ରବିକଥା-୮
ରବୀନ୍ଦ୍ରନାଥ ନୋବେଲ ପୁରସ୍କାର ପାଇବା ପରେ ତାଙ୍କର ଜନପ୍ରିୟତା ଏତେ ବଢ଼ିଯାଇଥିଲା ଯେ କହିହେବନି। ସେଥିପାଇଁ ନିଜର ଅଟୋଗ୍ରାଫ୍ ଦେବା ପାଇଁ ସେ ଟଙ୍କାଏ ଲେଖାଏଁ ନେଉଥିଲେ।
ଅଟୋଗ୍ରାଫ୍ ନେବା ପାଇଁ ପ୍ରତିଦିନ ଅସଂଖ୍ୟ ଭକ୍ତ କବିଙ୍କ ପାଖକୁ ଆସୁଥିଲେ । ପ୍ରତିଦିନ ଅସଂଖ୍ୟ ଅଟୋଗ୍ରାଫର ଖାତା ଆସି ପହଞ୍ଚୁଥିଲା କବିଙ୍କ ପାଖରେ। କେବଳ ନାମ ଦସ୍ତଖତ କରିଦେଲେ ହେବ ନାହିଁ, ତା ସହିତ ପଦେ ଦି’ପଦ କବିତା ବି ଦରକାର। ତେଣୁ ପ୍ରତିଦିନ ପ୍ରଚୁର ଅଟୋଗ୍ରାଫ୍ ଖାତାରେ ସାଇନ୍ କରିବାକୁ ପଡୁଥିଲା କବିଙ୍କୁ। ଏହାବ୍ୟତୀତ ଆହୁରି ଅନେକ ଜାଗାରୁ ପ୍ରତିଦିନ ଅନେକ ଚିଠି ବି ଆସୁଥିଲା। ଯେମିତି, ମୋର ପୁଅ ବା ଝିଅର ନାମ ଗୋଟିଏ ଦେଇଦିଅନ୍ତୁ ଦୟାକରି। ଆମର ଝିଅ ବାହାଘର ଅଛି। ଟିକେ ଆଶିର୍ବାଣୀ ଲେଖିଦିଅନ୍ତୁ। ପୁଅର ଅନ୍ନପ୍ରାସନ୍ନ, ଗୋଟିଏ ଦି’ଟା ପଦ ଲେଖିଦିଅନ୍ତୁ ଆଶିର୍ବାଣୀ।
ଅଦ୍ଭୂତ ସବୁ ଚିଠି ଆସୁଥିଲା। କିଏ ଗୋଟେ କବିତା ବହି ଛପେଇଛି। ସେଇ କବି ଅନୁରୋଧ କରି ଲେଖିଛି, ଆପଣ ନୋବେଲ୍ କମିଟି ପାଖରେ ସୁପାରିଶ କରି ଗୋଟେ ଚିଠି ଲେଖିଦିଅନ୍ତୁ, ଯେମିତି ଏ ବର୍ଷର ନୋବେଲ ପୁରସ୍କାରଟା ମୁଁ ପାଇବି। କବି ଏସବୁ ପଢ଼ି ହସିବେ ନା କାନ୍ଦିବେ, ଭାବିପାରୁନଥିଲେ।
ଗୋଟେ ସମୟରେ ବିଷୟଗୁଡିକ କବିଙ୍କ ପାଖରେ ଅସହ୍ୟ ହୋଇ ଉଠିଲା। କବି ଠିକ୍ କଲେ, ସେ ଏଥରଠୁ ଅଟୋଗ୍ରାଫ୍ ଦେବା ପାଇଁ ଏକ ଟଙ୍କା ଲେଖାଁଏ ନେବେ। ଫଳରେ ଭିଡ଼ କିଛିଟା କମିଯିବ। ଆଉ ଏଇ ଟଙ୍କା ଶାନ୍ତି ନିକେତନର ଦରିଦ୍ର ଭଣ୍ଡାରକୁ ଦିଆଯିବ। ଫଳରେ ଗରିବମାନେ ଉପକୃତ ହେବେ।
ରବୀନ୍ଦ୍ରନାଥ ଏ କାର୍ଯ୍ୟର ଦାୟିତ୍ୱ ଦେଇଥିଲେ ଆଶ୍ରମର ଜଣେ କର୍ମୀ, ଯାହାର ନାମ ଆଲୁ। ତେବେ ଏହା ସତ୍ତ୍ୱେ ବି ଭିଡ କମିଲାନି, ବରଂ ଆଲୁ ପାଇଁ କବିଙ୍କୁ ବହୁ ହଟହଟାର ସାମ୍ନା ହେବାକୁ ପଡ଼ିଲା।ଆଲୁକୁ ଅଟୋଗ୍ରାଫ୍ ପାଇଁ ଟଙ୍କା ଆଦାୟ କରିବା ଦାୟିତ୍ବ ଦିଆଯାଇଥିଲା।ସେ ଏମିତି ଟଙ୍କା ଆଦାୟ କଲା ଯେ, ଆଉ କାହାକୁ ବି ଛାଡ଼ିଲା ନାହିଁ। ଆଶ୍ରମର ବିଦ୍ୟାର୍ଥୀମାନେ ଅଟୋଗ୍ରାଫ୍ ପାଇଁ ଆସିଲେ ସେମାନଙ୍କୁ ଟଙ୍କା ମାଗିଲା। ଏପରିକି କବିଙ୍କ ପରିଚିତ ବନ୍ଧୁବାନ୍ଧବଙ୍କ ଠାରୁ ମଧ୍ୟ ଟଙ୍କା ଆଦାୟ କଲା।
ଥରେ କବି ତାକୁ ପଚାରିଲେ,- ଆରେ ଆଲୁ, ସେମାନଙ୍କ ପାଖରୁ ଟଙ୍କା ନେଉଛୁ କାହିଁକି?
ଆଲୁ କହିଲା- ଆପଣ ତ ନିୟମ କରିଛନ୍ତି, ମୁଁ କଣ କରିବି ?
ଶେଷରେ କବି କହିଲେ-‘ଥାଉ, ଅନେକ ହେଲା ବାବା, ତତେ ଆଉ ଟଙ୍କା ଆଦାୟ କରିବାକୁ ହେବନି। ଏଥରଠୁ ଅଟୋଗ୍ରାଫ୍ ପାଇଁ ଆଉ କାହାଠୁ ଟଙ୍କା ରଖିବୁ ନାହିଁ।”
କବି ହୁଏତ ମନେ ମନେ ଭାବିଥିବେ, କାହିଁକି ଯେ ନୋବେଲ୍ ପ୍ରାଇଜଟା ପାଇଲି ?
ଏଥିପାଇଁ କି କବି ଦୁଃଖରେ ଗୋଟେ କବିତାରେ ଲେଖିଥିଲେ-
“ଏ ମଣିହାର ଆମାର୍ ନାହି ସାଜେ।”
କେଜାଣି!