ବିଶ୍ୱ ନାଟ୍ୟ ଦିବସ

[ପ୍ରତି ବର୍ଷ ଆନ୍ତର୍ଜାତିକ ନାଟ୍ୟ ସଂସ୍ଥା ଇଣ୍ଟରନେସନାଲ ଥିଏଟର ଇନଷ୍ଟିଚ୍ୟୁଟ ତରଫରୁ ମାର୍ଚ୍ଚ ମାସର ୨୭ ତାରିଖ ଦିନଟିକୁ ବିଶ୍ୱ ନାଟ୍ୟ ଦିବସ ହିସାବରେ ପାଳନ କରା ଯାଇଥାଏ। ଏଇ ଅବସରରେ ପ୍ରତିବର୍ଷ ଜଣେ ଆନ୍ତର୍ଜାତିକ ସ୍ୱୀକୃତ ରଙ୍ଗକର୍ମୀଙ୍କୁ ଚୟନ କରାଯାଇ ତାଙ୍କ ଦ୍ୱାରା ଲିଖିତ ଏକ ବାର୍ତ୍ତାକୁ ଉପସ୍ଥାପନ କରାଯାଇଥାଏ।ନାଟକ ଓ ନାଟ୍ୟକର୍ମୀ ତଥା ନାଟ୍ୟାମୋଦୀଙ୍କ ପାଇଁ ସାଧାରଣତଃ ଏଇ ବାର୍ତ୍ତା ଗୁଡିକ ଅତ୍ୟନ୍ତ ଚିନ୍ତାପ୍ରସୂ ଏବଂ ଉତ୍ସାହଜନକ ପ୍ରେରଣାର ସ୍ରୋତ।

ସେ ଯାହା ହେଉ ,ପ୍ରତ୍ୟେକ ସୃଜନ କର୍ମୀ ନିଜର ଶିଳ୍ପକଳାରେ ଅଭିନବତ୍ୱ ତଥା ବୈଚିତ୍ର୍ୟର ପରିସ୍ଫୁଟନରେ ଆଗ୍ରହ ରଖୁଥିଲେ (ଆବେଗ ଆଉ ଉତ୍ସବ ତ ରହିବ ମାତ୍ର ତାତ୍ତ୍ୱିକ ବିଚାରର ଆବଶ୍ୟକତା ଏଇଥିପାଇଁ ଆବଶ୍ୟକ ଯେ, ଏହା ଫଳରେ ଜଣେ ଶିଳ୍ପୀ ଆଉ ଜଣକର ତୁଳନାରେ ଅଧିକ ପ୍ରଭାବୀ ହେବା ସହିତ ନିଜର ଶିଳ୍ପମାନକକୁ ଅଧିକ ଉନ୍ନତ କରିପାରିବ )ବିଶେଷ ଭାବରେ ଆବେଗ,ସଂହତି,ଏବଂ ନାଟକୀୟତାକୁ ବୁଝି ନିଜର ଶିଳ୍ପକର୍ମରେ ତାହାର ପ୍ରୟୋଗ କରିବାକୁ ହେଲେ ବିଚାରବନ୍ତ ନାଟ୍ୟ-ସଂଗତର ପ୍ରୟୋଜନ ଏକାନ୍ତ।

ଇଣ୍ଟରନେସନାଲ ଥିଏଟର୍ ଇନଷ୍ଟିଚ୍ୟୁଟ୍ ର ୱେବସାଇଟ୍ ରେ ସଂରକ୍ଷିତ ବିଗତବର୍ଷମାନଙ୍କର ନାଟ୍ୟଦିବସ ଉପଲକ୍ଷେ ପ୍ରଦତ୍ତ ହୋଇଥିବା ବାର୍ତ୍ତାମାନଙ୍କୁ ତଥା ସେଇ ବାର୍ତ୍ତା ପ୍ରଦାନକାରୀ ପ୍ରଖ୍ୟାତ ରଙ୍ଗକର୍ମୀ ମାନଙ୍କର ସାନ୍ନିଧ୍ୟ ଯଦି ଆପଣମାନେ ଲୋଡନ୍ତି ତେବେ ଆପଣମାନଙ୍କର ଦୃଷ୍ଟିଭଙ୍ଗୀ ଅଧିକ ପରିପକ୍ୱ ଏବଂ ଶାଣିତ ହେବ ବୋଲି ଉପସ୍ଥିତ ଲେଖକ ବିଚାର କରେ।

ଚଳିତ ବର୍ଷ ଅର୍ଥାତ୍ ୨୦୨୫ ର ଏଇ ସମ୍ମାନଜନକ ନାଟ୍ୟ ଦିବସର ବାର୍ତ୍ତା ପ୍ରଦାନ କରିଛନ୍ତି ଗ୍ରୀସ୍ ର ପ୍ରଖ୍ୟାତ ନାଟ୍ୟ ନିର୍ଦ୍ଦେଶକ,ଶିକ୍ଷକ,ଆଟିସ୍ ଥିଏଟର୍ କଂପାନୀର ପ୍ରତିଷ୍ଠାତା ତଥା କଳା ନିର୍ଦ୍ଦେଶକ ଏବଂ ପୃଥିବୀର ଅନ୍ୟତମ ଚର୍ଚ୍ଚିତ ନାଟ୍ୟ-ଚିନ୍ତକ ଥିଓଦୋରୋସ୍ ତେରଜୋପୋଲୋସ୍।

ଥିଓଦୋରୋସ ଗୋଟିଏ ଅଭିନବ ନାଟ୍ୟଶୈଳୀର ପରିକଳ୍ପନା କରିବା ସହିତ ତାହାର ପ୍ରୟୋଗ ନିମନ୍ତେ ବିଶେଷ ଭାବରେ ଚର୍ଚ୍ଚିତ। ଅଭିନୟରେ ସେ ଯେଉଁ ଅଭିନବତ୍ୱ ର ସଂପ୍ରୟୋଗ କରିଛନ୍ତି ତାହା ହେଉଛି ଦୈହିକ ଏବଂ ବାଚିକର କସରତର କ୍ରମାନ୍ୱୟତା ଯାହାକୁ ସେ ଅଭିନୟର ପ୍ରାଥମିକ ସ୍ତରକୁ ଆଣିବାର ପ୍ରୟାସ କରିଛନ୍ତି। ଆମେ ନାଟକରେ ଦୈହିକତା ବା ଫିଜିକାଲିଟି ସହିତ କିଛି ପରିମାଣରେ ପରିଚିତ ମାତ୍ର ଆମର ନାଟକରେ ବାଚିକ କସରତ ର ଅଭାବ ବହୁଳାଂଶରେ ରହିଛି। ଥିଓଦୋରୋସ ତାଙ୍କର ନିଜସ୍ୱ ନାଟ୍ୟଶୈଳୀରେ ପ୍ରାୟ ତିରିଶଟି ପ୍ରାଚୀନ ଗ୍ରୀକ୍ ଟ୍ରାଜେଡିର ମଞ୍ଚନ ବିଶ୍ୱର ଭିନ୍ନ ଭିନ୍ନ ସ୍ଥାନରେ କରିଛନ୍ତି,ତାଙ୍କର ନାଟ୍ୟ ଶୈଳୀର ବିଶ୍ୱର ଅନେକ ନାଟ୍ୟକର୍ମୀ ମାନଙ୍କୁ ପ୍ରଶିକ୍ଷିତ କରିଛନ୍ତି। ତାଙ୍କର ନାଟ୍ୟଶୈଳୀକୁ ” ଦାୟୋନିସସ୍ ର ପ୍ରତ୍ୟାବର୍ତ୍ତନ” ବୋଲି ଅଭିହିତ କରାଯାଇଛି।

ଦାୟୋନିସସ ହେଉଛି ମଦ୍ୟ, ଉର୍ବରତା ଏବଂ ଉତ୍ସବର ଗ୍ରୀକ୍ ଦେବତା । ଆସନ୍ତୁ ତାଙ୍କର ନାଟ୍ୟବାର୍ତ୍ତାକୁ ଏକାଠି ପଢିବା ।]

ଥିଓଦୋରୋସ୍ ତେରଜୋପୋଲୋସ

ଥିଏଟର୍ କୁ କିଛି ସମକାଳର ପ୍ରଶ୍ନ

ଥିଏଟର କ’ଣ ଶୁଣିପାରିବ,ଆମର ସମୟ ନିହାତି କର୍ତ୍ତବ୍ୟବିମୂଢ ହୋଇ ପଠାଉଥିବା “ଆମର ଆତ୍ମାକୁ ବଞ୍ଚାଅ”ଭଳି ସେଇ ବିଶେଷ ବାର୍ତ୍ତାକୁ,ଯେଉଁଠି ପୃଥିବୀର ଶକ୍ତିହୀନ ନାଗରିକ ଗଣ,ଏକ ପ୍ରକାର ଆଭାସୀ ଯଥାର୍ଥର କାରାଗାରରେ ଅବରୁଦ୍ଧ,ନିଜ ନିଜର ରକ୍ଷାଖାତରେ ନିଜତାକୁ ନେଇ ଶ୍ୱାସରୁଦ୍ଧ ? ଯେଉଁଠି ଜୀବନର ଶ୍ରେଣୀବଦ୍ଧ ପରିଦୃଶ୍ୟରେ ସର୍ବତ୍ର ଏକଛତ୍ରବାଦୀତାର ନିୟନ୍ତ୍ରଣ ଆଉ ସର୍ବଦମନର ବ୍ୟବସ୍ଥାପନା ଭିତରେ ରହିଅଛି ଗୋଟିଏ ରୋବଟପ୍ରପୀଡିତ ଅବସ୍ଥିତି ?

ପରିବେଶର ଧ୍ୱଂସ,ବିଶ୍ୱ ତାପମାନରେ ବୃଦ୍ଧି, ପରିବେଶ ସଂତୁଳନର କ୍ଷେତ୍ରରେ ହ୍ରାସ,ସାମୁଦ୍ରିକ ପ୍ରଦୂଷଣ,ବରଫଖଣ୍ଡମାନ ତରଳିଯିବା,ବଣ ନିଆଁ ବାରଂବାର ଘଟିଚାଲିବା ଆଉ ଆବହାୱାରେ ଚରମ ସ୍ଥିତି ଭଳି କିଛି ଘଟଣା,ଏଇ ସବୁକୁ ନେଇ ଥିଏଟର୍ କ’ଣ ଉଦବିଗ୍ନ ରହିଛି ? ଥିଏଟର୍ କ’ଣ ଏଇ ସମସ୍ତର ପାରସ୍ପରିକ ସଂଶ୍ଳେଷଣର ଜୈବ-କାରକ ହୋଇପାରିବ ? ଥିଏଟର୍ ପୃଥିବୀ ଉପରେ ମାନବ ପ୍ରଭାବକୁ ଦୀର୍ଘକାଳ ଧରି ଲକ୍ଷ୍ୟ କରି ଆସୁଛି ,ହେଲେ ଏଇ ସମସ୍ତ ସମସ୍ୟାର ମୁକାବିଲା କରିବା ପାଇଁ ସେ ନିଜକୁ ଅସମର୍ଥ ମନେ କରେ।

ମଣିଷର ଅବସ୍ଥା ଏକବିଂଶ ଶତାବ୍ଦୀକୁ ଯେଉଁ ଭଳି ରୂପରେଖ ଦେଇଅଛି ତାହାକୁ ନେଇ ଥିଏଟର୍ କ’ଣ ଚିନ୍ତିତ,ଯେଉଁଠି ଦେଶବାସୀଗଣ ରାଜନୈତିକ ଏବଂ ଅର୍ଥନୈତିକ ସ୍ୱାର୍ଥ , ଗଣମାଧ୍ୟମ ଏବଂ ଅଭିମତ ପ୍ରସ୍ତୁତକାରୀ ସଂସ୍ଥାଗୁଡିକ ଦ୍ୱାରା ପରିଚାଳିତ ? ଯେଉଁଠି ସାମାଜିକ ଗଣମାଧ୍ୟମ , ଯେତିକି ଯେତିକି ସେମାନେ ସରବରାହ କରିପାରିବେ,ହେଉଛି ଯୋଗାଯୋଗର ଆଳ,କାରଣ ସେମାନେ ଅନ୍ୟଠାରୁ କେତେ ନିରାପଦ ଦୂରତ୍ୱରେ ରହିହେବ ତାହାର ସଶକ୍ତ ଆୟୋଜନକାରୀ ? ଅନ୍ୟ ପ୍ରତି ବିସ୍ତାରିତ ଭୟର ଅବବୋଧ, ଅଲଗାପଣ,ଅଜଣାବୋଧ ଆମର ଚେତନାକୁ ଆକ୍ରାନ୍ତ କରିଥାଏ ଆଉ ତାହାରି ଅନୁସାରେ ଆମର ସମସ୍ତ କ୍ରିୟା ପ୍ରଭାବିତ ହୋଇଥାଏ।

ଥିଏଟର୍ କ’ଣ ଆମର ସମସ୍ତ ରକ୍ତକ୍ଷରଣର ମାନସିକ ଧକ୍କାକୁ ବିଚାରକୁ ନନେଇ ଭିନ୍ନବୋଧର ଏକ ସହାବସ୍ଥାନର କର୍ମଶାଳା ହିସାବରେ କାର୍ଯ୍ୟକାରୀ ହୋଇପାରିବ?

ରକ୍ତକ୍ଷରଣର ମାନସିକ ବିଚଳନ ଆମକୁ ମିଥ୍ ର ପୁନର୍ନିମାଣ କରିବାକୁ ଆହ୍ୱାନ କରିଥାଏ। ଏବଂ ହାଇନର୍ ମୁଲର୍ ଙ୍କ ଭାଷାରେ କହିଲେ,”ମିଥ୍ ହେଉଛି ଏକ ସମଷ୍ଟି,ଏକ ଯନ୍ତ୍ର ଯାହା ସହିତ ସବୁବେଳେ ନୂତନ ଆଉ ଭିନ୍ନ ଭିନ୍ନ ଯନ୍ତ୍ରମାନେ ସଂଯୋଜିତ ହୋଇ ଥାଆନ୍ତି। ଏହା ଶକ୍ତିର ସଂଚାର କରିଥାଏ,ଯେଉଁ ପର୍ଯ୍ୟନ୍ତ ଏହାର ବିକଶିତ ଗତି ସାଂସ୍କୃତିକ ପ୍ରଭାମଣ୍ଡଳରେ କୌଣସି ବିଷ୍ଫୁରଣ ଘଟାଇ ନାହିଁ। ଆଉ ଏହା ସହିତ ମୁଁ ବର୍ବରତାର ଭୂଖଣ୍ଡକୁ ଯୋଡିବାକୁ ଚାହୁଁଛି।

ଥିଏଟର୍ କ’ଣ ତାହାର କ୍ଷୁଦ୍ରଭେଦୀ-ଉଜ୍ଜଳତାର ରଶ୍ମୀପାତ କରିପାରିବ ସାମାଜିକ-ବିମୂଢସମୂହର ଉପରେ ଆଉ ସମସ୍ତ ବିଭ୍ରାନ୍ତିର ନିରାକରଣ ପାଇଁ ନିଜର ଉପରେ ବି ?

ଏହି ସମସ୍ତ ପ୍ରଶ୍ନମାଳାର ସୁନିର୍ଦ୍ଦିଷ୍ଟ ଉତ୍ତର କିଛି ନାହି,କାରଣ ଅନୁତ୍ତରିତ ପ୍ରଶ୍ନକୁ ସହ୍ୟ କରିନେବାରେ ହିଁ ରହିଛି ଥିଏଟର୍ ର ଅସ୍ତିତ୍ୱ।

ଡାୟୋନିସସ୍ ଯେଉଁ ପ୍ରଶ୍ନମାଳାକୁ ତ୍ୱରାନ୍ୱିତ କରିଥିଲେ,ଯାହା ତାଙ୍କର ଜନ୍ମସ୍ଥାନରୁ ଆରମ୍ଭ ହୁଏ, ପ୍ରାଚୀନ ଥିଏଟର ର ଅର୍କେଷ୍ଟ୍ରାର ମଧ୍ୟ ଦେଇ,ତାଙ୍କର ସେଇ ନୀରବ ଶରଣାର୍ଥୀର ଯାତ୍ରାଟି ଯୁଦ୍ଧର ଭୂଦେଶ ଯାଏଁ ନିରବଚ୍ଛିନ୍ନ ରହିଅଛି,ଆଜି ଯାଏଁ,ଏଇ ବିଶ୍ୱ ନାଟକ ଦିବସ ଯାଏଁ।

ଆସନ୍ତୁ ଆମେ ଡାୟୋନିସସ୍ ଙ୍କ ଆଖିରେ ଦେଖିବା ,ଥିଏଟର୍ ର ସେଇ ପ୍ରମତ୍ତ ଦେବତା ଆଉ ମିଥ୍ ଯାହା ଅତୀତ,ବର୍ତ୍ତମାନ ଏବଂ ଭବିଷ୍ୟତକୁ ଏକାଙ୍ଗୀ କରିପାରିଛି,ଦୁଇଟି ଜନ୍ମଲାଭ ପରର ସେଇ ଶିଶୁଟି ,ଜିଅସ୍ ଆଉ ସେମେଲେଙ୍କ ଦ୍ୱାରା,ଏକ ତରଳ ଅସ୍ତିତ୍ୱର ଦ୍ୟୋତକ,ନର ଏବଂ ନାରୀ,ଉଗ୍ର ଏବଂ ପ୍ରଶାନ୍ତ,ଦୈବିକ ଆଉ ଜାନ୍ତବ,ବିଚାର ଆଉ ପାଗଳାମିର ଧୂସର ଇଲାକାରେ,ଶୃଙ୍ଖଳା ଏବଂ ବିଭ୍ରାଟ,ଜୀବନ ଆଉ ମୃତ୍ୟୁର ସନ୍ଧିକ୍ଷଣରେ ଜଣେ କସରତକାରୀ। ଡାୟୋନିସସ୍ ଗୋଟିଏ ମୌଳିକ ଜୀବସତ୍ତାଭିତ୍ତିକ ପ୍ରଶ୍ନର ଉତ୍ଥାପନ କରିଛନ୍ତି,” ଏସବୁ କାହାର ବିଷୟରେ?” ,ଏମିତି ଗୋଟିଏ ପ୍ରଶ୍ନ ଯାହା ସର୍ଜକକୁ ଘେନିଯାଏ ମିଥ୍ ର ଉତ୍ସର ଅନୁସନ୍ଧାନଭିତ୍ତିକ ଅତଳାନ୍ତ ଗଭୀରକୁ ଆଉ ମଣିଷର ରହସ୍ୟମୟ ବହୁସ୍ତରୀୟତାକୁ।

ଆମର ସ୍ମୃତିର ପୁନର୍ବାସ ପାଇଁ ଆଉ ଆମର ସଂପ୍ରତି ମଧ୍ୟଯୁଗୀୟ ବହୁରୂପୀ ସ୍ୱୈରତାନ୍ତ୍ରୀକତାର ମଧ୍ୟରୁ ଉପଜାତ ଏକ ନବ୍ୟ ନୈତିକତା ଏବଂ ରାଜନୀତିର ଅଙ୍ଗୀକାରବଦ୍ଧତା ର ରୂପନ୍ୟାସ ପାଇଁ ଆମକୁ ନୂତନ ବଖାଣ ମାର୍ଗର ବିଶେଷ ପ୍ରୟୋଜନ ରହିଛି।

°°°

ଥିଓଦୋରୋସ ତେରଜୋପୋଲସ୍ ଙ୍କର ବିଶ୍ୱ ନାଟ୍ୟ ଦିବସ ୨୦୨୫ ପାଇଁ ପ୍ରସ୍ତୁତ ବାର୍ତ୍ତାଟି ପାଠ କରିବା ପରେ ଉପସ୍ଥିତ ଲେଖକର ଲୋଭ ହେଉଛି ଆପଣମାନଙ୍କ ସହିତ ସହଭାଗ କରିବା ପାଇଁ ତାଙ୍କର ଆଉ ଗୋଟିଏ ସଂକ୍ଷିପ୍ତ ନାଟ୍ୟଚିନ୍ତାର ସ୍ଫୁଲିଙ୍ଗ।

ସେଇଟି ଏହିପରି :

ଥିଓଦୋରୋସ ତେରଜୋପୋଲୋସ

ଅଭିନେତାର ଅନ୍ୟ ଶବ୍ଦ

ଯଦି ଅଭିନେତା, କାତୋପତ୍ରୋନ୍ ବା ପ୍ରାଚୀନ ଗ୍ରୀସ୍ ର ବିଶ୍ୱାସ, ଆଲୋକ ଏବଂ ଚିତ୍ର ନିର୍ମାଣକାରୀ ଦୈବିକ-ଦର୍ପଣ ବା ଯାହାକୁ ଆମେ ବାହ୍ୟ ଦର୍ପଣ ବୋଲି କହିପାରିବା ତାହାକୁ ପରିତ୍ୟାଗ କରେ ଆଉ ସଚେତନ ଭାବରେ ସମୟ ଆଡକୁ ମୁକୁଳିତ ହୁଏ,ତାହାହେଲେ ତାହାର ଅନ୍ତର୍ମୁଖୀ ଏକାନ୍ତ ଦୃଷ୍ଟିଟି ପ୍ରସାରିତ ହେବ ।

ଯଦି ଅନ୍ତର୍ମୁଖୀ ଦୃଷ୍ଟି ପ୍ରସାରିତ ହୁଏ,ତେବେ ଅଭିନେତା ଜଣକ ନିଜର ମୁହଁକୁ ଏନୋପତ୍ରୋନ ବା ଗ୍ରୀକ୍ ଭାଷାରେ ଯାହାକୁ ଦର୍ପଣ କହିଥାନ୍ତି ସେହି ଭଳି ନିଜର ବ୍ୟକ୍ତିଗତ ଦର୍ପଣରେ ନିଶ୍ଚୟ ଦେଖିପାରିବ।

ଯଦି ସେ ନିଜର ଦର୍ପଣର ଭିତରେ ଗଭୀରଭାବରେ ନିବିଷ୍ଟ ହୁଏ ,ତାହେଲେ ସେ ଦେଖିପାରିବ ଆଉ ଶୁଣିପାରିବ ନିଜର ପ୍ରସାରିତ ସମସ୍ତ ପ୍ରତିଫଳନକୁ ,ବିଷ୍ଫୋରିତ ହେବ,ଶତ ସହସ୍ର ଖଣ୍ଡରେ ବିଛାଡି ପଡିବ ଚାରିଆଡ, ପ୍ରତିଟି ଖଣ୍ଡ ପ୍ରତିଧ୍ୱନୀତ କରୁଥିବ ଆଉ ନୂତନ ସଂଚିତ୍ରର ନିର୍ମାଣ କରୁଥିବ,ଆବହରେ ରହିଥିବ ସଂଗୀତର ଇନ୍ଦ୍ରଜାଲ, ଅତଳାନ୍ତ ଗଭୀରତାର।

ଯଦି ସେ ସେହି ଗଭୀରତାକୁ ଯାତ୍ରା କରିବା ପାଇଁ ଦୃଢ ନିଶ୍ଚିତ ହୁଏ,ତାହାପରେ ଘଟିବ କ’ଣ -ଧ୍ୱନୀକ ପରିଭାଷାରେ କହିଲେ -ରହିଥିବ ସେଇଠି ତାହାର ଅନ୍ୟାତ୍ମ୍ୟ,ତାହାର ଅନ୍ୟଶବ୍ଦ,ଯାହା ଅବଦମିତ ରହିଥିଲା,ସିଏ ଯିଏ ରହିଥିଲା ଦୀର୍ଘକାଳରୁ ବନ୍ଦୀଦଶାରେ ।

ଯଦି କେବଳ …।

°°
ଲେଖାଟି ଏତିକିରେ ଶେଷ।

ଆଶାକରୁଛି ଆପଣମାନେ ହୁଏତ ଏହାପରେ ସେଇଭଳି ଯାତ୍ରାପାଇଁ ଦୃଢନିଶ୍ଚିତ ହେଉଛନ୍ତି ,ଆମେ ସଭିଏଁ ଯେହେତୁ ଉଭୟ, ନାଟ୍ୟକାର ଆଉ ମଞ୍ଚକର୍ମୀ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →

Leave a Reply

Your email address will not be published. Required fields are marked *