କଲରିଜଙ୍କ ଫୁଲ

ମୂଳ ଲେଖା: ଜର୍ଜ ଲୁଇ ବୋରେସ || ଓଡ଼ିଆ ଅନୁବାଦ – ଶୈଳେନ୍ଦ୍ର ପଟ୍ଟନାୟକ

(ସାହିତ୍ୟ କୃତି ଓ ସୃଜନଶୀଳତାର ଅଭ୍ୟନ୍ତରରେ ଯେଉଁ ଗୁଢ ରହସ୍ୟ  ତାହାର ଉନ୍ମୋଚନ ଦିଗରେ ଜର୍ଜ ଲୁଇ ବୋରେସକଂ ଏହି ପ୍ରସିଦ୍ଧ ପ୍ରବନ୍ଧ।)

Jorge Francisco Isidoro Luis Borges Acevedo ( 24 August 1899 – 14 June 1986) was an Argentine short-story writer, essayist, poet and translator

 
1938 ବା ସେହି ପାଖାପାଖି, ପଲ ଭାଲେରି ଲେଖିଥିଲେ : “ସାହିତ୍ୟର ଇତିହାସ କେବେ ହେଁ ଲେଖକ ମାନଙ୍କ ଇତିହାସ ବା କାହାଣୀ ହେବା ଉଚିତ ନୁହେଁ, ସେମାନଙ୍କ ସାହିତ୍ୟିକ  ଜୀବନର ପ୍ରଗତି କିମ୍ବା ରଚନା ଓ କୃତି ମାନଙ୍କ ବର୍ଣନା ବି ନୁହେଁ, ବରଂ ସବୁ ସାହିତ୍ୟିକ କୃତିର ରଚନା ପଛରେ ରହିଥିବା ସେହି ଏକକ ଆତ୍ମାର କାହାଣୀ ବା ଇତିହାସ; ଏବଂ ଜଣେ ବି ଲେଖକକଂ ନାମ ଉଲ୍ଲେଖ ନକରି ସାହିତ୍ୟର ଏହି ପ୍ରକୃତ ଇତିହାସ ଲେଖାଯାଇପାରେ ।” ପଲ ଭାଲେରିକଂ ଭଳି ଏକ ମହାନ ସ୍ରଷ୍ଠାତ୍ମକ ଆତ୍ମା ଦ୍ୱାରା କରାଯାଇଥିବା ଏଭଳି ଏକ ବ୍ୟକ୍ତବ୍ୟ କୌଣସି ମତେ ଏହି ଦିଗରେ ପ୍ରଥମ ବ୍ୟକ୍ତବ୍ୟ ନୁହେଁ।1844 ମସିହାରେ ଭାଲେରିକଂ ଭଳି ଜଣେ “ସ୍ମୃତି-ଲିଖନକାରୀ” ଟିପ୍ପଣୀ ଦେଇଥିଲେ ଯେ : “ସାହିତ୍ୟ-କୃତି ମାନଙ୍କୁ ନେଇ ଗୋଟିଏ ଧାରଣା ଦ୍ୱାରା ମୁଁ ଆଚମ୍ବିତ ଯେ ଜଣେ ବ୍ୟକ୍ତି ହିଁ ସବୁ ଗୁଡିକ ପୁସ୍ତକ ରଚନା କରିଥାଇ ପାରନ୍ତି …..ଯେ କୌଣସି ବର୍ଣନାର ଗତି ପ୍ରଗତିରେ ସନ୍ନିବିଷ୍ଟ ଚିନ୍ତାଧାରା ହେଉ କିମ୍ବା ତାହା ଉପରେ ସମାଲୋଚନା ଓ ରାୟ, ସବୁଥିରେ ଯେଉଁ ସାମ୍ୟତା ଓ ପରିଚିତି ତାହା ନିର୍ମଳ ଭାବେ ପ୍ରତିପାଦିତ କରନ୍ତି ଯେ ସବୁଗୁଡିକ ସାହିତ୍ୟିକ କୃତି କେବଳ ଜଣେ ବ୍ୟକ୍ତିକଂର, ସବୁ କିଛି ଦେଖିପାରୁଥିବା, ସବୁ କିଛି ଶୁଣିପାରୁଥିବା ସେହି ଜଣେ ଭଦ୍ରବ୍ୟକ୍ତିକଂର ।” (ଏମେର୍ସନକଂ ଏସେସ : ‘ନୋମିନାଲିଷ୍ଟ ଏଣ୍ଡ ରିୟାଲିଷ୍ଟ’,1844)। ତାହାର କୋଡିଏ ବର୍ଷ ପୂର୍ବରୁ ମହାନ ଇଂରେଜୀ କବି ସେଲୀ ନିଜ ଅନୁଭୂତିକୁ ନେଇ ମନ୍ତବ୍ୟ ଦେଇଥିଲେ ଯେ – ” ପୃଥିବୀର ପ୍ରତ୍ୟେକ କବିଙ୍କ ଦ୍ୱାରା ରଚିତ ବିଗତ, ବର୍ତ୍ତମାନ ଓ ଭବିଷ୍ୟତର ସବୁ କାବ୍ୟ କବିତା, ସେହି ଏକମାତ୍ର ଅସୀମ କାବ୍ୟର ଗୋଟିଏ ଗୋଟିଏ ଅଧ୍ୟାୟ ବା ବିଖଣ୍ଡିତ ଅଂଶ ବିଶେଷ ମାତ୍ର।”

Samuel Taylor Coleridge (21 October 1772 – 25 July 1834)

ଏହି ଭାବନା, ଯଦିଚ ବା ପୂଜ୍ୟ-ପୂଜା ମାନସିକତାରେ ସମାହିତ, ପ୍ରକୃତରେ ଅନ୍ତହୀନ ବାଦ-ବିସମ୍ବାଦ ତଥା ତର୍କ-ବିତର୍କ ସୃଷ୍ଟି କରିବାରେ ଯଥେଷ୍ଟ । କିନ୍ତୁ ଏଠାରେ ଏହା ପ୍ରକାଶ କରିବା ପଛରେ ଏକ ବିନମ୍ର ଯୋଜନା ସନ୍ନିହିତ ଏବଂ ତାହା ହେଲା – ତିନି ଜଣ ଲେଖକକଂର ଭିନ୍ନ ଭିନ୍ନ କୃତି ମାଧ୍ୟମରେ ଗୋଟିଏ ନିର୍ଦ୍ଧିଷ୍ଟ ଚିନ୍ତାର କ୍ରମବିକାଶର ଇତିହାସ ।

ପ୍ରଥମଟି ହେଲା କଳରିଜକଂ ଏକ କବିତା ଯାହା ସେ ଅଷ୍ଟାଦଶ ଶତାବ୍ଦୀର ଶେଷ ଭାଗରେ ବା ଉନ୍ନବିଂଶ ଶତାବ୍ଦୀର ପ୍ରାରମ୍ଭରେ ଲେଖିଥାଇ ପାରନ୍ତି । କବିତାଟି ହେଲା – ଯଦି ଜଣେ କେହି ତାଙ୍କ ସ୍ୱପ୍ନରେ ସ୍ୱର୍ଗରେ ପହଁଚନ୍ତି ଏବଂ ତାଙ୍କ ଆତ୍ମା ପ୍ରକୃତରେ ସ୍ଵର୍ଗରେ ପହଞ୍ଚିଥିବାର ନିଦର୍ଶନ ସ୍ୱରୂପ ସେଠାରେ ସେ ଫୁଲଟିଏ ଉପହାର ପାଇଥାନ୍ତି । ନିଦରୁ ଜାଗ୍ରତ ଅବସ୍ଥାକୁ ଫେରି ଯଦି ସେ ସେହି ଫୁଲଟିକୁ ହାତରେ ଧରିଥିବା ହିଁ ପାଆନ୍ତି – ଏବେ, ତା’ହେଲେ, ତା’ପରେ ?

ଏଭଳି ଏକ ମାନସିକ ସଞ୍ଚରଣ ଲାଗି ମୋର ପାଠକମାନେ କଣ ଭାବୁଥାଇ ପାରନ୍ତି ? ଵିସ୍ମିତତାର ନିଜକୁ ପ୍ରଶ୍ନ କରୁଥିଲେ ବି ଏହି ପ୍ରଶ୍ନ ମୋ ଲାଗି ସମ୍ପୂର୍ଣ ଉପଯୁକ୍ତ | ଯେହେତୁ ଏହି ଭଳି ଏକ ଚିନ୍ତାର ଉପସ୍ଥାପନ ଦିଗରେ ଅନ୍ୟକିଛି ଉଦ୍ଭାବନ ମତେ ଅସମ୍ଭବ ମନେହୁଏ | କାରଣ ଏଥିରେ ଯେଉଁ ଐକ୍ୟତ୍ୱ ଓ ସମ୍ପୂର୍ଣ୍ଣତା ସେଥିରେ ଚିନ୍ତାର ଶେଷ ବିନ୍ଦୁ ତଥା ଅନ୍ତିମ ଉଦେଶ୍ୟ ମଧ୍ୟ ସମାହିତ । ଯଦିଚ ବା ଏ କଥା ବି ସତ ଯେ ସାହିତ୍ୟ କ୍ଷେତ୍ରରେ ଗୋଟିଏ ପଦକ୍ଷେପ ଆପେ ଆପେ ବାଟ କଢେଇ ନେଇ ଯାଏ ଅଗଣିତ ପଦକ୍ଷେପକଂ କାରଣ ମାନକୁଂ  ଏବଂ ସେହି ସବୁ କାରଣ ବାଟ କଢେଇ ନିଅନ୍ତି ଅନ୍ତହୀନ କ୍ରମାଗତ ଫଳାଫଳ ଉଦେଶ୍ୟରେ । ଯେପରି କଲରିଜକଂ ଏହି ଚିନ୍ତନ ପଛରେ ଛିଡା ଯୁଗ ଯୁଗ ଧରି ପୀଢ଼ି ପରେ ପୀଢ଼ି ପ୍ରେମିକ ମାନଙ୍କ ଫୁଲଟିଏର ଉପହାର ଲାଗି ଉତ୍କଣ୍ଠା । ଏହି ଦିଗରେ ଦ୍ଵିତୀୟ କୃତି ରୂପେ ମୁଁ ଉପସ୍ଥାପନ କରିବି ୱେଲସକଂ ଉପନ୍ୟାସ 1887ରେ ଲିଖିତ କିନ୍ତୁ ସାତ ବର୍ଷ ପରେ 1894ର ଗ୍ରୀଷ୍ମଋତୁରେ ପୁର୍ନ ଲିଖିତ । ପ୍ରଥମ ସଂସ୍କରଣର ଶୀର୍ଷକ ଥିଲା ‘ଦି କ୍ରନିକ ଆର୍ଗଣ୍ଟସ’ ( ପରିତ୍ୟକ୍ତ ଶୀର୍ଷକରେ ଥିବା ‘କ୍ରନିକ’ର ଅର୍ଥ ପ୍ରକୃତରେ ଶବ୍ଦାର୍ଥକଂ କ୍ରମବିକାଶ ଧାରାରେ ଟେମ୍ପୋରାଲ ଅର୍ଥାତ ବସ୍ତୁ-ଜଗତୀୟ କାଳବାଚକ) । ଉପନ୍ୟାସଟିର ଅନ୍ତିମ ସଂସ୍କରଣର ନାମ – ‘ଦି ଟାଇମ ମେସିନ’ । ଏହି ଉପନ୍ୟାସରେ ୱେଲସ ପୁଣିଥରେ ସେହି ପୁରାତନ ସାହିତ୍ୟ ରଚନାର ପରମ୍ପରାକୁ ଉଜ୍ଜୀବିତ କରିଥିଲେ – ତାହା ହେଲା ଅନାଗତ ଘଟଣାବଳିକୁଂ ବିଘଟିତ ହେବା ପୂର୍ବରୁ ହିଁ ଦେଖି ପାରିବା ।

ବେବିଲୋନ ବିଧ୍ୱସ୍ତହେବା ଏବଂ ଇସ୍ରାଏଲ ପୁନର୍ଗଠିତ ହେବା ଇଶାଇ ଦେଖିପାରିଥିଲେ, ଏଇନାସ ଦେଖିପାରିଥିଲେ ତାଙ୍କ ପରବର୍ତ୍ତୀ ପୀଢ଼ି ରୋମାନ ମାନଙ୍କ ସାମରିକ ଭବିଷ୍ୟତ, ୱେଇଡା ସେମଣ୍ଡିର ନାରୀ-ପ୍ରଫେଟ ଦେଖିଥିଲେ ଗୋଟିଏ ପରେ ଗୋଟିଏ ଅନେକ ଯୁଦ୍ଧପରେ ପୃଥିବୀର ବିଧ୍ଵସ୍ତତା ସହ ପୃଥିବୀପୃଷ୍ଠକୁ ଦେବତାଙ୍କ ପ୍ରତ୍ୟାବର୍ତ୍ତନ ଏବଂ ନୂତନ ଘାସର  ଗାଲିଚା ଉପରେ ସେହି ନିର୍ଦ୍ଧିଷ୍ଟ ଚେସ ଗୋଟି ମାନଙ୍କର ପୁନରାବିଷ୍କାର ଯେଉଁ ସବୁକୁ ନେଇ ସେମାନେ ପୂର୍ବେ ଖେଳିଥିଲେ …..। ୱେଲସକଂ ଉପନ୍ୟାସର ନାୟକ କିନ୍ତୁ ଉପରୋକ୍ତ ଭବିଷ୍ୟ-ଦ୍ରଷ୍ଟା ମାନଙ୍କ ଠାରୁ ଭିନ୍ନ କାରଣ ସେ ସ୍ଵଦେହରେ ଭବିଷ୍ୟତକୁ ଯାତ୍ରା କରନ୍ତି ଓ ଫେରିଲାବେଳକୁ କ୍ଲାନ୍ତ, ଧୂଳି ଧୂସରିତ, ଆତ୍ମବିଶ୍ୱାସ ରହିତ; ମଣିଷ ମାନଙ୍କର ଏଭଳି ଏକ ଭବିଷ୍ୟତରୁ ସେ ଫେରିଥାନ୍ତି ଯେଉଁଠି ସେମାନେ ବିଭିନ୍ନ ପ୍ରଜାତିରେ ବିଭକ୍ତ ହୋଇ ପରସ୍ପର ପ୍ରତି ଘୃଣା ଓ ହିଂସାରେ ଲିପ୍ତ । ସେ ଫେରନ୍ତି କିନ୍ତୁ ଫେରିଲା ବେଳକୁ ତାଙ୍କ ମୁଣ୍ଡର ବାଳ ସଫେଦ ଓ ହାତରେ ଏକ ମଉଳି ସାରିଥିବା ଫୁଲ । ଏହା ହୁଏତ କଳରିଜକଂ ଫୁଲର ଦ୍ଵିତୀୟ ସଂସ୍କରଣ । ସ୍ୱର୍ଗୀୟ ପୁଷ୍ପ ବା ସ୍ୱପ୍ନର ଫୁଲ ଠାରୁ ବି ଆହୁରି ମହାର୍ଘ୍ୟ ଏହି ଭବିଷ୍ୟ-କୁସୁମ, ଏହି ବିରୋଧାତ୍ମକ ପ୍ରସୂନ ଯାହାର ଅଣୁ ପରମାଣୁକଂର ଏକତ୍ରୀକରଣ ଯଦିଚ ବା ସେହି ମୁହୂର୍ତ ଯାଏଁ ପ୍ରକୃତରେ ବିଘଟିତ ହୋଇ ନଥାଏ କିନ୍ତୁ ବର୍ତ୍ତମାନ ତାହା ଭିନ୍ନ ଏକ ସ୍ଥିତି, ଅଧା ମଉଳା ଅବସ୍ଥାରେ ବିଦ୍ୟମାନ ହୋଇସାରିଥାଏ ।

ତୃତୀୟ ଉଦାହରଣ ରୂପେ ମୁଁ ଉଲ୍ଲେଖ କରିବି, ଏଠାରେ ପ୍ରାୟତଃ ଆଶା କରାଯାଉନଥିବା ସେଭଳି ଏକ କୃତି ଯାହାର ଲେଖକ ୱେଲସକଂ ଠାରୁ ବି ଆହୁରି ଜଟିଳ କିନ୍ତୁ ଆମେ ଯାହାକୁ କ୍ଲାସିକେଲ ଆଖ୍ୟା ଦେଇଥାଉ ସେହି ସବୁ ସୁନ୍ଦର ସୁଖଦ ପ୍ରତିଭାରେ ଗୌଣ – ”ଦି ଆଵାସମେଣ୍ଟ ଅଫ ନର୍ଥମର୍ସ”ର ଲେଖକ, ଦୁଃଖଦ ଓ ଅନ୍ଧାରୁଆ ଗଳି କନ୍ଦିରେ ଭ୍ରମୁଥିବା ମାନସର ହେନରୀ ଜେମସ । ତାଙ୍କ ମୃତ୍ୟୁବେଳେ ସେ ଛାଡି ଯାଇଥିଲେ ଏକ ଅସମାପ୍ତ ଉପନ୍ୟାସ – ‘ଦି ସେନ୍ସ ଅଫ ଦି ପାଷ୍ଟ’, ଏକ କପୋଳକଳ୍ପିତ ଉଦ୍ଭାବନ ଯାହା ‘ଦି ଟାଇମ ମେସିନ’ର ଏକ ଭିନ୍ନ ମୋଡ ବା ପରିବର୍ଦ୍ଧନ ବୋଲି କୁହାଯାଇ ପାରେ ।

Ambroise Paul Toussaint Jules Valéry (30 October 1871 – 20 July 1945)

ୱେଲସକଂ ନାୟକ ଏକ ବିଚିତ୍ର ଯାନରେ ସମୟର ଧାରା ମଧ୍ୟ ଦେଇ ଆଗକୁ ପଛକୁ ଯାତ୍ରା କରିପାରେ, ଯେପରି ମହାକାଶରେ ମହାକାଶ-ଯାନ । ଜେମସକଂ ନାୟକ ଅଷ୍ଟାଦଶ ଶତାବ୍ଦୀରେ ନିଜ ପ୍ରକୃତ ପରିଚୟ ଫେରିପାଇ ବିଗତ ସମୟକୁ ଫେରିଯାଇଥାଏ । (ଉଭୟ ଟେକନିକ ଅସମ୍ଭବ ହେଲେ ବି ଜେମସକଂ ପରିକଳ୍ପନା କିଛିଟା କମ ମନୁଆ ମନେହୁଏ।) ‘ଦି ସେନ୍ସ ଅଫ ଦି ପାଷ୍ଟ’ରେ ବାସ୍ତବ ଓ ପରିକଳ୍ପିତ କିମ୍ବା ବର୍ତ୍ତମାନ ଓ ବିଗତ ମଧ୍ୟରେ ସମ୍ପର୍କ, ଏଥି ପୂର୍ବରୁ ଦିଆଯାଇଥିବା ଦୁଇଟି ଉଦାହରଣ ଭଳି ଗୋଟିଏ ଗୋଟିଏ ଫୁଲ ଉପରେ ପର୍ଯ୍ୟବେଶିତ ନୁହେଁ ବରଂ ଅଷ୍ଟାଦଶ ଶତାବ୍ଦୀର ଏକ ପ୍ରତିଛବି ଉପରେ ନିର୍ଭର କରେ ଯାହା ରହସ୍ୟପୂର୍ଣ ଭାବେ ନାୟକର ଚେହେରା ସହ ଗଭୀର ସାମଞ୍ଜସ୍ୟ ରଖିଥାଏ । ଚିତ୍ରଟି ପ୍ରତି ଆକର୍ଷଣ ତାକଂ ପାଇଁ ସେହି ନିର୍ଦ୍ଧିଷ୍ଟ ଦିନକୁ ଫେରି ଯିବାଲାଗି ଅବକାଶ ଆଣିଦିଏ ଯେଉଁ ଦିନ ସେହି ଚିତ୍ରଟି ଚିତ୍ରିତ ହୋଇଥାଏ । ସେଠି ଯେଉଁ ସବୁ ବ୍ୟକ୍ତି ମାନଙ୍କ ସହ ତାଙ୍କର ସାକ୍ଷାତ ହୁଏ ସେମାନଙ୍କ ମଧ୍ୟରେ ତାଙ୍କର ଛବି ପେଇଁଣ୍ଟ କରିଥିବା ଆର୍ଟିଷ୍ଟ ଏବଂ ସେ ଏକ ଅଜଣା ଭୟ ଓ ବିସ୍ତାପିତ ମନରେ ବଡ ଅତିଷ୍ଠ ହୋଇ ତାଙ୍କର ପୋଟ୍ରେଇଟଟି ପେଇଁଣ୍ଟ କରୁଥିଲେ କାରଣ ସେଇ ଚେହେରାରେ କିଛି ଏକ ଅସ୍ୱାଭାବିକ ଅସଙ୍ଗତି ସେ ଠଉରେଇ ପାରୁଥିଲେ । ଏଭଳି ଭାବେ ଜେମସ ଏକ ଅଦ୍ଵିତୀୟ ‘ରିଗ୍ରେସନ ଇନ ଇନଫିନିଟିଉମ’ ସୃଷ୍ଟି କରନ୍ତି ଯାହାଦ୍ୱାରା ତାଙ୍କର ନାୟକ ରାଲଫ  ଅଷ୍ଟାଦଶ ଶତାବ୍ଦୀର ଏକ ପେଇଁଟିଙ୍ଗକୁ ମାଧ୍ୟମ କରି ସେହି ସମୟକୁ ଫେରି ଯାଇପାରେ, ଅର୍ଥାତ ରାଲଫକୁ ଅଷ୍ଟାଦଶ ଶତାବ୍ଦୀକୁ ଫେରିଯିବା ଆବଶ୍ୟକ ଥାଏ କାରଣ ଅଷ୍ଟାଦଶ ଶତାବ୍ଦୀରେ ତାର ଉପସ୍ଥିତି ଦ୍ୱାରା ହିଁ ସେହି ପୋଟ୍ରେଇଟର ସ୍ଥିତି ସମ୍ଭବ ହୋଇପାରେ । କହିବା ବାହୁଲ୍ୟ, କାରଣ ହିଁ ପରିଣାମର ପିଛା କରେ, ଅଥବା ରାଲଫର ବିଗତକୁ ଯାତ୍ରାର କାରଣ, ତା’ ଯାତ୍ରାର ପରିଣାମ ମଧ୍ୟ ହୋଇଥାଏ ।

ଜେମସ  ବୋଧହୁଏ କଲରିଜ଼କଂ କବିତାଟି ସହ ପରିଚିତ ନଥିଲେ; ସେ କିନ୍ତୁ ୱେଲସକଂ ପୁସ୍ତକଟି ପଢିଥିଲେ ଓ ପ୍ରଶଂସକ ଥିଲେ । କିନ୍ତୁ ଏହି ସବୁ ଟିପ୍ପଣୀ ନିରର୍ଥକ, ଯଦି ସିଦ୍ଧାନ୍ତଟି ସଠିକ ଯେ ଜଣେ ବ୍ୟକ୍ତି ହିଁ ସବୁ ସମୟର ସବୁ ଲେଖକ । ପ୍ରକୃତରେ କହିବାକୁ ଗଲେ, ବିଷୟଟିକୁ ଏତେ ଦୂର ଟାଣିବା ଆବଶ୍ୟକ ନଥାଏ, ଯେହେତୁ ପୂଜ୍ୟ-ପୂଜାର ପ୍ରବର୍ତ୍ତକ ମାନେ ଅବଶ୍ୟ ଘୋଷଣା କରିଥାନ୍ତି ଯେ ଲେଖକ ମାନଙ୍କର ବହୁଳତା କେବଳ ଏକ ଭ୍ରମ । ଏଥି ପ୍ରତି କ୍ଲାସିଶିଷ୍ଟ ମାନଙ୍କର ସମର୍ଥନ ଦ୍ଵିଧାହୀନ ଭାବେ ସମ୍ପୂର୍ଣ, କାରଣ କ୍ଲାସିଶିଷ୍ଟ ମାନଙ୍କ ଲାଗି ଲେଖକ ମାନଙ୍କ ବହୁଳତା କେବେ ବି ସାମାନ୍ୟ ମୂଲ୍ୟ ରଖି ନଥାଏ । କ୍ଲାସିଶିଷ୍ଟ ମାନଙ୍କ ଲାଗି ସାହିତ୍ୟର ମୌଳିକ ପରିପ୍ରକାଶନ ଲାଗି ବ୍ୟକ୍ତି ବିଶେଷକଂ ଉପସ୍ଥିତି ନିରର୍ଥକ ଭ୍ରମ ବ୍ୟତିରେକ ଅନ୍ୟ କିଛି ନୁହଁ ।

James Augustine Aloysius Joyce (2 February 1882 – 13 January 1941)

ଜର୍ଜ ମୁର ଓ ଜେମସ ଜୟେସ ନିଜ ଲେଖା ଭିତରେ ଅନ୍ୟ ଲେଖକ ମାନଙ୍କ ବାକ୍ୟ, ଏପରିକି ପୃଷ୍ଠା ମାନଙ୍କୁ ସନ୍ନିବିଷ୍ଟ କରିଥିଲେ, ଅସ୍କର ୱାଇଲଡ ନିଜେ ଗଢ଼ିଥିବା ପ୍ଲଟ ସବୁ ଅନ୍ୟ ମାନଙ୍କୁ ଦେଇ ଦେଉଥିଲେ ପରିବର୍ଦ୍ଧନ ଓ ସମ୍ପୂର୍ଣ କୃତିରେ ପରିଣତ କରିବା ସକାଶେ । ଏହି ଦୁଇଟି ମାଧ୍ୟମ ପରସ୍ପର ବିରୋଧାତ୍ମକ ମନେହେଲେ ବି କଳାତ୍ମକ ଚେତନାର ସାମଗ୍ରୀକତା ତଥା ନିର୍ବ୍ୟକ୍ତିକ ଅବବୋଧତାକୁ ହିଁ ପ୍ରାଞ୍ଜଳ କରିଥାନ୍ତି । ଶବ୍ଦ, ବାକ୍ୟ ଓ ସାହିତ୍ୟ ମଧ୍ୟରେ ଗଭୀର ଏକାତ୍ମକତାକୁ ପ୍ରତିପାଦିତ କରୁଥିବା ଅନ୍ୟ ଜଣେ ଦ୍ରଷ୍ଟା ଯିଏ ସଂକୀର୍ଣ୍ଣ ବ୍ୟକ୍ତି ସର୍ବସ୍ୱତାକୁ ତାଙ୍କ କୃତି ମାନଙ୍କ ମାଧ୍ୟମରେ ହତାଦର କରିପାରିଥିଲେ, ସେ ହେଲେ ପ୍ରସିଦ୍ଧିର ଅଧିକାରୀ – ବେନ ଜନସନ । ଜନସନ ନିଜ ସାହିତ୍ୟିକ ଜୀବନର ଦଲିଲ ଲେଖିଲାବେଳେ ନିଜ ସମସାମୟିକ ମାନଙ୍କ ପ୍ରତି ଆଦର ଅଥବା ବିରୋଧାତ୍ମକତାର ଅନାବିଳ ସାବଲୀଳତା ମଧ୍ୟରେ ଯୋଡ଼ିଦେଇଥିଲେ ମଧ୍ୟ ସେନେକୋ, ଜଷ୍ଟ ଲିପ୍ସାସ, ବାଇବାସ, ଇରଏସମଷ, ମେକିଏଭେଲି, ବେକନ ଓ ସ୍କ୍ୱାଲିଜେରକଂ କୃତି ମାନଙ୍କରୁ ଅଂଶବିଶେଷ ।
 
ଶେଷରେ ଗୋଟିଏ ଚରମ ମନ୍ତବ୍ୟ । ଯେଉଁମାନେ ଅନ୍ୟ ଲେଖକମାନଙ୍କର ରଚନା ମାନଙ୍କରୁ କିୟଦ ଅଂଶ ସମ୍ମାନ ଓ ସୌଜନ୍ୟତା ସହ ଉଧୃତ କରିଥାନ୍ତି, ସେମାନେ ଯେହେତୁ ସେହି ଲେଖକମାନଙ୍କ ସାହିତ୍ୟ ସହ ଏକାକାର ଓ ସେହି କୃତିମାନଙ୍କରେ ସେମାନେ ନିଜକୁ ସମାହିତ କରିନେଇଥାନ୍ତି, ତେଣୁ ସେମାନେ ବିଶ୍ୱାସ କରିନେଇଥିବା ସ୍ୱାଭାବିକ ଯେ ସେହି ସବୁ କୃତିମାନଙ୍କରେ  ଯତସାମାନ୍ୟ ଭିନ୍ନତା ବା ଅର୍ଥରେ ଅନ୍ୟଥା, ସମସ୍ତ ଯୁକ୍ତିଯୁକ୍ତତା ତଥା ପରମ୍ପରା ପ୍ରତି ସମ୍ମାନରୁ ବିଚ୍ୟୁତି । ଅନେକ ବର୍ଷ ଯାଏଁ ମୁଁ ଚିନ୍ତା କରୁଥିଲି ଯେ ସାହିତ୍ୟର ଯେଉଁ ପ୍ରାୟତଃ ଅନ୍ତହୀନ ପୃଥିବୀ, ପ୍ରକୃତରେ ଗୋଟିଏ ମାତ୍ର ବ୍ୟକ୍ତିତ୍ୱରେ ହିଁ ସମାହିତ । ସେ ଜଣକ ହେଲେ କାର୍ଲିଲ, ସେ ହେଲେ ରାଫେଲ କେନସିନସ ଏସେନ, ସେ ହେଲେ ଡି. କ୍ୱିନସି ……