ଛବି ଦେଖିବାର କଳା (୧)

ମୂଳ ଲେଖା : ଅଶୋକ ମିତ୍ର || ଅନୁବାଦ : ଜ୍ୟୋତି ନନ୍ଦ

ଯେ କୌଣସି ଦେଶ ଆଉ କାଳରେ ଚିତ୍ରକଳାର ରସ କେଉଁଭଳି ଆସ୍ୱାଦନ କରିବାକୁ ହୁଏ, ସେଇ ରସ-ଆସ୍ୱାଦ ର ମୂଳରେ କ’ଣ କ’ଣ ଥାଏ ,ଏଇଠି ସେଇ ବିଷୟରେ କିଛି ଅବତାରଣା କରାଯିବ। ତେବେ ଏଇଠି କୌଣସି ପାଠକ ଯେମିତି ମନେ ନକରନ୍ତି ଯେ ଚିତ୍ରବିଚାର ବା ରସାସ୍ୱାଦର ଏକମାତ୍ର ବାଟର  ନିର୍ଦ୍ଦେଶ ଏଇ ଲେଖାରେ ଦେବାର ସ୍ପର୍ଦ୍ଧା କରାଯାଇଅଛି । ଯେଉଁଠି କିଛି ମତାମତକୁ ଜୋର୍ କରି କୁହାଯାଇଛି ,ସେଇକଥାକୁ ସେମାନେ  ଯେମିତି  ଅନେକ ମତ ଭିତରୁ ଗୋଟିଏ ମତ ବୋଲି ଧରି ନେବେ। ଏମିତିରେ କୌଣସି ମତ ଚୂଡାନ୍ତ ମତ ହୋଇପାରିବ ନାହିଁ,ଠିକ୍ ସେମିତି ସୃଷ୍ଟିର କୌଣସି ବ୍ୟାଖ୍ୟା ହିଁ ଚୂଡାନ୍ତ ବ୍ୟାଖ୍ୟା ହୋଇପାରିବ ନାହିଁ ।

ରସାସ୍ୱାଦ କଥାଟିକୁ ଏଇଠି ଯାହାକୁ ଇଂରେଜୀରେ କହିଥାନ୍ତି ଏସ୍ଥେଟିକ୍ ଏକ୍ସପେରିଏନ୍ସ ତାହାରି ସହିତ ସାମିଲ କରାଯାଇଛି। ଚିତ୍ରକଳାର ରସାସ୍ୱାଦ ପଛରେ ଆମ ଆଗରେ ଅନେକ ବାଧା ଉପସ୍ଥିତ ହୋଇଥାଏ। ଆମେ ଯେଉଁ ସମାଜରେ ବାସକରୁ ତାହା କହିବାକୁ ଗଲେ ଶିଳ୍ପକଳା ସମ୍ବନ୍ଧରେ ଉଦାସୀନ। ସେଇ ଭଳି ଗୋଟିଏ ସମାଜରେ ବସବାସ କରିବା ଫଳରେ ଆମମାନଙ୍କର ଅଗୋଚରରେ ଯେଉଁ ସମସ୍ତ ଅଭ୍ୟାସ ଏବଂ ଧ୍ୟାନଧାରଣା ଆମର ଚୈତନ୍ୟକୁ ଆବୃତ କରିଥାଏ,କାଳକ୍ରମେ ସେଗୁଡିକ ରସାସ୍ୱାଦର ପଥରେ ବିଶେଷ ଅନ୍ତରାୟ ହୋଇ ଉଠେ। ଯେତେବେଳେ ଚିତ୍ରରସବହିର୍ଭୂତ ଅନ୍ୟାନ୍ୟ କାରଣ ଆସି ରସବୋଧର ବାଟକୁ ଅଟକାଇ ଛିଡାହୋଇଯାଏ ,ସେତେବେଳେ ସେଗୁଡିକ ଆମକୁ ପ୍ରାୟତଃ ଭୁଲ ପଥରେ ନେଇଯାଏ ,ବିଭ୍ରାନ୍ତି ଘଟାଏ,ରସର ମୂଲ୍ୟବିଚାରରେ ଗଣ୍ଡଗୋଳ ସୃଷ୍ଟି କରେ। ବ୍ୟବହାରିକ ,ଭାବାବେଗଜାତ,ଅଥବା ସାମାଜିକ ବିଚାରରେ ଦୁର୍ନୀତି ସୁନୀତିର ମୂଲ୍ୟବୋଧ ଚିତ୍ରରସର ପ୍ରକୃତ ବିଚାରରେ ଅନେକ ସମୟରେ ବାଧା ହୋଇ ଛିଡାହୁଏ। ସୁତରାଂ ଛବିର ପ୍ରକୃତ ମୂଲ୍ୟ କେଉଁଥିରୁ ଆସିବ ସେ ବିଚାରର ଆଗରୁ ସେହି ମୂଲ୍ୟ କେଉଁଥିରୁ ଆସେ ନାହିଁ ପ୍ରଥମେ ସେଇତକ ସ୍ପଷ୍ଟକରି କହିବା ଦରକାର ।

Mural at Ajanta Cave

ଆଖିରେ ଯେଉଁଭଳି ଦେଖୁଛି ତାହାର ଯଥାଯଥ ଫଟୋଗ୍ରାଫିକ ପ୍ରତିଛବି ସୃଷ୍ଟିକରିବା ଛବିର କାମ ନୁହଁ। ବିଷୟବସ୍ତୁର ନିଖୁଣ,ଅବିକଳ ପ୍ରତିଚ୍ଛବି ଅଥବା ନଥି ପ୍ରମାଣ ହିସାବରେ ସାର୍ଥକତା ଅସାର୍ଥକତା ଛବିର ଅସଲ ମୂଲ୍ୟ ନୁହଁ। ନିଚ୍ଛକ ଅନୁସରଣରେ ବିଷୟବସ୍ତୁର ଅସଲ ସତ୍ତା ବା ଚରିତ୍ରଗତ ବୈଶିଷ୍ଟ୍ୟ

ଫୁଟି ଉଠେ ନାହିଁ,ଆଉ ଯାହାର ମୂଲ୍ୟ ନଥି ବା ପ୍ରମାଣ ହିସାବରେ କହିବାକୁ ଗଲେ ମୁଖ୍ୟ ତାହାର ବ୍ୟବହାରିକ ମୂଲ୍ୟ ହିଁ ପ୍ରଧାନ। ବାହ୍ୟ ଗୁଣାଗୁଣ ଏବଂ ଲକ୍ଷଣ କ୍ୟାମେରା ଭଲଭାବରେ ନଥିବଦ୍ଧ କରେ,କିନ୍ତୁ ବାହ୍ୟରୂପର ଅନ୍ତରରେ କ’ଣ ଲୁଚିରହି ଅଛି ତାହାର ସନ୍ଧାନ କ୍ୟାମେରା ଦିଏନାହିଁ । ଆଉ ଆମେମାନେ ଛବିର ନିକଟରେ ଠିକ୍ ଏଇକଥା ହିଁ ଦାବୀ କରୁ। ବସ୍ତୁର ବାହ୍ୟରୂପର ଅଭ୍ୟନ୍ତରରେ କେଉଁ ଗୁଣାଗୁଣ ରହିଛି ,ତାହାର ସ୍ୱରୂପ କ’ଣ, କେଉଁ ଘଟଣା ବା ବିଶେଷ ଅବସ୍ଥାର ଅନ୍ତର୍ନିହିତ ମୂଲ୍ୟ ,ତାତ୍ପର୍ଯ୍ୟ କ’ଣ ,ଚିତ୍ରରେ ଆମେ ତାହା ଦେଖିବାକୁ ଚାହୁଁ,ତାହାର ହିଁ ରସସୃଷ୍ଟି ମାଧ୍ୟମରେ ଅଭିଭୂତ ହେବାକୁ ଚାହୁଁ ; ଅର୍ଥାତ୍ ଆମକୁ ସାହାଯ୍ୟ ନକରିଲେ ଆମକୁ ନ ଦେଖାଇଦେଲେ ଆମେମାନେ ନିଜେ ନିଜେ ଯାହା କୌଣସି ଦିନ ଦେଖିପାରିନଥାନ୍ତୁ ,ଚିତ୍ରଶିଳ୍ପୀ ଆମକୁ ସେଇ ଜିନିଷ ସେଇ ଦେଖିବା କଥାକୁ ଶିଖାଇଥାନ୍ତି,ସେଇ ବିଷୟରେ ଆମର ଆଖି ଖୋଲିଦେଇଥାନ୍ତି । ଏଇଭଳି ଦେଖାଇବା ଶିଖାଇବା ଭିତରେ,ଆଖିକୁ ଖୋଲି ଦେବାକୁ ଯାଇ ସେମାନଙ୍କୁ କେତେଗୁଡିଏ ବ୍ୟବସ୍ଥାର ସାହାଯ୍ୟ ନେବାକୁ ହୁଏ : ଯେମିତି ,ସାଧାରଣ ଜିନିଷ ଯେଉଁପରି ସୁସଜ୍ଜିତ ଥିବା କଥା,ତାହା ଦେଖିବାରେ ଆମେମାନେ ଅଭ୍ୟସ୍ତ ତାହାର ଚିରାୟତ ରୂପ ଏବଂ ଆକାରକୁ ସେମାନେ କିଛି ପରିମାଣରେ ବଦଳାଇ ଦିଅନ୍ତି ;ତା’ ପରିବର୍ତ୍ତେ ସେଗୁଡିକୁ ଏଇ ଭଳି ସଜାଇଥାନ୍ତି,ତାହାର ଏଇମିତି ଗୋଟିଏ ରୂପ ସହିତ  ଆମମାନଙ୍କର ପରିଚୟ କରାଇଥାନ୍ତି ଯାହା ହୁଏତ ଫଟୋଗ୍ରାଫିର ଦୃଷ୍ଟିରୁ ଦେଖିଲେ ମୋଟେ ଯଥାଯଥ ନୁହଁ। ଏହାକୁ ବାଦ  ଦେଇ ଆମର ଦାବୀ  ଚିତ୍ରଶିଳ୍ପୀର ନିକଟରେ ବଢିଚାଲୁଥାଏ। ଯେମିତି ,ଆମେ ପ୍ରାକୃତିକ ଦୃଶ୍ୟର ଚିତ୍ରରେ ଆଶା କରୁ ଯେ ଚିତ୍ରଶିଳ୍ପୀ ସେଥିରେ ପ୍ରକୃତିର ପ୍ରାଣରହସ୍ୟର ଆଭାସ ଦେବେ। ପ୍ରତିକୃତି ବା ପ୍ରୋର୍ଟ୍ରେଟ୍ ରେ ଆଶା କରୁ ଯେ ଶିଳ୍ପୀ ଯାହାର ପ୍ରତିକୃତି ଆଙ୍କିଛନ୍ଥି ତାହାର ଚରିତ୍ର ଟି ବା ଲକ୍ଷଣଗୁଡିକ ସଠିକ ଫୁଟାଇ ତୋଳି ଥିବେ। କହିବା ବାହୁଲ୍ୟ ଏଇସବୁ ଆଭାସ ବା ଲକ୍ଷଣ କ୍ୟାମେରାର ଆୟତ୍ତର ବାହାରେ ; ନଥି-ଦଲିଲ ର ଭିତରେ କୌଣସି ମତେ ଆବଦ୍ଧ ରହିବାର ନୁହଁ ; ଏଇ ସବୁ ବିଷୟ ଶିଳ୍ପୀର ବିଚାରବୋଧର କଥା।

Mural at Biranchinarayan temple Buguda, Odisha

ଗୋଟିଏ ନିତାନ୍ତ ଭୁଲ ଧାରଣା ଖୁବ୍ ପ୍ରଚଳିତ ଅଛି। ସାଧାରଣତଃ ଲୋକର ଧାରଣା ଯେ ଛବିରେ ଗୋଟିଏ ଗଳ୍ପ ରହିବା ଦରକାର,ଆଉ ଶିଳ୍ପୀର ଉତ୍କର୍ଷ ପ୍ରମାଣ ହୁଏ ସେଇ ଗଳ୍ପଟିକୁ ସେ କେତେ ଭଲଭାବରେ ବଖାଣ କରି,ଅଥବା ନୀତିବାରି ସିଞ୍ଚନ କରି ଆମ ଆଗରେ ପରଷି ଦେଇଛନ୍ତି ,ସେଇ କଥାରେ। ଏଇ ଧାରଣା ଅନ୍ୟାୟ ନୁହଁ କି ଅସ୍ୱାଭାବିକ ନୁହଁ । ତାହାର କାରଣ ଆମେମାନେ ସମସ୍ତେ ବାସ୍ତବ ଜୀବନ ସଂପର୍କରେ ଆଗ୍ରହଶୀଳ ଏବଂ ବାସ୍ତବ ଜୀବନରେ ବାସ୍ତବ ପଦାର୍ଥ ବା ବାସ୍ତବ ଘଟଣା ଆମମାନଙ୍କର ମନରେ ଯେଉଁ କୌତୁହଳ ସୃଷ୍ଟିକରେ ଛବିରେ ବି ଆମେ ଅନେକ ସମୟରେ ତାହାର ପ୍ରତିଫଳିତ ହେବା ଦେଖିବାକୁ ଚାହୁଁ । ସାର୍ଥକ ଚିତ୍ରରେ ଗଳ୍ପ ରହିପାରେ,ନ ରହି ବି ପାରେ ; ଯଦି ରହେ ତେବେ ଚିତ୍ର ବିଚାରରେ ତାହା ଅଧିକସ୍ତୁ। କାରଣ ଛବିର ଏକମାତ୍ର ସତ୍ୟବିଚାର ହେଉଛି ରସୋତ୍ତୀର୍ଣ୍ଣ ପ୍ଲାଷ୍ଟିକ ଶିଳ୍ପସୃଷ୍ଟିର କାର୍ଯ୍ୟରେ ଶିଳ୍ପୀ ତାହାର ଉପାଦାନ କେତେ ପରିମାଣରେ ସାର୍ଥକ ଭାବରେ ନିୟୋଗ କରିଛନ୍ତି ତାହାର ଉପରେ ; ସେଇଠି ଛବିର ଆଖ୍ୟାନଟି କେତେ ପରିମାଣରେ ସାର୍ଥକ ଭାବରେ କୁହାଯାଇଛି,ଅଥବା ତାହାର ନୀତି ଉପଦେଶଟି କେତେ ମହତ ,ସେଇ ପ୍ରସଙ୍ଗ ଅବାନ୍ତର। ମୁସ୍କିଲ୍ ହୁଏ ଯେତେବେଳେ ଏଇ ବିଭିନ୍ନ ବିଚାରର ଜଗତଗୁଡିକୁ ଆମେମାନେ ଏକାଠି ମିଶାଇପକାଉ; ଅର୍ଥାତ୍ ଚିତ୍ରର ସାହିତ୍ୟିକ ମୂଲ୍ୟ ବା ନୀତିଗତମୂଲ୍ୟ ଆମେମାନେ ତାହାର ଚିତ୍ରଗତମୂଲ୍ୟ ର ତୁଲ୍ୟମୂଲ୍ୟ ବୋଲି ଭୁଲ କରୁ। ଛବିକୁ ସାହିତ୍ୟିକ ରସ ବା ସୁନୀତି ପ୍ରଚାରର କ୍ଷେତ୍ର ବୋଲି ଧରି ନେଉ। ଅଧିକାଂଶ ଲୋକମାନଙ୍କ ପକ୍ଷରେ ଏଇ ଭ୍ରମଟି ହିଁ ଦୁସ୍ତର ବାଧା ହୋଇ ଛିଡା ହୋଇଯାଏ ।

ଚିତ୍ରରସାନୁଭୂତିର ପଥରେ ଆଉ ଗୋଟିଏ ଖୁବ୍ ବଡ ଅନ୍ତରାୟ ଅଛି। ଆମେମାନେ ସାଧାରଣତଃ ନିଚ୍ଛକ ନୈପୁଣ୍ୟ, କୌଶଳ, ଉସ୍ତାଦି,ବାହାଦୁର କାର୍ଯ୍ୟକୁ ରସୋତ୍ତୀର୍ଣ୍ଣ ଶିଳ୍ପ ରେ ସାମିଲ୍ କରିଥାଉ,ଭାବିଥାଉ ଯେ,ଯେଉଁ କାର୍ଯ୍ୟରେ ଯେତେ କୌଶଳ ଯେତେ ଦକ୍ଷତା ରହିଥିବ ତାହା ସେତିକି ପରିମାଣରେ ରସୋତ୍ତୀର୍ଣ୍ଣ ଶୁଦ୍ଧ ଶିଳ୍ପ ହେବ ଏଇ ଭଳି ଭୁଲ୍ କୁ ଖୁବ୍ ଦୋଷ ଦିଆଯାଏ ନାହିଁ , କାରଣ ଚିତ୍ରକଳା ତ କେବଳ ସୃଜନୀପ୍ରତିଭାର ପ୍ରକାଶ ନୁହଁ,ତାହା ମଧ୍ୟରେ କାରିଗରୀ ଯଥେଷ୍ଟ ଥାଏ ;ଚିତ୍ରଶିଳ୍ପ ଗୋଟିଏ ପ୍ରକାରର ହାତର କାମ,ବିଶେଷ ଏକ ଧରଣର ଟେକନିକ୍ ଆୟତ୍ତ  ଓ ପ୍ରୟୋଗର ମଧ୍ୟରେ ହିଁ ତାହାର ପ୍ରକାଶ ହୁଏ । ଅନ୍ୟାନ୍ୟ ହାତର କାମର କାରିଗରୀ ଭଳି ହିଁ ଛବି ଆଙ୍କିବା ବିଷୟରେ ସ୍ୱଭାବପଟୁତା ସହ ଆବଶ୍ୟକ ଶିକ୍ଷା ; ଆଉ ତାହା ଉପରେ ଅନୁଶୀଳନ ରହିଥିଲେ ମଣିଷ ଆସ୍ତେ ଆସ୍ତେ ରଂଗର ତୁଳି ବ୍ୟବହାର କରିବା ଶିଖେ । ତେଣୁ ଶହେରୁ ଅଧିକ କାରିଗରମାନଙ୍କ ଭିତରେ ଯେମିତି ଜଣେ ଅଧେ ଉସ୍ତାଦ ବା ଶ୍ରେଷ୍ଠ କାରିଗର ଥାଇ ପାରନ୍ତି ସେହି ଭଳି ଶହ ଶହ ନିପୁଣ ଚିତ୍ରକରଙ୍କ ଭିତରେ ଜଣେ ଅଧେ ପ୍ରକୃତ ପ୍ରତିଭାଧର ଚିତ୍ରଶିଳ୍ପୀ ହୋଇପାରନ୍ତି। ଛବିରେ ଏଇ ସମସ୍ତ ଟେକନିକାଲ୍ କୌଶଳ ଚିହ୍ନିବାର ବିଦ୍ୟାକୁ ଆୟତ୍ତ କରିବା ଖୁବ୍ କଠିନ ନୁହଁ,କିନ୍ତୁ ଟେକନିକାଲ୍ କୌଶଳପ୍ରସୂତ କାର୍ଯ୍ୟ ଭିତରୁ କେଉଁଟି ମହତ,କେଉଁଟି ବା ମାମୁଲି,ତାହା ଚିହ୍ନିବା ଭଳି ବିଦ୍ୟା ଆୟତ୍ତ କରିବା ସତରେ ବଡ ଶକ୍ତ; ଶତ ଶତ ନିପୁଣ କାର୍ଯ୍ୟ ଭିତରୁ କେଉଁଟି ଶିଳ୍ପୀର ପ୍ରତିଭାମଣ୍ଡିତ,ଅଭ୍ରାନ୍ତ ଦୃଷ୍ଟିରେ ନିର୍ଣ୍ଣୟ କରିବା ଖୁବ୍ କଠିନ। ଚିତ୍ରଶିଳ୍ପରେ କେବଳ ନୈପୁଣ୍ୟ ଏବଂ କୌଶଳ ଖୋଜିବା ,ଆଉ ପାଣ୍ଡିତ୍ୟାଭିମାନ ବା ଏକାଡେମିକ ଦକ୍ଷତା ସମ୍ବନ୍ଧରେ ଭକ୍ତି,ସମାନ କଥା,ସେଥିରେ ମଣିଷ ଶସଟି ଫୋପାଡି ଦେଇ ଖୋସାଟିକୁ ଧରେ,କାୟାର ବଦଳରେ ଛାୟାକୁ ସତ ମନେ କରେ ।

ଦ୍ୱିତୀୟ ଭୁଲ୍ ଟି ପ୍ରଥମ ଭୁଲ୍ ର ତୁଳନାରେ ଅନେକ ବେଶି ମାରାତ୍ମକ। କାରଣ ଶିକ୍ଷାର୍ଥୀ ଯେତେବେଳେ ପ୍ରଥମ ଛବି ଦେଖିବାକୁ ଆରମ୍ଭ କରେ ,ବର୍ଣ୍ଣନା ଆଖ୍ୟାନ ସାହିତ୍ୟିକ ରସ ବା ଫଟୋଗ୍ରାଫସୁଲଭ ଯଥାର୍ଥ ର ସହିତ ଚିତ୍ରରସର ଗୋଳମାଳ କରି ପକାନ୍ତି ,ସେତେବେଳେ ସେଇଟି ଖୁବ୍ ଭାରାତ୍ମକ ଭୁଲ୍ ହୁଏନାହିଁ ଏଇ ହିସାବରେ, ଯେ ସେମାନେ ଜାଣନ୍ତି ଯେ ତାହାର ଭୁଲ୍ ହେବ,କାରଣ ସେ ଏଇମାତ୍ର ଶିଖିବା ଆରମ୍ଭ କରିଛି। କିନ୍ତୁ ଏକାଡେମିଶିଆନ୍ ବା ଏକାଡେମିକ ଶିଳ୍ପୀ ଅଥବା ସମାଲୋଚକ ,ଯେଉଁମାନେ ମହାରଥୀମାନଙ୍କର କୌଶଳ ସହ ଭଲ ଭାବରେ ଅବଗତ,ସେମାନେ ମନେ କରିଥାନ୍ତି ଯେ ସେ ସବୁ ପ୍ରାୟ ଶିଖିନେଇଛନ୍ତି,ତେଣୁ ତାହାର ମନ ନିଚ୍ଛକ ଚିତ୍ରକୌଶଳ ବା ଟେକନିକ୍ ଛଡା ଅନ୍ୟ ସବୁର ଅସ୍ତିତ୍ୱକୁ ଅସ୍ୱୀକାର କରେ ; ସେ ଖୋଲାମନରେ ଅନାବୃତ ଆଖିରେ ଦେଖିବା ଭଳି କାମକୁ ଭୁଲିଯାଆନ୍ତି । ଅତୀତର ପ୍ରାଣସ୍ପନ୍ଦନ ଓ ଆତ୍ମା,ଅତୀତର ସୃଷ୍ଟିରୂପରେ ଆଉ ଫର୍ମରେ ଯେଉଁଭାବରେ ଆବଦ୍ଧ ରହିଛି ତାହାର ଆଖି କେବଳ ସେଥିରେ ହିଁ ନିବଦ୍ଧ ଥାଏ,ଫଳରେ ତାହାର ସମସାମୟିକ କାମଗୁଡିକରେ ସେ ସେହି ପ୍ରାଣର ସ୍ଫୁରଣ,ପ୍ରକାଶ ଏବଂ ବ୍ୟଞ୍ଜନାକୁ ଅବହେଳା କରନ୍ତି,ଏପରିକି ତାହାର ଆଖିରେ ଆଙ୍ଗୁଳି ଦେଇ ସେଇସବୁ ଅଭିବ୍ୟକ୍ତି ଦେଖାଇଦେଲେ ବି ସେ ତାହାକୁ ଦେଖିବାକୁ ଚାହାଁନ୍ତି ନାହିଁ ।ଠିକ୍ ଏଇ କାରଣରୁ ଯୁଗେ ଯୁଗେ ଶିଳ୍ପଜଗତରେ ଯେଉଁସବୁ ନିତ୍ୟ ନୂତନ ଆନ୍ଦୋଳନ ହୋଇଛି ତାହାର ସବୁଠାରୁ ଦୁର୍ଦ୍ଧର୍ଷ ଶତ୍ରୁ ହୋଇଛନ୍ତି ଅସହିଷ୍ଣୁ,ବିରୁଦ୍ଧବାଦୀ, କୁତ୍ସାବ୍ରତୀ, ପଣ୍ଡିତମନ୍ୟ ଏକାଡେମିଶିଆନ ଦଳ,ଅନୁତ୍ସୁକ ଜନସାଧାରଣ ଦଳ ନୁହଁ । କାରଣ ଜନସାଧାରଣ ଜାଣିବେ ବା ବୁଝିପାରିବେ ନାହିଁ ଯେ ଏଇ ଧରଣର ପଣ୍ଡିତମାନେ ଯାହା କହନ୍ତି ତାହା କେବଳ ଚିତ୍ରର କଳାକୌଶଳ ବା ଟେକନିକ୍ ସମ୍ବନ୍ଧରେ ହିଁ ପ୍ରଯୁଜ୍ୟ ,ତାହାର ଶୁଦ୍ଧ ଶିଳ୍ପସତ୍ତା ସମ୍ବନ୍ଧରେ ନୁହଁ; ଫଳରେ ସେମାନେ ସେଇ ସବୁ କଥାକୁ ଶୁଣି ଖୁବ୍ ଚମତ୍କୃତ ହୁଅନ୍ତି ।  ଅବଶ୍ୟ ପଣ୍ଡିତମାନଙ୍କର ଉକ୍ତି ଜ୍ଞାନତଃ ଦୂରଭିସନ୍ଧିପ୍ରଣୋଦିତ ନ ହୋଇ ପାରେ,ଏବଂ ଖୁବ୍ ସମ୍ଭବତଃ ଦୂରଭିସନ୍ଧିପ୍ରଣୋଦିତ ହୁଏନା । ତାହାର କାରଣ ଯେଉଁମାନେ ଚିରକାଳ ପୁରୁଣା ଚିହ୍ନା ଜିନିଷ ନେଇ ଘଣ୍ଟାଘଣ୍ଟି କରିଛନ୍ତି,ସେମାନଙ୍କ ନିକଟରେ ଯେ କୌଣସି ନୂତନ ପଦାର୍ଥର ନୂତନତ୍ୱ ହିଁ ସବିଶେଷ ପୀଡାଦାୟକ ହୁଏ,ବିରକ୍ତି ଘଟାଏ । ପୁରୁଣା,ବହୁଯତ୍ନରେ ସଂଚିତ ବହୁମୂଲ୍ୟ ଅଭ୍ୟାସର ମୂଳରେ ଟାଣ ପଡେ,ଯୁଦ୍ଧ ଘୋଷଣାର ଶୋରଶବ୍ଦ ଶୁଭେ। ଯେଉଁ ସବୁ ବିଚାରର ରାୟ ଅନେକଦିନ ହେଲା ଜାରି ହୋଇଯାଇଛି ,ସେହି ସବୁ ସିଦ୍ଧାନ୍ତ ସହିତ ବହୁଦିନ ଧରି ଏକାଡେମିକ ପଣ୍ଡିତ ଏକମତ ରହିଥିବାର କାରଣରୁ ତାଙ୍କ ନିକଟରେ ସେତେବେଳେ ସେହିସବୁ ଅଭିମତ ଅତିପ୍ରିୟ ହୋଇ ଯାଇଛି ,ସେଗୁଡିକୁ ଝାଡି ପରିଷ୍କାର କରିବା ବା ଓଲଟାଇ ଦେବା ସେମାନଙ୍କ ପକ୍ଷରେ ଖୁବ୍ କଠିନ କାର୍ଯ୍ୟ ହୋଇପଡେ। ସେତେବେଳେ ସ୍ୱାଭାବିକ ଜଡତା ଓ ସ୍ଥବିରତ୍ୱର ସହିତ ଅହଙ୍କାର ଆସି ଯୋଗଦିଏ।ଦୁଇଜଣଯାକ ମିଶି ଯିଏ ମୃତ ତାହାର ପକ୍ଷ ନିଅନ୍ତି,ଯାହା ଜୀବନ୍ତ ତାହାର ବିରୁଦ୍ଧାଚରଣ କରିଥାନ୍ତି ।

( ଦି ଆର୍ଟ ଅଫ୍ ସିଙ୍ଗ୍” ବା ଦେଖିବାର କଳା ବୋଲି ଗୋଟିଏ ଚର୍ଚ୍ଚିତ ବିଚାର ସମସ୍ତ ସୃଜନକର୍ମରେ ରହିଥାଏ । କୌଣସି ଶିଳ୍ପକର୍ମ ଯେତେବେଳେ ଆମ ସାମ୍ନାରେ ଉପସ୍ଥିତ  ହୋଇଥାଏ ଆମେ ସେହି ଶିଳ୍ପକର୍ମକୁ ଆମର  ପ୍ରଥମ ଦର୍ଶନରେ  କେଉଁ ଭଳି ଦେଖିଥାଉ ଆଉ ସେହି ଭଳି ଦେଖିବା ପଛର ଅସଲ ସ୍ୱରୂପ ଟି କ’ଣ ଆଉ ଆମର ସେହି ଦେଖିବା କଥାଟି କ’ଣ ନିଖୁଣ ଅଥବା ଆମର ଦେଖିବା କାମଟି ରେ କିଛି ଉନ୍ନତିମୂଳକ ବ୍ୟବସ୍ଥାପନା ରହିଛିକି ଅର୍ଥାତ୍ ଆମର ଆଖିରେ ଆମେ ଯାହା ଦେଖୁ ତାହାପାଇଁ ଆମର ବସ୍ତୁତଃ କିଛି ପ୍ରାକ୍-ଶିକ୍ଷା ର ଆବଶ୍ୟକତା ଅଛି କି ,ଏଇ ଭଳି କିଛି ମୌଳିକ ପ୍ରଶ୍ନର ଉତ୍ତର ଖୋଜିବାକୁ ଯାଇ ଏଇ ଆଲେଖ।

ଗୋଟିଏ ପଟେ ଶିଳ୍ପକର୍ମ ଏବଂ ଅନ୍ୟ ପକ୍ଷରେ ତାହାର ଦର୍ଶକ ,ଏହି ଦୁଇ ସଂପର୍କକୁ ଆମେ ସାଧାରଣଭାବରେ ଏକ ସ୍ୱାଭାବିକ ପ୍ରକ୍ରିୟା ବୋଲି ବିଚାର କରି ଏହା ପଛର ସମସ୍ତ ଗଭୀରତା, ଜଟିଳତା ଆଉ ବିବିଧତାକୁ ଏଡାଇଯାଇଥାଉ।

ଶିଳ୍ପକର୍ମରେ ବା ପୃଥିବୀରେ ଆମ ଚାରିପାଖରେ ଯାହା ଘଟୁଛି ତାହାର ଅସଲ ସ୍ୱରୂପକୁ ବୁଝିବାକୁ ହେଲେ ଆମେ ଆମର ଆଖି ହଳକୁ ଯଥେଷ୍ଟ ପ୍ରଶିକ୍ଷିତ କରିବାକୁ ହେବ। ଏଇ ଆଲେଖର ତାହା ହେଉଛି ପ୍ରମୁଖ କଥା।

ଆମେମାନେ ସୃଜନାତ୍ମକ ପ୍ରକ୍ରିୟା ସହ ଜଡିତ ହୋଇ ରହିବାକୁ ଭଲପାଉ। ତେଣୁ ଆମକୁ ଆମ ସାମ୍ନାର ଦର୍ଶନସ୍ୱରୂପର ଯଥାଯଥ ବିଚାର ନିମନ୍ତେ ଆମକୁ ଉପଯୁକ୍ତ ଦର୍ଶକ ବା ପାଠକ ହେବାକୁ ପଡିବ।

ବିଶିଷ୍ଟ ଚିତ୍ରସମୀକ୍ଷକ ତଥା ସଂଗ୍ରାହକ ଆମେରିକୀୟ ରସାୟନବିତ୍  ଆଲବର୍ଟ ସି ବାର୍ଣ୍ଣେସ୍ ଙ୍କର ପୁସ୍ତକ “ଦି ଆର୍ଟ ଅଫ୍ ପେଣ୍ଟିଙ୍ଗ୍” ବହିର ଆଧାରରେ ଏଇ ଆଲେଖକୁ ରଚନା କରିଛନ୍ତି ବଙ୍ଗଳା ଭାଷାର ସମ୍ମାନାସ୍ପଦ ପ୍ରାବନ୍ଧିକ ତଥା ଚିତ୍ରଆଲୋଚକ ଶ୍ରୀଯୁକ୍ତ ଅଶୋକ ମିତ୍ର ।

ଏଇ ଆଲେଖଟି ମୂଳ ବଙ୍ଗଳାରୁ ଅନୁସୃଜିତ ।)

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →