ଯଦିଓ ଆମ ସମାଜରେ ‘ଜେନେରେସନ୍ ଗ୍ୟାପ୍’ ବା ‘ପୀଢ଼ି ଅବୁଝାମଣା’ ଯୁଗଯୁଗ ଧରି ରହି ଆସିଛି, ଏବେ କିନ୍ତୁ ଆମେ ଏମିତି ଏକ ସମୟ ଦେଇ ଗତି କରୁଛନ୍ତି, ଯେଉଁଠି ଏହି ପ୍ରକ୍ରିୟାର ତୀବ୍ରତା ସହଜରେ ପରିଦୃଷ୍ଟ ହେଉଛି। ତଳ ପୀଢ଼ି- ଉପର ପୀଢିର କଥାରେ ରାଜି ନହେବା ଏବଂ ଉପର ପୀଢ଼ି ତଳ-ପୀଢ଼ିକୁ ବୁଝି ନପାରିବା ଆମ ସମାଜର ଏକ ସାଧାରଣ ବିବର୍ତ୍ତନ ହୋଇ ରହିଆସିଛି। ବିଭିନ୍ନ କାରଣରୁ ଏବେ କିନ୍ତୁ ଏହା ଅଧିକ ସ୍ପଷ୍ଟତର ହୋଇ ଲୁକ୍କାୟିତ ଭାବରେ ଏକ ସମାଜିକ ଶ୍ରେଣୀ ସୃଷ୍ଟି କରିଛି।
ନୂଆ ପୀଢ଼ିର ଏହି ଗୋଷ୍ଠୀକୁ କୁହାଯାଉଛି ‘ମିଲେନିୟାଲ୍’। ଏହି ଗୋଷ୍ଠୀର ଚିନ୍ତାଧାରା, ପସନ୍ଦ ନାପସନ୍ଦ, ଜୀବନଶୈଳୀ, କଥାବାର୍ତ୍ତାର ଭାଷା ଏବଂ ସାମାଜିକ ଦୃଷ୍ଟିକୋଣ ଟିକିଏ ବିଚିତ୍ର ଲାଗୁଥାଇ ପାରେ, କିନ୍ତୁ କେତେକ କ୍ଷେତ୍ରରେ ଏହା ସୁଦୂରପ୍ରସାରୀ ମଧ୍ୟ। ଏମାନେ ଆଗାମୀ ପୃଥିବୀକୁ ଏକ ନୂଆ ଦୃଷ୍ଟିରେ ଦେଖନ୍ତି। ବିଶ୍ୱର ଯେକୌଣସି କୋଣରେ ଥାଇ ମଧ୍ୟ ସେମାନେ ବିଶ୍ୱ ସହ ଆରାମରେ ଯୋଡ଼ି ହୋଇ ରହିବାର ସାହସ ରଖନ୍ତି। ସାମାଜିକ ବିଶେଷଜ୍ଞଙ୍କ ମତରେ, ବୈଷୟିକ ବିବର୍ତ୍ତନ ଯୋଗୁ, ସାରା ବିଶ୍ୱରେ ଦେଖାଦେଇଥିବା ଡିଜିଟାଲ୍ ଆନ୍ଦୋଳନ ଏହାର ଏକ ମୁଖ୍ୟ କାରଣ।
ବିଶେଷକରି ୧୫ରୁ ୩୫ ବର୍ଷ ମଧ୍ୟରେ ଥିବା ବୟସବର୍ଗର ଯୁବକ ଯୁବତୀଙ୍କୁ ଏହି ପୀଢ଼ିରେ ଗଣାଯାଉଛି, ଯେଉଁମାନେ ଏକ ଭର୍ଚୁଆଲ୍ ଜୀବନ ବଞ୍ଚୁଛନ୍ତି ଏବଂ ଏହାକୁ ଜୀବନର ମୁଖ୍ୟସ୍ରୋତ ବୋଲି ଭାବୁଛନ୍ତି। ଏମାନଙ୍କ ହାତରେ ସ୍ମାର୍ଟଫୋନ୍, ଲାପଟପ୍, ଆଇ-ପ୍ୟାଡ଼୍ ଓ ଟ୍ୟାବ୍ ଥାଏ, ଯେଉଁମାନେ କି ବେଳେବେଳେ ନିଜ ଚାରିପାଖରେ ଥିବା ବାସ୍ତବ ଦୁନିଆକୁ ଭୁଲି ଯାଇ ଏକ ଭର୍ଚୁଆଲ୍ ଗୋଷ୍ଠୀ ତିଆରି କରନ୍ତି। ଏମାନଙ୍କ ଭିତରୁ କେତେକ, ନିଜ ଚାରିପାଖର ସାଧାରଣ ପୃଥିବୀକୁ ବିଶ୍ୱ ସହ ଯୋଡ଼ି ନିଜ ଭିତରେ ଏକ ଅସାଧାରଣ ଆତ୍ମବଳ ଅନୁଭବ କରନ୍ତି।
କଥା କଥାରେ ଏମାନେ ବିଶ୍ୱର କେଉଁ କେଉଁ କୋଣର ଘଟଣାକୁ ଉଦାହରଣ ଦିଅନ୍ତି ଓ କୁହନ୍ତି ଯେ, ‘ଦେଖିବ, ଦିନେ ଏ ପୃଥିବୀରୁ ବିଭାଜନ ରେଖା ସବୁ ହଟିଯିବ ଏବଂ ଏହା ସଂପୂର୍ଣ୍ଣ ଗୋଟିଏ ଭୂଖଣ୍ଡରେ ପରିଣତ ହେବ, ଯେଉଁଠି ସମସ୍ତଙ୍କର ଭାଷା ଗୋଟିଏ ହେବ, ସମସ୍ତଙ୍କ ଚିନ୍ତା ଗୋଟିଏ ହେବ, ପରସ୍ପରକୁ ବୁଝିବାରେ ଅସୁବିଧା ହେବନାହିଁ।’
ତେବେ ଏହି ନୂତନ ପୀଢ଼ି, ସମାଜ, ରାଜନୀତି, ବିଜ୍ଞାନ, ସଂସ୍କୃତି ତଥା ସାହିତ୍ୟ କ୍ଷେତ୍ରରେ ମଧ୍ୟ ଭିନ୍ନ ଦୃଷ୍ଟିକୋଣରୁ ନିଜର ବିଚାରକୁ ଉପସ୍ଥାପନ କରନ୍ତି। ପୁରୁଣାକାଳିଆ ରୁଢ଼ିବାଦୀ ଚିନ୍ତାଧାରାରୁ ବାହାରି ଏମାନେ ଏକ ନୂତନ ସମାଜର ପରିକଳ୍ପନା କରନ୍ତି। ବିଭିନ୍ନ ଜାତି ଧର୍ମ ବର୍ଣ୍ଣରେ ଭାଗ ହୋଇଯାଇଥିବା ସମାଜର ସେ ରୂପକୁ ବଦଳାଇ ଏକ ସାମ୍ୟବାଦ ସମାଜରେ ବଞ୍ଚିବା ଏମାନଙ୍କର ଇଚ୍ଛା।
ଏକ ନୂତନ ତଥା ସୁସ୍ଥ ସମାଜର ପରିକଳ୍ପନା କଲାବେଳେ, ଏହା ଯେ ଦେଶର ଶାସନ ବ୍ୟବସ୍ଥା ବା ରାଜନୀତିକ ବ୍ୟବସ୍ଥା ମାଧ୍ୟମରେ ସମ୍ଭବ ହୋଇପାରିବ, ଏହାକୁ ଏମାନେ ଅନେକ ସମୟରେ ସ୍ୱୀକାର କରନ୍ତି ନାହିଁ। ଯଦିଓ ରାଜନୀତି କ୍ଷେତ୍ରରେ ପ୍ରବେଶର ଆଗ୍ରହ ମଧ୍ୟ ଏମାନଙ୍କର ଅଧିକ ଥାଏ, ରାଜନୀତିକ ବିଚାରଧାରାକୁ ବଦଳାଇ ଏମାନେ ଦେଶକୁ ବଦଳାଇ ପାରିବେ ବୋଲି ଦୃଢ଼ ଆଶା ରଖିଥାନ୍ତି। ସେଥିପାଇଁ ପୁରୁଣା ପୀଢିର ରାଜନେତାଙ୍କ ହାତବାରିସୀ ହେବା ଏମାନଙ୍କ ଲକ୍ଷ୍ୟ ନୁହେଁ, ବରଂ ସମ୍ମୁଖ ରାଜନୀତିରେ ସେହି ପୁରୁଣା ପିଢ଼ିର ରାଜନେତାଙ୍କ ମାର୍ଗଦର୍ଶନରେ ନିଜର ନେତୃତ୍ଵ ଜାହିର କରିବା ହେଉଛି ଏମାନଙ୍କ ଲକ୍ଷ୍ୟ।
ଏହି ମିଲେନିଆଲ ଗ୍ରୁପ୍ ସବୁଠୁ ଅଧିକ ବାସ୍ତବତା ବା ତର୍କରେ ବିଶ୍ୱାସ କରେ। ବାସ୍ତବ ଜଗତର ପ୍ରତି କଥାର ପଛରେ ଲୁଚିଥିବା କାରଣକୁ ଖୋଜିବାର ଆଗ୍ରହ ଏମାନଙ୍କର ସବୁଠୁ ବେଶୀ। ପ୍ରଗତିଶୀଳ ସମାଜ ଓ ଏହାର ଆବଶ୍ୟକତାକୁ ଆଖି ଆଗରେ ରଖି, ବିଜ୍ଞାନ ଓ ଟେକ୍ନୋଲୋଜି କ୍ଷେତ୍ରରେ ଏମାନେ ବହୁ ଦୂରଦୃଷ୍ଟି ସମ୍ପନ୍ନ। ଏହା ସହିତ ନୂତନ ପୀଢ଼ି ଢେର୍ ସଂସ୍କୃତି ପ୍ରିୟ। ପୁରୁଣା ସଂସ୍କୃତିକୁ ସମ୍ମାନ ଦେବା ଏକ ଗୌରବର ବିଷୟ ଭାବେ ବିଚାର କରନ୍ତି। ଯଦିଓ ତା ପ୍ରତି ଏମାନଙ୍କର ଆତ୍ମୀୟତା ସେତେ ତୀବ୍ର ନୁହେଁ, ତଥାପି ଏମାନଙ୍କ ନିକଟରେ ଏସବୁ ଐତିହାସିକ ସମ୍ପତ୍ତି ଭାବେ ଗୁରୁତ୍ଵ ଅର୍ଜନ କରିପାରିଛି। ଫେସବୁକ୍ ଟୁଇଟର ଭଳି ସାମାଜିକ ଗଣମାଧ୍ୟଗୁଡିକ ବିଭିନ୍ନ ଓଷା ବାର ବ୍ରତ ପର୍ବପର୍ବାଣୀ ପରି ସଂସ୍କୃତିର ଛବି ସାଙ୍ଗକୁ ହଜି ହଜି ଯାଉଥିବା ସଂସ୍କୃତିର ପ୍ରତୀକ ଢ଼ିଙ୍କି ହେଉ କି ସିନ୍ଦୁକ ବା ପୁରୁଣା କମକୁଟ କରା ଜାଳେଣି ଡିବିରି ପରି ବସ୍ତୁର ଫଟୋ ସେୟାର ମାଧ୍ୟମରେ ସଂସ୍କୃତି ପ୍ରତି ପ୍ରେମ ଓ ସଂରକ୍ଷଣ ଭାବ ଜଣାପଡେ। ବେଳେବେଳେ ଲାଗେ, ପୁରୁଣା ସଂସ୍କୃତିକୁ ଗୁରୁତ୍ୱ ଦେବା ଏମାନଙ୍କ ପାଇଁ ଏକ ଫେସନ।
କେବଳ ସଂସ୍କୃତି ନୁହେଁ ସାହିତ୍ୟ କ୍ଷେତ୍ରରେ ମଧ୍ୟ ମିଲେନିଆଲ୍ ଗ୍ରୁପର ଆଗ୍ରହ ଅହେତୁକ। ସାହିତ୍ୟ ପ୍ରତି ଏମାନଙ୍କର ଧାରଣା ଯଦିଓ ଟିକିଏ ଭିନ୍ନ। ବ୍ୟକ୍ତିଗତ ଦୁଃଖ ପ୍ରେମ ହତାଶା ସ୍ଵପ୍ନଭଙ୍ଗ ସାଙ୍ଗକୁ ପାରିପାର୍ଶ୍ୱିକ ସମାଜର ଅସହାୟତା ପ୍ରତି ଏମାନେ ଯତ୍ନଶୀଳ। ତେବେ ବିଜ୍ଞାନ ଓ ବୈଷୟିକ ଜ୍ଞାନକୌଶଳର ଅଗ୍ରଗତି ସାଙ୍ଗକୁ ଏମାନଙ୍କର ରୁଚି ବଦଳିଛି। ଡିଜିଟାଲ ସାହିତ୍ୟରେ ରୂଚି ବଢ଼ିଛି, ଡିଜିଟାଲ ପୁସ୍ତକକୁ ଅଧିକ ଆଦର କରିଛନ୍ତି, ଯଦିଓ ଛପା ବହି ପ୍ରତି ଏମାନଙ୍କର ଆଗ୍ରହ ମଧ୍ୟ କମିନି। ଏମାନଙ୍କ ଭିତରୁ ଅନେକ, ନିଜ ଲେଖାର ସମ୍ପାଦନାକୁ ଅସ୍ୱୀକାର କରନ୍ତି। ଲେଖା ପ୍ରକାଶ ପାଇଁ ଲେଖକକୁ ଯେଉଁ ଅପେକ୍ଷା କରିବାକୁ ପଡ଼ିଥାଏ, ତାହା ଏମାନଙ୍କ ପାଖରେ ନଥାଏ। ନିଜ ସାମାଜିକ ଗଣମାଧ୍ୟମରେ ନିଜ ଭାବଧାରାକୁ ତୁରନ୍ତ ସେୟାର କରିବାରେ ଏମାନେ ବିଶ୍ୱାସ କରନ୍ତି। ଏପରିକି ଅନେକେ, ଦୈନିକ କିଛି ନା କିଛି ସେୟାର କରିବାଟାକୁ ଏକ ଦାୟିତ୍ୱ ବୋଲି ଧରିନିଅନ୍ତି। ନିଜକୁ ବିଜ୍ଞପିତ କରିବାର ଲାଳସା ଏମାନଙ୍କ ଭିତରେ ଅସୀମ। ସୃଜନଶୀଳ କର୍ମ କମ୍, ସେଲିବ୍ରେସନ୍ ବେଶୀ।
ତେବେ ସବୁ ପ୍ରକାରର ଆଗ୍ରହ ଉତ୍ସାହ ଓ ଅଗ୍ରଗତି ସତ୍ତ୍ୱେ ମିଲେନିଆଲ ଗୋଷ୍ଠୀ ଅନ୍ୟ ଗୋଷ୍ଠୀଠଆରୁ ଅଧିକ ବିଷାଦଗ୍ରସ୍ତ। ଏହାର କେତେଗୁଡ଼ିଏ କାରଣ ରହିଛି। ପ୍ରତିଯୋଗିତାମୂଳକ ସମାଜରେ ନିଜକୁ ଏକ ପରିଚିତ ଓ ପ୍ରତିଷ୍ଠିତ ସ୍ଥାନରେ ଦେଖିବାର ସ୍ୱପ୍ନ ଏମାନଙ୍କ ଭିତରେ ତୀବ୍ର। କ୍ୟାରିୟର ଓ ବୃଦ୍ଧି ପାଉଥିବା ବେକାରିପଣିଆର ଚକିରେ ଏହି ଗ୍ରୁପ୍ ସତେ ଯେପରି ପେଶି ହେଇଯାଉଛି। ତେବେ ଏହି ଗୋଷ୍ଠୀର ଭର୍ଚୁଆଲ ଜୀବନ ମଧ୍ୟ ବିଷାଦର ଅନ୍ୟ ଏକ ପ୍ରମୁଖ କାରଣ। ଯେପରି ଦୂର ପାହାଡ ସୁନ୍ଦର, ସେପରି ଭର୍ଚୁଆଲରେ ସମସ୍ତଙ୍କ ଜୀବନ ସୁନ୍ଦର। ଯାହା ସହ ନିଜର ବାସ୍ତବ ସ୍ଥିତିକୁ ତୁଳନା କରି ଏମାନେ ଅସନ୍ତୁଷ୍ଟ ହୋଇପଡ଼ନ୍ତି। ଏହି ଅସନ୍ତୁଷ୍ଟ ଓ ବିଷାଦଗ୍ରସ୍ତ ଜୀବନ ଯୋଗୁଁ ଏମାନଙ୍କ ଭିତରେ ଆତ୍ମହତ୍ୟା ପ୍ରବଣତା ମଧ୍ୟ ବେଶୀ ଦେଖିବାକୁ ମିଳିଥାଏ।
ମିଲେନିୟାଲ ଏକ ବିଚିତ୍ର ଭାବଧାରା। ଏହି ଗୋଷ୍ଠୀ ଯଦିଓ ନିଜର ପୁରୁଣା ଘଟଣା, ଦିନ, ସଂସ୍କୃତି ଓ ଅନୁଭବକୁ ନୂଆ ଭାବରେ ସମଗ୍ର ପୃଥିବୀ ଆଗରେ ଥୋଇ ବାହା ବାହା ନେବାକୁ ଚାହାଁନ୍ତି, କିନ୍ତୁ ଏମାନଙ୍କ ମଧ୍ୟରୁ ଅଧିକାଂଶ ଦୁଇଟି ଲେଖାଏଁ ଜୀବନ ବଂଚିବାକୁ ଭଲ ପାଆନ୍ତି। ଯେମିତିକି ପ୍ରକାଶ ନାମକ ପିଲାକୁ ନିଆଯାଉ। ଯିଏ ସୋସିଆଲ୍ ମିଡିଆରେ ଯେଉଁ ଜୀବନ ବଂଚେ, ତା ବାସ୍ତବ ଜୀବନଠାରୁ ସେ ସବୁ ଅନେକ ପୃଥକ। ସେ ନିଜର ସମଗ୍ର ମଧ୍ୟବିତ୍ତ ଜୀବନକୁ ଲୁଚାଇ ସାମାଜିକ ଗଣମାଧ୍ୟମର ବନ୍ଧୁମାନଙ୍କ ଆଗରେ ଏକ ବିକଶିତ ଜୀବନ ବଂଚୁଥିବା ଅନ୍ୟମାନଙ୍କୁ ଦେଖେଇ ଆନନ୍ଦ ପାଏ। ସେହିପରି ସ୍ମୃତି ନାମ୍ନୀ ଝିଅଟି ନିଜକୁ ଖୁବ୍ ଲୁଚାଇ ରଖିବାକୁ ଚେଷ୍ଟା କରି ଅନ୍ୟମାନଙ୍କଠାରୁ ଅଲଗା ଓ ଉଚ୍ଚତର ବୋଲି ଦେଖେଇ ହେବାକୁ ଚାହେଁ। ହେଲେ ବାସ୍ତବତାଠାରୁ କେତେଦିନ ଜଣେ ନିଜକୁ ଦୂରେଇ ରଖିପାରିବ। ଏପରି ଜୀବନଶୈଳୀ ଏମାନଙ୍କୁ ଏକ ମଜାଦାର ଅବସର ଦିଏ ସତ ହେଲେ ଏହା ଯେ ନିଜ ଭିତରେ ପ୍ରବଳ ହତାଶାବୋଧ ଭରିଦିଏ ସେମାନେ ପରେ ଜାଣନ୍ତି।
ତେବେ ଆମ ସମୟର ଏହି ଗୋଷ୍ଠୀର ସଦସ୍ୟମାନେ ପ୍ରବଳ ସାହସୀ। ସେମାନେ ନିଜ ଭିତରେ ଭରିଥିବା ସାହସ ପାଇଁ ବେଳେବେଳେ କିଛି କିଛି ବଡ଼ କାମରେ ମଧ୍ୟ ସଫଳ ହୋଇପାରନ୍ତି। ଏମାନେ ନିଜର ନୂଆ ବ୍ୟବସାୟକୁ ଷ୍ଟାର୍ଟଅପ୍ ବୋଲି କୁହନ୍ତି। ଏମାନେ ନିଜ ଟ୍ୱିଟର ହ୍ୟାଣ୍ଡଲରେ ଦେଶ ଦୁନିଆର ଘଟଣା ବିଷୟରେ ଗମ୍ଭୀର ମତ ଦେବାକୁ ଭଲ ପାଆନ୍ତି। ସମୟ ସମୟରେ ଅପରିପକ୍ୱ ହେଉ ବରଂ କିଛି କିଛି କବିତାର ଧାଡ଼ି ମଧ୍ୟ ସେୟାର କରି ଆନନ୍ଦ ପାଆନ୍ତି।
ଦୁଃଖର ବିଷୟ ଯେ ଏମାନଙ୍କ ଭାଷା ଅତ୍ୟନ୍ତ ବିଚିତ୍ର ରୂପ ଧାରଣ କରିଛି। ନିଜ ମାତୃଭାଷାକୁ ଏମାନେ ଅନେକ ସମୟରେ ଲୁଚାଇ ଭୁଲଭାଲ୍ ବିଦେଶୀ ଭାଷା କହିବାକୁ ଭଲ ପାଆନ୍ତି। ନିଜ କଥା କହିବାର ଭାଷା ଭିତରେ ଅନେକ ବାହାର ଭାଷା ପୂରେଇ ବିଚିତ୍ର ସ୍ୱରରେ କଥା କୁହନ୍ତି। ଆମ ଭାଷା ଆଜି ଅପମିଶ୍ରିତ ହେବାର ସବୁଠାରୁ ବଡ଼ କାରଣ ବୋଧେ ଏଇ ମିଲେନିୟାର ଗୋଷ୍ଠୀ। ନିଜ କଥିତ ଭାଷାକୁ ଛାଣ୍ଟ ଓ ଷ୍ଟାଇଲିଷ୍ଟ କରିବାକୁ ଏମାନେ ହିନ୍ଦି, ଇଂଲିଶ ଏବଂ ଓଡ଼ିଆର ଏକ ହାଇବ୍ରିଡ୍ ଭାଷା ତିଆରି କରି କୁହନ୍ତି।
ତେବେ ଏତିକି ଆଶା କରାଯାଉ, ଆଗାମୀ ଦିନରେ ଏଇ ଗୋଷ୍ଠୀ କାନ୍ଧରେ ଆମ ଭବିଷ୍ୟତ ଆଗକୁ ଯିବାର ଥିବାରୁ ଏମାନଙ୍କୁ ଅଧିକ ଦାୟିତ୍ୱସଂପନ୍ନ ହେବାକୁ ପଡ଼ିବ। ଯେହେତୁ ଏଇ ଗୋଷ୍ଠୀ ଦ୍ରୁତ ଗତିରେ ବଦଳୁଥିବା ଡିଜିଟାଲ ଦୁନିଆକୁ ଆଧାର କରି ନିଜ ଭିତରେ ବଳ ଗୋଟାଉଛି, ତେଣୁ ଆଶା କରାଯାଉଛି ଏମାନଙ୍କ ଭାବଧାରା ଆଗାମୀ ଦିନରେ ଦ୍ରୁତ ଗତିରେ ବଦଳିଯିବ।
ସରୋଜିନୀ ଶଙ୍ଖୁଆ, ଭାଷା ଓ ସାହିତ୍ୟ ବିଭାଗ, ଫକୀର ମୋହନ ବିଶ୍ୱବିଦ୍ୟାଳୟ, ବ୍ୟାସବିହାର, ବାଲେଶ୍ୱର -756089, ଫୋନ -7325868455, ଇ-ମେଲ -sarojinisankhua212@gmail.com