ନିଜକୁ ଏକଲବ୍ଯ ମନେକରି

ଚିତ୍ତ ବାବୁ ମାନେ ପ୍ରାବନ୍ଧିକ ଚିତ୍ତରଂଜନ ଦାସ୍ ଠାଏ ଲେଖିଥିଲେ,ସବୁ ଅମାନିଆ ମାନେ ଯେ ଏକଲବ୍ଯ ହେବେ ସେକଥା ନୁହଁ,କିନ୍ତୁ ଅମାନିଆ ମାନଙ୍କ ଭିତରେ ଏକଲବ୍ଯ ମାନେ ହିଁ ଥାଆନ୍ତି।ଚିତ୍ତ ବାବୁଙ୍କ ଏଇ ଅମାନିଆ ର ମାନକ ଦଣ୍ଡକୁ ଧରି ମୁଁ ମୋ ନିଜକୁ କେତେ ଏକଲବ୍ଯ ବୋଲି ଏବେ ବିଚାର କଲେ ଲାଗୁଛି ମୁଁ କ’ଣ ସେତେ ପରିମାଣରେ ଏକଲବ୍ଯ ?ନିର୍ଦ୍ଧାରିତ ଶଗଡଗୁଳାକୁ ଛାଡି ମୁଁ କ’ଣ ସେମିତି ଅମଡା ମାଡିଛି ?କେତିକି ମିଲିଗ୍ରାମ୍ ର ବିଦ୍ରୋହ ମୋ ଶିରା ଧମନୀରେ ବୋହୁଛି ଯାହା ମୋର ସାମଗ୍ରୀକ ପାଠ,ଶାଠ,ବିବାହ ଆଉ ଜୀବନ ଚର୍ଯାପଦରେ ଲେଖାହୋଇ ରହିବା କଥାକୁ ଆମ ପୃଥିବୀ ବିଶ୍ୱାସ କରିବ ?ମୁଁ ତ ସବୁବେଳେ “ଈଚ୍ଛାମତେ କାହୁଁ ଚଳିବ ଏ ଜନ” ବୋଲି ଚିତା ଟି କପାଳରେ କୁଟାଇ ଦେଇ ବେଶ୍ ଆନନ୍ଦରେ ଭଦ୍ରଲୋକେର୍ ମତନ୍ କେବେ ହଲିଲା ପାଣିକୁ ଗୋଡ ନ ବଢାଇ ଘାଘଡା ଗଳାରେ “ଘ” ଚଂପୂ ଗାଇ ଚାଲୁଛି।

ଏ ଜନ୍ମ ରେ ଏକଲବ୍ଯ ହୋଇ ପାରିଲି ନାହିଁ ।ଆର ଜନ୍ମ ବୋଲି ଯଦି କିଛି ଥାଏ ତେବେ ସେଇଠୁ ଆରଂଭ କରିବି ମୋର ଅମାନିଆ ପଣ।ନିଶ୍ଚୟ।

ତେଣୁ ନିଜକୁ ଏକଲବ୍ଯ ବୋଲି ମନେକରି କିଛି ଲେଖିଲେ ତାହା ଆପଣମାନଙ୍କୁ କାଳ୍ପନିକ କଥା ଭଳି ଆମୋଦଦାୟକ ହୁଏତ ହୋଇପାରେ କିନ୍ତୁ ମୋ ପାଇଁ ଏହା ନିଜକୁ ପୁନର୍ଲିଖନ କରିବାର କାମ।

ସେ ମାଟିରେ ତିଆରି ହୁଅନ୍ତୁ କି ମାଂସରେ ସେଥିରେ କିଛି ଫରକ୍ ନାହିଁ।ଆମପାଇଁ ସେମାନେ ନିତାନ୍ତ ପ୍ରୟୋଜନ।

ସେ ଅନନ୍ତ ନୀଳ ନଭର କପୋତ ପକ୍ଷୀ ହୁଅନ୍ତୁ କି ପିଙ୍ଗଳା ଭଳି ନିଜ ଶରୀରକୁ ଅସ୍ୱୀକାର କରିବାର ସାମର୍ଥ୍ଯ ରଖିଥିବା ସମ୍ମାନିତା ପୌରାଣିକ ନାରୀ ବିଶେଷ ହୁଅନ୍ତୁ କି ଧର୍ମ ବ୍ୟାଧ ହୁଅନ୍ତୁ କି ଆଉ ଯିଏ ଯେତେ ଯାହା ହୁଅନ୍ତୁ ସେମାନେ ସମସ୍ତଙ୍କର କଥା ଏଠାରେ କୁହାଯାଉଛି।ଗୋଟିଏ ଧାର୍ମିକ ସୁମାରି ରେ ସେମାନଙ୍କର ସଂଖ୍ୟା ପଚିଶି ବୋଲି କୁହା ଯାଉଥିଲେ ହେଁ ଆମର ଭୀଷକତୀର୍ଥେଶ୍ୱର ଚରକ ତାଙ୍କର ଗୁରୁଦେବଙ୍କ ସାମ୍ନାରେ ବିଶାଳ ଅରଣ୍ୟାନୀରୁ ଔଷଧୀୟ ଦ୍ରବ୍ଯଗୁଣରହିତ ଅପଦାର୍ଥ ହିସାବରେ ଗୋଟିଏ ମାତ୍ର ନମୁନା ବୃକ୍ଷଲତା ଉପସ୍ଥାପନ କରିପାରିବାରେ ଅସମର୍ଥ ହୋଇଥିଲା ପରି ଆମର ଏଇ ସୁବିଶାଳ ପୃଥ୍ୱୀରେ ଜଣେ କେହି ଏମିତି ମିଳିବ ନାହିଁ ଯାହା ଭିତରେ ସେହି ବିଶେଷ ଦ୍ରବ୍ୟଗୁଣଟି ନାହିଁ,ଦ୍ରୋଣ ରୂପକ ଦ୍ରବ୍ଯଗୁଣ।

ଏ ପୃଥିବୀର ଦ୍ରୋଣମୟ ପୃଥିବୀ।ଏଠାରେ ଜଣେ ଦ୍ରୋଣ ଏମିତି ନିଜ ପାଇଁ ଆଉ କିଛି ଦ୍ରୋଣ ମାନଙ୍କୁ ନିର୍ମାଣ କରି ସେମାନଙ୍କୁ ନିରନ୍ତର ଆବାହନ କରୁଥାଏ।ଲୋଡୁଥାଏ।ଏଇ ଲୋଡିବାରେ ସଂପନ୍ନ ହେଉଥାଏ ପୃଥିବୀର ଯାବତୀୟ ପରିକ୍ରମଣ ପରିଭ୍ରମଣ।

ନିଜ ପାଇଁ ସବୁବେଳେ ଆମେ ମାନେ ସେଇ ଦ୍ରୋଣମାନଙ୍କର ଉପସ୍ଥିତି ଲୋଡୁଥାଉ ।ଆମ ପଛରେ ତାଙ୍କର ତୀକ୍ଷ୍ଣ ଆଖିଦୁଇଟିର ତତ୍ତ୍ୱାବଧାନ ଆଉ ନାକ ପୁଡାରୁ ଆସୁଥିବା ଖରନିଃଶ୍ୱାସ ନଥିଲେ ଆମେମାନେ ସବୁବେଳେ ଅସହଜ ଆଉ ଅସହାୟ।ଲାଗେ ଆମେ ଯେମିତି ଆମର ଏଇ ପୃଥିବୀରେ ଯେତେ ଯାହା ଆବଶ୍ୟକୀୟ ଶରସଂଧାନ କରିବାକୁ ଯାଉଛୁ ତାହା ହୁଏତ ବିଅର୍ଥ ଯିବ ।

ମାଟିର ଦ୍ରୋଣ ବୁଢାଆଙ୍ଗୁଠି ମାଗେନାହିଁ,ସତ କହିଛନ୍ତି କବି ରାଜେନ୍ଦ୍ର ତାହା ବୋଲି କ’ଣ ଆମେ ରକ୍ତ ମାଂସର ଦ୍ରୋଣକୁ ଏଡାଇ ଯିବା ? ଦ୍ରୋଣଟି ଯେତେବେଳେ ରକ୍ତ ମାଂସରେ ସେତେବେଳେ ତାହା ଭିତରେ ରକ୍ତ ମାଂସର ଗରଳ ଟିକକ ବି ରହିବ।ଆମେ ଯେଉଁ ରକ୍ତମାଂସର ଦ୍ରୋଣର ଅନାଚାରର ପୌରାଣିକ ଗାଥା ଟିକୁ କଥାକଥାକେ ଉଦ୍ଧୃତ କରି ଆମ ଭିତରର ନୀତୀବାଗୀଶତାର ଜୟଗାନ କରୁଥାଉ ତାହା ଆମର ବର୍ଗୀଭୂତ ସମାଜ ବ୍ୟବସ୍ଥାର ଏକ ସିଧାସଳଖ ଉପଜ।ଏମିତି କହିଲେ ଏହା ଉଚ୍ଚ ବର୍ଗ ଆଉ ନିମ୍ନ ବର୍ଗର ପାରସ୍ପରିକ ସୁପ୍ତ ସଂଘର୍ଷର ଯୂପକାଠରେ ବଳୀ ପଡିଥିବା ଶିକ୍ଷାର କରୁଣ ମାନବିକ ରୂପ।ଅର୍ଜୁନକୁ ଅର୍ଜୁନ ହୋଇ ରହିବା ପାଇଁ ବିଶେଷ ସ୍ଥାନଟି ସଂରକ୍ଷିତ କରାଯିବାର ପ୍ରଚେଷ୍ଟା କରାଯିବ।ଏକଲବ୍ଯ ପାଇଁ ବି ତାହାର ସ୍ଥାନଟି ନିର୍ଦ୍ଧାରିତ।ଏଇ ଇଣ୍ଡିଆ ଆଉ ଭାରତ ଭିତରର ଦୁଇ ପ୍ରମୁଖ ଚରିତ୍ର ଅର୍ଜୁନ ଆଉ ଏକଲବ୍ଯ ଭିତରେ କୌଣସି ମ୍ୟୁଜିକାଲ୍ ଚେୟାର୍ ଖେଳର ଆୟୋଜନ କୁ ସବୁବେଳେ ସ୍ଥଗିତ କରିବା ର ନୀତିନିର୍ଦ୍ଧାରକ କୌଣସି ସାମାନ୍ୟ ରକ୍ତ ମାଂସର ଦ୍ରୋଣ ହୋଇ ନପାରନ୍ତି।ଯେଉଁମାନେ ଏହାର ନେପଥ୍ୟ ନାୟକ ସେମାନେ ସବୁବେଳେ ନିଜ ନିଜର ଅଶ୍ୱମେଧର ଘୋଡାଟି ମାନଙ୍କୁ ଛାଡିଦେଇ କାନରେ ତୁଳାବିଣ୍ଡା ଦେଇ ଅଂଧାରିବିଜେ କରୁଥାନ୍ତି।

ସମାଜର ସ୍ଥିତାବସ୍ଥା କୁ ବଜାୟ ରଖିବାରେ ରକ୍ତ ମାଂସର ଦ୍ରୋଣମାନଙ୍କୁ ବଳୀଛାଗ ଭଳି କାଳ ଆଗରେ ଉପସ୍ଥାପିତ କରାଯାଏ ଯାହା ଫଳରେ ଚତୁର ଶାସକଟି ଆଢୁଆଳରେ ରହିଯାଏ ।

ଆମେ ସାଧାରଣ ବଦଳରେ ଅସାଧାରଣକୁ ଗୁରୁତ୍ବ ଦେଇଥାଉ ବୋଲି ସଫଳତା ଶ୍ରେଷ୍ଠତ୍ୱ ଆଦିର ପ୍ରତୀକ ଖୋଜୁ ଆଉ ଆମ ଆଗରେ ଅର୍ଜୁନ ଆଉ ଏକଲବ୍ଯ ଉପସ୍ଥିତ ହୋଇଯାଆନ୍ତି।କିନ୍ତୁ ଆମ ସମାଜରେ କେତେ ଅର୍ଜୁନ ରହିବେ ଯେ ? ଅଧିକାଂଶ ବୁଢା ଆଙ୍ଗୁଠି କୁ ହରାଇ ଥିବା ଆଉ ଅସାଧାରଣରୁ ସାଧାରଣ ସ୍ତରକୁ ଉନ୍ନୀତ ହୋଇଥିବା ଏକଲବ୍ଯ ଯାହାକୁ ଏତେ ରକ୍ତପାତ ପରେ ରକ୍ତ ମାଂସର ଦ୍ରୋଣଟିଏ କହିଥିଲା:

ଚତୁର୍ଥ ଆଙ୍ଗୁଠିରେ ବାବୁ ବିନ୍ଧିବୁ ତୁ ଶର,
ଏତକ ଗୁରୁ ଦକ୍ଷିଣା ହୋଇବ ଆମ୍ଭର।

ଆମେ ଚତୁର୍ଥ ଆଙ୍ଗୁଠିରେ ଶର ସଂଧାନ କରି ଅନ୍ଯାନ୍ୟ ସାଧାରଣ ରାମ,ଶ୍ୟାମ,ମଧୁଙ୍କ ଭଳି ଏକଲବ୍ଯ ଚରିତ୍ରଟିଏ ହୋଇ ଏ ପୃଥିବୀରେ ବଂଚିରହି ଏହାକୁ ମଧୁରତର କରି ରଖି ପାରିବା।ଏ ପୃଥିବୀକୁ ପୃଥିବୀ ହୋଇ ରହିବାକୁ ହେଲେ ଅସାଧାରଣ ମାନଙ୍କ ର ପ୍ରୟୋଜନ ରହିଛି କିନ୍ତୁ ତାହାଠାରୁ ଅଧିକ ପ୍ରୟୋଜନ ସାଧାରଣଙ୍କର।

ଆମ ମାନଙ୍କୁ ସାଧାରଣ କରିଦେଇଥିବା ସେଇ ରକ୍ତମାଂସର ଅସାଧାରଣ ଦ୍ରୋଣମାନଂକୁ ପ୍ରଣିପାତ।

ଆଜି ପ୍ରଣିପାତ।

ଆପଣ ଜାଣନ୍ତି ମାଟିର ଦ୍ରୋଣ ର କାନ୍ଦିବା ଶକ୍ତି ନାହିଁ।କିନ୍ତୁ ରକ୍ତମାଂସର ଦ୍ରୋଣ କାଂଦି ପାରେ। ତାହାର ସଂସାର ଅଛି,କ୍ଷୁଧା ଅଛି,ପିଲାମାନଙ୍କ ଉଚ୍ଚଶିକ୍ଷା ଅଛି,ରୋଗ ବଇରାଗ ଅଛି।ତାହାକୁ ଆନଂଦରେ ରଖିବା କ’ଣ ଆମର ଜାତୀୟ କର୍ତ୍ତବ୍ୟ ନୁହଁ?ତାହାକୁ ଉପଯୁକ୍ତ ଭାବରେ ପ୍ରଶିକ୍ଷିତ କରିବା କ’ଣ ଆମର ସେହି ମୁଣ୍ଡ ଉପରେ ନିଜ ପ୍ରଚକ୍ଷୁଟିକୁ ସର୍ବଦା ଥୋଇ ଆତ୍ମମୁଗ୍ଧ ଟିସାର୍ଟ ପରିହିତ କୁଳପତିର ଦାୟିତ୍ବ ନୁହଁ ? ରକ୍ତ ମାଂସର ଦ୍ରୋଣଟି ଉଚ୍ଚସ୍ତରର ଗବେଷକ ହୋଇ ତାହାର ବିଦ୍ବତା ରେ ସମସ୍ତଙ୍କୁ ଆଲୋକିତ କରି ବାହାବା ପାଉଥିବ ନା ଅତି ସାଧାରଣ ଶ୍ରେଣୀ କକ୍ଷର ସବୁଠାରୁ ଦୁର୍ବଳ ଏକଲବ୍ଯ ଟିକୁ କିଛି ବୁଝାଇ ପାରିଲା ପରେ ତାହାର ଉଜଳି ଉଠିଥିବା ଆଖି ଦୁଇଟିକୁ ଦେଖି ନିଜେ ବିହ୍ୱଳିତ ହେବ,ଏହାର ସ୍ଫଷ୍ଟ ଉତ୍ତର ସେଇ କୁଳପତି ସିଧା ସଳଖ ଦେବେନାହିଁ।ଦେଇପାରିବେ ନାହିଁ।ସରଳ ଭାବରେ କହିଲେ ଉଚ୍ଚଶିକ୍ଷାରେ ଜଣକର ଗବେଷଣା ଆଉ ଶ୍ରେଣୀଗୃହର ଶିକ୍ଷାଦାନ ସହ ଏହାର ପାରସ୍ପରିକ ସଂପର୍କ,ଏ ବିଷୟରେ ସରକାର ଙ୍କ ସମେତ ସମସ୍ତେ ଗବେଷଣାକୁ ପ୍ରାଧାନ୍ଯ ଦେଇଆସିଛନ୍ତି।କେଉଁଠି କେବେହେଲେ କେହି ଜଣେ ରକ୍ତ ମାଂସର ଦ୍ରୋଣର ଶ୍ରେଣୀ ଗୃହର ପରିଚାଳନାଗତ ଯୋଗ୍ୟତାକୁ ପରଖିନେବାକୁ ଉଚିତ ବିଚାର କରିନାହିଁ।ଏହା ସେଇ ସାଧାରଣ ଓ ଅସାଧାରଣର ବର୍ଗୀକରଣ ଖେଳ। ସାଧାରଣ ରକ୍ତମାଂସର ଦ୍ରୋଣଟି ଶ୍ରେଣୀ ଗୃହ କୈନ୍ଦ୍ରିକ ହୋଇ ରହିଥାଏ ଆଉ କିଛି ଦ୍ରୋଣ ମାନେ ଲଣ୍ଡନ ଆମେରିକାରୁ ଶିରୋପା ଧରି ଫେରୁଥାନ୍ତି।

ରକ୍ତ ମାଂସର ଦ୍ରୋଣର କାନ୍ଦରେ ଯେମିତି ଅନେକଙ୍କ ଆନଂଦ। ଯିଏ ଯେତେବେଳେ ସୁବିଧା ପାଏ ସେମାନଙ୍କୁ ଉପଦେଶ ଦେଉଥାଏ।

ମାଟିର ଦ୍ରୋଣ ତ ଅଛନ୍ତି ଆଉ ରହିବେ ଚିରକାଳ ସମ୍ମାନର ସହ।ଆଜି ଆମର କିଂତୁ ରକ୍ତ ମାଂସର ଦ୍ରୋଣ ମାନଙ୍କୁ ସମ୍ମାନୀତ କରିବା ସହ ସେମାନଙ୍କ ର ସୁଖ ଦୁଃଖରେ ସହଭାଗୀ ହେବାର ଆବଶ୍ୟକତା ଅଛି।

ଅନ୍ଯ ପକ୍ଷରେ ରକ୍ତ ମାଂସର ଦ୍ରୋଣ ମାନଙ୍କର ଆଜି ରିଚାର୍ଡ ବାକ୍ ଙ୍କର ସେଇ ପ୍ରସିଦ୍ଧ ଉପନ୍ୟାସ “ଜନାଥନ୍ ଲିଭିଂଷ୍ଠୋନ୍ ସିଗଲ୍” ର ସିଗଲ୍ ଜନାଥନ ଭଳି ହେବାକୁ ପଡିବ ଯିଏ ନିଜ ସିଗଲ୍ କୂଳର ସବୁ ବାଧାନିଷେଧ କୁ ନମାନି ଉଚ୍ଚତର ଉଡାଣରେ ବାହାରିଗଲା ଆଉ ତାହାପରେ ତଳକୁ ଓହ୍ଲାଇ ଆସି ସେହି ଉଚ୍ଚତମ ଉଡାଣର କୌଶଳ ଅନ୍ୟ ସିଗଲ୍ ଜାତି ଭାଇ ମାନଙ୍କ ଶିଖାଇ ସାରିଲା ପରେ ପୁରାପୁରି ଅନ୍ତର୍ଦ୍ଧାନ ହୋଇଗଲା ସବୁଦିନ ପାଇ।”ତଳକୁ ମାଟିକୁ” ବୋଲି ଦର୍ଶନ ର ପ୍ରବକ୍ତା ରିଚାର୍ଡ ବାକ୍ ଙ୍କ ଏଇ ଉପନ୍ୟାସର ମୂଳ କଥ୍ୟ ଟି ହେଲା,ମଣିଷ କେବଳମାତ୍ର ଉଦରପୂର୍ତ୍ତି ପାଇଁ ବଂଚେ ନାହିଁ ତାହାର ବଂଚିବାର ମୂଖ୍ୟ ଉଦ୍ଦେଶ୍ଯ ହେଉଛି ଅନ୍ୟକୁ ଶିକ୍ଷିତ କରିବା ।

ଏଇ ପ୍ରେରଣାଦାୟୀ କ୍ଷୁଦ୍ର ଉପନ୍ୟାସ ଟିକୁ ଆମ ଭାଷାରେ ଅନୁବାଦ କରିଛନ୍ତି “ସାଗର ବିହଂଗୀ” ନାଆଁରେ ବିଶିଷ୍ଟ କଥାକାର ଶ୍ରୀଯୁକ୍ତ ଚଂଦ୍ରଶେଖର ରଥ ଯାହାକୁ ପଢିବାକୁ ଆପଣମାନଙ୍କୁ ମାତ୍ର ତିରିଶ ମିନିଟ୍ ସମୟ ଲାଗିପାରେ ।

ଆଜିର ଏଇ ପବିତ୍ର ଦିବସରେ ମୋର ସମସ୍ତ ମାଟିର ଆଉ ରକ୍ତମାଂସର ଦ୍ରୋଣ ମାନଂକୁ ଆଭୂମ ପ୍ରଣତି ଜଣାଉଛି।

ଦ୍ରୋଣମୟ ଏଇ ସୁନ୍ଦର ପୃଥିବୀର ଜଣେ ଅପଦାର୍ଥ ଏକଲବ୍ଯ ଭାବରେ ମୋର ସମଗ୍ର ବିହ୍ୱଳତାକୁ ଆପଣମାନଙ୍କ ସହ ସହଭାଗ କରି ମୁଁ ଧନ୍ୟ।

ଶେଷରେ ୧୯୧୧ ମସିହାର “ଏକଲବ୍ଯ “ନାମକ ଏଇ ପ୍ରସିଦ୍ଧ ତୈଳଚିତ୍ର ଟି ଆପଣଙ୍କ ପାଇଁ ଯାହାର ଚିତ୍ରକର ହେଉଛନ୍ତି ଭାରତୀୟ ଚିତ୍ରକଳା ଜଗତରେ “ମାଷ୍ଟର ମଶାୟ” ନାଆଁରେ ପ୍ରଖ୍ୟାତ ଶ୍ରୀଯୁକ୍ତ ନନ୍ଦଲାଲ୍ ବୋଷ୍ ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →

One Comment on “ନିଜକୁ ଏକଲବ୍ଯ ମନେକରି”

Comments are closed.