ଚିଠି ପାଇ ଅତନୁ ରାଉରକେଲା ଯାଇଛି। ସେଠି ଭାଇଭାଉଜଙ୍କ ପାଖରେ ତା’ ବାପା ରୁହନ୍ତି। କନି କେବେ ରାଉରକେଲା ଦେଖିନି। ସାହି ଲେଖାରେ ଜଣେ ବଡ଼ବାପା ଚାକିରୀ କରୁଥିଲେ ସେଠି କୋଡିଏ ବର୍ଷ କି ତାଠାରୁ ଅଧିକ ହେବ ରିର୍ଟାୟର୍ଡ କଲେଣି। ରାଉରକେଲା ଫେରନ୍ତା ମୋତି ବଡ଼ବୋଉଠାରୁ ଶୁଣିଶୁଣି ତା’ ମନରେ ସହରଟାର ଗୋଟିଏ କାଳ୍ପନିକ ଛବି ଆଙ୍କି ହୋଇ ଯାଇଛି। ସେଥିରେ ମୋତି ବଡ଼ବୋଉଠାରୁ ଣୁଣାକଥା କେତେ ଆଉ ପିଲାଦିନେ ଭୂଗୋଳ ବହିରେ ଦେଖିଥିବା ଚିତ୍ର କେତେ ପରିମାଣରେ ମିଶିଥାଏ କନି ବୁଝିପାରେନି। ଅତନୁକୁ ପଚାରିଲେ ଶ୍ରେଣୀରେ ଭାଷଣ ଦେଲା ପରି କୁହେ, ‘ରାଉରକେଲା ଆମ ରାଜ୍ୟର ଗୋଟିଏ ପ୍ରମୁଖ ଓ ପ୍ରାଣବନ୍ତ ସହର। ଯୋଜନାବଦ୍ଧ ଓ କାର୍ଯ୍ୟବ୍ୟସ୍ତ। ଚାଲୁନୁ ଥରେ ମୋ ସାଙ୍ଗରେ ବୁଲି ଆସିବୁ। ବାପା ବି ତୋତେ ଦେଖି ଖୁସି ହେବେ।”
କିନ୍ତୁ; ରାଉରକେଲା ନାଁ ଶୁଣିବା ମାତ୍ରେ କନିର ଆଖି ଆଗରେ ଭାସି ଉଠେ ଜୟନ୍ତର କାକୁସ୍ଥ ଅସହାୟ ମୁହଁ। ତା’ର କାହିଁକି ଧାରଣା ହୁଏ – ଜୟନ୍ତ ଏବେ ବି ରାଉରକେଲାରେ କେଉଁଠି ଅଛି। ଜୟନ୍ତ କଥା ଭାବିଲା ମାତ୍ରେ କନିର କାନମୂଳ ଶିରା ଦୁଇଟା ଦପ୍ ଦପ୍ କରି ଉଠିଲା। ନିଜ ଅଲକ୍ଷ୍ୟ କେବେ କେଉଁଠି କନି ତା’ ସହ ଘନିଷ୍ଠ ହୋଇପଡିଥିଲା – ଆଜି ଯେତେ ମନେ ପକାଇଲେ ମଧ୍ୟ ମନେ ପଡେନା। କିନ୍ତୁ ଟେଷ୍ଟ ପରୀକ୍ଷା ସରି ସ୍କୁଲ ଯିବା ବନ୍ଦ ହେଲାପରେ ସେ ଅନୁଭବ କଲା – ଜୟନ୍ତ ବିନା ଦିନଗୁଡାସବୁ ଭାରି ଦୁର୍ବିସହ ହୋଇ ଉଠୁଛନ୍ତି। ଦୁର୍ଦ୍ଦାନ୍ତ ବିଜୁଭାଇ ପୁଣି ସେତେବେଳେ କଥା କଥାରେ ଛୁରି ଭୁଜାଲି ଧରି ହାଣି ଗୋଡୋଉ ଥିଲା। ତା’ ଡରରେ ତାଙ୍କ ଦାଣ୍ଡ ତ ଦୂରର କଥା, କେହି ସାହି ବି ମାଡୁ ନଥିଲେ। ତେଣୁ ଜୟନ୍ତ ସହ ଦେଖା ହେବାର ଆଉ କୌଣସି ଉପାୟ ନଥିଲା। ଜୟନ୍ତ ସହ ଦେଖା ହେବା ଲୋଭରେ ଜାଗାର ଦିନ ସେ ସୁନାଭାଉଜଙ୍କ ସହ ଗାଁ ମହାଦେବଙ୍କ ମନ୍ଦିରକୁ ଯାଇଥିଲା। ଜୟନ୍ତ ଘର ପାଖରେ ଆଗ ପଛ ଯେତେ ବୁଲି ବୁଲି ଚାହିଁଲେ ବି ଜୟନ୍ତର ଦେଖା ନଥିଲା। ବଉଳ ନେସା ଆମ୍ବଗଛର କେଉଁ ଡାଳ ସନ୍ଧିରୁ କୋଇଲିଟା ଖତେଇ ହେଲା ପରି ଡାକୁଥିଲା – କୁ’ କୁ’।
ଦାଣ୍ଡ ଚମ୍ପାଗଛ ତଳେ ଖଣ୍ଡେ ନଡିଆ ଚାଞ୍ଚରା ବିଛେଇ ଜୟନ୍ତ ବୋଉ ଚମ୍ପାଫୁଲ ହାର ଗୁନ୍ଥୁଥିଲେ। ଗଛର ଡାଳଗୁଡାକ ଯେମିତି ଫୁଲ ଭାରରେ ଭାଙ୍ଗି ପଡୁଥିଲା। ଚମ୍ପାଫୁଲର ମଧୁର ବାସ୍ନାରେ ଚାରିଆଡ ମହକି ଉଠୁଥିଲା।
କନିକୁ ଏମିତି ବାରମ୍ବାର ବୁଲି ଚାହିଁବା ଦେଖି ଜୟନ୍ତ ବୋଉ ପଚାରିଲେ, ‘କିଏ କନି କି?’ ବୁଢ଼ୀର ପରଳ ମଡା ଆଖିକୁ ଭଲ ଦିଶେନା। “କୁଆଡ଼େ ମହାଦେବ ମନ୍ଦିରକୁ ଯାଉଛୁ? ଚମ୍ପାଫୁଲ ଦି’ଟା ତୋଳିଦେବି?”
ପଛରୁ ଖଣ୍ଡି ଓଢଣା ଉହାଡରୁ ସୁନାଭାଉଜ କହିଲେ, “ଦେଇ ଥା ବଡବୋଉ। ଶିବଙ୍କ ମୁଣ୍ଡରେ ଚମ୍ପା ଚଢେଇଲେ କାର୍ତ୍ତିକଙ୍କ ଭଳିଆ ବର ପାଇବେ।” ପାକୁଆ ଓଠରେ ଧାରେ ନିର୍ମାୟା ହସ ଉକୁଟେଇ ନଗୀଟା ପାଇଁ ଉଠି ଯାଉ ଯାଉ ଜୟନ୍ତ ବୋଉ କହିଲେ ” ତା’ ବାପା ତ ତହୁଁ ବଳି ତହୁଁ ବର ଖୋଜି ଆଣିବ। କନି ଭଳିଆ ଝୁଅକୁ କ’ଣ ବର ଅପରାପତ!”
ଜୟନ୍ତ ତଥାପି ଦେଖା ନ ଥିଲା।
ତା’ ବୋଉ କନି ହାତକୁ କଦଳୀପତ୍ର ପୁଡିଆରେ ଫୁଲ କେତୋଟି ବଢେଇ ଦେଇ କହିଲା, “ଜଇଆ ଥିଲେ ଆଉ ଦି ଟା ତୋଳି ଦେଇ ଥାନ୍ତା। ହେଲେ ସକାଳ ପହରୁ ସେ ଟୋକାର ଦେଖା ନାହିଁ। ଅଖିଆଅପିଆ କୁଆଡ଼େ ବୁଲୁଛି କେଜାଣି?”
ଫୁଲ ପୁଡିଆଟା ଧରି ବୁଲିପଡିଲା ବେଳକୁ ପଛରେ ପଡିଥିବା ନଗୀଟାକୁ ଝୁଣ୍ଟି କନି ବାଁ ଗୋଡ ବୁଢା ଆଙ୍ଗୁଠି ନଖରୁ ଫାଳେ ଉଠିଗଲା। ତଳେ ବସିପଡି ଲୁଗା କାନିରେ ରକ୍ତ ଧାର ପୋଛଙପୋଛୁ ବୁଢୀ କହିଲେ,” ମୁଁ ମରିଯାଉ ଥାଏ ଟି। ଆଜିପରା ଦିନରେ ମୋ ଝୁଅ ଗୋଡ କ’ଣ ନ ହେଲା ସତରେ।”
ବିଶଲ୍ୟକରଣୀ ପତ୍ର ଦଳି ନଖ ଉପରେ ଦେଇ ସେ ଖଣ୍ଡେ କନା ପଟି ବାନ୍ଧି ଦେଲେ।
ମହାଦେବ ମନ୍ଦିର ବେଢାରେ ଲୋକ ଗହଳି ଭିତରେ ବି ଜୟନ୍ତର ଦେଖା ନ ଥିଲା। ବେଢା ଭିତରେ ତାକୁ ଖୋଜି ବୁଲିଲା ବେଳେ କେଉଁଠୁ ବିଜୁ ଭାଇର ପାଟି ଶୁଭିଲା -” ଶଳା ବାରହା ପୁରିଆ ଦେଢ଼ ଶ’ ଟଙ୍କା ଚାନ୍ଦା ପଠେଇଛନ୍ତି, କ’ଣ ମହାଦେବ ଶୁଙ୍ଘିବେ? ଶଳେ ଆସନ୍ତୁ ଆଜି।”
ସୁନାଭାଉଜଙ୍କ ପଛରେ ତରତର ପାଦରେ ଆସୁ ଆସୁ କନି ଦେଖିଲା, ମନ୍ଦିର ପଛ ବୁଢା ନାଗେଶ୍ବର ଗଛ ତଳେ ବସି ଜୟନ୍ତ ଦୂର ତାଳବଣ ଆଡେ ଉଦାସ ଦୃଷ୍ଟିରେ ଚାହିଁ ରହିଛି।
ଫେରନ୍ତା ବାଟରେ କନି ମନକୁ ମନ କହିଲା- ଜୟନ୍ତ ତ କେବେ କିଛି ତାକୁ ମୁହଁ ଖୋଲି କହିନି। ଝିଅ ପିଲା ହୋଇ ଉପରେ ପଡି ସେ ତାକୁ କ’ଣ କହିଥାନ୍ତା?
କିନ୍ତୁ ଜୀବନରେ ଜୟନ୍ତ ଅଧ୍ୟାୟର ଶେଷତମ ଦୁର୍ଘଟଣା ଦଧିବାମନ ସ°ସ୍କୃତ ଟୋଲର ଶିଉଳି ବସା ଭଙ୍ଗା ପାଚେରୀ କଡରେ ଏମିତି ବୀଭତ୍ସ ଭାବେ ଘଟିବ ବୋଲି ସେ କେବେ ଭାବି ନଥିଲା।
ବେଣୀପୁର ହାଇସ୍କୁଲକୁ ମାଟ୍ରିକ ପରୀକ୍ଷା ଦେବାକୁ ଯାଇ ସେମାନେ ମେସ୍ କରି ରହୁଥିଲେ ଦଧିବାମନ ସ°ସ୍କୃତ ଟୋଲରେ। ପରୀକ୍ଷା ମଝିରେ ଜୟନ୍ତ ସହ କଥା ହେବାର କୌଣସି ସୁଯୋଗ ନଥିଲା। କିନ୍ତୁ ଗାଁକୁ ଫେରିଗଲା ପରେ ଏହି ଦିଗରେ ଥିବା ସାମାନ୍ୟତମ ସମ୍ଭାବନାଟି ବି ଲୋପ ପାଇଯିବା ଆଶଙ୍କାରେ କନି ମନେ ମନେ ବିବ୍ରତ ହୋଇ ପଡୁଥିଲା। ଅଥଚ ଜୟନ୍ତ ସହ ମୁହାଁ ମୁହିଁ ଭଜଟ ହୋଇଗଲେ କ’ଣ କହିବ ଭାବି ଭାବି ସେ କିଛି କହି ପାରୁ ନଥିଲା।
ପରୀକ୍ଷା ଶେଷ ଦିନ।
କାଲି ସକାଳୁ ଯେ ଯାହାର ଘରକୁ ଫେରିଯିବେ। ହଲରୁ ଫେରିବା ବାଟରେ ହଠାତ୍ କିଛି ନ ଭାବି କନି ଜୟନ୍ତକୁ କହିଦେଲା, “ଆଜି ରାତିରେ ଖାଇବା ପରେ ମେସପଛକୁ ଆସିବୁ। କଥା ଅଛି।”
କିନ୍ତୁ କହିଦେଲା ପରେ ଏକ ଅସ୍ବସ୍ତିବୋଧରେ ସେ ଦିନସାରା ଛଟପଟ ହେଲା। ଜୟନ୍ତକୁ କ’ଣ କହିବ ସେ ଯେତିକି ଭାବିଲା, ମନ ଭିତରେ ସେ ଭୟରେ ସେତିକି ଜଡସଡ ହୋଇଗଲା।
ସନ୍ଧ୍ୟାବେଳ ସାରା ଗପି ଗପି ରାତିରେ ଖାଇସାରି ଝିଅମାନେ ପରୀକ୍ଷା ପରର ନିଶ୍ଚିନ୍ତ ନିଦରେ ଶୋଇ ପଡିଲେ। କନି କିନ୍ତୁ ନା ସେମାନଙ୍କ ସହିତ ସନ୍ଧ୍ୟାବେଳେ ଗପି ପାରିଲା, ନା ରାତିରେ ଶୋଇ ପାରିଲା। ସେ ପ୍ରତି ମୁହୂର୍ତ୍ତରେ ଭାବୁଥିଲା- ମେସ୍ ପଛ ଭଙ୍ଗା ପାଚେରି କଡରେ ଅରମା ଭିତରେ ଠିଆ ହୋଇ ଜୟନ୍ତ ତାକୁ ଅପେକ୍ଷା ଅରିଥିବ। ହେଲେ ଯିବାକୁ ତା’ର ସାହସ ହେଉ ନଥିଲା। ସେହି ତୀବ୍ର ମାନସିକ ଦ୍ବନ୍ଦ ମଝିରେ ତା’ ଆଖିକୁ କେତେବେଳେ କାଳନିଦ ଘୋଟି ଆସିଲା ସେ ଜାଣି ପାରିଲାନି।
ତା’ ନିଦଟା ଭାଙ୍ଗିଲା ବେଳକୁ ବାହାରଟା ହୋ- ହଲ୍ଲା ପାଟି ତୁଣ୍ଡରେ କମ୍ପୁଛି। କ’ଣ ହୋଇଛି ଜାଣିବା ପୂର୍ବରୁ ତା’ କାନରେ ପଡିଲା ଜୟନ୍ତର ଆର୍ତ୍ତନାଦ।
“ମରିଗଲି- ମରିଗଲି- ସାର୍ -।”
ଆଉ ତା’ ସହ ଦୁମୁଦୁମୁ ପାହାର ସାଙ୍ଗକୁ ବିଷ୍ଣୁ ପଣ୍ଡିତଙ୍କ ହୁଙ୍କାର- ‘ଲମ୍ପଟ- କୁଳା୍ଙ୍ଗାର- ତୁ ମରିବୁ?”
ବାହାର ବାରଣ୍ଡାରେ ଠିଆ ହୋଇ ନନ୍ଦିତା ମହାନ୍ତି କହୁଥିଲା – “ଆପଣ ମୋ ବାପାଙ୍କୁ ଏଇ ସାଙ୍ଗେ ସାଙ୍ଗେ ଖବର ଦିଅନ୍ତୁ ସାର୍। ମୁଁ ଆଉ ଏଠି ମୁହୂର୍ତ୍ତଟିଏ ବି ରହିବିନି।” ପଟ୍ଟନାୟକ ସାର୍ ତାକୁ ପଚାରୁଥିଲେ – ” ସେ କ’ଣ କଲା, ଆଗ କହିଲୁ।”
କନି ଭୟରେ ଗୋଟାପଣେ ଥରୁଥିଲା। ତା’ ମୁଣ୍ଡ ଝିମ୍ ଝିମ୍ କରି ଘୂରେଇ ଦେଲା। ତାକୁ ଲାଗିଲା, ସେ ମୂର୍ଚ୍ଛା ହୋଇ ପଡିବ।
“ତାକୁ କ’ଣ ପଣ୍ଡିତିଆ ମାଡ କାଟିବ?” କ’ଣ ଗୋଟିଏ ଟାଣି ନେଇ ପଟ୍ଟନାୟକ ସାର୍ ପିଣ୍ଡା ତଳକୁ ଡେଇଁ ପଡିଲେ। କିଛି ସମୟ ପରେ ଯେପରି ଚାରିଟା ଗଡମା ଫୁଟିଲା ଏବଂ ଜୟନ୍ତର ବୁକୁ ବିଦୀର୍ଣ୍ଣ କରି ବାହାରି ଆସିଲା ଅନ୍ତିମ ଚିତ୍କାର – “ବୋପା ଲୋ – ।”
ସକାଳୁ ନନ୍ଦିତାର ବାପା ସହିତ ହେଡମାଷ୍ଟର ପହଞ୍ଚିଲା ବେଳକୁ ଜୟନ୍ତର କିନ୍ତୁ ଆଉ ପତ୍ତା ନଥିଲା।
ହେଡସାର୍ ପଚାରିଲେ, “ପିଲାଟା ଯଦି କେଉଁଠି ସୁଇସାଇଡ୍ କରି ଦେଇଥାଏ ପଣ୍ଡିତ ମହାଶୟ?”
ଦୋଷୀଙ୍କ ପରି ତଳକୁ ମୁହଁପୋତି ପଣ୍ଡିତ ମହାଶୟ ନିଶ୍ଚଳ ପଥର ମୂର୍ତ୍ତି ଭଳି ବସି ରହିଥିଲେ। କୌଣସି ଜରୁରୀ କାମର ବାହାନାରେ ପଟ୍ଟନାୟକ ସାର୍ ବଡିଭୋରୁ ଗାଁକୁ ପଳେଇଥିଲେ।
ପଞ୍ଜାବିର ହାତ ଦୁଇଟାକୁ କହୁଣୀ ଉପରକୁ ଟେକି ଦେଇ ନନ୍ଦିତାର ବାପା ଗଳା ଫଟେଇ ଆସ୍ଫାଳନ କରୁଥିଲେ -” ଶଳା ରାଣ୍ଡୀ କୋଦମାର ଭାଗ୍ୟ ଭଲ। ହାରାମଜାଦା ହାବୁଡେ ପଡିଥିଲେ ଆଜି ଠିଆ ଫାଡି ଦେଇଥାନ୍ତି।”
କନି ଗାଁଆକୁ ଫେରିବାର ଯଥେଷ୍ଟ ପୂର୍ବରୁ ଘଟଣାଟା ଅତିରଞ୍ଜିତ ହୋଇ ଘରେ ଘରେ ପ୍ରଚାରିତ ହୋଇ ସାରିଥିଲା।
ରାତି ଅଧରେ କି ନିଛାଟିଆ ଖରାବେଳେ।ଯେତେବେଳେ ଜୟନ୍ତ ବୋଉର ଲହରିଆ କାନ୍ଦଣା – ” ହା ମୋ ରଙ୍କୁଣୀ ଧନରେ- ହା ମୋ ଗଳାର ମାଳିରେ…….”
ପୂବେଇ ପବନରେ ଭାସି ଆସେ ସେତେବେଳେ କନିର ଅନ୍ତରଖତ୍ମା ଥରି ଉଠେ। ସେ କାନ୍ଦଣା ତାକୁ ଥୁଣ୍ଟା ଶିମୁଳୀ ଶାଖାରେ ନିଃସଙ୍ଗ କପୋତୀର ଅଶ୍ରୁଳ ବିଳାପ ପରି ଶୁଭେ।
ସେ ଭାବେ- ଏ ତ ବିଳାପ ନୁହେଁ, ଅଭିସମ୍ପାତ।
ତାକୁ ତିଳେ ତିଳେ ଜାଳିଦେବ।
ରାତି କେତେ ହେଲାଣି କେଜାଣି? ଲୋକାଲଟ୍ରେନ୍ ବହୁବେଳେ ଷ୍ଟେସନ ଛାଡି ସାରିଲାଣି। ମାଳ କିନ୍ତୁ କାହ୍ନୁଆ ଗୋଠରୁ ଫେରିନି।