ଆଜିଠୁ ପାଞ୍ଚବର୍ଷ ତଳେ
ଗୋଟିଏ ସନ୍ଧ୍ୟାରେ-
ଗରମ ବାମ୍ଫ ଉଠୁଥିବା କଫି କପ୍ ର
ଆର ପାଖରୁ ଉଠି ଚାଲି ଯାଇଥିଲା ଫାଲ୍ଗୁନୀ!
କାଗଜ କପର ଧାରରେ ତଥାପି ଲାଗି ରହିଥିଲା
ତା’ ଓଠର ନାଲିଆ ରଙ୍ଗ!
କଫି କପର ବାମ୍ଫ ମାନେ
ଥଣ୍ଡା ପଡି ଲଟକି ପଡିଥିଲେ
ଅବିନାଶର ପଲକରେ ବୁନ୍ଦା ବୁନ୍ଦା ହୋଇ!
ତା’ପରେ?
ତା’ପରେ, ଅବିନାଶ ଛାପି ସାରିଛି
୨୪ ଖଣ୍ଡ କବିତା ବହି,
ପାଇଛି ଅଗଣିତ ମଞ୍ଚ ରୁ ଡାକରା
ଆଉ, ଛ’ଶହରୁ ଅଧିକ ପୁରସ୍କାର!
ତାକୁ ଏବେ ବି ବ୍ୟସ୍ତ ବିବ୍ରତ କରେ
କଫିକପ୍, ଗରମ ବାମ୍ଫ, ଦଗାଦିଆ ସନ୍ଧ୍ୟା,
ଅଧା ସରି ନଥିବା ଆଲୋଚନାର ଖିଅ!
ପାଞ୍ଚ ବର୍ଷ ପରେ ବି-
କାଗଜ କପ୍ ର ଧାରରେ,
ଓଠର ନାଲି ରଙ୍ଗ ଦେଖିଲେ
ଜଳିଯାଏ ଅବିନାଶର କବି ହୃଦୟ;
ପାଆଁଶ ମିଟର୍ ଦୂରରୁ ବି –
ଅବିନାଶ ଠଉରେଇ ନିଏ
ସାମନାରୁ ଆସୁଥିବା ଝିଅର ଓଠର ନାଲିରଙ୍ଗ-
ଲାକମେ ନା’ ମେବଲିନ୍ ନା’ ମାମା-ଅର୍ଥର ସେଡ୍!
ଅନ୍ୟମନସ୍କ ହୋଇପଡେ ଅବିନାଶ,
ଆଉ ତା’ ସହ –
ରସୁଲଗଡରୁ ଫାୟାରଷ୍ଟେସନ୍
ସବୁ କବିତା ଆସର ବି;
ସେମାନେ ସମସ୍ତେ ବତୁରି ଯାଆନ୍ତି
ଫାଲ୍ଗୁନୀର ଅଧା ପିଆ-
କଫିର ବାମ୍ଫରେ!
କଫି କପ୍ ଧାରରେ ଲାଗିଥିବା
ଫାଲ୍ଗୁନୀ ଓଠର ନାଲି ରଙ୍ଗ-
ଫିକା କରିଦିଏ
ଅନୁଗୁଳ, ନୈନିତାଲ୍, ଅଯୋଧ୍ୟା ଆଉ
ହାଥରସ୍, ଉନ୍ନାଓ, କାଠୁଆ, ମଣିପୁର…..
ଏସବୁ ଜାଗାରେ ଲାଗିଥିବା ନାଲି ରଙ୍ଗର ଦାଗକୁ!!
(କବିତାରେ ପାତ୍ରଙ୍କ ନାମ ଓ ଚରିତ୍ର କାଳ୍ପନିକ। ପ୍ରକୃତ ବ୍ୟକ୍ତି, ଜୀବିତ କିମ୍ବା ମୃତ, କିମ୍ବା ପ୍ରକୃତ ଘଟଣା ସହିତ ଯେକୌଣସି ସମାନତା ସମ୍ପୂର୍ଣ୍ଣ ସଂଯୋଗବଶତଃ।)
କଫି କପ୍ ଆଉ ତା’ ଓଠର ନାଲି ରଙ୍ଗ

ଟିକେ କମେଇ ଦେଇଥିଲେ ଝାଳ, ନାଲିରଙ୍ଗ ଓ ପୁରସ୍କାର ମାନପତ୍ର
ଆଉରି ଜମିଥାନ୍ତା। ମୁଁ ବରଂ ଖୁସି ହେଇଥାନ୍ତି ମାମ୍ ଗାଳି ଦିଅନ୍ତୁ ପଛେ
ଏ ରାଜ୍ୟରେ ଥାଇ ଛଅଶ’ ପୁରସ୍କାର ଆଗ ମାଡିବସିଥାନ୍ତି। ଭଲ । ଧନ୍ୟବାଦ କବିଙ୍କୁ।