କ୍ଲାଉଡେଲ୍ ଙ୍କ ସ୍ଥାପତ୍ୟ

କାମିଲେ କ୍ଲାଉଡେଲ୍ (୧୮୬୪-୧୯୪୩) ହେଉଛନ୍ତି ଜଣେ ଫରାସୀ ସ୍ଥପତି ।

ଏଇଠି  ଯେଉଁ ସ୍ଥାପତ୍ୟର ଚିତ୍ର ରହିଛି ତାହା କାମିଲେଙ୍କର ସ୍ଥପତି ହିସାବରେ  ପ୍ରଥମ ଆଉ ପ୍ରମୁଖ କାର୍ଯ୍ୟ । ଏଥିରେ ଜଣେ ତରୁଣ ଆଣ୍ଠୁମାଡି ତାହାର ପତ୍ନୀକୁ ଆଲିଙ୍ଗନ କରୁଥିବାର ଭଂଗୀମାକୁ ଏହି ସ୍ଥାପତ୍ୟ ମାଧ୍ୟମରେ ପ୍ରଦର୍ଶନ  କରାଯାଇଛି ।

ଏହି ସ୍ଥାପତ୍ୟରେ ଦୀର୍ଘ ବିଚ୍ଛେଦ ପରବର୍ତ୍ତି  ମିଳନର ନିବିଡ ଆତୁରତା ଟିକକ ସ୍ପଷ୍ଟ ଭାବରେ ଦୃଶ୍ୟମାନ ।

କାମିଲେ କ୍ଲାଉଡିଲେ ୧୮୮୮ ମସିହା ବେଳକୁ ପାରିସ୍ ସହରରେ ଆସି ବସବାସ କରିବାକୁ ଆରମ୍ଭ କରିଥିଲେ। ସେ ପ୍ରାଥମିକ ଭାବରେ ସେ ସମୟର ବିଖ୍ୟାତ ସ୍ଥପତି ତଥା ” ଦି ଥିଙ୍କର” ନାମରେ ଚର୍ଚ୍ଚିତ ସ୍ଥାପତ୍ୟର ସ୍ଥପତି ଅଗଷ୍ଟେ ରୋଦାଁ (୧୮୪୦-୧୯୧୭) ଙ୍କ ନିକଟରୁ ପ୍ରାୟ ଚାରିବର୍ଷ ଧରି ଶିଳ୍ପଶିକ୍ଷା ଗ୍ରହଣ କରିଥିଲେ ।

ରୋଦାଁଙ୍କ ଠାରୁ ତାଙ୍କର ଶିଳ୍ପଶିକ୍ଷାର ସେହି ଚାରିବର୍ଷ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଏହି ସମୟ ମଧ୍ୟରେ ରୋଦାଁ  କାମିଲେ କ୍ଲାଉଡିଲେ ଙ୍କ ପ୍ରେମରେ ପଡିଥିଲେ । ନିଜର ସଂପର୍କକୁ ଏକ ନିର୍ଦ୍ଦିଷ୍ଟ ରୂପ ଦେବା ପାଇଁ ଯେତେବେଳେ କଥା ଉଠିଲା ସେତେବେଳେ କାମିଲେ ଗୋଟିଏ ନିର୍ଦ୍ଦିଷ୍ଟ ସର୍ତ୍ତ ରଖିଥିଲେ । ତାଙ୍କୁ ବିବାହ କରିବାକୁ ହେଲେ ରୋଦାଁ ଙ୍କୁ ତାଙ୍କର ସେ ସମୟର ସଂଗିନୀ ରୋଜ୍ ବ୍ୟୁରେତ୍ ଙ୍କ ଠାରୁ ସମସ୍ତ ସଂପର୍କ ଛିନ୍ନ କରିବାକୁ ପଡିବ ।

ରୋଦାଁ ଏହାପରେ କାମିଲେ କ୍ଲାଉଡିଲେଙ୍କ ଠାରୁ ଦୂରେଇ ଯାଇଥିଲେ ।  ରୋଜ୍ ବ୍ୟୁରେତ୍ ଏହି ବିଚ୍ଛିନ୍ନ ସଂପର୍କର କାରଣ ବୋଲି ମନେକରାଯାଉଥିଲେ ହେଁ ବସ୍ତୁତଃ ତାହା ସେମାନଙ୍କର ସଂପର୍କରେ ଫାଟର ଏକମାତ୍ର କାରଣ ନଥିଲା । ଚର୍ଚିତ ସ୍ଥପତି ରୋଦାଁ ସବୁବେଳେ ମନେକରୁଥିଲେ ଯେ କାମିଲେ ହେଉଛନ୍ତି ଜଣେ ଅତ୍ୟନ୍ତ ପ୍ରଭାମୟୀ ସ୍ଥପତି । ଯେ କୌଣସି ସମୟରେ ନିଜର ସ୍ଥାପତ୍ୟରେ ସେ ରୋଦାଁଙ୍କ ଭଳି ଚର୍ଚ୍ଚିତ ସ୍ଥପତିକୁ ମ୍ଳାନ କରିଦେଇପାରନ୍ତି ,ସେଇ ଭଳି ଗୋଟିଏ ପ୍ରତିଦ୍ୱନ୍ଦିତାମୂଳକ ଈର୍ଷା ରୋଦାଁ ଙ୍କ ଭିତରେ ରହିଥିଲା । କାମିଲେ ଙ୍କ ସହ ନିବିଡ ହୋଇ ବି ସେ ଏକ ଦୂରତ୍ୱବୋଧର ସନ୍ତାପକୁ ଭୋଗୁଥିଲେ । ରୋଦାଁଙ୍କ ର ପ୍ରଚେଷ୍ଟା ଥିଲା କାମିଲେ ଙ୍କୁ ବିବାହ କରି ତାଙ୍କୁ ଏକ ସୁଗୃହିଣୀରେ  ପରିଣତ ତଥା ଆବଦ୍ଧ କରି ରଖିବା ଯାହା ଫଳରେ କି ସେ ଆଉ ସଂସାର କାର୍ଯ୍ୟର ବାହାରକୁ ଯାଇ ନିଜର ସ୍ଥାପତ୍ୟରେ ମନୋନିବେଶ କରିପାରିବେ ନାହିଁ । ଅନ୍ୟ ପକ୍ଷରେ କାମିଲେ ରୋଦାଁଙ୍କର ମତିଗତିକୁ ଏହା ଭିତରେ ଭଲ ଭାବରେ ବୁଝିପାରିଥିଲେ । ଫଳତଃ ଉଭୟଙ୍କର ସଂପର୍କ ଆଉ ଅଧିକ ଦିନ ତିଷ୍ଟି ରହିପାରିଲା ନାହିଁ ।

ସଂଲଗ୍ନ ସ୍ଥାପତ୍ୟଟି କିନ୍ତୁ ଆତ୍ମଜୈବନିକ ନୁହେଁ । ଏହି ସ୍ଥାପତ୍ୟରେ କିନ୍ତୁ ରୋଦାଁ କି କାମିଲେ କ୍ଲାଉଡିଲେ କେହି ନାହାଁନ୍ତି ।

ଏହି ସ୍ଥାପତ୍ୟଟି ୧୮୮୯ ମସିହାରେ ନିର୍ମାଣ କରାଯାଇଥିଲା ଅର୍ଥାତ୍ କାମିଲେ ଙ୍କର ପାରିସ୍ ସହରରେ ବସବାସ କରିବାକୁ ଆରମ୍ଭ କରିବାର ପରବର୍ଷ ର କଥା ଏବଂ ସେତେବେଳେ ସେ ରୋଦାଁ ଙ୍କ ନିକଟରୁ ଶିଳ୍ପଶିକ୍ଷା ଲାଭ କରୁଥାନ୍ତି ।

ଏହି ସ୍ଥାପତ୍ୟର ପ୍ରଭାବରେ ପ୍ରଭାବିତ ହୋଇ ରୋଦାଁ ନିଜେ ଗୋଟିଏ ସ୍ଥାପତ୍ୟ ନିର୍ମାଣ କରିଥିଲେ । ସେହି ସ୍ଥାପତ୍ୟର ନାଆଁ ହେଉଛି,ଦି ଇଟରନାଲ୍ ଆଇଡଲ୍ । ଦି ଇଟରନାଲ୍ ଆଇଡଲ୍ ର ସମୟ ହେଉଛି ୧୮୯୦ ରୁ ୧୮୯୩ ମସିହା ।

ଏହି ସ୍ଥାପତ୍ୟକୁ ନିର୍ମାଣ କରିବା ସମୟରେ କାମିଲେ ତାଙ୍କର ଲଣ୍ଡନରେ ରହୁଥିବା ଜଣେ ବାନ୍ଧବୀ ଫ୍ଲୋରେନ୍ସ ଜିନସ୍ ଙ୍କୁ ଗୋଟିଏ ପତ୍ର ଲେଖିଥିଲେ । ପତ୍ରର ତାରିଖ ହେଉଛି, ୮ ନଭେମ୍ବର ୧୮୮୯ ।

କାମିଲେ ଲଂଡନ ନିବାସୀ ବନ୍ଧୁ ଫ୍ଲୋରେନ୍ସ ଙ୍କୁ ଲେଖିଥିଲେ :

ମୋର ଆଦରର ଫ୍ଲୋରେନ୍ସ

ମୁଁ ଏବେ ଏତେ ବେଶି ବ୍ୟସ୍ତ ଯେ ମୁଁ ତୋ ପାଖକୁ ଧାଡିଟିଏ ଲେଖିବା ପାଇଁ ବି ସମୟ ଏବେ ମୋ ପାଖରେ ନାହିଁ । ମୁଁ ଏବେ ଦୁଇଟି ବଡ ଲାର୍ଜର ଦାନ୍ ଲାଇଫ୍ ମୂର୍ତ୍ତି ତିଆରି କରିବାରେ ବ୍ୟସ୍ତ ରହିଛି ଆଉ ସେଇଥିପାଇଁ ମୋତେ ପ୍ରତ୍ୟହ ଦୁଇଟି ମଡେଲ୍ ଙ୍କ ସହ କାମ କରିବାକୁ ହେଉଛି : ସେଥିମଧ୍ୟରୁ ନାରୀ ଜଣକ ସକାଳୁ ଆସେ ଆଉ ପୁରୁଷ ଜଣକ ଆସେ ସଂଜରେ । ଏଥିରୁ ତୁ ଭଲ ଭାବରେ ବୁଝୁଥିବୁ ଯେ ମୁଁ କେତେ ପରିମାଣରେ କ୍ଳାନ୍ତ । ମୁଁ ପ୍ରାୟତଃ ଦିନକୁ ୧୨ ଘଣ୍ଟା,ସକାଳ ସାତଟା ରୁ ସଞ୍ଜ ସାତ , କାମ କରୁଛି । ଏବଂ ଘରକୁ ଫେରିବା ପରେ ଟିକିଏ ସମୟ ଆଉ ଛିଡା ହୋଇ ରହିବାକୁ ବଳ  ହେଉନି,ସିଧା ଶେଜକୁ ଯାଉଛି । ମୋର ଆହୁରି ଅନେକ ସମସ୍ୟା ରହିଛି  ଏବଂ ପ୍ରତି ମୁହୂର୍ତ୍ତରେ ମୋତେ ନିରୁତ୍ସାହିତ କରାଯାଉଛି ।

କାମିଲେ କ୍ଲାଉଡିଲେଙ୍କ ଏଇ ଚିଠିରୁ ଆମେ ଅନେକ କଥା ବୁଝିପାରିବା ।

ଏହି ସ୍ଥାପତ୍ୟକୁ ନିର୍ମାଣ କରିବାର ପ୍ରେରଣା କାମିଲେ ଜଣେ ଭାରତୀୟ କବି ଙ୍କର ଲେଖାରୁ ଲାଭ କରିଥିଲେ । ସେହି ଭାରତୀୟ କବି ଜଣକ ହେଉଛନ୍ତି ଗୁପ୍ତ ରାଜବଂଶର ପ୍ରଖ୍ୟାତ ରାଜା ଚନ୍ଦ୍ରଗୁପ୍ତ ଦ୍ୱିତୀୟ ଙ୍କ ରାଜସଭାର ଚର୍ଚ୍ଚିତ ରତ୍ନ କବି କାଳିଦାସ ଏବଂ ତାଙ୍କର ଯେଉଁ ଲେଖାରୁ କାମିଲେ ଏହି ସ୍ଥାପତ୍ୟ ନିର୍ମାଣର ପରିକଳ୍ପନା ଲାଭ କରିଥିଲେ ,ତାହା ହେଉଛି ଅଭିଜ୍ଞାନ ଶକୁନ୍ତଳମ୍ ।

ସେଇଥିପାଇଁ ସେ ନିଜର ଏହି ସ୍ଥାପତ୍ୟର ନାମକରଣ କରିଥିଲେ, ଶକୁନ୍ତଳା ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →