ବେଳେବେଳେ ଲକ୍ଷ୍ୟ କରିଥିବେ – ମନ ଅଶାନ୍ତ ଥିଲେ, ଭାରାକ୍ରାନ୍ତ ଥିଲେ, ବିରକ୍ତି ଲାଗୁଥିଲେ, କୌଣସି ନିର୍ଦ୍ଦିଷ୍ଟ ସିଦ୍ଧାନ୍ତ ବା ସମାଧାନରେ ନପହଞ୍ଚି ପାରୁଥିଲେ ଆମେ ହାତରେ ଥିବା କାଗଜ ଉପରେ କଲମ ଧରି ମନ ଇଚ୍ଛା, ଲଗାତାର ଗାରେଇ ଚାଲୁ! ଏହା stress ବା anxiety relief ପାଇଁ ଶରୀରର ପ୍ରାକୃତିକ defence mechanism। ଅନେକ ସମୟ ଧରି ଏମିତି ଗାରେଇବା ଦ୍ବାରା ମଣିଷର ମସ୍ତିଷ୍କ ଏବଂ ଶରୀରରେ anxiety hormone ଗୁଡିକର କ୍ଷରଣ ଓ ମାତ୍ରା ନିୟନ୍ତ୍ରିତ ହୋଇ, ମନ ଶାନ୍ତ ହୁଏ। ଅଧ୍ୟୟନରୁ ଦେଖା ଯାଇଛି ଯେ ଇଇଜି ଗ୍ରାଫ୍ ପରି ମଣିଷର ମସ୍ତିଷ୍କ ତା’ ହାତରୁ କାଗଜ ଉପରେ ଉତୁରୁଥିବା ଗାର ମାଧ୍ୟମରେ ମଧ୍ୟ ନିଜର ମନସ୍ତତ୍ତ୍ବ ପ୍ରକାଶ କରେ। ଉଦାହରଣ ସ୍ବରୂପ କାଗଜ ଉପରେ ଯଦି ଜଣେ ବାରମ୍ବାର କ୍ରିସ୍-କ୍ରସ୍ ଲାଇନ୍ ଟାଣେ ତାହା ସେଇ ବ୍ୟକ୍ତିର anxiety କୁ ଦର୍ଶାଏ, ସେହିପରି କାଗଜ ଉପରେ ତାରା ବା ଷ୍ଟାରର ରେଖା ଚିତ୍ର କରୁଥିବା ବ୍ୟକ୍ତି ଆଶାବାଦୀ ବା ଅପ୍ଟିମିଷ୍ଟିକ୍ ବୋଲି ଦର୍ଶାଏ।
ସ୍କ୍ରିବଲି° ବା କାଗଜ ଉପରେ ଗାର ଓ ରେଖା ଚିତ୍ର ଦ୍ବାରା ମଣିଷ ମନକୁ ମିଳୁଥିବା ଶାନ୍ତି ଏବଂ ମାନସିକ ଦୁଶ୍ଚିନ୍ତାରୁ ମୁକ୍ତି, ଏହି ଦୁଇଟି ତତ୍ତ୍ୱକୁ ଆଧାର କରି ୨୦୦୪ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ ଧ୍ୟାନ ତଥା ଆଧ୍ୟାତ୍ମିକ ଗୁରୁ ରିକ୍ ରବର୍ଟସ୍ ଏବଂ କ୍ୟାଲିଗ୍ରାଫର କଳାକାର ମାରିଆ ଥମାସ୍ ଗୋଟିଏ ଚିତ୍ରକଳା ପଦ୍ଧତି ଆବିଷ୍କାର କରିଥିଲେ, ଯାହାକୁ ଜେଣ୍ଟାଙ୍ଗଲ୍ ଆର୍ଟ (Zentangle Art) କୁହାଯାଏ। ଦୁହେଁ ନିଜର ବର୍ଷ ବର୍ଷର ସାଧନା, ଗବେଷଣା ଏବଂ ପର୍ଯ୍ୟବେକ୍ଷଣରୁ ଆହରଣ କରିଥିବା ଜ୍ଞାନକୁ ଏକାଠି କରି କାଗଜ ଉପରେ ରିପିଟେଟିଭ୍ ପାଟର୍ନ ବା ପୁନରାବୃତ୍ତି ହେଉଥିବା ରେଖାଚିତ୍ରର ଧ୍ୟାନ କରିବା ବା ମେଡିଟେଟିଭ୍ କ୍ବାଲିଟିକୁ ଆବିଷ୍କାର କରିଥିଲେ।
ଜେଣ୍ଟାଙ୍ଗଲ୍ ନାମଟି ଦୁଇଟି ଶବ୍ଦରୁ ଆସିଛି। ପ୍ରଥମ ଅ°ଶ ମନକୁ ସନ୍ତୁଳିତ, ଶାନ୍ତ ଏବଂ ସ୍ଥିର ରଖିବା ପାଇଁ ଉଦ୍ଦିଷ୍ଟ ବୌଦ୍ଧିକ ଧ୍ୟାନ ଫିଲୋସଫି ‘ଜେନ୍ (Zen)’ ଏବଂ ଦ୍ବିତୀୟ ଅ°ଶ ‘ଟ୍ୟାଙ୍ଗଲ୍ (tangle)’ ର ଅର୍ଥ ଗୁଡେଇ-ତୁଡେଇ ବା ଅଡୁଆ ହେବା, ପୁନରାବୃତ୍ତି ରେଖାଚିତ୍ର ଦ୍ବାରା ଗୋଟିଏ ଅଡୁଆ ବା କମ୍ଲେକ୍ସ ଛବି ବନାଇବା। ଏହା ଚିତ୍ରକଳାର ଏକ ଆମେରିକୀୟ ପଦ୍ଧତି, ଯାହାର ଉଦ୍ଦେଶ୍ୟ ମଣିଷର ଏକାଗ୍ରତା ଓ ସୃଜନଶୀଳତା ବଢାଇବା ସହ ଜୀବନଶୈଳୀ ଏ ସର୍ବାଙ୍ଗୀନ ଉନ୍ନତି କରିବା ମଧ୍ୟ। ଯଦିଓ ଜେଣ୍ଟାଙ୍ଗଲ୍ ପଦ୍ଧତି ୨୦୦୪ରେ ଆବିଷ୍କାର ହୋଇଛି ଏବଂ ଏହା ଅପେକ୍ଷାକୃତ ଗୋଟିଏ ନୂତନ ପଦ୍ଧତି, କିନ୍ତୁ ଏହା ସମ୍ପୂର୍ଣ୍ଣ ଭାବରେ କେତେକ ପ୍ରାଚୀନ ଭାରତୀୟ, ଆମେରିକୀୟ, କ୍ଲେକ୍ଟିକ୍, ମାୟାନ୍ ଏବଂ ମାଓରିର ପାରମ୍ପାରିକ ଚିତ୍ରଶୈଳୀରେ ବ୍ୟବହାର କରାଯାଉଥିବା ଚିହ୍ନ, ଛବି, ଡିଜାଇନ୍ ଦ୍ବାରା ପ୍ରଭାବିତ।
ଜେଣ୍ଟାଙ୍ଗଲ୍ ଚିତ୍ରକଳା ଶିଖିବା ଖୁବ୍ ସହଜ ଏବଂ ଶାନ୍ତିଦାୟକ। ବିଭିନ୍ନ ଛୋଟ ଛୋଟ କଳାକୃତି ଯୋଡି, ପୁନରାବୃତ୍ତି କରି ଛବିଟିଏ ଗଢିବା ଖୁବ୍ ମଜାଦାର। ପୁନରାବୃତ୍ତି କରି ରେଖାଚିତ୍ରରୁ ସୃଷ୍ଟ କୃତିକୁ ଟ୍ୟାଙ୍ଗଲ କୁହାଯାଏ। ଏହି ଟ୍ୟାଙ୍ଗଲ୍ ବନାଇବା ପାଇଁ ସିଧା ଗାର, ବୃତ୍ତ (orbs), C- ଆକାର, S- ଆକାର ଆଦିର ବ୍ୟବହାର ହୋଇଥାଏ। ଏହି ଛବି ଆଙ୍କିବା ପାଇଁ ସାଧାରଣତଃ ଧଳା କାଗଜ, କଳା କଲମ ଏବଂ ପେନସିଲର ବ୍ୟବହାର କରାଯାଏ (ଅନ୍ୟ ରଙ୍ଗୀନ୍ କାଗଜ ଅପେକ୍ଷା ଧଳା କାଗଜ ଉପରେ କଳା ରଙ୍ଗର ରେଖାଚିତ୍ର ହିଁ ଅଧିକ ସୁନ୍ଦର ଦିଶେ)। ପ୍ରାରମ୍ଭିକ ସ୍ତରରେ କାଗଜ ଉପରେ 3″ × 3″ କିମ୍ବା 3 ½” x 3 ½” ବା ଛୋଟ ଛୋଟ ବର୍ଗାକାର ଘର (ଟାଇଲ୍) କାଟି ତା’ ଭିତରେ ବିଭିନ୍ନ ଆକୃତିର ଟ୍ୟାଙ୍ଗଲ୍ ଅଭ୍ୟାସ କରାଯାଏ (ଚିତ୍ର ୧)। ଛୋଟ ଛୋଟ ବର୍ଗାକାର ଘର ଶୀଘ୍ର ପୂର୍ଣ୍ଣ ହୋଇଯାଏ, ଏହା ଦ୍ବାରା ଏକାଗ୍ରତା ଆସିବା ସହ ମଣିଷର ଭୁଲ୍ ଏବଂ ଅସୁନ୍ଦର ଦିଶିବାର ଭୟ ଛାଡି ଆତ୍ମବିଶ୍ବାସ ଆସେ। ଦ୍ବିତୀୟ ପର୍ଯ୍ୟାୟରେ କେବଳ ବର୍ଗାକାର ଘର ଭିତରେ ନକରି ଅନ୍ୟ ବିଭିନ୍ନ ଆକୃତି ଓ ସାମାନ୍ୟ ବଡ ଆକାରରେ ଟ୍ୟାଙ୍ଗଲ୍ ପ୍ରସ୍ତୁତ କରାଯାଏ (ଚିତ୍ର ୨ & ୩)। ଅଭ୍ୟାସ ଓ ଏକାଗ୍ରତାରେ ଉନ୍ନତି ପରେ ଜଣେ ତା’ପରେ ବିଭିନ୍ନ ଆକୃତି ଗଢି ତା’ ଭିତରେ ମନ ମୁତାବକ ଟ୍ୟାଙ୍ଗଲ୍ ବା ରେଖାଚିତ୍ର କରି ପାରେ। ଜେଣ୍ଟାଙ୍ଗଲ୍ ମାଧ୍ୟମରେ ଜଣେ ଲ୍ୟାଣ୍ଡସ୍କେପ୍, ଫୁଲ, ମଣିଷ, ବିଲେଇ, ଚଢେଇ, ବେଙ୍ଗ, ଗାଡି, ଘର ସବୁ ଛବି ଆଙ୍କି ପାରେ (ଚିତ୍ର ୪, ୫, ୬, ୭)। ଆଉ ଏହି ଆର୍ଟ ଫର୍ମର ସବୁଠାରୁ ମଜାଦାର ଅ°ଶ ହେଉଛି ଏଥିରେ ଗୋଟିଏ ଆକାର ବା ଆକୃତି ପୂରା କରିବା ପାଇଁ ଜଣକୁ ସେଇ ସମାନ ବା ଏକା ପ୍ରକାରର ରେଖାଚିତ୍ରକୁ ବାରମ୍ବାର କରିବା ପାଇଁ ପଡେନି। ସମ୍ପୂର୍ଣ୍ଣ ଆକୃତିଟିକୁ ସେଇ ସମାନ ସିଧାଗାର କିମ୍ବା ଫୁଲ ପାଖୁଡା କିମ୍ବା ବିନ୍ଦୁ କିମ୍ବା ପତ୍ର ଡିଜାଇନରେ ନଭରି ଜଣେ ଆର୍ଟିଷ୍ଟ ଭାଗ ଭାଗ କରି ସମ୍ପୂର୍ଣ୍ଣ ଆକୃତିଟିକୁ ନିଜ ମନ ମୁତାବକ ଟ୍ୟାଙ୍ଗଲ୍ ଆର୍ଟରେ ଭରିପାରେ। ଜେଣ୍ଟାଙ୍ଗଲ୍ କଳାର ଅର୍ଥ ଏୟା ନୁହେଁ ଯେ ଜଣେ ଯେକୌଣସି ଗୋଟିଏ ଜୀବ ବା ବସ୍ତୁର ରେଖାଚିତ୍ର କରିଦେଇ ତା’ ଭିତରେ ପ୍ରତ୍ୟେକଥର ସମାନ ଫୁଲ, ବିନ୍ଦୁ, ସିଧାଗାର, ବୃତ୍ତ କିମ୍ବା ତ୍ରିଭୁଜ କରି ଭରି ଦେବା। ଜେଣ୍ଟାଙ୍ଗଲ୍, ଚିତ୍ର ମାଧ୍ୟମରେ ଜଣେ ମଣିଷକୁ ତା’ର ଚିନ୍ତା, ଚେତନା ଓ ଭାବନାକୁ ଅଧିକ ସ୍ବାଧୀନ ଓ ଉନ୍ମୁକ୍ତ ଭାବରେ ପେସ୍ କରିବା ପାଇଁ ପ୍ରେରଣା ଦିଏ।
ଜେଣ୍ଟାଙ୍ଗଲ୍ ଆର୍ଟର ମୁଖ୍ୟ ଉଦ୍ଦେଶ୍ୟ ମଣିଷ ମନରେ ଶାନ୍ତି ଏବଂ ସ୍ଥିରତା ଆଣିବା। ଏହି ଚିତ୍ରକଳାକୁ ମାନସିକ ଦୁଶ୍ଚିନ୍ତା ଏବଂ ଅବସାଦର ଚିକିତ୍ସା, ଶିକ୍ଷାକ୍ଷେତ୍ରରେ ଏକାଗ୍ରତା ବଢାଇବା, ଧ୍ୟାନର ଗୋଟିଏ ମାଧ୍ୟମ ହିସାବରେ ବ୍ୟବହାର କରାଯାଏ। ମୋଟିଭେସନାଲ୍ ଟ୍ରେନିଂ ସମୟରେ ମନକୁ ଶାନ୍ତ କରି ଆତ୍ମବିଶ୍ବାସ ବୃଦ୍ଧି ତଥା ମାନସିକ ଦୁଶ୍ଚିନ୍ତା ବା anxiety ଦୂର କରିବା ପାଇଁ ଜେଣ୍ଟାଙ୍ଗଲର ପ୍ରୟୋଗ କରାଯାଏ। ଯଦିଓ ଜେଣ୍ଟାଙ୍ଗଲ୍ ଗୋଟିଏ ରିପିଟେଟିଭ୍ ପ୍ୟାଟର୍ଣ୍ଣ ଆର୍ଟ ଓ୍ବାର୍କ, କିନ୍ତୁ ଏହା ମଣିଷକୁ ରେଖାଚିତ୍ରର ପୁନରାବୃତ୍ତି କରି କେମିତି ନିଜ ସୃଜନଶୀଳତାକୁ ବିକଶିତ କରିବାର ମାର୍ଗ ଦେଖାଇଥାଏ। ଯାହା ମଣିଷକୁ ଜୀବନରେ ସୀମିତ ସ°ସାଧନ ଭିତରେ ଅଧିକ ଉତ୍ପାଦନକ୍ଷମ ହେବା ଏବଂ ଆତ୍ମସନ୍ତୋଷ ପାଇବା ଶିଖାଏ।