ବିଚରାଳୟରେ ନିଜର ଦଣ୍ଡବିଧାନ ଘୋଷଣାକୁ ଶୁଣିବା ପାଇଁ ଅପେକ୍ଷା କରି ରହିଛି ଜଣେ କିଶୋର । ବୟସ ଊଣେଇଶ ବର୍ଷ ର ପାଖାପାଖି। ଜନ୍ମ ୩ ଡିସେମ୍ବର ୧୮୮୯। ଜନ୍ମସ୍ଥାନ ମେଦିନୀପୁର ନିକଟସ୍ଥ ହବିବପୁର ଗାଆଁ ।
୧୯୦୨ -୦୩ ବେଳକୁ ବିପ୍ଳବୀ ନେତା ଶ୍ରୀ ଅରବିନ୍ଦ ଏବଂ ଭଗିନୀ ନିବେଦିତା ମେଦିନୀପୁରକୁ ଯାଆନ୍ତି । ସେଠାରେ ଜନସମାଗମକୁ ସମ୍ବୋଧନ କରିବା ସହିତ ସେଠିକାର ବିପ୍ଳବୀ ଦଳମାନଙ୍କ ସହ ଗୋପନ ପରିକଳ୍ପନା କରନ୍ତି । ପରାଧୀନ ଭାରତକୁ ବ୍ରିଟିଶ ମାନଙ୍କ କବଳରୁ ମୁକ୍ତ କରିବାକୁ ହେବ। ସେମାନଙ୍କ ପ୍ରଭାବରେ ଯଥେଷ୍ଟ ପ୍ରଭାବିତ ହୁଏ ସେ ସମୟର ମେଦିନୀପୁର କଲିଜିଏଟ୍ ସ୍କୁଲ୍ ର ଏହି ଛାତ୍ର ଜଣକ । ପିଲାଟି ଦିନରୁ ସେ ବଡ ଭଉଣୀ ପାଖରେ ମଣିଷ । ଉପରର ପର ପର ଦୁଇଟି ଭାଇ ବାହୁଡିଯାଇଥିବା କାରଣରୁ ତାହାର ପିତାମାତା ଏଇ ସଦ୍ୟଜାତ ସନ୍ତାନ କୁ ମୃତ୍ୟୁ କବଳରୁ ସୁରକ୍ଷିତ ରଖିବା ପାଇଁ ନିଜର ବଡ ଝିଅ କୁ ତିନି ମୁଠା ଖୁଦ ର ବିନିମୟରେ ବିକ୍ରୀ କରିଦିଅନ୍ତି । ତାହାପରଠାରୁ ସେ ବଡ ଭଉଣୀ ଅପରୂପାର କୋଳକାଖ ରେ ମଣିଷ । କହିବାକୁ ଗଲେ ସେ ତାହାର ବଡ ପୁଅ ।
ଶ୍ରୀ ଅରବିନ୍ଦ ଏବଂ ଭଗିନୀ ନିବେଦିତା ତଥା ଅନ୍ୟାନ୍ୟ ବିପ୍ଳବୀ ମାନଙ୍କର ସଂସ୍ପର୍ଶ ଆସି କ୍ରମଶଃ ସେ ଦେଶକୁ ସ୍ୱାଧୀନ କରିବା ପାଇଁ ଅଙ୍ଗୀକାରବଦ୍ଧ ହୋଇ ଉଠିଥିଲା।
ଏଇଠି ଗୋଟିଏ ଛବି ସଂଲଗ୍ନ ରହିଛି।

ସେଇ ସଂଲଗ୍ନ ଛବି ଟି ନିର୍ଦ୍ଦିଷ୍ଟ ତାରିଖ ଜଣା ନଥିଲେ ମଧ୍ୟ ଏହା ଆନୁମାନିକ ଜୁଲାଇ ୧୯୦୮ ମସିହାରେ ଉତ୍ତୋଳନ କରାଯାଇଥିବା ଏକ ଛବି । ଏହି ସମୟରେ ସେ କିଶୋରଟି ନିଜର ବିଚାର ତଥା ଦଣ୍ଡାଦେଶ କୁ ଶୁଣିବା ପାଇଁ ବିଚାରାଳୟରେ ଉପସ୍ଥିତ ହେଉଥିଲା ।
ସେହି କିଶୋରଟିର ବିରୁଦ୍ଧରେ ଅଭିଯୋଗ ଥିଲା ଯେ ସେ ୩୦ ଏପ୍ରିଲ୍ ୧୯୦୮ ମସିହା ଦିନ ବିହାରର ମୂଜାଫରପୁର ସ୍ଥିତ ଏକ ଇଉରୋପୀୟ କ୍ଲବ ସାମ୍ନାରେ ରାତି ଆଠଟା ବେଳେ ବୋମାମାଡ କରିଥିଲା ଆଉ ଏହି ବୋମାମାଡ ଫଳରେ ତିନିଜଣ ବ୍ରିଟିଶ୍ ପ୍ରାଣ ହରାଇଥିଲେ । ତେଣୁ ଏହି ଇଉରୋପୀୟ ହତ୍ୟାର ଅଭିଯୋଗରେ ତାହାର ବିଚାର କହିବାକୁ ଗଲେ ୨୧ ମେ ୧୯୦୮ ରୁ ହିଁ ଆରମ୍ଭ ହୋଇଥିଲା ।
ବ୍ରିଟିଶ ମାନଙ୍କ ଉପରେ ଏଇଭଳି ଆକ୍ରମଣକୁ ତତ୍କାଳୀନ ଭାରତର ଉପନିବେଶୀୟ ଶାସକପକ୍ଷ ସହଜ ଭାବରେ ଗ୍ରହଣ କରିନଥିଲା । ଏହାକୁ ଦମନ କରିବାପାଇଁ ସେଇ କିଶୋରକୁ ଫାଶୀ ଦଣ୍ଡାଦେଶ ଦିଆଯାଇଥିଲା ଆଉ ଏହି ଫାଶୀଦଣ୍ଡାଦେଶ କାର୍ଯ୍ୟକାରୀ ହୋଇଥିଲା ଆଜି ର ତାରିଖ ରେ ଅର୍ଥାତ୍ ୧୧ ଅଗଷ୍ଟ ୧୯୦୮ ମସିହାରେ ।
ବଙ୍ଗ ପ୍ରଦେଶର ଏହି ପ୍ରଥମ ବିପ୍ଳବୀ ଜଣକ ଶହୀଦ ହେଲାବେଳକୁ ତାହାର ପ୍ରକୃତ ବୟସ ଥିଲା ୧୮ ବର୍ଷ ୮ମାସ ଆଉ ୮ ଦିନ ।
ତିନି ମୁଠା ଖୁଦରେ ବଡ ଭଉଣୀ ତାହାକୁ କିଣିଥିଲେ ବୋଲି ତାହାର ନାଆଁ ଥିଲା କ୍ଷୁଦିରାମ,ପୂରା ନାଆଁ କ୍ଷୁଦିରାମ ବସୁ ।
କ୍ଷୁଦିରାମ ଫାଶୀ ପାଇବା ପରେ ତାହାକୁ କୋଳରେ କାଖରେ ବଢାଇଥିବା ବଡ ଭଉଣୀ ଅପରୂପା ଦେବୀ କହିଥିଲେ :
” ତିନିମୁଠା ଖୁଦ ଦେଇ କ୍ଷୁଦିରାମକୁ ମୁଁ କିଣିଥିଲି । ମନେ ମନେ ଭାରି ଲୋଭ ଥିଲା,କ୍ଷୁଦିରାମକୁ ଏକା ଭୋଗ-ଦଖଲ କରିବି। କିନ୍ତୁ କେତେବେଳେ ଯେ ମୋର ଅଗୋଚରରେ ସେ ଦେଶବାସୀଙ୍କ ପାଖରେ ବିକ୍ରୀ ହୋଇଗଲା ସେକଥା ମୋତେ ଜଣାପଡିଲା ନାହିଁ । ତିନିମୁଠା ଖୁଦରେ ତାହାକୁ କିଣିଥିଲି । ଦେଶବାସୀ ମାନେ ତାହାକୁ କିଣିଛନ୍ତି ଆଞ୍ଜୁଳା ଆଞ୍ଜୁଳା ରକ୍ତ ଦେଇ।”

