଂସଯଜ୍ଞରୁ ଉଠିଲା ଭଳି ଉଠେ।ତୃଣଲତା ଆଚ୍ଛାଦିତ ସେଇ ବେଡାଗୁଡିକ ରାସ୍ତାଠାରୁ ଅନେକ ଦୂର ସ୍କୁଲ୍ ପଡିଆର ବାହାରେ ଫୋପାଡି ଦିଆଯାଇଛି,ଫୁଲଗଛଗୁଡିକ ଛିନ୍ ଛତ୍ର,ଗୋଟିଏ ପଟ ସ୍କୁଲ୍ ବାରଣ୍ଡାକୁ ତାଡି ଦିଆ ଯାଇଛି।ସେହିଦିନ ଇଉରୋପୀୟ ବ୍ୟବସ୍ଥାପକ ସ୍କୁଲ୍ ପରିଦର୍ଶନ କରିବାକୁ ଆସି ସ୍କୁଲ୍ ପ୍ରାଙ୍ଗଣର ଅବସ୍ଥା ବର୍ଣ୍ଣନା କରି ଗୋଟିଏ ଜଘନ୍ୟ ରିପୋର୍ଟ ଉପରକୁ ପଠାଏ।କିନ୍ତୁ ସେଥିରେ ଗୁରୁତ୍ୱ ର ରହିଥାଏ , ସ୍କୁଲ୍ ଏବଂ ଗ୍ରାମବାସୀ ମାନଙ୍କ ମଧ୍ୟରେ ଘନେଇ ଉଠିଥିବା ଯୁଦ୍ଧାବସ୍ଥା ବିଷୟ ,ଯାହା ଏଠାରେ ନୂଆ କରି ଯୋଗଦାନ କରିଥିବା ପ୍ରଧାନ ଶିକ୍ଷକଙ୍କର ମାତ୍ରାଧିକ କୌତୁହଳ ଯୋଗୁ ସଂଘଟିତ ହୋଇଅଛି।
•••••
ନାଇଜେରିଆର ପ୍ରଖ୍ୟାତ ଲେଖକ ଚିନୁଆ ଆଚିବି (୧୯୩୦–୨୦୧୩)। ସମାଜ ଓ ରାଜନୀତି ତାଙ୍କ ଲେଖାର ପ୍ରଧାନ ଉପଜୀବ୍ୟ ହେଲେହେଁ ମୂଖ୍ୟତଃ ତାଙ୍କର କାହାଣୀଗୁଡିକ ରୂପକ ଧର୍ମୀ। ଚିନୁଆ ଆଚିବି ଆଦିବାସୀ ଚେତନାର ରୂପକାର।
ତେଣୁ ଅନେକ ସମୟରେ ଆଚିବିଙ୍କ ଲେଖାକୁ ଆମର ଗୋପୀନାଥଙ୍କ ସହ ତୁଳନା କରାଯାଇଛି।ଗୋପୀନାଥଙ୍କ ରଚନାରେ ଆଦିବାସୀ ଜୀବନର ସାଂସ୍କୃତିକ ପ୍ରେକ୍ଷାପଟ ଏବଂ ସମତଳ ଅଂଚଳର ଚରିତ୍ରମାନଙ୍କୁ ନେଇ ଏକ ପ୍ରକାର ଆଦିବାସୀକରଣ ଟି ଦେଖାଯାଇଥାଏ।ଅର୍ଥାତ୍ ଗୋପୀନାଥଙ୍କ ଆଦିବାସୀ କେନ୍ଦ୍ରୀତ ଉପନ୍ୟାସର ମୂଖ୍ୟ ଚରିତ୍ରମାନେ ଏଇ ସମତଳ ଅଂଚଳରୁ ଯାଇ ଯେମିତି ଏକ ଆଦିବାସୀର ସାଂସ୍କୃତିକ ଜୀବନ ଜିଇଁଛନ୍ତି।ଗୋପୀବାବୁଙ୍କ ଉପନ୍ୟାସରେ ତେଣୁ ଏକ ପ୍ରକାର ଗୋଷ୍ଠୀ ସଂଲଗ୍ନତା ର ମୋହାଚ୍ଛନ୍ନ ପରିବେଶ ଦେଖାଯାଏ।ସେହି ମୋହାଚ୍ଛନ୍ନ ପରିବେଶରୁ ଆମର ପରବର୍ତ୍ତି ଜନଜାତି ସାହିତ୍ୟ ମୁକ୍ତ ହୋଇନାହିଁ।ଗୋପୀବାବୁଙ୍କ ମାର୍ଫତ୍ ରେ ଯେଉଁ ଜନଜାତିର ସାହିତ୍ୟରୂପଟି ଆମ ପାଖରେ ଏଯାଏଁ ରହିଆସିଛି ଯାହାର ତିଳାର୍ଦ୍ଧ ପରିବର୍ତ୍ତନ ହୋଇ ନାହିଁ ତାହା ହେଉଛି,ଆଦିବାସୀ କହିଲେ ପ୍ରାଚୀନ ଆଉ ପ୍ରାଚୀନ କହିଲେ ସହଜ ଓ ସରଳ ଆଉ ସେହି କାରଣରୁ ଶ୍ରେଷ୍ଠ।ଆଦିବାସୀ ମାନଙ୍କର ଆମେ ଯେତେ ଯାହା ବାହ୍ୟ ପରିବର୍ତ୍ତନ ଚାହୁଁ ମାତ୍ର ସେମାନଙ୍କଠାରୁ ଆଦିବାସୀ ହିସାବରେ ଚାଂଗୁ ସହ ଧାଙ୍ଗଡାଧାଙ୍ଗଡୀ ନୃତ୍ୟ ବି ଚାହୁଁ।ତେଣୁ ଗୋପୀନାଥଙ୍କ ସହ ସେହି ଗୋଟିଏ ବିସଂଗତି ବି ଆମେ ପୋଷଣ କରି ଆସୁଛୁ।ଆଉ ଗୋପୀନାଥ ଙ୍କ ପରବର୍ତ୍ତୀ ଯେତେ ଉପନ୍ୟାସ ଜନଜାତିଙ୍କ ଉପରେ ଲେଖାଯାଇଛି ସମସ୍ତେ ସେହି କାରଣରୁ ଗୋପୀନାଥଙ୍କ ଛତ୍ରଛାୟାରେ ସୁରକ୍ଷିତ।
ଅନ୍ୟପକ୍ଷରେ ଚିନୁଆ ଆଚିବି ଙ୍କ ଜନଜାତି ପ୍ରସଂଗରେ ତାଙ୍କ ଗଳ୍ପ ଉପନ୍ୟାସ ବେଶ୍ ସ୍ପଷ୍ଟ।ତାହା ହେଉଛି ପ୍ରିମିଟିଭିଟି ଓ ମଡର୍ନିଟିର ଦ୍ୱନ୍ଦ୍ୱ ବା ପ୍ରାଚୀନତା ଓ ଆଧୁନିକତା ର ଦ୍ୱନ୍ଦ୍ୱ।ଏଠାରେ ଆଚିବିଙ୍କ ଏହି ଦ୍ୱନ୍ଦ୍ୱ ଟିକୁ ବୁଝିବାପାଇଁ ଏଇ ଗପଟିକୁ ଚୟନ କରାଯାଇଛି । କହିବାକୁ ଗଲେ ଚିନୁଆ ଆଚିବିଙ୍କ ଠାରୁ ଆରମ୍ଭ କରି ଚିମାଣ୍ଡା ଏନଗୋଜି ଆଡିଚି ଭଳି ତରୁଣ ପ୍ରଜନ୍ମର ବ୍ଲାକ୍ ରାଇଟିଂରେ ଏହି ସଂଘର୍ଷ ଟି ବିଶେଷ ଭାବରେ ପରିଦୃଶ୍ୟ ।
ଆଚିବିଙ୍କ ଏଇ କାହାଣୀରୁ ପ୍ରିମିଟିଭିଟି ଏବଂ ମଡର୍ଣିଟିର ଦ୍ୱନ୍ଦକୁ ଅନୁଭବ କଲା ବେଳେ ଆମ ଆଗରେ ଉପସ୍ଥିତ ସମସ୍ତ ସଂଘାତକୁ ଏଡାଇବା ପାଇଁ ଏପରି ଗୋଟିଏ ସମନ୍ୱୟବାଦୀ ଚିନ୍ତନ ହୁଏତ ଆସିପାରେ ଯାହା ନିଜର କଥାକୁ ସାବ୍ୟସ୍ତ କରିବାପାଇଁ ନିଜର ଆଶ୍ରାଲାଠିକୁ ଅଧିକରୁ ଅଧିକ ଭୂଇଁରେ ଠୁକଠୁକ୍ କରୁଥିବା କାହାଣୀର ସେଇ ବୃଦ୍ଧ ଯାଜକ ଜଣକ ଯାହା କହିଛି : ଗୋଟିଏ ଡାଳରେ ପେଚା ଆଉ ଛଞ୍ଚାଣ ଉଭୟଙ୍କୁ ବସିବାକୁ ଦିଆଯାଉ।