ବିଧ୍ୱସ୍ତ

ମୂଳ ଲେଖା : ଶିରାନି ରାଜପକ୍ଷ || ଅନୁବାଦ : ଜ୍ୟୋତି ନନ୍ଦ

ସେ ରାସ୍ତାରେ ଯାଉଥିଲା ମଥାରେ ନିଜର ବେପାରକୁ ନେଇ ରାଜ୍ୟ ଯାକର ଚିନ୍ତା,ସେତିକିବେଳେ ଠିକ୍ ତାହାର ଆଗରେ ବିଷ୍ଫୋରଣଟି ଘଟେ। ଶବ୍ଦକୁ ନେଇ ଯେତେ ବାଧକ ଥିଲା ତାହାକୁ ସେ ବିଧ୍ୱସ୍ତ କରିଦିଏ ଆଉ ତାହାର ଝଲକ ଚାରିଆଡକୁ ବିଛାଡି ପଡେ। ସେ ଯେଉଁ ପଥରେ ଥିଲା ସେଇଠି ଅଟକି ଯାଏ; ଆଉ ଅଲଗା କୁଆଡେ ଯିବାର ନାହିଁ । ତାହାର ପାଦ ଶୂନ୍ୟରେ ଉଡୁଛି ଆଉ ତାହାର ମଥାର କେଶରାଜି ସ୍ପର୍ଶ କରୁଛି ପେଭମେଣ୍ଟକୁ। ତାହାର ଚାରିପଟଯାକ ବିଜୁଳି । ତାହାର ମଥାରେ ଘଡଘଡି ଗର୍ଜନ କରୁଛି।ତାହାର ବାମପଟ କାନରେ ବାଜିଚାଲୁଛି ପ୍ରତ୍ୟେକଟି ଧ୍ୱନୀ ସ୍ପଷ୍ଟ ଅଥଚ ପରସ୍ପରଠାରୁ ବିଚ୍ଛିନ୍ନ ଏପରି ଏକ ସଂଗୀତ ଆଉ ତାହା ଭିତରୁ ବାହାରି ଆସିବା ପାଇଁ ଚେଷ୍ଟାକରୁଛି କାରଣ ଘଡଘଡି ର ଅନୁପ୍ରବେଶ ଯେହେତୁ କର୍ଣ୍ଣପଟଳକୁ। ନିଜର ଆଖି କୋଣରୁ ସେ ଅସ୍ପଷ୍ଟ ଭାବରେ ଦେଖିପାରେ କର୍ଣ୍ଣପଟଳଟି ପାଦଚଲା ରାସ୍ତା ଉପରେ ଗଡିଯାଉଛି ଯେମିତି କୁଆଡକୁ ଯିବା ପାଇଁ ଭାରି ବ୍ୟସ୍ତ,ଯେ କୌଣସି ଜାଗା,ତାହାର ଉଚ୍ଚକିତ ଅନୁନାଦିତ କାନ ଛଡା ଅନ୍ୟ କେଉଁଠିକୁ।

ନିଦିଶା ଜାଣିପାରେ ସେ ଭୂଇଁରେ ପଡିଛି ଯେହେତୁ କିଏଜଣେ ତାହାର ହାତକୁ ଚକଟି ଦେଇ ଆଉ କୁଆଡକୁ ଯିବା ପାଇଁ ଭାରି ବ୍ୟସ୍ତ। ସେ କିଏ ସେକଥା ସେ ଦେଖିପାରି ନାହିଁ କାରଣ ମଥାର ଉପରେ ସୂର୍ଯ୍ୟ ର ଆଲୁଅ ଆଉ ତାହାର ଆଖି ରେ ଲକ୍ଷାଧିକ ଫ୍ଲାଶଲାଇଟ; ନୀଳ,ଲାଲ ଆଉ ସବୁଜ ଭଳି ଉଜ୍ଜଳ ରଂଗର ଆଲୁଅ ଘରମାନଙ୍କରେ ଯେମିତି ଓହଳାଯାଇଥାଏ ଆଉ ରାସ୍ତାକଡରେ,ଚୈତ୍ରପୂର୍ଣ୍ଣିମାର ମହାନ ବୌଦ୍ଧପର୍ବ “ଭେଶକ” ସମୟରେ । ନିଦିଶା ଚିତ୍କାର କରି ଡାକେ ହେଲେ ତାହାର କଥା ଯିବାର ବାଟଟି ଯେମିତି  କଟାଯାଇଛି ଆଉ ଭୂଇଁରେ ତାହା ଧଇଁ ସଇଁ ହେଉଛି, ଠିକ୍ ତାହାର ପାଖକୁ ଲାଗି। ସେ କିଛି ଶୁଣିପାରୁନାହିଁ,ସେ କିଛି ଦେଖିପାରୁନାହି,ସେ କିଛି କହିପାରୁନାହିଁ । ସେ ଯେମିତି ପାଲଟି ଯାଇଛି ସେଇ ତିନୋଟି ବୁଦ୍ଧିମାନ ମାଙ୍କଡ,ତିନୋଟିଯାକ ଏଇଲେ ଗୋଟିଏ । ହୋଇଛି କ’ଣ ?

ସେ ଟିକିଏ ବୋଲି ଘୁଞ୍ଚି ବି ପାରୁନି।ନିଦିଶା ଅନୁଭବ କରେ ଯେଉଁ ପାଦଚଲା ରାସ୍ତାଟି ତାହାର ପାଦକୁ ଏଇ କିଛି ସମୟର ଆଗ ଯାଏଁ ଶକ୍ତ କରି ଧରିରଖିଥିଲା,ସେ ସେଇ ପେଭମେଣ୍ଟ ରେ ପଡିରହିଛି। ସେ କ’ଣ କିଛି ଗୋଟାଏ ଅନୁଭବ କରୁଛି ମାତ୍ର ସେଇଟି ଅସଲରେ କ’ଣ ସେ  ବିଷୟରେ ସେ ନିଶ୍ଚିତ ହୋଇପାରୁନାହିଁ। ତାହାର ବାହାଟି କ’ଣ ତା’ ପାଖରେ ପଡିଛି,ଯାହାକୁ କିଏ ଟିକିଏ ଆଗରୁ ଦଳିଦେଇ ଗଲା ? ଆଉ ସେଇଟା କ’ଣ ତାହାର ଗୋଡ ଯାହା କଦାକାର ଭାବରେ ବାହାରକୁ ବାହାରି ଆସିଛି ? ସେଇଟା ତାହେଲେ କ’ଣ ? ସେ ଘୁରିବୁଲେ। ଆଉ ତାହାପରେ ଏଇ କଥାଟି ତାହାର ମନକୁ ଭେଦିଯାଏ ଯେ ସେ ଆଉ ସେଇଠି ନାହିଁ ।

କେହି ଜଣେ ଛଡେଇ ନେଇଯାଇଛି ତାହାର ରାସ୍ତା ଉପରେ ଚାଲିବାର ଅଧିକାରକୁ । ଯେ ଜଣେ କେହି ତାହାର ସ୍ତନର ସନ୍ଧିରେ ବାନ୍ଧିଦେଇଯାଇଛି ଗୋଟିଏ ବୋମା ଆଉ ଅଧିକ ଦୂର ନୁହଁ ସେଇଠି ନିଜକୁ ବିଷ୍ଫୋରିତ କରିଦେଇଛି। ସେଇ ସୁଉଚ୍ଚ ଧ୍ୱନୀକୁ ନିଦିଶା ଶୁଣିଛି,ଘଡଘଡି ଠାରୁ ଅଧିକ ତୀବ୍ର ,ଘଡିକ ଆଗରୁ ଯାହା ତାହାକୁ ଧ୍ୱଂସ କରିଦେଇଯାଇଛି । ସେ ଆଉ ସେଇଠି ନାହିଁ । ତଥାପି ନିଦିଶା ଅନୁଭବ କରେ ଯେ ଗତିଶୀଳ ହୋଇପାରେ,ସେ ଚାହେଁ ସେଇଠିକୁ ଯିବାକୁ ଯେଉଁଠିକୁ ସେ ଯାଉଥିଲା। ହେଲେ କେମିତି,ଆଉ କେଉଁଠିକୁ ?

ନିଜ ଦେହସାରା ଉଷୁମୁଳିଆ ଗୋଟିଏ କେମିତି ତାହାର ଖେଳିଯାଉଛି। ରାସ୍ତାର ଖାଲରେ ବର୍ଷାପାଣି ଜମି ରହିଛି,ହେଲେ ବର୍ଷା ନାହିଁ । ଉଜ୍ଜଳ ସୂର୍ଯ୍ୟ  ଗୋଟିଏ କୁତ୍ସିତ ଧୂସର ଭଉଁରିରେ ତରାଟି ଚାହିଁଛି ତାହାକୁ,ଚାରିପଟେ ଭଉଁରି। ରାସ୍ତାରେ ଜମିରହିଥିବା ଖାଲ ପୋଖରୀ ହୋଇଯାଏ ଆଉ ତାହାପରେ ରୂପନିଏ ଝରଣାର।ତାହାପରେ ଝରି ଯିବାକୁ ଲାଗେ,ବହି ଚାଲେ ଆଗକୁ,ସମୁଦ୍ର ଆଗରେ ପାଞ୍ଚମାଇଲ ଦୂରରେ,ସେଇଠିକୁ। ତାହାର ରସ ସବୁ ହଠାତ୍ ଆଉ ଦ୍ରୁତ ଭାବରେ ଉଦଗାରି ଉଠେ ଭିଜାଇ ଦିଏ ପୂରା ରାସ୍ତା ଆଉ ପାଦଚଲା ରାସ୍ତା। ଖୁବ୍ ଶିଘ୍ର ଏହା ସମୁଦ୍ର ନିକଟରେ ପହଞ୍ଚିଯିବ,ସେଥିରେ ସେ ନିଶ୍ଚିତ । ସେ ବହିଚାଲେ ଆଉ ତାହାକୁ ଦେଖି ଅନ୍ୟମାନେ ତାହା ସହ ବାଟରେ ଯୋଗଦିଅନ୍ତି । କ୍ଷୁଦ୍ର ପ୍ରବାହ ମାନେ ଉତ୍ତର ଚାହାଁନ୍ତି ,ସେମାନେ ସେହି ସମାନ ଦିଗରେ ବହି ଚାଲନ୍ତି। ସେମାନେ ନଦୀ ପାଲଟି ଯାଆନ୍ତି । ସେମାନଙ୍କର ଅପେକ୍ଷାରେ ଥିବା ସମୁଦ୍ର ଆଡକୁ ସେମାନେ ଆଗେଇ ଯାଆନ୍ତି।

ଏବଂ ତାହାର ଚାରିପଟରେ  ଯେଉଁ ଲୋକମାନେ ଚିତ୍କାର କରୁଛନ୍ତି ,ସେମାନଙ୍କର ମଥାଟିମାନ ନାହିଁ।ଏପରି ଯେଉଁ ଅଳ୍ପ କେତେଙ୍କର ମଥା ବହାଲ ରହିଛି ସେମାନେ ବି। ସେ ଦେଖିପାରୁନାହିଁ,ଅଳ୍ପ କିଛି ଶୁଣିପାରୁଛି ମାତ୍ର ଏଇ ସବୁକିଛିକୁ ସେ ଅନୁଭବ କରିପାରୁଛି। ସେମାନେ ସଭିଏଁ ମାଛିମଶା ପରି ତଳେ ପଡିଛନ୍ତି,ଆହୁରି ଆସିବେ।ଏଇ ସବୁ ଏଇଥିପାଇଁ ହୋଇଛି କାରଣ ସେ ସାହସ ବାନ୍ଧିଥିଲା ସଂତ୍ରାସବାଦୀଙ୍କ ବିରୁଦ୍ଧରେ ଯାଇ ସେଦିନ ର କାମ କରିବ। ହେଲେ ଏଥିରେ ଭୁଲ୍ ରହିଛି କେଉଁଠି ?

Shirani Rahapakse (Poet, Author), Sri Lanka

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →