କବିତାର ରୂପଚର୍ଯ୍ଯା

କବିତାର ଭୂମିରେ ଯୋଉମାନେ ରହନ୍ତି ସେମାନେ ସ୍ଥିର ବସ୍ତୁ।ଶବ୍ଦ ସେଇ ବସ୍ତୁ ଓ ତାର ବସ୍ତୁତ୍ଵକୁ ଧାରଣ କରି ଅହଲ୍ୟା ପରି ପଥର ହେଇ ପଡ଼ିରହିଥାନ୍ତି। ପାଠକର ରାମ ପାଦରେ ସେମାନେ(ଶବ୍ଦମାନେ) କଅଁଳି ଉଠନ୍ତି। ରାମ ବିନା କୋଇ ନାମ୍ ନହିଁ, ରାମ୍ ବିନା କୋଇ କାମ୍ ନହିଁ” । ଶବ୍ଦଙ୍କର ନିଦ୍ରା ଭଙ୍ଗ ହଏ।   କବିତାର ରୂପ ଲାବଣ୍ୟକୁ ଦେଖି ପାଠକ ମନରେ ଭାବାନ୍ତର ସୃଷ୍ଟି ହଏ ଓ ଧୀରେଧୀରେ ସେ କବିତାକୁ ଅନୁଭବ କରେ। ଅନୁଭବର କ୍ରିୟାଶୀଳତା ଆକର୍ଷିତ ବା ବିକର୍ଷିତ କରିବ। ଏହା କବିତାର ଭୂମି ବା ଆଧାର, କାବ୍ଯ-ପିଣ୍ଡ, ଭାଷାର ସଂଲଗ୍ନତା ଓ ବିନ୍ଯାସ ଉପରେ ସର୍ବ ପ୍ରଥମେ ନିର୍ଭର କରେ। ତାପରେ ଯାଇ, ଅଳଙ୍କାର ଭଙ୍ଗୀ ଓ ଠାଣି ତାକୁ ଭଲ ଲାଗିବାକୁ ଠିଆହଏ । ଏସବୁ ନିୟମିତ ଭାବରେ ଥିଲେ ପାଠକକୁ ଜବରଦସ୍ତ ନିୟନ୍ତ୍ରଣ କରିପାରେ। ପାଠକର ପ୍ରତିକ୍ରିୟା ଜନିତ ଫଳାଫଳ ଘୋଷଣା ହବା ପୂର୍ବରୁ ତା ଆଖି ଓ ମୁହଁରେ ଭାଗ୍ଯଫଳ ପ୍ରକାଶ ପାଇଯାଏ !

କବିତାର ଆକର୍ଷଣକାରୀ ଅଙ୍ଗ ଭିତରେ ଶବ୍ଦ ସଜ୍ଜିକରଣ ହିଁ ମୁଖ୍ୟ ବ୍ୟବସ୍ଥାପକ ଓ କହିବାର ଠାଣି ହେଲା ଦେବଦର୍ଶନ ଭଳି। ପଢୁପଢ଼ୁ ଜଣେ ନ ପଢ଼ିଥିବା କବିତା ଉପରେ ଆଖି ପଡ଼ିଯାଏ ଓ ତା ରୂପ ବା ମୁହଁ ତାକୁ ଅଟକେଇ ଦେଇପାରେ।  ନାମଫଳକ ଯେମିତି ରହୁଥିବା ଲୋକର ଅବସ୍ଥିତି ନେଇ ସୂଚନା ଦିଏ,ସେମିତି ଶୀର୍ଷକଟି କବିତାର ଆପାତତଃ କାବ୍ୟ-ପିଣ୍ଡ ସମ୍ପର୍କରେ ଜଣେଇଥାଏ। କିନ୍ତୁ କବିତାର ରୂପ କେମିତି ?

 ଜାଣିବା ପାଇଁ ଘର ଭିତରକୁ ଯିବାକୁ ପଡ଼େ। ଏଥିପାଇଁ କଲିଂବେଲ୍ ବଜାଇବାକୁ ପଡ଼େ,ତ ଦୁଆର ଖୋଲେ। ମୁହଁଟିଏ ଦିଶେ, ପଚାରେ କ’ଣ ବା କାହାକୁ ଖୋଜୁଛନ୍ତି ? ସେ ମୁହଁ ଦେଖି ଦଣ୍ଡେ ଚହଲିଗଲେ କି !  ସେମିତି, ଆପଣ କବିତାର ପ୍ରଥମ ଧାଡ଼ିରୁ ଅନୁଭବ ବା ଅନୁମାନ କରିପାରିବେ ।

ଏଇଆ ଯେ କବିତାରେ ଆପାତତଃ ଆପଣ ଧରିପାରିବେ ଯେ ଏଇଟା ପ୍ରେମ ପ୍ରକୃତି ସାମାଜିକ ଆଧ୍ୟାତ୍ମିକ ଈଶ୍ବର ଦର୍ଶନ ଜୀବନ କି ବ୍ୟକ୍ତିଗତ ଭୂମି ଉପରେ ଆଧାରିତ। କାରଣ ବି ଏତିକି ନୁହେଁ; କବିତାର ରୂପ ଦେଖି ଜାଣିହୁଏ ଯେ ଏଇଟା ଲିରିକ୍, ଏଇଟା ଗାଥା, ଏଇଟା ଗଜଲ୍,ଏଇଟା ଗୀତି, ଏଇଟା ଲିମେରିକ୍, ଏଇଟା ସନେଟ୍, ଏଇଟା ଏଲିଜି କି ଆଉ କ’ଣ ! ଭିତର ନାରଖାର ହେଇଥାଉ କି ସେଠି ଅମୃତ ଝର ଥାଉ ଘର ଭିତରକୁ ଯିବାପାଇଁ ପଛରୁ ଜଣେ ଠେଲିଦେଲା ପରି ଲାଗେ ଓ ଘର ଭିତରକୁ ମନ ପଶିଯାଏ। ସେଥିପାଇଁ କବିତାର ଶୀର୍ଷକ ଓ ପ୍ରଥମ ଧାଡ଼ି ମୁଖ୍ୟ ହେଇଥାଏ।

କବିତା ଭିତରେ ଯାହାସବୁକୁ ପାଠକ ଭେଟେ ଓ ତାକୁ ସେଠି ରହିବାକୁ ଭଲଲାଗେ ତ ସିଏ କବିକୁ ଖୋଜେ। ସିଏ କାବ୍ୟ ନାୟକ,କାବ୍ୟ ପୁରୁଷ, କାବ୍ୟ ବ୍ଯକ୍ତି ପରି ଗୁଡ଼ାଏ ପାଠୁଆ କାହାଣୀ ଶୁଣିବାକୁ ଚାହେନା କି ତାର ଜାଣିବାର ଆଗ୍ରହ ଥାଏନା। କବି ପାଇଁ ଏଇ ମୁହୂର୍ତ୍ତଟି ହିଁ ସଫଳତାର ସର୍ବଶ୍ରେଷ୍ଠ ମୁହୂର୍ତ୍ତ ! ପାଠୁଆ ପାଠକ ଟିକେ ନଖମାରି ଦେଖନ୍ତି; ବଜାରକୁ ଯାଇ ଫଟାଫଟ୍ କୌଣସି ପରିବା କିଣନ୍ତି ନାଇଁ। ଟିକେ ଦେଖିବୁଝି ଥୟ କରନ୍ତି। ସିଏ କବିତାର କିଛିକିଛି ଧରନ୍ତି ଓ ତାକୁ ନେଇ ପ୍ରଶ୍ନ ତିଆରନ୍ତି। ଉତ୍ତର ଯଦି ତତ୍’କ୍ଷଣାତ୍ ପାଇଯାନ୍ତି‌ ତ ଖୁସି ହେଇଯାଆନ୍ତି। ଏ ଖୁସି ପଛରେ ନିଜକଥାଟିଏ ପ୍ରାୟ ଥାଏ। କବିତା ବି ସାଥୀଟିଏ ପାଇ ଆନନ୍ଦରେ ଆତ୍ମହରା ହୁଏ।

ଜୀବନରେ ଟିକିଏ ସହାନୁଭୂତି ପାଇଁ, ଟିକିଏ ଦୁଃଖସୁଖ ବାଣ୍ଟିବା ପାଇ, ଅନ୍ଧାରରେ ଆଗକୁ ଯିବା ପାଇଁ, ବିପଦବେଳେ ସାହା ହବା ପାଇଁ, ଭାଙ୍ଗି ଯାଉଥିବା ବେଳେ ସାହାସ ଦେବାପାଇଁ ଜଣେ ଜଣକୁ ଖୋଜେ,ସାଥୀଟିଏ ଲୋଡ଼େ। କବିତା ଯଦି ସାଥୀ ହେଇ ପାରିଲା, ଲୁହ ପୋଛି ହସ ଫୁଟେଇ ପାରିଲା, ଦୁଃଖ ଯାତନା ବେଦନାର କାରଣ ଜଣେଇ ପାରିଲା, ଅକୁହା କଥାକୁ କହିପାରିଲା; ତେବେ କବିତାର ଜୀବନ ସାର୍ଥକ ହେଲାଭଳି ଲାଗେ।

ମଣିଷର ନାନାଦି ସମସ୍ୟା ପାଇଁ ଗୋଟିଏ ରକମର ଉପାୟ ଆପଣେଇବା କବି ପକ୍ଷେ ହେଇପାରେ କିନ୍ତୁ କବିତା ପକ୍ଷେ ସମ୍ଭବ ନୁହେଁ। କବିତାକୁ ଭିନ୍ନଭିନ୍ନ ରାସ୍ତା, ଭିନ୍ନଭିନ୍ନ ଅଞ୍ଚଳ, ଭିନ୍ନଭିନ୍ନ ମଣିଷଙ୍କ ଅସହାୟତା, ନୈରାଶ୍ୟ, ଆକାଂକ୍ଷା ଓ ତାର ପରିସୀମା ଓ ପରିଣାମ ଜଣାଇବା ପାଇଁ ନିଜକୁ ତିଆରି କରିବା କେତେ ଯେ ଜରୁରୀ, କହିବା ନିଷ୍ପ୍ରୟୋଜନ। କବିତା ତେଣୁ କବି ଠାରୁ ଅଲଗା କିଛି ଆଶାକରେ। କାରଣ ସିଏ ହିଁ ଦାଣ୍ଡରେ ବୁଲେ, ସବୁ ସମସ୍ୟାର ସମ୍ମୁଖୀନ ହୁଏ, କବିର ଆସ୍ଥାନକୁ ତୀର୍ଥଭୂମି କରିବାକୁ ଝାଳନାଳ ହେଇ ଖଟେ। କବି ଖଟରେ ଗଦି ପକେଇ ଶୋଇ, ଶୀତତାପ ନିୟନ୍ତ୍ରିତ କୋଠରୀରେ ବସି କବିତାକୁ କେବଳ କଳ୍ପନାର କାହାଣୀମାନ ଶୁଣେଇଲେ କେମିତି ହେବ ? ନିବୁଜ ଘରଭିତରେ ରହି ଜହ୍ନରାତିର ମାୟାରେ ଘାଣ୍ଟିହେବା ସ’ ଏଇଟା ସମାନ।

କବିତାକୁ ନୂଆ ପୋଷାକ, ନୂଆନୂଆ ଜାଗା, ନୂଆନୂଆ ବସ୍ତି,ନୂଆନୂଆ ଲୋକ, ନୂଆନୂଆ ଭାଷା ଜଣେଇବା ଦେଖେଇବା ଦାୟିତ୍ବ କବିର। କବିର ବଦଭ୍ଯାସ ଏଇଆ ଯେ ସିଏ ନିଜେ ଖାଇପିଇ ମଉଜମସ୍ତି କରି ବୁଲେ; କବିତାକୁ ନିଜ ଏରୁଣ୍ଡି ଡେଇଁ ଯିବାକୁ ଦିଏ ନାଇଁ। କବିତା  ଅମାନିଆ ନୁହେଁ। ସିଏ ଚୁପଚାପ୍ ରହେ। ସିଏ ଏମିତି ଯେ ବିନା ଅଳଙ୍କାର, ବିନା କସ୍’ମେଟିକ୍ସରେ ବି ସୁନ୍ଦର ଲାଗେ ଓ କୌଣସି ପାଇଁ  ଅଳି ଅଝଟ କରେନାଇଁ। ସିଏ ଖାଲି କବିର ସଖ୍ଯ ଚାହେ ଓ କବିକୁ ଯାବତ୍ ସୁଖ ଆନନ୍ଦ ମିଳୁ ବୋଲି ମନାସିଥାଏ। ଏଇଟା ତାର ମନଯୋଗୀ ଗୁଣ; ଯୋଉଥିପାଇଁ ସେ ଗୋଟିଏ ବାଗରେ ବାଡ଼ ଭିତର ଗଛ ପରି ରହିଯାଏ !

  ଅଥଚ,ସମୟ ସ’ ସବୁ ବଦଳେ। ମଣିଷ, ବୟସ, ପ୍ରକୃତି, ସମାଜ, ଶାସନ,ଶରୀର,ମନ ; ଏମାନଙ୍କ ସ’ ବଦଳିବଦଳିଯାଏ ହାଟ ବାଟ ବଜାର ଘର,ସମ୍ପର୍କ ଓ ଦୃଷ୍ଟିଭଙ୍ଗୀ। ଭାଷା ବି କିଛିକିଛି ବଦଳିଯାଏ। ନୂଆ ଶବ୍ଦ ନୂଆ ଅର୍ଥ ନେଇ ବଜାରରେ ଚଲାବୁଲା କରେ। ବଙ୍କର୍ ଭିତରେ କବି ଓ କବିତା ରହିଲେ ଚଳନ୍ତି ସମୟର ହାଲ୍’ହୈକତ୍ କେମିତି ଜାଣିବ କେମିତି କହିବ କେମିତି ବା କହିବାର ଉପାୟମାନ ପାଇବେ ? କବିତାର ହାତଧରି ରାସ୍ତାରେ ଗଲାବେଳେ କବିକୁ ବା କବିର ହାତ ଧରି କବିତା ଗଲାବେଳେ କେମିତି ଲାଗିବ ?? ସବୁବେଳେ ନଉକା କାହିଁକି ନାୟିକା ହେବ; ନାୟିକା ନଉକା ସାଜିଲେ କ’ଣ ପୃଥିବୀ ଓଲଟିଯିବ??

ୟା’ର ସରଳ ସମାଧାନ ପାଇଁ କବିକୁ ଅଠା ଲାଗିଯାଇଥିବା ଚଉକି ଛାଡ଼ିବାକୁ ପଡ଼ିବ। କବିତା ପାଇଁ ନୂଆ ନୂଆ ନାୟକନାୟିକାଙ୍କ ଛଟକ ଓ ଛାଞ୍ଚରେ ପ୍ରବେଶ କରେଇବାକୁ ଅଣ୍ଟା ସଳଖିବାକୁ ହେବ। ନିଜ ଭାଷା ଓ କହିବା ଶୈଳୀରୁ ବାହାରି ନୂଆ ‘ସ୍ପଟ୍’ରେ ଠିଆ ହବାକୁ ତିଆରି ହେବାକୁ ହେବ।

ସମୟ ଉପଯୋଗୀ, ସ୍ଥାନ ଓ ପରିବେଶ ଉପଯୋଗୀ,ଚରିତ୍ର ଉପଯୋଗୀ  ଭାଷା, ଚିତ୍ର ଓ ଚଳଣିକୁ କବିତାର ରକ୍ତରେ ପ୍ରବାହିତ କରିବାକୁ ପଡ଼ିବ। ବଡ଼ମାଛ ମୀନମାଛ ଖାଇ ବଞ୍ଚିରହିବା ଯେମିତି ଠିକ୍; ସେମିତି ବି ମୀନମାଛ ବଡ଼ମାଛଙ୍କୁ କଣ୍ଟାରେ ଝୁଲେଇଦବା ବିଚିତ୍ର ନୁହେଁ !

ସାଧୁଙ୍କୁ କ’ଣ ‘ସାବଧାନ’ କୁହାଯାଏ  ?

**

ଚଳଭାଷ -୭୯୭୮୮୫୮୦୯୧