ରବୀନ୍ଦ୍ରନାଥଙ୍କ ରାଗ

ର ବି କ ଥା : ୧୯

ସେଦିନ ରବୀନ୍ଦ୍ରନାଥ ପ୍ରଚଣ୍ଡ ରାଗି ଯାଇଥିଲେ । ସେଭଳି ରାଗ ତାଙ୍କର ଆଗରୁ କେବେ ଦେଖା ଯାଇନଥିଲା। କାରଣ ତାଙ୍କ ଅଗୋଚରରେ ଡାକ୍ତରମାନେ ତାଙ୍କର ଦାଢିର କିଛି ଅଂଶ ଚାଞ୍ଛି ଦେଇଥିଲେ । ସକାଳୁ ନିଜ ଦାଢିର ଏଭଳି ଅବସ୍ଥା ଦେଖି ସେ ରାଗରେ ଅଗ୍ନିଶର୍ମା।

ଥରେ ରବୀନ୍ଦ୍ରନାଥ ନିଜ ଗାଲ ପାଖରେ ଯନ୍ତ୍ରଣା ଅନୁଭବ କରିଥିଲେ। ତେଣୁ ସେଥିପାଇଁ କଲିକତାରୁ ଡା. ନୀଲରତନ ସରକାର, ଡାକ୍ତର ବିଧାନଚନ୍ଦ୍ର ରାୟ ପ୍ରମୁଖ ଚିକିତ୍ସକମାନେ ଆସି ପହଞ୍ଚିଲେ। ସେମାନେ ଦିନବେଳେ କବିଙ୍କୁ ଭଲଭାବେ ପରୀକ୍ଷା କରି ଶାରୀରିକ ଯନ୍ତ୍ରଣାର କାରଣ ଜାଣିପାରିଲେ ନାହିଁ। ତେଣୁ ସିଦ୍ଧାନ୍ତ ହେଲା, କବିଙ୍କୁ ଶୋଇବା ଔଷଧ ଦେଇ ଶୁଆଇ ଦେଇ ତାଙ୍କ ଦାଢ଼ି ଭିତର ଦେଖିବାକୁ ହେବ! ସେଇ ଅନୁସାରେ ରବୀନ୍ଦ୍ରନାଥଙ୍କୁ ରାତିରେ ଖାଇବା ପରେ ଗୋପନରେ ନିଦ ବଟିକା ଦେଇଦେଲେ। କବି ଗଭୀର ନିଦରେ ଶୋଇପଡ଼ିଲେ। ଡାକ୍ତରମାନେ ତାଙ୍କର କାନପାଖ ଓ ଗାଲର କିଛି ଅଂଶର ଦାଢ଼ି କାଟିଦେଇ ପରୀକ୍ଷା କରି ଔଷଧପତ୍ର ଦେଲେ।

ରବୀନ୍ଦ୍ରନାଥଙ୍କ ଏଭଳି ଦଶା କରି ଡାକ୍ତର ବିଧାନଚନ୍ଦ୍ର ରାୟ ଓ ନୀଲରତନ ସରକାର ଶାନ୍ତି ନିକେତନରେ ରହିବା ପାଇଁ ଭରସା କଲେ ନାହିଁ। ସେଇ ରାତିରେ ସେମାନେ କଲିକତା ଚାଲିଗଲେ । ସକାଳୁ କବିଙ୍କ ନିଦ ଭାଙ୍ଗିବାରୁ ସେ ଦାଢିରେ ହାତମାରି ଦେଖିଲେ କିଛି ଗୋଟେ ଗଡବଡ ହୋଇଛି। ତାଙ୍କର ଅଗୋଚରରେ କିଏ ଏଭଳି କଲା, ସେଥିପାଇଁ ସେ ଭୀଷଣ ରାଗିଗଲେ। ସେବକ ବନମାଳୀକୁ ଡାକି ପଚାରିଲେ , ତାଙ୍କ ଦାଢିର ଅବସ୍ଥା ଏମିତି କେମିତି ହେଲା ?

ବନମାଳୀ କହିଲା ଯେ, ସେ ଶୋଇ ପଡିଥିଲା। କିଛି ଜାଣିନାହିଁ।
ସେ ଆହୁରି ରାଗିଗଲେ।

ରାଗରେ ଆଉ ପ୍ରତିଦିନ ପିଉଥିବା କଫି ପିଇଲେ ନାହିଁ। ତାପରେ ପୁଅ ରଥୀନ୍ଦ୍ରନାଥଙ୍କୁ ଡାକି ଆଣିବାକୁ ବନମାଳୀକୁ କହିଲେ। ବନମାଳୀ ବୁଲି ଆସି ଖବର ଦେଲା ଯେ, ରଥୀନ୍ଦ୍ରନାଥ କୌଣସି ଜରୁରୀ କାମରେ ଶ୍ରୀନିକେତନ ଯାଇଛନ୍ତି। କବି ଆହୁରି ଗୁମ୍ ହୋଇ ବସି ରହିଲେ। ବନମାଳୀ ଯେତେଥର ଖାଇବାକୁ ଡାକିଲେ ବି ଗଲେ ନାହିଁ। ଏତେ ରାଗ ଯେ କେହି ତାଙ୍କ ପାଖକୁ ଯିବାକୁ ସାହସ କଲେ ନାହିଁ। ଶେଷରେ ପୁତ୍ରବଧୂ ପ୍ରତିମା ଦେବୀ କବିଙ୍କ ପାଖକୁ ଯାଇ କହିଲେ,-“ଆପଣ ନଖାଇଲେ ଘରର ଅନ୍ୟମାନେ କେହି ଖାଇବା ଛୁଇଁବେ ନାହିଁ।” ତଥାପି କବିଙ୍କ ରାଗ କମିଲା ନାହିଁ। ସେ ପ୍ରଚଣ୍ଡ କ୍ଷୋଭର ସହ ଜଣାଇଲେ ଯେ, ତାଙ୍କ ଦାଢିରେ ହାତ ଦେବା ଆଗରୁ ତାଙ୍କୁ ଥରେ ପଚାରିବାର ଦରକାର ନଥିଲା ? ଶେଷରେ କବି ଖାଇବାକୁ ଗଲେ। କିନ୍ତୁ ରଥୀନ୍ଦ୍ରନାଥ ଭୟରେ ବାବାଙ୍କ ସାମ୍ନାକୁ କିଛି ଦିନ ଧରି ଯାଇନଥିଲେ।

(ସୌଜନ୍ୟ: ଠାକୁର ବାଡ଼ିର ଅନ୍ଦର ମହଲ, ଚିତ୍ରାଦେବ)

About Dr. Sarat Kumar Jena

Dr. Sarat Kumar Jena is a writer, researcher and from Odisha. Currently he is working as a professor at Biswabharati University, Kolkata.

View all posts by Dr. Sarat Kumar Jena →