ଏକଦା ହଜିଯାଇଥିବା ଗୋଟେ ଲମ୍ବା ଛବି

ପାଖାପାଖି ପ୍ରାୟ ଶହେ ବର୍ଷ ତଳେ ଚିତ୍ରଶିଳ୍ପୀ ବିନୋଦ ବିହାରୀ ମୁଖାର୍ଜୀ ୪୪ ଫୁଟ ଲମ୍ବା ଓ ଛଅ ଇଞ୍ଚ ଚଉଡାର ଜାପାନୀ ଶୈଳୀରେ ଏକ ସ୍କ୍ରୋଲ୍ ଛବି ଆଙ୍କିଥିଲେ । କିଛି କାରଣରୁ ତାହା ଅନେକ ବର୍ଷ ଧରି ଲୋକଲୋଚନର ଆଢୁଆଳରେ ଥିଲା । ସେ ଛବି ବିଷୟରେ କାହା ପାଖରେ କିଛି ଖବର ନଥିଲା । ଛବିଟି ଶେଷରେ କିନ୍ତୁ ମିଳିଛି ଓ ୨୦ ମଇ ରୁ ୨୦ ଜୁନ୍ ପର୍ଯ୍ୟନ୍ତ କଳା ଐତିହାସିକ ଆର୍ ଶିବକୁମାରଙ୍କ କ୍ୟୁରେସନରେ କଲିକତା ସେଣ୍ଟର୍ ଫର୍ କ୍ରିଏଟିଭିଟିର ଗ୍ୟାଲେରୀରେ ପ୍ରଦର୍ଶିତ ହେଇ ଏବେ ଚର୍ଚ୍ଚାର ବିଷୟ ପାଲଟିଛି ।

‘Scenes From Santiniketan’ By Benode Behari Mukherjee

ସ୍କ୍ରୋଲ୍ ପେଣ୍ଟିଂ କହିଲେ ଛବିଟି ସାଧାରଣତଃ କମ ଚଉଡା ଓ ଲମ୍ବା ଅଧିକା ଥିବା କାଗଜ ଅବା କପଡା ଉପରେ ଅଙ୍କା ଯାଇଥାଏ । ଏପରିକା ଚିତ୍ର ମୁଖ୍ୟତଃ ଆମ ଏସିଆ ମହାଦେଶରେ ବିଶେଷକରି ପୂର୍ବ ଏସିଆରେ ହିଁ ଅଙ୍କାଯାଏ । ବିଭିନ୍ନ ପ୍ରକାରର ସ୍କ୍ରୋଲ୍ ପେଣ୍ଟିଂ ଭିତରେ ଚୈନିକ ଭୂଦୃଶ୍ୟ ଅଙ୍କନର ପରମ୍ପରା ଓ ଜାପାନୀ କାହାଣୀଧର୍ମୀ ସ୍କ୍ରୋଲ୍ ପେଣ୍ଟିଂର ଆବେଦନ ସବୁବେଳେ ଶୀର୍ଷରେ ରହିଆସିଛି । କୁହାଯାଏ ଚୀନ୍ ଦେଶରେ ଏପରି ପରମ୍ପରା ଗୌତମ ବୁଦ୍ଧଙ୍କ ବାଣୀକୁ ପ୍ରଚାର କରିବାକୁ ଚତୁର୍ଦ୍ଦଶ ଶତାବ୍ଦୀ ବେଳକୁ ଆରମ୍ଭ ହେଇଥିଲା ।

ବିନୋଦ ବିହାରୀ ମୁଖାର୍ଜୀଙ୍କ ଜନ୍ମ ହେଇଥିଲା ୧୯୦୪ ମସିହାରେ । ପିଲାଦିନୁ ତାଙ୍କ ଆଖିରେ ସମସ୍ୟା ଥିଲା । ଧିରେ ଧିରେ ଆଖିରେ ସମସ୍ୟା ବଢିଥିଲା ଓ ତାଙ୍କୁ ୫୩ ବର୍ଷ ହେଲା ବେଳକୁ ସେ ସମ୍ପୂର୍ଣ୍ଣ ଭାବରେ ତାଙ୍କର ଦୃଷ୍ଟି ଶକ୍ତି ହରାଇ ଅନ୍ଧ ହେଇଯାଇଥିଲେ । ଅନ୍ଧ ହେଲାପରେ ବି ସେ ତାଙ୍କ ଚିତ୍ର ଅଙ୍କା ଅଭ୍ୟାସକୁ ଆଦୌ ଛାଡିଦେଇ ନଥିଲେ । ବିନୋଦ ବିହାରୀଙ୍କର ଦେହାନ୍ତ ହେଇଥିଲା ୧୯୮୦ ମସିହାରେ । କିନ୍ତୁ ଆମେ ଆଜି ଯେଉଁ ଲମ୍ବା ଛବି ବିଷୟରେ କଥା ହେଉଛେ ତାକୁ ବିନୋଦ ବିହାରୀ ମାତ୍ର କୋଡିଏ ବର୍ଷ ବୟସରେ ଆଙ୍କିଥିଲେ । ଛବିଟି ଶାନ୍ତନିିକେତନର ଭୂଦୃଶ୍ୟକୁ ନେଇ ଅଙ୍କା ଯାଇଛି। ଛବିର ନାମ ବି ରହିଛି ଶାନ୍ତିନିକେତନର ଦୃଶ୍ୟ । ବିନୋଦ ବିହାରୀ ଆହୁରି କେତୋଟି ସ୍କ୍ରୋଲ୍ ଛବି ଆଙ୍କିଛନ୍ତି କିନ୍ତୁ ସେସବୁ ଏଇ ଛବି ପରି କେହି ଏତେଟା ଲମ୍ବା ନୁହଁନ୍ତି ।

‘Scenes From Santiniketan’ By Benode Behari Mukherjee

ବିନୋଦ ବିହାରୀଙ୍କର କଳା ଶିକ୍ଷା କଳାଭବନ ଶାନ୍ତନିିକେତନ ଠାରେ ହେଇଥିଲା ଓ ପାଠ ପଢା ୧୯୨୯ରେ ଶେଷ ହେଇଥିଲା । ପଢା ପରେ ସେଇଠି ସେ ଶିକ୍ଷକତା ମଧ୍ୟ କରିଥିଲେ । ଜାପାନୀ ଓ ଚୈନିକ ଚିତ୍ରର କଳା କୌଶଳ ପ୍ରତି ସେତେବେଳର ପ୍ରମୁଖ ବଙ୍ଗୀୟ ଶିଳ୍ପୀଙ୍କର ଅନୁରାଗ ରହିଥିଲା । ସେ ସମୟରେ ପାଶ୍ଚାତ୍ୟ ବଦଳରେ ପ୍ରାଚ୍ୟ ପ୍ରତି ଦୃଷ୍ଟି ନିକ୍ଷେପର ଭାବଭୂମି ପ୍ରସ୍ତୁତ ହେଇଥିଲା । ଅନୁମାନ କରାଯାଏ ଯେ, ନନ୍ଦଲାଲ ବୋଷ ଓ ରବୀନ୍ଦ୍ରନାଥ ଠାକୁର ସେମାନଙ୍କ ଜାପାନ ଗସ୍ତ ସମୟରେ ଯେଉଁ ସବୁ ଜାପାନୀ ସ୍କ୍ରୋଲ୍ ଛବି ସାଙ୍ଗରେ ଆଣିଥିଲେ ବିନୋଦ ବିହାରୀ ସେସବୁକୁ ଭଲରେ ନୀରୀକ୍ଷଣ କରିଥିଲେ ଓ ଛବିର ଆବେଦନ ତାଙ୍କୁ ନିଶ୍ଚୟ ଭଲ ଲାଗିଥିଲା ।

ବିନୋଦ ବିହାରୀ କାଳି ଓ ଜଳ ରଙ୍ଗକୁ ବ୍ୟବହାର କରି କାଗଜ ଉପରେ ଏହି ‘ଶାନ୍ତିନିକେତନର ଭୂଦୃଶ୍ୟ’ ନାମକ ଲମ୍ବ ଛବିଟିକୁ ଆଙ୍କିଥିଲେ । ଚିତ୍ର ଅଙ୍କନ ପାଇଁ ଅତି ପତଳା ମୋଟେଇର ଅନେକ ଗୁଡେ କାଗଜକୁ ଯୋଡି ଯୋଡି ବିନୋଦବିହାରୀ ଚାଳିଶ ଫୁଟର ଲମ୍ବା ଏକ ଭୂମି ପ୍ରସ୍ତୁତ କରିଥିଲେ । ଛବିକୁ ଯଦି ଆମେ ଡାହାଣରୁ ବାମ ପଟୁ ଦେଖି ଦେଖି ଚାଲିବା ତେବେ ପ୍ରଥମେ ଭେଟିବା ଜଣେ ବ୍ୟକ୍ତି ଗଛ ତଳେ ବସିଛନ୍ତି । ହୁଏତ ସେ ଜଣକ ସ୍ୱୟଂ ଚିତ୍ରଶିଳ୍ପୀ ହୋଇଥାଇ ପାରନ୍ତି । ଚୌନିକ ଓ ଜାପାନୀ ସ୍କ୍ରୋଲ୍ ଛବିରେ ପ୍ରାୟତଃ ଏମିତି ଜଣେ ଦର୍ଶକ ବସିଥିବାର ଦେଖାଯାଏ । ଲାଗେ ସେହି ଦର୍ଶକର ଆଖି ଯେଉଁ ଦୃଶ୍ୟାବଳୀକୁ ପ୍ରତ୍ୟକ୍ଷ କରୁଛି ଛବିକୁ ଦେଖୁଥିବା ଦର୍ଶକ ଅବିକଳ ତାହାହିଁ ଦର୍ଶନ କରୁଛି । ଜଣେ ଦର୍ଶକ ଯେତବେଳେ ଏହି ଚାଳିଶ ଫୁଟ ଲମ୍ବା ଛବିର କଡେ କଡେ ବାଟ ଚାଲିବ, ସେତେବେଳେ ସେ ଆଖି ଆଗରେ ଜଙ୍ଗଲ, ଶାଳ ଗଛ, ବଳଦ ଗାଡି, ଗାଁ ରେ ଖଜୁରି ତାଡି ପ୍ରସ୍ତୁତିର ଦୃଶ୍ୟ, ଧାନ କ୍ଷେତ, ବିଲ ଓ ପଡିଆରେ ଘାସ ଚରୁଥିବା ଗୋରୁ ଗାଈ, ପତ୍ର ନଥିବା ଓ ପତ୍ର ଗହଳ ଥିବା ଗଛ ବୃକ୍ଷ ଓ ଆହୁରି କେତେ କ’ଣ ଦେଖିବ । ଅବିଶ୍ରାନ୍ତ ବର୍ଣ୍ଣନାର ହାତ ଧରି ଧରି ବାଟ ଚାଲିବ ।

ବିନୋଦ ବିହାରୀ ତାଙ୍କର ଏହି ‘ଶାନ୍ତିନିକେତନର ଭୂଦୃଶ୍ୟ’ ଛବିରେ ଶାନ୍ତିନିକେତନ ଓ ତା’ର ଆଖ ପାଖର ଜୀବନ ଯାତ୍ରା ଏବଂ ଭୂଦୃଶ୍ୟକୁ ହିଁ ରୂପ ଦେଇଛନ୍ତି । ଭାରତୀୟ ଭୂଦୃଶ୍ୟ ଛବି ଅଙ୍କନର ପରମ୍ପରାରେ ଏଇ ଛବିଟିକୁ ଆଜିର କଳା ସମାଲୋଚକମାନେ ବେଶ୍ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଛବିରେ ଅନେକ ଗଛ ବୃକ୍ଷଙ୍କ ସହ ସମୁଦାୟ ବାଇଶି ଜଣ ମଣିଷ, ବାଇଶିଟି ଗୋରୁ ଗାଈ, ତିନୋଟି କୁକୁଡା, ଗୋଟିଏ ଚଢେଇ ଓ ଗୋଟିଏ କୁକୁରର ଉପସ୍ଥିତି ରହିଛି ।

ବିନୋଦ ବିହାରୀଙ୍କ ଏହି ଲମ୍ବା ଛବିରେ ଏକ ପ୍ରକାର ସଂକ୍ରମଣଶୀଳ ନିରୂତା ଏକାକୀପଣ ରହିଛି । ଓ ରହିଛି ପ୍ରକୃତି କୋଳର ନିରୋଳା ନିର୍ଜନତା । ନୀରବତାର ସ୍ୱର ଏଠି ବାଂମୟ । ଏକଲା ପଣ ମୁଖର । ଛବିଟି ଶୀତରୁତୁର ବର୍ଣ୍ଣନାରୁ ଆରମ୍ଭ ହେଇ ଗ୍ରୀଷ୍ମ ହେଇ ବର୍ଷା ରୁତୁରେ ପହଞ୍ଚିଛି ।

‘Scenes From Santiniketan’ By Benode Behari Mukherjee

କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବରେ ଛବିଟି ଏତେ କାଳ ଧରି କଳାରସିକଙ୍କ ଆଖିରୁ ଲୁଚି ରହିଥିଲା କେମିତି? ତା’ ପୁଣି ବିନୋଦ ବିହାରୀଙ୍କ ପରି ବିଖ୍ୟାତ ଚିତ୍ରଶିଳ୍ପୀଙ୍କର? ଯାହା ଜଣା ପଡୁଛି ବିନୋଦ ବିହାରୀ ଏହି ଲମ୍ବା ଛବିଟିକୁ ଏକଦା ଚିତ୍ରଶିଳ୍ପୀ ସୁଧିର ଖାସ୍ତଗିରିଙ୍କୁ ଉପହାର ଭାବରେ ଦେଇଦେଇଥିଲେ । କିମ୍ବା ହୁଏତ ବିକ୍ରୀ କରିଦେଇଥିଲେ । ତାପରେ ସୁଧିର ଖାସ୍ତଗିରି ଯେତେବେଳେ ଡୁନ୍ ସ୍କୁଲରେ କଳା ଶିକ୍ଷକ ଭାବରେ ଯୋଗଦେବାକୁ ଡେରାଡୁନ୍ ଚାଲିଆସିଲେ ସେତେବେଳେ ଅନ୍ୟଜଣେ ଚିତ୍ରଶିଳ୍ପୀଙ୍କୁ ସେଇଟିକୁ ଦେଇଦେଇଥିଲେ । ସେଇ ଚିତ୍ରଶିଳ୍ପୀ ଜଣକ ଛବିକୁ କଲିକତାର ରସ ଗ୍ୟାଲେରୀର ମାଲିକ ରାକେଶ ସୋନୀଙ୍କୁ ଏକଦା ବିକ୍ରୀ କରିଦେଇଥିଲେ । ଯଦିଓ ଏହି କିଣା ବିକାର ଆର୍ଥୀକ ଦିଗ ବିଷୟରେ କେହି କିଛି ଜାଣନ୍ତି ନାହିଁ । ରାକେଶ ସୋନୀଙ୍କ ପାଖକୁ ଛବିଟି ୨୦୧୭ରେ ଆସିଥିଲେ ବି କୋଭିଡ ମହାମରୀ ପାଇଁ ସାଧାରଣରେ ପ୍ରଦର୍ଶନ ହେଇପାରିନଥିଲା । ପରିଶେଷରେ କଲିକତାରେ ଛବିଟି ପ୍ରଦର୍ଶିତ ହେଲାପରେ କେବଳ ଶିଳ୍ପୀ ବିନୋଦ ବିହାରୀଙ୍କ କଳା ଯାତ୍ରାର ଏକ ଅଜ୍ଞାତ ଅଧ୍ୟାୟ ବିଷୟରେ ଜଣାପଡିଲାନି, ତା’ ସହ ଭାରତୀୟ ଭୂଦୃଶ୍ୟ ଅଙ୍କନ ପରମ୍ପରାର ଧାରା ଓ ସେଇ ଧାରା ଉପରେ ପଡିଥିବା ଅର୍ନ୍ତ ଓ ବାହ୍ୟ ପ୍ରଭାବ ବିଷୟରେ ମଧ୍ୟ ଜଣାପଡିଗଲା ।

Benode Behari Mukherjee (7 February 1904 – 11 November 1980)

About Dr. Ramakanta Samantaray

Ramakanta Samantaray is a contemporary Indian Artist and well known Odia fiction writer. He also regularly writing features and critical texts on art and culture. Presently he is living and working in Bhubaneswar. He has published more than fifteen books.

View all posts by Dr. Ramakanta Samantaray →