ଚୋର

ମୂଳ ରଚନା – ଏକରାମ କବୀର

ଓଡିଆ ଅନୁବାଦ – ମୃଣାଳ

ମୁଁ ଜଣେ ଚୋର । ଖୁବ୍ ଦକ୍ଷ ଚୋର । ମୋ ପେସାଟା ଅତ୍ୟନ୍ତ କୁରୁଚିପୂର୍ଣ୍ଣ ହୋଇପାରେ । ତେବେ ମୋ ପାଖରେ ଏହା ବେଶ୍ ଆନନ୍ଦର । ଆପଣଙ୍କୁ ମୋ କାମଟା ବଡ ଅଳିଆ କାମ ବି ମନେ ହେଇପାରେ । କିନ୍ତୁ କାହାକୁ ନା କାହାକୁ ତ ଏଟା କରିବାପାଇଁ ପଡିବ ।

ମୁଁ ମଣିଷ ଜୀବନରୁ ସମୟ ଚୋରି କରେ । ସେମାନଙ୍କ ମୁହୁର୍ତ୍ତଗୁଡିକ ନାନା ଫନ୍ଦି ଫିକର କରି ଚୋରେଇ ନେଇ ସେମାନଙ୍କ ଜୀବନରୁ ଅସଲ କାମ କରିବାର ସମୟଗୁଡିକ କମେଇ ଦିଏ । ସେମାନେ ବୁଝିପାରନ୍ତି ନାହିଁ ଯେ ମୁଁ ସେମାନଙ୍କର ମୂଲ୍ୟବାନ ମୁହୁର୍ତ୍ତ ଗୁଡିକ ଚୋରେଇ ନେଇ ସେମାନଙ୍କର କେତେ ବଡ଼ କ୍ଷତି କରୁଛି । ସେମାନେ ଏକଥା ଚିନ୍ତାହିଁ କରନ୍ତି ନାହିଁ ଯେ ସମୟକୁ କିଣିହୁଏ ନାହିଁ, ବିକ୍ରି କରିହୁଏ ନାହିଁ, ଆଉ କାହା ପାଖରୁ ଉଧାର ବି ନେଇହୁଏ ନାହିଁ ।

ଏଇଠି ମୁଁ ମୋ କାମଟା କରେ । ମୁଁ ସେମାନଙ୍କୁ ଅକାମରେ ବ୍ୟସ୍ତ ରଖେ । ସେମାନଙ୍କୁ ବିଭ୍ରାନ୍ତ କରି ରଖେ । ମୁଁ ଏମିତି ଭାବରେ ସେମାନଙ୍କ କାନ୍ଧରେ ଅର୍ଥହୀନ ସବୁ ଦାୟୀତ୍ୱ ନ୍ୟସ୍ତ କରି ବ୍ୟସ୍ତ ରଖେ ଯେ ସେମାନେ ଟେର୍ ବି ପାଆନ୍ତି ନାହିଁ । ମୁଁ ମଣିଷର ଗୁରୁତ୍ୱପୂର୍ଣ୍ଣ କାମଗୁଡ଼ାକ ଏମିତି ଭାବରେ ଭୂଲେଇ ଦିଏ ଯେ ସେମାନେ ଖୁସି ହୁଅନ୍ତି ଯେ ସେମାନଙ୍କୁ ସେ କାମଗୁଡିକ କରିବାକୁ ପଡୁନାହିଁ ଏବଂ ସେମାନେ ଭାବିବାପାଇଁ ଭୁଲି ଯାଆନ୍ତି ଯେ ଜୀବନରୁ ସମୟ ହଜି ଯାଉଛି ।

ସେମାନଙ୍କ ସହର ମଝିରେ ଗୋଟେ ବଡ ଟାୱାର ଅଛି । ସେ ଟାୱାରରେ ମସ୍ତବଡ଼ ଘଡ଼ିଟିଏ ଅଛି ଯାହା ଜୀବନରୁ ସମୟ ହଜିଯାଉଥିବାର ଏକ ପ୍ରତୀକ ଭାବରେ କାମ କରେ । ମୁଁ ସେ ଘଡିର ଢଙ୍ଗଢଙ୍ଗ ଶବ୍ଦକୁ ମୂକ କରିଦେଇଛି ଯେମିତି ସେ ଶବ୍ଦଟା ମଣିଷମାନଙ୍କୁ ଆଉ ସମୟ ମନେକରେଇ ଦେଇ ନପାରେ ।

ପ୍ରଥମେ ସେମାନେ ଲକ୍ଷ କରିନଥିଲେ । କିନ୍ତୁ ଯେତେବେଳେ ଦେଖିଲେ ଦିନଗୁଡାକ ଏତେ ଲମ୍ବା ହୋଇ ଯାଉଛି, ସେମାନେ ଏତେ ଅକାମ କରୁଛନ୍ତି – କିନ୍ତୁ ସମୟ ଶେଷ ହେଉନାହିଁ, ସେତେବେଳେ ସେମାନଙ୍କ ମନରେ ସନ୍ଦେହ ଜାଗିଲା । ସେମାନେ ମୋ ସମ୍ପର୍କରେ ଜାଣି ପାରିଲେ ।

କେହି କେହି ମୁଁ ଯେ ଚୋର – ତାହା ଚିହ୍ନି ବି ପକେଇଲେ । ମୋତେ ଧରିବାପାଇଁ ଚେଷ୍ଟା କଲେ । ମୋତେ ଧରିବା ପରେ ସେମାନେ ନିଜ ଜୀବନରେ ଗୋଟେ ଭାରସାମ୍ୟ ଆଣିବାପାଇଁ ଚେଷ୍ଟା କଲେ । କିନ୍ତୁ ମୋ ସହିତ ସେମାନେ କେମିତି ପାରିବେ? ମୁଁ ତ ସମୟ ଚୋର, ମୋର କାମ ହେଉଛି ସେମାନଙ୍କୁ ଅକାମକୁ ଠେଲିଦେବା । ମଣିଷ ସେମାନଙ୍କର ଅସଲ କାମଗୁଡାକ କରନ୍ତୁ, ମୁଁ ତାହା ହେବା ପାଇଁ ଦେବି ନାହିଁ ।

ମୁଁ ସମୟ ଚୋରି ପାଇଁ ଆହୁରି ଉନ୍ନତ ପ୍ରଯୁକ୍ତି ଉଦ୍ଭାବନ କରେ ଏବଂ ତାହା ଅତ୍ୟନ୍ତ ସ୍ପଳ୍ପ ମୂଲ୍ୟରେ ବଜାରରେ ଛାଡିଦିଏ | ତାହା ମ୍ୟାଜିକ୍ ପରି କାମକରେ । ସେମାନେ ମୋ କଥା ଭୁଲିଯାଆନ୍ତି, ସେମାନଙ୍କର ସମୟର ମୂଲ୍ୟ ପୁଣିଥରେ ଭୁଲିଯାଆନ୍ତି; ଏବଂ ମୁଁ ଅତି ମନଯୋଗ ସହକାରେ ଓ ନିରାପଦରେ ସମୟ ଆତ୍ମସାତ କରିବା କାମ ଜାରିରଖେ ।

++++

ଲେଖକ ପରିଚିତି
ଏକରାମ କବୀର ବାଂଲାଦେଶର ଜଣେ ଆଧୁନିକ ଲେଖକ | ସାମ୍ବାଦିକ ଥିଲେ, ଏବେ ଜନସମ୍ପର୍କ ଅଧିକାରୀ ଭାବେ କାର୍ଯ୍ୟରତ |

Leave a Reply

Your email address will not be published. Required fields are marked *