ପଦ୍ୟ :
ବୋଇତ ଯାଉଛି ପ୍ରଳୟ ନେଇ,
ରାଜା ଋଷି ନର ସବାର ଥାଇ।
ଘର ର ଦୁଆର ଅଥଳ ଥଳ
କାଳ ଚହଟିଣ ହୁଏ ବିକଳ।
ଗତି ଅଛି ନାହିଁ ଦିଗବାରେଣୀ,
ଆଲୁଅ ଖେଳକୁ ଅଂଧାରେ ଗଣି।
ସଭିଏଁ ଏଇଠି ବୋଇତିଆଳ,
କେତେ ସଂଭାଳିବେ ଆପଣା ଖେଳ।
ମାଛରୂପ ନେଇ ନିଜ ବୋଇତ,
ବୁଝାଇଣ କହେ ସୃଜନଗୀତ।
କାର୍ତ୍ତିକ ଶେଷର କଥାଟି ଏହି,
ଅଶୁଦ୍ଧ ଶୁଦ୍ଧକୁ ଘେନିବେ ନାହିଁ।
ସେଇଠି ସମାପ୍ତ ପ୍ରଳୟ ଜଳ,
ଏକ କାଳ ହେବ ସହସ୍ର କାଳ।
ଅଥଳରୁ ଜାତ ସେ ରୂପବତୀ,
ସବୁ ବୋଇତର ଏକଇ ଗତି।
ଗଦ୍ୟ :
ଚିତ୍ରଟିର ଆଧାର ମତ୍ସ୍ୟ ପୁରାଣ।
ଚିତ୍ରଟିରେ ଯାହା ରହିଛି, ଯାହା ଆମର ସାଧାରଣ ଆଖିକୁ ଦିଶୁଛି ତାହା ହେଲା ପ୍ରେକ୍ଷାପଟରେ ଜଳର ମହାପ୍ଲାବନ ତଥା ଏକ କୂଳହୀନ ଅନନ୍ତ ବିସ୍ତାର, ଗୋଟିଏ ବୋଇତ,ଗୋଟିଏ ମାଛ ଆଉ ସେଇ ମାଛର ଶିଙ୍ଗରେ ବନ୍ଧା ହୋଇରହିଛି ସେଇ ବୋଇତଟି, ସେଇ ବୋଇତଟିରେ ଏକାଠି ସହଯାତ୍ରୀ ଅଛନ୍ତି ରାଜା ଆଉ ୠଷି ଭଳି ସାଧାରଣ ମଣିଷର ପ୍ରତିନିଧି ପୁରୁଷଗଣ, ଆଉ ସେଇ ବିଚିତ୍ର ବୋଇତ ଆଉ ସେଇ ବିଚିତ୍ର ଯାତ୍ରୀଗଣଙ୍କୁ ଏଇଭଳି ଏକ ଅକୂଳମୟତାରେ ଆଗାମୀର ସମସ୍ତ ଗତି ପ୍ରଦାନ କରୁଛି ସେଇ ପ୍ରକାଣ୍ଡ କାୟ ମାଛଟି।
ଚିତ୍ରଟିରେ ଏଇ ସମସ୍ତ ଦୃଶ୍ୟମାନତାକୁ ଏକାଠି ଦେଖିବା ପରେ ମନକୁ ଯାହା ଆସୁଛି ତାହା ହେଉଛି ପ୍ରଳୟ, ପ୍ରଳୟକାଳରେ ଗତିରବିଧାନ,ଏବଂ ଗତିର କାରକ ମାଛ ଓ ବୋଇତ।
ମତ୍ସ୍ୟ ପୁରାଣ ଅନୁସାରେ ପ୍ରଳୟକାଳକୁ ନିବାରିତ କରିବା ପାଇଁ ଉପଗତ ହୋଇଥିବା ମାଛଟି ତେଣୁ ଆଉ କେହି ନୁହଁ, ସେ ଈଶ୍ୱର,ଏକଥାକୁ ବୁଝିବା କଷ୍ଟକର ହେବ ନାହିଁ।
ମତ୍ସ୍ୟ ପୁରାଣରେ ସେଇ ଶ୍ଳୋକଟି ଏହିପରି :
“ଯୁଗାନ୍ତବାତାଭିହତା ଯଦା ଭବତି ନୌନୃର୍ପ
ଶୃଙ୍ଗେହସ୍ମିନ ମମ ରାଜେନ୍ଦ୍ର ତଦେମାଂ ସଂଯମିଷ୍ୟାସି।”
ଏହାର ଅର୍ଥଟି ଏଇଭଳି :
“ଯୁଗର ଅନ୍ତ ହେବା ଭଳି ପବନ ଯେତେବେଳେ ଅଭିହିତ ହେବାକୁ ବସେ ସେତେବେଳେ ମୋର ଶିଙ୍ଗରେ ବନ୍ଧା ନୌକାରେ ଅବସ୍ଥାନ କରିବାକୁ ପଡିବ ସମସ୍ତ ନୃପ (ପ୍ରତିନିଧି) ସକଳଙ୍କୁ ଏବଂ ସେତେବେଳେ ବସ୍ତୁତଃ ସମସ୍ତଙ୍କୁ ଯଥେଷ୍ଟ ସଂଯମ ଅବଲମ୍ବନ କରିବାକୁ ପଡିବ।”
ପ୍ରଥମରୁ ଆମକୁ ସେଇ ଗୋଟିକ ବାସ୍ତବ-ନିର୍ଦ୍ଦେଶିକା ସହିତ ରହିବା ଏକାନ୍ତ ପ୍ରୟୋଜନ, ତାହା ହେଉଛି ପ୍ରଳୟ ଭଳି ଯେତେକ ଦୁର୍ଦ୍ଦମନୀୟ ଅନ୍ତକୁ ସାମ୍ନା କରିବାକୁ ଗଲାବେଳେ ଆମକୁ ସବୁବେଳେ ଭାବପରକ ଅସହାୟତାରେ ଭାସିନଯାଇ ସ୍ଥିର ତଥା ସଂଯତ ରହିବାକୁ ହେବ।
ଏବେ ଆସିବା ପ୍ରଳୟର ସ୍ଥାପତ୍ୟକୁ।
ପୁରାଣରେ ବସ୍ତୁତଃ ଚାରି ପ୍ରକାର ପ୍ରଳୟ ର ବର୍ଣ୍ଣନା ଅଛି ଯଥା,ନିତ୍ୟ,ନୈମିତ୍ତିକ,ପ୍ରାକୃତ ଓ ଆତ୍ୟନ୍ତିକ।ଆତ୍ୟନ୍ତିକ ପ୍ରଳୟଟି ସବୁଠୁ ଜଟିଳ। ଜ୍ଞାନ ଲାଭ ପାଇଁ ଯୋଗୀ ମାନଙ୍କର ପରମାତ୍ମାଙ୍କ ସହ ବିଲୀନ ହେବା କୁ ଆତ୍ୟନ୍ତିକ ପ୍ରଳୟ ବୋଲି କୁହାଯାଏ।
ଜୀବ ଓ ବସ୍ତୁର ପ୍ରାତ୍ୟହିକ ବିନାଶ କୁ ନିତ୍ୟ ପ୍ରଳୟ ବୋଲି କୁହାଯାଏ।ଏହାଛଡା ସୁସୁପ୍ତି ବା ନିଦ୍ରାକୁ ବି ଏହି ନିତ୍ୟ ପ୍ରଳୟ ଭାବରେ ଉଲ୍ଲେଖ କରାଯାଇଛି।
ନୈମିତ୍ତିକ ପ୍ରଳୟ କୁ ବ୍ରହ୍ମ ପ୍ରଳୟ ବୋଲି ବି କୁହାଯାଏ।ଗୋଟିଏ କଳ୍ପର ଶେଷରେ ବ୍ରହ୍ମାଙ୍କ ଭଳି ଏକ ସମୟକାର ଯାହାର ପୂର୍ଣ୍ଣରୂପ ଟି ହେଉଛି ସହସ୍ର ଚତୁର୍ଯୁଗ ଆଉ ତାହା ମଧ୍ଯରୁ ଏକ ଦିବାଭାଗର ଅବସାନ ହେଲେ ତ୍ରିଲୋକର ବିନାଶ ହୁଏ । ଏହି ବିନାଶକାରୀ ଘଟଣାକୁ ନୈମିତ୍ତିକ ପ୍ରଳୟ ବା ଖଣ୍ଡ ପ୍ରଳୟ ବୋଲି କୁହାଯାଇଥାଏ। ଏହି ପ୍ରଳୟ ସମୟରେ ପ୍ରଜାପତି ବା ବ୍ରହ୍ମା ସମଗ୍ର ତ୍ରିଲୋକକୁ ତାଙ୍କର ଆଖି ଭିତରେ ରଖିଥାନ୍ତି।ଆପଣମାନେ ଜାଣନ୍ତି ଆଖିଠୁ ବଳି ସୁରକ୍ଷିତ ବଂଦୀଶାଳା ଆଉ କେଉଁଠି ନାହିଁ।ଆଖିରେ ଯିଏ କଏଦୀ ରହିଗଲା ମାନେ ଆଉ ତାହାର କେବେହେଲେ ମୁକୁଳିବାର ବାଟ ନାହିଁ।ଠିକ୍ ସେହିପରି ବିଧାତାର ଆଖିରେ ତ୍ରିଲୋକଟି ସୁରକ୍ଷିତ ହୋଇ ରହିବା ବେଳେ ଯାବତୀୟ ପ୍ରଳୟ ଖେଳରେ ସେଇଠି ମାତି ରହୁଛି।ଆଖି ଭିତରେ ସବୁ ସ୍ଥିର ଆଉ ନିୟମିତ, ଭଂଗାରୁଜା ବି ଚାଲିଥାଏ ଏକାବେଳେ।
ନୈମିତ୍ତିକ ପ୍ରଳୟର ଆଉ କିଛି ଦୃଶ୍ୟ ଦେଖିବା ଯାହା ଆମକୁ ଆମର ଋଷି ମହର୍ଷୀ ମାନେ ଦେଖାଇଯାଇଛନ୍ତି। ଏଇ ସମୟରେ ଆମର ପାଳନକର୍ତ୍ତା ବିଷ୍ଣୁ ସୂର୍ଯ୍ୟଙ୍କର ଯେଉଁ ସାତୋଟି ରଶ୍ମୀ ଅଛି ତାହା ଭିତରେ ମିଳାଇ ଯାଆନ୍ତି।ଏହା ଯେମିତି ଭଡାଘର ଛାଡୁ ନଥିବା କେଉଁ ଲୋକକୁ ଆଲୁଅ ପାଣି ଆଦି ବିଚ୍ଛିନ୍ନ କଲା ଭଳି କଥା।ବିଷ୍ଣୁ ମିଶିଗଲା ପରେ ସୂର୍ଯ୍ୟଙ୍କ ରଶ୍ମି ଆହୁରି ବଳିଆନ ହୋଇ ଉଠେ।ଯେତେବେଳେ ପାଳନକର୍ତ୍ତାଟିଏ ସଂହାରମୁଖା ହୋଇପଡେ ସେତେବେଳର ଭୟାବହତାକୁ ଆମେ ଆମ ଇତିହାସରୁ ସଠିକ ରୂପେ ହୁଏତ କଳନା କରି ନେଇ ପାରିବା। ବିଷ୍ଣୁଯୁକ୍ତ ସେଇ ସୂର୍ଯ୍ୟ ରଶ୍ମି ତ୍ରିଭୂବନର ସବୁ ଜଳକୁ ପାନ କରିଦିଅନ୍ତି। ପାତାଳ ବି ଜଳଶୂନ୍ଯ ହୋଇଉଠେ। ତାହାପରେ ବିଷ୍ଣୁ ସାତଟି ରଶ୍ମିକୁ ସାତଟି ସୂର୍ଯ୍ୟ କରିଦେବେ ଆଉ ସେଇ ସାତଟି ଯାକ ସୂର୍ଯ୍ୟ ତ୍ରିଭୂବନକୁ ପୋଡି ଛାରଖାର କରିଦେବେ।
ଭୂଃ,ଭୂବଃ ଆଉ ସ୍ୱଃ ଏଇ ତିନୋଟି ଯାକ ଲୋକ ଧ୍ବଂସ ପାଇଯିବ।ସ୍ୱଃ ଲୋକର ଅଧିବାସୀ ମାନେ ବିସ୍ଥାପିତ ହେବେ ମହଃ ବୋଲି ଏକ ଲୋକକୁ କିନ୍ତୁ ମହଃ ବୋଲି ଲୋକଟି ଉତ୍ତପ୍ତ ହୋଇଯିବାରୁ ସେମାନେ ଯାଇ ଜନ ବୋଲି ଏକ ଲୋକରେ ଆଶ୍ରା ନେବେ।ବ୍ରହ୍ମା ସେତେବେଳକୁ ଯୋଗ ନିଦ୍ରାରେ।
ତାହାପରେ ପାଳନକର୍ତ୍ତା ଫେରିବେ ତାଙ୍କର ପୂର୍ବ ଆସ୍ଥାନକୁ।ସୂର୍ଯ୍ୟଙ୍କ ଠାରୁ ଅଲଗା ହୋଇଗଲା ପରେ ବିଷ୍ଣୁଙ୍କ ମୁଖ ବଜ୍ର ବିଦ୍ୟୁତ ଇରମ୍ମଦମୟ। ଶହେ ବର୍ଷର ଅବିରାମ ବର୍ଷାରେ ସମସ୍ତ ଅଗ୍ନୀ ନିର୍ବାପିତ ହେବ।
ସେହି ପ୍ରଳୟ ପୟୋଧି ଜଳରେ ଉପସ୍ଥିତ ହେବ ଶେଷ ନାଗ ଆଉ ତାହା ଉପରେ ଶାୟିତ ଯୋଗନିଦ୍ରାରେ ବିଷ୍ଣୁ।ତାହାପରେ ତାଙ୍କର ପଦତଳେ ଲକ୍ଷ୍ମୀ ଆଉ ନାଭିପଦ୍ମରେ ବ୍ରହ୍ମା।ଯେତେ ପ୍ରଳୟ ହେଲେବି ଏଇ ଚାରିଜଣ ଅବିନାଶୀ,ଅନନ୍ତ,ବିଷ୍ଣୁ,ଲକ୍ଷ୍ମୀ ଓ ବ୍ରହ୍ମା। ଏଇ ଚାରିଜଣଙ୍କର ଉପସ୍ଥିତିର ତତ୍ତ୍ୱାବଧାନ ରେ ନିର୍ମାଣ ହୋଇଥାଏ ଯେ କୌଣସି ପ୍ରଳୟ ପରବର୍ତ୍ତୀ ସୃଜନ।
ଏଇ ଚାରୋଟି ପ୍ରଳୟରୁ ଆଉ ରହିଲା ଗୋଟିଏ ପ୍ରଳୟ ଯାହାକୁ ପ୍ରାକୃତ ପ୍ରଳୟ ବୋଲି କୁହାଯାଏ। ଏହା ଆତ୍ୟନ୍ତିକ ପ୍ରଳୟ ପରି ଅନେକ ପରିମାଣରେ ତାତ୍ତ୍ବିକ ପ୍ରଳୟ।ଅବଶ୍ଯ କେଉଁ ପ୍ରଳୟଟି ତାତ୍ତ୍ଵିକ ପ୍ରଳୟ ନୁହଁ ?ଯେ କୌଣସି ବିନାଶକୁ ଦେଖିବା ଆଉ ବୁଝି ପାରିବା ଭଳି ତଲ୍ଲୀନତା ସବୁବେଳେ ଆମର ତାତ୍ତ୍ବିକ ପକ୍ଷଟିକୁ ଉଜାଗର କରିଥାଏ। ସେ ଯାହାହେଉ ସମଗ୍ର ସୃଷ୍ଟି ଯେତେବେଳେ ପ୍ରକୃତିରେ ଲୀନ ହୋଇଯାଏ ସେହି ବିନାଶକୁ ପ୍ରାକୃତ ପ୍ରଳୟ ବୋଲି ବୁଝାଯାଏ। କାଳ ଅଗ୍ନିରୂପ ହୋଇ ଏଇ ପ୍ରଳୟଟି ଘଟାଇ ଥାଏ।
ଆଜି ପ୍ରଳୟମୁଖ କାହିଁକି ?ପ୍ରଳୟ କହିଲେ ତ ବିନାଶ, ତେବେ ବିନାଶମୁଖ କାହିଁକି ଆଜି ? ବିନାଶ ସହିତ ଗୋଟିଏ ହିଂସ୍ରତା ଜଡିତ ରହିଥାଏ ସବୁବେଳେ।ଏଇ ମାନବିକ ହିଂସ୍ରତା,ଦୃଶ୍ୟ ହେଉ କି ମନ ଗଂଭୀରାରେ ରହି ନିଜର ପାଉଁଜି ଛମଛମ କରୁଥାଉ ବେଳ ଅବେଳରେ,ତାହା ବିଷୟରେ ଗୋଟିଏ ସୁନ୍ଦର ବ୍ଯବଚ୍ଛେଦ କରିଛନ୍ତି ବିଶିଷ୍ଟ ମନୋବିଜ୍ଞାନୀ ଏରିଖ୍ ଫ୍ରମ୍ ତାଙ୍କର ପ୍ରସିଦ୍ଧ ବହି “ଦି ଆନାଟୋମି ଅଫ୍ ହ୍ୟୁମାନ ଡେଷ୍ଟ୍ରକ୍ଟିଭନେସ୍”।ସେ ବିଷୟରେ ବିସ୍ତାରରେ ଆଉ କେବେ।ଏଇଠି ଏରିଖ୍ ଫ୍ରମ୍ ଙ୍କର ଗୋଟିଏ କଥା କହିବି।ମାନବିକ ହିଂସ୍ରତା ର ଗୋଟିଏ ଅନ୍ୟତମ ପ୍ରମୁଖ କାରଣ ହିସାବରେ ସେ ବିବେଚନା କରିଛନ୍ତି ଯେ ସାର୍ବଜନୀନ ଜୀବନରେ ଜଣେ ଯେତେବେଳେ ନିଜର ଅଭିଳଷିତ ବ୍ୟକ୍ତିଗତ ସ୍ଥାନ ଟିକୁ ନିଜର କରି ରଖିବାରେ ଅସମର୍ଥ ବା ଅସଫଳ ହୁଏ ସେତେବେଳ ସେ ହିଂସ୍ର।
ଆମେ ହୁଏତ ଆମମାନଙ୍କର ପ୍ରାଇଭେଟ୍ ସ୍ପେସ୍ ଟି ପାଇବାରେ ଅସମର୍ଥ,ତେଣୁ ହିଂସ୍ର।
ଆମର ଯାବତୀୟ ହିଂସ୍ରତାର ପ୍ରଳୟ-ପୟୋଧି-ଜଳଜାତୀୟ ବିନାଶରୁ ଆମକୁ ଉଦ୍ଧାର କରିବା ପାଇଁ ସବୁବେଳେ ସେ ପ୍ରସ୍ତୁତ ରହିଛି,ପ୍ରକାରରେ ହେଉ କି ପ୍ରତୀକରେ ହେଉ। ଆସନ୍ତୁ ଖାଲି ଆଜି ନୁହଁ, ତାହାକୁ ବଂଦାଣ କରିବା ସବୁବେଳେ।
ଆମର ସାଧାରଣ ପଦ-ଗତିକୁ ପ୍ରଖର,ସ୍ୱଚ୍ଛନ୍ଦ ତଥା ଆଳଙ୍କାରିକ କରିବା ପାଇଁ ଆମେ ଆମର ପାଖରେ ନଈନାଳରେ ନୌକା ନିର୍ମାଣ ,ସମୁଦ୍ରପାଇଁ ମହାନୌକା ର ବିଧାନ କଲୁ,ଅକଳ୍ପିତ ଦୂରଗାମୀ ହେଲୁ,ଅଜଣା ଦ୍ୱୀପରେ ଚିରତର ବଣିଜ କଲୁ,ସମୃଦ୍ଧ ହେଲୁ ଆଉ ସବାଶେଷରେ ବୁଝିପାରିଲୁ ଯେ ସମସ୍ତ ନୌକା ହେଉଛି ବସ୍ତୁତଃ ନିର୍ମାଣ -କାୟା।
ନୌକାକୁ ଶରୀର ବୋଲି ବୁଝିଗଲାପରେ ଆମର ଆନନ୍ଦର ସୀମା ନାହିଁ,ଆମର ଜଳଯାତ୍ରା ଅବାରିତ ରହିଛି।
ଏମିତିରେ ତାହା ବ୍ୟତୀତ ଆମର ଅନ୍ୟଗତି ତ ଆଉ ନାହିଁ। ସେଇ ଅକ୍ଷୟ,ପ୍ରିୟ ଆଉ ସୁମନୋହର ମୟୁରକଂଠୀ ବୋଇତକୁ ବନ୍ଦାଣ କରୁଛି।

