ଦକ୍ଷିଣ ଓଡ଼ିଶା ବିଶେଷକରି ଓଡ଼ିଶାର ଦକ୍ଷିଣରେ ଥିବା ଗଞ୍ଜାମ,ଗଜପତି, ଫୁଲବାଣୀ ଓ କୋରାପୁଟ ଜିଲ୍ଲାକୁ ନେଇ ଗଠିତ । ଭୌଗୋଳିକ ଦୃଷ୍ଟିକୋଣରୁ ଦେଖିଲେ, ଉପକୂଳ, ସମତଳ ଓ ପାର୍ବତ୍ୟାଞ୍ଚଳର ସମାହାରକୁ ନେଇ ଏ ଅଞ୍ଚଳ ଗଠିତ । ତେଣୁ ଏହାର ସଂସ୍କୃତି ମଧ୍ୟ ବହୁବିଧ ବର୍ଣ୍ଣାଳୀରେ ବିଭୂଷିତ । ଦକ୍ଷିଣ ଓଡ଼ିଶାର ସାଂସ୍କୃତିକ ଅଭିବ୍ୟକ୍ତି ଭିତରେ ଆଦିମ ଜନଜାତିର ଭୂମିକା ଅତି ଗୁରୁତ୍ୱପୂର୍ଣ୍ଣ । ଆଧୁନିକତାର ଅନୁପ୍ରବେଶ ପରେ ମଧ୍ୟ ଏହି ଅଞ୍ଚଳର ସାଂସ୍କୃତିକ ପରମ୍ପରା ଆପଣାର ମୌଳିକତାକୁ ଅକ୍ଷୁର୍ଣ୍ଣ ରଖିଆସିଛି । ଦକ୍ଷିଣ ଓଡ଼ିଶାର ଲୋକସଂସ୍କୃତି ସମଗ୍ର ଓଡ଼ିଶାର ଲୋକସଂସ୍କୃତିକୁ ପରିପୁଷ୍ଟ ଓ ସମୃଦ୍ଧ କରିଆସିଛି ।
ଏ ଅଞ୍ଚଳରେ ନୀଳପାହାଡ଼ ପରିବେଷ୍ଟିତ ଭୌଗୋଳିକ ସୁଷମା ଲୋକଙ୍କ ଭିତରେ ସୌନ୍ଦର୍ଯ୍ୟାନୁଭୂତି ଓ ଆନନ୍ଦ ସୃଷ୍ଟି କରିଆସିଛି । ଏଠାରେ ବସବାସ କରୁଥିବା ଆଦିବାସୀମାନେ ସ୍ୱଭାବତଃ ନୃତ୍ୟପି୍ରୟ ହୋଇଥିବାରୁ ଏ ଅଞ୍ଚଳରେ ବିଭିନ୍ନ ଲୋକନାଟକ ଦେଖିବାକୁ ମିଳେ । ରାମଲୀଳା, କୃଷ୍ଣଲୀଳା, ରାଧାପ୍ରେମଲୀଳା, ଭାରତଲୀଳା, ପ୍ରହ୍ଲାଦ ନାଟକ, ରାମନାଟକ, ଦାସକାଠିଆ, ଘୁଡୁକୀ, ଗାହାଣ, ଢ଼ଣକୋଇଲା, ସଖୀନାଟ, ଦଣ୍ଡନାଟ, କଣ୍ଢେଇନାଟ, ରଣପା ପାଟ, ଜାଗୁଘଣ୍ଟ, ଚେତୟାନାଟ ଆଦି ବହୁ ଲୋକନାଟକ ଏହି ଅଞ୍ଚଳର ସାଂସ୍କୃତିକ ବଳୟକୁ ସମୃଦ୍ଧ କରିଛନ୍ତି । ‘ପଶୁମୁଖା ନାଚ’ ହେଉଛି ଏହି ଅଞ୍ଚଳର ଅନ୍ୟତମ ଲୋକପି୍ରୟ ଲୋକନୃତ୍ୟ ।
ବହୁ ପୁରାତନ କାଳରୁ ଆଦିମ ମଣିଷ ନିଜର ଖାଦ୍ୟ ଅନ୍ୱେଷଣ ପାଇଁ ଜୀବଜନ୍ତୁଙ୍କ ଭଳି ସଜେଇବା ଭିତରେ ମୁଖା ବ୍ୟବହାର କରି ଆସୁଥିଲା । ରାମାୟଣ ଏବଂ ମହାଭାରତ ଆଦି ପୁରାଣବର୍ଣ୍ଣିତ ଚରିତ୍ରର ରୂପ ପ୍ରଦର୍ଶନ ମାଧ୍ୟମରେ ମୁଖା ବ୍ୟବହାର କରୁଥିବା ଏବେ ବି ଦେଖିବାକୁ ମିଳେ । ଆଦିବାସୀମାନେ ମୁଖା ପିନ୍ଧି ତନ୍ତ୍ରମନ୍ତ୍ର ଓ ଗୁଣିଗାରେଡ଼ି ଦ୍ୱାରା ନିଜକୁ ରକ୍ଷା କରୁଥିବାରୁ ବିଶ୍ୱାସ ରହିଛି । ଯୁଗେ ଯୁଗେ ମଣିଷମାନଙ୍କର ପଶୁସମାଜ ସହ ଏକ ବନ୍ଧୁତ୍ୱ ସମ୍ପର୍କ ରହିଆସିଛି । ମଣିଷ ନିଜର ଦୁଃଖସୁଖରେ ପଶୁକୁ ସାମିଲ କରିଆସିଛି । ସେମାନେ ଜଙ୍ଗଲରେ ରହିଲେ ମଧ୍ୟ ସେମାନଙ୍କ ଜୀବନର କାହାଣୀକୁ ମଣିଷ ଅଭିନୟ ମାଧ୍ୟମରେ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଛି । ମଣିଷ ଓ ପଶୁର ଏହି ଅଭିନବ ସମ୍ପର୍କରୁ ଜନ୍ମଲାଭ କରିଛି ‘ପଶୁମୁଖା ନାଚ’ ।
ଦକ୍ଷିଣ ଓଡ଼ିଶାରେ ବିଭିନ୍ନ ପର୍ବପର୍ବାଣି, ଯାନିଯାତ୍ରା, ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଉତ୍ସବାଦିରେ ଏହି ପଶୁମୁଖା ନାଚ ପରିବେଷଣ କରାଯାଇଥାଏ । ପଶୁମୁଖା ନାଚର ଉତ୍ପତ୍ତି ହେଉଛି ଗ୍ରାମବାସୀଙ୍କ ସ୍ୱାର୍ଥରୁ । ଏହି ଅଞ୍ଚଳର ଲୋକମାନେ ନିଜ ପରିବାରର ମଙ୍ଗଳ ପାଇଁ, ଗ୍ରାମର ମଙ୍ଗଳ ପାଇଁ ଦେବଦେବୀଙ୍କ ପାଖରେ ମାନସିକ କରିଥାନ୍ତି ଓ ମାନସିକ ପୂରଣ ହେବାପରେ ଦେବୀଙ୍କ ଉଦେ୍ଦଶ୍ୟରେ ଏହି ନୃତ୍ୟ ପ୍ରଦର୍ଶନ କରାଇଥାନ୍ତି । ପଶୁମୁଖା ନାଚ ବିଭିନ୍ନ ପ୍ରକାର ହୋଇଥାଏ । ସେମାନଙ୍କ ମଧ୍ୟରୁ ବାଘନାଚ, ଘୋଡ଼ାନାଚ, ବୃଷଭ ନାଚ, ସିଂହ ନାଚ, ହରିଣ ନାଚ, ହାତୀ ନାଚ, ମୟୂର ନାଚ, ହଂସ ନାଚ ଆଦି ପ୍ରଧାନ । ଏହି ପଶୁପକ୍ଷୀମାନଙ୍କ ପୋଷାକ ଓ ମୁଖା ପରିଧାନ କରି କଳାକାରମାନେ ସେମାନଙ୍କ କାର୍ଯ୍ୟକଳାପ ଓ ଅଙ୍ଗଭଙ୍ଗୀକୁ ନୃତ୍ୟ ମାଧ୍ୟମରେ ପରିବେଷଣ କରିଥାନ୍ତି । ବେଳେବେଳେ ବାଘନାଚ ଓ ଘୋଡ଼ାନାଚ ଭଳି ଏକକ ନୃତ୍ୟ ପରିବେଷଣ କରାଗଲାବେଳେ ବେଳେବେଳେ ବାଘ, ବୃଷଭ, ଘୋଡ଼ା ଆଦି ପଶୁମାନଙ୍କ ମିଳିତ ନୃତ୍ୟ ପରିବେଷିତ ହୁଏ ।
#ବାଘନାଟ: ଏହି ନାଚ ନିମନ୍ତେ ବାଘର ଶରୀର ଭଳି ବେତରେ ଦଉଡ଼ି ଛନ୍ଦି ଏକ ବିରାଟ ଧରଣର ପିଞ୍ଜରା ତିଆରି ହୋଇଥାଏ । ସେହି ପିଞ୍ଜରା ବା ଛାଞ୍ଚରେ ବାଘ ଦେହର ରଙ୍ଗଭଳି ଭେଲ୍ଭେଟ୍ କନାରେ ନିର୍ମିତ ପୋଷାକ ଆକୃତି କରାଯାଇଥାଏ । ତାହାର ମୁଣ୍ଡ ହାଲୁକା କାଠରେ ନିର୍ମିତ ହୋଇଥାଏ । ମୁଖାଟିକୁ ବାଘମୁଖା ଭଳି ନିର୍ମାଣ କରି ଏହାର ପାଟି ଖୋଲା ରଖାଯାଇଥାଏ । ତେନ୍ତୁଳି ମଞ୍ଜି, ଅଠା, କାଠଗୁଣ୍ଡ, ଗୋବର, ଚିରାକନା ଆଦି ମିଶାଇ ବି ବାଘମୁଣ୍ଡର ମୁଖା ତିଆରି କରାଯାଏ । ଏହା ହାଲୁକା ଥିବାରୁ କଳାକାର ତାକୁ ଧରି ନୃତ୍ୟ କରିବାକୁ ସୁବିଧା ହୁଏ । ବାଘର ଶରୀର ଖଣ୍ଡ ଖଣ୍ଡ ବେତଦ୍ୱାରା ଏଭଳି ନିର୍ମିତ ହୋଇଥାଏ ଯେ ଏହାକୁ ସ୍ପ୍ରିଙ୍ଗ୍ କରି କମାଯାଇପାରେ ଓ ବଢ଼ାଯାଇପାରେ । ଏହି ପିଞ୍ଜରାଟିକୁ ଚାପ ଦେଇ କମାଇ ଦିଆଯାଏ ଓ ନୃତ୍ୟବେଳେ ଏହାକୁ ବଢ଼ାଇ ବାଘ ପଞ୍ଜରାର ରୂପ ଦିଆଯାଏ । ଏହାର ଲାଞ୍ଜଟି ମଧ୍ୟ ଝୋଟ, ତୁଳା ଓ କଳା ସାହାଯ୍ୟରେ ନିର୍ମାଣ କରାଯାଇଥାଏ । ନୃତ୍ୟ ପ୍ରଦର୍ଶନବେଳେ ବାଘର ଶରୀରରେ ମୁଣ୍ଡ ଓ ଲାଞ୍ଜ ଲଗାଇ ଦିଆଯାଏ । ବାଘ ଶରୀରରେ ଦୁଇଯୋଡ଼ା ଗୋଡ଼ ବି ଲଗାଯାଇଥାଏ । ବାଘନାଟରେ ଅଭିନୟ ପାଇଁ ଦୁଇଜଣ କଳାକାର ବାଘର ପିଞ୍ଜରା ଭିତରେ ଆଗପଟୁ ଓ ପଛପଟୁ ପଶନ୍ତି । ଆଗପଟେ ଥିବା କଳାକାର ଜଣକ ବାଘମୁଣ୍ଡକୁ ଧରି ନୃତ୍ୟ କରିଥାଏ । ତା’ର ନୃତ୍ୟକୌଶଳ ହିଁ ବାଘନାଟକୁ ଲୋକାଦୃତ କରେ । ପଛପଟେ ଥିବା କଳାକାର ଆରପଟର କଳାକାରଙ୍କୁ କେବଳ ଅନୁସରଣ କରିଥାଏ । ସେମାନେ ପିଞ୍ଜରା ଭିତରେ ପରସ୍ପର ବାର୍ତ୍ତାଳାପ କରି ନୃତ୍ୟ କରିଥାନ୍ତି । ବାଘମୁଣ୍ଡକୁ ଆବଶ୍ୟକସ୍ଥଳେ ଉପରକୁ ଟେକିବା ନିମନ୍ତେ ପ୍ରଥମ ବ୍ୟକ୍ତି ପିଞ୍ଜରା ଭିତରେ ଗୋଟେ ଠେଙ୍ଗା ସାହାଯ୍ୟରେ ମୁଖାଟିକୁ ଉପରକୁ ଟେକି ଧରିଥାଏ । ଦୁଇଜଣ କଳାକାର ମିଶି ବାଘର ଆକ୍ରମଣ କରିବା, ହରିଣ ଉପରକୁ କୁଦା ମାରିବା, ଶିକାରକୁ ଘୋଷାଡ଼ି ଘୋଷାଡ଼ି ନେବା, ଶିକାରକୁ ଖାଇବା ଆଦି ନୃତ୍ୟ ପ୍ରଦର୍ଶନ କରିଥାନ୍ତି । ପ୍ରଥମ ବ୍ୟକ୍ତି ଖୋଲାଥିବା ବାଘ ପାଟି ଦ୍ୱାରା ବାହାରକୁ ଦେଖି ନିଜର ନୃତ୍ୟ ପରିବେଷଣ କରେ ।
#ବୃଷଭ ନାଟ: ବାଘନାଚ ଭଳି ବୃଷଭ ନାଚରେ ମଧ୍ୟ ସେଭଳି ଛାଞ୍ଚ ଓ ମୁଖା ତିଆରି କରାଯାଇଥାଏ । ଛାଞ୍ଚ ଉପରେ କଳାବୃଷଭ ପାଇଁ କଳା ଭେଲ୍ଭେଟ୍ କଳା ଓ ଧଳା ବୃଷଭ ପାଇଁ ଧଳା କନାର ପୋଷାକ କରାଯାଇଥାଏ । ତା’ଉପରେ ବିଭିନ୍ନ ପ୍ରକାର ଘାଗୁଡ଼ିମାଳ ଓ ବିଭିନ୍ନ ରଙ୍ଗର ଚାନ୍ଦୁଆ କାମ ଥିବା ସୂତା, ମାଳି, ପୋହଳା, ଚୁମ୍କି ଆଦି ଘାଗୁଡିଗୁଡ଼ିକୁ ଲଗାଯାଇଥାଏ । ଫଳରେ ବୃଷଭ ଚାଲିଲାବେଳେ ଘାଗୁଡ଼ିର ଶବ୍ଦ ଶୁଭେ । ବୃଷଭ ପିଠିରେ ଚୂଳ ପାଇଁ କନାରେ ଚୂଳର ଆକୃତି ତିଆରି ହୋଇ ସେଥିରେ ତୁଳା, ଖଇ କିମ୍ବା ଝୋଟ ପୂରାଇ ସିଲେଇ କରିଦିଆଯାଇଥାଏ । ଚୂଳ ହେବାପରେ ତାକୁ ବୃଷଭ ପିଠିରେ ଖଞ୍ଜି ସିଲେଇ କରିଦିଆଯାଏ । ବୃଷଭର ବେକରେ ଛୋଟ ବଡ଼ ଚାନ୍ଦୁଆ କଳାତ୍ମକ ଭାବେ ରଖି ଧାଡ଼ିଧାଡ଼ି ଘାଗୁଡ଼ି ମାଳ ଲଗାଯାଇଥାଏ । ଶେଷରେ ବାଘବେଶ ଭଳି ବୃଷଭ ମୁଣ୍ଡର ମୁଖା ଓ ଲାଞ୍ଜ ଲଗାଇ ଦିଆଯାଏ । ବାଘନାଚ ପରି ଏଥିରେ ମଧ୍ୟ ଦୁଇଜଣ କଳାକାର ଅଭିନୟ କରିଥାନ୍ତି ।
#ଘୋଡ଼ାନାଚ: ବାଘନାଚ ପରି ଘୋଡ଼ାନାଚରେ ମଧ୍ୟ ବେତ ତିଆରି ଘୋଡ଼ାର ଶରୀର ଓ ଘୋଡ଼ାମୁଖା ବ୍ୟବହାର କରାଯାଇଥାଏ । ଘୋଡ଼ାର ଲମ୍ବା ବେକ ହୋଇଥିବା ଯୋଗୁଁ ବେକରେ ଅଧିକ ପରିମାଣରେ ଚାନ୍ଦୁଆ ମାଳ ଓ ଘଣ୍ଟିଘାଗୁଡ଼ି ଲାଗିଥାଏ । ଏହି ନାଚରେ ମଧ୍ୟ ଦୁଇଜଣ କଳାକାର ଅଭିନୟ କରିଥାନ୍ତି । ଏହାବ୍ୟତୀତ ହାତୀ, ସିଂହ ଓ ହରିଣ ନାଚରେ ମଧ୍ୟ ଏକପ୍ରକାର ବେଶପୋଷାକ ଓ ମୁଖା ଦେଖିବାକୁ ମିଳେ । ତେବେ ପଶୁମୁଖା ନାଚର ବାଘ, ସିଂହ, ଘୋଡ଼ା, ବୃଷଭ, ହାତୀ, ହରିଣ ଆଦି ନାଚରେ ଦୁଇଜଣ ଲେଖାଏଁ କଳାକାର ନୃତ୍ୟ ପରିବେଷଣ କଲାବେଳେ ଏ ପର୍ଯ୍ୟାୟର ଅନ୍ୟ କିଛି ମୁଖା ନୃତ୍ୟ ଯଥା ରାଜା-ରାଣୀ, ଦେବା-ଦେବୀ, ମୟୂର, ହଂସ ଆଦି ନାଚରେ ଜଣେ ଲେଖାଏଁ କଳାକାର ଅଭିନୟ କରିଥାନ୍ତି ।
ପଶୁମୁଖା ନୃତ୍ୟ ବାଦ୍ୟ ଓ ନୃତ୍ୟର ସମନ୍ୱୟରେ ପରିବେଷଣ କରାଯାଏ । ଏଥିରେ ଚାଙ୍ଗୁବାଦ୍ୟର ତାଳେ ତାଳେ ପଶୁମୁଖାଧାରୀ କଳାକାରମାନେ ନାଚ କରିଥାନ୍ତି । ଭିନ୍ନଭିନ୍ନ ପଶୁଙ୍କ ନିମନ୍ତେ ବାଦ୍ୟରେ ଭିନ୍ନ ଭିନ୍ନ ତାଳ ପଡିଥାଏ । ସେହି ନିର୍ଦ୍ଦିଷ୍ଟ ତାଳ ଅନୁସାରେ ନିର୍ଦ୍ଦିଷ୍ଟ ପଶୁମାନେ ନାଚ କରିଥାନ୍ତି । ତେବେ ପ୍ରାଚୀନ କାଳରୁ ଏହି ନାଚ କେବଳ ବାଦ୍ୟ ଆଧାରିତ ଥିଲାବେଳେ ସଂପ୍ରତି କିଛି ଅଞ୍ଚଳର କଳାକାର ଏଥିରେ କାହାଣୀର ସମନ୍ୱିତ କରିଥିବା ଦେଖାଯାଏ । ପ୍ରାଚୀନକାଳରେ ଏହା କେବଳ ପର୍ବପର୍ବାଣି ଓ ଯାନିଯାତ୍ରାରେ ସମୂହ ଗ୍ରାମବାସୀଙ୍କ ତରଫରୁ ପରିବେଷିତ ହେଉଥିଲା । ଏହାବ୍ୟତୀତ ବିବାହ, ବ୍ରତ ଆଦି ଉତ୍ସବରେ ପରିବେଷିତ ହେଉଥିଲା । ସମ୍ପ୍ରତି ଏହି ନାଚ ସରକାରଙ୍କ ବିଭିନ୍ନ ସଚେତନ କାର୍ଯ୍ୟକ୍ରମରେ ପରିବେଷଣ କରାଯାଉଛି ଓ ଦେଶବିଦେଶର ବିଭିନ୍ନ ସାଂସ୍କୃତିକ ଉତ୍ସବରେ ପରିବେଷିତ ହେଉଛି । ସମ୍ପ୍ରତି ଏହି ନୃତ୍ୟରେ କାହାଣୀ ସହ ଜଣେ ନିଦେ୍ର୍ଦଶକଙ୍କୁ ବି ଦେଖିବାକୁ ମିଳେ । ସେ ଉଭୟ ବାଦ୍ୟ ଓ ନୃତ୍ୟ ଭିତରେ ସମନ୍ୱୟ ରକ୍ଷା କରିବା ସହିତ ସନ୍ନିବେଶିତ କାହାଣୀର ଗୀତ ପରିବେଷଣ କରିଥାନ୍ତି ।
ସମ୍ପ୍ରତି ବାଘନାଟରେ ପ୍ରହ୍ଲାଦ ନାଟକର କିଛି ଅଂଶ ଦେଖିବାକୁ ମିଳେ । ରାଜା ହିରଣ୍ୟକଶିପୁଙ୍କ ଆଦେଶାନୁସାରେ ପ୍ରହରୀଗଣ ପ୍ରହ୍ଲାଦଙ୍କୁ ନେଇ ବାଘ ସାମ୍ନାରେ ଫୋପାଡ଼ିବା, ପ୍ରହ୍ଲାଦ ବାଘ ସହ ଲଢ଼େଇ କରିବା, ବାଘର ପରାଜୟ ହେବା ଆଦି ବିଷୟ ପରିବେଷିତ ହୋଇଥାଏ । ଏହାବ୍ୟତୀତ ଦୁର୍ଗାବତାର ମାଧ୍ୟମରେ ବାଘକୁ ଦୁର୍ଗାଙ୍କ ବାହନ ଭାବେ ଦେଖାଯାଏ । ଦୁର୍ଗାଙ୍କ ବନ୍ଦନା ଭିତରେ ବାଘନୃତ୍ୟ ପରିବେଷଣ କରେ । ସେହିପରି ବାଘନାଚରେ ସାମାଜିକ ପୃଷ୍ଠଭୂମିରୁ ମଧ୍ୟ କାହାଣୀ ସଂଗ୍ରହ କରାଯାଇଥାଏ । ଯେପରିକି, ଜଣେ କାଠୁରିଆ ବାଘ ସହ ମୁହାଁମୁହିଁ ହେବା ଓ ଜୀବନ ବଞ୍ଚାଇବା ପାଇଁ ବାଘ ସହ ଯୁଦ୍ଧ କରିବା ଓ ଶେଷରେ ବାଘ ତାକୁ ଟାଣିଟାଣି ନେବା ଆଦି ଦୃଶ୍ୟ ପରିବେଷିତ ହୋଇଥାଏ । ସେହିପରି ସିଂହ ନାଚରେ ମହିଷାମର୍ଦ୍ଦନୀଙ୍କୁ ଆଧାର କରି ନୃତ୍ୟ ପରିବେଷଣ କରାଯାଇଥିବାବେଳେ ଘୋଡ଼ାନାଟରେ ରାମାୟଣ ଆଧାରରେ ଅଶ୍ୱମେଧ ଯଜ୍ଞର ପରିକଳ୍ପନା କରାଯାଇଥାଏ । ଏହାବ୍ୟତୀତ ହରିଣ ନାଟକରେ ରାମଚନ୍ଦ୍ର ହରିଣକୁ ଘୋଡ଼ାଉଥିବା ବିଷୟ ରହିଥାଏ । ଅତଏବ ସମ୍ପ୍ରତି ପଶୁମୁଖା ନୃତ୍ୟ ପରିବେଷଣରେ ପୌରାଣିକ, କିମ୍ବଦନ୍ତୀମୂଳକ କିମ୍ବା ସାମାଜିକ ବିଷୟବସ୍ତୁର ସଂକ୍ଷିପ୍ତ କାହାଣୀ ରହିଥାଏ, ଯାହା ଦର୍ଶକମାନଙ୍କ ଭିତରେ ବି କୌତୂହଳ ଓ ଉଦ୍ଦୀପନା ସୃଷ୍ଟି କରିଥାଏ ।
ଦକ୍ଷିଣ ଓଡ଼ିଶାରେ ପ୍ରଚଳିତ ଏହି ପଶୁମୁଖା ନାଚରେ ମନୋରଞ୍ଜନ ସହ ଜନସଚେତନତା ନିମନ୍ତେ ମଧ୍ୟ କଳାକାରଙ୍କ ଉଦ୍ୟମ ଲକ୍ଷ୍ୟ କରାଯାଏ । ପୂଜାପାର୍ବଣ ମାଧ୍ୟମରେ ବ୍ୟକ୍ତି ତାର ଅତୀତର ସ୍ଥିତିକୁ ରୋମନ୍ଥନ କରିବାବେଳେ ମନୋରଞ୍ଜନ ମାଧ୍ୟମରେ ସମକାଳର ବାର୍ତ୍ତା ପ୍ରଦାନ କରେ । ଏହି ନାଚ ମଣିଷ ମନରେ ପଶୁ ପ୍ରତି ଏକ ଆବେଗିକ ସମ୍ପର୍କ ସୃଷ୍ଟିକରେ । ସମାଜରେ ଥିବା ଅନ୍ଧବିଶ୍ୱାସ ଓ କୁସଂସ୍କାରକୁ ହରେଇବା ସହ ସାଧାରଣ ଜନତାକୁ ସଚେତନ କରାଏ । ଏହା ଅତୀତ, ବର୍ତ୍ତମାନ ଓ ଭବିଷ୍ୟତକୁ ଗୋଟିଏ ବିନ୍ଦୁରେ ମିଶାଇ ମନୋରଞ୍ଜନ ସହ ଶିକ୍ଷା ଓ ସଚେତନତା ବିତରଣ କରେ ।
ପଶୁମୁଖା ନାଚ ଦକ୍ଷିଣ ଓଡ଼ିଶାର ସବୁ ଅଞ୍ଚଳରେ ରହିଥିଲେ ମଧ୍ୟ ବିଶେଷକରି ଗଞ୍ଜାମ ଜିଲ୍ଲାର ଭଞ୍ଜନଗର, ବେଲଗୁଣ୍ଠା, କାଳଷଣ୍ଢପୁର, ବରଗାଁ, ବାଲିପଦର, ବୁଗୁଡ଼ା, ପୋଲସରା, ଆସ୍କା ଆଦି ବିଭିନ୍ନ ଅଞ୍ଚଳରେ ଦେଖିବାକୁ ମିଳେ । ତେବେ ଭଞ୍ଜନଗରର ନାରାୟଣ ମହାରଣା ଜଣେ ପଶୁମୁଖା ଶିଳ୍ପୀ ଭାବେ ଦେଶବିଦେଶରେ ବେଶ୍ ପ୍ରସିଦ୍ଧ । ପଶୁମୁଖା ନୃତ୍ୟ ପରିବେଷଣ ସହ ଅନୁଷ୍ଠାନ ଗଢ଼ି ସେ ଛାତ୍ରଛାତ୍ରୀମାନଙ୍କୁ ମୁଖା ନିର୍ମାଣ ଓ ପରିବେଷଣ କୌଶଳ ଶିକ୍ଷାଦାନ କରିଆସୁଛନ୍ତି । ଯଥାର୍ଥରେ ଦେଖିଲେ ପଶୁମୁଖା ନାଚ ଦକ୍ଷିଣ ଓଡ଼ିଶାର ଅତି ଲୋକପି୍ରୟ ନାଚ ହିସାବରେ ପରମ୍ପରା ଓ ଆଧୁନିକତାର ଯୋଗସୂତ୍ର ଭାବେ ନିଜର ଭୂମିକା ନିର୍ବାହ କରିଆସିଛି ।
ସହକାରୀ ପ୍ରଫେସର, ଓଡ଼ିଆ ବିଭାଗ
ବିଶ୍ୱଭାରତୀ, ଶାନ୍ତିନିକେତନ
ଦୂରଭାଷ: ୦୯୭୪୯୭୭୩୪୯୯
https://sites.google.com/view/saratkumarjena/home