ଶରୀର କିଛି ଦିନ ହେବ ଭଲ ନାହିଁ। ଦେହରେ ହାଲକା ଜ୍ୱର ରହୁଛି। ଏଣେ କେତେଦିନ ଧରି ପ୍ରତିବେଶୀ ଭଡାଟିଆମାନଙ୍କ ପାଟିତୁଣ୍ଡ ଯୋଗୁ କବିଙ୍କର ମନ ଖୁବ ଖରାପ। ପ୍ରତିଦିନ ପରି ସେଦିନ ସଂଧ୍ୟାରେ ସେ ବାହାରକୁ ବୁଲାଚଲା କରିବା ପାଇଁ ବାହାରି ପଡିଥିଲେ। ଏକା କବି ଜୀବନାନନ୍ଦ। ତାଙ୍କୁ ବାହାରିବାର ଦେଖିବା ମାତ୍ରକେ କବିପତ୍ନୀ ଲାବଣ୍ୟ ସାମ୍ନାକୁ ଆସି ନଯିବା ପାଇଁ ନିଷେଧ କରିଥିଲେ। ଶରୀର ଅସୁସ୍ଥ ରହୁଛି ବେଶ୍ କିଛି ଦିନ ହେଲା। ଏମିତିରେ କବି ଜୀବନାନନ୍ଦ ପତ୍ନୀଙ୍କ କଥା ଉପରେ କିଛି କଥା କହନ୍ତି ନାହିଁ। ସେ ତାଙ୍କର ନିଷେଧକୁ ଟିକିଏ ସମୟ ଶୁଣି ପଦଟିଏ କିଛି ଉତ୍ତର ନଦେଇ ବାହାରକୁ ବାହାରି ଯାଇଥିଲେ।
ଫେରିବା ବେଳେ ଘର ପାଖ ଲେକ୍ ମାର୍କେଟ ନିକଟରୁ କିଣିଥିଲେ ଦୁଇଟି ପଇଡ।
ଚାଲି ଚାଲି କବି ରାସବିହାରୀ ଆଭେନ୍ୟୁ ଆଉ ଲାନ୍ସଡାଉନ ରୋଡ୍ ର ସଂଯୋଗସ୍ଥଳରେ ପ୍ରାୟ ପହଞ୍ଚିଯାଇଥିଲେ । ସେଇ ସଂଯୋଗ ସ୍ଥଳକୁ ଆସି ସେଇଠୁ ଫୁଟପାଥରୁ ଓହ୍ଲାଇ ରାସ୍ତା ପାର ହେବାପାଇଁ ରାସ୍ତା ଉପରକୁ ଆସିଥିଲେ। ରାସ୍ତାର ସେଇ ଅଂଶଟି ବେଶ୍ ଚଉଡା,ଟ୍ରାମ ଯାତାୟାତ ପାଇଁ ରାସ୍ତାର ମଝିରେ ପଡିଛି ଦୁଇଟି ଟ୍ରାମଲାଇନ୍।ଟ୍ରାମଲାଇନ୍ ର ଭୂମିଟି ଘାସରେ ସବୁଜ। କବି ଫୁଟପାଥରୁ ଓହ୍ଲାଇ ନିହାତି ସତର୍କ ଭାବରେ ଗାଡି ମୋଟର,ଲରି ଆଉ ଟାକ୍ସି ଆଦି ଯିବା ଆସିବା କରୁଥିବା ପିଚୁ ରାସ୍ତାକୁ ଅତିକ୍ରମ କରି ଟ୍ରାମଲାଇନର ବେଶ୍ ନିକଟବର୍ତ୍ତି ଇଲାକାକୁ ପହଞ୍ଚିଯାଇଥିଲେ।
କବିଙ୍କର ମନ ସେଇଠି ଟିକିଏ ଚଞ୍ଚଳ, ଟିକିଏ ଦ୍ୱିଧାଗ୍ରସ୍ତ ।
କବି ଭାବିଲେ ଟ୍ରାମ ଆସିବା ଆଗରୁ ସେ ସେଇ ଲାଇନ୍ ଟିକୁ ପାର ହୋଇ ଆରପଟକୁ ଯାଇ ପାରିବେ। ଏଇ ତ ଟିକିଏ ଦୂରରୁ ଟ୍ରାମ୍ ର ଷ୍ଟପେଜ ଟା ଦିଶୁଛି ।କିଛି ଅସୁବିଧା ନାହିଁ।
କବିଙ୍କର ଅନ୍ଧାର ସହ ମୁଖାମୁଖି ହେବା ଭବିତବ୍ୟ ଥିଲା ,ତେଣୁ ସେ ଅନ୍ୟମନସ୍କ ହୋଇ ପଡିଥିଲେ।
ସେତେବେଳେ ମାଈସଞ୍ଜ। କଲିକତାର ଆକାଶରେ ଅଳ୍ପ ଅଳ୍ପ ଅଂଧାର। ଟିକିଏ ଦୂରରେ ଦେଖାଯାଉଥିବା ଷ୍ଟପେଜରେ କେହି ଯାତ୍ରୀ ଓହ୍ଲାଇବାର କି ଉଠିବାର ନଥିବା କାରଣରୁ ଟ୍ରାମ୍ ଟି ସେଇଠି ନଅଟକି ଦ୍ରୁତ ଗତିରେ ମାଡି ଆସିଥିଲା।
ଛୁଟନ୍ତ ଟ୍ରାମଟି ଆସି ଧକ୍କା ଦେଇଥିଲା କବିଙ୍କୁ। ସେଇ ଶେଷଥର, ସଂସାରର ନିର୍ମିତ କୌଣସି ଟ୍ରାମଲାଇନ୍ କୁ ଆଉ ପାର ହେବାର ଚେଷ୍ଟା କରି ନାହାଁନ୍ତି କବି।
ଟ୍ରାମ ଧକ୍କା ସଙ୍ଗେ ସଙ୍ଗେ ଆହତ ଆଉ ଅଚୈତନ୍ୟ ହୋଇ କବି ଭୂଇଁରେ ଖସି ପଡିଲେ। ଟ୍ରାମଲାଇନ୍ ର ସେଇ ସବୁଜ ଘାସ ଉପରେ। ଟ୍ରାମ୍ ର ଯେଉଁ କ୍ୟାଚାର ଟି ଥିଲା ସେଇଠି ଅଟକି ରହିଥିଲା କବିଙ୍କର ଶୀର୍ଣ୍ଣକାୟ ଶରୀର।
ରାସବିହାରୀ ଆଭେନ୍ୟୁ ଆଉ ଲାନ୍ସଡାଉନ ରୋଡ୍ ର ସଂଯୋଗସ୍ଥଳରେ ଦକ୍ଷିଣପଟକୁ ଗୋଟିଏ ଜଳଖିଆ ଦୋକାନ ଥିଲା । ଦୋକାନର ନାଆଁ ଥିଲା ” ଜଲଖାବାର ” । ସେଇ ଜଲଖାବାର ର ମାଲିକ ଚୁନିଲାଲ ଦେ ଏଇ ଘଟଣାର କେବଳ ପ୍ରତ୍ୟକ୍ଷଦର୍ଶୀ ନଥିଲେ ସେ ହିଁ ଦୌଡିଆସି ଅନ୍ୟମାନଙ୍କ ସହିତ କବିଙ୍କର ଜ୍ଞାନହୀନ ଦେହକୁ ତଳୁ ଉଠାଇଥିଲେ ଆଉ ଟାକ୍ସିରେ ତାଙ୍କୁ ନିକଟସ୍ଥ ଶମ୍ଭୁନାଥ ପଣ୍ଡିତ ହସପିଟାଲ୍ କୁ ପଠାଇଥିଲେ।
ଦୁର୍ଘଟଣାଟି ଘଟିବାର ଦେଖି ଟ୍ରାମ୍ ର ଡ୍ରାଇଭରଟି ଯଥାବିଧି ସେଇ ଉପସ୍ଥିତ ଭୀଡର ଆଢୁଆଳରେ କୁଆଡକୁ ଛୁ ମାରିଥିଲା।
ଚୁନିଲାଲ ଦେ ଜାଣି ନଥିଲେ ଯେ ସେ ଯାହାର ରକ୍ତ ଜୁଡୁବୁଡୁ ଦେହଟିକୁ ସେ ଏଇଲେ ଟ୍ରାମ ଲାଇନରୁ ଉଠାଇଛନ୍ତି ଆଉ ଯାହାର ରକ୍ତରେ ତାଙ୍କର ପଞ୍ଜାବୀର ସାମ୍ନା ପଟଟା ଲାଲ୍,ସେଇଟି ଅସଲରେ ଗୋଟିଏ ପ୍ରସିଦ୍ଧ କବିର ରକ୍ତ,ସେଇ ସମୟର ପ୍ରଖ୍ୟାତ କବି ଜୀବନାନନ୍ଦ ଦାସ ସେ। ଅବଶ୍ୟ ପରେ ସେ କବିଙ୍କ ପ୍ରସିଦ୍ଧି ବିଷୟରେ ହୁଏତ ଜାଣିଥାଇ ପାରନ୍ତି । କିନ୍ତୁ ତାଙ୍କ ପାଇଁ ସେତେବେଳେ ଏଇ ଦୁର୍ଘଟଣାଗ୍ରସ୍ଥ ଲୋକ ଜଣକ ଜଣେ ଭଦ୍ରଲୋକ ମାତ୍ର।

ଚୁନିଲାଲ ଦେ ଙ୍କ କହିବା ଅନୁସାରେ “ଟ୍ରାମଲାଇନ୍ ର ଘାସର ଉପରେ ଏଇ ଭଦ୍ରଲୋକ ଜଣକ ଚାଲି ଚାଲି ଆସୁଥିଲେ । ଭାରି ଅନ୍ୟମନସ୍କ ଥିଲେ। ଟ୍ରାମ ଡ୍ରାଇଭର୍ ର କିଛି ଭୁଲ ନାହିଁ ଆଜ୍ଞା। ସେ ବାରଂବାର ହର୍ଣ୍ଣ ବଜାଉଥିଲା। ଜଣେ ଦିଜଣ ବେଶ୍ ବଡ ପାଟିରେ ଚିତ୍କାର କରୁଥିଲେ,ଆରେ ଦାଦା,ମରିବ ନା କ’ଣ ! ହେଲେ ଏଇ ଭଦ୍ରଲୋକର କୁଆଡକୁ ନିଘା ନାହିଁ । ଏମିତି କ’ଣ ଚିନ୍ତା ଅଛି ଯେ ଟ୍ରାମ୍ ର ହର୍ଣ୍ଣ ଶୁଣିବା ସତ୍ତ୍ୱେ ଲୋକଟା ସେଥିରେ ପୁରାପୁରି ବିଭୋର ହୋଇ ରହିଥିବ,ସେଇଠୁ ଘଡିକ ପାଇଁ ମୁହଁ ଫେରାଇବ ନାହିଁ! ବିଚରା,କେମିତି ଅଛି ସେ ?”
ଶମ୍ଭୁନାଥ ପଣ୍ଡିତ ହସପିଟାଲ ର ଜରୁରୀ ବିଭାଗରେ କବିଙ୍କୁ ଛାଡି ନିଜର ଜଳଖିଆ ଦୋକାନକୁ ଫେରି ଆସିଥିଲେ ଚୁନିଲାଲ ଦେ।
ପରେ ସେଇଠୁ କବିଙ୍କର ଆତ୍ମୀୟ ସ୍ୱଜନମାନେ ତାଙ୍କୁ ଅନ୍ୟତ୍ର ନେବା ପାଇଁ ଚେଷ୍ଟା କରିଥିଲେ।ମାତ୍ର କବିଙ୍କର ଶାରୀରିକ ଅବସ୍ଥା ତାହାକୁ ଅନୁମତି ଦେଇ ନଥିଲା। ଟ୍ରାମ ଧକ୍କା ଯୋଗୁ କବିଙ୍କର ଛାତିର ପଞ୍ଜରାରୁ କିଛି ,କାନ୍ଧର ହାଡ ଆଉ ଗୋଡର ହାଡ ଭାଙ୍ଗି ଯାଇଥିଲା।
କବିଙ୍କୁ ଦେଖିବା ପାଇଁ ଆସିଥିଲେ ସେ ସମୟର ସାକ୍ଷାତ ଧନ୍ୱନ୍ତରୀ ବୋଲି କଥିତ ପ୍ରଖ୍ୟାତଯଶା ଡାକ୍ତର ବିଧାନ ଚନ୍ଦ୍ର ରାୟ। ଡାକ୍ତର ବିଧାନ ରାୟ କବିଙ୍କର ଆତ୍ମୀୟ ସ୍ୱଜନଙ୍କୁ ଜଣାଇଦେଇଥିଲେ ଯେ,କବିଙ୍କର ବଂଚିବାର ଆଶା ଟିକିଏ ନାହିଁ।
କବି ୧୯୫୪ ସାଲର ୧୪ ଅକ୍ଟୋବର ଦିନ ରାତି ଆଠଟା ବେଳେ ହସପିଟାଲ ରେ ଭର୍ତ୍ତି ହୋଇଥିଲେ ଆଉ ସେଇଠି ୨୨ ଅକ୍ଟୋବର ରାତି ୧୧ଟା ୩୫ମିନିଟରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
କବିଙ୍କୁ ପ୍ରଥମେ ଶମ୍ଭୁନାଥ ପଣ୍ଡିତ ହସପିଟାଲ ର ଯେଉଁ ପ୍ରକୋଷ୍ଠରେ ରଖାଯାଇଥିଲା ତାହାର ନାମକରଣ ୧୯୯୭ ସାଲରେ କରାଯାଇଛି
“କବି ଜୀବନାନନ୍ଦ ଦାସ ଭବନ”।
ଆଉ କିଛି ଦିନ ପରେ କୋଲକାତାର ପ୍ରେକ୍ଷାପଟରୁ ଟ୍ରାମ ଚିରକାଳ ପାଇଁ ଇତିହାସ ହୋଇଯିବ। ଆଉ କେହି ପ୍ରତ୍ୟକ୍ଷ ଅନୁଭବ କରିପାରିବେନି ଟ୍ରାମ୍ କହିଲେ ଅସଲରେ ଥିଲା କ’ଣ ? କିନ୍ତୁ ଇତିହାସର ଏଇ ବିଖ୍ୟାତ ଟ୍ରାମ ଦୁର୍ଘଟଣା ଟି ଚିରକାଳ ସମସ୍ତଙ୍କର ମନେ ରହିଥିବ ଆଉ ଏହାର ମନେ ରହିବା ପଛରେ ଟ୍ରାମ୍ ର ଅପେକ୍ଷା ବୃହତ୍ତର ଭୂମୀକା ରହିଥିବ “ରୂପସୀ ବାଂଲା” ର କବି ଜୀବନାନନ୍ଦ ଙ୍କର।
ତାଙ୍କର ଧାଡି ଅନୁରଣିତ ସେଉଥିବ:
ପୁଣି ମୁଁ ଆସିବି ଫେରି ଏଇ ଧାନସିଡି ନଦୀତୀରେ।

କିନ୍ତୁ ଏଇଠି ଆମ ଆଗରେ ଦୁଇଟି ପ୍ରସଂଗ ଏହା ସହିତ ସ୍ୱାଭାବିକ ଭାବରେ ଆସୁଛି,ପ୍ରଥମରେ କବି କ’ଣ ସତରେ ଗୋଟିଏ ନିହାତି ଅନ୍ୟମନସ୍କ ପ୍ରଜାତି ,ତାହାର ଭିତରେ କ’ଣ ଅନ୍ୟମନସ୍କତା ତଥା ଅନ୍ୟତ୍ରର କୁହୁତାନ ଏଇପରି ମାୟାମୋହର ସଂରଚନା କରିଥାଏ ଯେ ସେ ସେଥିରେ, ତାହା ଯେତେ ପରିମାଣରେ ପ୍ରାଣଘାତକ ହେଉ ପଛକେ, ଏକନିଷ୍ଟ ଆଉ ନିବିଷ୍ଟ ହୋଇ ରହିଥାଏ ?
ଦ୍ୱିତୀୟରେ ଏହାକୁ ଯଦି ଏକ ପ୍ରକାର ଆତ୍ମହନନ ବୋଲି ଧରିନେବା ତାହାହେଲେ ଆମର ମନକୁ ଆସିବ ପ୍ରଖ୍ୟାତ କଥାକାର ଲିଓ ଟଲଷ୍ଟୟଙ୍କର ଏକ ଚିଠି। ଚିଠିଟିର ନାଆଁ ” ଲେଟର୍ ଅନ୍ ସୁଇସାଇଡ୍ (୧୮୯୮)। ସେଥିରେ ସେ କହିଛନ୍ତି: ଜଣେ ନିଜକୁ ହତ୍ୟା କରିବା ହେଉଛି ଏକ ପ୍ରକାର ସଂଗୁପ୍ତ ସୁରକ୍ଷା ବା ସେଫଟି ଭାଲବ୍ ,ଯାହାଦ୍ୱାରା ଜଣକର ଆଉ କୌଣସି ଅଧିକାର ବୋଲି କିଛି ରହିବନାହିଁ କହିବାକୁ ଯେ ଜୀବନଟା ଅସହ୍ୟ।
କବି ଜୀବନାନନ୍ଦଙ୍କ ସାଂସାରିକ ଜୀବନ ସୁଖର ନଥିଲା।
ତାହାହେଲେ କ’ଣ ଆମେ ଏପରି କହିପାରିବା ଯେ,ସାହିତ୍ୟରେ ସ୍ୱେଚ୍ଛା ମୃତ୍ୟୁ ହେଉଛି ଏକ ବିକଳ୍ପ ଆରାମ ? ତାହା ସହିତ ଆମର ଏତିକି ମଧ୍ୟ ବୁଝିବା ଆବଶ୍ୟକ ଯେ ଆମର ସମସ୍ତ ସାହିତ୍ୟିକ ପ୍ରତିବଦ୍ଧତା ଜୀବନରୁ ଆହରିତ,ମରଣରୁ ନୁହଁ ।
ବିଚାର କରିବା ସମୟରେ ଏଇ ମରଣର ବଖାଣକୁ ଆପଣମାନେ ବାସ୍ତବ ଅର୍ଥରେ ନନେଇ ରୂପକ ବା ପ୍ରତୀକ ଅର୍ଥରେ ଗ୍ରହଣ କରିଥିବେ ବୋଲି ଆଶା ବ୍ୟକ୍ତ କରୁଛି।
ଶେଷରେ ଗୋଟିଏ କବିତା।
ଜୀବନାନନ୍ଦ ଦାସ
ଯେଉଁଦିନ ଅପସରି ଯିବି ତମ ନିକଟରୁ
°°°°°
ଯେଉଁଦିନ ଅପସରି ଯିବି ତମ ନିକଟରୁ,ଦୂର କୁହୁଡିରେ
ଚାଲି ଯିବି,ସେଦିନ ମରଣ ଆସି ଅନ୍ଧକାରେ ମୋହର ଶରୀର
ଭିକ୍ଷା କରି ନେଇ ଯିବ; ସେଦିନ ଦୁଇଦଣ୍ଡ ଏଇ ନଦୀ ତୀର
ଏଇ ନୀଳ ନଦୀର ତୀରେ ଶୋଇ ଏକା ଏକା କ’ଣ ଭାବିବ ହାୟ;
ସେଦିନ ନଥିବ କିଛି କ୍ଷୋଭ ମନେ; ଏଇ ଭିଜା ଘାସର ଧୂଳିରେ
ଜୀବନ ଯାହା କାଟିଅଛି ନଦୀକୂଳେ,ଚାରିଦିଗେ ନାବିକର ଭୀଡ
ବହୁଦିନ କୀର୍ତ୍ତନ ଭସାଣି ଗୀତ ରୂପକଥା ଯାତ୍ରା ପାଲାକାର
ନରମ ନିବିଡ ଛନ୍ଦେ ଯାହା ଆଜି ଶ୍ରାବଣର ଜୀବନର ଜୀବନ ଗୋଛାଏ
ମୋତେ ତ ଦେଇଛ ତୃପ୍ତି ;କେଉଁଦିନ ରୂପହୀନ ପ୍ରବାସର ପଥେ
ନଦୀଟିର ମୁହଁ ଭୁଲି ପଞ୍ଜୁରୀ ଭିତରେ ଶୁକପକ୍ଷୀ ସମ
କାଟିନାହିଁ ଦିନ ମାସ,ବେହୁଲାର ଲୋଭନୀୟ ମଧୁର ଜଗତେ
ସେମାନଙ୍କ ପାଦ ଧୂଳୀ-ମଖା ପଥେ ଦେଇଅଛି ମନ ମୋର
ନଦୀର ନାରୀର ପାଶେ ଚାଉଳ ଧୁଆ ସ୍ନିଗ୍ଧ ହାତ ଧାନ ମଖା କେଶ,
ହାତେ ତା’ର ଶାଢୀଟିର କସ୍ତା ଧଡି ଆମ୍ବ ଆଉ କରମଙ୍ଗା ରଙ୍ଗ।


Beautiful write-up !
ଜୀବନ ଓ ନଦୀ ର ଅହରହ ସୌନ୍ଦର୍ଯ୍ୟ ଓ ପରିବର୍ତ୍ତନଶିଳତାର ମହାନ କବିଙ୍କୁ ସୁନ୍ଦର ଭାବେ ମନେପକାଇ ଥିବାରୁ ଜ୍ୟୋତି
ମହାଶୟଙ୍କୁ ମୋର ଶୁଭେଚ୍ଛା ଓ ପ୍ରଣାମ