ଚଟିବହିର ଚମକ : ୨ (ଶାରଦ ସୁମନ ବୈଷ୍ଣବ କବିଚନ୍ଦ୍ର ରାଜଗୁରୁ)
ବୈଷ୍ଣବ କବିଚନ୍ଦ୍ର ରାଜଗୁରୁଙ୍କ ଦ୍ବାରା ରଚିତ ଶାରଦ ସୁମନ ପୁସ୍ତକଟି ୧୯୧୧ ମସିହାରେ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବଡଖେମୁଣ୍ଡିର ଗଜପତି ଭୀମଦେବ ପ୍ରେସରେ ନୀଳମଣି ବିଦ୍ୟାରତ୍ନଙ୍କ ଦ୍ବାରା ପ୍ରକାଶିତ।ପୁସ୍ତକଟି ତତକାଳୀନ ବଡଖେମୁଣ୍ଡିର ରାଜା ଶ୍ରୀଶ୍ରୀ କୃପାମୟ ଅନଙ୍ଗଭୀମ ଦେବଙ୍କୁ ଉତ୍ସର୍ଗୀକୃତ। ମାତ୍ର ୨୮ ପୃଷ୍ଠା ବିଶିଷ୍ଟ ଏହି ଚଟିବହିରେ ଶାରଦୀୟ ପୂଜାର ପୃଷ୍ଠଭୂମିକୁ ଆଧାର କରି ଚାରିଟି କବିତା ସ୍ଥାନିତ, ଯାହା ପ୍ରକୃତିମନସ୍କ କବିଙ୍କ ଆବେଗପ୍ରବଣ ମୁହୂର୍ତ୍ତର ମହନୀୟ ରୂପାନ୍ତର।
କବିତାର ପ୍ରଥମ କବିତାରେ କବି ଶାରଦୀୟ ଦୁର୍ଗାପୂଜା ଉପଲକ୍ଷେ ବିଶ୍ବବନ୍ଦନୀୟା ଦେବୀ ଦୁର୍ଗାଙ୍କୁ ବନ୍ଦନା କରିଛନ୍ତି। ବର୍ଷକେ ଥରେ ହେଉଥିବା ଏହି ଉତ୍ସବରେ ଧନୀ ଗରିବ ନିର୍ବିଶେଷରେ ସମସ୍ତେ କିଭଳି ଆନନ୍ଦ ଓ ଉତ୍ସାହ ସହକାରେ ଅଂଶଗ୍ରହଣ କରଥାନ୍ତି ତାହା ବର୍ଣ୍ଣିତ। ତେବେ ବହୁ ଲୋକ ଦେବୀଙ୍କୁ ବିବିଧ ଦ୍ରବ୍ୟ ଦେଇ ନିଜ ସ୍ତ୍ରୀ, ପୁତ୍ର, ପରିବାର ଭଳି ବ୍ୟକ୍ତିଗତ ସ୍ବାର୍ଥ ମଙ୍ଗଳ କାମନା କରନ୍ତି। ସାଂସାରିକ ଲୋଭ, ମୋହର ବଶବର୍ତ୍ତୀ ହୋଇ ବୃଥା ଆନନ୍ଦ ପାଇବାକୁ ଚେଷ୍ଟା କରନ୍ତି। ଏହି ନିଜସ୍ବ ସ୍ବାର୍ଥକୁ ନାପସନ୍ଦ କରି କବି କହିଛନ୍ତି,
“ମୋର ମୋର ବୋଲି ଯାହାକୁ ହିଁ ମଣ
ସେହି ଏକା ଦିଏ ମନରେ କଷଣ।”

ତାଙ୍କ ମତରେ ଏସବୁ ହେଉଛି କ୍ଷୟଶୀଳ ପଦାର୍ଥ। ଅକ୍ଷୟ ପଦାର୍ଥ ହେଉଛି ସଂଯମ। ସବୁ ସ୍ବାର୍ଥ ତ୍ୟାଗ କରି ସଂଯମ ମନ୍ତ୍ରରେ ଦୀକ୍ଷିତ ହୋଇ ବିଶ୍ବର ମଙ୍ଗଳ କାମନା ନିମନ୍ତେ ଦେବୀଙ୍କୁ ପୂଜା କରିବା ଆବଶ୍ୟକ। କବି ଜଣେ ବୈଷ୍ଣବ ଥିବାରୁ ତାଙ୍କ ହୃଦୟରେ ସନ୍ନାସୀ ସୁଲଭ ଭାବ ଓ ଦାର୍ଶନିକତା ଏଠାରେ ସ୍ପଷ୍ଟ ଲକ୍ଷ୍ୟ କରାଯାଏ। ପୁଣି କହିଛନ୍ତି ଯେ, ମାନସିକ ପୂଜା ନିମନ୍ତେ କୌଣସି ଭେଟିର ଆବଶ୍ୟକ ନଥାଏ। ସତ୍ୟଭାଷୀ ହେଲେ ଦେବୀ ଦର୍ଶନ ଦେବେ, ଅସତ୍ୟଭାଷୀ ହେଲେ ସେ ଦର୍ଶନ ଦେବେ ନାହି। ଏଣୁ ସତ୍ୟତାକୁ ଗ୍ରହଣ କରିବା ପାଇ ସେ କହିଛନ୍ତି-
“ଏଣୁ ସତ୍ୟତାକୁ କର ଆଗୁସାର
ଶାନ୍ତି, ସୁଖ ସବୁ ହୋଇବ ଭଣ୍ଡାର।”
ସାଧାରଣ ଲୋକସମାଜକୁ ଏସବୁ ଉପଦେଶ ଦେବା ପରେ କବି ଦେବୀ ଦୁର୍ଗାଙ୍କୁ ପ୍ରାର୍ଥନା କରି ଜଗତର ମଙ୍ଗଳ କାମନା କରିଛନ୍ତି। ସମଗ୍ର ଜୀବଜଗତ ଯେଉଁ ସନ୍ତାପରେ କାଳ କାଟୁଛି ସେହି ସନ୍ତାପକୁ ନାଶ କରିବା ନିମନ୍ତେ ନିବେଦନ କରିଛନ୍ତି। ଜଣାଣ ଶୈଳୀରେ ଲିଖିତ ଏହି କବିତାରେ ଠାକୁରାଣୀକୁ ଜଗତର ଦୁଃଖ ଜଣାଇ ଜଗତକୂ ଦୁଃଖମୁକ୍ତ ଓ ଶଶ୍ୟଶ୍ୟାମଳା କରିବା ପାଇଁ ପ୍ରାର୍ଥନା କରିଛନ୍ତି।
ଦ୍ବିତୀୟ କବିତାଟି ହେଉଛି “ପଥିକର ବଟତରୁ ଦର୍ଶନ”। ଏଥିରେ କବି ଜଣେ ପଥିକ ଭାବରେ ବଟବୃକ୍ଷ ଦର୍ଶନ କଲା ପରେ ତାର ମହତ୍ତ୍ବକୁ ବର୍ଣ୍ଣନା କରିଛନ୍ତି। ବଟବୃକ୍ଷ ସର୍ବଦା ଜଣେ ଧାର୍ମିକ ବ୍ୟକ୍ତି ତୁଲ୍ୟ ସେବା, ଶାନ୍ତି ଓ ପରୋପକାର କରିଥାଏ। ତାର ଉଦାର ହୃଦୟରେ କୀଟ, ପତଙ୍ଗ,ପଶୁ, ପକ୍ଷୀ ଆଦି ପ୍ରତ୍ୟେକଙ୍କୁ ନିଃସ୍ୱାର୍ଥପର ଭାବରେ ସ୍ଥାନ ଦେଇଥାଏ। ସେଥିପାଇଁ ମୁନିଋଷିମାନେ ଯୁଗ ଯୁଗ ଧରି ବଟବୃକ୍ଷର ଜୟଗାନ କରିଆସିଛନ୍ତି। କବିତାର ଶେଷରେ କବି ନିଜକୁ ଜଣେ ମହାପାପୀ ଭାବେ ମନେକରି ନିଜକୁ ଏ ମୋହମାୟାରୁ ମୁକ୍ତ କରିବା ନିମନ୍ତେ ନିବେଦନ କରିଛନ୍ତି। ଏ କବିତାରେ ବି ନିସର୍ଗ ପ୍ରକୃତି ସହ ମାନବୀୟ ପ୍ରକୃତିର ତୁଳନା କରାଯାଇଥିବା ଲକ୍ଷ୍ୟ କରାଯାଏ।

ବଡଖେମୁଣ୍ଡି ରାଜ୍ୟସ୍ଥ “କେଦାରପୁର ଶମ୍ଭୁଦର୍ଶନ” କବିତାରେ କବି ବଡଖେମୁଣ୍ଡି ଅନ୍ତର୍ଗତ କେଦାରପୁର ଶିବମନ୍ଦିର ଦର୍ଶନ କଲାପରେ ନିଜ ଅନୁଭୂତିକୁ ପ୍ରକାଶ କରିଛନ୍ତି। ବଡଖେମୁଣ୍ଡି ରାଜା କୃପାମୟଦେବଙ୍କ ଦ୍ବାରା ନିର୍ମିତ ଏହା ଏକ ଅପୂର୍ବ କୀର୍ତ୍ତି। ମନ୍ଦିରରେ ପ୍ରବେଶ ପୂର୍ବରୁ କବିଙ୍କ ଥିବା ସ୍ବପ୍ନ ମନ୍ଦିରରେ ପ୍ରବେଶ ପରେ ପୂରଣ ହୋଇଛି। ମନ୍ଦିରର ଉଭୟ ପାର୍ଶ୍ବରେ ଥିବା ନନ୍ଦୀ, ଭୃକୁଟୀ ପ୍ରତିମା, ପ୍ରଭୁଙ୍କ ଆଗରେ ଥିବା ଅସଂଖ୍ୟ ବୃଷଭ ମୂର୍ତ୍ତ ଓ ଶିବଙ୍କ ଅପୂର୍ବ ମୂର୍ତ୍ତ ଦେଖି କବି ନିଜର ଈଷ୍ଟ ସିଦ୍ଧ ହୋଇଥିବା ମନେ କରିଛନ୍ତି। ମନ୍ଦିର ପାର୍ଶ୍ବରୈ ଥିବା ଜଳାଶୟ, ନଦୀର ସୌନ୍ଦର୍ଯ୍ୟ, ବୃକ୍ଷଲତାରେ ପକ୍ଷୀଙ୍କ କୁଜନ ଓ ନିକଟସ୍ଥ ଜଙ୍ଗଲରେ ଥିବା ଔଷଧୀୟ ବୃକ୍ଷଲତା ଓ ହିସ୍ରଜନ୍ତୁ ଏସବୁ ବର୍ଣ୍ଣନା କରି ଶେଷରେ ରାଜ୍ୟର ମଙ୍ଗଳକାମନା କରି କହିଛନ୍ତି-
ଯାହା ରାଜ୍ୟେ ଅଛୁ ଘର କରି ତୁହି
ଯାର ପରସାଦେ ବଡ ବୋଲି କହି
ତାହାର କେବଳ ମଙ୍ଗଳ କାମନା
କରୁଥାଅ ଶେଷ ବିଦାୟ ପ୍ରର୍ଥନା।
ଶେଷ କବିତା “କୁମାର ପୂର୍ଣ୍ଣମୀ”ରେ କବି କୁମାର ପୂର୍ଣ୍ଣମୀ ରାତିର ଅପୂର୍ବ ଶୋଭାରାଜିକୁ ବର୍ଣ୍ଣନା କରିଛନ୍ତି। କୁମାର ପୂର୍ଣ୍ଣମୀର ଜହ୍ନ ଋଷିଙ୍କ ହୃଦୟ ଭଳି ସ୍ବଚ୍ଛ ଓ ଶୁଭ୍ର ହୋଇଥାଏ। ସତେ ଯେମିତି ମିଥ୍ୟାକୁ ନାଶ କରିବା ନିମନ୍ତେ ଜହ୍ନ ହେଉଛି ସତ୍ୟର ପରିପ୍ରକାଶ। ସତେ ଯେମିତି ରାତ୍ରିକନ୍ୟା ଗୋଟିଏ ରୌପ୍ୟଥାଳୀରେ ମଲ୍ଲୀଫୁଳ ମାଳଟିଏ ରଖିଦେଇଛି। ଏଭଳି ଚନ୍ଦ୍ରରଜନୀରେ ଓଡିଶାର ଗାଁ ଗହଳିରେ କିଭଳି କୁମାର ପୂର୍ଣ୍ଣମୀ ପାଳନ କରାଯାଉଛି, ତାର ସୁନ୍ଦର ଚିତ୍ର ଏଥିରେ ରହିଛି। ଏହି ଦିନ ସମସ୍ତେ ନୂତନ ବସ୍ତ୍ର ପରିଧାନ କରି ଖୁସି ମନାଇଥାନ୍ତି। ବିଶେଷ କରି କୁମାର ପୂର୍ଣ୍ଣମୀ ରାତିରେ ଗଞ୍ଜାମର ଚାରିଆଡେ ତାସ ଖେଳ ସହ ଜୁଆ ଖେଳ ବି ହୁଏ। ଦଶହରାରୁ ପୂର୍ଣ୍ଣମୀ ଯାଏ ତାସ ଖେଳିବା ଗଞ୍ଜାମର ଏକ ପରମ୍ପରା, ଯାହା ଏଯାବତ୍ ପ୍ରଚଳିତ। ତେବେ ଅନେକ ଲୋକ ଜୁଆ ଖେଳରେ ପରାଜିତ ହୋଇ ବିମର୍ଷ ହୋଇଥାନ୍ତି। କିଛିଦିନ ପରେ ସେ ଅବସ୍ଥା ବଦଳିଯାଏ। ସେହିପରି ମଣିଷର ଦୁଖ ବି ସବୁଦିନ ସ୍ଥିର ରହେ ନାହି। ଦିନେ ନା ଦିନେ ସୁଖ ଆସେ। ତେଣୁ ସବୁବେଳେ ନିଜ କର୍ମ କରି ଆଶାବାଦୀ ହେବା ପାଇଁ ନିବେଦନ କରିଛନ୍ତି। ତାଙ୍କ ମତରେ-
କରିବା କରମ କେବଳ ରହିବ
ମାଟିପିଣ୍ଡ ଦିନେ ମାଟିରେ ମିଶିବ
ସାବଧାନେ କର ନାମ ଉପାର୍ଜନ
ଯୁଗେ ଯୁଗେ ତାହା ନୋହିବ ମଳୀନ।
ପରିଶେଷରେ ଏକଥା କୁହାଯାଇପାରେ ଯେ, ଶାରଦ ସୁମନ ପୁସ୍ତକଟି ତତକାଳୀନ ସାମାଜିକ ଓ ଆଧ୍ୟାତ୍ମିକ ପୃଷ୍ଠଭୂମିରେ ରଚିତ ହୋଇଥିଲେ ବି ଏଥିରେ ବୈଷ୍ଣବ କବିଙ୍କ ଦାର୍ଶନିକ ଚିନ୍ତା, ଜୀବନ ଦର୍ଶନ, ଆଧ୍ୟାତ୍ମିକ ଭାବଧାରା ଓ ପ୍ରକୃତିପ୍ରେମ ଏକୀଭୂତ ହୋଇଛି। ଶାରଦକାଳୀନ ବିବିଧ ପରିବେଶ ଚିତ୍ରଣ ମଧ୍ୟରେ ଜୀବନର ମହତ୍ତ୍ବକୁ ଅଧିକ ଗୁରୁତ୍ତ୍ବ ଦିଆଯାଇଛି। ଯଥାର୍ଥରେ କବିତା ପୁସ୍ତକଟି କ୍ଷୁଦ୍ର ହେଲେ ବି ଏଥିରେ ଥିବା ବିଷୟ ବିଂଶ ଶତାବ୍ଦୀର ଆଦ୍ୟକାଳୀନ ମନୋଭାବର ବୃହତ୍ ପରିପ୍ରକାଶ।