ଦୁର୍ଗାପୂଜାର ଭିନ୍ନ ଏକ ରଙ୍ଗ: ପୁରୀ ଗୋସାଣୀ ଯାତ୍ରା

୧୬ ଅକ୍ଟୋବର ଅଚାନକ ଭାବରେ ପୁରୀ ଯିବାର ନିମନ୍ତ୍ରଣ ମିଳିଲା। ଅଚାନକ ହେଲେ ବି ପୁରୀ ଯିବାର ଲୋଭ କ’ଣ ଛାଡି ହୁଏ? ମୁଁ ବି ତୁରନ୍ତ ବାହାରି ପଡିଲି। ଜଗା ତା’ ନିଜ ତରଫରୁ ସୁଯୋଗ ଦେଇଥାଏ ବୋଲି କି କ’ଣ ଭାରି ସୁନ୍ଦର ଆଉ ମନଭରା ଦର୍ଶନ ହେଲା। ମନ୍ଦିର ବେଢ଼ା ପରିକ୍ରମା ଚାଲିଥାଏ। ଗୋଟିଏ ଗୋଟିଏ ମନ୍ଦିର ସାରି, ରୁକ୍ମିଣୀ କୁଣ୍ଡ ପରେ ବିମଳା ମନ୍ଦିର ପାଖରେ ପହଞ୍ଚିଲା ବେଳକୁ କାଗଜରେ ପ୍ରିଣ୍ଟ କରି ଲେଖା ଯାଇଥାଏ ‘ମହିଳାଙ୍କ ପ୍ରବେଶ ନିଷେଧ’। ମୋ ପାଇଁ ଏଇ କଥାଟି ସମ୍ପୂର୍ଣ୍ଣ ନୂଆ ଥିଲା। ସାଙ୍ଗରେ ଥିବା ବନ୍ଧୁବି କହିଲେ, ସେ ବି ଏ ବଷୟରେ ଜାଣି ନଥିଲେ। ପଚାରିବାରୁ ଜଣା ପଡିଲା ଯେ, ଦଶହରାର ସମୟରେ ଯେହେତୁ ମା’ ବିମଳା ଉଗ୍ର, ରାଗି ଏବଂ ମହିଷାମର୍ଦ୍ଦିନୀ ରୂପରେ ପୂଜା ପା’ଆନ୍ତି, ତେଣୁ ମହିଳା ମାନଙ୍କର ଦର୍ଶନ ବାରଣ ଥାଏ।

ଦେବୀ ବିମଳାଙ୍କ ମନ୍ଦିର, ଶ୍ରୀମନ୍ଦିର ପରିସର ଭିତରେ ଦକ୍ଷିଣ-ପଶ୍ଚିମ ଦିଗରେ ରୋହିଣୀ କୁଣ୍ଡ ପାଖରେ। ଏହାର ଆକାର, ଉଚ୍ଚତା, ନିର୍ମାଣ ଶୈଳୀ ମୁକ୍ତି ମଣ୍ଡପ ନିକଟରେ ଥିବା ନବମ ଶତାବ୍ଦୀରେ ନିର୍ମିତ ନୃସିଂହ ମନ୍ଦିର ସହ ସମାନ। ମାଦଳାପାଞ୍ଜି ଏବଂ ରିପୋର୍ଟ ଅନୁସାରେ ୯୨୨ -୯୫୫ ମଧ୍ୟରେ ରାଜା ଯଯାତି କେଶରୀ (ଦକ୍ଷିଣ କୋଶଳୀର ସୋମବଂଶୀ ରାଜା) ଏହାକୁ ନିର୍ମାଣ କରାଇଥିଲେ। ଶ୍ରୀମନ୍ଦିର ନିର୍ମାଣ ଏବଂ ଜଗନ୍ନାଥଙ୍କ ଉପାସନା ପୂର୍ବରୁ ସେହି ସ୍ଥାନରେ ବିମଳା ଦେବୀଙ୍କର ଉପାସନା ହୋଇ ଆସୁଥିଲା। ପୁରାଣ ଅନୁସାରେ ଦେବୀ ଶକ୍ତିଙ୍କର ଏହି ସ୍ଥାନରେ ‘ପାଦ’ ପଡିଥିଲା ତେଣୁ ବିଭିନ୍ନ ଶକ୍ତିପିଠ ମଧ୍ୟରୁ ବିମଳା ହେଉଛନ୍ତି ଜଣେ। ଏହା ତନ୍ତ୍ରକ୍ଷେତ୍ର। ଦେବୀ ବିମଳାଙ୍କୁ ଜଗନ୍ନାଥଙ୍କର ‘ତାନ୍ତ୍ରିକ ସହଧର୍ମିଣୀ’ ବୋଲି ବିଚାର କରାଯାଏ। ପ୍ରଭୁ ଶ୍ରୀ ଜଗନ୍ନାଥଙ୍କର ରକ୍ଷାକାରୀ ଦେବୀଙ୍କ ମଧ୍ୟରୁ ଦେବୀ ବିମଳ ଅନ୍ୟତମ (ପୁରୁଷୋତ୍ତମ କ୍ଷେତ୍ରକୁ ବିଭିନ୍ନ ଦିଗରୁ ଆସୁଥିବା ରାସ୍ତାକୁ ଆଠ ଜଣ ମଙ୍ଗଳା ଜଗିଥାନ୍ତି)। ବିମଳାଙ୍କ ପାଖରେ ଭୋଗ ନଲାଗିବା ଯାଏ ପ୍ରଭୁ ଜଗନ୍ନାଥଙ୍କ ପାଖରେ ଅନ୍ନ ପ୍ରସାଦ ଲାଗି ପାରେନି। ଜଗନ୍ନାଥଙ୍କ ପାଖରେ ଲାଗି ସାରିଥିବା ମହାପ୍ରସାଦର ବଳକା ଅ°ଶ ମା’ ବିମଳାଙ୍କ ପାଖରେ ଭୋଗ ଲାଗେ। ଦୁର୍ଗାପୂଜା ହେଉଛି ମା’ ବିମଳାଙ୍କର ସବୁଠାରୁ ବିଶେଷ ପର୍ବ। ଏହି ସମୟରେ ମା’ଙ୍କ ପିଠରେ ଭଦ୍ରପଦ କୃଷ୍ଣପକ୍ଷ ଅଷ୍ଟମୀ ଠାରୁ ଆଶ୍ବୀନ ଶୁକ୍ଳ ନବମୀ, ୧୬ ଦିନ ବ୍ୟାପି “ଷୋଡ଼ଶ ପୂଜା” ହୁଏ, ଦଶମୀ ତିଥିରେ ‘ବିଜୟାଦଶମୀ’ ପାଳନ ହୁଏ। ବିଜୟାଦଶମୀରେ ଗଜପତି ମହାରାଜା ପୂଜାର୍ଚ୍ଚନା କରିଥାନ୍ତି। ଏହି ଷୋଳ ଦିନ ଦେବୀ ବିମଳା ଭୁବନେଶ୍ୱରୀ, ବନଦୁର୍ଗା, ରାଜରାଜେଶ୍ବରୀ, ଉଗ୍ରତାରା, ମାତଙ୍ଗୀ, ବଗଳା, ନାରାୟଣୀ, ସି°ହବାହିନୀ, ଜୟଦୁର୍ଗା, ଶୁଳଦୁର୍ଗା ଏବଂ ହରଚଣ୍ଡି ଆଦି ବେଶ ଧାରଣ କରନ୍ତି। ଶ୍ରୀମନ୍ଦିର ପରିସର ମଧ୍ୟରେ ଅବସ୍ଥାନ ହେତୁ, ଦେବୀ ବିମଳା ବର୍ଷ ତମାମ ‘ପରମବୈଷ୍ଣବୀ ଠାକୁରାଣୀ’। ତନ୍ତ୍ର କ୍ଷେତ୍ର ହୋଇଥିଲେ ମଧ୍ୟ ତାଙ୍କ ପାଖରେ ଆମିଷ ଭୋଗ ହୁଏ ନାହିଁ। କିନ୍ତୁ ଏହି ଦୁର୍ଗାପୂଜା ସମୟରେ ହିଁ ତାନ୍ତ୍ରିକ ରିତିନୀତି ଅନୁସାରେ ଦେବୀ ବିମଳାଙ୍କ ପାଖରେ ଆମିଷ ଭୋଗ ହୁଏ। ପ୍ରତିଦିନ ମାର୍କଣ୍ଡ ମନ୍ଦିର ପୋଖରୀରୁ ମାଛ ଧରା ଯାଇ ବିମଳାଙ୍କ ପାଖରେ ଭୋଗ ଲାଗେ। ସପ୍ତମୀ, ଅଷ୍ଟମୀ ଏବଂ ନବମୀ ଏହି ତିନିଦିନ ଦେବୀଙ୍କ ପାଖରେ, ‘ବକୁଳ ପିଣ୍ଡି’ରେ ଦିନକୁ ଦୁଇଟି କରି ବୋଦା ବଳି ଦିଆଯାଏ। ଏହି ଭୋଗ ପ୍ରସ୍ତୁତ ହେବା ପାଇଁ ବିମଳା ମନ୍ଦିରର ଦକ୍ଷିଣ ପାର୍ଶ୍ଵ କାନ୍ଥକୁ ଲାଗି ଗୋଟିଏ ଅସ୍ଥାୟୀ ରୋଷେଇଷାଳ ପ୍ରସ୍ତୁତ କରାଯାଏ। ଭୋଗଲାଗି ପରେ ବିମଳା ମନ୍ଦିର ରାସ୍ତାକୁ ଜଳ ଦ୍ବାରା ବିଶୋଧିତ କରାଯାଏ। ଏହି ରୀତିନୀତି ରାତ୍ରି ସମୟରେ, ଜଗନ୍ନାଥଙ୍କ ପହଡ ପଡିବା ପରେ ଏବଂ ଦୁର୍ଗାମାଧବଙ୍କ ଅନୁପସ୍ଥିତିରେ ପାଳନ କରାଯାଏ। ନବମୀ ତିଥିରେ ଜଗନ୍ନାଥଙ୍କ ‘ଚନ୍ଦନଲାଗି’ ନୀତି ପରେ ସମ୍ପୂର୍ଣ୍ଣ ଶ୍ରୀମନ୍ଦିର ପରିସରକୁ ବିଶୁଦ୍ଧ କରାଯାଏ। ଏହି ସମୟରେ କେହି ଯଦି ମା’ଙ୍କ ପାଖରେ ବଳି ଦେବା ପାଇଁ ପଶୁ ଯାଚନ୍ତି ତା’ ହେଲେ ଶ୍ରୀମନ୍ଦିର ପରିସର ବାହାରେ ଦଶହରା ସମୟରେ ପୂଜା ପାଇବା ପାଇଁ ଗଢା ଯାଇଥିବା ମାଟି ମୂର୍ତ୍ତି ‘କାକୁଡିଖାଇ ଗୋସାଣୀ’ଙ୍କ ପାଖରେ ଯାଚି ପାରନ୍ତି।

Photography @ Subrat Nayak

ଭାରତର ଯେଉଁ ସ୍ଥାନରେ ବି ଶରତ ଋତୁରେ ଦଶହରା ସମୟରେ ମୃଣ୍ମୟୀ ପ୍ରତିମା ପୂଜା ପାଆନ୍ତି, ସେ ମା’ ଦୁର୍ଗାଙ୍କ ରୂପରେ ପୁଜା ପାଆନ୍ତି। କିନ୍ତୁ କେବଳ ପୁରୀରେ ହିଁ ମେଢରେ ଦେବୀ ଦୁର୍ଗା “ଗୋସାଣୀ” ରୂପରେ ପୂଜା ପାଆନ୍ତି। ପୁରୀର ଏହି ଗୋସାଣୀ ଯାତ୍ରାର ଆରମ୍ଭ ୧୧ଶହ ଶତାବ୍ଦୀରେ ରାଜା ଚୋଡଗଙ୍ଗ ଦେବଙ୍କ ଦ୍ବାରା ହୋଇଥିଲା। ଏହା ଏକ ଗଣପର୍ବ, ଯେଉଁଥିରେ ମାଟିରେ ଦେବୀଙ୍କର ଅସ୍ଥାୟୀ ମୂର୍ତ୍ତି ବନାଇ ମେଢରେ ପୂଜା କରାଯାଏ। ପୁରୀର ଗୋସାଣୀ ମୂର୍ତ୍ତି ଏବଂ ସାଜସଜ୍ଜା ସମ୍ପୂର୍ଣ୍ଣ ଭାବରେ ଲୋକସ°ସ୍କୃତି ଏବଂ ସ୍ଥାନୀୟ ପରମ୍ପରା ଉପରେ ଆଧାରିତ। ସାଧାରଣତଃ କୋଲକାତା, କଟକ ଏବଂ ଅନ୍ୟ ଭାରତୀୟ ସହରରେ ପୂଜା ପାଉଥିବା ଦୁର୍ଗା ମୂର୍ତ୍ତିଠାରୁ ଏହା ଦେଖିବାକୁ ଭିନ୍ନ। ଅନ୍ୟ ଯାଗା ପରି ପୁରୀରେ ଶାନ୍ତ, କମନୀୟ, ମମତାମୟୀ କିମ୍ବା ତନୁପାତଳୀ ଦୁର୍ଗା ମୂର୍ତ୍ତି ପୂଜା ପାଏନି। ପୁରୀର ଗୋସାଣୀ ଅନ୍ୟ ସ୍ଥାନର ମୂର୍ତ୍ତି ଅପେକ୍ଷା ସାମାନ୍ୟ ପୃଥୁଳକାୟ ଏବଂ ଉଗ୍ର, କ୍ରୋଧାନ୍ବିତ, ପାପବିନାସିନୀ, ମହିଷାସୁର ମର୍ଦ୍ଦିନୀ ଭାବରେ ପୂଜା ପାଆନ୍ତି। ପ୍ରତ୍ୟେକ ମେଢରେ ଦେବୀଙ୍କ ଦୃଷ୍ଟି ଭକ୍ତଙ୍କ ଆଡକୁ ଆଶ୍ବସନା ଦେବା ଢଙ୍ଗରେ ନରହି, ସଦା ସର୍ବଦା ମହିଷାସୁରର ଚକ୍ଷୁକୁ ସିଧା ଚାହିଁ ନାସ କରିବା ଠାଣିରେ ଥାଏ। ଏହି ମେଢ଼ ଗୁଡ଼ିକରେ ମହିଷାସୁରର ସର୍ବଦା ମହିଷି-ମୁଣ୍ଡ ଦେଖାଯାଏ। ରଙ୍ଗ କରିବା ପାଇଁ କେବଳ ହିଙ୍ଗୁଳା, ଶଙ୍ଖ, ଗେରୁ ଏବଂ ଦୀପ କଳା ପରି ପ୍ରାକୃତିକ ପ୍ରାଇମେରୀ ରଙ୍ଗ ବ୍ୟବହାର କରାଯାଏ। ଗୋସାଣୀଙ୍କ ମୂର୍ତ୍ତି ପାଇଁ ହଳଦିଆ ରଙ୍ଗ ବ୍ୟବହାର କରା ଯାଉଥିବା ବେଳେ ମହିଷାସୁର ପାଇଁ ନୀଳ/ ସବୁଜ ବ୍ୟବହାର ହୁଏ। ମୂର୍ତ୍ତିକୁ ରଙ୍ଗ ମାଖି ସାରିବା ପରେ ମୂର୍ତ୍ତିକାର ଗୋସାଣୀଙ୍କ ବକ୍ଷରେ ଗୋଟିଏ “ଦେବୀ ଯନ୍ତ୍ର” ଆଙ୍କି, ତାକୁ ନୂତନ ବସ୍ତ୍ରରେ ଘୋଡାଇ ଦିଅନ୍ତି। ମୁକୁଟ ଏବଂ ଗହଣାଗିଣ୍ଠି ପାଇଁ ସୋଲ ଏବଂ ଜରି କାମ ବ୍ୟବହାର କରାଯାଏ। ପୁରୀର ବିଭିନ୍ନ ସାହିରେ ଦୁର୍ଗା ଭିନ୍ନ ଭିନ୍ନ ଗୋସାଣୀ ରୂପରେ ପୂଜା ପାଆନ୍ତି। ସମସ୍ତଙ୍କ ଭିତରେ ବଣିଆପଟି, ବାଲିସାହିର ‘କାକୁଡିଖାଇ ଗୋସାଣୀ’ ହେଉଛନ୍ତି ମୁଖ୍ୟ, ଶ୍ରୀମନ୍ଦିର ବାହାରେ ସେ ଦେବୀ ବିମଳାଙ୍କ ପ୍ରତିନିଧି। ଏଠି ସେ ଦଶଭୂଜା, ବାମ ପଟରେ ଆୟୁଧ ସହ ମହିଷାସୁରର ଚୁଟି ତାଙ୍କ ହାତରେ ଥାଏ।। ତାଙ୍କ ବାମ ପାଦ ମହିଷାସୁରର କାନ୍ଧ ଉପରେ ଏବଂ ଡାହାଣ ପାଦ ତାଙ୍କ ବାହନ ସି°ହ ଉପରେ ଥାଏ। ଦୋଳମଣ୍ଡପ ସାହିର ‘ଜହ୍ନିମୁଣ୍ଡି ଗୋସାଣୀ’ଙ୍କ ସ୍ଥାନ କାକୁଡିଖାଇଙ୍କ ପରେ, ସେ ଦଶଭୂଜା। ସେ ମଧ୍ୟ ପୁରୀର ସବୁ ଗୋସାଣୀ ମୂର୍ତ୍ତିଙ୍କ ମଧ୍ୟରେ ଦ୍ବିତୀୟ ବୃହତ୍ତମ, ଉଚ୍ଚତା ୧୬ ଫୁଟ୍ ୧୬ ଇଞ୍ଚ୍। ବାଲିସାହି, ଗୌଡବାଡ ସାହି ଏବଂ ମାର୍କଣ୍ଡେସ୍ବର ସାହିରେ ତାଙ୍କୁ ‘ଜହ୍ନିଖାଇ ଗୋସାଣୀ’ କୁହାଯାଏ। ସର୍ବ ପୁରାତନ ଏବଂ ସର୍ବୋଚ୍ଚ ମୂର୍ତ୍ତିର ନାଁ ହେଉଛି ‘ବାରବାଟି ଗୋସାଣୀ’। ତାଙ୍କ ମୂର୍ତ୍ତି ୨୦ ଫୁଟର ହୋଇଥିବା ବେଳେ ସେ ଅଷ୍ଟଭୁଜା ରୂପରେ ପୂଜା ପାଆନ୍ତି। “ଶୂନ୍ୟ ଗୋସାଣୀ” ମୂର୍ତ୍ତିରେ ଦୁର୍ଗା ଏବଂ ମହିଷାସୁରର ଆକାଶରେ ଯୁଦ୍ଧକୁ ଦର୍ଶାଯାଏ। ମୂର୍ତ୍ତିର ତଳ ଅ°ଶରେ ପାହାଡ, ଗଛ, ନଦୀ, ପଶୁ (ପୃଥିବୀର ବାର୍ଡସ୍ ଆଏ ଭ୍ବୁ) ଦେଖାଯାଏ। “କଣ୍ଟାକାଢି ଗୋସାଣୀ” (ବନଦୁର୍ଗା) ମୂର୍ତ୍ତିରେ ମହିଷାସୁର ଦେଖାଯାଏନି। ଏଥିରେ ଦେବୀ ଅଷ୍ଟଭୂଜା ଏବଂ ଗୋଟିଏ ଗୋଡରେ ଛିଡା ହୋଇଥାନ୍ତି। ତାଙ୍କ ଅନ୍ୟ ଗୋଡକୁ ବିଷ୍ଣୁ ଧରି ସେଥିରେ ଫୋଡି ହୋଇଯାଇଥିବା କଣ୍ଟାକୁ ବାହାର କରୁଥାନ୍ତି ଏବଂ ଶିବ ପାଖରେ ଛିଡା ହୋଇଥାନ୍ତି। ଏହି ମୂର୍ତ୍ତି ମାଧ୍ୟମରେ ବୈଷ୍ଣବ, ଶୈବ ଏବଂ ଶାକ୍ତଙ୍କର ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନ ଏବଂ ଉପସ୍ଥିତି ଦର୍ଶାଯାଏ । ଭୋଗଜଗା ଆଖଡାରେ ପୂଜା ପାଉଥିବା ‘ଭୋଗଜଗା ଗୋସାଣୀ’ ଙ୍କ ପୂଜା ଭୋଇ ରାଜା ଗଜପତି ରାମଚନ୍ଦ୍ର ଦେବଙ୍କ ସମୟରେ ଆରମ୍ଭ ହୋଇଥିଲା। ଏହା ଛଡା ପାନପ୍ରିୟା, ହାଡବାଇ, ଗେଲବାଇ ଓ ବେଲବାଇ ଗୋସାଣୀ ପୁରୀର ବିଭିନ୍ନ ସାହିରେ ମେଢରେ ପୂଜା ପାଆନ୍ତି। ଗୋସାଣୀ ମାନଙ୍କ ନାମକରଣକୁ ହିଁ ଲକ୍ଷ୍ୟ କଲେ ଜଣେ ଉପଲବ୍ଧି କରି ପାରିବ ଯେ, ଏହି ଗୋସାଣୀ ଯାତ୍ରା ପୁରୀର ସମ୍ପୂର୍ଣ୍ଣ ନିଜସ୍ୱ, ସ୍ଥାନୀୟ ଚଳଣି, ପ୍ରଥା, ପରମ୍ପରା ଏବଂ ଲୋକକଳା ଆଧାରିତ। ଏହା ଉପରେ ବାହ୍ୟ କଳା ଓ କରାରିଗରୀର ପ୍ରଭାବ ପଡି ନାହିଁ। ଗୋସାଣୀ ଯାତ୍ରାର ଆଉ ଗୋଟିଏ ବିଶେଷତ୍ୱ ହେଲା, ବିଶାଳକାୟ ନାଗ ମୂର୍ତ୍ତି। ‘ନାଗାର୍ଜୁନ ବେଶ’ରେ ଉପସ୍ଥାପିତ ଏହି ନାଗମୂର୍ତ୍ତି ପୌରୁଷ ଓ ବିରତ୍ବର ପ୍ରତୀକ। ସବୁ ନାଗ ମୂର୍ତ୍ତି ମଧ୍ୟରେ ବାଲି ସାହି ଏବଂ ହରଚଣ୍ଡି ସାହିର ମୂର୍ତ୍ତି ସର୍ବପୁରାତନ ଏବଂ ପ୍ରସିଦ୍ଧ। ଏହି ପ୍ରକାର ନାଗ ମୂର୍ତ୍ତି ମଧ୍ୟ ପୁରୀ କାରିଗରୀର ସମ୍ପୂର୍ଣ୍ଣ ନିଜସ୍ୱ ଓ ସ୍ବତନ୍ତ୍ର। ଭାରତର ଅନ୍ୟ କୌଣସି ସ୍ଥାନରେ ଏପରି ନାଗ ମୂର୍ତ୍ତି ଦେଖିବାକୁ ମିଳେନି। ୨୦ ଫୁଟ୍ ପର୍ଯ୍ୟନ୍ତ ଉଚ୍ଚର ନାଗାର୍ଜୁନ ମୂର୍ତ୍ତି, ସୁଠାମ ଓ ସୁଗଠିତ ମା°ସପେଶୀ ଓ ଶରୀର ନେଇ, ଛାତି ଫୁଲାଇ ଠିଆ ହୋଇଥାନ୍ତି। ମୂର୍ତ୍ତିର ଆଖି ବଡ ଏବଂ ଗୋଲଗୋଲ, ଗୋଜିଆ ନାକ, ଦୁଇ ପଟକୁ ମୋଡି ହୋଇଥିବା ମୋଟା ନିଶ ଓ ଦାଢି। ହାତ ଓ ଅଣ୍ଟାରେ ଖଣ୍ଡା, ଛୁରୀ ଓ ଅନ୍ୟାନ୍ୟ ଅସ୍ତ୍ରଶସ୍ତ୍ର ରହିଥାଏ। କେବଳ ଭକ୍ତି କିମ୍ବା ଶୈବତତ୍ତ୍ୱକୁ ମହତ୍ତ୍ଵ ଦେବା ପାଇଁ ନୁହେଁ, ଏହି ନାଗ ମୂର୍ତ୍ତିକୁ ତାଙ୍କ ସୁଠାମ ଶରୀର, ଯୋଦ୍ଧାବେଶ କାରଣରୁ ପୁରୀର ‘ଆଖଡା ପରମ୍ପରା’ ଓ କୁସ୍ତି ସହ ମଧ୍ୟ ଯୋଡା ଯାଏ। ପୁରାତନ କାଳରେ ନାଗା ସାଧୁମାନେ ଏହି ଆଖଡା ଏବଂ କୁସ୍ତି ମାଧ୍ୟମରେ ବୌଦ୍ଧଧର୍ମ ପ୍ରଚାରକ ମାନଙ୍କୁ ପରାସ୍ତ କରିବାରେ କାମରେ ଆସିଥିଲେ। ଏହା ଛଡା ମଧ୍ୟଯୁଗରେ ମୁସଲମାନ ଆକ୍ରମଣ ଏବଂ ଅତିକ୍ରମଣ ସମୟରେ ମଧ୍ୟ ଏହି ନାଗାସାଧୁ ଏବଂ ତାଙ୍କ ଆଖଡା ଗୁଡିକର ଖୁବ୍ ମହତ୍ତ୍ଵ ରହିଛି।

ଏହି “ଗୋସାଣୀ” ଶବ୍ଦର ବ୍ୟବହାର ଏବଂ ଅର୍ଥକୁ ନେଇ ମଧ୍ୟ ଅନେକ ପ୍ରକାର ତର୍କ ରଖାଯାଏ। ପୂର୍ବରୁ ରାଜପରିବାର ଗୁଡିକରେ ଜେଜେ ମା’କୁ ଗୋସାଇଁ ମା’ ଡାକାଯାଉଥିଲା। ସେହି ଗୋସାଇଁ ମା’ ଶବ୍ଦ କାଳକ୍ରମେ ଅପଭ୍ର°ସ ହୋଇ ଗୋସାଣୀ ହୋଇଛି ବୋଲି ଅନେକ ମାନନ୍ତି। ମା’ ଦୁର୍ଗା ହିଁ ଆଦି ମାତା, ସୃଷ୍ଟିକାରିଣୀ ଓ ପାଳନକର୍ତ୍ତ୍ରୀ। ଏହି ଅର୍ଥରେ ସେ ମା’ ଗୋସାଇଁ ବା ଗୋସାଣୀ। ହିନ୍ଦୁ ପୁରାଣ ଅନୁସାରେ ଶିବଙ୍କୁ ବୃଷଭନାଥ କୁହାଯାଏ ଏବଂ କୃଷ୍ଣଙ୍କୁ ଗୋପାଳ। କୃଷ୍ଣଙ୍କୁ ସମସ୍ତ ଗୋ’ବ°ଶର ସୃଷ୍ଟି କର୍ତ୍ତା କୁହାଯାଉଥିବା ବେଳେ ଦେବୀଙ୍କୁ ଗୋମାତା ରୂପରେ ଚିହ୍ନଟ କରାଯାଏ। କିନ୍ତୁ ଗୋସାଣୀ ରୂପରେ ମା’ ଦର୍ଶାଇ ଦିଅନ୍ତି ଯେ, ସେ କେବଳ ଗୋମାତା ନୁହନ୍ତି, ନିଜେ ‘ଗୋ-ସ୍ବାମିନୀ’ ମଧ୍ୟ। ନିଜ ଧର୍ମ, କର୍ତ୍ତବ୍ୟ, ଅଧିକାର, ଇଚ୍ଛା, ରୁଚି ଏସବୁକୁ ସେ ସ୍ବୟଂ ପାଳନ ଓ ନିୟନ୍ତ୍ରଣ କରନ୍ତି। ତାଙ୍କର ମହିଷାମର୍ଦ୍ଦିନୀ ରୂପ ତାଙ୍କୁ ରାଜରାଜେଶ୍ବରୀ ପ୍ରମାଣିତ କରେ। ଗୋ-ସ୍ବାମିନୀ ଶବ୍ଦରୁ ଗୋସାଣୀ ଶବ୍ଦ ଆସିଥାଇପାରେ ବୋଲି ମଧ୍ୟ ବିଶ୍ୱାସ କରାଯାଏ। ସେହିପରି ପୂର୍ବରୁ ଜମିବାଡ଼ି ଏବଂ ଗୋଧନ ଥିବା ଧନୀ ଲୋକଙ୍କୁ ମଧ୍ୟ “ଗୋ-ସ୍ବାମୀ” କୁହା ଯାଉଥିଲା। ଏହାର ସ୍ତ୍ରୀଲିଙ୍ଗ ବାଚକ ଶବ୍ଦ “ଗୋ-ସ୍ବାମିନୀ”, ଯାହାକି ସମ୍ମାନସ୍ପଦ, ଧନୀ ଏବଂ ରାଜ ପରିବାରର ମହିଳା ମାନଙ୍କ ପାଇଁ ବ୍ୟବହାର କରାଯାଏ। ଗୋସାଣୀ ଶବ୍ଦ ଏହି ଗୋ-ସ୍ବାମିନୀ ଶବ୍ଦରୁ ଆସିଥାଇ ପାରେ ବୋଲି ମଧ୍ୟ ମତ ପ୍ରକାଶ ପାଏ। ପୁରୀର ଲୋକମାନ୍ୟତା ଅନୁସାରେ, ‘ଗୋସାଣୀ’ ଶବ୍ଦ ସ୍ତ୍ରୀ ଦୁଷ୍ଟ ଶକ୍ତି ବା ଆତ୍ମାକୁ ବୁଝାଏ। ଭଗବାନ ଶିବଙ୍କୁ ଭୂତ, ପ୍ରେତ, ବେତାଳ, ଯୋଗିନୀ ଆଦିଙ୍କ ସ୍ବାମୀ ମଧ୍ୟ କୁହାଯାଏ। ଏଣୁ ବିଶ୍ୱାସ କରାଯାଏ ଯେ ଗୋସାଣୀ ମାନେ ହେଉଛନ୍ତି ଶିବଙ୍କର ଶକ୍ତିର ଗୋଟିଏ ଗୋଟିଏ ରୂପ। ଯେହେତୁ ଗୋସାଣୀ ଯାତ୍ରା ଚୋଡଗଙ୍ଗ ଦେବଙ୍କ ଦ୍ବାରା ଆରମ୍ଭ ହୋଇଥିଲା ଏବଂ ମାଦଳା ପାଞ୍ଜିରେ ତାଙ୍କୁ ତନ୍ତ୍ର ସାଧକ ଭାବରେ ବର୍ଣ୍ଣନା କରାଯାଇଛି ଏବଂ ବିମଳାଙ୍କ କ୍ଷେତ୍ର ତନ୍ତ୍ର-କ୍ଷେତ୍ର ଅଟେ, ତେଣୁ ଗୋସାଣୀ ଯାତ୍ରାର ତାନ୍ତ୍ରିକ ସାଧନାର ସମ୍ପର୍କକୁ ମନା କରା ଯାଇ ପାରିବ ନାହିଁ।

ପାର୍ବଣ ଶେଷରେ, ବିସର୍ଜନ ପୂର୍ବରୁ ପୁରୀରେ ଗୋସାଣୀଙ୍କର ଶୋଭାଯାତ୍ରା ବାହାରେ। ଏହି ଶୋଭାଯାତ୍ରାରେ ଗୋସାଣୀଙ୍କ ସହ ଶିବ, ନାଗାର୍ଜୁନ, ନାଗା ସିଦ୍ଧ ବାବା, ସମ୍ପାତ୍ତି (ଜଟାୟୁଙ୍କ ବଡ ଭାଇ), ଶିବ ଓ ଶକ୍ତିଙ୍କ ଭୂତ, ପ୍ରେତ ଗଣ ମଧ୍ୟ ସାମିଲ ଥା’ନ୍ତି। ଏହି ବିଶାଳ ପଟୁଆର ଶ୍ରୀମନ୍ଦିର ପରିକ୍ରମା ପରେ ଶେଷରେ ସି°ହଦ୍ବାର ସମ୍ମୁଖରେ ଶାନ୍ତ ହୋଇ ଏକାଠି ହୁଅନ୍ତି (ପୂର୍ବରୁ ଜଗନ୍ନାଥ ବଲ୍ଲଭ ମଠ ବା ଦଶହରା ପଡା ପାଖରେ ଏକାଠି ହେଉଥି

About Dr. Ipsita Pradhan

Dr. Ipsita Pradhan is a doctor by profession and writer by passion.

View all posts by Dr. Ipsita Pradhan →