ଦାହ (ଏକ)

ଦାହ

(ବିଭୂତି ଭୂଷଣ ପ୍ରଧାନ ଓଡ଼ିଆ କଥା ସାହିତ୍ୟର ଅନ୍ୟତମ ବଳିଷ୍ଠ ଚର୍ଚ୍ଚିତ କଥାକାର ଉଭୟ ଗଳ୍ପ ଉପନ୍ୟାସ ରଚନାରେ ସେ ତାଙ୍କର ସୃଜନଶୀଳତାର ପରିଚୟ ଦେଇ ଯାଇଛନ୍ତି ବିଶେଷ କରି ଉପକୂଳବର୍ତ୍ତି ଗ୍ରାମୀଣ ପରିବେଶ, ସେଠାର ଭାଷା ଚରିତ୍ରମାନଙ୍କୁ ଧରି ସେ ତାଙ୍କ କଥା ସାହିତ୍ୟର ପଥ ନିର୍ମାଣ କରିଛନ୍ତି ଅଡୁଆ ସୁତା ପରି ଗୁଡେଇ ହେଇ ରହିଥିବ ସଂପର୍କର ଖିଅ ଖୋଜିବାର ଅସରନ୍ତି ପ୍ରକିୟାକୁ ନେଇ ରଚିତ ତାଙ୍କର ଚର୍ଚିତ ଉପନ୍ୟାସ ଦାହ କୁ ଧାରାବାହିକ ଭାବରେ ପ୍ରତି ରବିବାର ପ୍ରକାଶ କରିବାକୁ ମନସ୍ଥ କରିଛୁ )

(ଏକ)

ସଞ୍ଜ କେତେବେଳୁ ଗଡିଗଲାଣି।

ନଡ଼ିଆ ବାହୁଙ୍ଗା ଫାଙ୍କରେ ଜହ୍ନ ଅନେକ ଉପରକୁ ଉଠିଗଲାଣି। ଅତନୁକୁ ଅପେକ୍ଷା କରି କରି କନି ବିରକ୍ତ ହୋଇପଡିଲା।

ଅତନୁ ସବୁଦିନେ ଏମିତି!

ତା’ ସହ ଆଉ କେବେ ଦେଖା ହେବ ବୋଲି କନି ଭାବି ନଥିଲା। ପନ୍ଦର ବର୍ଷ ତଳେ, ସ୍କୁଲ ଛାଡିବା ପରଠାରୁ ଛଡାଛଡି। କିନ୍ତୁ ଆଶ୍ଚର୍ଯ୍ୟ କଥା ଅତନୁର ଠାଣୀ, ଅଭ୍ୟାସ ଏମିତିକି ତା’ ବେକରେ ଥିବା କଳାଜାଇଟା ବି କନିର ଠିକ୍ ମନେ ଥିଲା। ଅତନୁକୁ ଥରେ ସେ କଥାକହି ପର ମୁହୂର୍ତ୍ତରେ ସେ ଲାଜେଇ ଯାଇଥିଲା। କଥାଟାକୁ ଅତି ହାଲୁକା କରିଦେଇ ଅତନୁ କହିଲା, “ଏଥିରେ ଏତେ ଆଶ୍ଚର୍ଯ୍ୟ ହେବାରେ କ’ଣ ଅଛି? ମଣିଷ ମନର ଅବଚେତନ ଅନେକ କଥା, ଅନେକ ଚରିତ୍ର ଧରି ରଖିଥାଏ।”

ଦିନେ ଅଫିସରୁ ଫେରିବା ବାଟରେ କଲେଜ୍ ଗେଟ୍ ଆଗରେ ଅତନୁକୁ ଦେଖି କନି ସ୍ଥାନ-କାଳ ଭୁଲି ଆନନ୍ଦରେ ଚିତ୍କାର କରିଉଠିଲା। କଲେଜ ଫେରନ୍ତା ପୁଅଝିଅସବୁ ଆଶ୍ଚର୍ଯ୍ୟ ହୋଇ ତା’ ଆଡେ ଚାହିଁ ରହିଥିଲେ। ଏବେ ସେ କଥା ମନେପଡିଲେ କନିର ନିଜ ଉପରେ ରାଗହୁଏ। ଛୋଟ ଛୋଟ ଘଟଣାରେ ଏମିତି ହଠାତ୍ ଭାବପ୍ରବଣ ହୋଇ ପଡିବା ତାର ଗୋଟିଏ ଖରାପ ପ୍ରକୃତି। ଜୀବନରେ ସେଥିପାଇଁ ତାକୁ ଅନେକ ମୂଲ୍ୟ ଦେବାକୁ ପଡିଛି।

ମାଳ ଚା’ କପେ ତା’ ହାତକୁ ବଢେଇ ଦେଇ କାନିରେ ହାତ ପୋଛୁପୋଛୁ କହିଲା, “ତୁମେ ଶୋଇଥା ଦେଈ। ମୁଁ କାହ୍ନୁଆଈ ଗୋଠଆଡୁ ଆସୁଛି।”

କ୍ଷୀର ଆଣିବା ବାହାନାରେ ନିତି ସଞ୍ଜବେଳେ କାହ୍ନୁଆ ଗୋଠ ଆଡେ ମାଳ ବୁଲିଯାଏ। ଗାଁ ଲେଖାରେ କାହ୍ନୁଆ ତାର ନଣଦେଈ। ସେଥିପାଇଁ କାହ୍ନୁଆ ସାଙ୍ଗରେ ପରିହାସ ହେଲାବେଳେ ମାଳ ବାଡ଼ ବତା ମାନେନା।

ଲୋକାଲ୍ ଟ୍ରେନ୍ କେତେବେଳୁ ବେପରୁଆ ହୁଇସିଲ୍ ମାରି ଷ୍ଟେସନ୍ ଛାଡିଲାଣି। ନା, ରାତି ଅନେକ ହେଲାଣି। ଅତନୁ ଆଜି ଆଉ ଆସିବନି। ତା’ ପାଇଁ ସେ ବଜାରରୁ କାଠିପୋହଳା ମାଛ ମଗେଇ ଥିଲା। ଅତନୁ କାଠିପୋହଳା ମାଛକୁ ଭାରି ଭଲପାଏ। ଖାଉ ଖାଉ କୁହେ, “କଣ୍ଟା ନ ଥିଲେ ମାଛର କ’ଣ ସ୍ବାଦ ଥାଏ?”

ବାଡିପଟ ବୁଢା ଆମ୍ବଗଛରେ କାଠହଣା ଚଢେଇ ଠକ୍ ଠକ୍ ଶବ୍ଦକରି ପାହାର ହାଣୁଛି। କନି ମନେମନେ ଏକ, ଦୁଇ କରି ସେ ପାହାର ଗଣିଲା। ତାର ମନେହେଲା – ସେ ଶହେ ଆଠ ଗଣି ସାରିଲା ବେଳକୁ ଅତନୁ ନିଶ୍ଚୟ ଆସି ପହଞ୍ଚିବ। ଏମିତି ଅଜବ ଚିନ୍ତା ବେଳେ ବେଳେ ତା ମୁଣ୍ଡରେ କାହିଁକି ସବାର ହୁଏ!

ସତକୁ ସତ ଅଧାଅଧି ଗଣିଛି କି ନାହିଁ, ଅତନୁର ସ୍କୁଟର ଶବ୍ଦ ଶୁଭିଲା। ଗେଟ୍ ଆରପଟରେ ସ୍କୁଟରର ଷ୍ଟାର୍ଟ ବନ୍ଦ କରୁ କରୁ ଅତନୁ ଡାକିଲା – କନି?

କନି ଛାତି ଭିତରଟା ହଠାତ୍ ଉତ୍ତେଜନାରେ ଦୁମ୍ ଦୁମ୍ କରି ଉଠିଲା । ପୋଡାମୁହିଁ ମାଳଟା ଠିକ୍ ଏତିକି ବେଳକୁ ନାହିଁ। ପଛରେ କେତେ ଥଟ୍ଟା କରିବ।

କନି ତଳକୁ ଆସି ପଚାରିଲା – ଏତେ ଡେରି କଲୁ?

– ସେ ବ୍ଲଡି ପ୍ରିନିସ୍ପାଲ୍……. ତା’ ହାତକୁ ପ୍ୟାକେଟଟା ବଢେଇ ଦେଇ କହିଲା ଅତନୁ।

-ଇଏ କ’ଣ?

– ଆଜି ମୋ ଜନ୍ମଦିନ। କାଲିଠାରୁ ଭାବିଥିଲି ଆଜି ଛୁଟି ନେଇ ତୋ ସାଙ୍ଗରେ ସେଲିବ୍ରେଟ୍ କରିବି। ହେଲେ ସେ ୟୁନିଭର୍ସିଟି ବାଲାଙ୍କର ବି ଆଜି ଆସିବାକୁ ଯୋଗ ଜୁଟିଲା। ଏକା ନିଶ୍ବାସରେ ବିରକ୍ତି ପ୍ରକାଶ କରି ଦେଇ ଅତନୁ କପାଳ ଉପରକୁ ଝୁଙ୍କି ପଡିଥିବା ବାଳକେରାକ ଉପରକୁ ଛଟି ଦେଲା। ଏଇଟା ତାର ଗୋଟିଏ ବିଶେଷ ଭଙ୍ଗୀ। ଅତନୁ ଏମିତି ବାଳ ଛାଟି ଦେଲାବେଳେ କନିର ମନେ ପଡାଯାଏ ପିଲାଦିନେ ଛବି ବହିରେ ଦେଖିଥିବା ଗୋଟିଏ ସି°ହର ଛବି। ସି°ହଟା କେଶର ଫୁଲାଇ ଏକ ଦୃପ୍ତ ଠାଣୀରେ ଠାଆ ହୋଇଥାଲା। କନିର ମନେ ହୁଏ – ଏଇ ଠାଣୀ ଅତନୁର ସମ୍ପୂର୍ଣ୍ଣ ନିଜସ୍ୱ। ତା’ ପୌରୁଷର ଅହମିକା। ତା’ ଭିତରେ, ସେ ଯେପରି, ସାଧାରଣ ପୃଥିବୀଠାରୁ ନିଜର ସ୍ବାତନ୍ତ୍ର୍ୟ ପ୍ରତିପାଦନ କରେ।

ସେତକ ନ ଥିବାରୁ ରମାକାନ୍ତ କୌଣସି ଦିନ ତାକୁ ପୁରୁଷ ପରି ଲାଗେନା। ମନେ ମନେ ଅତନୁ ସହ ରମାକାନ୍ତର ତୁଳନା କରି କନି କହିଲା -ଛିଃ!

-କ’ଣ ହେଲା?

-ଦେଖୁନୁ ସିଡି ଘରଟା କେମିତି ଅନ୍ଧାର ହୋଇଛି। କେତେଥର ଭାବିଲଗଣି ବଲଟାଏ ଲଗାଇବାକୁ। ସବୁବେଳେ ଭୁଲି ଯାଉଛି।

ଛାତ ଊପରୁ ନଈଟା ଚମତ୍କାର ଦିଶୁଥିଲା। ଦର୍ପଣ ତରଳେଇ କିଏ ଯେପରି ପାଣି ଉପରେ ଢାଳି ଦେଇଛି। ନଈ ପଠାରେ କୁହୁଡିର ପତଳା ଆସ୍ତରଣ ଦିଶୁଥିଲା ସଦ୍ୟସ୍ନାତାର ଝୀନ ବସନ ପରି ଲୋଭନୀୟ। ମାଛ ଧରା ଡଙ୍ଗା କେତେଟା ନଈ ମଝିରେ ମେଞ୍ଚାମେଞ୍ଚା ଛାଇ ପରି ଏଣେ ତେଣେ ଭାସି ବୁଲୁଥିଲେ।

-ଚମତ୍କାର ଜାଗାଟାଏ ହୋଇଛି ତ! ରବି ରାଉତର ଚଏସ୍ ମନ୍ଦ ନୁହେଁ। କିନ୍ତୁ ସେ ଏଠି ମସାଜ୍ ପାର୍ଲର ନଖୋଲି, ଅନାଥାଶ୍ରମଟା ନିର୍ମାଣ କରୁଛି କାହିଁକି? ଆରପାଖ କୋଠାକୁ ଲକ୍ଷ୍ୟ କରି ଅତନୁ ପଚାରିଲା।

-ଅଭଦ୍ର!

-କହୁ କହୁ ମୁଁ ଅଭଦ୍ର ହୋଇଗଲି। ତୋ ସାଙ୍ଗ ନନ୍ଦିତା ମହାନ୍ତି ରାଜଧାନୀରେ ବିୟୁଟି ପାର୍ଲର ନାଁରେ ମସାଜ ପାର୍ଲର ଖୋଲି କାର୍ ଚଢିଲାଣି ବୋଲି ଜାଣିଛୁ?

-ତୁ କେବେ ତା’ ପାର୍ଲରକୁ ଯାଇଛୁ?

କନିର ମନେ ପଡିଗଲା, ନନ୍ଦିତା ମହାନ୍ତି ହିରୋଇନ୍ ନ ହେଲେ ଡ୍ରାମାରେ ଭାଗ ନେବନି ବୋଲି, ଥରେ ଅତନୁ ଜିଦ୍ଦି ଧରିଥିଲା।

ବିସ୍ଫୋରଣ କଲାପରି ଅତନୁ କହିଲା – ସି ଇଜ୍ ଏ ବ୍ଲଡି ବିଚ୍! କୁଚୁଣ୍ଡି ବେପାରୀ ଛୁଆ ଆଉ କ’ଣ କରନ୍ତା?

କନିର ନନ୍ଦିତା ମହାନ୍ତି ପ୍ରତି ଈର୍ଷା ସେଇ ସ୍କୁଲ ଦିନରୁ। ଅତନୁ କଥାରେ ତା’ ମନ ଆନନ୍ଦରେ କୁରୁଳି ଉଠିଲା। ସେ ପଚାରିଲା, “ତୋର ପରା ଆଜି ଜନ୍ମଦିନ, ନୂଆ ଜାମା-ପ୍ୟାଣ୍ଟ କାହିଁ?”

“ହଃ”- ବାଳ କେରାକୁ ଆଉଥରେ ଛାଟିଦେଇ ଅତନୁ କହିଲା, “ଭାବିଥିଲି ଆଜି ତୋତେ ନେଇ ସ୍ବପ୍ନେଶ୍ବର ମନ୍ଦିରକୁ ଯାଇଥାନ୍ତି। ଧେତ୍ -! ରବିବାର ଦିନ ଯିବୁ? ସେ ଦିନ ତ ତୋ ଅଫିସ୍ ଛୁଟି।”

ପ୍ରସ୍ତାବଟା କନି କାନକୁ ଭାରି ଲୋଭନୀୟ ଶୁଭିଲା। ନଈକୂଳ ନିଛାଟିଆ ପାହାଡ଼ ଉପରେ ସ୍ବପ୍ନେଶ୍ବରଙ୍କ ମନ୍ଦିର। ଏଠାକୁ ଦିଶେ ଖଣ୍ଡେ ଭସାମେଘ ପରି। ସେ କିଛି ଉତ୍ତର ଦେବା ଆଗରୁ ଅତନୁ ପଚାରିଲା, ‘ମିଠା ପ୍ୟାକେଟଟା ଧରି ଠିଆ ହେଲୁ କାହିଁକି?”

ତଳୁ ପ୍ଲେଟ୍ ଆଣିବାକୁ ଯାଇ କନି ଦେଖିଲା, ମାଳ କେତେବେଳୁ ଫେରି ଆସିଲାଣି।

– ତୁ କେତେବେଳୁ ଆସିଲୁଣି ପୋଡାମୁହିଁ? ଉପରକୁ ନ ଯାଇ ଏତେ ଗରମରେ ରୋଷେଇ ଘରଟା ଭିତରେ ପଶି କ’ଣ କରୁଛୁ?

– କ୍ଷୀର ଗରମ କରି ଚା’ ବସେଇଛି। କଲେଜବାବୁ ଆସିଲେଣି ପରା?

“ହଉ ଚଞ୍ଚଳ ଉପରକୁ ଆ”, କହୁକହୁ କନି ପୁଣି ଉପରକୁ ଉଠିଗଲା।

(ସକାଳୁ ଶୋଇ ଶୋଇ କନି ଗଲା ରାତିର କଥା ମନେ ପକାଉଥିଲା…..ଆର ସପ୍ତାହକୁ)

Bibhuti Bhusan Pradhan (3 April 1957 – 24 August 2016)