ଚିତ୍ରଶିଳ୍ପୀ ଅଜିତ୍ କେଶରୀ ରାୟ

ଅଜିତ୍ କେଶରୀ ରାୟ ଥିଲେ ଓଡ଼ିଶା ମାଟିର ଶେଷ ଅମାୟିକ ଶିଶୁ ପରି ସରଳ, ଏକଦମ୍ ସାଧାସିଧା ବ୍ୟକ୍ତିତ୍ୱଧାରୀ ଜଣେ ପ୍ରମୂଖ ଚିତ୍ରଶିଳ୍ପୀ । ଓଡ଼ିଶାରେ ଆଧୁନିକ ଚିତ୍ରକଳା ଆନ୍ଦୋଳନର ମୂଳଦୁଆ ପକାଇଥିବା ତ୍ରିମୂର୍ତ୍ତି (ଆଚାର୍ଯ୍ୟ ଶରତ ଚନ୍ଦ୍ର ଦେବ, ଅଜିତ୍ କେଶରୀ ରାୟ ଓ ଅନନ୍ତ ପଣ୍ଡା)ଙ୍କ ମଧ୍ୟରୁ ଅନ୍ୟତମ । ଚିକିଟି ରାଜ ପରିବାରର ଶରତ ଚନ୍ଦ୍ର ଦେବ ଖଲ୍ଲିକୋଟ ସରକାରୀ କଳା ବିଦ୍ୟାଳୟରେ ଅଧ୍ୟକ୍ଷ ଭାବେ ଦାୟିତ୍ୱ ନେବାର କିଛି ଦିନ ପରେ ଅଜିତ୍ କେଶରୀ କଳା ବିଦ୍ୟାଳୟର ଭାରତୀୟ ଚିତ୍ରକଳା ବିଭାଗରେ ଅଧ୍ୟାପକ ଭାବରେ ଯୋଗ ଦେଇଥିଲେ ଓ ଶେଷରେ ସେଉଠୁ ଅଧ୍ୟକ୍ଷ ଭାବରେ ଅବସର ଗ୍ରହଣ କରିଥିଲେ ।

ନିଆଳିର ପ୍ରଖ୍ୟାତ ଜମିଦାର ପରିବାରରେ ୧୯୨୨ ମସିହାରେ ଅଜିତ୍ କେଶରୀ ରାୟ ଜନ୍ମ ଗ୍ରହଣ କରିଥିଲେ । ପାଞ୍ଚ ଭଉଣୀ, ତିନି ଭାଇ ଓ କଡ଼ା ମିଜାଜ୍ ର ଡାକ୍ତର ବାପା । ବାପା କ୍ୟାପ୍ଟେନ୍ କ୍ଷେତ୍ରମୋହନ ରାୟଙ୍କର ଇଛା, ପୁଅମାନେ ତାଙ୍କର ଜଣେ ଜଣେ ନାମକରା ମଣିଷ ହୁଅନ୍ତୁ । ସେଥିପାଇଁ ସେ ବଡ଼ ପୁଅ ଅଜିତ୍ କେଶରୀ ଓ ସାନପୁଅ ରଣଜିତ୍ ଙ୍କ କଟକ ଷ୍ଟୁଆର୍ଟ ସ୍କୁଲ୍ ରୁ ନେଇ ୧୯୩୫ ମସିହାରେ ସେତେବେଳର ପ୍ରସିଦ୍ଧ ଡେରାଡୁନ୍ ର ଡୁନ୍ ସ୍କୁଲ୍ ରେ ଛାଡ଼ି ଦେଇଥିଲେ । ଇଂରେଜ ଶାସିତ ସେତେବେଳର ଭାରତ ବର୍ଷରେ ଡୁନ୍ ସ୍କୁଲ୍ ଥିଲା ଧନୀ ଲୋକଙ୍କ ପିଲାମାନଙ୍କ ପାଇଁ ପାଠ ପଢ଼ିବାର ଅନ୍ୟତମ ଶ୍ରେଷ୍ଠ ବିଦ୍ୟାଳୟ । ସେଇଠି ପାଠ ପଢ଼ିଲା ବେଳେ ହିଁ ବିଦ୍ୟାଳୟର ତତ୍କାଳୀନ କଳା ଶିକ୍ଷକ ସୁଧିର ରଞ୍ଜନ ଖାସ୍ତଗିରିଙ୍କ ସହ ପରିଚୟ ହୁଏ ଅଜିତ୍ କେଶରୀଙ୍କର । ସାରା ଜୀବନ ପାଇଁ ଚିତ୍ର ପ୍ରେମରେ ପଡ଼ିବାର ମୂଳଦୁଆ ତାଙ୍କର ଏଇଠି ହିଁ ପଡ଼ିଥିଲା । ସୁଧିର ରଞ୍ଜନଙ୍କ ପାଖରେ ସେଦିନ ସେ ଦେଖିଥିଲେ ବେଙ୍ଗଲ୍ ସ୍କୁଲ୍ ର ପ୍ରମୂଖ ଚିତ୍ରଶିଳ୍ପୀମାନଙ୍କ ହାତଅଙ୍କା ଚିତ୍ରଗୁଡ଼ିକୁ ।

Ajit Keshari Ray

ବେଙ୍ଗଲ୍ ସ୍କୁଲ୍ ସାଙ୍ଗରେ ସେହି ଯେଉଁ ପ୍ରାଥମିକ ପରିଚୟ ହେଇଥିଲା ତାହା ହିଁ ତାଙ୍କୁ ଦିନେ ଶାନ୍ତିନିକେତନ ଟାଣିଆଣିଲା ।  ବାପା ତ ଆଦୌ ରାଜି ନଥିଲେ ପୁଅ ତାଙ୍କର ଚିତ୍ରକଳାରେ ପାଠ ପଢୁ ଓ ପଢ଼ା ଶେଷରେ ଗୋଟେ ସାଧାରଣ ଡ୍ରଇଂ ମାଷ୍ଟ୍ର ହୋଇ ଗୁଜୁରାଣ ମେଣ୍ଟାଉ । କିଛି ଉପାୟ ନ ପାଇ ଅଜିତ୍ କେଶରୀ ଡୁନ୍ ସ୍କୁଲ୍ ର ପ୍ରଧାନ ଶିକ୍ଷକ ମିଃ ଫୁଟ୍ ଙ୍କୁ ଚିଠି ଲେଖିଲେ । ମିଃ ଫୁଟ୍ ଏଥର ବୁଝେଇ ଶୁଝେଇ କ୍ୟାପଟେନ୍ କ୍ଷେତ୍ରମୋହନ ରାୟଙ୍କୁ ଚିଠି ଲେଖିଲେ ଯେ, ଅଜିତ୍ ଙ୍କୁ ତା’ ଇଛାରେ ଜୀବନ ଓ ଜୀବିକା ବାଛିବାକୁ ସ୍ୱାଧୀନତା ଦିଆଯାଉ । ୧୯୪୦ ରେ ଅଜିତ୍ କେଶରୀ ଦାଖଲ ହେଲେ ଶାନ୍ତିନିକେତନରେ । ଯେଉଁମାନଙ୍କ ଛବି ଦେଖି ଚିତ୍ରଶିଳ୍ପୀ ହେବେ ବୋଲି ସେ ସିଦ୍ଧାନ୍ତ ନେଇଥିଲେ, ସେହିମାନଙ୍କୁ ଏଥର ପ୍ରତ୍ୟକ୍ଷ କଲେ । ନନ୍ଦଲାଲ ବୋଷ, ବିଶ୍ୱରୂପ ବୋଷ, ରାମକିଙ୍କର ବେଜ୍, ବିନୋଦ ବିହାରୀ ମୁଖାର୍ଜିଙ୍କୁ ଅତି ପାଖରୁ ଦେଖିଲେ । ସେଇମାନଙ୍କ ପାଖରେ ପାଠ ପଢ଼ିଲେ । ଡୁନ୍ ସ୍କୁଲ୍ ର ବିଦେଶୀ ଆଦବ କାଇଦା ଛାଡ଼ି ଶାନ୍ତିନିକେତନରେ ସ୍ୱଦେଶୀ ମନ୍ତ୍ରରେ ଦିକ୍ଷୀତ ହେଲେ ଏଥର ଅଜିତ୍ କେଶରୀ ।

ଶାନ୍ତିନିକେତନର ସମୟ ଖୁବ୍ ଭଲରେ କଟିଛି । ବଙ୍ଗାଳି, ପଞ୍ଜାବୀ, ମାଡ୍ରାସି, ଗୁଜୁରାଟି, ଚିନା ଓ ଜାପାନୀ ଛାତ୍ରଛାତ୍ରୀମାନଙ୍କ ସହ ବନ୍ଧୁତା ହୋଇଛି । ଡୁନ୍ ସ୍କୁଲ୍ ର ମାପଚୁପ ଜୀବନଠାରୁ ଢେର୍ ଅଲଗା ଥିଲା ଶାନ୍ତିନିକେତନର ଜୀବନ । ଡୁନ୍ ର ବିଦେଶୀ ଖାଦ୍ୟ, ଇଂରେଜୀ ଭାଷା, ବିଦେଶୀ ପୋଷାକ ଓ ବିଦେଶୀ ଆଦବ କାଇଦା ଠାରୁ ଶାନ୍ତି ନିକେତନର ସାଦା ସରଳ ଡାଲି, ଭାତ, ଧୋତି, ପାଇଜାମା, କୁର୍ତ୍ତା ଓ ଶାଢ଼ୀ କାହିଁରେ କେତେ ଅଲଗା ଥିଲା । ଶାନ୍ତିନିକେତନର କଳା ଭବନରେ ସେତେବେଳେ ଇଣ୍ଡିଆନ ପେଣ୍ଟିଂ, ଭାସ୍କର୍ଯ୍ୟ, ଗ୍ରାଫିକ୍ ଆର୍ଟ, ବାଟିକ୍, ଆଲପିନା ଡିଜାଇନ୍ ଓ ଲେଦର୍ କ୍ରାଫ୍ଟ ଆଦି ଶିକ୍ଷା ଦିଆଯାଉଥିଲା । ସେତେବେଳକୁ ମାଷ୍ଟର ମୋସାଏ ନାମରେ ପରିଚିତ ନନ୍ଦଲାଲ ବୋଷ ଯଦିଓ ସିଧାସଳଖ କୌଣସି ଶ୍ରେଣୀରେ ପାଠ ପଢ଼ାଉ ନଥିଲେ ତଥାପି ପ୍ରତିଟି ପିଲାର ପାଠପଢ଼ା ଓ କଳାକର୍ମକୁ ପ୍ରତ୍ୟକ୍ଷ ଭାବରେ ନିରୀକ୍ଷଣ କରୁଥିଲେ । ଅଜିତ୍ କେଶରୀ ବିଶ୍ୱରୂପ୍ ବୋଷ୍ (ନନ୍ଦଲାଲ ବୋଷଙ୍କ ପୁଅ)ଙ୍କ ପାଖରୁ ଉଡ୍ କଟ୍ ଓ ଲିନୋକଟ୍, ଗୌରୀ ଦି’ଙ୍କ ପାଖରୁ ଆଲ୍ପିନା ଓ ଲେଦର୍ କ୍ରାଫ୍ଟ, ରାମକିଙ୍କରଙ୍କ ପାଖରୁ ମଡେଲିଂ ଓ ବିନାୟକ ମାସୋଦାଙ୍କ ପାଖରୁ ଚିତ୍ର ଶିକ୍ଷା ଆରମ୍ଭ କଲେ ।

ଶାନ୍ତିନିକେତନରେ ଥିବା ସମୟରେ ଅଜିତ କେଶରୀଙ୍କର ପରବର୍ତ୍ତୀ ସମୟର ବିଶିଷ୍ଠ ଚଳଚିତ୍ର ନିର୍ଦ୍ଦେଶକ ସତ୍ୟଜିତ୍ ରାୟଙ୍କ ସହ ବନ୍ଧୁତା ହୋଇଛି । ପ୍ରଖ୍ୟାତ ଭାରତୀୟ ସ୍ଥପତି ଶଂଖ ଚୌଧୁରୀଙ୍କ ସହ ଭଲରେ ଚିହ୍ନା ପରିଚୟ ହୋଇଛି ବି । ସତ୍ୟଜିତ୍ ରାୟ ତାଙ୍କର ସହପାଠୀ ଥିବାବେଳେ ଶଂଖ ଚୌଧୁରୀ ଉପର ଶ୍ରେଣୀରେ ପାଠ ପଢୁଥିଲେ ।

ଶାନ୍ତିନିକେତନରୁ ଅଜିତ୍ କେଶରୀ ୧୯୪୫ ମସିହାରେ ଡିପ୍ଲୋମା ସହ ଡିଷ୍ଟିଙ୍କସନ୍ ନେଇ ବାହାରିଲେ । ଶାନ୍ତିନିକେତନରୁ ବାହାରି ଚିଠି ଲେଖିଲେ ଡୁନ୍ ସ୍କୁଲ୍ ର କଳା ଶିକ୍ଷକ ସୁଧିର ଖାସ୍ତଗିରିଙ୍କୁ । ଉଦ୍ଦେଶ୍ୟ କର୍ମ ସଂସ୍ଥାନ । ଯୋଗକୁ ଅଜିତ୍ କେଶରୀଙ୍କ ସେଇ ଡୁନ୍ ସ୍କୁଲ୍ ର ଇଂରାଜୀ ଶିକ୍ଷକ ଆର୍.ଏଲ୍.ମେହେଟ୍ଟା ରାଜସ୍ଥାନ ବିକାନେର୍ ରେ ଥିବା ସାଦୁଲ୍ ପବ୍ଲିକ୍ ସ୍କୁଲ୍ ରେ ଅଧ୍ୟକ୍ଷ ଭାବରେ ଯୋଗ ଦେଇଥା’ନ୍ତି ଓ ବିଦ୍ୟାଳୟର କଳା ଶିକ୍ଷକ ପଦ ଖାଲିଥାଏ । ଯାହାହେଉ ଚାକିରି ମିଳିଗଲା । ଦରମା ମାସକୁ ୧୬୫ ଟଙ୍କା । ଖାଇବା ରହିବା ମାଗଣା । ଅଜିତ୍ କେଶରୀ ବିକାନେର୍ ରେ ପହଁଞ୍ଚି  ନୂଆ ଚାକିରୀରେ ଦାଖଲ ହୋଇଗଲେ । ଇଏ ୧୯୪୫ ମସିହାର ଜୁଲାଇ ମାସର ଘଟଣା । ହେଲେ ବିକାନେର୍ ତାଙ୍କୁ ଭଲ ଲାଗିଲାନି । ପ୍ରଥମ କାରଣ ହେଲା ବିକାନେର୍ ର ମରୁଭୂମିଆ ପରିବେଶ । ସ୍କୁଲ୍ ରେ ଛାତ୍ର ଭାବରେ ରାଜା ରାଜୁଡ଼ାଙ୍କ ଆତ୍ମଗର୍ବୀ ପିଲାମାନଙ୍କର ସାନିଧ୍ୟ । ଏମିତି ଶୁଖିଲା ଜାଗାରେ ଏପରି ମାଖୁନା ଚାକିରୀ ଆଉ କରିହେବନି କହି ମାତ୍ର ଛଅ ମାସରେ ଅଜିତ୍ କେଶରୀ ବାହୁଡ଼ି ଆସିଲେ ଓଡ଼ିଶା । ଭିତରେ ଇଛାଟିଏ କଅଁଳିଥାଏ ଯେ ଓଡ଼ିଶାରେ ପହଁଞ୍ଚି ଆଉ ଚାକିରି ବାକିରି ଖୋଜିହେବନି, ବରଂ ସ୍ୱାଧୀନ ଭାବରେ ଜଣେ ଚିତ୍ରଶିଳ୍ପୀ ଭାବରେ ଜୀବନ ବଞ୍ଚିବେ । ସ୍ୱାଧୀନ ଭାବରେ ଚାକିରି ନକରି ଚିତ୍ରଶିଳ୍ପୀ ହୋଇ ବଞ୍ଚିବା କିଛି ସହଜ ପାଠ ନଥିଲା । ଅଜିତ୍ କେଶରୀ ଭାବିଥିଲେ ଓଡ଼ିଶାର ଧନୀ ରାଜା ଜମିଦାରମାନେ ତାଙ୍କର ଛବି କିଣିବେ । ସେମାନଙ୍କୁ ନିଜ ଛବି ବିକିବାର କେତୋଟି ବିଫଳ ପ୍ରୟାସ ପରେ ଅଜିତ୍ ପୁଣି ଥରେ ଚାକିରୀ ସନ୍ଧାନରେ ବାହାରିଗଲେ କଲିକତା । ଚାକିରି ମିଳିଗଲା ବନ୍ଧୁମାନଙ୍କ ସହେଯାଗରେ । କଲିକତାର ବିରଳା ବ୍ରଦର୍ସ କମ୍ପାନୀରେ ଜଣେ କମର୍ସିଆଲ୍ ଆର୍ଟିଷ୍ଟ ଭାବରେ ଯୋଗଦେଲେ ସେ । କଲିକତାରେ ଚାକିରୀ କରୁଥିବା ସମୟରେ ଅଜିତ୍ କେଶରୀଙ୍କ ମା ଓ ବଡ଼ ଭଉଣୀ ବୀଣା ଦେଈ ତାଙ୍କର ବିବାହ ଠିକ୍ କରି ସାରି ତାଙ୍କୁ ଓଡ଼ିଶା ଡକାଇ ପଠେଇଲେ । ଏପରିକି କନ୍ୟା, ବିବାହ ତାରିଖ, ସ୍ଥାନ ସବୁକିଛି ଠିକ୍ ହୋଇ ସାରିଥିଲା । ୯ ଜୁଲାଇ ୧୯୪୭ ରେ ପୁରୀରେ ଅଜିତ୍ କେଶରୀଙ୍କର ବିବାହ ହେଲା କିରଣ ଦେବୀଙ୍କ ସହ । ଅଜିତ୍ କେଶରୀଙ୍କ ମା କିନ୍ତୁ ବୋହୂର ନାଁ ରଖିଲେ ଗୀତା । ୧୫ ଅଗଷ୍ଟ ୧୯୪୭ ରେ ଭାରତ ସ୍ୱାଧୀନ ହେଲା ଓ କଲିକତାର ନୂଆଖାଲିରେ ଆରମ୍ଭ ହୋଇଗଲା ସାମ୍ପ୍ରଦାୟିକ ଦଙ୍ଗା । ବିବାହ କରିବାକୁ ଘରକୁ ଆସିଥିବା ଅଜିତ୍ କେଶରୀ ଆଉ କଲିକତା ଫେରି ପାରିଲେନି ।

Painting by Ajit Keshari Ray

ସେତେବେଳକୁ ତାଙ୍କର ବଡ଼ ଦୁଇ ଭଉଣୀ ଓ ସାନ ଭାଇ ଉଚ୍ଚ ଶିକ୍ଷା ପାଇଁ ଲଣ୍ଡନରେ । ଅଜିତ୍ କେଶରୀଙ୍କ ଇଛା ଚିତ୍ରକଳାରେ ଉଚ୍ଚଶିକ୍ଷା ପାଇଁ ସେ ବି ଲଣ୍ଡନ ଯାଆନ୍ତେ । ହେଲେ ପାଖରେ ପଇସା ନାହିଁ । ଶିକ୍ଷା ଖର୍ଚ୍ଚ ବହନ କରିବାକୁ ବଡ଼ ଦୁଇ ଭଉଣୀଙ୍କୁ ଅନୁରୋଧ କରି ଚିଠି ଲେଖିଲେ ସେ । ଭଉଣୀମାନେ ରାଜି ବି ହେଲେ । ହେଲେ ଗୋଟେ ସର୍ତ୍ତ ରଖିଲେ । ସର୍ତ୍ତଟି ହେଲା ଅଜିତ୍ କେଶରୀ ଲଣ୍ଡନରେ ପହଞ୍ଚି, ଚିତ୍ରକଳା ନୁହେଁ, କୃଷି ବିଜ୍ଞାନରେ ପାଠ ପଢ଼ିବେ । ଭଉଣୀମାନଙ୍କର ସବୁ ସର୍ତ୍ତରେ ରାଜି ହୋଇ ଅଜିତ୍ କେଶରୀ ୧୯୪୯ ମସିହାରେ ଲଣ୍ଡନ ବାହାରିଲେ ।

ଲଣ୍ଡନରେ ପହଞ୍ଚି ସେ ପ୍ରଥମେ ବ୍ରିଟିଶ ମ୍ୟୁଜିୟମ୍, ଟେଟ୍ ଆର୍ଟ ଗ୍ୟାଲେରୀ, ଓଲସ୍ କଲେକସନ୍ ବୁଲି ଦେଖିଲେ । ପ୍ରଥମ କରି ଭାରତୀୟ ରାଜପୁତ୍ ଓ ମୋଗଲ୍ ମିନିଏଚର ସାଙ୍ଗରେ ଗଗାଁ, ମନେ, ମୋନେ, ଭ୍ୟାନଗୋଗ୍, ଡେଗା, ପିସାରୋ ଓ ପିକାଶୋ ଆଦିଙ୍କ ହାତ ଅଙ୍କା ଚିତ୍ରକୁ ଦେଖିଲେ । ଇମ୍ପ୍ରେସନିଜିମ୍, ସିନ୍ଥେଟିସିଜିମ୍, କ୍ୟୁବିଜିମ୍ ଓ ଏକ୍ସପ୍ରେସିନିଜିମ୍ ପରି ମତବାଦ ଓ ଶୈଳୀକୁ ନେଇ ଅଙ୍କିତ ଛବିଗୁଡ଼ିକ ଭଲଲାଗିଲା ତାଙ୍କୁ । ଏ ସବୁ ଚିତ୍ରକରମାନଙ୍କ ମଧ୍ୟରୁ ତାଙ୍କୁ ପିକାଶୋ ଓ ଭ୍ୟାନଗୋଗ୍ ଙ୍କ ଛବି ବେଶୀ ବେଶୀ ଭଲ ଲାଗିଲା । ଏ ସମ୍ପର୍କରେ ସେ ଓଡ଼ିଶା ଲଳିତକଳା ଏକାଡେମୀ ଦ୍ୱାରା ୨୦୦୪ ରେ ପ୍ରକାଶିତ ଆପଣା ଆତ୍ମଜୀବନୀ “ପୋଟ୍ରେଟ୍ ଅଫ୍ ପେଣ୍ଟର” ରେ ଠାଏଁ ଲେଖିଛନ୍ତି; “ବିଶେଷ କରି ପିକାଶୋଙ୍କର କ୍ୟୁବିକ୍ ଶୈଳୀରେ ଅଙ୍କିତ ଛବିଗୁଡ଼ିକ ମୋତେ ଅଭିଭୂତ କରି ପକାଇଲା । ମୁଁ ଆଗରୁ ଏମିତିକା ବଳିଷ୍ଠ ରେଖା ଏବଂ ରଙ୍ଗର ବ୍ୟବହାର ଦେଖିନଥିଲି ।”

ଅଜିତ୍ କେଶରୀ ୟୁରୋପରେ ପହଞ୍ଚି ପିକାଶୋ ଓ ଭ୍ୟାନଗୋଗ୍ ଙ୍କ ଛବି ଦେଖି ଅଭିଭୂତ ହୋଇଯାଇଛନ୍ତି । ମନେ ମନେ ପିକାଶୋଙ୍କୁ ଗୁରୁ ବୋଲି ମାନି ନେଇଛନ୍ତି । ଆମକୁ କିନ୍ତୁ ଏକଥା ମନେ ରଖିବାକୁ ହେବ ଯେ ୧୯୦୬ରୁ ଆରମ୍ଭ ହୋଇଥିବା କ୍ୟୁବିଜିମ୍ ର ପ୍ରଥମ ସ୍ରୋତ ୧୯୨୧ ବେଳକୁ ମନ୍ଥର ହୋଇଯାଇଥିଲା । ତା’ର ଢେର୍ ଆଗରୁ ଅର୍ଥାତ୍ ୧୮୯୦ ରେ ଭ୍ୟାନଗୋଗ୍ ଆତ୍ମହତ୍ୟା କରିସାରିଥିଲେ । ଅଜିତ୍ କେଶରୀ ପିକାଶୋ ଓ ଭ୍ୟାନଗୋଗ୍ ଙ୍କ ପ୍ରେମରେ ପଡ଼ିଲା ବେଳକୁ ଆମେରିକୀୟ ଆବଷ୍ଟ୍ରାକ୍ଟ ଏକ୍ସପ୍ରେସନିଷ୍ଟ ଚିତ୍ରଶିଳ୍ପୀ ଜାକସନ୍ ପୋଲାକ୍ (୧୯୧୨-୧୯୫୬ ) ସଫଳତାର ଶୀର୍ଷରେ । ୧୯୪୯-୫୦ ମସିହା ବେଳକୁ ୟୁରୋପ ଓ ଆମେରିକୀୟ ଚିତ୍ର ଜଗତରେ ଅନେକ କିଛି ଓଲଟ ପାଲଟ ହୋଇସାରିଲାଣି । ଭାରତରେ ମଧ୍ୟ ବେଙ୍ଗଲ୍ ସ୍କୁଲ୍ ଅଫ୍ ଆର୍ଟ ଧାରାକୁ ନାପସନ୍ଦ କରି ୧୯୪୩ ରେ କିଛି ଯୁବ ଚିତ୍ରଶିଳ୍ପୀ କଲିକତାରେ ‘କାଲକାଟା ଗ୍ରୁପ୍’ ନାମରେ ଏକ ସଂଗୋଷ୍ଠୀ ଗଢି ସାରିଲେଣି । ୧୯୫୩ ରେ ଭାଙ୍ଗି ଯାଇଥିବା ଅଳ୍ପାୟୁଷ ଏହି କଳାକାରଙ୍କ ସଂଗୋଷ୍ଠୀଟିର ଚିନ୍ତାଧାରାକୁ  କେବଳ ବଙ୍ଗ ପ୍ରଦେଶ ନୁହେଁ ବରଂ ସମଗ୍ର ଭାରତ ବର୍ଷର ପ୍ରଥମ କଳା ଆନ୍ଦୋଳନ ଭାବରେ ଗଣାଯାଏ । ବମ୍ବେରେ ଗଢ଼ାଯାଇଥିବା ‘ପ୍ରୋଗ୍ରେସିଭ୍ ଆର୍ଟିଷ୍ଟ ଗ୍ରୁପ୍’୧୯୪୯ରେ ସେମାନଙ୍କର ନୂଆ ଛବିମାନଙ୍କୁ ବମ୍ବେ ଓ କଲିକତାରେ ପ୍ରଦର୍ଶିତ କରିସାରିଲେଣି । ଓଡ଼ିଶାର ଆଧୁନିକ ଚିତ୍ରଶିଳ୍ପୀ ଓ ଚିତ୍ରକଳା ରାଜ୍ୟର ହାଲଚାଲ୍ ବିଷୟରେ କଥା ହେଲାବେଳେ ଏ ସମସ୍ତ ବିଷୟରେ ସମ୍ୟକ ଧାରଣା ରହିବା ନିତ୍ୟାନ୍ତ ଦରକାର ।

Painting by Ajit Keshari Ray

ଅଜିତ୍ କେଶରୀ ୧୯୪୫ ରେ କଳା ଭବନରୁ ଡିପ୍ଲୋମା ଲାଭ କଲେ । ଠିକ୍ ଦୁଇ ବର୍ଷ ପରେ ଅର୍ଥାତ୍ ୧୯୪୭ ମସିହାରେ ଦୁଇଟି ବଡ଼ ଘଟଣାକୁ ଏଇଠି ମନେ ପକାଯାଇପାରେ । ପ୍ରଥମଟି ହେଲା, ଭାରତର ସ୍ୱାଧିନତା ଓ ବମ୍ବେଠାରେ ପ୍ରୋଗ୍ରେସିଭ୍ ଆର୍ଟିଷ୍ଟ ଗ୍ରୁପ୍ ର ଶୁଭାରମ୍ଭ । ପ୍ରୋଗ୍ରେସିଭ୍ ଗ୍ରୁପ୍ ର ଆଭିମୂଖ୍ୟ ଥିଲା, ଔପନିବେଶିକ ମନସ୍ଥିତିରୁ ବାହାରି ବେଙ୍ଗଲ୍ ସ୍କୁଲ୍ ର ପୁନରୋତ୍ଥାନବାଦୀ ରାସ୍ତାରେ ନଯାଇ ଭାରତ ବର୍ଷରେ ଆଧୁନିକ କଳା ପ୍ରତି ନୂଆ ଏକ ସତେଜ ବିଶ୍ୱଦୃଷ୍ଟି ସହ ଅଲଗା ଏକ ରାସ୍ତା ତିଆରି କରିବା । ନୂଆ ରାସ୍ତା ସନ୍ଧାନରେ ସେମାନେ ବିଶ୍ୱକଳା ସାମ୍ରାଜ୍ୟକୁ ବେଶ୍ ଆଲୋଡ଼ିତ କରୁଥିବା ପୋଷ୍ଟ-ଇମ୍ପ୍ରେସନି୍ଜିମ୍, କ୍ୟୁବିଜିମ୍ ଓ ଏକ୍ସପ୍ରେସିନିଜିମ୍ ପରି ଆଧୁନିକ ଚିନ୍ତାଧାରା ଓ ଶୈଳୀକୁ ଭାରତରେ ପରୀକ୍ଷା କରିଥିଲେ । ତେଣୁ ଅଜିତ୍ କେଶରୀଙ୍କ ପରି ବମ୍ବେ ପ୍ରୋଗ୍ରେସିଭ୍ ଗ୍ରୁପ୍ ମଧ୍ୟ ପ୍ରଥମରୁ କ୍ୟୁବିଜିମ୍ ପ୍ରତି ଆସକ୍ତ ଥିଲେ । ଅବଶ୍ୟ ଅଜିତ କେଶରୀ ୟୁରୋପ ଗଲା ପରେ ପିକାଶୋଙ୍କ ପ୍ରତି ଆସକ୍ତ ହେଇଛନ୍ତି ଓ ସେଇ ଧାରାରେ ଛବି କରିଛନ୍ତି ଖଲ୍ଲିକୋଟ କଳା ବିଦ୍ୟାଳୟରେ ଅଧ୍ୟାପକ ଭାବରେ ଯୋଗଦାନ କଲାପରେ ।

ସମଗ୍ର ଏସିଆ ମହାଦେଶରେ ଜାପାନୀ ଓ ଚୀନା ଚିତ୍ରଶିଳ୍ପୀମାନେ ପ୍ରଥମ କରି କ୍ୟୁବିଜିମ୍ ଦ୍ୱାରା ପ୍ରଭାବିତ ହୋଇଥିଲେ । ୧୯୧୦ ମସିହାରେ କ୍ୟୁବିଜିମ୍ ସମ୍ପର୍କରେ ଲେଖା ଜାପାନୀ ଭାଷାରେ ଅନୁଦିତ ହୋଇ ପ୍ରକାଶ ହୋଇଥିଲା । ୧୯୨୦ ମସିହା ବେଳକୁ ଜାପାନୀ ଓ ଚୀନ୍ ଦେଶର କିଛି ଛାତ୍ର, ଯେଉଁମାନେ କି ପ୍ୟାରିସ୍ ରେ କଳା ଶିକ୍ଷା କରୁଥିଲେ ସେମାନେ ନିଜ ନିଜ ଦେଶକୁ ଫେରି କ୍ୟୁବିଜିମ୍ ର ପରୀକ୍ଷା କରିଥିଲେ । ଭାରତୀୟ ଚିତ୍ରଶିଳ୍ପୀ ଗଗନେନ୍ଦ୍ର ନାଥ ଠାକୁର ୧୯୨୧-୧୯୨୫ ମସିହା ସମୟକୁ ତାଙ୍କର କିଛି ଛବିରେ କ୍ୟୁବିଜିମ୍ କୁ ନେଇ ପରୀକ୍ଷା କରିଥିଲେ । ତେଣୁ ଭାରତରେ କ୍ୟୁବିଜିମ୍ ର ପ୍ରଥମ ପ୍ରୟୋଗର ଶ୍ରେୟ ଗଗନେନ୍ଦ୍ରଙ୍କୁ ହିଁ ଦିଆଯାଏ । ଅବଶ୍ୟ କ୍ୟୁବିଜିମ୍ କୁ ସିଧାସଳଖ ପ୍ରୟୋଗ ନ କରି ସେ ନିଜର ଚିତ୍ର ଶୈଳୀ ସହ ତା’ର ସମୀକରଣ କରିଥିଲେ ।

ଅଜିତ୍ କେଶରୀ ଲଣ୍ଡନ ପହଁଞ୍ଚି ଭଉଣୀମାନଙ୍କ ସର୍ତ୍ତ ଅନୁସାରେ କୃଷି ବିଜ୍ଞାନରେ ପାଠପଢ଼ାର ଯୋଜନା ଆରମ୍ଭ କଲେ । ରହିଲେ ଲଣ୍ଡନର ଭାରତୀୟ ଛାତ୍ରାବାସରେ । ଅନ୍ତେବାସୀ ସବୁ ଭାରତୀୟ । ଖାଦ୍ୟ ଭାରତୀୟ । ଓଡ଼ିଶା, ବଙ୍ଗଳା, ବିହାର, ପଞ୍ଜାବ, ଗୁଜୁରାଟ ଆଦି ରାଜ୍ୟରୁ ଆସିଥିବା ଭାରତୀୟ ଛାତ୍ରମାନଙ୍କ ଗହଳି । ଏତେଗୁଡେ଼ ଭାରତୀୟ ଛାତ୍ରମାନଙ୍କ ମଧ୍ୟରେ ଧରାବନ୍ଧା ରୁଟିନ୍ ରେ ହଷ୍ଟେଲ୍ ଜୀବନ ଭଲ ଲାଗୁ ନଥାଏ । ସମୟ ପାଇଲେ ସେ ବିଭିନ୍ନ ମ୍ୟୁଜିୟମ୍ ଓ ଆର୍ଟ ଗ୍ୟାଲେରୀକୁ ବୁଲିବାକୁ ବାହାରି ଯାଉଥିଲେ । ଥରେ ଏମିତି ଗୋଟେ ଗ୍ୟାଲେରୀରେ ହଠାତ୍ ଦେଖା ହେଇଗଲା ଶାନ୍ତିନିକେତନ ସମୟର ପରିଚିତ ଶଙ୍ଖ ଚୌଧୁରୀଙ୍କ ସହ । ଅଜିତ୍ କେଶରୀ ତାଙ୍କର ଲଣ୍ଡନ ଆସିବାର ପ୍ରକୃତ କାରଣ ଓ ଭଉଣୀମାନଙ୍କ ସର୍ତ୍ତ କଥା କହିଲା ପରେ ଶଙ୍ଖ ଚୌଧୁରୀ ଦାୟିତ୍ୱ ନେଲେ ଅଜିତ୍ କେଶରୀଙ୍କ ଦୁଇ ଭଉଣୀଙ୍କୁ କିପରି ବୁଝାଇବେ । ବୁଝାଇବେ, ଅଜିତ୍ ଲଣ୍ଡନରେ ଚାଷ ବାସ ପାଠ ନ ପଢ଼ି ଚିତ୍ର ବିଷୟରେ ପାଠ ପଢୁ । ଶେଷରେ ସେଇଆ ହେଲା । ଶଂଖ ଚୌଧୁରୀଙ୍କ ଅନୁରୋଧ ପରେ ଅଜିତ୍ କେଶରୀଙ୍କୁ ଚିତ୍ରକଳାରେ ପାଠ ପଢ଼ିବା ପାଇଁ ଅନୁମତି ମିଳିଲା । ସେଇ ଶଙ୍ଖ ଚୌଧୁରୀଙ୍କ ସହଯୋଗରେ ଲଣ୍ଡନର ପ୍ରମୂଖ କଳା ବିଦ୍ୟାଳୟ ଆଂଗ୍ଲୋ-ଫ୍ରେଞ୍ଚ ଆର୍ଟ ସେଣ୍ଟରରେ ଦାଖଲ ହେଲେ ଅଜିତ୍ କେଶରୀ । ଭାରତୀୟ ଛାତ୍ରାବାସ ଛାଡ଼ି ଆସି ରହିଲେ ଅକ୍ସଫୋର୍ଡ ହାଉସ୍ ନାମକ ହଷ୍ଟେଲ୍ ରେ । ସେଠି ଇଂଲଣ୍ଡ ପିଲାଙ୍କ ସହ ଫ୍ରାନ୍ସ୍ ଓ ଜର୍ମାନ୍ ରୁ ଆସିଥିବା ଉଭୟ ପୁଅ ଓ ଝିଅମାନେ ମଧ୍ୟ ରହୁଥିଲେ ।

Wood cut by Ajit Keshari Ray

ଅଜିତ୍ କେଶରୀଙ୍କର କଳାଶିକ୍ଷା ଆରମ୍ଭ ହେଲା । ଆଂଗ୍ଲୋ ଫ୍ରେଞ୍ଚ ସେଣ୍ଟର୍ ରେ ମଡେଲିଂ, ପଥର ଖୋଦେଇ ସହ ଗ୍ରାଫିକ୍ ଆର୍ଟ ଶିକ୍ଷା ଦିଆଯାଉଥିଲା । ଅଜିତ୍ କେଶରୀ ଏଥର ପୁରା ଦମ୍ ରେ ପଥର ଖୋଳାରେ ଲାଗିପଡ଼ିଲେ । ଇଂଲିଶ୍, ଫରାସୀ ଓ ନିଗ୍ରୋ ଉଭୟ ପୁରୁଷ ଓ ନାରୀ ମଡେଲ୍ । ଅଜିତ୍ କେଶରୀ ଲାଗିପଡି ତିନିଟା ପଥର କାଟି ପକାଇଲେ । ଶିକ୍ଷକ କ୍ରମ୍ପଟନ୍ ସାହେବ କିନ୍ତୁ ଅଜିତ୍ କେଶରୀଙ୍କୁ କହିଲେ କିଛି ଭାରତୀୟ ବିଷୟକୁ ନେଇ ସେ କାହିଁକି ଭାସ୍କର୍ଯ୍ୟ ତିଆରି କରୁ ନାହଁନ୍ତି? ଏଥର ଅଜିତ୍ କେଶରୀ ଭାରତୀୟ ଓ ଇଜିପ୍ଟର ଭାସ୍କର୍ଯ୍ୟ ଶୈଳୀର ସମ୍ମିଶ୍ରଣରେ ଏକ ଭାରତୀୟ କୃଷକର ପଥର ଖୋଳି ଭାସ୍କର୍ଯ୍ୟ ଗଢ଼ିଲେ । କ୍ରମ୍ପଟନ୍ ସାହେବଙ୍କୁ ଭାସ୍କର୍ଯ୍ୟଟି ଭଲ ବି ଲାଗିଲା । ଏମିତି ଥରେ କଳା ବିଦ୍ୟାଳୟକୁ ବୁଲି ଆସିଥା’ନ୍ତି ପୃଥିବୀର ପ୍ରସିଦ୍ଧ ଭାସ୍କର ହେନେରି ମୁର୍ । ବିଦ୍ୟାଳୟ ପରିସରରେ ବୁଲୁବୁଲୁ ହଠାତ୍ ତାଙ୍କ ଆଖି ପଡ଼ିଲା ଅଜିତ୍ କେଶରୀଙ୍କର ଏକ ପଥର ତିଆରି ଭାସ୍କର୍ଯ୍ୟ ଉପରେ । ହେନେରୀ ମୁର୍ ବୁଝି ଯାଇଥିଲେ, ଏଇଟି ନିଶ୍ଚୟ ଜଣେ ଭାରତୀୟ ଶିଳ୍ପୀର ହାତରେ ଖୋଳା ଯାଇଥିବ । ଖୋଜା ପଡ଼ିଲେ ଅଜିତ୍ କେଶରୀ । ହେନେରୀ ମୁର୍ ସେଦିନ ଅଜିତ୍ କେଶରୀଙ୍କୁ କେବଳ ସାବାସୀ ଦେଲେନି ତା’ ସାଙ୍ଗରେ ସେଇଠି ତାଙ୍କୁ ଭାରତୀୟ ଭାସ୍କର୍ଯ୍ୟ, ଓଡ଼ିଶା ଓ ଦକ୍ଷିଣ ଭାରତୀୟ ମନ୍ଦିରର ସ୍ଥାପତ୍ୟ କଳାର ଗୁଢ଼ ରହସ୍ୟ ବୁଝାଇ ଦେଇଥିଲେ ।

ଇଂଲଣ୍ଡ ରହଣୀ ସମୟରେ ଅଜିତ୍ କେଶରୀ ବିଭିନ୍ନ ୟୁରୋପୀୟ ଦେଶ ଭ୍ରମଣ କରିଥିଲେ । ଏଇ ଭ୍ରମଣ ସମୟରେ ସେ ଅନେକ ମ୍ୟୁଜିୟମ୍ ଓ କଳା ଗ୍ୟାଲେରୀରେ ୟୁରୋପୀୟ ପ୍ରସିଦ୍ଧ ଶିଳ୍ପୀମାନଙ୍କର ଚିତ୍ର ଓ ଭାସ୍କର୍ଯ୍ୟକୁ ପ୍ରତ୍ୟକ୍ଷ କରିଥିଲେ । ଯାହାକି ପରବର୍ତ୍ତୀ ସମୟରେ ତାଙ୍କର ଚିତ୍ର ଜୀବନରେ ସହାୟକ ହୋଇଥିଲା ।

ଅଜିତ୍ କେଶରୀଙ୍କର ଚିତ୍ରଶିକ୍ଷାରେ ଦୁଇଗୋଟି ଚିତ୍ରଧାରାର ସ୍ପଷ୍ଟ ପ୍ରଭାବ ରହିଛି । ପ୍ରଥମତଃ ସେ ଶାନ୍ତିନିକେତନରେ ଭାରତୀୟ ପୁନରୁତ୍ଥାନବାଦର ପରିସୀମାରେ ପ୍ରାଥମିକ କଳାଶିକ୍ଷା ଲାଭ କରିଥିଲେ ଓ ପରେ ସିଧାସଳଖ ୟୁରୋପରେ ପହଞ୍ଚି ୟୁରୋପୀୟ ଚିତ୍ରଧାରା ଓ ଧାରଣାକୁ ପାଖରୁ ଦେଖିଥିଲେ ।

ଦୁଇବର୍ଷ ଧରି ଆଂଗ୍ଲୋ- ଫ୍ରେଞ୍ଚ ଆର୍ଟ ସେଣ୍ଟରରେ ମଡେଲିଂ, ଷ୍ଟୋନ୍ କାର୍ଭିଙ୍ଗ୍, ଉଡ୍ ଏନଗ୍ରାଭିଂ ଓ ଏଚିଂରେ ପାଠ ପଢ଼ି ଅଜିତ୍ କେଶରୀ ୧୯୫୧ ରେ ଭାରତ ବାହୁଡ଼ି ଆସିଲେ । ମନ ଭିତରେ ଇଛା, ଓଡ଼ିଶା ଫେରି ଏକ ସରଳ ନିରାଡ଼ମ୍ବର ଚିତ୍ରଶିଳ୍ପୀର ଜୀବନ ବଞ୍ଚିବେ ଓ ଗାଁରେ ରହି ଚାଷ ବାସ କଥା ବୁଝିବେ । ୟୁରୋପରୁ ଫେରିଲା ପରେ ବି ସେ ହୁଏତ ତଥାପି ଶାନ୍ତିନିକେତନକୁ ଭୁଲି ନଥିଲେ । ଶାନ୍ତିନିକେତନୀୟ ଜୀବନଚର୍ଯ୍ୟା ଓ ଜୀବନ ଦର୍ଶନ ତାଙ୍କ ଅବଚେତନରେ ଚକା ପାରି ବସି ରହିଥିଲା । ଇଛା ପୂରଣ କରିବାରେ ବାଧକ କିଛି ନଥିଲା । ନିଆଳିରେ ଜମିଦାରୀ ଥିଲା । ଶହେ ଏକରରୁ ଅଧିକ ଜମିଜମା । ସେଥିରୁ ପୁରା ତିରିଶ ଏକର ଜମିରେ ଚାଷ ଆରମ୍ଭ କଲେ ଅଜିତ୍ କେଶରୀ । ଜମିଦାରୀର ଚାଷବାସ କଥା ବୁଝିବାକୁ ବଡ଼ ଭଉଣୀ ଦୁହେଁ ତାଙ୍କୁ ବିଲାତରେ କୃଷି ବିଜ୍ଞାନ ପଢ଼ିବାକୁ ବୋଧେ ବାଧ୍ୟ କରୁଥିଲେ । ହୁଏତ ଶେଷରେ ସେଇଆ ହିଁ ହୋଇଥା’ନ୍ତା । ଯଦି ଠିକଣା ସମୟରେ ଶଂଖ ଚୌଧୁରୀଙ୍କ ସହ ଦେଖା ହୋଇ ନଥା’ନ୍ତା । ଅଜିତ୍ କେଶରୀ ଆଂଗ୍ଲୋ-ଫ୍ରେଞ୍ଚ ସେଣ୍ଟରର ଦୁଆର ମାଡ଼ି ନଥା’ନ୍ତେ ହୁଏତ । କିନ୍ତୁ ଇଂଲଣ୍ଡରୁ ଫେରି ଗାଁରେ ରହିବା ନିଜର ଭବିତବ୍ୟ ବୋଲି କୋଉଠି ଗୋଟେ ଗ୍ରହଣ କରିନେଇଥିଲେ ସେ । ସେଥିପାଇଁ “ଡଗର” ପତ୍ରିକାରେ ୧୯୫୨ ମସିହାରେ ମୋ ଜୀବନ ଉପରେ ରୂପର ପ୍ରଭାବ ଶୀର୍ଷକରେ ଲେଖାରେ ଠାଏ ଲେଖିଛନ୍ତି ଯେ, “ମୁଁ ବହୁଦିନରୁ ତୂଳୀ ଛାଡ଼ି ନିହାଣକୁ ହିଁ ମୋର ଶିଳ୍ପୋକରଣ ରୂପେ ଧରିଛି । ବର୍ତ୍ତମାନ ମୁଁ କଟକ ଠାରୁ ତିରିଶ ମାଇଲ ଦୂରବର୍ତ୍ତୀ ନିଆଳି ଗ୍ରାମରେ ରହି ମୋର ଜମିବାଡ଼ି ବୁଝାଶୁଝା କରୁଅଛି । ମୋର ବାପାଙ୍କର ଭବିଷ୍ୟତ ବାଣୀ ସତ ହୋଇଛି । କଳା ମୋର ପେଟକୁ ଆହାର ଯୋଗାଇ ପାରିନାହିଁ କି ପାରିବ ନାହିଁ । କିନ୍ତୁ ସେଥିପାଇଁ ମୋର ଶୋଚନା ନାଇଁ । ମୁଁ କୃଷି ଓ ଶିଳ୍ପ ଉଭୟର ହିଁ ଆଶ୍ରୟ ନେଇଛି । କୃଷି ମୋର ପେଟକୁ ଓ ଶିଳ୍ପ ମୋର ମୁଣ୍ଡକୁ ଆହାର ଯୋଗାଉଛନ୍ତି! ବେଶ୍ ଲାଗୁଛି ଏଇ ଜୀବନ ।”

Painting by Ajit Keshari Ray

ଅଜିତ୍ କେଶରୀଙ୍କ ହାତରେ ଚାଷ ବାସ କାମ  ହେଲାନି । ୧୯୫୦ ମସିହାରେ ଜମିଦାରୀ ପ୍ରଥା ଚାଲିଯିବାରୁ ତାଙ୍କର ଅଧା ଜମି ସରକାର ହାତକୁ ନେଇଗଲେ । ପାଖରେ ରହିଲା କିଛି ଜଳଜମି ମାତ୍ର । ସେଥିରେ ପୁଉଣି କେବେ ବନ୍ୟା ତ କେବେ ମରୁଡ଼ି । ଚାଷ ବାସ କଥା ବୁଝା ରଖା କରୁଥିବାବେଳେ ଅବଶ୍ୟ ସେ ତାଙ୍କର ଛବି ଅଙ୍କା କାମ ବନ୍ଦ କରି ନଥିଲେ । ତାଙ୍କ ବିଲରେ କାମ କରୁଥିବା ସ୍ତ୍ରୀ ଲୋକମାନଙ୍କର ସ୍କେଚ୍ ନିୟମିତ କରୁଥିଲେ । ପୁରୁଣା ଘରର ମାଟି ତଳୁ ବାହାରିଥିବା ପଥର କେଇଖଣ୍ଡକୁ ନେଇ କେତୋଟି ଚମତ୍କାର ମୂର୍ତ୍ତି ଖୋଳିଥିଲେ । ସବୁକଥା ସରଳ ନିରାଡ଼ମ୍ବର ବାଗରେ ଚାଲିଥିଲା । ହେଲେ ଅଭାବ ଥିଲା ସହଚର୍ଯ୍ୟାର । ନିଆଳି ଗାଁରେ ଏ ସ୍କେଚ୍ ଓ ପଥର ମୂର୍ତ୍ତି ସବୁ ଦେଖିବାକୁ ବୁଝିବାକୁ କେହି ନଥିଲେ । କେବଳ ଯାହା ବନ୍ଧୁ ଭାବରେ ମିଳିଥିଲେ ପରବର୍ତ୍ତୀ ସମୟର ପ୍ରଖ୍ୟାତ ସାହିତ୍ୟିକ ମହାପାତ୍ର ନୀଳମଣି ସାହୁ । ନୀଳମଣି ସାହୁ ସେତେବେଳେ ରେଭେନ୍ସା କଲେଜରେ ପାଠ ପଢୁଥା’ନ୍ତି । ଏମିତି ସମୟରେ ଖଲ୍ଲିକୋଟ ଠାରେ ଗୋଟିଏ ସରକାରୀ ଚାରୁ ଓ କାରୁକଳା ବିଦ୍ୟାଳୟ ଖୋଲିଲା । ଖବରକାଗଜରେ ଅଧ୍ୟାପକ ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଲା । ଅଜିତ୍ କେଶରୀ ସୁଯୋଗଟିକୁ ହାତଛଡ଼ା ନ କରି ଏଥିପାଇଁ ଆବେଦନ କଲେ ଓ ମନୋନୀତ ବି ହୋଇଗଲେ । ଇଏ ୧୯୫୭ ମସିହା ବେଳର କଥା ।

ଅଜିତ୍ କେଶରୀ ଖଲ୍ଲିକୋଟ କଳା ବିଦ୍ୟାଳୟରେ ଭାରତୀୟ ଚିତ୍ରକଳା ବିଭାଗରେ ଯୋଗଦେଲେ । ପୂର୍ବରୁ ସେ ଜାଗାରେ ଚିତ୍ରଶିଳ୍ପୀ ଗୋପାଳ କାନୁନଗୋ ଯୋଗଦେଇ ଇସ୍ତଫା ଦେଇ କଟକ ବାହୁଡ଼ି ଯାଇଥିଲେ । ଗୋପାଳ କାନୁନଗୋ ଙ୍କ ଇସ୍ତଫା ଫଳରେ ଖାଲି ହୋଇଥିବା ସ୍ଥାନରେ ହିଁ ଯୋଗ ଦେଇଥିଲେ ଅଜିତ କେଶରୀ । ସେତେବେଳକୁ ବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ଶରତଚନ୍ଦ୍ର ଦେବ, ଭାସ୍କର୍ଯ୍ୟ ବିଭାଗର ଅଧ୍ୟାପକ ଭାବରେ ବିପ୍ରଚରଣ ମହାନ୍ତି ଓ ଇନଷ୍ଟ୍ରକ୍ଟର ଭାବରେ ରବିନାରାୟଣ ନାୟକ ଯୋଗ ଦେଇ ସାରିଥା’ନ୍ତି । ପାଖାପାଖି ତିରିଶ ଜଣ ପିଲାଙ୍କୁ କଳାବିଦ୍ୟାଳୟରେ ପାଠ ପଢିବା ପାଇଁ ମନୋନୀତ କରାଗଲା ।

ଖଲ୍ଲିକୋଟରେ ଭାରତୀୟ ଚିତ୍ରକଳା ବିଭାଗରେ ପ୍ରଥମ ବର୍ଷର ପିଲାମାନଙ୍କୁ ଅଜିତ୍ କେଶରୀ ନନ୍ଦଲାଲ୍ ବୋଷଙ୍କ ଅଜନ୍ତା ଭିତ୍ତିଚିତ୍ରର ନକଲମାନଙ୍କୁ ନକଲ କରିବାକୁ ଦେଇଛନ୍ତି । ବେଙ୍ଗଲ୍ ସ୍କୁଲ୍ ଅଫ୍ ଆର୍ଟର ଚିତ୍ର ଧାରଣା ପରି ତାଙ୍କର ବିଶ୍ୱାସ ଥିଲା ଯେ, ଅଜନ୍ତା ପରି ପ୍ରାଚୀନ ଭାରତୀୟ ଛବିମାନଙ୍କରେ ଭାରତୀୟ ଚିତ୍ର ଦର୍ଶନର ମୂଳଭିତ୍ତି ଓ ମୂଳସୂତ୍ର ସବୁ ସମାହିତ ହୋଇ ରହିଛି । ଉଲ୍ଲେଖନୀୟ କଥାଟି ହେଲା, ଅଜିତ୍ କେଶରୀ କଳା ଭବନରେ ଛାତ୍ର ଥିବା ସମୟରେ ତାଙ୍କର କଳା ଶିକ୍ଷକ ମରାଠା ଚିତ୍ରଶିଳ୍ପୀ ବିନାୟକ ମାଶୋଦୀ ତାଙ୍କର ଛାତ୍ରଛାତ୍ରୀମାନଙ୍କୁ ନନ୍ଦଲାଲ୍ ବୋଷଙ୍କ ଦ୍ୱାରା ନକଲ କରାଯାଇଥିବା ଅଜନ୍ତା ଭିତ୍ତିଚିତ୍ରର ରୂପାବଳୀ ଡ୍ରଇଂର ପାଦ, ହାତ, ମୂଖ ଓ ପୂର୍ଣ୍ଣ ଅବୟବ ଆଦିକୁ ନକଲ କରିବାକୁ କହିଥିଲେ । ଅଜିତ୍ କେଶରୀ କଳା ଭବନରେ ଯେମିତି କଳାଶିକ୍ଷା ଲାଭ କରିଥିଲେ ଠିକ୍ ସେମିତି ଖଲ୍ଲିକୋଟରେ ଶିକ୍ଷାଦାନ କରିଛନ୍ତି । ବିଦ୍ୟାଳୟର ଚାରିକାନ୍ଥ ଭିତରୁ ଶିକ୍ଷାର୍ଥୀମାନଙ୍କୁ ମୁକୁଳାଇ ନେଇ, ପାଖ ଆଖର ଗାଁ ଓ ଚିଲିକା ହ୍ରଦ ପାଖକୁ ନେଇଯାଇଛନ୍ତି । ପ୍ରାକୃତିକ ପରିବେଶରେ ଥିବା ମଣିଷ, ଜୀବଜନ୍ତୁ, ଚଢେଇ ଓ ଗଛଲତାକୁ ପ୍ରତ୍ୟକ୍ଷ କରି ସେମାନଙ୍କର ସ୍କେଚ୍ କରାଇବା ସହ ଚିତ୍ର ସମୀକରଣରେ ସ୍ଥିତି ଓ ପରିସ୍ଥିତିକୁ ବୁଝାଇଛନ୍ତି । ପ୍ରକୃତିକୁ ସିଧାସଳଖ କେବଳ ନକଲ କରିବା ଚିତ୍ରଶିଳ୍ପୀର ଆଦୌ ଲକ୍ଷ୍ୟ ନୁହେଁ ବୋଲି ପିଲାମାନଙ୍କୁ କହିଛନ୍ତି ।

ଚିତ୍ର, ଚିତ୍ରଶିକ୍ଷା, ଚିତ୍ର ଶିକ୍ଷାର୍ଥୀ, କଳା ବିଦ୍ୟାଳୟ, ଖଲ୍ଲିକୋଟର ଶାନ୍ତ ସରଳ ସବୁଜ ବନାନୀ ଘେରା ପରିବେଶ, ଅବଚେତନରେ ଶାନ୍ତିନିକେତନର ସ୍ୱଦେଶୀ ଚିତ୍ରର ପସରା ଭିତରେ ଅଜିତ୍ କେଶରୀଙ୍କୁ ତଥାପି ଆଛନ୍ନ କରିରଖିଛି ପିକାଶୋଙ୍କ ଛବି । ଖଲ୍ଲିକୋଟ କଳା ମହାବିଦ୍ୟାଳୟର ଏମିତି ଗୋଟେ ଅବସନ୍ନ ଅପରାହ୍ନ । ଖଲ୍ଲିକୋଟ ରାଜ ପ୍ରାସାଦ ରାମଚନ୍ଦ୍ର ଭବନର ଦ୍ୱିତୀୟ ମହଲା ଶିଳ୍ପୀଙ୍କ ବସା ଘରର ଝରକା ସେପଟରେ କେତୋଟି ଘରଚଟିଆ ବର୍ତ୍ତୁଳାକାର ପଥରେ ଘୁରି ବୁଲୁଛନ୍ତି । ଦୃଶ୍ୟଟିରେ କୌଣସି ନୂତନତା ଅବଶ୍ୟ ନ ଥିଲା । ସବୁଦିନିଆ ଦୃଶ୍ୟଟିଏ । କିନ୍ତୁ ଝରକା ଏପଟେ ଠିଆ ଅଜିତ୍ କେଶରୀଙ୍କୁ ଦୃଶ୍ୟଟି ହଠାତ୍ ଭିନ୍ନ ମନେହେଲା । ମନେ ହେଲା କେତୋଟି ଜେଟ୍ ଉଡ଼ାଜାହାଜ କୁଣ୍ଡଳି କାଟି ମାଟିଠୁ ଆକାଶ ପର୍ଯ୍ୟନ୍ତ ତୀବ୍ର ବେଗରେ ଝପଟି ଯାଉଛନ୍ତି ।

ସାଙ୍ଗେ ସାଙ୍ଗେ ଏଇ ଭାବ ଓ ଦୃଶ୍ୟକୁ ନେଇ ସେ କେତୋଟି ସ୍କେଚ୍ କରିପକାଇଲେ । ତାପରେ କେତୋଟି ରଙ୍ଗୀନ୍ ସ୍କେଚ୍ ଓ ଶେଷରେ ଗୋଟେ ତୈଳ ଚିତ୍ର । ନାଁ ଦିଆଗଲା ‘ଦ ଫ୍ଲାଇଟ’ । ସେଇବର୍ଷ, ଅର୍ଥାତ୍ ୧୯୬୨ ରେ ଓଡ଼ିଶା ଲଳିତକଳା ଏକାଡେମୀର ପ୍ରଥମ ଚିତ୍ରକଳା ପ୍ରଦର୍ଶନୀରେ ମଡର୍ଣ୍ଣ ଆର୍ଟ ବିଭାଗରେ ଛବିଟି ପ୍ରଥମ ସ୍ଥାନ ଅଧିକାର କରି ପୁରସ୍କୃତ ହେଲା । ଓଡ଼ିଶା ମାଟିରେ ଠିକ୍ ଏଇଠୁ ହିଁ ଆରମ୍ଭ ହେଲା ଆଧୁନିକ ଚିତ୍ରକଳାର ପ୍ରଥମ ପୃଷ୍ଠା।

ଲଣ୍ଡନରେ ପହଁଞ୍ଚି ଅଜିତ୍ କେଶରୀ ପିକାଶୋଙ୍କ ମାୟାରେ ଯୋଉ ପଡ଼ିଥିଲେ ତା’ର ଫଳ ଫଳିଛି ୧୯୬୨ ରେ । କ୍ୟୁବିକ୍ ଶୈଳୀରେ ଅଙ୍କିତ ତାଙ୍କର ତୈଳଚିତ୍ର ‘ଦ ଫ୍ଲାଇଟ୍’ ଓଡ଼ିଶା ଚିତ୍ରକଳାର ପରିପ୍ରେକ୍ଷୀରେ ଐତିହାସିକ ମୁହୂର୍ତ୍ତର ସାକ୍ଷୀ ପାଲଟି ଯାଇଛି । ସେଦିନ ରାଜ୍ୟ ଲଳିତ କଳାର ପ୍ରଦର୍ଶନୀ ସେଥର ବୁଲି ଦେଖୁଥା’ନ୍ତି ପ୍ରଖ୍ୟାତ ସାହିତ୍ୟିକ ଗୋପୀନାଥ ମହାନ୍ତି । ସାଙ୍ଗରେ ଥାଆନ୍ତି ବିଶିଷ୍ଠ ଚିତ୍ରଶିଳ୍ପୀ ଗୋପାଳ କାନୁନଗୋ । ଚିତ୍ରବିଥିରେ ଚିତ୍ରସବୁକୁ ବୁଝାଉଥା’ନ୍ତି ସେ ଗୋପୀବାବୁଙ୍କୁ । ହଠାତ୍ ଅଜିତ୍ କେଶରୀଙ୍କ ‘ଦ ଫ୍ଲାଇଟ୍’ ଛବି ପାଖରେ ଅଟକି ଗଲେ ଗୋପୀ ମହାନ୍ତି । ଗୋପାଳ କାନୁନଗୋ ବୁଝାଇଦେଲେ ଯେ କାନଭାସ୍ ଉପରେ ଗଇଁତି ଗୁଡ଼ାକୁ ଆଙ୍କିଛନ୍ତି ଶିଳ୍ପୀ । ହେଲେ ମନ ମାନିନି ଗୋପୀନାଥଙ୍କର । ଡକା ହୋଇ ଆସିଛନ୍ତି ଅଜିତ୍ କେଶରୀ । ଅଜିତ୍ କେଶରୀ ପହଁଞ୍ଚି ଗୋପୀବାବୁଙ୍କୁ କହିଛନ୍ତି; ଆପଣ ଆଉ ଥରେ ଭଲ କରି ମୋ ଛବିକୁ ଦେଖନ୍ତୁ । ଛବିର ନାଁ ପଢନ୍ତୁ । ତାପରେ କ’ଣ ଭାବୁଛନ୍ତି ଓ ବୁଝୁଛନ୍ତି କୁହନ୍ତୁ ।

ଗୋପୀ ବାବୁ ଏଥର ନୀରିଖେଇ ଦେଖିଲେ ଛବିକୁ । ଛବିର ନାଁ ଅଛି ‘ଦ ଫ୍ଲାଇଟ୍’ । ହଁ . . ହଁ . . କ’ଣ ଗୁଡେ଼ ସବୁ ଉଡ଼ିଲା ପରି ମନେ ହେଉଛନ୍ତି । କିଛି ଆକାର ଉଡୁଛି । ଯାହା ବି ହେଇପାରେ; ଚଢେ଼ଇ କି ଆଉ କିଛି ବି ।

ଅଜିତ୍ କେଶରୀ ଏ ଛବିରେ ଚଢେଇମାନଙ୍କୁ ସେମାନଙ୍କର ସରଳତମ ଆକାରକୁ ଆଣିଦେଇଛନ୍ତି । ଯେମିତିକି ଚଢେଇର ପକ୍ଷ ପାଇଁ ଦୁଇଟି ତିନିକୋଣିଆ ଆକାର । ଗୋଟିଏ ତ୍ରିକୋଣ ଦେହ ପାଇଁ ଏବଂ କିଛି ଚତୁର୍ଭୁଜ ଓ ଆୟତକ୍ଷେତ୍ର ଅଛନ୍ତି ଅଗଣା ଓ ପ୍ରଚ୍ଛଦ ପାଇଁ ।

Painting by Ajit Keshari Ray

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘଟଣାଟି ହେଲା, ଅଜିତ୍ କେଶରୀ ଓଡ଼ିଶା ମାଟିର ପ୍ରଥମ ଚିତ୍ରଶିଳ୍ପୀ ଯିଏକି ଶାନ୍ତିନିକେତନର ହାତ ଛାଡ଼ି ଦେଇଛନ୍ତି ଠିକଣା ସମୟରେ । କଳାଭବନରେ ପାଠ ପଢ଼ିଥିବା ଅଜିତ୍ କେଶରୀ ବେଙ୍ଗଲ୍ ସ୍କୁଲ୍ ଅଫ୍ ଆର୍ଟ ସାଙ୍ଗରେ ଯୋଡ଼ି ହୋଇ ରହିଥିବା ସୂତାକୁ କାଟି ପକାଇଛନ୍ତି । ନନ୍ଦଲାଲ୍, ବିନୋଦବିହାରୀ ଏବଂ ରାମକିଙ୍କରଙ୍କୁ ଛାଡ଼ି ପିକାଶୋଙ୍କୁ ଡାକି ଆଣିଛନ୍ତି ଓଡ଼ିଶା ମାଟିକୁ । ଓଡ଼ିଶାର ଆଧୁନିକ ଚିତ୍ରକଳାର ପରିସର ଓ ପରିସୀମାକୁ ବ୍ୟାପକ କରିଛନ୍ତି । କ୍ୟୁବିଜିମ୍ ର ସ୍ୱାଦ ଚଖାଇଛନ୍ତି ଆପଣା ରାଜ୍ୟର ଚିତ୍ରରସିକ ମାନଙ୍କୁ । ଅବଶ୍ୟ ପୂର୍ବରୁ ଚିତ୍ରଶିଳ୍ପୀ ଗୋପାଳ କାନୁନଗୋ ଟେମ୍ପରାରେ କ୍ୟୁବିଜିମ୍ କୁ ନେଇ ତାଙ୍କ ବାଗରେ କେତୋଟି ପ୍ରାରମ୍ଭିକ ପରୀକ୍ଷା କରିସାରିଥିଲେ । ତଥାପି ‘ଦ ଫ୍ଲାଇଟ୍’କୁ ହିଁ ଓଡ଼ିଶାର ପ୍ରଥମ ସଫଳ କ୍ୟୁବିଷ୍ଟ ଛବି କୁହାଯାଏ ।

‘ଦ ଫ୍ଲାଇଟ୍’ ଛବି ପରେ ଅଜିତ୍ କେଶରୀ ଆଉ କ୍ୟୁବିଜିମ୍ ର ମାୟାରୁ ମୁକୁଳି ପାରି ନାହାଁନ୍ତି । ପଛକୁ ପଛ ସେ ଆହୁରି ଅନେକ ଗୁଡେ଼ ଛବି ସେହି ଧାରାରେ ଆଙ୍କିଛନ୍ତି । ପିକାଶୋ ଓ ବ୍ରାକ୍ ଙ୍କୁ ଅନୁସରଣ କରି ‘ଦି ଭାଓଲିନିଷ୍ଟ୍’, ‘ବୋଟସ୍’, ‘ହାରଭେଷ୍ଟ’, ‘ଫ୍ଲାୱାର ଭେସ୍’, ‘ଆଫଟର୍ ଦ ଲଞ୍ଚ ପାର୍ଟି’, ‘ସେଟରଡ୍ ସନ୍’ ଆଦି ଛବି ଆଙ୍କିଛନ୍ତି । “ଅଜିତ୍ ସାର୍ ଷାଠିଏ ଦଶକ ଆରମ୍ଭରେ କ୍ୟୁବିଜିମ୍ ଦ୍ୱାରା ଅତିମାତ୍ରାରେ ପ୍ରଭାବିତ ହୋଇଥିଲେ ଓ ତାହା ତାଙ୍କର ସମଗ୍ର ଶିଳ୍ପୀ ଜୀବନକୁ ମୋହଗ୍ରସ୍ତ କରି ରଖିଥିଲା । ସିଏ ପକ୍ଷୀ ଆଙ୍କନ୍ତୁ, ସ୍ତ୍ରୀ ଆଙ୍କନ୍ତୁ କି ପୁରୁଷ ଆଙ୍କନ୍ତୁ ସବୁଥିରେ ଘନବାଦର ଭାବ, ସବୁଥିରେ ପିକାଶୋଙ୍କ ଛାପ ।” (ପାଠୀ ଦୀନନାଥ, ଚିଲିକା ପାଣିରେ ଛାଇ, ଅବନ୍ତୀ-୨୦୦୫)

ଅଜିତ୍ କେଶରୀ ତାଙ୍କର ଲଣ୍ଡନ ରହଣିରେ ପଥର ଖୋଳା, କାଠ ଖୋଦେଇ ଓ ଏଚିଂ ଆଦି ଶିଖିଛନ୍ତି ସିନା, ୟୁରୋପର ଚିତ୍ରକଳାର ଅନ୍ୟତମ ପ୍ରମୂଖ ମାଧ୍ୟମ କାନଭାସ୍ ଉପରେ ତୈଳଚିତ୍ରର ପ୍ରୟୋଗ ଶିଖି ନାହାଁନ୍ତି । ପିକାଶୋ, ଭ୍ୟାନଗୋଗ୍ ଙ୍କ ଛବିର ଆବେଦନ ଓ ଧାରା ତାଙ୍କୁ ପ୍ରଲୁବ୍ଧ କରିଛି ସିନା ସେମାନଙ୍କ ଛବିର ମାଧ୍ୟମ ଠାରୁ ନିଜକୁ ଦୂରେଇ ରଖିଛନ୍ତି ସେ । ତୈଳ ରଙ୍ଗକୁ ମାଧ୍ୟମ କରି ସେ ଛବି ଆଙ୍କିଛନ୍ତି ପ୍ରାୟ ୧୯୬୦ ବେଳକୁ । ସେତେବେଳକୁ ସେ ଖଲ୍ଲିକୋଟ କଳା ବିଦ୍ୟାଳୟରେ ଅଧ୍ୟାପକ । ବିଦ୍ୟାଳୟର ଅଧ୍ୟକ୍ଷ ଆଚାର୍ଯ୍ୟ ଶରତଚନ୍ଦ୍ର ଦେବ ହିଁ ଅଜିତ୍ କେଶରୀଙ୍କୁ ପ୍ରରୋଚିତ କରିଛନ୍ତି କାନଭାସ୍ ଉପରେ ତୈଳରଙ୍ଗରେ ଛବି କରିବାକୁ । ଅଜିତ୍ କେଶରୀ ପୂର୍ବରୁ ଶାନ୍ତିନିକେତନ କି ଲଣ୍ଡନ କେଉଁଠି ବି ତୈଳରଙ୍ଗକୁ ମାଧ୍ୟମ ଭାବରେ ବ୍ୟବହାର କରିନାହାନ୍ତି । ଅବଶ୍ୟ ଶାନ୍ତିନିକେତନରେ ତୈଳରଙ୍ଗରେ ଛବି କେହି କରୁନଥିଲେ କି ଛାତ୍ରଛାତ୍ରୀମାନଙ୍କୁ ଏ ବିଷୟରେ କଳା କୌଶଳ ବି ଶିକ୍ଷା ଦିଆଯାଉନଥିଲା । ନୂଆ ମାଧ୍ୟମ ପ୍ରୟୋଗ ଜନିତ କୁଣ୍ଠାକୁ ଦୂରେଇ ଦେବାକୁ ଶରତଚନ୍ଦ୍ର ଦେବ ସେଦିନ ତାଙ୍କୁ ବୁଝାଇ ଦେଇଥିଲେ ଯେ, ପ୍ରୟୋଗକୁ ନେଇ ଟେମ୍ପରା ଓ ତୈଳରଙ୍ଗ ଭିତରେ ସେପରି କିଛି ପ୍ରଭେଦ ନାହିଁ । ବ୍ୟବହାର ଦିଗରୁ ଦୁହେଁ ଲେପଚିତ୍ର । ଟେମ୍ପରା ରଙ୍ଗ ପାଇଁ ଜଳର ଯେମିତି ଆବଶ୍ୟକତା ଅଛି ଠିକ୍ ସେମିତି ତୈଳରଙ୍ଗ ପାଇଁ ଲିନ୍ସିଡ୍ ଅଏଲ୍ ର । ଟେମ୍ପରା ରଙ୍ଗରେ ପୂର୍ବରୁ ଚିତ୍ରାଭ୍ୟାସ କରୁଥିବା ଅଜିତ୍ କେଶରୀଙ୍କୁ ତୈଳରଙ୍ଗ ଆଉ କଷ୍ଟକର ମନେ ହେଲାନି ଏଥର ।

ଅଜିତ୍ କେଶରୀଙ୍କ ଶିଳ୍ପୀ ଜୀବନ ଖଲ୍ଲିକୋଟ ରହଣିରେ ପ୍ରସ୍ଫୁଟିତ ହୋଇଥିଲା । ୧୯୬୬ ରେ ଶରତ ଚନ୍ଦ୍ର ଦେବଙ୍କ ଅବସର ଗ୍ରହଣ ପରେ ଖଲ୍ଲିକୋଟ ଆର୍ଟ ସ୍କୁଲ୍ ର ଅଧ୍ୟକ୍ଷ ଭାର ପଡିଥିଲା ଅଜିତ୍ କେଶରୀଙ୍କ ଉପରେ । ଜଣେ ପ୍ରଶାସକ ଭାବରେ ଗୋଟେ କଳା ବିଦ୍ୟାଳୟ ଚଳାଇବାର ଦକ୍ଷତା ଅଜିତ୍ କେଶରୀଙ୍କ ପାଖରେ ନଥିଲା । ତେଣୁ ସେ ଖୁବ୍ ଶୀଘ୍ର ବିଦ୍ୟାଳୟର ଅନେକ ସମସ୍ୟା ସହିତ ଜଡ଼ିତ ହୋଇପଡ଼ିଲେ । ଭିନ୍ନ ଭିନ୍ନ ପ୍ରକାର ସମସ୍ୟାକୁ ସମାଧାନ କରିବା ବାଟରେ ସବୁଠାରୁ ଅଧିକ କ୍ଷତି ପହଞ୍ଚିଲା ତାଙ୍କର ଆପଣା ଚିତ୍ର ସାଧନାରେ । ୧୯୮୦ ମସିହାରେ ସେ ଅଧ୍ୟକ୍ଷ ଭାବରେ ଖଲ୍ଲିକୋଟ କଳା ମହାବିଦ୍ୟାଳୟରୁ ଅବସର ନେଇ କଟକ ଫେରିଆସିବା ପରେ ଆଉ ପ୍ରାୟତଃ ଛବି ଆଙ୍କି ନାହାଁନ୍ତି । ତେଣୁ ଅଜିତ୍ କେଶରୀଙ୍କର ଚିତ୍ରସୃଷ୍ଟିର ଅବଧି ଦୀର୍ଘ ହୋଇପାରିନି ବିଭିନ୍ନ କାରଣରୁ । ତଥାପି ତାଙ୍କର ଚିତ୍ରସମ୍ଭାରକୁ ତିନି ଭାଗରେ ବିଭକ୍ତ କରାଯାଇପାରେ । ଯଦିଓ ବିଷୟ ବସ୍ତୁର ବେଶୀ କିଛି ଉଲ୍ଲେଖନୀୟ ଭିନ୍ନତା ତାଙ୍କର ନାହିଁ । ପ୍ରଥମ ଭାଗରେ ଅଛି କ୍ୟୁବିକ୍ ଶୈଳୀରେ ଅଙ୍କା ‘ଦ ଫ୍ଲାଇଟ୍’, ‘ଭାଲଓଲିନିଷ୍ଟ’, ‘ଫ୍ଲାୱାର ଭେସ୍’, ‘ଷ୍ଟିଲ୍ ଲାଇଫ୍ ଉଇଥ୍ ଫିସ୍ ଇନ୍ ଜାରି’, ‘ସନ୍ ଫ୍ଲାୱାର’, ‘ଆଫ୍ଟର୍ ଦି ଲଞ୍ଚ୍’ ଏବଂ ‘ବୋଟସ୍ ଏଣ୍ଡ ହର୍ସେସ୍’ ଆଦି ଛବି । ଦ୍ୱିତୀୟ ଭାଗରେ ରହିଛି କିଛି ଫିଗୋରେଟିଭ୍ ଚିତ୍ର । ଯଥା ‘ଫ୍ୟାମିଲି’, ‘ମଦର ଏଣ୍ଡ ଚାଇଲ୍ଡ, ‘ରେକ୍ଲାଇନିଂ ଓମ୍ୟାନ’,’ ୱିମେନ ଉଇଥ୍ ୱାଟର ପିଚରସ’ ଆଦି ଛବି । ଅଜିତ୍ କେଶରୀଙ୍କର ଛବିର ପୁରୁଷମାନେ ଡେଙ୍ଗା, ସ୍ୱଳ୍ପ ପେଶୀଯୁକ୍ତ ଓ ଚଳଚଞ୍ଚଳ ହୋଇଥିବାବେଳେ ନାରୀମାନେ ତନୁପାତେଳୀ ଓ ଘନ ବର୍ତ୍ତୁଳସ୍ତନା । ତୃତୀୟ ଭାଗରେ ଅଛି ‘ଦ ସାଟର୍ଡ ସନ୍’, ‘ସାଇକ୍ଲୋନ୍’, ‘ମୁନ୍’ ଆଦି କିଛି ଆବଷ୍ଟ୍ରାକ୍ଟ କମ୍ପୋଜିସନ୍ । ଅଜିତ୍ କେଶରୀଙ୍କର ଆବଷ୍ଟ୍ରାକ୍ଟ କୁହାଯାଉଥିବା ଛବିରେ ମଧ୍ୟ କ୍ୟୁବିଜିମ୍ ର ପ୍ରଭାବ ସୁସ୍ପଷ୍ଟ ।

ମାଧ୍ୟମ ଭାବରେ ଆମେ ଅଜିତ୍ କେଶରୀଙ୍କ କାମଗୁଡିକୁ ମୋଟିମୋଟି ତିନିଭାଗରେ ଭାଗ କରିପାରିବା । ଯଥା; ପ୍ରିଣ୍ଟ (ଲିନୋ ଖୋଦେଇ, କାଠ ଖୋଦେଇ ଓ ଏଚିଂ), ଭାସ୍କର୍ଯ୍ୟ (ପଥର ଓ କାଠ), ଚିତ୍ର (ଟେମ୍ପରା ଓ ତୈଳ ଆଦି) ।

Painting by Ajit Keshari Ray

ଅଜିତ୍ କେଶରୀ ଓଡ଼ିଶାର ପ୍ରଥମ ଆଧୁନିକ ଚିତ୍ରଶିଳ୍ପୀ ଭାବରେ କେବଳ ନୁହେଁ, ଓଡ଼ିଶାର ପ୍ରାଥମିକ ପର୍ଯ୍ୟାୟର ଜଣେ ପ୍ରମୂଖ ପ୍ରିଣ୍ଟମେକର ଭାବରେ ମଧ୍ୟ ଜଣେ ଗୁରୁତ୍ୱପୂର୍ଣ୍ଣ ଶିଳ୍ପୀ । କଳାରଙ୍ଗ ଉପରେ ଧଳା ରଙ୍ଗ ଓ ଧଳା ରଙ୍ଗ ଉପରେ କଳା ରଙ୍ଗକୁ ନେଇ ହୋଇଥିବା ଚିତ୍ର ତାଙ୍କର ପ୍ରିୟ ଥିଲା । ଏପରି ଛବି ଲିନୋ ଓ ଉଡ୍ କଟ୍ର ପ୍ରିଣ୍ଟ ରେ ସହଜରେ ହୋଇପାରୁଥିଲା । ଶାନ୍ତିନିକେତନର କଳାଭବନରେ ପାଠ ପଢ଼ିବା ସମୟରେ ସେ ଏଇ ଲିନୋକଟ୍ ଓ ଉଡ୍ କଟ୍ ଅନେକ କୌଶଳ ବିଶ୍ୱରୂପ ବୋଷଙ୍କ ପାଖରୁ ଶିକ୍ଷା କରିଥିଲେ । ବିଶ୍ୱରୂପ ବୋଷ ଏ ଜ୍ଞାନ କୌଶଳ ସବୁ ଚୀନ୍ ଓ ଜାପାନରୁ ଶିକ୍ଷା ପାଇଥିଲେ । ଅଜିତ୍ କେଶରୀ ସେଇଠି କାଠ ଖୋଦେଇ କରି କିପରି ରଙ୍ଗୀନ୍ ଛାପା ନିଆଯାଇପାରେ ତା’ର କୌଶଳ ମଧ୍ୟ ଶିକ୍ଷା କରିଥିଲେ । ତାଙ୍କର କିନ୍ତୁ ଉଡ୍ ଏନଗ୍ରାଭିଂ ଓ ଏଚିଂର ଦକ୍ଷତା ବଢ଼ିଥିଲା ଲଣ୍ଡନ ରହଣି ସମୟରେ । ସେଇଠି ସେ ଅନେକ ଗୁଡେ଼ ଚମତ୍କାର କାଠ ଖୋଦେଇ କରି ବ୍ଲକ୍ ପ୍ରସ୍ତୁତ କରି ଛାପା ନେଇଥିଲେ । ଯେଉଁସବୁ ପ୍ରିଣ୍ଟରେ ତାଙ୍କର ଶାନ୍ତିନିକେତନର ଭାବପ୍ରବଣତା ଓ ପାଶ୍ଚାତ୍ୟ ଦେଶର କଳା ନୈପୁଣ୍ୟତାର ନିଦର୍ଶନ ରହିଥିଲା । ଅଜିତ କେଶରୀ ଲଣ୍ଡନରୁ ଫେରି କାଠ ଖୋଦେଇ ସମ୍ପର୍କରେ କହିଛନ୍ତି ଯେ, “ଆଧୁନିକ ଯୁଗରେ କାଠ ଖୋଦେଇ ଚିତ୍ର ହିଁ ଅଧିକାଂଶ ଶିଳ୍ପୀଙ୍କୁ ଆକୃଷ୍ଟ କରିଛି । ତାହାର ପ୍ରଧାନ କାରଣ ହେଉଛି, ପେନସିଲ୍ ଓ ରଙ୍ଗଚିତ୍ର ଅପେକ୍ଷା ଏହା ଶସ୍ତା । କାରଣ ଶିଳ୍ପୀ ନିଜେ ହିଁ ତା’ର ଚିତ୍ର ସଙ୍ଗେ ସଙ୍ଗେ ବ୍ଲକ୍ ଟାକୁ ପ୍ରସ୍ତୁତ କରିନିଏ ।” ( ମୋ ଜୀବନ ଉପରେ ରୂପର ପ୍ରଭାବ, ସଂପାଦନା- ଡକ୍ଟର ସଂଗ୍ରାମ ଜେନା, ୨୦୧୬, ପ୍ର- ଇପକା ଭୁବନେଶ୍ୱର, ପୃ-୮୦)

ଓଡ଼ିଶା ମାଟିରେ ପଥରକୁ କାଟି ମୂର୍ତ୍ତି ତିଆରି କରିବା ଆଦୌ ନୂଆ କଥା ନୁହେଁ । ଶହଶହ ବର୍ଷ ଧରି ସେ ପରମ୍ପରା ଏବେବି ଜୀବିତ । କିନ୍ତୁ ଜଣେ ଓଡ଼ିଆ ଶିଳ୍ପୀ ଭାବରେ ପଥରକୁ କାଟି ଖୋଳି ଆଧୁନିକ ଭାସ୍କର୍ଯ୍ୟ ଗଢ଼ିବାର ଶ୍ରେୟ ମଧ୍ୟ ଅଜିତ୍ କେଶରୀଙ୍କୁ ଯିବ । ଲଣ୍ଡନର ଆଂଗ୍ଲୋ-ଫ୍ରେଞ୍ଚ୍ ସେଣ୍ଟରରେ ସେ ଖୋଳିଥିବା କିଛି ପଥର ଭାସ୍କର୍ଯ୍ୟ ଅବଦାନ ଉଲ୍ଲେଖଯୋଗ୍ୟ । ବିଲାତରେ ଦୁଇବର୍ଷ ଅଧ୍ୟୟନ କାଳରେ ସେ ଇଜିପ୍ଟର ମୂର୍ତ୍ତିକଳା ଦ୍ୱାରା ବେଶି ଭାବରେ ପ୍ରଭାବିତ ହୋଇଛନ୍ତି ।

ଅଜିତ୍ କେଶରୀଙ୍କର କର୍ମମୟ ଜୀବନର ଅବସାନ ଘଟିଥିଲା କଟକ ରାଣୀହାଟରେ ଥିବା ଆପଣା ବାସଭବନରେ ବୁଧବାର ସନ୍ଧ୍ୟା,୧୦ ଅକ୍ଟୋବର, ୨୦୧୨ ମସିହାରେ । ଅଜିତ୍ କେଶରୀଙ୍କର ମରଶରୀର ଇହଧାମରୁ ବିଦାୟ ନେଇଥିଲେ ମଧ୍ୟ ଓଡିଶାର ଆଧୁନିକ ଚିତ୍ରକଳାର ଆଦ୍ୟ ପ୍ରବକ୍ତା ଭାବରେ ଓଡିଶା ଚିତ୍ରକଳାର ଇତିହାସରେ ତାଙ୍କର ସ୍ଥାନ ନିରୂପିତ ହୋଇ ସାରିଥିଲା । ଶିଳ୍ପୀଙ୍କ ଦେହାନ୍ତର ଅଳ୍ପ ଦିନ ପରେ ତାଙ୍କ ଧର୍ମପତ୍ନୀ ଗୀତା ଦେବୀଙ୍କର ମଧ୍ୟ ଦେହାବସାନ ହୋଇଥିଲା ।

ଓଡ଼ିଶାର ଆଧୁନିକ ଚିତ୍ରକଳାର ପ୍ରଥମ ବାର୍ତ୍ତାବହ ଭାବରେ ଓଡ଼ିଶାର କଳା ଇତିହାସରେ ଅଜିତ୍ କେଶରୀ ରାୟ ନିଶ୍ଚୟ ମନେରହିବେ । ଓଡ଼ିଶା ମାଟିରେ ଆଧୁନିକ ଚିତ୍ରକଳାରେ ନୂଆ ଉତ୍ସାହ ଆଗ୍ରହ ଭରିଦେବାରେ ତାଙ୍କର ବ୍ୟାପକ ଅବଦାନ ରହିଛି । ତାଙ୍କର ପଥର ଖୋଦେଇ ଆଧୁନିକ ଭାସ୍କର୍ଯ୍ୟ ଓ ପ୍ରିଣ୍ଟମେକିଂରେ ତାଙ୍କର ପ୍ରାଥମିକ ପ୍ରୟାସ ସବୁ ରାଜ୍ୟର ପରବର୍ତ୍ତୀ  ପିଢ଼ିର ଶିଳ୍ପୀମାନଙ୍କ ପାଇଁ ପଥପ୍ରଦର୍ଶନର ଭୂମିକା ନିର୍ବାହ କରିଛି ।

Painting by Ajit Keshari Ray

About Dr. Ramakanta Samantaray

Ramakanta Samantaray is a contemporary Indian Artist and well known Odia fiction writer. He also regularly writing features and critical texts on art and culture. Presently he is living and working in Bhubaneswar. He has published more than fifteen books.

View all posts by Dr. Ramakanta Samantaray →