ଏ ଲେଖକାର ତେଲୀପିଲା ରଘୁ ପୃଷ୍ଟି

ଉନବିଂଶ ଶତାବ୍ଦୀର ଶେଷାର୍ଦ୍ଧ ଓ ବିଂଶ ଶତାବ୍ଦୀର ପ୍ରାରମ୍ଭ କାଳର ଓଡ଼ିଶାରେ ମୁଦ୍ରଣ ପଦ୍ଧତିରେ ପରିବର୍ତ୍ତନ ଘଟିଲା । ଓଡ଼ିଶାରେ ଧିରେ ଧିରେ ଆଧୁନିକ ପାଶ୍ଚାତ୍ୟ ମୁଦ୍ରଣ ଯନ୍ତ୍ର ପ୍ରଚଳନକୁ ଆସିଲା । ଅନେକ ପୂର୍ବରୁ କାଗଜ ପ୍ରଚଳନକୁ ଆସିସାରିଥିଲା । ଏସବୁ ସତ୍ତ୍ୱେ, ପାରମ୍ପରିକ ତାଳପତ୍ର ପୋଥି ପ୍ରତି ଓଡ଼ିଆ ଲୋକଙ୍କ ଆସ୍ଥା ଅତୁଟ ରହିଥିଲା । ଏଭଳି ଏକ ଘଡ଼ିସନ୍ଧି କାଳର, ତାଳପତ୍ର ପୋଥି ଲେଖକାର-ଶିଳ୍ପୀ ହେଉଛନ୍ତି ରଘୁନାଥ ପୃଷ୍ଟି । ଉତ୍କଳ ବ୍ୟାସକବି ଫକୀର ମୋହନ ସେନାପତି ଓ ସନ୍ଥକବି ଭୀମ ଭୋଇଙ୍କ ସମସାମୟିକ ଥିଲେ ଶିଳ୍ପୀ ରଘୁନାଥ ପୃଷ୍ଟି ।

ଓଡ଼ିଆ ହସ୍ତଲିଖନ ବିଦ୍ୟା ଓ ଓଡ଼ିଆ ଚିତ୍ର ପରମ୍ପରାର ଗୋଟେ ଅପୂର୍ବ ସମ୍ମିଳନରେ ପ୍ରସ୍ତୁତ ହୁଏ ତାଳପତ୍ର ପୋଥି । ସେକାଳରେ ସାଧାରଣତଃ କରଣମାନେ ହସ୍ତଲିଖନ ବିଦ୍ୟାରେ ପାରଙ୍ଗମ ଥିଲେ ଏବଂ ଚିତ୍ର ପାଇଁ ଚିତ୍ରକାର ଜାତି । ରଘୁନାଥ ପୃଷ୍ଟି ନା କରଣ ଥିଲେ ନା ଚିତ୍ରକାର, ଜାତିରେ ସେ ଥିଲେ ହଳଦିଆ ତେଲି । ସେ ଦୃଷ୍ଟିକୋଣରୁ ବିଚାରକଲେ ତାଳପତ୍ର ପୋଥିଚିତ୍ର ଜଗତର ସେ ଥିଲେ ଜଣେ ଅବାଧ ଅନୁପ୍ରବେଶକାରୀ (trespasser) । ସେଇ କାରଣରୁ ହୁଏତ ସେ ଗତାନୁଗତିକ ପ୍ରଥାରେ ବାନ୍ଧି ନ ହୋଇ ଚିତ୍ରରେ କିଛି କିଛି ନୂତନ ପରିବର୍ତ୍ତନମାନ ଆଣିଥିଲେ । ନୂତନ ପରୀକ୍ଷା ନିରୀକ୍ଷାକୁ ସେ ଅତି ପଟୁତାର ସହ ନିର୍ବାହନ କରିଥିଲେ ଯଦ୍ୱରା ଚିତ୍ରର ପାରମ୍ପରିକ ମୂଲ୍ୟବୋଧରେ କୌଣସି ପ୍ରକାରର ଅଧଃପତନ ଘଟି ନଥିଲା ।

Beggar and Dog by Raghunath Prusti

ନ୍ୟୁୟର୍କ ପବ୍ଲିକ ଲାଇବ୍ରେରୀ ସଂଗ୍ରହରେ ଥିବା ପ୍ରଶ୍ନ ଚୂଡ଼ାମଣି ପୋଥିର ଏକ ଚିତ୍ର “ଭିକ୍ଷୁକ ଓ ଶ୍ୱାନ” । ସେକାଳର ଚିତ୍ରରେ ଏଭଳି ଏକ ସାମାଜିକ ଚିତ୍ରଣ ଅତି ବିରଳ । ଏହି ଚିତ୍ର ଖଣ୍ଡିକୁ ପୁଙ୍ଖାନୁପୁଙ୍ଖ ଭାବେ ଆଙ୍କିବାରେ ଚରମ ପରାକାଷ୍ଠା ଦେଖାଇଛନ୍ତି ଲେଖକାର-ଶିଳ୍ପୀ ପୃଷ୍ଟି । ଚିତ୍ରଟିରେ ଭିକାରିର ପେଟ ଓ ଛାତିର କୁଂଚିତ ଚର୍ମ, ବାହାରକୁ ବାହାରି ପଡ଼ିଥିବା ଗଳାର ଘଣ୍ଟିକା, ଜୀର୍ଣ୍ଣ ସଙ୍କୁଚିତ ମୁହଁ, ଏଣୁତେଣୁ ଅସଜଡ଼ା ହେଇ ପଡ଼ିରହିଥିବା  ମୁଣ୍ଡର ବାଳ ଆଦି ସବିଶେଷ ବର୍ଣ୍ଣନାରୁ ପୃଷ୍ଟିଙ୍କ ବାସ୍ତବବାଦୀ ପର୍ଯ୍ୟବେକ୍ଷଣ ପ୍ରମାଣ ମିଳେ ।  କଳା ଏୈତିହାସିକ ଜେ.ପି ଦାସ ଓ ଜୋଆନ୍ନା ୱିଲିଆମସଙ୍କ  ଅନୁସାରେ, ଯଦି ପୃଷ୍ଟି ବୃଦ୍ଧାବସ୍ଥାରେ ପ୍ରକୃତରେ ଜଣେ ଗରିବ ଭ୍ରମଣକାରୀ ଥିଲେ, ତେବେ ଏଇ ଚିତ୍ରରେ ଥିବା ମଣିଷ ଆକୃତିଟିର ନିକଟ ସାମଂଜସ୍ୟତା ହୁଏତ ପୃଷ୍ଟିଙ୍କ ଆତ୍ମ-ପ୍ରତିକୃତିରୁ ଉଦ୍ଭବ ହୋଇଥିବ ବୋଲି ଜଣେ ସନ୍ଦେହ କରିପାରେ । ଠିକ ଏଇ କଥାଟି ମୋ ମନରେ ଗଭୀର ରେଖାପାତ କରିଥିଲା ଏବ‌ଂ ଏହାର ପ୍ରତିକ୍ରିୟାରେ ୨୦୨୨ ମସିହାରେ ପୃଷ୍ଟିଙ୍କ ପ୍ରତିକୃତିର ଗୋଟେ କଳ୍ପନାପ୍ରସୂତ ସରୁକଳା ଚିତ୍ରଟିଏ ଆଙ୍କିଥିଲି । ଏଇ ସରୁକଳା ଚିତ୍ରଟି ସମ୍ପାଦନା କରିବା ପାଇଁ ମୁଁ ପୃଷ୍ଟିଙ୍କ କାମକୁ ଅନୁଧ୍ୟାନ କରି ତାଙ୍କରି କାମର ସନ୍ଦର୍ଭରେ (reference)  ହିଁ  ଚିତ୍ରଟି ଅଙ୍କନ କଲି । ମାଛ ଭଜାକୁ ମାଛତେଲରେ ଭାଜିଲା ଭଳି କଥା ।

A4 ସାଇଜର କଁସୋ (Canson) କାଗଜଉପରରେ ଗ୍ୱାଶ୍ ରଙ୍ଗରେ ଅଙ୍କା ସରୁକଳା ଚିତ୍ରଟିରେ ଶିଳ୍ପୀ ପୃଷ୍ଟି ଭାବ ନିବିଷ୍ଟ ଚିତ୍ତରେ ପଟି ଉପରେ ବସିଛନ୍ତି । ସାମ୍ନାରେ ଥୁଆ ହେଇଛି ମେଜ । ହାତରେ ଲେଖନୀଟିଏ ନେଇ ସେଇ ମେଜ ଉପରେ ଖଣ୍ଡେ ତାଳପତ୍ର ଖୋଦେଇ କରୁଛନ୍ତି ଶିଳ୍ପୀ ପୃଷ୍ଟି । ପୃଷ୍ଟିଙ୍କ ଗାଁ ମୁଣ୍ଡମରାଇର ଆବେୟା ସୁବୁଦ୍ଧିଙ୍କ ସଂଗ୍ରହରେ ଥିବା ଲାବଣ୍ୟବତୀ ପୋଥିଚିତ୍ରର ଏକ ଦୃଶ୍ୟ ଯେଉଁଥିରେ ଲାବଣ୍ୟବତୀ ଯେଉଁ ମେଜରେ ଚନ୍ଦ୍ରଭାନୁଙ୍କ ପାଖକୁ ଚିଟାଉ ଲେଖୁଛନ୍ତି ସେଇ ମେଜର ପରିକଳ୍ପନାରେ ଚିତ୍ରରେ ଥିବା ପୃଷ୍ଟିଙ୍କ ମେଜଟି ଅଙ୍କାଯାଇଛି । ଲୁହା ଲେଖନୀ ମୁନକୁ ପଜାଇବା ପାଇଁ ମେଜ ତଳକୁ ଥୁଆ ହୋଇଛି ଖଣ୍ଡେ ସାହାଣ ପଥର ଓ ପାଣି ତାଟିଆ । ପୃଷ୍ଟିଙ୍କ ବାଁ ଗୋଡ଼ ପାଖକୁ ଥୁଆ ହୋଇଛି ଖଣ୍ଡେ ଗାମୁଛା । କୃପାସିନ୍ଧୁ ଜଣାଣ ପୋଥିର ପୁଷ୍ପିକାରୁ ମିଳୁଥିବା ରଘୁନାଥ ପୃଷ୍ଟିଙ୍କ ସୁନ୍ଦର ହସ୍ତଲିଖନର ଛଟାକୁ ଅନୁସରଣକରି ଚିତ୍ରରେ ଲେଖାଯାଇଛି “ଏ ଲେଖକାରତେଲୀପିଲାରଘୁପୃଷ୍ଟି” । ଏକଥା ଚିତ୍ରରେ ଦୁଇ ଯାଗାରେ ଲେଖାଯାଇଛି, ଗୋଟେ ପୃଷ୍ଟିଙ୍କ ସମ୍ମୁଖସ୍ଥ ଚିତ୍ରର ପଟଭୂମିରେ ଓ ଅନ୍ୟଟି ପୃଷ୍ଟି ଖୋଦେଇ କରୁଥିବା ତାଳପତ୍ରରେ । ପରମ୍ପରା ଦୃଷ୍ଟିରୁ ଦେଖିଲେ ଆଖି ଡୋଳା ଆଖିର ଠିକ ମଝିରେ ରହିବା କଥା । ଏଠି କିନ୍ତୁ ଡୋଳାଟି ପୃଷ୍ଟିଙ୍କ ଆଖିର ଉପର ପତାକୁ ଶ୍ପର୍ସ କରିଯାଇଛି । ପୃଥିବୀର ଯେ କୌଣସି ପ୍ରାନ୍ତର ଜଣେ ଭାବପ୍ରବଣ ଶିଳ୍ପୀର ଆଦର୍ଶ ଚେହେରାକୁ ପ୍ରତିନିଧିତ୍ୱ (archetype) କଲା ଭଳି ମନେହୁଏ ପୃଷ୍ଟିଙ୍କ ଏହି କଳ୍ପନାପ୍ରସୂତ ଚେହେରାଟି ।

About Bibhu Patnaik

Bibhu Patnaik is an contemporary Artist based in New Delhi.

View all posts by Bibhu Patnaik →