ସାମ୍ପ୍ରତିକ କଳା ଓ ପାରମ୍ପରିକ କଳା ଭିତରେ ରହିଥିବା ପ୍ରଭେଦ-ମତଭେଦ ଆଦି ଦିନକୁ ଦିନ ଅସ୍ପଷ୍ଟ ମନେହେବାରେ ଲାଗିଛି । ସାମ୍ପ୍ରତିକ ପରିସର, ପାରମ୍ପରିକ ପରିସର ଭଳି କୌଣସି ଏକ ସ୍ୱତନ୍ତ୍ର ପରିସର ସହ ଖାପଖାଇ ଚାଲିବା ଅପେକ୍ଷା ଏବେ ସ୍ୱକୀୟ ପରିସର ଅଧିକ ସମୀଚୀନ ମନେହେଉଛି । ଅନେକ ପରିସରର ଗୋଟେ ଜଟିଳ ସମାହାର ହେଉଛି ମଣିଷ ନିଜେ । ଅନ୍ୟର ଭାବନାକୁ ହେଜିବା କଷ୍ଟ କିନ୍ତୁ ନିଜ ଭାବନାକୁ କଳିବା ମଧ୍ୟ ସେତେ ସହଜ ନୁହଁ । ମୋ ଚିତ୍ର ସାଧନାର ପରିସର ବଡ଼ ବ୍ୟାପକ ଏବଂ ବହୁବିଧ । ପ୍ରାଚୀନ ପରମ୍ପରାଠୁ ଆରମ୍ଭକରି ଆଧୁନିକ, ଅତିଆଧୁନିକ ପରମ୍ପରା ଯାଏଁ ପ୍ରସାରିତ ।
ଜୀବନର ଭିନ୍ନ ଭିନ୍ନ ମୋଡ଼ରେ ଚିତ୍ର ଜୀବନର ବିଭିନ୍ନ ପର୍ଯ୍ୟାୟ ଛନ୍ଦା ଛନ୍ଦି ହେଇ ଗତି କରି ଚାଲିଛି । ଏବେ ପୁଣିଥରେ ଆମ ଓଡ଼ିଆ ପଟଚିତ୍ର ଧାରାରେ ଚିତ୍ର କରିବାର ଗୋଟେ ଅଦମ୍ୟ ଇଛା ଜାଗ୍ରତ ହେଇଛି । ଓଡ଼ିଶାର ମନ୍ଦିର ସ୍ଥାପତ୍ୟ, ଭାସ୍କର୍ଯ୍ୟ, ପ୍ରାଚୀନ ପଟଚିତ୍ର, ଧାତବ ମୂର୍ତ୍ତୀ, ତାଳପତ୍ର ପୋଥିଚିତ୍ର, ଓଡ଼ିଆ ଲିପି, ଓଡ଼ିଶୀ ସଙ୍ଗୀତ ନୃତ୍ୟଆଦି ମନକୁ କବଳିତ କରିରଖିଛି । କେବଳ ସେକଥା ବି ନୁହଁ, ଚିତ୍ର ଜୀବନର ଏଭଳି ଏକ ଅପ୍ରତ୍ୟାଶିତ ଚିନ୍ତନ ପଛରେ ବିଂଶ ଶତାବ୍ଦୀର ଆଦ୍ୟଭାଗରେ ଘଟିଥିବା କଳା ଆନ୍ଦୋଳନ ଡାଡାବାଦ ଏଥିପାଇଁ ଅନେକ ଭାବେ ଦାୟୀ । ପାରମ୍ପରିକ ପଟଚିତ୍ର ଧାରରେ ଓତଃପ୍ରୋତ ହେଇ କାମକରିବା ପଛରେ ସୁଦୂର ଡାଡାବାଦ ବିଚାରଧାରାର କି ସମ୍ପର୍କ ଥାଇପାରେ? ଏ କଥାର ସନ୍ଦର୍ଭ ବୁଝିବା ଲୋକ ବୁଝିଯିବେ । ଇତିହାସର କାଳ ଗର୍ଭ ଭିତରୁ ରୂପ ସାଉଁଟି ଆଣିବାର ପ୍ରଚେଷ୍ଟାରେ ମନକୁ ମନ ଅନେକ ଚିତ୍ର ଆଙ୍କି ଚାଲିଛି । ଏଠାରେ ଉପସ୍ଥାପିତ ମୋର ସଦ୍ୟ ଚିତ୍ରଟି କଁସୋ କାଗଜଉପରେ ଗ୍ୱାଶ୍ ରଙ୍ଗରେ ଅଙ୍କା ପଂଚଦଶ ଶତାବ୍ଦୀର ମହାରାଜା ଶ୍ରୀ ଶ୍ରୀ କପିଳେନ୍ଦ୍ର ଦେବଙ୍କ ଏକ ଆଲେଖ୍ୟ ।
ଇଣ୍ଟରନେଟରେ କପିଳେନ୍ଦ୍ର ଦେବଙ୍କ ଦୁଇ ଧରଣର ଆଲେଖ୍ୟ ଦେଖିବାକୁ ମିଳେ । ଗୋଟେ ହେଲା ଆଧୁନିକ ଚିତ୍ରଶିଳ୍ପୀ ରାଜା ରବିବର୍ମାଙ୍କ ଓଲିଓଗ୍ରାଫି ଦ୍ଵାରା ଅନୁପ୍ରେରିତ ଜନପ୍ରିୟ (pop) ଶୈଳୀର ଆଲେଖ୍ୟ ଚିତ୍ର ଏବଂ ଅନ୍ୟଟି ହେଲା ଓଡ଼ିଶାର ପୁରାତନ ଦେଉଳମାନଙ୍କରେ ମିଳୁଥିବା କିଛି ପଥର ମୂର୍ତ୍ତିରେ ଗଢ଼ା ପୂର୍ଣ୍ଣ ଅବୟବର ଆଲେଖ୍ୟ ।
କପିଳେନ୍ଦ୍ର ଦେବଙ୍କ ସେଇ ପ୍ରାଚୀନ ପଥର ମୂର୍ତ୍ତିଗୁଡ଼ିକୁ ଦେଖି ପଟଚିତ୍ର ଧାରାରେ ଆଲେଖ୍ୟଟିଏ ଅଙ୍କନ କରିବା ପାଇଁ ପ୍ରେରଣା ମିଳିଥିଲା । ଚିତ୍ରଟିକୁ କଲାବେଳ ଏୈତିହାସିକ ଖ୍ୟାତିସମ୍ପର୍ଣ୍ଣ ଚିତ୍ରକାର ପାଣୁ ମହାରଣାଙ୍କ ଉପରେ ଲେଖାଟିଏ ପ୍ରସ୍ତୁତ କରୁଥିଲି । ସେଇ ପରିପ୍ରେକ୍ଷୀରେ ସଚେତନରେ ହେଉ କି ଅବଚେତନ ସ୍ତରରେ ହେଉ ପାଣୁ ମହାରଣାଙ୍କ ପଟଚିତ୍ରର ପ୍ରଭାବ ମୋର ଏଇ ଚିତ୍ରଟିରେ କୋଉଠେ କେମିତି ପରିଲକ୍ଷିତ ହୋଇପାରେ ।