ଏ.ଆଇ ଫଟୋଗ୍ରାଫିକୁ ନେଇ ବିବାଦ

ଏ.ଆଇ କୁ ନେଇ ଆଜି କାଲି କେତେ କ’ଣ ଚର୍ଚ୍ଚା । ଆମମାନଙ୍କ ଅଜଣାତରେ ଆମେ ଏ.ଆଇ ସହ ଅନେକ ଦିନରୁ ସଂପୃକ୍ତ ହେଇସାରିଛେ । ଏ.ଆଇ ମାନେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ । ଯେବେଠାରୁ ସ୍ମାର୍ଟ ଫୋନ୍ ଆମମାନଙ୍କ ଜୀବନ ସହ ଅଙ୍ଗାଅଙ୍ଗୀ ଭାବରେ ଯୋଡିହେଇଗଲାଣି ସେବେଠୁ ଏ.ଆଇ ଧିରେ ଧିରେ, ଧାପେ ଧାପେ କରି ଆମକୁ ଓ ଆମ ବ୍ୟକ୍ତିଗତ ଜୀବନକୁ କବଳିତ କରିବାକୁ ଲାଗିଲାଣି । ପରିସ୍ଥିତି ଏମିତି ଯାଗାରେ ପହଞ୍ଚିଲାଣି, ଯେଉଁଠି କିଛି ବୈଜ୍ଞାନିକ ଚେତାବନୀ ଦେଲେଣି ଏ.ଆଇକୁ ନେଇ ଗବେଷଣା ବନ୍ଦ ନକଲେ ଆଗକୁ ତାହା ପୁରା ମାନବ ସଭ୍ୟତା ପ୍ରତି ବିପଦ ହେଇ ଠିଆହେବ ।

ଅନ୍ୟାନ୍ୟ ବିଭାଗରେ ଭାଗ ଦଖଲ୍ କଲାପରି ଏ.ଆଇ କଳାରାଜ୍ୟରେ କିଛି କମି କାଣ୍ଡକାରଖାନା କରିନି । ସେ ବିଷୟରେ ପରେ କଥା ହେବା  । ଏବେ ଏବେ ଏ.ଆଇ ଓ ଫଟୋଗ୍ରାଫିକୁ ନେଇ ବଡ଼ ରୋଚକ ଘଟଣାଟି ଘଟିଛି । ଯାହାକି ଫଟୋଗ୍ରାଫି ଦୁନିଆକୁ ଏକ ପ୍ରକାର ଦୋହଲାଇ ଦେଇଛି ।

ଘଟଣାଟି ହେଲା , ବୋରିସ୍ ଏଲଡାଗସେନ୍ ନାମକ ଜଣେ ଜର୍ମାନ୍ ଫଟୋଗ୍ରାଫର୍ ସୋନି ୱାର୍ଲ୍ଡ ଫଟୋଗ୍ରାଫି ପ୍ରତିଯୋଗିତା ପାଇଁ ଖଣ୍ଡେ କଳା ଧଳା ଫଟୋଗ୍ରାଫି ଦାଖଲ କରିଥିଲେ । କଳାଧଳା ରଙ୍ଗର ଏହି ଫଟୋରେ ଜଣେ ଯୁବତୀ ଆଗରେ ଅଛନ୍ତି ଓ ଜଣେ ସ୍ତ୍ରୀ ଲୋକ ତାଙ୍କ ପଛରେ ଅଛନ୍ତି । ଫଟୋଟିର ଶୀର୍ଷକ ରହିଛି ‘ଇଲେକଟ୍ରିସିଆନ୍’ । ଫଟୋଟିର ପରିବେଶ ବର୍ଣ୍ଣନା ଅନୁସାରେ ଦର୍ପଣ ସାମ୍ନାରେ ବିବାହ ପାଇଁ ବେଶ ପିନ୍ଧାର ସମୟ ପରି ଦିଶୁଛି । ଘଟଣା କ୍ରମେ ବିଚାରକମାନଙ୍କୁ ଫଟୋଟି ଭଲ ଲାଗିଲା ଓ ଚମତ୍କାର ଫଟୋଟି ପ୍ରତିଯୋଗିତାରେ ପ୍ରଥମ ପୁରସ୍କାର ପାଇଲା । କିନ୍ତୁ ପୁରସ୍କାର ଘୋଷଣାର ଗୋଟେ ସପ୍ତାହ ପରେ ଏଲଡାଗସେନ୍ ତାଙ୍କ ବ୍ୟକ୍ତିଗତ ୱେବସାଇଟ୍ ରେ ଲେଖିଲେ ଯେ, ସେ ଏହି ପୁରସ୍କାର ଗ୍ରହଣ କରୁନାହାଁନ୍ତି । କାରଣ, ସେ ଯେଉଁ କ୍ରିଏଟିଭ୍ ଫଟୋଗ୍ରାଫି ବିଭାଗ ପାଇଁ ତାଙ୍କ ଫଟୋ ଦାଖଲ କରିଥିଲେ ତାହା ପ୍ରକୃତରେ କୌଣସି କ୍ୟାମେରାରେ ଉଠାଯାଇନି । ଫଟୋଟି ସଂପୂର୍ଣ୍ଣ ଭାବରେ ଏ.ଆଇ ଦ୍ୱାରା ପ୍ରସ୍ତୁତ କରାଯାଇଛି । ପ୍ରକୃତ ଅର୍ଥରେ ଏହା ଫଟୋଗ୍ରାଫି ନୁହେଁ । ପ୍ରତିଯୋଗିତାରେ ଏ.ଆଇ ଫଟୋଗ୍ରାଫି ପାଇଁ କୌଣସି ବିଭାଗ ନଥିଲେ ମଧ୍ୟ ସେ ଜାଣି ଜାଣି ତାଙ୍କ କାମଟିକୁ ଦାଖଲ କରିଥିଲେ । ତାଙ୍କର ଉଦ୍ଦେଶ୍ଯ ଥିଲା ଏ.ଆଇ ବିଷୟରେ ଏବେ ଖୋଲା ଖୋଲି ଗଭୀର ଭାବରେ ଆଲୋଚନା କରାଯାଉ । ଏଲଡାଗସେନ୍ ଅନେକ ଦିନ ହେଲାଣି ଏ.ଆଇ. ସହାୟତାରେ  ଫଟୋଗ୍ରାଫି କରୁଛନ୍ତି । ଏଇଠି ଆମକୁ ମନେ ରଖିବାକୁ ହେବ ଯେ ଏ ଆଇ ଓ ଡିଜିଟାଲ୍ ଫଟୋ ଅଲଗା କଥା ।

ନିଜର ଇନଷ୍ଟାଗ୍ରାମ୍ ହ୍ୟାଣ୍ଡେଲରେ ବୋରିସ୍ ଏଲଡାଗସେନ୍ ସେ ପୁରସ୍କାର ପ୍ରତ୍ୟାଖାନ କଲାପରେ ତାଙ୍କୁ ଲୋକମାନଙ୍କ ଠାରୁ ମିଳିଥିବା ସଦିଚ୍ଛା ଓ ଭଲପାଇବାକୁ ନେଇ ଧନ୍ୟବାଦ ଜଣାଇଛନ୍ତି । ସୋନି ଏପଟେ ଏଲଡାଗସେନ୍ ଙ୍କ ନାମକୁ ତାଙ୍କ ୱେବ୍ ସାଇଟ୍ ରୁ ହଟାଇ ଦେଇଛି । ଏମିତି ଦେଖିଲେ ଏହା ନିଶ୍ଚିତ ଏକ ଐତିହାସିକ ଘଟଣା  । କାରଣ ଇତିହାସରେ ପ୍ରଥମଥର ପାଇଁ ଏ.ଆଇ ଫଟୋ ପାଇଁ ପୁରସ୍କାର ପାଇଛି । ଏବେ ସବୁଠାରୁ ବଡ଼ ପ୍ରଶ୍ନ ଯେ ଆଗକୁ ପ୍ରତିଯୋଗିତା ଆୟୋଜନ କରୁଥିବା ସଂସ୍ଥାମାନେ ପ୍ରକୃତ ଫଟୋ ଓ ଏ.ଆଇ ଜେନେରେଟେଡ୍ ଫଟୋ ମଧ୍ୟରେ ଫରକ୍ କେମିତି ମାପିବେ? କାରଣ ଆଗାମୀ ଫଟୋଗ୍ରାଫି ପ୍ରତିଯୋଗିତା ମାନଙ୍କରେ ଏ.ଆଇ. ଜେନେରେଟେଡ୍‌ ଫଟୋ ଅଧିକରୁ ଅଧିକ ପରିମାଣରେ ନିଶ୍ଚୟ ଦାଖଲ ହେବ ।

୫୨ ବର୍ଷୀୟ ଏଲଡାଗସେନ୍ ଫଟୋଗ୍ରାଫି ଓ ଭିଜୁଆଲ ଆର୍ଟରେ ପାଠ ପଢିଛନ୍ତି । ତାଙ୍କର ଭାରତ ସହ ସଂପୃକ୍ତି ହେଲା, ସେ ହାଇଦ୍ରାବାଦର ସରୋଜିନୀ ନାଇଡୁ ସ୍କୁଲ୍ ଅଫ୍ ଆର୍ଟସ୍ ଆଣ୍ଡ କମ୍ୟୁନିକେସନ୍ ଠାରେ କଳା ଶିକ୍ଷା ଲାଭ କରିଛନ୍ତି ।

ବୋରିସ୍ ଏଲଡାଗସେନ୍ ଙ୍କ ଏ.ଆଇ ଜେନେରଟେଡ୍‌ ଫଟୋଟି ଏଇଠି ଦିଆଯାଇଛି । ଫଟୋ ଦେଖି ଏବେ ଜାଣି ହେଉଛି କି ଏ.ଆଇ ଏମିତି କିଛି ଚମତ୍କାରିତା କରି ପାରିବ ? ଏକଦା ଫଟୋକୁ ଏକ ବିଶେଷ ପ୍ରାମାଣିକ ତଥ୍ୟ ଭାବରେ ଯାହା ଗ୍ରହଣ କରା ଯାଉଥିଲା ସେଥିରେ ଏହାର ପୂର୍ଣ୍ଣ ଛେଦ ପଡିଲା ଜାଣ । ଏବେ ମଣିଷ ଓ ମଣିଷ ଭିତରେ ଆଉ ପ୍ରତିଯୋଗିତା ହେବନି । ପ୍ରତିଯୋଗତା ହେବ ଏ.ଆଇ. ସାଙ୍ଗରେ । ଶେଷକୁ କାହାର ଜିତାପଟ ହେବ କିଏ ଜାଣେ ?

About Dr. Ramakanta Samantaray

Ramakanta Samantaray is a contemporary Indian Artist and well known Odia fiction writer. He also regularly writing features and critical texts on art and culture. Presently he is living and working in Bhubaneswar. He has published more than fifteen books.

View all posts by Dr. Ramakanta Samantaray →