ରମା ଦୁଆଜିଙ୍କ ଚିତ୍ର


ରମା ଦୁଆଜି ହେଉଛନ୍ତି ଜୋହରାନ ମମଦାନୀଙ୍କ ପତ୍ନୀ । ଜୋହରାନ ମମଦାନୀ ଆମେରିକାର ବିଖ୍ୟାତ ସହର ନ୍ୟୁୟର୍କର ମେୟର ଭାବରେ ନବ ନିର୍ବାଚିତ ହୋଇଛନ୍ତି । ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ମତର ଦୃଢ ବିରୋଧି ଭାବରେ ସେ ପରିଚିତ ।

ଜୋହରାନ ମମଦାନୀଙ୍କୁ ମାତ୍ର ବର୍ଷେ ତଳେ ଆମେ ଜାଣିନଥିଲେ । ଆମେ କିଏ ହେ? ଖୋଦ ନ୍ୟୁୟର୍କ ବାସିନ୍ଦା ବି ଭଲରେ ଜାଣିନଥିଲେ । ଯେତେବେଳେ ଜାଣିଲେ ସେତେବେଳେ ଜାଣିଲେ ସେ ପ୍ରଖ୍ୟାତ ଭାରତୀୟ ସିନେମା ନିର୍ଦ୍ଦେଶିକା ମୀରା ନାୟାରଙ୍କ ପୁଅ ।

ମୋର ଏତେ କଥା କହିବାର କାରଣ ହେଲେ ରମା ଦୁଆଜି । ରମା ଜଣେ ଇଲୁଷ୍ଟ୍ରେଟର, ଆନିମେଟର ଓ ସେରାମିଷ୍ଟ । ଆଗରୁ କଳା ଧଳାରେ ଅଙ୍କିତ କିଛି ଛବି ମୁଁ ଦେଖିଥିଲି । କିନ୍ତୁ ଅନ୍ୟାନ୍ୟ ପରିଚୟର ଯୋଗସୂତ୍ର ଜାଣିନଥିଲି। ରମାଙ୍କର ପୁରା ନାମ ହେଉଛି Rama Sawaf Duwaji । ୩୦ ଜୁନ ୧୯୯୭ରେ ଆମେରିକାର ଟେକ୍ସାସ ରାଜ୍ୟର ହୁଷ୍ଟନ ସହରରେ ସିରିଆର ଏକ ମୁସଲମାନ ପରିବାରରେ ତାଙ୍କର ଜନ୍ମ । ବାପା ଜଣେ ସପ୍ଟଂଓୟାର ଇଞ୍ଜିନିୟର ଓ ମା ଜଣେ ଡାକ୍ତର । ରମାଙ୍କୁ ନଅ ବର୍ଷ ବୟସ ହେଲାବେଳକୁ ତାଙ୍କ ପରିବାର ଦୁବାଇ ଚାଲିଯାଇଥିଲେ । ପିଲାଦିନୁ ରମା ଚିତ୍ର କରିବାକୁ ଭଲପାଉଥିଲେ । ବାପା ମା କାମକୁ ବାହାରିଗଲାପରେ ସେ ନିଜକୁ ନିଜ ଛବି ଭିତରେ ବୁଡାଇ ରଖୁଥିଲେ । ସ୍କୁଲର ପଢା ବହି ଓ ନୋଟରେ ସବୁବେଳେ ସେ ତାଙ୍କ ଚିତ୍ର ସବୁ ଆଙ୍କିପକାଉଥିଲେ । ବାପା ମା ଚିତ୍ର କରିବାକୁ ବିରୋଧ କରୁନଥିଲେ, କିନ୍ତୁ ପାଠ ପଢାରେ ମନ ଦେବାକୁ ତାଗିଦ କରୁଥିଲେ ।

ରମାଙ୍କର ଚିତ୍ର ଆଙ୍କିବାର ଥିଲା । ସେ ଜାଣିଥିଲେ ବଡ ହେଲେ ସେ କ’ଣ କରିବେ । ହାଇସ୍କୁଲ ପାଠପଢା ସାରିଲା ପରେ ଭର୍ଜିନିଆ କମନୱେଲଥ ୟୁନିଭରସିଟି ସ୍କୁଲ ଅଫ୍ ଆର୍ଟସ୍ କୁ ଚାଲିଆସିଲେ । ତା’ ଆଗରୁ କତାରର ଦୋହାରେ ବି ପାଠ ପଢୁଥିଲେ । ପଢା ସରିଲା ପରେ ରମା ବାପାମାଆଙ୍କ ପାଖକୁ ଦୁବାଇ ଫେରି ଆସିଲେ ଏବଂ ଲେବାନନ ଓ ପ୍ୟାରିସ ଆଦି ସ୍ଥାନରେ ଆର୍ଟିଷ୍ଟ ଇନ୍ ରେସିଡେନ୍ସିରେ ଯୋଗଦେଲେ । କିଛି ମାସ ପରେ ରମାଙ୍କୁ ନ୍ୟୁୟର୍କ ସହରର ସ୍କୁଲ ଅଫ୍ ଭିଜୁଆଲ ଆର୍ଟରେ ପାଠ ପଢିବାକୁ ସ୍ଥାନ ମିଳିଗଲା ଓ ସେ ସେଠାରେ ଅଳଂକରଣରେ ପାଠ ପଢିଲେ । ସେଉଠୁ ହିଁ ସ୍ନାତ୍ତକୋତ୍ତର ଡିଗ୍ରୀ ହାସଲ କଲେ ।

ରମାଙ୍କ ଅଳଙ୍କରଣରେ ମୁଖ୍ୟତଃ ଆରବ ଦେଶର ସଂସ୍କୃତିର ପ୍ରଭାବ ଥାଏ । ମଧ୍ୟଏସୀୟ ଦେଶମାନଙ୍କରେ ଥିବା ସାମାଜିକ ବୈଷମ୍ୟତା ଓ ନାରୀ ସ୍ୱାଧୀନତାକୁ ନେଇ ସେ ତାଙ୍କର ଛବି କରନ୍ତି । ମୁଖ୍ୟତଃ କଳା ଧଳା ରଙ୍ଗ ଓ ସୁକ୍ଷ୍ମ ରେଖାରେ ତାଙ୍କର ଚିତ୍ର ଅଙ୍କା ହେଇଥାନ୍ତି । ୟୁରୋପୀୟ କଳାରେ ବ୍ୟବହୃତ ସୌନ୍ଦର୍ଯ୍ୟର ମାନକର ସେ ସମାଲୋଚନା କରନ୍ତି । ନିଜର ଜୀବନ ଓ ଅନୁଭୂତି, ଚାରି ପାଖର ସାଧାରଣ ଦୈନନ୍ଦିନ ଜୀବନଧାରା ତାଙ୍କ ଚିତ୍ରର ମୁଖ୍ୟ ବିଷୟ ବସ୍ତୁ । ରମା ଜଣେ ମାନବବାଦୀ ଓ ସେ ବ୍ୟକ୍ତି ଜୀବନର ସ୍ୱାଧିନତାକୁ ଅଗ୍ରାଧିକାର ଦିଅନ୍ତି । ଚିତ୍ରକୁ କେବଳ ସୌନ୍ଦର୍ଯ୍ୟର ବସ୍ତୁ ଭାବରେ ନଦେଖି ସାମାଜିକ ମତ ଭାବରେ ଦେଖିବାକୁ ସେ ଚାହାଁନ୍ତି । ୨୦୨୩ ମସିହରେ ରମା ଗାଜା ପଟି ଉପରେ ଇସ୍ରାଇଲ୍ ଚଳାଇଥିବା ନର ସଂହାରକୁ ନେଇ ବହୁତ ଗୁଡେ ଚିତ୍ର ଆଙ୍କିଥିଲେ, ଯାହାକି ଅନେକଙ୍କ ଦୃଷ୍ଟିରେ ପଡିଥିଲା । ଏହା ଛଡା ସେ ସୁଦାନର ଗୃହ ଯୁଦ୍ଧ ଓ ଇସ୍ରାଇଲର ହଜିବୁଲ୍ଲା ଗଣ୍ଡଗୋଳକୁ ନେଇ ବି ଅନେକ ଛବି କରିଛନ୍ତି । ରମାଙ୍କ ଅଳଂକରଣ ସବୁ ବିବିସି, ଦି ନ୍ୟୁୟର୍କ ଟାଇମସ୍, ଦି ୱାସିଂଟନ୍ ପୋଷ୍ଟ, ଟେଟ୍ ମଡର୍ଣ୍ଣ ଆଦି ସମ୍ମାନଜନକ ପତ୍ରପତ୍ରିକାରେ ସ୍ଥାନ ପାଇଛି । ସେ ସ୍ପଟିଫାଏ ଓ ଆପଲ କମ୍ପାନୀ ସହ ମଧ୍ୟ କୋଲାବରେସନରେ କାମ କରିଛନ୍ତି ।

ରମାଙ୍କର ଏକ ଡେଟିଂ ଆପ୍ ରେ ୨୦୨୧ରେ ଜୋହରାନ ମମଦାନୀଙ୍କ ସହ ଚିହ୍ନା ହେଇଥିଲା । ହୁଏତ ଦୁହିଁଙ୍କ ମାନବବାଦୀ ଚିନ୍ତାଧାରା ଦୁହିଁଙ୍କୁ ପରସ୍ପରର ନିକଟତର କରିଥିଲା । ୨୦୨୪ରେ ଦୁହିଁଙ୍କର ନିର୍ବନ୍ଧ ହେଇଥିଲା ଓ ୨୦୨୫ରେ ଦୁଇ ପ୍ରେମୀ ବିବାହ କରିଥିଲେ । ମେୟର ନିର୍ବାଚନ ପ୍ରକ୍ରିୟା ସମୟରେ ରମା ନିଜକୁ ଲୋକଲୋଚନରୁ ଦୁରେଇ ରଖିଥିଲେ । ଜୋରାନଙ୍କ ସହ ଖୋଲାମେଲାରେ ମିଳାମିଶା କରୁନଥିଲେ । କିନ୍ତୁ ପ୍ରଚାରରେ ବ୍ୟବହୃତ ହେଉଥିବା ପ୍ରତିଟି ଡିଜାଇନ୍ ରେ ତାଙ୍କର ସ୍ପର୍ଶ ଥିଲା । ନ୍ୟୁୟର୍କ ସହରର ମେୟର ଭାବରେ ଜୋହରାନ ମମଦାନୀଙ୍କ ବିଜୟ ପରେ ଆସନ୍ତା ୧ ଜାନୁୟାରୀ ୨୦୨୬ ଠାରୁ ରମା ଦୁଆଜି ନ୍ୟୁୟର୍କ ସହରର ସମ୍ମାନ ଜନକ ପ୍ରଥମ ମହିଳା ଭାବରେ ପରିଗଣିତ ହେବେ । ପ୍ରତିବାଦ ଓ ଜନପକ୍ଷର ପକ୍ଷ ନେଉନଥିବା ଆମ ଏଠାର ଚିତ୍ରଶିଳ୍ପୀ ଓ ଅଳଂକରଣ ଶିଳ୍ପୀମାନେ ରମା ଦୁଆଜିଙ୍କ ଚିତ୍ର ଦେଖିବା କଥା ।

About Dr. Ramakanta Samantaray

Ramakanta Samantaray is a contemporary Indian Artist and well known Odia fiction writer. He also regularly writing features and critical texts on art and culture. Presently he is living and working in Bhubaneswar. He has published more than fifteen books.

View all posts by Dr. Ramakanta Samantaray →