[ସୂଚନା : ମାର୍ଚ୍ଚ ମାସ ସତେଇଶ ତାରିଖ ବିଶ୍ୱ ନାଟ୍ୟ ଦିବସ।ଏହି ପରିପ୍ରେକ୍ଷୀରେ କିଛି ଲେଖିବାର ଇଚ୍ଛା ଥିଲା।ହଠାତ୍ ଗୋଟିଏ ଖୋଲା ଚିଠି ଦୃଷ୍ଟିକୁ ଆସିଲା।ଏଇ ଚିଠିଟି ସାପ୍ତାହିକ ସାହିତ୍ୟ ଓ ସଂବାଦ ପତ୍ର ନବୀନ (୧୯୩୦ ମସିହାରୁ ବ୍ରହ୍ମପୁରରୁ ପ୍ରକାଶିତ)ରେ ଛପା ଯାଇଥିଲା।ଏହି ଖୋଲା ଚିଠିରେ ତାରିଖ ଦିଆଯାଇଛି ୨୬ ।୧୧।୩୫ । ଏଥିରୁ ଆମର ତତ୍କାଳୀନ ଓଡିଆ ନାଟକର ସ୍ଥିତି ସଂପର୍କରେ କିଛି ମୂଲ୍ୟବାନ ତଥ୍ୟ ଆକଳନ କରାଯାଇ ପାରେ।ବିଶ୍ୱ ନାଟ୍ୟ ଦିବସ ପରିପ୍ରେକ୍ଷୀରେ ଏହା ପ୍ରାସଂଗିକ ହେବ। ଏବେ ଖୋଲା ଚିଠିଟି ଆଗ ପଢାଯାଉ। ]

ଖୋଲା-ଚିଠି
ରେଭେନ୍ସା କଲେଜ ନାଟ୍ୟ ସଂଘ
କଟକ,୨୬।୧୧।୩୫
ମାନନୀୟ ସଂପାଦକ ମହୋଦୟ,ନବୀନ
ମହାଶୟ
ନିମ୍ନଲିଖିତ ପତ୍ରଟି ଆପଣଙ୍କ ପତ୍ରିକାରେ ସ୍ଥାନ ଦେଇ ବାଧିତ କରିବା ହେବେ।
ସନ ୧୯୩୬ ମସିହା ଜାନୁୟାରୀ ମାସ ଦ୍ୱିତୀୟ ସପ୍ତାହରେ ରେଭେନସା କଲେଜର *ଜୁବୁଲି ଉତ୍ସବ କଲେଜର ବିସ୍ତୀର୍ଣ୍ଣ ପ୍ରାଙ୍ଗଣରେ ମହା ସମାରୋହରେ ଅନୁଷ୍ଠିତ ହେବ।ରେଭେନସା କଲେଜ ନାଟ୍ୟ ସମିତି ଏହି ଅପୂର୍ବ ଉତ୍ସବ ଉପଲକ୍ଷେ ଗୋଟିଏ ଉପଯୁକ୍ତ ସାମାଜିକ ନାଟକ ରଂଗମଂଚରେ ଅଭିନୟ କରିବା ନିମିତ୍ତ ଯତ୍ନ କରୁଛି।ମାତ୍ର କ୍ଷୋଭର ବିଷୟ ଏହିଯେ ଓଡିଆରେ ସାମାଜିକ ନାଟକର ଅଭାବ ଦ୍ୱାରା ସମିତିର ସଦସ୍ୟ ମାନେ ହତୋତ୍ସାହ ହେଉଛନ୍ତି।ସମଗ୍ର ଉତ୍କଳ ଖଣ୍ଡରେ କାଳେ କୌଣସି ଲେଖକ ବା ନାଟ୍ୟକାର ବିଶିଷ୍ଟ ସାମାଜିକ ବିଷୟର ଅବତାରଣା କରି ଯଦି କୌଣସି ନାଟକ ଲେଖିଥାନ୍ତି,ତେବେ ସେମାନଙ୍କୁ ଏହି ସୁଯୋଗ ଜଣାଇବା ନିମିତ୍ତ ମୁଁ ଆପଣଙ୍କର ପତ୍ରିକାର ସାହାଯ୍ୟ ନେଉଅଛି।ମୁଁ କଲେଜ ନାଟ୍ୟସଂଘ ତରଫରୁ ସେହିଭଳି ଲେଖକ ବା ନାଟ୍ୟକାରମାନଙ୍କୁ ଅନୁରୋଧ କରୁଛି ଯେ,ଯଦି ସେମାନଙ୍କର କୌଣସି ହସ୍ତଲିପି ସାମାଜିକ ନାଟକ ଅଭିନୀତ ନହୋଇ ରହିଅଛି ଏବଂ ଯଦି ସେମାନେ କଲେଜ ନାଟ୍ୟ ସମିତି ଦ୍ୱାରା ଅଭିନୀତ ହେବା ପାଇଁ ପଠାନ୍ତି,ତେବେ ସେଗୁଡିକୁ ମୁଁ ଧନ୍ୟବାଦ ସହିତ ଗ୍ରହଣ କରିବି।ଲେଖକମାନେ ନାଟକାଦି ପଠାଇବା ପୂର୍ବରୁ ମୁଁ ନିମ୍ନଲିଖିତ କେତୋଟି ବିଷୟ ପ୍ରତି ସେମାନଙ୍କର ମନୋଯୋଗ ଆକର୍ଷଣ କରୁଛି।ଯଥା:-(କ)ନାଟକଟି ସାମାଜିକ ହୋଇଥିବ (ଖ)ସରକାର କିମ୍ବା ରାଜନୀତି ବିଷୟରେ ଭାଷା ବା ବସ୍ତୁ ପ୍ରୟୋଗ ହୋଇ ନଥିବ (ଗ)ନାଟକଟି ସାଂପ୍ରଦାୟିକ ଏବଂ ବିଭିନ୍ନ ଧର୍ମ ସମ୍ବନ୍ଧୀୟ ମତବ୍ୟକ୍ତ କରୁନଥିବ।ଶେଷରେ(ଘ)ସେଥିରେ କିଛି ଅଶ୍ଳୀଳ ଅଭିବ୍ୟକ୍ତି ନଥିବ।ଯଦି କୌଣସି ନାଟକ ଉପର୍ଯୁକ୍ତ ନିୟମ ଲଂଘନ କରି ମୋର ହସ୍ତଗତ ହୁଏ,ତେବେ ତାହା କଲେଜ ରଂଗମଂଚରେ ଉପସ୍ଥାପିତ ହେବା ପାଇଁ ଅନୁପଯୁକ୍ତ ବିବେଚିତ ହୋଇପାରେ।ମୋର ଏକାନ୍ତ ପ୍ରାର୍ଥନା ଯେ,ଯଦି କୌଣସି ନାଟକ ସମିତି ବା କଲେଜ ଗଭର୍ଣ୍ଣିଙ୍ଗ୍ ବଡି(Governing Body)ଦ୍ୱାରା ମନୋନୀତ ନହେଲା ତେବେ ନାଟକର ଲେଖକ ସେଥିପାଇଁ ଦୁଃଖିତ ହେବେ ନାହିଁ।
ଡିସେମ୍ବର ୧୦ ତାରିଖ ବା ତହିଁ ପୂର୍ବରୁ ନାଟକ ସବୁ ମୋର ହସ୍ତଗତ ହେବା ବାଂଛନୀୟ।ଯଦି କାହାର ଏ ବିଷୟରେ କିଛି ଅଧିକା ଜାଣିବାର ଥାଏ ତେବେ ନିମ୍ନଲିଖିତ ଠିକଣାରେ ମୋ ସହିତ ଆଦାନ ପ୍ରଦାନ କରିପାରନ୍ତି।ଭରସା କରେ ଯେ,ଉତ୍କଳର କୃତି ଲେଖକ ଓ ନାଟ୍ୟକାର ଏ ବିଷୟରେ ପ୍ରଣିଧାନ ଦେବେ।ଇତି।
ବଶମ୍ବଦ
ଶ୍ରୀ ରାଜ କିଶୋର ରାୟ,ବି.ଏ.
ସମ୍ପାଦକ,ରେଭେନସା କଲେଜ ନାଟ୍ୟ ସମିତି,କଟକ।
•••••
[ଏହି ଚିଠିର ଲେଖକ ହେଉଛନ୍ତି “ଆଚାର୍ଯ୍ୟେ ଥିଲେ ବୋଲି”ର ସ୍ୱନାମଧନ୍ୟ କଥାକାର ଓ ଅଭିନେତା ଓ ବାଗ୍ମୀ ପ୍ରଫେସର୍ ରାଜ କିଶୋର ରାୟ।ସେତେବେଳେ ସେ ଏମ୍.ଏ.ର ଛାତ୍ର ଓ ରେଭେନ୍ସା ନାଟ୍ୟ ସମିତିର ସଂପାଦକ। ଏଇ ଖୋଲାଚିଠିର ଭାଷାରୁ ସେ ସମୟର ଜଣେ ବି.ଏ.ଛାତ୍ରର ସାମାଜିକ ଆଧିପତ୍ୟ କୁ ଦେଖାଯାଇ ପାରେ।ତାହା ସହିତ ବିନୟ ଭାବଟି ବି ସୁଚାରୁ ରୂପରେ ରହିଅଛି।
ଏଇ ଚିଠିଟି ତତ୍କାଳୀନ ଓଡିଆ ନାଟକର କଥାବସ୍ତୁର ପୌରାଣିକ ଅନୁସଂଗଟି ସମସାମୟିକ ନବ୍ୟ-ଶିକ୍ଷିତ ମାନଙ୍କର ପସନ୍ଦ ହେଉ ନଥିବାର ସ୍ପଷ୍ଟ ପ୍ରମାଣ।ସତ ବନାମ ଅସତର ଲଢେଇ ରେ ଦେବତାର ଧର୍ମସଂସ୍ଥାପନ ପାଇଁ ଧରାବତରଣ କାହାଣୀ ର ବହୁଳତାରୁ ସେମାନେ ମୁକ୍ତି ଚାହୁଁଥିଲେ।ସେମାନଙ୍କ ଉପରେ ପାଶ୍ଚାତ୍ୟ ରାସନାଲିଜମ୍ ଓ ପ୍ରଶାସନୀକ କାରଣରୁ ବଂଗଳାରୁ ଆମଦାନୀ ହୋଇଥିବା “ଭଦ୍ରଲୋକ” ଅବଧାରଣାର ବିଶେଷ ପ୍ରଭାବ ଥିଲା।ତେଣୁ ସେମାନେ ଆମର ପୁରାଣ ସଂପର୍କ ଗୁଡିକୁ ସମାଜ ସଂପର୍କରେ ଦେଖୁଥିଲେ।ବିଶେଷ କରି ପାଶ୍ଚାତ୍ୟ ନାରୀ-ପୁରୁଷର କୋର୍ଟସିପ୍ ବା ରୋମାନ୍ସ ତାଙ୍କର ଯୁବଚେତନାକୁ ସବୁଜ କରି ରଖୁଥିଲା।ଆଉ ସେମାନଙ୍କର ସେଇ ଅଭିଳଷିତ କଳ୍ପନାର କାହାଣୀକୁ ସେମାନେ ମଂଚରେ ଦେଖି ତୃପ୍ତ ହେବାକୁ ଇଚ୍ଛା କରୁଥିଲେ।
ତେଣୁ ଓଡିଆ ନାଟକରେ ଏଇଟି ଏକ ଡ୍ରପ୍ ସିନ ପଡିବାର ସମୟ । ନାଟକର ପୌରାଣିକ ଅଙ୍କ ଶେଷ ଆଉ ସାମାଜିକ ଅଙ୍କର ଆରମ୍ଭ।ନାଟକମାନଙ୍କର ନାଆଁ ରହିଲା “ଗାର୍ଲ ସ୍କୁଲ” ଆଉ “ଚୁମ୍ବନ” ଇତ୍ୟାଦି।
ନାଟକର ଐତିହାସିକ ମାନେ କହିପାରନ୍ତି ସେଥର ୧୯୩୬ ରେ ରେଭେନସା ରେ କେଉଁ ନାଟକଟି ଅଭିନୀତ ହୋଇଥିଲା।ରେଭେନସା କଲେଜର ଅତୀତ କାଳରେ ସବୁବେଳେ ନୂତନ ଆଉ ପରୀକ୍ଷାଧର୍ମୀ ନାଟକ ମଂଚସ୍ଥ ହୋଇ ଆସୁଥିଲା।ଆଉ ପ୍ରଥମ କରି କୌଣସି ନାଟକର ଅଭିନୟ ସେଠାରେ ହେଲା ପରେ ସେହି ନାଟକଟି ଓଡିଶାର ଅନ୍ୟତ୍ର ମଂଚସ୍ଥ ହେଉଥିଲା।ସେହି ଦୃଷ୍ଟିରୁ ରେଭେନସା ର ମଂଚ ଓଡିଆ ନାଟକର ଏକ ସଫଳ ଓ ଅଗ୍ରଗଣ୍ୟ ପରୀକ୍ଷାଗାର କହିଲେ ଅତ୍ୟୁକ୍ତି ହେବନାହିଁ।ଉପସ୍ଥିତ ଲେଖକ ଛାତ୍ର ଥିବା ସମୟରେ ପ୍ରଥମଥର ବିଶ୍ୱଜିତ ଦାସଙ୍କ “ସମ୍ରାଟ୍”( କାମ୍ୟୁଙ୍କ “କାଲିଗୁଲା”ର ଅନୁବାଦ)ଅଭିନୀତ ହୋଇଥିଲା ଯାହାର ନିର୍ଦ୍ଦେଶନା ଦେଇଥିଲେ ସ୍ୱର୍ଗତ ହେମନ୍ତ ଦାସ।ପ୍ରଥମେ ଠିକ୍ ହେଲା ବାବି ବାବୁ ନିର୍ଦ୍ଦେଶନା ଦେବେ।ବାବି ବାବୁବି ଦିଥର ଆସିଥିଲେ ଆଉ କହିଥିଲେ ଏହାର ନିର୍ଦ୍ଦେଶନା କେବଳ ହେମନ୍ତ ଦାସ ହିଁ ଦେଇ ପାରିବେ। ଅଭିନୟରେ ନିହାତି ଅପଟୁ ଏଇ ଉପସ୍ଥିତ ଚରିତ୍ରଟି କେବଳ ତତ୍କାଳୀନ ନାଟ୍ୟ ସଂପାଦକ ଙ୍କ ପ୍ରିୟପାତ୍ର ଥିବା କାରଣରୁ ବାବି ବାବୁ ଆଉ ହେମନ୍ତ ବାବୁଙ୍କ ଭଳି ପ୍ରଖ୍ୟାତ କଳାକାରଙ୍କ ଦେହକୁ ଦେହ ଲାଗି ରିକ୍ସାରେ ସେମାନଙ୍କ ଘରଠୁ ଆସିବା ବେଳେ ବସିବାର ସୁଯୋଗ ପାଇଥିଲା।
ଶ୍ରୀଯୁକ୍ତ ରାୟଙ୍କ ଚିଠିରେ ସଂଭାବ୍ୟ ନାଟକର ଯେଉଁ ନିୟମାବଳୀଟି ଲେଖାଯାଇଥିଲା ତାହା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଜିବି ପ୍ରାସଂଗିକ।କହିବା ବାହୁଲ୍ୟ ଆମର ବଳକା ସମୟର ମନୋରଂଜନରେ ଯେଉଁ ସ୍ପେସ୍ ଟି ରହିଥାଏ ତାହା ଉପରେ ସବୁବେଳେ ସମସ୍ତଙ୍କର ନଜର,ଏପରିକି ଆମର ରାଷ୍ଟ୍ରର ବି।ଆମର ସେହି ସ୍ପେସ୍ ଟିକୁ କରାୟତ୍ତ କରିପାରିଲେ ଆମକୁ ସହଜରେ କରାୟତ୍ତ କରାଯାଇପାରିବ ବୋଲି ସମସ୍ତେ ଭାବନ୍ତି। ତେଣୁ ସେ ସମୟରେ ପରାଧୀନ ଭାରତରେ ଏଇ ବଳକା ସମୟ କୁ ଅଧିକାର କରିବାର ସବୁ ପ୍ରକାର କୌଶଳରେ ରହିଥିଲା ବ୍ରିଟିଶ ପ୍ରଶାସନ।ସେଇଥି ପାଇଁ ସେନସରସିପ୍। ଆମର ଚିନ୍ତାକୁ ସବୁବେଳେ “ନିର୍ଦ୍ଦେଶିତ ଚିନ୍ତା”କରିବାର କୌଶଳ।
ଏଇ ଚିଠିଟି ସହ ଓଡିଆ ନାଟକର ସବିଶେଷ ବିଚାର ଓ ବିକାଶ ର କାମନା କରୁଛି ଏଇ ବିଶ୍ୱ ନାଟ୍ୟ ଦିବସରେ।]