ମୂଳ ଲେଖା: ଫ୍ରାଞ୍ଜ କାଫକା || ଅନୁବାଦ: ଜ୍ୟୋତି ନନ୍ଦ
ବିଗତ କେତେ ଦଶକ ଭିତରେ ମଣିଷର ଅନଶନ-ଶିଳ୍ପୀଙ୍କ ଉପରେ ଆଗ୍ରହ ଅନେକ ପରିମାଣରେ କମି ଯାଇଛି। ଆଗରୁ ଯେତେବେଳେ ଯିଏ କେହି ନିଜର ଉଦ୍ୟୋଗରେ ଏଇ ଭଳି ଗୋଟିଏ ପ୍ରଦର୍ଶନୀର ବଡ ମାପର ଆୟୋଜନ କରି ଅନେକ ଟଂକା ଉପାର୍ଜନ କରିପାରିବିକୁ ସକ୍ଷମ ଥିଲା, ହେଲେ ଆଜି ସେକଥା ଅସମ୍ଭବ । ଦିନକାଳ ବଦଳି ଯାଇଛି । ସେତେବେଳକାର ଦିନରେ ଅନଶନ-ଶିଳ୍ପୀକୁ ନେଇ ସାରା ସହର ଯେଉଁଭଳି ମାତି ରହୁଥିଲା, ତାହାର ବିନା ଖାଦ୍ୟରେ ରହିବାର ଦିନମାନ ଯେତିକି ଗଡିଚାଲିଥାଏ,ମଣିଷର ଉଦ୍ଦୀପନା ସେତିକି ସେତିକି ଆହୁରି ବଢିଚାଲୁଥାଏ,ସଭିଏଁ ରୋଜ୍ ଅନ୍ତତଃ ଥରଟିଏ ହେଉ ପଛକେ ଚାହୁଁଥିଲେ ଯେମିତି ସେମାନେ ଅନଶନ-ଶିଳ୍ପୀକୁ ଦେଖିବାକୁ ଯିବେ; ତାହାର ଅନଶନର ଶେଷ ଦିନ ଆଡକୁ ବନ୍ଦ ଥିବା ଗୋଟିଏ ପଞ୍ଜୁରୀ ର ସାମନାରେ ବିଶେଷ ସଂରକ୍ଷିତ ଆସନ ଗୁଡିକରେ ଲୋକମାନେ ସାରାଦିନ ବସିରହିଥାନ୍ତି; ଏମିତିକି ରାତି ବେଳା ବି ଶୋ ଚାଲୁଥାଏ,ଟର୍ଚ୍ଚ ଲାଇଟ୍ ଜାଳି ଶୋ କୁ ଅଧିକ ଆକର୍ଷଣୀୟ କରିବାର ଚେଷ୍ଟା କରାଯାଉଥାଏ; ଯେଉଁଦିନ ପାଗ ଭଲଥାଏ ,ପଞ୍ଜୁରୀକୁ ବାହାରକୁ ଅଣାଯାଏ ,ଏହା ବିଶେଷଭାବରେ ଅନଶନ-ଶିଳ୍ପୀକୁ ପିଲାମାନଙ୍କୁ ଦେଖାଇବାର ଗୋଟିଏ ବ୍ୟବସ୍ଥା,ବଡମାନଙ୍କ ନିକଟରେ ଯେତେବେଳେ ଅନଶନ-ଶିଳ୍ପୀ ଗୋଟିଏ ଥଟ୍ଟାମଜାର ମଉଜର ବ୍ୟାପାର,ସେମାନେ ତେଣୁ ସେହି ତାମସାରେ ଭାଗ ନେବାକୁ ଆସନ୍ତି ଯେହେତୁ ସେଇଟି ହାଲ୍ ଫେଶନର ନିୟମ ,ସେତିକିବେଳେ ପିଲାଏ ତାହାକୁ ହାଁ କରି ଚାହିଁରହିଥାନ୍ତି,ଜଣେ ଆର ଜଣକର ବାହୁକୁ ଧରି ସୁରକ୍ଷିତ ଭାବରେ ତାହାକୁ ପଞ୍ଜୁରୀ ଭିତରେ ଦେଖୁଥାନ୍ତି,ସେ ସେତେବେଳକୁ ବିଛାଯାଇଥିବା ନଡା ଉପରେ ବସିରହିଥାଏ, ଚେୟାର୍ ରେ ବସିବା ପାଇଁ ତାହାର ଋଚି ନାହିଁ, କଳା ରଂଗର ସନ୍ତରଣ-ପୋଷାକ ସେତେବେଳେ ଦେହରେ ତା’ର, ପତଳା ହାଡ ବିଜ ବିଜ ଶରୀର,ପଞ୍ଜରାର ହାଡଗୁଡିକ କିମ୍ଭୁତକିମାକାର ଭାବରେ ବାହାରି ଆସିଛି, ମଝିରେ ମଝିରେ ବିନୟର ସହିତ ସେ ମଥା ନତ କରୁଛି, ଗୋଟିଏ କଷ୍ଟକର ହସ ସହ ମଝିରେ ମଝିରେ ଗୋଟେଅଧେ ପ୍ରଶ୍ନର ଉତ୍ତର ଦେଉଛି, ମଝିରେ ମଝିରେ ସେ ପଞ୍ଜୁରୀର ଫାଙ୍କଦେଇ ତାହାର ଗୋଟିଏ ହାତ ବଢେଇ ଦେଉଛି ଯାହାଫଳରେ ବାହାରେ ଥିବା ପିଲାମାନେ ତାହାର ସେଇ ହାତକୁ ଛୁଇଁ ଜାଣିପାରିବେ ଯେ ଲୋଳିତ-ଚର୍ମ କହିଲେ କଥାଟି କ’ଣ, ତାହାପରେ ସେ ନିଜକୁ ପୁଣି ପଞ୍ଜୁରୀ ଭିତରକୁ ସାଉଁଟି ନେଉଛି, କାହାର ଉପରେ ଆଉ କୌଣସି ମନୋଯୋଗ ନାହିଁ, ଏପରିକି ପଞ୍ଜୁରୀ ଭିତରେ ରହିଛି ଯେଉଁ କାନ୍ଥ ଘଣ୍ଟା ଯେଉଁଟି ତାହାର ପ୍ରିୟ ଆଉ ପଞ୍ଜୁରୀ ଭିତରେ କହିବାକୁ ଗଲେ ସେଇ ଗୋଟିକ ବୋଲି ଆସବାବ, ସେଇଟି ଏବେ କେତେବେଳେ ବାଜିଲେ ବି ତାହାର କୌଣସି ଭ୍ରୂକ୍ଷେପ ନାହିଁ, ସେ କେବଳ ଅଧାବୁଜା ଆଖିରେ ଚାହିଁ ରହିଛି ସାମନାକୁ ଆଉ ତାହାର ଶୁଖିଲା ଓଠକୁ ଟିକିଏ ଓଦା କରିବା ପାଇଁ ଗୋଟିଏ ଛୋଟ ଗ୍ଲାସକୁ କେତେବେଳେ କେତେବେଳେ ନିଜର ଓଠ ପାଖକୁ ନେଉଛି ସାମାନ୍ୟ।
ତା’କୁ ଦେଖିବାକୁ ଆସୁଥିବା ଆଉ ଭିତରକୁ ଯାଉଥିବା ଏଇ ଭଳି ଦର୍ଶକ ମାନଙ୍କ ବ୍ୟତୀତ ତାହାର ପାଖାପାଖି ରହିଥିଲେ କିଛି ସ୍ଥାୟୀ ପହରାଦାର,ଜନଗଣ ଠିକ୍ କରିଥିଲେ କିଏ ପହରାଦାର ହେବ-ଏଇଟି ସବୁଠୁ ଅଦ୍ଭୁତ କଥା ଯେ ସବୁବେଳେ ଦେଖାଯାଇଛି ସେମାନେ ସବୁ ଥିଲେ ବୃତ୍ତିରେ କଂସେଇ- ସେମାନଙ୍କର କାମଥିଲା ପ୍ରତି ଶିଫ୍ଟ ରେ ତିନିଜଣ ହିସାବରେ ସାରାଦିନ ସାରାରାତି ଅନଶନ-ଶିଳ୍ପୀ ଉପରେ ନଜରଦାରୀ କରିବା,ଏତିକି ନିଶ୍ଚିତ କରିବା ଯେ,ଅନଶନ-ଶିଳ୍ପୀ କୌଣସି ଗୋପନ ଯନ୍ତ୍ରର ସହାୟତାରେ ତାହାର ଶରୀରକୁ ଯେମିତି କୌଣସି ପୁଷ୍ଟି ଯୋଗାଣ କରୁନାହିଁ । ତେବେ ଏହା ଥିଲା ନିଚ୍ଛକ ଆନୁଷ୍ଠାନିକତା, ଜନସାଧାରଣଙ୍କୁ ଅନଶନ ବିଷୟରେ ନିଶ୍ଚୟତା ପ୍ରଦାନ କରିବା ଭଳି ଭାବନାରୁ ଏହାର ଆରମ୍ଭ ହୋଇଥିଲା, ଉଦ୍ୟୋକ୍ତାମାନେ ବେଶ୍ ଭଲଭାବରେ ଜାଣିଥିଲେ ଯେ ଅନଶନ-ଶିଳ୍ପୀ ତାହାର ଅନଶନର ଦିନଗୁଡିକରେ କେତେବେଳେ କୌଣସି ପରିସ୍ଥିତିରେ, ଏପରିକି ତା’କୁ ଜୋରଜବରଦସ୍ତି କଲେ ବି, ଖାଇବା ଜିନିଷର ଗୋଟିଏ ଟୁକୁରା ବି ସେ ମୁହଁକୁ କଦାପି ନେବ ନାହିଁ; ତାହାର ଶିଳ୍ପର ମର୍ଯ୍ୟଦା ତା’କୁ ଏପରି କିଛି କରିବାକୁ ଦେବ ନାହିଁ। ତେବେ ଅବଶ୍ୟ ସବୁ ପହରାଦାର ଯେ ଏଇ ସତ୍ୟକୁ ବୁଝିଛନ୍ତି ଏକଥା ନୁହଁ,ପ୍ରାୟତଃ ଏପରି ପହରାଦାର ଦଳ ଦେଖାଯାଏ ଯେଉଁମାନେ ରାତି ଶିଫ୍ଟରେ ପହରା ଦେବାକୁ ଗଲାବେଳେ ଭାରି ଉଦାସୀନ ଆଚରଣ କରିଥାନ୍ତି, ଇଚ୍ଛା କରି ଗୋଟିଏ କୋଣରେ ଏକାଠି ହୋଇ ତାସ ଖେଳରେ ମଗ୍ନ ଥାଆନ୍ତି, ସେମାନଙ୍କର ପରିଷ୍କାର ଉଦ୍ଦେଶ୍ୟ ଅନଶନ-ଶିଳ୍ପୀ ଏଇ ଫାଙ୍କରେ କିଛି ଖାଇ ନେଉ,ସେମାନଙ୍କର ଧାରଣା ଗୋପନ କୌଣସି ଭଣ୍ଡାରରୁ ଖାଦ୍ୟ ଆହରଣ କରିବା ଭଳି କୌଣସି ଉପାୟ ଅନଶନ-ଶିଳ୍ପୀକୁ ଗୋଚର। ଏଇ ଧରଣର ପହରାଦାର୍ ମାନେ ଥିଲେ ଅନଶନ-ଶିଳ୍ପୀ ପାଇଁ ସବୁଠାରୁ ଯନ୍ତ୍ରଣାର ବିଷୟ; ଏମାନେ ତାହାର ଜୀବନକୁ ଦୁର୍ବିସହ କରି ପକାନ୍ତି; ତାହାର ଅନଶନକୁ ବିଭତ୍ସ ଆଉ କଠିନ କରିଦେବା ପାଇଁ ସେମାନେ ଯେମିତି ଦୃଢ ନିଶ୍ଚିତ; ସେମାନଙ୍କର ଏଇଭଳି ସନ୍ଦେହ ଯେ କେତେ ଭୁଲ୍ ସେଇକଥା ଜଣାଇବା ପାଇଁ ମଝିରେ ମଝିରେ ନିଜ ଶରୀରରେ ଯେତିକି ଅବଶିଷ୍ଟ ଶକ୍ତି ରହିଛି ସେଇ ସବୁକୁ ଏକାଠି କରି ସେ ସେମାନେ ପହରାଦେଉଥିବା ସମୟରେ ଗୀତ ଗାଏ;ଯେତେ ସମୟ ତାହାର ବଳ ପାଇବ ସେତେ ସମୟ ଗାଇ ଚାଲିଥାଏ । କିନ୍ତୁ ସେଥିରେ ସେମିତି କିଛି କାମ ହୁଏନାହିଁ ; ବରଂ ସେମାନେ ଏଥିରେ ଏତେ ଅଧିକ ଅବାକ ହୋଇଯାଆନ୍ତି ଯେ ଗୀତ ଗାଇ ଗାଇ ଖାଇବା ଭଳି କ୍ଷମତା ଏଇ ଲୋକଟାର ରହିଛି । ଏମାନଙ୍କ ଅପେକ୍ଷା ସେ ସେଇ ପହରାଦାରମାନଙ୍କୁ ପସନ୍ଦ କରେ ଯେଉଁମାନେ ପଞ୍ଜୁରୀର ବନ୍ଦ କବାଟକୁ ଲାଗି ବସିରହିଥାନ୍ତି, ଅଡିଟୋରିଅମ୍ ର ରାତିବେଳର କ୍ଷୀଣ ବିଜୁଳି ଆଲୁଅର ବ୍ୟବସ୍ଥାରେ ସେମାନେ ସନ୍ତୁଷ୍ଟ ନୁହଁନ୍ତି, ତେଣୁ ସେମାନେ ତାହା ଉପରେ ପକାଇ ରଖନ୍ତି ମ୍ୟାନେଜର ସାହେବ ସେମାନଙ୍କୁ ପ୍ରଦାନ କରିଥିବା ଟର୍ଚ୍ଚ ଲାଇଟ୍ ର ଆଲୁଅ । ଆଖିକୁ ଜଳକା କରିଦେଉଥିବା ଏଇମିତି ଆଲୁଅରେ ତାହାର ଟିକିଏ ବୋଲି ଅସୁବିଧା ହେଉ ନଥାଏ, ଏମିତି ରେ ତ ତାହାର ଆଖିରେ ନିଦ ନାହିଁ , ଯେତେ ଆଲୁଅ ପଡୁଛି ପଡୁ,ଘଡିରେ ଯେତେ ବାଜୁଛି ବାଜୁ, ସବୁବେଳେ ଚଟ୍ କରି ଟିକିଏ ତନ୍ଦ୍ରାର ଭିତରକୁ ଚାଲିଯିବା ତା’ପାଇଁ ସମ୍ଭବ ଥିଲା ଯେ କୌଣସି ସମୟରେ , ଏପରିକି ଯେତେବେଳେ ଅଡିଟୋରିଅମ୍ ରେ ଲୋକ ଭର୍ତ୍ତି ଆଉ ସେମାନେ ହୋହଲ୍ଲା କରୁଛନ୍ତି, ସେତିକିବେଳେ ବି। ଏଇ ସବୁ ପହରାଦାରମାନଙ୍କ ସହିତ ସାରାରାତି ଘଡିଟିଏ ବିନା ନିଦରେ କାଟି ଦେବାକୁ ସେ ଖୁବ୍ ରାଜି ଥାଏ, ସେମାନଙ୍କ ସହ ଥଟ୍ଟାମଜା କରିବାକୁ ରାଜିଥାଏ ସେ,ଇଚ୍ଛା ହୁଏ ସେମାନଙ୍କୁ ସେ ଶୁଣାଇବ ତାହାର ଗୋଟିଏ ଜାଗାରୁ ଆଉ ଗୋଟିଏ ଜାଗାକୁ ଘୁରିବୁଲିବାର ଏଇ ଜୀବନର ଗଳ୍ପ ଆଉ ସେମାନଙ୍କଠାରୁ ଶୁଣିବ ସେମାନଙ୍କର ଏଇଭଳି କଥା, ଅର୍ଥାତ୍ ଯେ କୌଣସି ବିଷୟରେ ରାଜି ସେ,ଉଦ୍ଦେଶ୍ୟ କେବଳ ସେମାନଙ୍କୁ ଜାଗ୍ରତ କରି ରଖିବା ଯେପରିକି ସେ ବାରଂବାର ଦେଖାଇପାରିବ ସେମାନଙ୍କୁ ଯେ ପଞ୍ଜୁରୀ ଭିତରେ ଅନ୍ତତଃ କିଛି ଖାଦ୍ୟ ନାହିଁ ଆଉ ସେ ଏଇଭଳି ଅନଶନ କରୁଛି ଯାହା ଆଉ କିଏ କରିପାରିବ ନାହିଁ। କାହା ପାଖରେ ସେମିତି କ୍ଷମତା ନାହିଁ । ତେବେ ସେ ସବୁଠାରୁ ବେଶି ଖୁସି ହୁଏ ଯେବେ ସକାଳରେ ତାହାର ନିଜ ଖର୍ଚ୍ଚରେ ସେମାନେ ସମସ୍ତଙ୍କ ପାଇଁ ବେଶ୍ ବଡ ଜଳଖିଆ ଆସେ; କ୍ଳାନ୍ତିକର ରାତିସାରା ପହରା ପରେ କୌଣସି ସୁସ୍ଥ ମଣିଷକୁ ଯେଉଁ ପରିମାଣର ଭୋକ ଲାଗେ,ସେଇ ଭଳି ଭୋକ ନେଇ ସେମାନେ ସେଇ ଜଳଖିଆ ଉପରକୁ ଝାଂପି ପଡନ୍ତି । ତଥାପି ଏଇପରି ଲୋକ ଅଛନ୍ତି ଯେଉଁମାନେ ମନେକରନ୍ତି,ଏଇ ଭାବରେ ପହରାଦାରମାନଙ୍କୁ ଖାଇବାକୁ ଦେବା ପଛରେ ହୀନ ଉଦ୍ଦେଶ୍ୟ ରହିଛି,ଅନଶନ-ଶିଳ୍ପୀ ଏମାନଙ୍କୁ ନିଜ ଦଳକୁ ଟାଣିନେବାକୁ ଚାହୁଁଛି,କିନ୍ତୁ ଏହିଭଳି ସଂଦେହକୁ ଅତିରଞ୍ଜନ ବୋଲି କହିବାକୁ ହେବ,ସେମାନଙ୍କୁ ଯଦି ଓଲଟା କଥା ଜିଜ୍ଞାସା କରାଯାଏ ସକାଳର ଜଳଖିଆ କୁ ବାଦ ଦେଇ ସେମାନେ ରାତିରେ ପହରାଦେବାକୁ ରାଜି ଅଛନ୍ତି କି ନାହିଁ ,ଅର୍ଥାତ୍ ପହରା କେବଳ ପହରାଦେବାର ସ୍ୱାର୍ଥରେ,ସେତିକିବେଳେ କିନ୍ତୁ ସଭିଏଁ ଦୌଡି ପଳେଇଯିବେ ,ତେବେ ସନ୍ଦେହ କଥା କିନ୍ତୁ ତାହାପରେ ବି ଛାଡି ଚାଲିଯିବ ନାହିଁ।
Franz Kafka[a] (3 July 1883 – 3 June 1924)
ଅନଶନ-ଶିଳ୍ପକୁ ନେଇ ମଣିଷର ଅସଂଖ୍ୟ ସନ୍ଦେହରୁ ଏଇଟି ଗୋଟିଏ ଉଦାହାରଣ। କଥା ହେଉଛି, ଏପରି କେହିନାହି, ଯାହାର ପକ୍ଷରେ ସମ୍ଭବ ଅନଶନ-ଶିଳ୍ପୀକୁ ସାରାଦିନ,ସାରାରାତି ଦିନ ପରେ ଦିନ ଲଗାତାର ପହରା ଦେଇଚାଲିବା, ତେଣୁ କେହି ହିଁ ବ୍ୟକ୍ତିଗତ ଅଭିଜ୍ଞତା ରୁ କହିପାରିବ ନାହିଁ ତାହାର ଅନଶନ ଗୋଟିଏ ନିରବଚ୍ଛିନ୍ନ ଆଉ ତ୍ରୁଟିହୀନ ଅନଶନ ଥିଲା କି ନାହିଁ ; ତାହା କେବଳ ଅନଶନ-ଶିଳ୍ପୀ ନିଜେ ହିଁ ଜାଣେ; ଅତଏବ ତାହାର ନିଜର ଅନଶନର ପରିତୃପ୍ତ ଦର୍ଶକ ହେବା କେବଳ ତାହାର ପକ୍ଷରେ ହିଁ ସମ୍ଭବ।
କିନ୍ତୁ ସେ ନିଜେ, ଅନ୍ୟ କୌଣସି କାରଣ ଯୋଗୁ କେତେବେଳେ ବି ନିଜ ଉପରେ ତୃପ୍ତ ହୁଏ ନାହିଁ; ତାକୁ ଯେ ଦେଖିବାକୁ ଗୋଟିଏ କଙ୍କାଳ ଭଳି ରୋଗା ଲାଗେ -ଏଇ ଦୃଶ୍ୟକୁ ସହ୍ୟ ନକରି ପାରିବା କାରଣରୁ ଅନେକ ହିଁ ଅବସୋସର ସହିତ ତାହାର ଶୋ ଦେଖିବାକୁ ଯିବା ପର୍ଯ୍ୟନ୍ତ ବାଦ ଦେଇଥାନ୍ତି-ତାହା ସମ୍ଭବତଃ ତାହାର ଅନଶନ ଚଳାଇ ଯିବାର କାରଣରୁ ମୋଟେ ନୁହଁ, ସମ୍ଭବତଃ ତା’କୁ ଏଇଭଳି କଙ୍କାଳ ଆକାରରେ ନିର୍ମାଣ କରିବା ପଛରେ କେବଳ ତାହାର ଅତୃପ୍ତି ହିଁ ଦାୟୀ। କାରଣ ଏକମାତ୍ର ସେ ହିଁ ଜାଣେ, ଯାହା କି ଅନଶନ-ଶିଳ୍ପର ଆଉ କେହି ସମଝଦାର ଜାଣନ୍ତି ନାହିଁ,ଯେ ଅନଶନ କରିବା କେତେ ସହଜ। ପୃଥିବୀର ସବୁଠାରୁ ସହଜକାମ ହେଉଛି ଏଇଟି। ଏଇ କଥାକୁ ସେ ଗୋପନ କରେନାହିଁ, କିନ୍ତୁ ମଣିଷମାନେ ତାହାର କଥାରେ ବିଶ୍ୱାସ କରନ୍ତି ନାହିଁ, ଖୁବ୍ ବେଶିରେ ସେମାନେ ଭାବନ୍ତି ଏଇଟି ହେଉଛି ତା’ର ବିନୟ, ବେଶି ଭାଗ ଲୋକ ମନେକରନ୍ତି ଏଇଟି ତାହାର ପ୍ରଚାରସର୍ବସ୍ୱ ମାନସିକତା ଛଡା ଆଉ କିଛି ନୁହଁ, କିମ୍ବା କିଏ କିଏ ଏମିତି ବି ଭାବିବସନ୍ତି ଯେ ସେ ହେଉଛି ଗୋଟିଏ ନିହାତି ଠିକ୍, ତାହା ପାଇଁ ତ ତେଣୁ ଅନଶନ କରିବା ନିହାତି ସହଜ ହେବ, କାରଣ ସେ ଜାଣେ କେଉଁପରି ଉପାୟରେ କାମଟିକୁ ସହଜରେ କରାଯାଇପାରିବ, ଆଉ ଦେଖ କି ଔଦ୍ଧତ୍ୱ ତାହାର ଯେ ସେଇ ଏଇ କଥାର ଅଧେକୁ ସ୍ୱୀକାର ବି କରିଛି । ଏଇ ସବୁକିଛିକୁ ସହ୍ୟ କରିଯିବାକୁ ହେଲେ ତା’କୁ ସତ କହିବାକୁ ହେବ, ଯେତେ ଯେତେ ବର୍ଷ ପାର ହେବାକୁ ଲାଗିଲା, ଏଗୁଡିକ ତାହାର ଦେହସୁହା ହୋଇଗଲା ଯଦିଓ ଭିତରେ ଭିତରେ ତାହାର ଏହି ଅସନ୍ତୋଷ ତାହାକୁ କଣ୍ଟାରେ ଫୋଡି ଯାତନା ଦେଉଥିଲା, ତେଣୁ ତା’ର ମନେ ହୁଏ କୌଣସି ଦିନ, ଥରଟିଏ ହେଲେ ବି କୌଣସି ଅନଶନ ପର୍ବର ଶେଷରେ- ଏତିକି ଟିକିଏ କୃତିତ୍ୱ ତା’କୁ ଦେବାକୁ ହେବ- ସେ ନିଜ ଆଡୁ ପଞ୍ଜୁରୀକୁ ଛାଡି ଚାଲିଯାଇନାହିଁ । ତା’ର ମ୍ୟାନେଜର ତା’କୁ ସର୍ବୋଚ୍ଚ ଚାଳିଶ ଦିନ ଅନଶନ ଚଳାଇ ରଖିବାର ସମୟସୀମା ବାନ୍ଧି ଦେଇଥିଲା,ଏହାଠାରୁ ଆଉ ଅଧିକ ଦିନ ଅନଶନ ଜାରି ରଖିବାର ଅନୁମତି ତା’କୁ କେବେହେଲେ ମିଳନ୍ତା ନାହିଁ,ଏପରିକି ବେଶ୍ ନାମୀ ଦାମୀ ସହରଗୁଡିକୁ ଗଲେ ବି, ଏହା ର ପଛରେ ଅବଶ୍ୟ ଯୁକ୍ତିସଂଗତ ଗୋଟିଏ କାରଣ ବି ଥିଲା । ଅଭିଜ୍ଞତାରୁ ଦେଖାଯାଇଛି, ଯେ କୌଣସି ସହର ରେ ଅନଶନ-ପ୍ରଦର୍ଶନୀର ଉପରେ ମଣିଷର ଆଗ୍ରହ,ପ୍ରଚାର ପ୍ରସାରକୁ ଆସ୍ତେ ଆସ୍ତେ ବଢାଯାଇ, ମୋଟାମୋଟି ଚାଳିଶ ଦିନ ଯାଏଁ ଜାରି ରଖାଯାଇପାରେ, କିନ୍ତୁ ତାହାପରେ ଦର୍ଶକ ସଂଖ୍ୟା କମିବାକୁ ଲାଗେ ,ଦର୍ଶକ ଉପସ୍ଥିତି ହଠାତ୍ ଦପ୍ କରି କମିଯାଏ; ସ୍ୱାଭାବିକ ଭାବରେ ଯେଉଁ ସହର ଆଉ ଯେଉଁ ଅଂଚଳ ତାହାର ଭିତ୍ତିରେ ଏଇ ହିସାବରେ ଅଳ୍ପବେଶି ତାରତମ୍ୟ ହୁଏ, କିନ୍ତୁ ମୋଟ ଉପରେ ଏଇଟି ନିୟମ ଥିଲା ଯେ ଚାଳିଶ ଦିନ ହେଉଛି ସର୍ବୋଚ୍ଚ ସୀମା। ଅତଏବ ତେଣୁ ,ଚାଳିଶତମ ଦିନରେ,ଖୋଲା ହୁଏ ଫୁଲରେ ଫୁଲରେ ଭରା ପଞ୍ଜୁରୀର ଦରଜା, ଉତ୍ସାହୀ ଦର୍ଶକଙ୍କ ଭୀଡରେ ଭରିଯାଇଥାଏ ପ୍ରଦର୍ଶନୀର ସମସ୍ତ ଇଲାକା ,ସାମରିକ ବାଦ୍ୟଯନ୍ତ୍ର ଦଳ ସେମାନଙ୍କର ବାଜା ବଜାନ୍ତି, ଦୁଇଜଣ ଡାକ୍ତର ପଞ୍ଜୁରୀ ଭିତରେ ପ୍ରବେଶ କରି ଅନଶନ-ଶିଳ୍ପୀର ଶରୀରର ପ୍ରୟୋଜନୀୟ ମାପଚୁପ କରିଥାନ୍ତି, ମେଗାଫୋନ ଜରିଆରେ ଉପସ୍ଥିତ ଦର୍ଶକଙ୍କ ଉଦ୍ଦେଶ୍ୟରେ ଘୋଷଣା କରାଯାଏ ତାହାର ଫଳାଫଳ, ଆଉ ସବାଶେଷରେ ଦୁଇଜଣ ତରୁଣୀ ସାମନାକୁ ଆଗେଇ ଆସନ୍ତି, ଏମାନେ ଖୁସିରେ ଆତ୍ମହରା ଯେ ଏମାନଙ୍କ ଉପରେ ଏଇ ଦାୟିତ୍ୱଟି ପଡିଛି, ଏମାନଙ୍କର କାମ ଅନଶନ-ଶିଳ୍ପୀକୁ ପଞ୍ଜୁରୀ ଭିତରୁ ବାହାର କରି ଆଣିବା, ତାହାପରେ କେତେ ପାଦ ଚାଲି ତାହାକୁ ଗୋଟିଏ ଛୋଟ ଟେବୁଲ୍ ନିକଟକୁ ନେଇ ଯିବା- ଏଇ ଟେବୁଲ୍ ଉପରେ ଅତି ଯତ୍ନରେ ସଜାଡି ରଖାଯାଇଥାଏ ଅନେକ ଦିନ ହେଲା ନ-ଖାଇଥିବା କୌଣସି ମଣିଷର ଉପଯୋଗୀ କିଛି ଖାଦ୍ୟ। ଏଇ ମୁହୂର୍ତ୍ତଟି ଆସିଗଲେ ଦେଖାଯାଏ ଅନଶନ-ଶିଳ୍ପୀ ସବୁସମୟରେ ବାଧା ଦେଇଥାଏ। ଏଇ ଦୁଇଜଣ ତରୁଣୀ ତାହାର ଦେହର ଉପରକୁ ବ୍ୟାକୁଳ ଭାବରେ ଝୁଙ୍କି ପଡି ବଢାଇଦେଇଥିବା ହାତ ର ଭିତରକୁ ନିଜର ହାଡୁଆ ଶିରାଳ ହାତକୁ ସମର୍ପି ଦେବା ପାଇଁ କୌଣସି ଅନଶନ-ଶିଳ୍ପୀର କୌଣସି ଆପତ୍ତି ନଥାଇ ପାରେ,କିନ୍ତୁ ଉଠି ଠିଆ ହେବାରେ ତାହାର ଯେତେ ସବୁ ଆପତ୍ତି । କାହିଁକି, ଚାଳିଶ ଦିନ ପରେ କାହିଁକି ସେ ତାହାର ଅନଶନକୁ ଏମିତି କ୍ଷାନ୍ତ ଦେବ ? ସେ ତ ଆହୁରି ଅନେକ ଦିନ ଅନଶନକୁ ଚଳାଇ ଯିବାକୁ ସକ୍ଷମ ରହିଛି ,ସେ ସୀମାହୀନ କାଳ ପର୍ଯ୍ୟନ୍ତ ଚଳାଇଯାଇ ପାରିବ ଏଇଭଳି ; ତାହାହେଲେ କାହିଁକି ହଠାତ୍ ଏଇଲେ ତାହାକୁ ଅଟକିଯିବାକୁ ହେବ ,ଯେତେବେଳେ ସେ ତାହାର ଅନଶନର ସବୁଠାରୁ ଭଲ ଅବସ୍ଥାନରେ ରହିଛି,ସତ କହିବାକୁ ଗଲେ ଯେତେବେଳେ ତାହାର ଶୀର୍ଷ ବିନ୍ଦୁରେ ପହଞ୍ଚିବା ତଥାପି ବାକି ? କାହିଁକି ସେମାନେ ତାହାଠାରୁ ତାହାର ଅନନ୍ତ ଅନଶନ ଚଳାଇଯିବାର ଗୌରବକୁ କାଢି ନେବାକୁ ଚାହାଁନ୍ତି – କେବଳ ଯେ ସର୍ବକାଳର ଶ୍ରେଷ୍ଠ ଅନଶନ-ଶିଳ୍ପୀ ହେବାର ଗୌରବ ତାହା ନୁହଁ(ସମ୍ଭବତଃ ଏହା ଭିତରେ ସେ ଏହି ପରି ହୋଇଯାଇଛି ),ତାହା ସହିତ ତାହାର ନିଜକୁ ଅତିକ୍ରମ କରିଯିବାର ,ଚିନ୍ତାର ଅଗମ୍ୟ ଗୋଟିଏ ପଦାର୍ଥ ଅର୍ଜନ କରିବାର ଗୌରବ ଟିକକୁ ବି ? ତାହାର ଏଇଭଳି ଭାବିବା ପଛର କାରଣ ହିସାବରେ ସେ ବିଶ୍ୱାସ କରେ ତାହାର ଅନଶନ ଚଳାଇଯିବାର କ୍ଷମତା ସୀମାହୀନ। କାହିଁକି ଭୀଡର ଏଇ ଜନତା ,ଯେଉଁମାନେ ଅନଶନ-ଶିଳ୍ପୀକୁ ଏତେ ଭଲପାଆନ୍ତି ବୋଲି ଦାବୀ କରନ୍ତି ,କାହିଁକି ସେମାନେ ତାହାର ପ୍ରସଙ୍ଗରେ ଏତେ ଅଧୈର୍ଯ୍ୟ ହେବେ; ସେ ଯଦି ନିଜେ ଆହୁରି ବେଶିଦିନ ଅନଶନକୁ ମାନି ନେଇ ପାରୁଛି,ତାହାହେଲେ ସେଥିରେ ସେମାନଙ୍କର ସମସ୍ୟା କାହାର ? ଆଉ ତାହା ଛଡା ସେ ତ କ୍ଳାନ୍ତ ,ଭଲରେ ସେ ତ ବିଛାଯାଇଥିବା ପାଳ ଉପରେ ବସିଥିଲା ,ସେଇ ଭଳି ଥିବା ସେ କୁ ଏଇଲେ କ’ଣ ନା ଉଠି ଛିଡା ହେବାକୁ ପଡିବ ଆଉ ଆଗେଇ ଯିବାକୁ ପଡିବ ଖାଦ୍ୟ ଆଡକୁ -ଖାଦ୍ୟ,ଏହା ଭାବିବା ମାତ୍ରକେ ତାହାର ଦେହ ଶିରିଶିରି କରିଉଠେ,ଏଇ ଭଳି ଗୋଟିଏ ଦେହ ଶିରିଶିରି କରିବା ର ଅନୁଭୂତି ହୁଏ ଯାହାକୁ କ’ଣ ନା ତା’କୁ ଅନେକ କଷ୍ଟରେ ,ଏଇ ଝିଅ ଦୁଇଟିଙ୍କ ପ୍ରତି ସମ୍ମାନବଶତଃ,ଚାପି ରଖିବାକୁ ହୁଏ। ସେ ସେତେବେଳେ ଏଇ ଝିଅ ଦୁଇଟିଙ୍କ ସହିତ ଆଖି ମିଳାଏ ,ଉପରେ ଉପରେ ବନ୍ଧୁତ୍ୱର ସେହି ଦୃଷ୍ଟି,କିନ୍ତୁ ବାସ୍ତବରେ ଅସଲ କେତେ ନିଷ୍ଠୁର ,ତାହାପରେ ସେ ମଥା ହଲାଇ “ନା” ଜଣାଏ,ତାହାର ଏଇ ନିସ୍ତେଜ ଗଣ୍ଡି ଟିର ଉପରେ କେମିତି ଭାର ହୋଇ ବସି ପଡିଛି ତା’ର ମଥା। କିନ୍ତୁ ଏହାପରେ ତାହା ହିଁ ଘଟେ ଯାହା ସବୁସମୟ ଘଟିଥାଏ। ମ୍ୟାନେଜର ସାହେବ ନିଜେ ଯାଇ ସେଇଠି ହାଜର୍ ହୁଅନ୍ତି; ନୀରବରେ -ଯେହେତୁ ବ୍ୟଣ୍ଡର ବାଜଣା ର କାରଣରୁ କୌଣସି କଥା କୁହାଯାଇ ହେବ ନାହିଁ -ସେ ଅନଶନଶିଳ୍ପୀର ଦେହ ଉପରେ ନିଜର ଦୁଇହାତକୁ ତୋଳି ଧରେ ଯେମିତି ସ୍ୱର୍ଗ ଆଡର କାହାକୁ ଡାକୁଛି ଏଇଠି ଏଇ ପାଳ ଉପରେ ବସିରହିଥିବା ତାହାର ସୂକ୍ଷ୍ମକର୍ମଟି ଦେଖିବା ପାଇଁ ,ଏଇ ଶୋଚନୀୟ ଶହୀଦ ବିଚରାକୁ ଦେଖିବା ପାଇଁ – ଅନଶନ – ଶିଳ୍ପୀ ସତ୍ୟକାର ଅର୍ଥରେ ତ ଠିକ୍ ସେଇଭଳି ,କେବଳ ଭିନ୍ନ ଗୋଟିଏ ଅର୍ଥରେ ,ଏଇ ଯାହା । ତାହାପରେ ମ୍ୟାନେଜର ତାହାକୁ ତା’ର ସରୁ ଅଂଟାକୁ ବେଢାଇ ଜାବୁଡି ଧରିଥାଏ ,ଟିକିଏ ଅଧିକ ଦେଖେଇହେଲା ଭଳି କାର୍ଯ୍ୟଟି ସେ କରିଥାଏ ଯାହା ଫଳରେ ଦର୍ଶକ ବୁଝି ପାରନ୍ତି କେତେ ହାଲୁକା ପଦାର୍ଥ ଇଏ ଯାହାକୁ ତା’କୁ ଏପଟସେପଟ କରିବାକୁ ହେଉଛି ; ଏଥର ସେ ତାହାକୁ ଟେକି ଦିଏ -ସମସ୍ତଙ୍କ ଆଖିର ଆଢୁଆଳରେ ଅଳ୍ପ ଟିକିଏ ଫାଙ୍କି ଦେଇ ତେବେ ହିଁ, ଏହା ଫଳରେ ଅନଶନ-ଶିଳ୍ପୀର ଶରୀରର ଉପର ଅଂଶ ଓ ତଳ ଭାଗ ଅସହାୟ ଭଳି ଟଳମଳ – ମଲା ମଣିଷର ଚେହେରା ଭଳି ଶେତା ହୋଇ ଆସିଥିବା ସେଇ ଝିଅ ଦୁଇଟିଙ୍କ ହାତରେ। ତାହା ଭିତରେ ଅନଶନ-ଶିଳ୍ପୀ ନିଜକୁ ପୂରା ସମର୍ପି ଦେଇଛି ପରିସ୍ଥିତିର ଉପରେ,ତାହାର ମଥା ଛାତି ଉପରକୁ ନଇଁ ପଡିଛି ;ଦେଖିଲେ ମନେହେବ ଏକଦମ୍ କୌଣସି କୋରଡ ଭଳି;ତାହାର ପାଦ ଦୁଇଟି ଆଣ୍ଠୁର ଏଇଠି ଗୋଟିକର ସହ ଆରଟି ଜଡି ରହିଛି,କୌଣସି ମତେ ନିଜକୁ ବଞ୍ଚାଇ ରଖିବାକୁ ଚାହୁଁଛନ୍ତି ଏମାନେ,ତେବେ ସେଇ ଭାବରେ ମାଟି ଉପରେ ଟଳମଳ ହୋଇ ଖସଡି ଯାଉଛନ୍ତି ସେମାନେ, ଦେଖିଲେ ମନେ ହେଉଛି ଏଇଟି ଯେମିତି ସତସତିକା ମାଟି ନୁହଁ,ସତସତିକା ମାଟି କେଉଁଠି ତାହା ଯେମିତି ଏମାନେ ଖୋଜୁଛନ୍ତି ; ତାହାର ପୂରା ଶରୀର ,ନିଶ୍ଚିତ ଓଜନରେ ଅତି ସାମାନ୍ୟ ,ଝିଅ ଦୁଇଜଣଙ୍କ ଭିତରୁ ଜଣକର ଉପରେ ପୁଅଟି ଅଛି , ଝିଅଟି ସେତେବେଳେ ସାହାଯ୍ୟ ପାଇଁ ଚାରିଆଡକୁ ଚାହୁଁଛି, ଧଇଁସଇଁ ହୋଇ ନିଃଶ୍ୱାସ ଛାଡୁଛି – ସେ ଭାବିନାହିଁ ତାହାର ଏତେ ଏଇଭଳି ସମ୍ମାନର କାର୍ଯ୍ୟ ଅସଲରେ ଏଇ ଜାଗାରେ ଆସି ପହଞ୍ଚିଯିବ – ପ୍ରଥମେ ଦେହଟାକୁ ଯେତେ ଦୂର ପାରିବ ଘୁଞ୍ଚାଇ ନେଉଛି ସେ,ତାହାର ଲକ୍ଷ୍ୟ କୌଣସି ମତେ ଯେମିତି ଅନଶନ-ଶିଳ୍ପୀର ଗାଲରେ ତାହାର ଗାଲ ଲାଗିନଯାଏ, କିନ୍ତୁ ଏହାପରେ ସେ ଦେଖିଲା ଯେ ତାହା ଅସମ୍ଭବ ଆଉ ତାହାର ଭାଗ୍ୟବାନ ସଂଗୀଜଣକ ତାହାର ସାହାଯ୍ୟ ପାଇଁ ଆଗେଇ ଆସିଲା ନାହିଁ – ସେଇ ଝିଅଟି ଖୁସି ଯେ ତାକୁ କେବଳ କଂପିଲା ହାତରେ ଅନଶନ -ଶିଳ୍ପୀର ଏକଗଦା ହାଡଗୋଡ ,ଅର୍ଥାତ୍ ତାହାର ଦୁଇ ହାତ ଓ ହାତର ଆଙ୍ଗୁଳିମାନ,, ଧରି ବୋହି ନେବାକୁ ହେଉଛି ,ଏହା ପରେ ଝିଅଟି କାନ୍ଦଣାରେ ଭାଙ୍ଗି ପଡିଲା ,ଦର୍ଶକ ମାନେ ସେତେବେଳେ ବିନୋଦର ହସରେ ଫାଟି ପଡୁଛନ୍ତି -ଝିଅଟିର ଏମିତି ଅବସ୍ଥା ଦେଖି ଜଣେ କର୍ମଚାରୀ ଆସି ତାହାର ସ୍ଥାନ ନେଲେ,ତା’କୁ ବିକଳ୍ପ ହିସାବରେ ଆଗରୁ ଏଇ କାମପାଇଁ ପାଖରେ ଛିଡା କରାଇ ରଖାଯାଇଥିଲା । ତାହାପରେ ଆସିଲା ଖାଦ୍ୟ, ମ୍ୟାନେଜର ଚାମଚ ଦ୍ୱାରା ସାମାନ୍ୟ କିଛି ଉଠାଇ ନେଇ ପ୍ରାୟ ଜ୍ଞାନ ହରାଇ ବସିଥିବା ,ପ୍ରାୟ କୋମାକୁ ଚାଲିଯାଇଥିବା ଅନଶନ-ଶିଳ୍ପୀର ପାଟିରେ ଖୁଆଇ ଦେଲା,ମ୍ୟାନେଜର ସେଇ ସମୟରେ ସମାନ ଭାବରେ ଉତ୍ସାହବ୍ୟଞ୍ଜକ କଥା ମାନ କହିଚାଲିଥାଏ ଯେମିତି ଦର୍ଶକର ମନୋଯୋଗ ଅନଶନ-ଶିଳ୍ପୀର ଏଇ ଚରମ ଦୁର୍ଦ୍ଦଶାର ଅବସ୍ଥାରୁ ଅନ୍ୟ ଆଡକୁ ଘୁରି ନଯାଏ ; ଏହାପରେ ଆମଜନତାର ସୁଖ ଆଉ ସ୍ୱାସ୍ଥ୍ୟ କାମନା କରି ପାନୀୟ ର ପ୍ରସ୍ତାବ ରଖା ହେଲା,କୁହା ହେଲା ଯେ ଅନଶନ-ଶିଳ୍ପୀ ନିଜେ ମ୍ୟାନେଜର୍ ର କାନରେ ଏଇ ପ୍ରସ୍ତାବ ଦେଇଛି; ବ୍ୟାଣ୍ଡ ଦଳ ଏହାପରେ ସବୁକିଛିକୁ ଘୋଡାଇ ଦେଲେ ସେମାନଙ୍କର ବିଗୁଲ-ଟ୍ରମ୍ପେଟ୍ ର ଫାଟି ପଡୁଥିବା ଆବାଜରେ,ସମସ୍ତେ ବିଦାୟ ନେବାକୁ ଆରମ୍ଭ କଲେ,କାହାର ମନରେ ଏଇଲେ ଆଉ ଏଇ ଶୋ କୁ ନେଇ କୌଣସି ଅସନ୍ତୋଷ ନାହିଁ,କାହାର ନାହିଁ – କେବଳ ଅନଶନ-ଶିଳ୍ପୀ ବ୍ୟତୀତ, ସବୁବେଳେ କେବଳ ସେ ।
ଏଇଭଳି ଭାବରେ ଅନଶନ-ଶିଳ୍ପୀ ବିତାଇଦେଲା ଅନେକ ଗୁଡିଏ ବର୍ଷ, ବିଶ୍ରାମ ଉଦ୍ଦେଶ୍ୟରେ ନିୟମିତ କିଛି ଛୋଟ ଦିନର ବିରତି ଦେଇ ଦେଇ ,ଦୃଶ୍ୟତଃ ଏକଧରଣର ଗୌରବର ଭିତରେ ,ପୃଥିବୀର ନିକଟରୁ ସମ୍ମାନିତ ହୋଇ- କିନ୍ତୁ ଏଇ ସବୁ କିଛିର ପରେ ବି ମୂଳତଃ ଦୁଃଖର ଭିତରେ , ସେଇ ଦୁଃଖ ତା’ର ବରଂ ଆହୁରି ବଢି ହିଁ ଚାଲିଥାଏ କାରଣ କେହି ତାହାକୁ ଗୁରୁତ୍ୱ ଦେଇ ଦେଖିଲେ ନାହିଁ । ଆଉ ଅସଲରେ ବି,ମଣିଷ ତାହାକୁ ସାନ୍ତ୍ୱନା ଦିଅନ୍ତା କେଉଁ ଭଳି ? ଏହାଠୁ ବେଶି ସେ ଚାହୁଁଚି ବା କାହିଁକି ? ଆଉ ଯଦି କୌଣସି ଗୋଟିଏ ଦିନ କୌଣସି ଦୟାଳୁ କିଏ ପାଖକୁ ଆସି ତାହା ପାଇଁ ଦୁଃଖ ପ୍ରକାଶ କରିଥାଏ,ତାହାକୁ ବୁଝାଇବା ଚେଷ୍ଟା କରିଥାଏ ଯେ ସମ୍ଭବତଃ ଅନଶନ ଜାରି ରଖିବା ର ପରିଣତି ହିସାବରେ ହିଁ ସେ ଏମିତି ଦୁଃଖୀ ହୋଇ ପଡିଛି ,ତାହାହେଲେ ମଝିରେ ମଝିରେ,ବିଶେଷ କରି ସେ ଯଦି ସେତେବେଳେ ଅନଶନର ଶେଷ ପର୍ଯ୍ୟାୟରେ ରହିଥାନ୍ତା ,ଏପରି ଘଟିଥାନ୍ତା ଯେ ଅନଶନ-ଶିଳ୍ପୀ ରାଗରେ ଫାଟି ପଡନ୍ତା,ସମସ୍ତଙ୍କୁ ଦୁଶ୍ଚିନ୍ତାରେ ପକାଇ ଦେଇ କୌଣସି ବଣୁଆ ପଶୁ ଭଳି ସେ ପଞ୍ଜୁରୀ ର କବାଟକୁ ତାଡିମାଡି ମାରି ଏକାକାର କରି ଦେଇଥାନ୍ତା। କିନ୍ତୁ ଅନଶନ-ଶିଳ୍ପୀର ଏମିତି ଉନ୍ମତ୍ତ ଆଚରଣ ନିମନ୍ତେ ମ୍ୟାନେଜରର ପାଖରେ କୈଫିୟତ ପ୍ରସ୍ତୁତ ହୋଇ ରହିଥାଆନ୍ତା, ସେ ଏମିତିକା କୈଫିୟତ ଦେବାକୁ ଭାରି ମଜା ପାଆନ୍ତା । ଦର୍ଶକମାନଙ୍କ ଭୀଡର ଉଦ୍ଦେଶ୍ୟରେ ସେ ଅନଶନ-ଶିଳ୍ପୀ ତରଫରୁ ମାଫି ଚାହଁନ୍ତା,କୁହନ୍ତା ଯେ ଅନଶନ-ଶିଳ୍ପୀର ଏଇ ଆଚରଣ ନଖାଇ ରହିବା ଯୋଗୁ ତାହାର ମିଜାଜ ଖିଟିମିଟି ହୋଇ ଯାଇଥିବା କାରଣରୁ ଘଟିଛି,ସେଇଟି କେଉଁ ଭାବରେ ଘଟିଥାଏ ତାହା ପେଟ-ପୂରା ଖାଉଥିବା ଲୋକବାକଙ୍କ ପାଇଁ ଅସଲରେ ବୁଝିବା କଠିନ ; ଆଉ ଏଇ ପ୍ରସଙ୍ଗରେ ସେ ଅନଶନ-ଶିଳ୍ପୀର ଦାବୀର କଥାଟିକୁ ବି ସମସ୍ତଙ୍କୁ ଜଣାଇ ଦେବାକୁ ଚାହୁଁଛି,ଏଇ ଦାବୀଟାର ବି ଗୋଟିଏ ବ୍ୟାଖ୍ୟା ଦେବାର ପ୍ରୟୋଜନ,ତାହାର ଦାବୀ- ଚାଳିଶ ଦିନରୁ ଅନେକ ଅନେକ ବେଶି ଅନଶନ କରି ପାରିବା ତାହାର ପକ୍ଷରେ ସମ୍ଭବ : ମ୍ୟାନେଜର ଏଇ ପର୍ଯ୍ୟାୟରେ ତାହାର ଏଇ ବିରାଟ ଉଚ୍ଚାକାଂକ୍ଷାର,ତାହାର ଏଇ ପ୍ରଶଂଶନୀୟ ଇଚ୍ଛା ର ତାରିଫ କରିଥାଏ , ତାହାର ଏଇ ଭଳି ଚାହିଁବା ପଛରେ ନିଃସନ୍ଦେହରେ ଆତ୍ମବଳିଦାନର ଯେଉଁ ବିଶାଳ ପ୍ରକାଶ ଲୁକ୍କାୟିତ ରହିଛି ତାହାକୁ ସାଧୁବାଦ ଜଣାଇ ଥାଏ; କିନ୍ତୁ ଏହାପରେ ସେ ତଳକୁ ଖସିଯାଏ ଅନଶନ-ଶିଳ୍ପୀର ଏଇ ଦାବୀକୁ ନସ୍ୟାତ୍ କରିବା ଭଳି କାମକୁ – ସେଇଥିପାଇଁ ବେଶି କିଛିର ପ୍ରୟୋଜନ ନାହିଁ,ଦର୍ଶକମାନଙ୍କୁ ସାମାନ୍ୟ କିଛି ଫଟୋ ଦେଖାଇଦେଲେ କାମ ହୋଇଯାଆନ୍ତା ,ଏକା ସାଙ୍ଗରେ ଫଟୋ ଗୁଡିକ ବିକ୍ରୀ ପାଇଁ ରଖାଯାଇପାରନ୍ତା ଦର୍ଶକ ମାନଙ୍କ ପାଖରେ -ଏଇ ଫଟୋ ଗୁଡିକରେ ଦେଖାଯିବ ଅନଶନ-ଶିଳ୍ପୀ ତାହାର କୌଣସି ଏକ ଅନଶନର ଚାଳିଶତମ ଦିନରେ ବିଛଣାରେ ଚରମ କ୍ଳାନ୍ତ ଶ୍ରାନ୍ତ ହୋଇ ପଡି ରହିଛି,ଜୀବନ ଯେମିତି ଯିବ ଯିବ ସେମିତି ପ୍ରାୟ ଅବସ୍ଥା । ସତ୍ୟର ଏଇ ଭଳି ବିକୃତି ଦେଖିବା ଅନଶନ-ଶିଳ୍ପୀ ର ପକ୍ଷରେ ସେମିତି କିଛି ନୂଆ ନୁହଁ ,ତାହା ପରେ ବି ପ୍ରତି ଥର ଏଇଟି ତାହାର ଶକ୍ତିକୁ ପୁଣି ଆଉ ଥରେ ଶୋଷି ନେଉଥାଏ,ସେ ଏଇ ଭଳି ଗୋଟିଏ ମିଥ୍ୟାଚାର କୁ ସହି ପାରେ ନାହିଁ । ସମୟର ଆଗରୁ ହିଁ ତାହାର ଅନଶନକୁ ଶେଷ କରିଦେବା ଭଳି ପରିଣତି କ’ଣ ନା ଏଇଠି କାରଣ ହିସାବରେ ଦେଖାଯାଇଛି । ଏଇ ନିର୍ବୁଦ୍ଧିତାର ବିରୁଦ୍ଧରେ,ବିରାଟ ବିଶାଳ ଏଇ ମୁର୍ଖାମି ର ବିରୁଦ୍ଧରେ ଲଢେଇ କରିବା ଅସମ୍ଭବ। ଏହାର ଆଗ ପର୍ଯ୍ୟନ୍ତ ସେ ସବୁ ସମୟ ପଞ୍ଜୁରୀର ଦୁଆର ନିକଟରେ ରହିଥାଏ,କାନକୁ ଠିଆ କରି ସରଳ ବିଶ୍ୱାସରେ ସେ ଶୁଣୁଥାଏ ମ୍ୟାନେଜର କହୁଛି କ’ଣ ,କିନ୍ତୁ ପ୍ରତିଥର ସେଇ ଫଟୋଗୁଡିକୁ ଦେଖାଇବା ଆରମ୍ଭ ହୋଇଯାଏ ,ସେ ଗୋଟିଏ ଦୀର୍ଘ ଶ୍ୱାସ ଛାଡି ଧପାସ ହୋଇ ପଡିଯାଏ ତାହାର ପାଳ ବିଛା ହୋଇଥିବା ବିଛଣାର ଉପରେ – ଏଇ ସମୟରେ ଦର୍ଶକମାନେ ଦୁଶ୍ଚିନ୍ତାମୁକ୍ତ ,ସେମାନେ ପୁଣି ପଞ୍ଜୁରୀ ନିକଟକୁ ଆଗେଇ ଯାଆନ୍ତି ତାହାକୁ ଖୁଣ୍ଟିନାଣ୍ଟି ଦେଖିବାକୁ ।
ମାତ୍ର ବର୍ଷେ କି ଦି ବର୍ଷ ପରେ,ଏଇ ସବୁ ଦୃଶ୍ୟର ଯେଉଁମାନେ ସାକ୍ଷୀ,ସେମାନେ ଯେତେବେଳେ ସେମାନଙ୍କର ଏଇ ଆଚରଣର କଥା ମନେ ପକାଉଥିଲେ ,ନିଜେ ହିଁ ଅବାକ ହୋଇଯାଉଥିଲେ ନିଜର ଉପରେ । କାରଣ ସେତିକି ଦିନରେ ସେଇ ଆଗେକାର କୁହାଯାଇଥିବା ପରିବର୍ତ୍ତନ ଘଟିଯାଇଛି । ପ୍ରାୟ ରାତାରାତି ଘଟିଛି ଏଇ ପରିବର୍ତ୍ତନ ; ହୁଏତ ଏହାର ପଛରେ ଆହୁରି ଗୂଢ କୌଣସି କାରଣ ରହିଛି,କିନ୍ତୁ କିଏ ଏଇ ସବୁକୁ ନେଇ ଏଇଲେ ଭାବିବାକୁ ଯାଉଛି ? ଯାହା ହିଁ ଘଟିଥାଉନା କାହିଁକି, ଦିନେ ଏଇ ଏତେ ପ୍ରୀତି-ପ୍ରଶ୍ରୟ ପାଉଥିବା ଅନଶନ-ଶିଳ୍ପୀ ଦେଖିଲା ବିନୋଦନ-ସନ୍ଧାନୀ ଦର୍ଶକମାନେ ତାହାକୁ ଛାଡି ଚାଲି ଯାଇଛନ୍ତି ,ତାହାର ବଦଳରେ ସେମାନେ ସମସ୍ତେ ଦଳ ଦଳ ହୋଇ ହାଜିର୍ ହୋଇଯାଉଛନ୍ତି ନୂଆ କୌଣସି ଏକ ପ୍ରଦର୍ଶନୀରେ । ତାହାର ମ୍ୟାନେଜର, ଥରଟିଏ, ଶେଷଥର ଭଳି ତାହାକୁ ନେଇ ଇଉରୋପ ର ଅର୍ଦ୍ଧାଧିକ ଅଂଚଳ ଘୁରିବୁଲିଥିଲା -ଦେଖିବାକୁ ଚାହୁଁଥିଲା ଯେ ପୁରୁଣା ସେହି ଆଗ୍ରହରୁ ଟୋପାଏ କେଉଁଠି ଅବଶିଷ୍ଟ ମିଳୁଛି କି ନାହିଁ ; ନା ପୂରା ଚେଷ୍ଟା ବ୍ୟର୍ଥ ହେଲା,ଯେମିତି ଗୋପନ କୌଣସି ସନ୍ଧିର ବଳରେ ସବୁ ମଣିଷ ଅନଶନ-ପ୍ରଦର୍ଶନୀ ଉପରୁ ସବୁଠି ଆଗ୍ରହ ହରାଇ ବସିଛନ୍ତି । ଅବଶ୍ୟ ରାତାରାତି,ଏମିତି ହଠାତ୍ କରି ,ଏପରି ତ ହେବା ସମ୍ଭବ ନୁହଁ; ପଛକୁ ଚାହିଁଲେ ମଣିଷର ମନେ ପଡିବ ବେଶ୍ କେତେଗୁଡିଏ ପୂର୍ବାଭାଷ ଯାହା ଆଗରୁ ମିଳିଥିଲା,କିନ୍ତୁ କେହି ଏଗୁଡିକ-ସେତେବେଳର ସଫଳତାର ଜୁଆରରେ- ଠିକ୍ ଭାବରେ ଖିଆଲ୍ କରି ନଥିଲା କିମ୍ବା ଏଗୁଡିକର ବିଷୟରେ କୌଣସି ବ୍ୟବସ୍ଥା ନେଇନାହିଁ ,ଆଉ ଏତେ ଦିନ ପରେ ଆସି ଉପଯୁକ୍ତ ବ୍ୟବସ୍ଥା ନେବାର ସେଇ ସମୟ ଆଉ ନାହିଁ । ଏହା ନିଶ୍ଚିତ, ଅନଶନ-ଶିଳ୍ପର ପ୍ରତି ମଣିଷର ଆଗ୍ରହ ପୁଣି ଦିନେ, ଅନ୍ୟ ଅନେକ କିଛିର ଭଳି,ଠିକ୍ ହିଁ ଲେଉଟି ଆସିବ; କିନ୍ତୁ ଏବେକାର ଅନଶନ-ଶିଳ୍ପୀ ମାନଙ୍କ ପାଇଁ ସେଇ କଥାର ଭିତରେ କିଛି ସାନ୍ତ୍ୱନା ଅଛି କି ? ଅନଶନ-ଶିଳ୍ପୀ ଏଇଲେ କରିବ ବା କ’ଣ ? ହଜାର ମଣିଷର ହାତତାଳି ପାଉଥିବା କୌଣସି ଶିଳ୍ପୀ ତ ଆଉ ଗାଆଁର କୌଣସି ମେଳାକୁ ଯାଇ ଛୋଟ ଦୁଇ ପଇସାର ଶୋ ରେ ହାଜିର୍ ହୋଇ ପାରିବନାହିଁ ; ଆଉ ତାହାର ଯଦି ଆଉ କୌଣସି ପେଶା କୁ ବାଛିନେବା ର କଥା କୁହା ହୁଏ ,ଅନଶନ-ଶିଳ୍ପୀର ସେ ହିସାବରେ ଅନେକ ବେଶି ବୟସ ହୋଇ ଗଲାଣି ଆଉ ତାହାଠାରୁ ବଡ କଥା ହେଉଛି ଅନଶନ ଶିଳ୍ପର ପ୍ରତି ତାହାର ଅନୁରାଗ ସବୁଠାରୁ ବେଶି ମାରାତ୍ମକ । ଅତଏବ ସେ ତାହାର ମ୍ୟାନେଜର ଠାରୁ ବିଦାୟ ନେଲା, ତାହାର ଏଇ ଅଦ୍ୱିତୀୟ କର୍ମଜୀବନର ନିତ୍ୟସଂଗୀ ଥିଲା ଏଇ ବ୍ୟକ୍ତି ଜଣକ; ଆଉ ତାହାପରେ ସେ ଯୋଗଦେଲା ଗୋଟିଏ ବଡ ସର୍କସର ଦଳରେ ; ନିଜକୁ ଟିକିନିଖି କରି ଦେଖିବା ଆଉ ଆହତ ନକରିବା ପାଇଁ ସେ ସେଠିକାର ଚୁକ୍ତିପତ୍ରଟି ଥରଟିଏ ସେମିତି ଦେଖିନଥିଲା ।
କୌଣସି ବଡ ସର୍କସର ଦଳରେ ଯାହା ହୁଏ ,ସେମାନଙ୍କର ନିକଟରେ ଦଳ ଦଳ ମଣିଷ,ଜୀବଯନ୍ତୁ ଆଉ ଯନ୍ତ୍ର ସରଞ୍ଜାମର ସହଯୋଗରେ ସବୁ ସମୟରେ ଅଧିକ କିଛି ଖେଳ ଦେଖାଇବା ପାଇଁ ସୁନ୍ଦର ବ୍ୟବସ୍ଥାମାନ ରହିଥାଏ, ତେଣୁ ଏଇସବୁ ଦଳରେ ଯେ କୌଣସି ସମୟ,ଯିଏ କାହାର ହିଁ- ଏପରିକି କୌଣସି ଅନଶନ-ଶିଳ୍ପୀର ବି – ଜାଗା ପାଇବା ସେମିତି କିଛି ବଡ ସମସ୍ୟା ନୁହଁ , ମାତ୍ର କଥାଟି ହେଉଛି କେବଳ ଏତିକି ଯେ ତାହାର ନିଜର ଚାହିଁବା ଆଉ ପାଇବା ହେବାକୁ ପଡିବ ସୀମିତ ; ଆଉ ତାହାଛଡା ଏଇ ଅନଶନ-ଶିଳ୍ପୀ କୁ ଦଳକୁ ଟାଣି ଆଣିବା ବେଳରେ ସେମାନେ ଯେ ନିର୍ଦ୍ଦିଷ୍ଟ କୌଣସି ଅନଶନ-ଶିଳ୍ପୀକୁ ବାଛି ବସନ୍ତି ତାହା ତ ନୁହଁ , ସେମାନେ ନେଇଛନ୍ତି ଅନେକ ଦିନ ର ବିଖ୍ୟାତ ଜଣେ ଶିଳ୍ପୀକୁ ; ସତ କହିବାକୁ ଗଲେ ,ଏଇ ଶିଳ୍ପରେ ଦକ୍ଷତା ପାଇଁ ଯେଉଁ ବିଶେଷ କ୍ଷମତା ରହିଥିବା ଆବଶ୍ୟକ,ସମୟର ସହିତ ତାହାର କମି ଆସିବାର କୌଣସି ଯୋଗ ନାହିଁ , ତେଣୁ ଏଇ ଅନଶନ-ଶିଳ୍ପୀକୁ କେହି କହିପାରିବ ନାହିଁ ସେ କୌଣସି ଜଣେ ଅବସରପ୍ରାପ୍ତ ବୃଦ୍ଧ ଶିଳ୍ପୀ ଯିଏ ତାହାର ସର୍ବଶ୍ରେଷ୍ଠ ସମୟ ଅତିକ୍ରମ କରି ଆସିଛି ଆଉ ଏଇଲେ ତେଣୁ ଆଶ୍ରୟ ଚାହିଁଛି ଝାମେଲାହୀନ କୌଣସି ସର୍କସ ର ଏକ ଚାକିରୀରେ ; ବରଂ ଓଲଟା ଅନଶନ-ଶିଳ୍ପୀ ଦାବୀ କରିବାକୁ ଲାଗିଲା – ତାହାକୁ ଅବିଶ୍ୱାସ କରିବାର କୌଣସି କାରଣ ତ ନାହିଁ – ସେ ଆଗ ଭଳି ଏଇଲେ ପୂରାଦମ୍ ରେ ଅନଶନ ଚଳାଇଯାଇ ପାରେ; ଏପରିକି ସେ କହି ବସିଲା ଯେ ତାହାକୁ ଯଦି ତାହାର ଭଳି ଅନଶନ କରିବାକୁ ଦିଆ ହୁଏ,ତାହାହେଲେ-କୌଣସି ଦ୍ୱିଧା ଛଡା ସର୍କସର ଉଦ୍ୟୋକ୍ତା ମାନେ ତାହାର ଏଇ ପ୍ରସ୍ତାବରେ ରାଜି ହୋଇଗଲେ – ସେ ଅସଲରେ ପ୍ରଥମଥର ଭଳି ଏଇ ପୃଥିବୀରେ ବିରାଟ କିଛି ଆଶ୍ଚର୍ଯ୍ୟ ତିଆରି କରିବା ପାଇଁ ସତରେ ପ୍ରସ୍ତୁତ ରହିଛି, ଯଦିଓ ତାହାର ଏଇ ଦାବୀ , ବର୍ତ୍ତମାନର ସମୟର ମିଜାଜ ର ବିବେଚନାରେ – ଯାହା କ’ଣ ନା ଅନଶନ-ଶିଳ୍ପୀ ତାହାର ପ୍ରବଳ ଉତ୍ସାହର ଜୁଆରରେ କେବଳ ଭୁଲି ଯାଏ – ଅଭିଜ୍ଞ ଲୋକବାକ ଙ୍କ ଭିତରେ ସାମାନ୍ୟ ହସ ଛଡା ଆଉ କୌଣସି ଉଦ୍ଦୀପନା ଯୋଗାଇଲା ନାହିଁ।
ତେବେ ବାସ୍ତବରେ କିନ୍ତୁ ଅନଶନ-ଶିଳ୍ପୀ ଚାରିପାଖରେ ସତରେ ପରିସ୍ଥିତି କ’ଣ ତାହା ଭୁଲି ଯାଇନାହିଁ; ଯେମିତି ସେ ଏକଦମ ସ୍ୱାଭାବିକ ଭାବରେ ମାନି ନେଇଥିଲା ଯେ ମଞ୍ଚର ମଝିରେ ତାରକା-ଆକର୍ଷଣ ହିସାବରେ ଆଉ ତାହାକୁ କି ତାହାର ପଞ୍ଜୁରୀକୁ ରଖା ହେବ ନାହିଁ,ତା’କୁ ଜାଗା ଦିଆଯିବ ବାହାରେ ,ଜୀବଯନ୍ତୁ ଯେଉଁଠି ରହିଛନ୍ତି ତାହାର ନିକଟରେ,ସହଜରେ ଯାଇ ହେଉଥିବ ସେମିତି ଗୋଟିଏ ସ୍ଥାନରେ । ବଡ ବଡ ,ରଂଗୀନ ବ୍ୟାନର ତାହାର ପଞ୍ଜୁରୀ କୁ ଘେରାଇ ଟଂଗାଗଲା ,ଏଥିରେ ଲେଖା ହୋଇଛି ବ୍ୟାନର୍ ର ପଛପଟରେ କେଉଁ ଦର୍ଶନୀୟ ପଦାର୍ଥ ରହିଛି । ସର୍କସ ର ବିରତିର ସମୟରେ ଲୋକବାକ ଯେତେବେଳେ ଦଳବାନ୍ଧି ଭୀଡ କରି ଜୀବଯନ୍ତୁ ଦେଖୁଥାନ୍ତି,ସେତେବେଳେ ଅନଶନ-ଶିଳ୍ପୀ ର ପଞ୍ଜୁରୀ କୁ ପାର ହୋଇ ଯିବା ବ୍ୟତୀତ ସେମାନଙ୍କର ଆଉ କୌଣସି ବାଟ ନଥାଏ, ସେମାନେ ସେଇଠି ଟିକିଏ ଅଟକି ଯାଆନ୍ତି ; ସମ୍ଭବତଃ ସେମାନେ ଆହୁରି ଅଧିକ ସମୟ ସେଇଠି ରହିଥାଆନ୍ତେ,କିନ୍ତୁ ଏଇ ସରୁ ଗଳି ଭଳି ବାଟରେ ସେମାନଙ୍କୁ ପଛରୁ ଧକ୍କା ଦେଇଥାନ୍ତି ଆହୁରି ଅନେକ ମଣିଷ,ପଛରେ ଥିବା ସେମାନେ ବୁଝିପାରନ୍ତି ନାହିଁ ଯେ କେଉଁ ଜିନିଷଟି ତାଙ୍କର କାଂକ୍ଷିତ ଜୀବଯନ୍ତୁଙ୍କ ପଞ୍ଜୁରୀ ର ନିକଟକୁ ଗଲାବେଳେ ଯିବା ବାଟରେ ବାଧା ହୋଇ ଛିଡା ହୋଇଛି,ଏହା ଫଳରେ କିଏ ଜଣେ ଯେ ଅନଶନ-ଶିଳ୍ପୀକୁ ଆଉ ଟିକିଏ ସମୟ ନେଇ ଆରାମରେ ଖୁଣ୍ଟିନାଣ୍ଟି ଦେଖିବ ସେଇ ଉପାୟ ନାହିଁ । ଏଇଟି ବି ଗୋଟିଏ କାରଣ ଯେ କାହିଁକି ଅନଶନ -ଶିଳ୍ପୀ ବିରତି ର ସମୟ କଥା ଭାବି କମ୍ପିଉଠେ , ଯଦିଓ ଆଉ ଗୋଟିଏ ହିସାବରେ ଦେଖିଲେ ତା’କୁ ଦେଖିବାକୁ ଯେ ଲୋକବାକ ଆସିବେ ଏଇଥିପାଇଁ ତ ସେ ବଞ୍ଚି ରହିଛି । ପ୍ରଥମ ଆଡକୁ ସର୍କସର ବିରତି ହେବା ପାଇଁ ତାହାର ଆଉ ତର ସହୁନଥିଲା; ସେ ମନ୍ତ୍ରମୁଗ୍ଧ ପରି ଚାହିଁ ଦେଖୁଥାଏ କେଉଁଭଳି ସ୍ରୋତ ଭଳି ଲୋକବାକ ଏଇ ଆଡକୁ ଆସୁଛନ୍ତି ,କିନ୍ତୁ ଖୁବ୍ ଶିଘ୍ର ତାହାର ବୋଧୋଦୟ ହୋଇଗଲା ଯେ -ଏପରିକି ସବୁଠାରୁ ଅଧିକ ନିର୍ବୁଦ୍ଧିତା କରି,ସୁଚିନ୍ତିତ ଭାବରେ ନିଜକୁ ଠକେଇବାର ପରିକଲ୍ପନା କରିବାର ମାଧ୍ୟମରେ ବି ତ ଏଇ ସତକୁ ଆଢୁଆଳ କରାଯାଇପାରିବ ନାହିଁ- ପୂରା ଭୀଡଟି ହିଁ, ପ୍ରତିବାର ହିଁ, କୌଣସି ବ୍ୟତିକ୍ରମ ଛଡା ହିଁ, ଅନ୍ତତଃ ସେମାନଙ୍କର ମନ ସେଇ ବିଚାରରେ ଯାହା ଚାହୁଁଛି,ଛୁଟି ଚାଲିଛି ଅସଲ ଜୀବଯନ୍ତୁ ଥିବା ପଞ୍ଜୁରୀ ଆଡକୁ। ଦୂରରୁ ସେ ଯେ ସେମାନଙ୍କୁ ଦେଖୁଥାଏ, ସେଇଟି ତାହା ପାଇଁ ସବୁଠୁ ଭଲ ଲାଗେ। କାରଣ ସେଇ ନା ଯେଉଁମାନେ ତାହାର ନିକଟକୁ ଆସନ୍ତି , ତାହାର କାନ ବଧିରା ହୋଇଯାଏ ସଂଖ୍ୟାରେ ଭାରି ହେବାକୁ ଯାଉଥିବା ଦୁଇଟି ବଡ ଦଳର ଦୁଇ ପ୍ରତିଦ୍ୱନ୍ଦୀ ଦଳର ଚିତ୍କାର ଆଉ ଗାଳିଗୁଲଜ : ଦଳେ ଚାହୁଁଛନ୍ତି-ଅଳ୍ପଦିନ ଭିତରେ ଅନଶନ-ଶିଳ୍ପୀ ଏଇ ଦଳକୁ ବେଶି ଅପସନ୍ଦ କରିବାକୁ ଆରମ୍ଭ କରିଥିଲା- ତାହାକୁ ଟିକିଏ ଚୁପଚାପ ରହିବାର ଦେଖିଲେ,ସତରେ କୌଣସି ଆଗ୍ରହ ନାହିଁ,ସିର୍ଫ ସେମାନଙ୍କ ଖିଆଲର କାରଣରୁ ,ସିର୍ଫ ସେମାନଙ୍କର ବୋକା ର ଭଳି ଏକଯିଦିଆ ପଣରୁ ; ଆଉ ଆରଦଳ ଚାହୁଁଛି ସିଧା ସହଜରେ ଧକ୍କା ମାରି ,ଜୀବଯନ୍ତୁ ଯେଉଁ ପଞ୍ଜୁରୀରେ ଅଛନ୍ତି ତାହା ପାଖରେ ପହଞ୍ଚି ଯିବାକୁ। ପ୍ରଥମ ଭୀଡଟି ଏକେବାରେ ଚାଲି ଯାଆନ୍ତେ ଏଥର ଆସନ୍ତି ବିଚ୍ଛିନ୍ନ ,ଏକା ଏକା ଘୁରୁଥିବା ଲୋକମାନେ,ଅନଶନ-ଶିଳ୍ପୀକୁ ଅଟକାଇ ରଖି ଯେତେ ସମୟ ଖୁସି ଦେଖିପାରିବାକୁ ବାଧା ଦେବାରେ ସେମାନେ କେହି ନାହାଁନ୍ତି ,କିନ୍ତୁ ଏମାନେ କ’ଣ ନା ଝଟପଟ ଚାଲି ଯିବା ପାଇଁ ଲମ୍ବା ପାହୁଣ୍ଡ ପକାଇ ,ଆଖପାଖ କୁ କହିବାକୁ ଗଲେ ଥରଟିଏ ଚାହିଁ ନାହାଁନ୍ତି ; ସେମାନଙ୍କର ଗୋଟିଏ ବୋଲି ପଣ-ସମୟମତ ପହଞ୍ଚିବାକୁ ହେବ ଜୀବଯନ୍ତୁଙ୍କ ପଞ୍ଜୁରୀ ନିକଟରେ । ଆଉ ଖୁବ୍ ଦୁର୍ଲଭ ସୌଭାଗ୍ୟ ବୋଲି କହିବାକୁ ହେବ ସେତେବେଳେ ,କେବେ କେବେ ,ଦେଖାଯାଏ ପିଲାପିଚିକା ଧରି କୌଣସି ପରିବାରର ବାପା ଜଣେ ହାଜିର ହୋଇଛି,ନିଜ ଆଙ୍ଗୁଳିରେ ସେମାନଙ୍କୁ ଦେଖାଇଦେଉଛି ଅନଶନ-ଶିଳ୍ପୀକୁ,ବିସ୍ତାରିତ କରି କହୁଛି ଅନଶନ-ଶିଳ୍ପ ବିଷୟଟି କହିଲେ କ’ଣ,ସେମାନଙ୍କୁ ଶୁଣାଉଛି ସେଇ ଅତୀତକାଳର ଗଳ୍ପ ଯେତେବେଳେ ସେ ନିଜେ ଦେଖିଛି ଏଇ ପ୍ରକାର କିଛି ଏବେକାର ତୁଳନାରେ ହଜାର ଗୁଣ ବେଶି ଚମତ୍କାର ଅନଶନ-ଶିଳ୍ପ ର ପ୍ରଦର୍ଶନୀ,ଆଉ ପିଲାଏ ସେତେବେଳେ,ସେମାନଙ୍କର ଜୀବନ ବିଷୟକ ଅଭିଜ୍ଞତା ଖୁବ୍ କମ୍ ଏବଂ ସ୍କୁଲ୍ ରେ ସେମାନଙ୍କୁ ଠିକ୍ ଭାବରେ ଶିଖା ଯାଇନାହିଁ ବୋଲି ,ସେତେବେଳେ ବୁଝି ପାରୁନାହାଁନ୍ତି – ସେମାନଙ୍କ ନିକଟରେ ଅନଶନ ମାନେ ଅସଲରେ କ’ଣ ?- କିନ୍ତୁ ତାହା ପରେ ବି ସେମାନଙ୍କର କୌତୁହଳୀ ଆଖି ର ଉଜ୍ଜଳତାରେ ଫୁଟିଉଠେ ଏକ ନୂତନ ଏବଂ ଆଉ ଟିକିଏ ଦୟାଳୁ କୌଣସି ଭବିଷ୍ୟତର ଝଲକ । ବେଳେ ବେଳେ ଅନଶନ-ଶିଳ୍ପୀ ମନକୁ ମନ କହେ,ଖୁବ୍ ସମ୍ଭବ ପୂରା ବିଷୟ ଆଉ ଟିକିଏ ଭଲ ହୋଇଥାନ୍ତା ଯଦି ତାହାର ପଞ୍ଜୁରୀଟି ଜୀବଯନ୍ତୁ ରହିଥିବା ପଞ୍ଜୁରୀର ଏତେ ପାଖରେ ରଖା ଯାଇ ନଥାନ୍ତା। ଏହା ଫଳରେ ଲୋକବାକ କ’ଣ ଦେଖିବାକୁ ହେବ ସେଇ କଥାକୁ ଖୁବ୍ ସହଜରେ ବାଛି ନେଇ ପାରିଥାନ୍ତେ – ଅନ୍ୟ ପ୍ରସଂଗଗୁଡିକ ନ-ହେଉ ପଛେ ବାଦ ଦିଆଗଲା : ଯେମିତି ଜୀବଯନ୍ତୁ ମାନେ ରହିଥିବା ପଞ୍ଜୁରୀରୁ ଆସୁଥିବା ଏଇ ବିକଟ ଦୁର୍ଗନ୍ଧ,ରାତି ବେଳା ଜନ୍ତୁମାନଙ୍କର ଛଟପଟ ହେଉଥିବାର କଥା,ଶିକାରୀ ଯନ୍ତୁମାନଙ୍କ ପାଇଁ ତାହାର ପଞ୍ଜୁରୀ ସାମ୍ନା ଦେଇ ବୋହି ନିଆଯାଉଥିବା କଂଚା କଂଚା ମାଂସର ପିଣ୍ଡ , ଖାଇବା ବେଳ ହେଲେ ସେମାନଙ୍କର ଗର୍ଜନ ତର୍ଜନ; ଏଇ ସବୁ ମିଶି ତାହାର ମନ ଖରାପ କରି ଦିଅନ୍ତି ,ସବୁ ସମୟ ତାହାର ମନକୁ ଭାରାକ୍ରାନ୍ତ କରି ରଖନ୍ତି । କିନ୍ତୁ ସର୍କସର ବ୍ୟବସ୍ଥାପନା କର୍ତ୍ତୃପକ୍ଷଙ୍କ ନିକଟରେ ନାଲିଶ କରିବାର ସାହସ ତାହାର ହୁଏନା ; ଏତେ କିଛି ପରେ ଏଇ ଜନ୍ତୁ ଗୁଡିକୁ ତାହାର ତ ଧନ୍ୟବାଦ ଦେବା ଉଚିତ,ଏମାନଙ୍କର କାରଣରୁ ତ ଏଇ ଦିଗରେ ଦର୍ଶକର ଦଳ ଆସୁଛନ୍ତି , ଆଉ ଦଳର ଭିତରେ ସବୁବେଳେ କିଏ ନା କିଏ ତ ଅଛନ୍ତି ତାହାର ଶିଳ୍ପକୁ ଯିଏ ମନଦେଇ ଦେଖିବ ; ତାହା ଛଡା ସେ ଯେ ଏଇଠି ଅଛି ସେକଥା ମନେ ପକାଇଦେଲେ କିଏ ଜାଣେ ତା’କୁ ନେଇ ସେମାନେ କେଉଁଠି ଲୁଚାଇ ରଖିଦେବେ , ସେତେବେଳେ ତ ସେମାନଙ୍କର ମନେ ପଡିଯିବ ଯେ ଏଇ ଅନଶନ-ଶିଳ୍ପୀ, ନିରପେକ୍ଷ ବିଚାରରେ କହିଲେ,ଜୀବଜନ୍ତୁଙ୍କ ପଞ୍ଜୁରୀ ଆଡକୁ ଯିବା ବାଟରେ ଗୋଟିଏ ବାଧା ଛଡା ଆଉ କିଛି ନୁହଁ ।
ଖୁବ୍ ଛୋଟ ଗୋଟିଏ ବାଧା,ମାନିବାକୁ ହେବ,ଏମିତି ଗୋଟିଏ ବାଧା ଯାହା ସମୟ ସହିତ ଆହୁରି ଛୋଟ ହୋଇ ଆସୁଛି। ଆଜିକାଲି କିଏ ଯଦି କହେ ସେ ଅନଶନ-ଶିଳ୍ପୀକୁ ଦେଖିବାକୁ ଚାହେଁ ,ଏମିତି କହିପାରିବା ସତରେ ଅଦ୍ଭୁତ କିଛି; କଥାଟିକୁ ସେଇ ହିସାବରେ ଦେଖିବା ଭଳି ଅଭ୍ୟାସରେ ରହିଯାଇଛି ; ଆଉ ସେଇ ଅଭ୍ୟାସ ସହ ମୋହର ମାରିବା ଭଳି ରହିଛି ତାହାର ନିୟତି। ଯେମିତି ଖୁସି ସେ ଅନଶନ କରି ଯାଇ ପାରେ, କେଉଁ ଭଳି କରୁଛି ତାହା କେବଳ ତାହାର ନିଜେ ଜାଣିଲେ ଚଳିବ- ଆଉ ସେ ତାହା ହିଁ କରିଛି,କିନ୍ତୁ ସେଥିରେ ବି ତାହାର କିଛି ରକ୍ଷା ହେଲା ନାହିଁ ,ମଣିଷ ମାନେ ତାହାର ପଞ୍ଜୁରୀକୁ ଅତିକ୍ରମ କରି ଚାଲି ଯାଉଛନ୍ତି । ଆପଣ ଟିକିଏ ଚେଷ୍ଟା କରି ଦେଖନ୍ତୁ ନା ଅନଶନ-ଶିଳ୍ପ କ’ଣ ତାହା କାହାକୁ ଟିକିଏ ବ୍ୟାଖ୍ୟା କରି ବୁଝାଇବାର ଅଛି । କେହି ଯଦି ବିଷୟଟିକୁ ଭିତରୁ ଅନୁଭବ କରି ନପାରେ ,ତାହାଲେ କ’ଣ ସେ କେବେ ବୁଝିବ ଅସଲରେ ଏଇଟି ଥିଲା କ’ଣ ? ସୁନ୍ଦର ବ୍ୟାନରଗୁଡିକ ମଇଳା ହୋଇଗଲା ଓ ପଢାର ଅଯୋଗ୍ୟ ହୋଇଗଲା; ଏହାକୁ ଛିଣ୍ଡାଇ ତଳକୁ କରିବାକୁ ହେଲା, କେହି ନୂଆ ବ୍ୟାନର ଟାଙ୍ଗିବା ପାଇଁ ଭାବିଲା ନାହିଁ ;ଛୋଟ ବୋର୍ଡର ଉପରେ ଯେଉଁଠି କେତେ ଦିନ ଅନଶନ ହେଲା ତାହାର ହିସାବ ଲେଖାହୋଇ ଥାଏ,ଯାହା ଆଗ ଆଗ ଖୁବ୍ ଯତ୍ନ କରି ନିୟମିତ ପ୍ରତିଦିନ ବଦଳା ଯାଉଥିଲା,ସେଇ ବୋର୍ଡ ଏଇଲେ ଦୀର୍ଘଦିନ ପଡିରହୁଛି ସେଇ ଗୋଟିଏ ଅପରିବର୍ତ୍ତନୀୟ ହିସାବ ସହ,କର୍ମଚାରୀ ମାନେ ପ୍ରଥମ କେତୋଟି ଦିନ ଏଇ ଭଳି ସାମାନ୍ୟ ଦିନ ବଦଳାଇବା କାମଟିକୁ କରିବାପାଇଁ ଏଇଠିକୁ ଯିବା-ନଯିବାରେ କ୍ଳାନ୍ତ ହୋଇ ପଡିଛନ୍ତି ; ଅତଏବ ଅନଶନ-ଶିଳ୍ପୀ ତେଣୁ ଅସଲରେ ଅନଶନ କରି ଚାଲିଛି; ଦିନେ ତ ଏଇଟିର ସ୍ୱପ୍ନ ଦେଖୁଥିଲା ସେ,କିନ୍ତୁ କେହି ହିସାବ ରଖିଲେ ନାହିଁ ତାହାର ଅନଶନର କେତେ ଦିନ ହେଲା;କେହି,ଏପରିକି ଅନଶନ-ଶିଳ୍ପୀ ନିଜେ ବି , ଜାଣିଲା ନାହିଁ ଯେ କେତେ ବିଶାଳ ଏକ ସାଫଲ୍ୟ ସେ ଅର୍ଜନ କରିଛି ; ଆଉ ତାହାର ବୁକୁ ଗୋଟିଏ ସମୟରେ ଭରି ଉଠିଲା । ଆଉ କେବେ ଯଦି କୌଣସି ଦିନ କୌଣସି ଦଳ ଛଡା ଦର୍ଶକ ଟିକିଏ ଏଇଠି ଅଟକିଗଲା ତ ବୋର୍ଡର ଉପରେ ଲେଖାଥିବା ପୁରୁଣା ସଂଖ୍ୟାକୁ ଦେଖି ଅନଶନ-ଶିଳ୍ପୀକୁ ବ୍ୟଙ୍ଗ ବିଦ୍ରୁପ କରିବା ଆରମ୍ଭ କରି ଦେବ,କହିବ ଇଏ ଦିନମାରଣ ହେଉଛି – ଏହା ଠାରୁ ଅପମାନଜନକ ମିଥ୍ୟା ଆଉ କିଛି ନହୋଇ ପାରେ, ମଣିଷର ଉଦାସୀନତା ଓ ସ୍ୱଭାବଗତ ବିଦ୍ୱେଷପରାୟଣତା ଭିତରୁ ଏହା ଠାରୁ ଅଧିକ ମିଛ ଆଉ ଜନ୍ମନେଇ ପାରିବ ନାହିଁ ,କାରଣ ଦିନମାରଣ କରି ଅନଶନ-ଶିଳ୍ପୀ କାହାକୁ ଠକାଉ ନାହିଁ,ସେ ତାହାର ଶିଳ୍ପଚର୍ଚ୍ଚା କରି ଚାଲିଛି ସତତାର ସହ,ବରଂ ପୃଥିବୀ ତାହାକୁ ଠକି ଚାଲିଛି , ତାହାର ପ୍ରାପ୍ୟ ପୁରସ୍କାର ଠାରୁ ।
ତାହାପରେ ପୁଣି ଅନେକଦିନ ଚାଲି ଗଲା,ତାହାପରେ ତାହାର ବି ଦିନେ ଶେଷ ହେଲା । ଦିନେ ଜଣେ ଶ୍ରମିକସର୍ଦ୍ଦାର ର ନଜରରେ ପଡିଲା ଏଇ ପଞ୍ଜୁରୀ ,ସେ ତାହାର ସାଥିରେ ରହୁଥିବା ଶ୍ରମିକ ମାନଙ୍କ ନିକଟରୁ ଜାଢିବାକୁ ଚାହିଁଲା ଯେ କାହିଁକି ଏଇ ସୁନ୍ଦର ପଞ୍ଜୁରୀଟିର ଭିତରେ ପଚା ପାଳ ଏମିତି ବିନା କାରଣରେ ପଡି ରହିଛି ,କାହିଁକି ଏହାର ବ୍ୟବହାର କରା ହେଉନାହିଁ ; କେହି ଉତ୍ତର ଦେଇ ପାରିଲେ ନାହିଁ ,ଶେଷରେ ଜଣେ,ଅନଶନର ହିସାବ ରଖାଯାଉଥିବା ବୋର୍ଡ ଟିକୁ ଦେଖି ଅନଶନ-ଶିଳ୍ପୀର କଥାକୁ ମନେ ପକାଇ ପାରିଲା। ସେମାନେ ପଞ୍ଜୁରୀ ଭିତରେ ବିଛା ଯାଇଥିବା ପାଳକୁ ତନ୍ନତନ୍ନ କରି ଖୋଜିବା ବେଳେ ତାହାର ତଳେ ଶେଷରେ ଅନଶନ-ଶିଳ୍ପୀକୁ ପାଇଲେ। “କ’ଣ ଖବର, ତମେ କ’ଣ ଏଯାଏଁ ନ-ଖାଇ ରହିଛ ?”ଶ୍ରମିକ ସର୍ଦ୍ଦାର ପଚାରିଲା,” କେବେ ଏହାକୁ ବନ୍ଦ କରିବ ,କୁହ ?” ” ମୋତେ ତମେ ସମସ୍ତେ କ୍ଷମା କରିଦିଅ” ଫିସଫିସ ଗଳାରେ କହିଲା ଅନଶନ-ଶିଳ୍ପୀ; କେବଳ ଶ୍ରମିକ ସର୍ଦ୍ଦାର ଏକେଲା ହିଁ ପଞ୍ଜୁରୀର କବାଟ ପାଖରେ କାନ ଡେରି ବୁଝିପାରିଲା ଯେ ସେ କ’ଣ କହୁଛି । “ଅବଶ୍ୟ ଦିଆଯିବ”, ଶ୍ରମିକ ସର୍ଦ୍ଦାର କହିଲା, ସେ ତାହାର ହାତରେ ନିଜର କପାଳକୁ ନିନ୍ଦୁଛି,ବାକି ସମସ୍ତଙ୍କୁ ବୁଝାଇବାକୁ ଚାହୁଁଛି ଯେ ଅସଲରେ ଅନଶନ-ଶିଳ୍ପୀର ଅବସ୍ଥା କେତେ କରୁଣ ,”ଆମେ ତମକୁ କ୍ଷମା କରୁଛୁ “। ” ମୁଁ ସବୁବେଳେ ଚାହିଁ ଆସିଛି ମୋର ଅନଶନକୁ ତମେମାନେ ସମ୍ମାନର ଦୃଷ୍ଟିରେ ଦେଖ “,କହିଲା ଅନଶନ-ଶିଳ୍ପୀ । “ହଁ ,ଠିକ୍ ସେମିତି ତ ଆମେ ଦେଖୁ ” ଅମାୟିକ ବିନୟରେ କହିଲା ଶ୍ରମିକ ସର୍ଦ୍ଦାର । “କିନ୍ତୁ ତମମାନଙ୍କର ଏହାକୁ ଶ୍ରଦ୍ଧା-ସମ୍ମାନ ର ସହ ଦେଖିବା ଉଚିତ୍ ନୁହଁ ” ଅନଶନ-ଶିଳ୍ପୀ କହିଲା। “ଠିକ୍ ଅଛି,ଆମେ ତାହାଲେ ସେମିତି ଦେଖିବୁ ନି” ଶ୍ରମିକ ସର୍ଦ୍ଦାର କହିଲା,” ହେଲେ କାହିଁକି ଆମେ ତମର ଅନଶନକୁ ଶ୍ରଦ୍ଧା-ସମ୍ମାନ ଦୃଷ୍ଟିରେ ଦେଖିବୁ ନାହିଁ,କାହିଁକି ?” ” କାରଣ ମୋତେ ଅନଶନ କୁ ଜାରି ରଖିବାକୁ ହେବ ,ମୋର ଆଉ କୌଣସି ଉପାୟ ନାହିଁ “, କହିଲା ଅନଶନ-ଶିଳ୍ପୀ । “ଆଉ କ’ଣ କହିବାର ଅଛି କୁହ?” ଶ୍ରମିକ ସର୍ଦ୍ଦାର କହିଲା ,” କାହିଁକି ତମର ଅନ୍ୟ କୌଣସି ଉପାୟ ନାହିଁ ?” ” କାରଣ” କହିଲା ଅନଶନ-ଶିଳ୍ପୀ ,ଅଳ୍ପ ଟିକିଏ ନିଜର ମଥାକୁ ଟେକି ଓଠ ଦୁଇଟି ଯେମିତି ଚୁମା ଦେବାପାଇଁ ଚାହୁଁଛି ସେମିତି କୁଞ୍ଚିତ, ସିଧା ଶ୍ରମିକ ସର୍ଦ୍ଦାର କାନଭିତରକୁ କହିଲା ଯେମିତି ତାହାର ଗୋଟିଏ ବୋଲି ଶବ୍ଦ ଯେମିତି ଶ୍ରମିକସର୍ଦ୍ଦାରର ଶୁଣିବାର ବାହାରକୁ ନଯାଏ ,” କାରଣ ମୁଁ ଖାଇବାକୁ ପସନ୍ଦ କରେ ଏମିତି କିଛି ଖାଦ୍ୟ ମୁଁ କେବେବି ଖୋଜି ପାଇନାହିଁ । ଯଦି ଖୋଜି ପାଇଯାଇଥାନ୍ତି ,ବିଶ୍ୱାସ କର ,ତାହାହେଲେ କୌଣସି ଝାମେଲା କରନ୍ତି ନାହିଁ ,ମୋର ପସନ୍ଦର ଖାଦ୍ୟଗୁଡିକୁ ପେଟପୂରା ଖାଆନ୍ତି ଠିକ୍ ତମର ଆଉ ଅନ୍ୟ ସଭିଙ୍କ ପରି ।” ଏହା ଥିଲା ତାହାର ଶେଷ କଥା,କିନ୍ତୁ ତାହାର କ୍ଷୀଣ ଆଉ ଦୁର୍ବଳ ଆଖିର ଭିତରେ ସେତେବେଳେ ଦେଖାଯାଉଛି ଗର୍ବ ଟିକକକୁ ବାଦ ଦେଇ କେବଳ ଗୋଟିଏ ଦୃଢ ପ୍ରତ୍ୟୟ ଯେ,ସେ ସେତେବେଳରେ ଅନଶନରେ ରହିଛି।
“ଏଇ,ତାହାଲେ ଏଥର ସବୁ ସାଫ୍ କର !” କହିଲା ଶ୍ରମିକ ସର୍ଦ୍ଦାର,ଏହାପରେ ସେମାନେ କବର ଦେଲେ ଅନଶନ-ଶିଳ୍ପୀକୁ,ବିଛା ଯାଇଥିବା ପାଳ ଗଦାକୁ ,ସବୁକୁ। ପଞ୍ଜୁରୀ ଭିତରେ ତାହାପରେ ଭର୍ତ୍ତି କରିଲେ ସେମାନେ ଗୋଟିଏ ଜୁଆନ ଚିତା । ଏତେ ଦିନର ଏଇ ଶୂନ୍ୟ ପଡିଥିବା ପଞ୍ଜୁରୀରେ ବନସ୍ତର ଏଇ ଦୁର୍ଦ୍ଦାନ୍ତ ଜନ୍ତୁଟି ଡିଆଁମାରି ଚାଲିଛି ଏହାକୁ ଦେଖିବା ତ କୌଣସି ସ୍ଥିରବୁଦ୍ଧି ଲୋକର ପକ୍ଷରେ ସ୍ପଷ୍ଟ ସ୍ୱସ୍ତିର କଥା। ଚିତା ଟାର କୌଣସି କିଛି ର ଅଭାବ ନାହିଁ । ତାହାକୁ ଯେଉଁମାନେ ପାଳିଛନ୍ତି ,ସେମାନେ ତାହାର ପସନ୍ଦର ଖାଦ୍ୟ ଆଣି ଦେଇଥାନ୍ତି,ସେମିତି କିଛି ଏ ବିଷୟରେ ଭାବିବାର ନାହିଁ ; ତାହାକୁ ଦେଖି ମନେ ହୁଏ ସ୍ୱାଧୀନତା ହରାଇବାର ବିଷୟଟି ତାହାର କୌଣସି ଅବସୋସ ନାହିଁ; ତାହାର ଏଇ ରାଜକୀୟ ଶରୀର – ସେଇଠି ଯାହା ଯାହା ଦରକାର ସେ ସବୁକୁ ନେଇ ଶରୀରଟା ପିଛୁଳି ପଡିବାର ଉପକ୍ରମ- ତାହାର ଏଇ ରାଜାର ଶରୀର ଯେମିତି ଏକେବାରେ ନିଜ ଭିତରେ ସ୍ୱାଧୀନତାକୁ ସାଙ୍ଗ କରି ନେଇ ଚାଲିଛି ; ତାହାର ଆଖିପୁଅରେ କେଉଁଠି ଯେମିତି ଗୋପନ ରହିଛି ଏଇ ସ୍ୱାଧୀନତା ; ଆଉ ତାହାର କଣ୍ଠର ଅଗ୍ନିକୁଣ୍ଡରୁ ଜୀବନର ଜୟୋଲ୍ଲାସ ଏଇଭଳି ପ୍ରଚଣ୍ଡ ଭାବରେ ପ୍ରଜ୍ଛଳି ଉଠୁଛି ଯେ ଦର୍ଶକମାନଙ୍କ ପକ୍ଷରେ ଏହାର ଧକ୍କା ସହ୍ୟ କରିବା ସହଜ ନୁହଁ। କିନ୍ତୁ ନିଜକୁ ଶକ୍ତ କରିନେଇଛନ୍ତି ସେମାନେ,ପଞ୍ଜୁରୀକୁ ଘେରି ଠିଆ ହୋଇଛନ୍ତି ସେମାନେ,ଆଉ ଥରେ ସେମିତି ଛିଡା ହୋଇଯାଇଛନ୍ତି ତ ସେଇଠୁ ଘୁଞ୍ଚାଇ ଦିଆଯାଇ ପାରୁନାହିଁ ସେମାନଙ୍କୁ ।
°°°°°
(ଆମର ସୌଭାଗ୍ୟ ଯେ ଫ୍ରାଞ୍ଜ କାଫକା (୧୮୮୩–୧୯୨୪) ବୋଲି ଜଣେ ଲେଖକ ଏଇ ପୃଥ୍ୱୀରେ ରହିଛନ୍ତି । ଏବଂ ଏହା ଆମର ସୌଭାଗ୍ୟ ଯେ ତାଙ୍କର ସର୍ବଶେଷ ଇଚ୍ଛା କୁ ପୂରଣ କରାଯାଇ ନାହିଁ । ତାଙ୍କର ସର୍ବଶେଷ ଇଚ୍ଛା ଥିଲା ଯେ ତାଙ୍କର ଲେଖାମାନ ଚିରକାଳ ସର୍ବସାଧାରଣର ଅପାଠ୍ୟ ହୋଇ ରହିଯାଉ ଆଉ ସର୍ବସାଧାରଣର ଅଗୋଚରରେ ରହିବା ପାଇଁ ସବୁଠୁ ଭଲ ଉପାୟ ଅର୍ଥାତ୍ ତାଙ୍କର ଲେଖାକୁ ଜାଳି ଦିଆଯାଉ ।
କାଫକାଙ୍କ ବଂଧୁ ମାକ୍ସ ବ୍ରଡ ଆମର ସୌଭାଗ୍ୟକୁ ଏହି ବଂଧୁଦ୍ରୋହଟି କରିଥିବା କାରଣରୁ ଆମର ପରମ ସୌଭାଗ୍ୟ ଯେ କାଫକାଙ୍କ ଲେଖାମାନ ଆମ ସହିତ ରହିଛି ଆଉ ମଣିଷର ଆତ୍ମସମୀକ୍ଷା ଆଉ ଗୋଷ୍ଠୀଚେତନା ଥିବାଯାଏଁ ଏହା ମଣିଷ ସହିତ ରହିବା ନିଶ୍ଚିତ।
ଆଧୁନିକ ଚେତନାର ଜର୍ଜରପଣକୁ ବ୍ୟକ୍ତ କରିବା ପାଇଁ କାଫକା ତାଙ୍କର “ମେଟାମରଫୋସିସ୍” ବା “ରୂପାନ୍ତର” ବୋଲି ଏକ ଉପନ୍ୟାସରେ ଠାଏ ଲେଖିଥିଲେ,”ମୁଁ ତମକୁ ବୁଝାଇ ପାରିବି ନାହିଁ। ମୁଁ କାହାକୁ ବୁଝାଇ ପାରିବି ନାହିଁ ମୋହର ଅଭ୍ୟନ୍ତରରେ କ‘ଣ ଘଟୁଛି । ମୁଁ ଏପରିକି ମୋ ନିଜକୁ ମଧ୍ୟ ବୁଝାଇ ପାରିବି ନାହିଁ ।“
ନବୁଝାଇ ପାରିବାର ଏଇ ଭଳି ଯେତେକ ଆଡମ୍ବର ତେବେ କାହିଁକି ?
ଯେମିତି ମିଛକୁ ପାହାଚ କରି ଆମେ ଶେଷରେ ଯାଇ ଅସଲ ସତ ର ନିକଟବର୍ତ୍ତୀ ହୋଇଥାଉ ଠିକ୍ ସେଇ ଭଳି ଏଇ ସବୁ ନବୁଝିପାରିବାର ରୂପାନ୍ତର ଆଉ ଘଟାନ୍ତର କଥା।ଏହାର ନବୁଝିବା ର ପାହାଚ ଚଢି ଚଢି ଆମେ ଶେଷରେ ଶୀର୍ଷରେ ଆମର ଜୀବନବୋଧର ଅସଲ ବୁଝିବାକୁ ବୁଝିପାରିବାକୁ ସକ୍ଷମ ହୋଇଥାଉ ।
ଏଇ କାହାଣୀ କାଫକାଙ୍କ ଜୀବନର ଶେଷ ସମୟରେ ଲେଖା। ମୃତ୍ୟୁ ଶଯ୍ୟାରେ ସେ ଏଇ ଗପଟିର ସଂଶୋଧନ କରୁଥିଲେ । କାଫକା ସେତେବେଳେ ଯକ୍ଷ୍ମାରୋଗରେ ମୃତ୍ୟୁ ସହ ସଂଗ୍ରାମ କରୁଥାନ୍ତି । ସେତେବେଳେ ତାଙ୍କୁ ପାଟି ବାଟେ ଖାଦ୍ୟ ଦେବା ସମ୍ଭବ ପର ହେଉନଥିଲା ଏବଂ ସେତେବେଳେ ଆଜି ଭଳି ରୋଗୀକୁ ବିକଳ୍ପ ଭାବରେ ଖାଦ୍ୟ ଯୋଗାଇ ଦେବାର ବ୍ୟବସ୍ଥା ବିକଶିତ ହୋଇ ନଥିଲା।
ସେ ଦୃଷ୍ଟିରୁ ନ–ଖାଦ୍ୟ ବା ଅନଶନକୁ ଗୋଟିଏ ପ୍ରକ୍ରୀୟା ହିସାବରେ ତାଙ୍କଠାରୁ ଆଉ ଅଧିକ କେହି ବୁଝିନାହିଁ । ଏହି ଭଳି ଏକ ବାଧ୍ୟତାମୂଳକ ଅନଶନର କାରଣରୁ ପ୍ରାଞ୍ଜ କାଫକା ଭଳି ଜଣେ ସର୍ବକାଳର ଶ୍ରେଷ୍ଠ କଥାଶିଳ୍ପୀର ଦେହାବସାନ ଘଟିଛି।
ଏଇ କାହାଣୀରେ ଯେଉଁ ପ୍ରଭାବଶାଳୀ ଇଙ୍ଗିତମାନ ରହିଛି ତାହା ଏହିପରି:
୧| ଶିଳ୍ପୀର ଅନଶନ କରିବା କଥାର ସାର୍ବଜନୀନ ପ୍ରଦର୍ଶନ ହେଉଛି ତାହାର ସୃଜନକର୍ମ। ତେଣୁ ସବୁ ଶିଳ୍ପୀ ବସ୍ତୁତଃ ଜଣେ ଜଣେ ଅନଶନ–ଶିଳ୍ପୀ।
୨| ଶିଳ୍ପୀର ଏଇ ଅନଶନ କର୍ମ ଏକ ସହଜାତ ସ୍ୱାଭାବିକ ଶିଳ୍ପ ପର୍ଯ୍ୟାୟର ଆୟୋଜନ । ଆମେ ଯେମିତି କୌଣସି ଅନଶନକୁ କେବଳ ଏକ ପ୍ରତିବାଦ କର୍ମ ବୋଲି ବିଚାରିଥାଉ କାଫକା ତାଙ୍କର ଏଇ ଅଦ୍ଭୁତ କାହାଣୀରେ ସେଇ ସୀମାବଦ୍ଧତାକୁ ଅତିକ୍ରମ କରିଯାଇଛନ୍ତି।
୩| ଶିଳ୍ପୀ ତାହାର ଅନଶନ–ଶିଳ୍ପ କର୍ମକୁ ଗୋଟିଏ ପଞ୍ଜୁରୀ ଭିତରେ ପ୍ରଦର୍ଶନ କରିଥାଏ। ଏଇଠି ଗୋଟିଏ ପଞ୍ଜୁରୀ ଶିଳ୍ପୀର ଚିରକାଳର ଅବଧାରିତ ବାସସ୍ଥାନ ହିସାବରେ ସମାଜ ଠାରୁ ଶିଳ୍ପୀର ବ୍ୟବଧାନ ଏବଂ ବିଚ୍ଛିନ୍ନ–ଏକାକୀତ୍ୱ ବା ଆଲିଏନେସନ୍ କୁ ବୁଝାଇ ଥାଏ।
୪|ସମାଜର ଆଗ୍ରହ ଚିରକାଳ ସର୍କସ। ତେଣୁ ସର୍କସର ପଞ୍ଜୁରୀରେ ଜୀବଜନ୍ତୁ ଆଉ ପଞ୍ଜୁରୀରେ ମଣିଷ ଅନଶନ–ଶିଳ୍ପୀ, ଏଇ ଦୁଇଟିର ଦ୍ୱନ୍ଦ୍ୱ ସହ ସମାଜ ଦର୍ଶକ ଆକାରରେ ଗତିଶୀଳ।
୫|ଶିଳ୍ପୀ ତାହାର ଅନଶନ–ଶିଳ୍ପକୁ ଜାରି ରଖିବାକୁ ଚାହେଁ । କାରଣ ଅନଶନରୁ ବିରତ ରହିଲେ ସିଏତ ଆଉ ଶିଳ୍ପୀ ହୋଇ ରହିବ ନାହିଁ।ତାହାର ଏଇ ଅନଶନକୁ ଜାରି ରଖିବାର ସ୍ୱାଧୀନତା ନିରଙ୍କୁଶ ହେବାର ପ୍ରୟୋଜନ ଅଛି। ଅନ୍ୟ ପକ୍ଷରେ ନ–ଖାଦ୍ୟ ର ଅସ୍ୱାଭାବିକତା କୁ ମାନିନେବା ପାଇଁ ସମାଜ ଅନ୍ୟ ପକ୍ଷରେ ରହୁନାହିଁ ।
କାହାଣୀର ଉପସଂହାରରେ ପଞ୍ଜୁରୀ ଭିତରେ ଅନଶନ–ଶିଳ୍ପୀର ଅନୁପସ୍ଥିତି କୁ ଗୋଟିଏ ଚିତାବାଘର ଦର୍ପିତ ଆଲୋଡନରେ ଦର୍ଶକପ୍ରିୟ କରିଦେବାର କାରୁଣ୍ୟ ଆମକୁ ଯେଉଁ ମଣିଷର ଜୀବନବୋଧର ଇଂଗିତ ଦେଇଥାଏ ତାହାର ଆଧାରରେ ଆମେ ଜଣେ ଶିଳ୍ପୀ ଆଉ ତାହାର ଶିଳ୍ପ ଏବଂ ଏହାର ମଧ୍ୟବର୍ତ୍ତୀ ସ୍ଥାନରେ ରହିଥିବା ଦୁଇଟି ପ୍ରମୁଖ ବିନ୍ଦୁ ଯଥା ଅନଶନ ଆଉ ଦର୍ଶକ ,ଏହାର ଜୀବସତ୍ତା ବା ଅଣ୍ଟୋଲୋଜିକୁ ହୁଏତ ବୁଝିପାରିବା।)