ଚଟିବହିର ଚମକ : ୧ (କବିତା କଳାପ–ଗୋବିନ୍ଦ ରଥ)
ପଣ୍ଡିତ ଗୋବିନ୍ଦ ରଥଙ୍କ ‘କବିତା କଳାପ'(ପ୍ରଥମ ଭାଗ) ପୁସ୍ତକଟି ୧୮୮୫ ମସିହାରେ କଟକ ପ୍ରିଣ୍ଟିଙ୍ଗ କମ୍ପାନୀ ତରଫରୁ ପ୍ରକାଶିତ। ୪୬ ପୃଷ୍ଠା କଳେବର ବିଶିଷ୍ଟ ଏହି ପୁସ୍ତକରେ ମାତ୍ର ୧୨ଟି କବିତା ସନ୍ନିବେଶିତ, ଯାହା ତତ୍କାଳୀନ ଯୁଗୀୟ ପ୍ରବୃତ୍ତିର ସାର୍ଥକ ଇସ୍ତାହାର। ଉନ୍ନବିଂଶ ଶତାବ୍ଦୀର ଶେଷ ଭାଗରେ ପାଶ୍ଚାତ୍ୟ ନବଜାଗରଣର ପ୍ରଭାବ ଫଳରେ ଓଡିଆ କବିତାରେ ଯେଉଁ ଭାବଗତ ଓ ରୂପଗତ ପରିବର୍ତ୍ତନ ଦେଖାଯାଇଥିଲା, ଏ ପୁସ୍ତକରେ ତାର ଯଥାର୍ଥ ପ୍ରତିଫଳନ ଘଟିଛି। ଗୋବିନ୍ଦ ରଥ ହେଉଛନ୍ତି ଆଧୁନିକ ଯୁଗର ଆଦ୍ୟକାଳ ଅର୍ଥାତ୍ ରାଧାନାଥ ଯୁଗର ଜଣେ ବଳିଷ୍ଠ କବି। ଓଡିଶାର ପ୍ରାଥମିକ ଶିକ୍ଷାର ପ୍ରସାର କ୍ଷେତ୍ରରେ ସେ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ମଧୁସୂଦନଙ୍କ “ବର୍ଣ୍ଣବୋଧ” ପ୍ରକାଶ ପାଇବା ପୂର୍ବରୁ ତାଙ୍କର “ବର୍ଣ୍ଣବୋଧକ” ପ୍ରକାଶ ପାଇ ପ୍ରାଥମିକ ଓଡିଆ ପାଠର ଅଭାବକୁ ପୂରଣ କରିଥିଲା। ସେହିପରି ରାଶିରାଶି କବିତା ରଚନା କରି ସେ ତତ୍କାଳୀନ ସାହିତ୍ୟିକ ପରିବେଶକୁ ଚଳଚଞ୍ଚଳ ରଖିଥିଲେ। “କବିତା କଳାପ” ହେଉଛି ସେଇ ଚଳଚଞ୍ଚଳ ଆଧୁନିକ ଚିନ୍ତା ଓ ଚେତନାର ସାର୍ଥକ ସମାହାର।
ସଂକଳନର ପ୍ରଥମ କବିତା ‘ପୂର୍ଣ୍ଣିମାର ନିଶାକାଳ’ କବିତାରେ କବି ପୂର୍ଣ୍ଣିମା ରାତ୍ରିରେ ଆକାଶର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରିଛନ୍ତି।ପୂର୍ଣ୍ଣିମାର ଚନ୍ଦ୍ର ସତେ ଯେମିତି ପ୍ରକୃତିର ମସ୍ତକରେ ଚନ୍ଦନ ଟୋପା ଭଳି ଶୋଭା ପାଉଛି। ରାତ୍ରିକନ୍ୟା ଚନ୍ଦ୍ର ରୂପକ ରୂପାଥାଳୀଟିଏ ଧରି ଭକ୍ତି ସହକାରେ ଈଶ୍ବରଙ୍କୁ ବନ୍ଦନା କରୁଛି। କବିତାରେ ରାତ୍ରିର ଶୋଭା ଉପମା ଓ ଅଳଙ୍କାର ମାଧ୍ୟମରେ ବହୁଧା ଚିତ୍ରିତ। ‘ପଞ୍ଜୁରୀବଦ୍ଧ ଶୁକପକ୍ଷୀ ପ୍ରତି’ କବିତାଟି ଏକ ସମ୍ବୋଧଗୀତିକା। ଏଥିରେ କବି ପଞ୍ଜୁରୀରେ ଆବଦ୍ଧ ଥିବା ଗୋଟିଏ ଶୂକପକ୍ଷୀକୁ ସମ୍ବୋଧନ କରି ତାର ଦୁଃଖଦ ସ୍ଥିତିକୁ ବର୍ଣ୍ଣନା କରିଛନ୍ତି। ତାର ପରାଧୀନତାରେ ଦୁଃଖ ପ୍ରକାଶ କରି ସ୍ଵାଧୀନ ହେବାର ଆଶା ପୋଷଣ କରିଛନ୍ତି। ‘ପ୍ରକୃତିର ଶୋଭା’ କବିତାରେ କବି ଆକାଶ, ସୂର୍ଯ୍ୟ, ସକାଳ, ସନ୍ଧ୍ୟା, ରାତି, ନଦୀ, ପର୍ବତ, ସମୂଦ୍ର ଆଦି ପ୍ରକୃତିର ସୌନ୍ଦର୍ଯ୍ୟ ବର୍ଣ୍ଣନା କରିଛନ୍ତି। “ଆଶା” କବିତାରେ ମଣିଷର ଆଶାର ସ୍ବରୂପ ପରିଲକ୍ଷିତ ହେଲାବେଳେ ‘ସ୍ବଦେଶ’ କବିତାରେ ସ୍ବଦେଶ ପ୍ରତି ଥିବା ଅନ୍ତରଙ୍ଗ ଭାବ ପ୍ରକାଶିତ। ଏଥିରେ ସେ ଓଡିଶାକୁ ମର୍ତ୍ତ୍ୟପୁର ଭାବେ ବର୍ଣ୍ଣନା କରି ନିଜକୁ ଗୌରବାନ୍ବିତ ମନେ କରିଛନ୍ତି। ତାଙ୍କ ମତରେ-
“ସ୍ବଦେଶର କୀର୍ତ୍ତି ମନୋହର ମୂର୍ତ୍ତି
ଦେଖି ଛାତି ଫୁଲିଯାଏ,
ସ୍ବଦେଶୀୟ ରାଜା ସ୍ବଦେଶୀୟ ପୂଜା
ଦେଖି ତୋଷ କେ ନ ପାଏ।”(ପୃ-୧୭)
‘ପୁରୁଷୋତ୍ତମର କେତେକ ଦୃଶ୍ୟ’ କବିତାରେ ପୁରୀର ବିଭିନ୍ନ ଦୃଶ୍ୟ ବର୍ଣ୍ଣିତ ଯେଉଁଥିରେ ଆଧ୍ୟାତ୍ମଭାବ ଓ ଆବେଗ ଏକୀଭୂତ । “ଦ୍ବୀପାନ୍ତରିତ ବ୍ୟକ୍ତିର ଖେଦ” କବିତାଟି ଗୋଟିଏ ଶୋକଗୀତିକା, ଯେଉଁଥିରେ ଜଣେ ଦ୍ବୀପାନ୍ତରିତ ହୋଇଥିବା ବ୍ୟକ୍ତି ନିଜ ପରିବାର, ବନ୍ଧୁବାନ୍ଧବ, ପଡୋଶୀ ଓ ଗାଁର ଶୋକାବିଭୂତ ସ୍ମୃତିଚାରଣ ପରିଲକ୍ଷ୍ୟ। ‘ଇନ୍ଦୁମତୀ ସ୍ୱୟଂମ୍ବର(ରଘୁବଂଶ)’ କବିତାଟିରେ ବିଦର୍ଭର ରାଜା ଭୋଜରାଜାଙ୍କ କନ୍ୟା ଇନ୍ଦୁମତୀଙ୍କ ସ୍ୱୟଂମ୍ବର କଥା ବର୍ଣ୍ଣିତ । ୪୧ ଟି ପାଦ ଥିବା ଏହି ଦୀର୍ଘ କବିତାଟି ରଘୁବଂଶ ପୁରାଣର ଗୋଟିଏ ଆଖ୍ୟାନଧର୍ମୀ କବିତା।’ ‘ଧ୍ରୁବଙ୍କ ପଳାୟନ ଜନିତ ସୁନୀତିଙ୍କର ରୋଦନ’ ବି ଗୋଟିଏ ଶୋକଗୀତିକା ।ସେହିପରି ‘ଶମନ ପ୍ରତି’ କବିତାଟି ଗୋଟିଏ ସମ୍ବୋଧଗୀତିକା ହୋଇଥିବା ବେଳେ ‘ପ୍ରଭାତ’ କବିତାରେ ସକାଳର ଶୋଭା ବର୍ଣ୍ଣିତ। ଶେଷ କବିତା ‘ନୀତି’ ଗୋଟିଏ ଉପଦେଶାତ୍ମକ କବିତା।
“କବିତା କଳାପ” ପୁସ୍ତକ ଆଧୁନିକ ଓଡିଆ କବିତାର ଆଦ୍ୟସ୍ବର ମଧ୍ୟରୁ ଅନ୍ୟତମ। ପାଶ୍ଚାତ୍ୟ କବିତାର ପ୍ରଭାବରେ ଓଡିଆ କବିତାରେ ଆରମ୍ଭ ହୋଇଥିବା ନୂଆ ନୂଆ ରୂପ, ଯଥା, ଏଲିଜି, ଓଡ୍, ବାଲାଡ, ଲିରିକ ଆଦି ପ୍ରୟୋଗ ସହ ଆଧ୍ୟାତ୍ମିକତା, ପ୍ରକୃତିପ୍ରୀତି, ଜାତୀୟତାବୋଧ, ମାନବିକତାବୋ