ମତିଲାଲ ପାଦରୀ – ୧

ମୂଳ ଲେଖା: କମଳକୁମାର ମଜୁମଦାର || ଅନୁବାଦ: ଜ୍ୟୋତି ନନ୍ଦ

ହଂସଦୁଆର ଶାଳକାଠରେ ତିଆରି କ୍ରୁଶଟି ବହୁ ଦୂରରୁ ଦେଖାଯାଏ । ଦୂରରୁ ନିମଡାର ଢାଲୁ ଠାରୁ, ଦୂର ସାଗରଡଙ୍ଗାର ଗଡାଣିରୁ ଏବଂ ଆଉ ଆଉ ଅନେକ ଗୁହାଳ, କ୍ଷେତବାଡି, ଗାଆଁରୁ ଦେଖାଯାଏ । ଏଇ କାରଣରୁ ଯେ, ଗିର୍ଜାଟି ଗୋଟିଏ ଢାଲୁ ଚାଷ ହେଉନଥିବା ଜମିର ଉଚ୍ଚାରେ ଅବସ୍ଥିତ।

ପ୍ରତି ପ୍ରାଚୀନ ଜ୍ୟାମିତିକ ଚିହ୍ନ ନୀଳ ଆକାଶର ମଧ୍ୟରେ; କେଉଁ ଚାନ୍ଦର ଆଲୁଅରେ ଅଥବା ହୁଣ ସୂର୍ଯ୍ୟର ଦୌରାତ୍ମରେ ସମାନ ବିସ୍ମୟକର ଏବଂ ଶାନ୍ତ। କଠିନ ଜ୍ୟାମିତିକ ଚିହ୍ନର ମଧ୍ୟରେ ଏତେ ବେଦନା ଅତୁଟ ହୋଇ ଥାଏ ତାହା କିଏ ଜାଣିଥିଲା, ଯେଉଁ ବେଦନାର ଭାର ପ୍ରାଣର ମାଧୁର୍ଯ୍ୟ ଚିରକାଳ ହିଁ ବହନ କରୁଥିବ।

ଡେଙ୍ଗା ଇଉକାଲିପଟାସ୍ ଧାଡିର ଫାଙ୍କରେ ବିଲାତି କୁଣ୍ଡ ଭଳି ଛୋଟ ଗୀର୍ଜାଘର ଆଉ କାନ୍ଥ ଯଥାଯଥ ପରିଷ୍କାର କରି ପୋଚ୍ଛା । ତଥାପି ବି ଆଙ୍ଗୁଳିର ବ୍ୟବହାର ର ବାହାଦୁରି ଲାଲ ହୋଇ ଅଛି। ବାଉଁଶର ସତରଂଜି କରା ଝରକା, ଘର ମଝିରେ ବିଶୁଦ୍ଧ ଗୋଟିଏ କୋଣରେ ଅନେକ ଗଦି ଏକାଠି; ରବିବାର ଅଥବା ସ୍ମରଣୀୟ କୌଣସି ଦିବସରେ ଏସବୁ ବିଛା ଯାଏ। ସମ୍ମୁଖରେ “ପବିତ୍ରତା”ର ଛବି; ନିମ୍ନରେ ଲମ୍ବା ଟେବୁଲ୍ ରେ ଅନେକ ରଙ୍ଗିନ ବତୀ,ଧୂପଦାନୀ,ଇତସ୍ତତ ଫୁଲ ବିକ୍ଷିପ୍ତ। ଏହାର ପାଖରେ ମାଟିରୁ ଉଠିଆସିଥିବା ଅଲଟାର୍ ନିଖୁଣ ସାନ୍ତାଳୀ କାରୁ-ନିପୁଣତା। ଗୀର୍ଜାର ଦୁଇପଟେ ସବୁଜ ପ୍ରାନ୍ତର (ଯାହା ଏଇଲେ ଅସମ୍ଭବ) ଫୁଲର କିଆରୀ କରା କ୍ୟାନା ଗଛ। ଏକାନ୍ତରେ ଗୋଟିଏ ଘଣ୍ଟା। ଉପସ୍ଥିତ ଘଣ୍ଟାର ଦଉଡିଟି ବେଶ୍ ତଳେ ଯାଇ ବନ୍ଧା। ବହୁଯୋଜନ ଖର ଜମିର ଭିତରେ ଏଇଟିକକ ନୟନାଭିରାମ ହରିତ ଶୋଭା। ମତିଲାଲ ପାଦ୍ରୀ ଅନେକ ପରିଶ୍ରମ ରେ ଏତିକି ଆଣିପାରିବାକୁ ସକ୍ଷମ ହୋଇଥିଲେ।

ଏଠାରେ ଲୋକେ ସନ୍ତର୍ପଣରେ ପାଦ ଦିଅନ୍ତି; ପଛନ୍ତେ ପାପ ହେବ ତେଣୁ ସଭୟରେ ବିଚଳିତ ପାଦରେ,ଲୁଗାପଟା ସମ୍ଭାଳି ଗୀର୍ଜାକୁ ଆସନ୍ତି।ମତିଲାଲ ସତକୁ ବଡ ପୁଣ୍ୟର ସ୍ଥାନ କରି ରଖିଛନ୍ତି । ପାଖରେ ଥିବା କୂଅର ତେଣ୍ଡାରୁ ବଗିଚା ଭସାଇ ଜଳ ଦିଆଯାଏ,କେହି ନଆସିଲେ ଏଇ ବୟସରେ ସେ ନିଜେ ଜଳ ଦିଅନ୍ତି ଏପଟର ଆଉ ଗୋଟିଏ ନୀଚା ଜାଗାକୁ, ସେଇଠି କିନ୍ତୁ ପତ୍ରବାହାର ର କିଛି ବୁଦା ରହିଛି , ଆଉ ମଝିରେ ଅଛି ଗୋଟିଏ ନୀଚା ବେଦୀ। ବେଦୀର ଉପରେ ଲତାପତ୍ରରେ କ୍ରୁଶ।ଏକମାତ୍ର ମତିଲାଲ ପାଦ୍ରୀଙ୍କ ମାଆର କବର ରେ ପଣସକାଠର କ୍ରୁଶ ଥିଲା। ଆତ୍ମାର ଶାନ୍ତିମୟ କୋଳ ବୋଲି ବିବେଚିତ ହେଲେ ବି , ପକ୍ଷୀମାନେ-କେତେବେଳେ ବଣି କି ବୁଲବୁଲ,କାକ ଆଉ ଚିଲମାନେ ସେଇଠି ଆସି ବସନ୍ତି। ପ୍ରଥମେ ପ୍ରଥମେ ମତିଲାଲଙ୍କୁ ଭାରି ଖରାପ ଲାଗୁଥିଲା,ସେ ଭାବୁଥିଲେ ଗୋଟିଏ ପାଳଭୂତ କରିବେ ଯାହା ଫଳରେ ଆଉ କାକ ବା ଚିଲ ଆସିବେ ନାହିଁ। ତାହାପରେ ଭାବିଲେ, ନା କଥାଟା ଖରାପ ଦିଶିବ। ପରେ ଫୁଲଲ କୁ ପଚାରିଲେ। ସେ କହିଲା, ଗୋଟିଏ ବାଟୁଳୀ ତିଆରି କରି ସେ ସେମାନଙ୍କୁ ତଡିଦେଇ ପାରିବ। ପିଜୁଳିଡାଳରେ ଗୋଟିଏ ବାଟୁଳୀ ଖଡା ତିଆରି କରିବା ବେଳେ ଏଇ କଥାଟି ମନକୁ ଆସିଥିଲା, ଏଇଟା ଠିକ୍ ଖ୍ରଷ୍ଟାନସମ୍ମତ କାର୍ଯ୍ୟ ନୁହଁ, ଯଦି ପକ୍ଷୀମାନଙ୍କ ଦେହରେ ବାଜେ। ସେ ସତକୁ ସତ ଭାରି ଦୁଃଖ ପାଇଥିଲେ। ଫଳରେ ବାଟୁଳୀ ସ୍ଥଗିତ ରହିଳା।

ମତିଲାଲର ଚାହିଁବା ଭଳି କିଛି ନଥିଲା, ନା ଶାନ୍ତି, ନା ଆଉ କିଛି । ବିଚାର କାରଣରୁ ଭୟ ତାହାର କୌଣସି ପ୍ରକାରରେ ନଥିଲା।କେବଳ ଗୋଟିଏ ଇଚ୍ଛା,ପୂର୍ଣ୍ଣାଙ୍ଗ ଖ୍ରୀଷ୍ଟାନ୍ । ପୂରା ଖ୍ରୀଷ୍ଟାନ କହିଲେ ଅର୍ଥାତ୍ କଥାଟିର ଭିତରେ ବହୁ ପୁରାତନ ପ୍ରେମର ଅନୁଭବ ଥିଲା, ଅନୁତାପ ନୁହଁ। ତେଣୁ ଆଖପାଖର ପାଞ୍ଚ ଦଶ ଖଣ୍ଡ ମୌଜାର ଏପରି କୌଣସି ଜାଗା ନଥିଲା , ସେଇଠି ଛିଡା ହୋଇ ସେ ଏଇ କଥା ନ ଭାବିଛି। ସୁଦୀର୍ଘ କୁଚ୍ଛ୍ରସାଧନା-କ୍ଲିଷ୍ଟ ମଣିଷଟିର ଛାୟା କେଉଁଠି ନା କେଉଁଠି ପଡିଛି ।

ଦୀର୍ଘ ଶାଳବଲ୍ଲା ଭିତରୁ ତାହାର ଦେହଟାକୁ ଯେମିତି କୁନ୍ଦି କୁନ୍ଦି ବାହାର କରାଯାଇଛି – ମଥାର ଆଗପଟ ଚନ୍ଦା,ପଛର ଲମ୍ବାକେଶ ଏତେ ଲମ୍ବା ଯେ ତାହା ଆସି କାନ୍ଧ ଉପରେ ପଡିଛି। କାନରେ ଗଳାରେ ମଇଳାର ବହଳ, ଖଣ୍ଡିଏ ଅତି ପୁରୁଣା ପୁରୁଣା ଆଲଖାଲ୍ଲା ଦେହରେ । ଖ୍ରୀଷ୍ଟାନ ହେବାର ବାସନା ନେଇ ସେ ଗୋଟିଏ ମୁଣ୍ଡିଆ ରୁ ଆଉ ଗୋଟିଏ ମୁଣ୍ଡିଆ ବହୁବାର ପାର ହୋଇଛନ୍ତି, ପ୍ରାର୍ଥନା କରିଛନ୍ତି।

ଗୀର୍ଜାଘରର ପଛପଟେ ବହୁଦୂରରେ ତାଙ୍କର ଚାଳଘର ଖଣ୍ଡିଏ । ବାରଣ୍ଡାରେ ଇଜି ଚେୟାର୍,ମନେ ହୁଏ ବସିଲେ ପଡି ଯିବ। ସକାଳେ ଏଇଠି ବସି ସେ ଯେତେବେଳେ ଲୋକଙ୍କ ଜିଭ ଦେଖନ୍ତି,ଆଖି ଦେଖନ୍ତି, ନାଡିକୁ ଧରି ଅନେକ ସମୟ ବସନ୍ତି, ସେତେବେଳେ ଆର୍ତ୍ତଜନ ଆଉ ଗୋଟିଏ ଐଶ୍ୱର୍ଯ୍ୟ ର ସ୍ୱାଦ ପାଆନ୍ତି,ସଭ୍ୟତା ଆଡକୁ ଆଗେଇ ଆସେ। କିଏ ଜଳଚୌକିରେ ବସି ନୀତିବିଚାର ଶୁଣେ,ବିଶ୍ୱାସର କଥା ଶୁଣେ, ସେମାନଙ୍କର ରକ୍ତ ସ୍ଥିରତା ଲାଭ କରେ। ସାମନାରେ ଛୋଟ ବଗିଚାରେ ଯେତେବେଳେ  ସୁସମାଚାର ହାତରେ ପଦଚାଳନା କରୁଥାନ୍ତି,ତାଙ୍କ ଲତାର ଅଗ୍ରଭାଗ ଭଳି ଦେହଟି କ’ଣ ଯେମିତି ଜାବୁଡି ଧରିବାକୁ ଚାହେଁ, ସେତେବେଳେ ଦେଖାଯିବ ଦୂରରେ ବସି କୌଣସି ବୁଢୀ ତାହାର ଡାଳପତ୍ର ର ବୋଝଟି ପାଖରେ ରଖି, ବସି ବସି କିଛି ପୂଣ୍ୟ ର ପଥର ଦିଗ କୁ ଆଶା କରେ; ଆଉ ସେ, ଏଇ ଅପସରି ଯାଇଥିବା ହାହା କରା ଫାଙ୍କର ଭିତରେ ଗୋଟିଏ ପୁରାତନ ଖ୍ରୀଷ୍ଟାନ, କିଛି କିଛି କହନ୍ତି ।

Illustration by Ramakanta Samantaray

ଏଇଲେ ଆଷାଢ ମାସ। ଭାରି ଝଡ,ଭାରି ଜଳ।କାମାସକ୍ତ ଆଲିଙ୍ଗନର ମଧ୍ୟରେ ବି ଦୁସ୍ତର ପାରାବାର ସୃଷ୍ଟି ହୋଇଛି। କ୍ରମାଗତ ବିଦ୍ୟୁତରେଖା ,ଘୋର କୃଷ୍ଣମୟୀ ରାତ୍ରୀ। କକ୍ଷସ୍ଥିତ ଲଣ୍ଠନର ଶିଖା ପର୍ଯ୍ୟନ୍ତ କମ୍ପୁଅଛି।ମତିଲାଲ ତକ୍ତପୋଷ ଉପରେ, ବାଇବେଲ ଖୋଲା, କେବଳ ଯେମିତି ତାଙ୍କର କାନଟି ଆଉ କୁଆଡେ ଥିଲା। ମତିଲାଲ ଟେବୁଲସ୍ଥିତ ଆଲୁଅ ଆଡକୁ ଚାହିଁଲେ,ଉପରେ ଅଛି ତାଙ୍କର “ଛବି” ତାହା ଉପରେ ଥରେ ନଜର ପଡିଲା, ସେ ହୁଏତ କିଛି କହିଥିଲେ।

ଏତିକିବେଳେ ମଥାରେ ଗୋଟିଏ ଝାମ୍ପି ଭୁଲୁଆ ଆସି ଛିଡା ହେଲା,ଇଚ୍ଛା କରି ବେଶି ଥୁରୁଥୁରୁ ହୋଇ କହିଲା,” ଯେମିତି ବର୍ଷା, କି ଯେ ଥଣ୍ଡା ଗୋ ବାପ..।”

ମତିଲାଲ କାନ ଠିଆ କରି ଆଉ କିଛି ସେତେବେଳେ ଶୁଣୁଥିଲେ। ଥରେ ଭୁଲୁଆ ଆଡକୁ ଚାହିଁ ପରେ ଖୋଲା ଝରକାର ବିଦ୍ୟୁତପୀଡିତ ଅନ୍ଧକାର ଆଡକୁ ଦୃଷ୍ଟିପକାଇଲେ ସେ।

“କି ବରଷା ଗୋ..ଏଇଲେ କ’ଣ ଖାଇବ?”

“ଆରେ,କୁକୁରଟା କାହିଁକି ଏତେ ଭୁକୁଛି ରେ ?”

“ସେଇଟା ପକ୍କା ବଜାତ୍, ଶିଆଳ ଫିଆଳ ଦେଖିଛି ବୋଧେ, ମାରିବି ଏକ ଲାତ ?”

“ଥରେ ଭୁକଭୁକିଆ (ଟର୍ଚ୍ଚ) ପକାଇ ଦେଖନାରେ”

“ତମେ ଯାଇ କି ଦେଖ ଗୋ, ମୋର ଇଆଡେ ଭାତ ପୋଡିବାକୁ ବସିଲାଣି,ମୁଁ ଏଥର ଯାଏ ” ଭୁଲୁଆର ଜବାବ ରୁକ୍ଷ ନୁହଁ। ପାଦ୍ରୀ ଯେମିତି ଏମାନଙ୍କର ମାଆ।

ପାଦ୍ରୀ ଅଣ୍ଟାର ଦଉଡିକୁ ଟିକିଏ ଢିଲା କରି ପାଦରେ କଠଉ ଦେଇ ବାହାରର ବାରଣ୍ଡାକୁ ଆସିଲେ। ବିଜୁଳି ଆଲୁଅରେ ଦେଖା ଗଲା,କୁକୁରଟା ଗୀର୍ଜାଘର ଆଡକୁ ଛୁଟି ଛୁଟି ଯାଉଛି ଆଉ ଇଆଡକୁ ଫେରି ଆସୁଛି। ଟର୍ଚ୍ଚ ଜଳିଲା କିନ୍ତୁ ଆଲୁଅ ଧୀମା ହୋଇଯାଇଛି ,କେବଳ ବରଷାର  ଦଉଡି ଭଳି ରେଖାମାନ ସ୍ପଷ୍ଟ ହେଲା,ଗୀର୍ଜାଘରର ଆଲୁଅର ରେଶ ଏଇଠୁ ସ୍ପଷ୍ଟ,କେବଳ ଦରଜା ଖୋଲିପଡିବାର ଆବାଜ ଆସୁଛି ।

ପାଦ୍ରୀ ଘରକୁ ଆସି କ’ଣ ଭାବିଲେ,ତାହାପରେ ଛତା ଧରି କୌଣସିମତେ ଝଡବତାସ ଆଉ ଜଳ ସହିତ ଯୁଦ୍ଧ କରିକରି ଆଗେଇ ଯାଇ ଗୀର୍ଜାର ଝରକା ଫାଙ୍କ ଦେଇ ଉଙ୍କିମାରି ଦେଖିବାକୁ ଚେଷ୍ଟା କଲେ। ପବିତ୍ରତାର ଛବିଟି ଟିକିଏ ଦୋହଲୁଛି,ତଳେ ପିଲିସଜର ଉପରର ବତୀର ଶିଖା ଉପଦ୍ରୁତ, ସେପଟରେ ଝିମ୍ ମାରିଯାଇଥିବା ଲଣ୍ଠଣର ଭୀତ ଆଲୁଅ। ମେଘ ଗର୍ଜନ, ବୃଷ୍ଟି, ଝଡ ବତାସ, ଦରଜା ଖସିପଡିବାର ଶବ୍ଦର ଭିତରେ ସେ ଅସ୍ଥିର କୁନ୍ଥାଣର ଆବାଜ ଶୁଣିଥିଲେ, ଝରକାରେ ମୁହଁ ରଖି ଦେଖିଲା ବେଳକୁ ତାଙ୍କର ଗାଲ ଘଷି ହୋଇଯାଇଥିଲା।

କିଛି ପରିମାଣ ର ବିଜୁଳି ଆଲୁଅ ଆଉ ଲଣ୍ଠଣର ସ୍ୱଳ୍ପ ଆଲୁଅରେ ଦେଖାଗଲା ଗୋଟିଏ ସାନ୍ତାଳୀସଦୃଶ ସ୍ତ୍ରୀଲୋକ, ଯାହାର କର୍ଦ୍ଦମାକ୍ତ ହାତ ଦୁଇଟି ମାଟିର ସହ ଲାଗିରହିଛି,ପାଦ ଦୁଇଟି କର୍ଦ୍ଦମାକ୍ତ ଏବଂ ଦୁଇଦିଗରେ ବିଭକ୍ତ,ବିସ୍ତୃତ ହସ୍ତପଦଦ୍ୱୟର ମଧ୍ୟରେ ବିବସ୍ତ୍ର ଦଶାସହ ଦେହଟା ହିଁ କାହାର ସହିତ ଯେମିତି ବା ଲଢିବାକୁ ଯାଇ କୌଣସି ଏକ ବେଦନାରେ ସେତୁ ଭଳି ବକ୍ର ହୋଇ ଉଠିଛି । ଗୋଟିଏ କୋଣରେ, ଗୋଟିଏ ଲୁଗା ବିରକ୍ତ ଭାବରେ ବସିଥିବା ମୁର୍ଗୀ ଭଳି ଫୁଲି ଫୁଲି ଉଠିଛି। ତାହାର ମୁହଁର ଦୁଇପଟେ ଫେଣ, ଆଉ ଅସମ୍ଭବ କୁନ୍ଥାଣ। ପ୍ରାକୃତିକ ଶବ୍ଦକୁ ଭେଦ କରି, ସମସ୍ତ ସ୍ମୃତିକୁ ଅତିକ୍ରମ କରି ଜାଗ୍ରତ ହୋଇ ଉଠୁଛି ସେ ଶବ୍ଦ।

ଏତିକି ସେ ବୁଝିପାରିଥିଲେ ଯେ ମୃତ୍ୟୁର କୁନ୍ଥାଣ ଇଏ ନୁହଁ। ଇଏ ଏକ ଅନ୍ୟ, ପୁରୁଷ ଏଇ ବେଦନାର ନିକଟରେ ନାବାଳକ। ତଥାପି ହଳକର୍ଷଣର ଶବ୍ଦରେ ଯେମିତି ଆନନ୍ଦ ଥାଏ ଏଇଠି ସେତକ ଥିଲା। ଏଇଠି,ଡାଳପତ୍ର ଛଳ ଝଡ ମାଟି ପଥର ସମସ୍ତ କିଛିର ,ଏପରିକି ଜଡତାର ଗୂଢ ରହସ୍ୟ ବ୍ୟକ୍ତ ହେଉଥିଲା। କୁକୁରଟି ଝରକାରେ ପାଦ ଦେଇ ଉଠିବାକୁ ଚାହୁଁଥିଲା,ମତିଲାଲ ତାହାକୁ ଘୁଞ୍ଚାଇ କୌଣସିମତେ ଆରପଟର ଗୀର୍ଜାଘରର ଦରଜାର ସାମ୍ନାରେ ଆସି ଛିଡା ହେଲେ।

କଳାରଂଗର ଦରଜାଟି ଧପାସ୍ କରି ଖୋଲି ଦୋହଲିବାକୁ ଲାଗିଲା। ଏଇ ଘୋର ଜଳରେ ତାଙ୍କର ଦେହ କେଉଁ ଏକ ସତ୍ୟ ଦର୍ଶନରେ ବିବ୍ରତ  ରୋମାଞ୍ଚିତ ହୋଇ ଉଠିଲା। ବିରାଟ ପାହାଡ ଧସିଯିବାର ଯେଉଁ ଗମ୍ଭୀର ବଜ୍ର ବ୍ୟାପାର,ତାହାଠାରୁ ଢେର୍ ବେଶି ହେଉଛି ଏଇ  ଦୃଶ୍ୟ ! ଚନ୍ଦ୍ର ସୂର୍ଯ୍ୟ ତାରକା ନାହିଁ; କେବଳ ପ୍ରସିଦ୍ଧ ରକ୍ତର ଜୁଆରର ଅଲୌକିକ ଶବ୍ଦ । ଯେଉଁ ରକ୍ତ ସ୍ତିମିତ ଆଲୋକରେ ,ବିଦ୍ୟୁତ ଏପରି କି,କଳାର ପରିବର୍ତ୍ତେ ଅଧିକ ଲାଲ। ମାଂସଳ ବୀଜ ବିଦୀର୍ଣ୍ଣ କରି ଫାଟି ଛିଣ୍ଡିଯାଏ,ଅଂଧକାର ବିରୋଧୀ ଗୋଟିଏ ହତିଆର ଆସୁଛି ,ଅଥବା ଧରାଯାଉ ,ଆଉ ଗୋଟିଏ ବୃକ୍ଷ; ଯିଏ ବସା ଦେବ,ଛାୟା ଦେବ,ବୃଷ୍ଟି ଆଣିବ ! ଅଥବା କେବଳ ମାତ୍ର ସନ୍ଦେହର ପିଣ୍ଡ ଯାହା ଅଜସ୍ର ପ୍ରତିବେଦନ। ଏଇ ପିଣ୍ଡ ଆଉ ଗୋଟିଏ । ଦରଜା ପୁଣି ବନ୍ଦହୋଇଗଲା ଖୋଲିଲା,ସମ୍ମୁଖରେ ପବିତ୍ରତାର ଛବି,ନିମ୍ନରେ ଅଧା ଅନ୍ଧକାରରେ ବିଦ୍ୟୁତପୀଡିତ ଏଇ ରମଣୀ ! ଯାହାକୁ ପ୍ରଥମ ଦର୍ଶନରେ ମନେ ହୋଇଥିଲା ଅଖଣ୍ଡ ଆକାଶର ଶରତର ଲଘୁ ମେଘ – ଯାହା ହଠାତ୍ ଗୀର୍ଜା ସ୍ଥାନରେ ଢୁକି ପଡିଛି।

ପାଦରୀ ବଡ ବଡ ଆଖିରେ କେବଳ ଚାହିଁ ହିଁ ରହିଲେ। ହାତରୁ ଛତାଟି ତାଙ୍କର ଖସି ପଡିଥିଲା ,ସେଇଟିକୁ ଧରିବାକୁ କ୍ଷୀଣ ଚେଷ୍ଟାର ଭଦ୍ରତା ମାତ୍ର କରିଥିଲେ ,ଫଳରେ ଶରୀରଟି ତାହାର ବକ୍ର ହୋଇଥିଲା। ଛତା ଏଇଲେ କ୍ଷିପ୍ତ ହୋଇ ଘୁରି ଘୁରି କ୍ୟାନା ଗଛର ବୁଦା ନିକଟରେ  ଦୋହଲୁଥିଲା। କୁକୁରଟି ଏଯାଏଁ ଦୌଡି ଆସିଥିଲା। ମତିଲାଲ ପାଦରୀ ଏଯାଏଁ ଦରଜା ନିକଟରେ ବିମୂଢ,ହାତ ଦୁଇଟି ଆପଣା ଆଡୁ ନମସ୍କାରରେ ପରିଣତ। ସେଇଠି ଏକ ସଙ୍ଗୀହୀନ ଶୂନ୍ୟତାର ମଧ୍ୟରେ ଆରବି ତମ୍ବୁର ହିଜିବିଜି,ଗୋଟିଏ ଗଭୀରତା। ଏଇ ନମସ୍କାର ତାହାର ସ୍ୱଭାବବଶତଃ ହିଁ ଆସିଥିଲା,ଆଉ କିଛି ନୁହଁ।

ଏଇ ସମୟରେ ତାଙ୍କର ସମ୍ବିତ ଫେରିଆସିଥିଲା। ଜଳ ଅଙ୍ଗରଖା ଦେଇ ହୁ ହୁ କରି ପଡୁଛି । ଡେଇଁ ଡେଇଁ ସେ  ଛୁଟିଚାଲିଲେ ,ଯାହା ସତରେ ତାଙ୍କ ପାଇଁ ଅସମ୍ଭବ-ପ୍ରଥମରେ ଅଙ୍ଗରଖାଟି ପୂରା ଓଦା ଆଉ ଦେହ ବୃଦ୍ଧ ରୁଗ୍ଣ- ତଥାପି କବରଖାନାର ଭିତର ଦେଇ ଅଂକାବଂକା ଖେତ ର ଚଲାବାଟ ଦେଇ ପ୍ରାୟତଃ ଦୁଇ ବିଘା ଜମି ପାର ହେଲେ।

ବାଡ ପାଖରେ ପହଞ୍ଚି ଯାଆନ୍ତେ କୁକୁର ଭୋ ଭୋ କରି ଉଠିଲା। ସେ ଧଇଁସଇଁ ହୋଇ ଡାକଦେଲେ ,” ଫୁଲଲ ,ଫୁଲଲ “।

ଫୁଲଲ ଘରର ବାରଣ୍ଡାରେ ଥିଲା ତାଙ୍କୁ ଦେଖି ମଥାରେ ଝାମ୍ପି ଦେଇ ଦୌଡି ଆସି କହିଲା,”କ’ଣ ଗୋ ବାବା ?”

“ଆରେ ଗୀର୍ଜା ଘରକୁ ..”

“କ’ଣ ଗୋ ?”

“ଭୟାନକ କଥା ରେ ..”

“ସେ କ’ଣ ?”

ଟିକିଏ ଦମ୍ ନେଇ ଆଉ ଗୋଟିଏ ଦମ୍ ରେ ସବୁକିଛି ର ଯଥାସମ୍ଭବ ବର୍ଣ୍ଣନା ଦେଇ ଆଖି ବଡ କରି ତାହା ଆଡକୁ ଚାହିଁଲେ ସେ।

ଫୁଲଲ ଆଖି ବଡ କରି କହିଲା,” ତାହାହେଲେ ଏଇ ମାଈକିନା ବେଇଲାଣି ନା ବେଇବ ,ପାଦ୍ରୀ ବାବା ?” ଏମିତି କହି ସେଇ ଝାମ୍ପି ଟାକୁ ପାଦରୀଙ୍କ ମଥାରେ ଦେଇ ଦୌଡିଯାଇ ଭିତରୁ ଆଉ ଗୋଟିଏ ଝାମ୍ପି ମଥାରେ ଦେଇ ସେ ବାହାରି ଆସିଲା।

ପାଦରୀ ଘରର ବାଡକୁ ଧରି ବେପଥୁମାନ। ବିଦ୍ୟୁତର ଆଲୁଅ ପଡିଲା,ଆଖି ବଡ ବଡ କରି କହିଲେ,”ତାହାଲେ ଏଇଲେ କ’ଣ ?”

“କି ସର୍ବନାଶ.. ଗୀର୍ଜାଘରେ..”

ପାଦରୀ ଜୋର୍ କରି ଘରର ଘେରା ବାଡକୁ ଧରି କହିଲେ,”ତାହାଲେ..” ଅସମ୍ଭବ ଲଜ୍ଜିତ ଭୀତ ଏହା ଯେମିତି ତାଙ୍କର ନିଜର ଦୋଷ।

“ତାହାଲେ ଆଉ କ’ଣ ବୀଣା ଧାଈକୁ ଡାକି ଆଣେ ” ,ଏମିତି କହି ସେ ଅଂଧକାରମୟ ସ୍ରୋତ ବହିଚାଲିଥିବା ରାସ୍ତା ଦେଇ ସେ ଛୁଟିଚାଲିଲା। ପାଦରୀ ବି ଗୋଟିଏ ହାତରେ ଝାମ୍ପିକୁ ଚାପିଧରି ତାହାର ପିଛା ଧରିଲେ। କୁକୁରମାନେ ତାଙ୍କର ନିକଟକୁ ଛୁଟି ଆସୁଛନ୍ତି,ସେମାନେ ହେଇ ହେଇ କରି ସେମାନଙ୍କୁ ଘଉଡାଇ ଆଗକୁ ଚାଲିଛନ୍ତି । ଆଉ ଫୁଲଲ ମଝିରେ ମଝିରେ କହୁଛି,” କି ଯେ ସର୍ବନାଶ ଗୋ ।”

ବୀଣାର ଘର। ବିଦ୍ୟୁତରେ ସ୍ପଷ୍ଟ ହେଲା ଯେ ସେ ତମାଖୁ ପିଉଛି। ପ୍ରଥମେ ଫୁଲଲ ଆସି ଅଗଣାର ଖୁଣ୍ଟି ଧରନ୍ତେ ହିଁ ଦେହଟା ଦୋହଲି ଗଲା। ମଥାଟି ତଳକୁ କରି ସବୁକଥା କହିଲା,ଏତିକିବେଳେ ପାଦରୀ  ବି ଆସିଲେ। ସବୁତକ କଥା ଶୁଣି ବୀଣା ଛିଡା ହେଲା । ଚାଳରେ ଗୁଞ୍ଜା ହୋଇଥିବା କେତୋଟି ବାଉଁଶର ଅସ୍ତ୍ର ଧରି ଦରଜାର ଶିକୁଳି ଖୋଲି ଭିତରୁ ଝାମ୍ପିଟିଏ ଆଣି ମଥାରେ ଦେଲା। ତିନିଜଣ ଯାକ ଦ୍ରୁତ ଗତିରେ। ପାଦରୀଙ୍କ ମଥାରୁ ଝାମ୍ପିଟି ଯେ କେତେବେଳେ ଖସି ପଡିଛି ସେକଥା ଭାବିବାର ଅବସର ନାହିଁ ।

ଗୀର୍ଜାଘର ସାମ୍ନାରେ କୁକୁରଟି ଚିତ୍କାର କରୁଛି,ସେମାନଙ୍କୁ ଦେଖି ନିଜର ଲାଙ୍ଗୁଳ ହଲାଇଲା । ବୀଣା ବର୍ଷାପାଣିରେ ତାହାର ଅସ୍ତ୍ରଗୁଡିକୁ ଧୋଇବା ବେଳେ କହିଲା,” ହଇରେ ମାଙ୍କଡ ଉଙ୍କି ମାରୁଛୁ କିଆଁ,ଶରମ ସହବତ ନାହିଁ ,ପୁରୁଷ ମଣିଷ,ମାରିବି ଗୋଟିଏ ନାତ ଯେ” -ଏମିତି କହି ନାତ ମାରିଲା।

Illustration by Ramakanta Samantaray

ଫୁଲଲ ଲାଜରେ ଦରଜାର ଗୋଟିଏ ପଟେ ଆସି ଛିଡା ହେଲା। ପାଦରୀ ନିଜର ଦାଢୀକୁ ପୋଛିବାକୁ ଲାଗିଲେ । ବୀଣା ବାଉଁଶର ଅସ୍ତ୍ର ଭିତରୁ ଜଳକୁ ଛିଞ୍ଚାଡି ନେଉଥିବା ବେଳେ କହିଲା ,”ପଲମରେ ନିଆଁ ଭାଡିଏ, ଯା ନେଇ ଆ,ଆଉ ଗୋଟିଏ ଲଣ୍ଠଣ,ଶୁଖିଲା କାଉଁରିଆ କାଠି କିଛି,ଗରମ ପାଣି …”

ବୀଣା ଅସ୍ତ୍ର ଗୁଡିକୁ ମୁଣ୍ଡରେ ଛୁଆଁଇ “ଦୁର୍ଗା,ଦୁର୍ଗା,ମା ଷଷ୍ଠୀ” ବୋଲି କହି ଗୀର୍ଜାଘରର ,ଏପଟ ସେପଟକୁ ଚାହିଁ କାନ୍ଥକୁ ଘଷି ହୋଇ ଥିବା ସେଇ ବଡ ସ୍ତ୍ରୀଲୋକଟିକୁ ଦେଖିଲା। ଏଥର ବିଜୁଳିରେ ତାହାର ମୁହଁ ଦିଶିଲା । ବୀଣା ବିଡବିଡ କରି କ’ଣ କହି କହି ତିନିଥର ତାହାକୁ ପ୍ରଦକ୍ଷିଣ କରି ହାତରେ ଅସ୍ତ୍ର ଧରି ସେଇ ସ୍ତ୍ରୀଲୋକକୁ ଗୋଟିଏ ମୁଣ୍ଡିଆ ମାରି ପ୍ରସ୍ତୁତ ହେଲା। ପଲମରେ ନିଆଁ,ଲଣ୍ଠଣ,କାଉଁରିଆ କାଠି ନେଇ ଆସି ଫୁଲଲ ଛିଡା ହୋଇ ଅନ୍ୟ ଦିଗକୁ ମୁହଁ ବୁଲାଇ କହିଲା, “ଆଣିଛି ଗୋ ସବୁ ଆଣିଛି ।”

“ଆଖି ବନ୍ଦ କରି ଦୁଆର ଆଡକୁ ଠେଲି ଦେ, ଦେଇ କି ଦରଜା ଶଳାକୁ ଚାପି ଧର ” ଜିନିଷପତ୍ର ଦେଇ ଫୁଲଲ ଆଉ ପାଦରୀ ଦିଜଣ ଯାକ ବାହାର ସିଡିରେ ବସିଲେ। ଭୁଲୁଆ ଆସି ଉଙ୍କି ମାରିବାକୁ ଚେଷ୍ଟା କରୁଥିଲା ପାଦରୀ ତା’କୁ ଖାଲି ଏତିକି କହିଲେ,” ଭୁଲୁଆ ।”

“ଯାଉଛି ,ଦିଇଟା ପିଆଜ ପୋଡିକି ଆସେ ଦେଖିବି ” ବୋଲି କୌଣସିମତେ କହି ସେ ସେଇଠୁ ଚାଲିଗଲା।

ଦିଜଣ ନିର୍ବାକ ଥାଆନ୍ତି ।

ଅନନ୍ତର କ୍ରନ୍ଦନର ସ୍ୱର ଝଡ ବତାସରେ କେତେବେଳେ ଉଗ୍ର ଅଥବା କେତେବେଳେ ନୀଚ। ଏଇ କ୍ରନ୍ଦନର ଶବ୍ଦରେ,କଳା ମେଘବଦ୍ଧ ଆକାଶରେ ବଗ ଉଡିଯାଉଥିବାର ଛବି,ଅଥବା ନୀଳ ଦିବ୍ୟ ଆକାଶରେ ପାରାମାନଙ୍କର କଥା ହିଁ ବାରବାର ପାଦରୀଙ୍କ ମନକୁ ଆସୁଥିଲା ।ଶାୟିତ ମେରୁଦଣ୍ଡ କେବଳ ସଳଖ ହୋଇ ଆସିବାର ଆକାଂକ୍ଷାରେ ଏଇ କ୍ରନ୍ଦନ ନଥିଲା ,ଟିକିଏ ଆଲୁଅ ଥିଲା। ସୁତରାଂ ପାଦରୀଙ୍କ ଶରୀର ରୋମାଞ୍ଚିତ ।

ହଠାତ୍ ପୁଣିଥରେ ମେଘଗର୍ଜନ ବିଜୁଳି ଖେଳି ଗଲା। ବିରାଟ ଶବ୍ଦରେ ପ୍ରକମ୍ପିତ ହୋଇ ଆଉ ଗୋଟିଏ ସ୍ତବ୍ଧତାର ସୂଚନା ଏବଂ ପରକ୍ଷଣରେ ବୀଣାର ଗଭୀର ଆବାଜ,”ଆରେ ଆରେ ,ପୁଅ ହେଇଛି ରେ,ପୁଅ ।” କଥାଟି ଯେମିତି ଆକାଶରୁ ତଳକୁ ନଇଁ ଆସୁଛି।

ଦିଜଣ ପରସ୍ପରର ମୁହଁକୁ ଅନାଅନି ହେଲେ,ଫୁଲଲ ପାଦରୀ ବାବାର ମୁଁହକୁ ଚାହିଁ ସେଇଠୁ କିଛି ଶୁଣିବ ବୋଲି ଆଶା କରିଥିଲା। ତାହା ପରେ ସେ ହି ହି ହସି କହିଲା,”ପୁଅ ହେଇଛି ରେ,ପୁଅ !”

ପାଦରୀ ଆଣ୍ଠୁ ଉପରେ କହୁଣୀର ଭାର ରଖି ଗାଲରେ ହାତ ଦେଇ ଗଭୀର ଭାବରେ କିଛି ଭାବିବାକୁ ମନସ୍ଥ କରିଥିଲେ। ବୁଢା ଲୋକ,ଯଥେଷ୍ଟ ପରିଶ୍ରମ ହୋଇଛି,ଦାଢୀଟାକୁ ନିଜ ଖିଆଲରେ ଆଉଁଷି ଆଣୁଆଣୁ ନିଜକୁ ଯେମିତି କହିଲେ,”କ’ଣ କହୁଚ ରେ “ଯଦିଓ ସେ ସ୍ପଷ୍ଟ ଶୁଣିଛନ୍ତି,ତଥାପି ସୁନିଶ୍ଚିତ ହେବାର ଯେମିତି ପ୍ରୟୋଜନ ଥିଲା।

ଫୁଲଲ ର ଓଠରେ ଆଲୋଡନ ,ମାତ୍ର ସେଇଠି କିଛି ଶବ୍ଦ ନାହିଁ । କାନ୍ଦଣାର ଶବ୍ଦ ସବୁ କିଛିକୁ ଚାପି ଦେବାକୁ ଚାହେଁ । ବିଶାଳ ଅଜବ ପ୍ରକୃତିକୁ ଭୀତ କରିବାକୁ ଏହା ଚାହୁଁଛି ,ଆଉ ରୋମାଞ୍ଚିତ ପାଦରୀ କେମିତି ଯେମିତି ଏକ  ବିସ୍ମୟରେ ଅଭିଭୂତ ହୋଇ ରହିଛନ୍ତି,ଏଇ ଘୋର ରାତ୍ରୀରେ ଇଏ କେଉଁ ଅସମ୍ଭବ କାଣ୍ଡ ! ଏତେ ଜାଗା ଥାଉ ଥାଉ ଏଇ ଗୀର୍ଜାଘରରେ ! ତାହାର ବିସ୍ମୟ ,ମନର ଭିତରେ କେଉଁ ଏକ ଅର୍ଥକୁ ଖୋଜି ପାଇବାର ଇଚ୍ଛା,ତାଙ୍କୁ ଚଞ୍ଚଳ କରି ତୋଳିଛି ଶିଶୁର କାନ୍ଦଣାର ପଛରେ ଥିବା ଅର୍ଥ ଯେଉଁ ମନ ଖୋଜେ,ସେଇ ମନ ନେଇ ପାଦରୀ କେଉଁ ଏକ ଅର୍ଥ ଖୋଜିବା ଚାହୁଁଛନ୍ତି ,କ୍ରମେ ବୃଦ୍ଧ ପାଦରୀର ଭାବାନ୍ତର ହୁଏ ।ବର୍ଷା ଭିତରେ ଧିରେ ଧିରେ ବଗିଚାକୁ ଆସି ପାଣିରେ ଆଣ୍ଠୁମାଡି ବସିଲେ,କରଜୋଡି ଉପରକୁ ଚାହିଁ କେବଳ କହିଲେ,”ପ୍ରଭୂ …”।

ଏଇ ପ୍ରାର୍ଥନା ଅସହାୟ ମଣିଷର ବୋକାମୀର ପାଇଁ ନୁହଁ,ବିକାରର  ପାଇଁ ନୁହଁ । ବହୁଦିନ ପରେ ଏଇ ପ୍ରାର୍ଥନାର ପ୍ରଶ୍ନ ଥିଲା,ହତବାକ ବିମୂଢ ଚିତ୍ତର ପ୍ରଶ୍ନ। ଏଇ ମେଘଘଟା ତ୍ରସ୍ତ ରାତ୍ରୀରେ ,ବିଦ୍ୟୁତରେ ଜନସାଧାରଣ ଭୀତ,ପୃଥିବୀ ଗୁହାବତ,ଧର୍ଷିତ କ୍ଷିପ୍ତ ହାର୍ ମାନିନେଇଥିବା ବନରାଜି- ଏଇ ଭଳି ସମୟରେ,ଏଇ ଦୀନ ଦୁଃସ୍ତ ଗୀର୍ଜା ଘରେ କିଏ ଜନ୍ମ ନେଲା ? ଖରଧାର ବୃଷ୍ଟିରେ ତାଙ୍କର ଦେହ ବିଧ୍ୱସ୍ତ ହୋଇ ଉଠିଥିଲା। ସହସା ସେ ଯେମିତି ଗୋଟିଏ ବର୍ଣ୍ଣଛଟା ଦେଖିଛନ୍ତି,ଆଉ କିଛି ନୁହଁ । ଅନନ୍ତର ତାଙ୍କର ମନେ ହେଲା ଯେ, ଏତେଦିନ ଯାଏଁ ସେ କେବଳ ଏହାର ପ୍ରତୀକ୍ଷାରେ ଥିଲେ? ଆଉ ଯେ,ଅବଶେଷରେ ଏଇ ତାଙ୍କର ପବିତ୍ର ପୁରସ୍କାର  ଆସିଲା ?

ଫୁଲଲ ଅବାକ ହୋଇ ବୋକା ଭଳି ପାଦରୀଙ୍କୁ ଲକ୍ଷ୍ୟ କରୁଥିଲା । ଅନ୍ୟମନା ହୋଇ ଯାଉଥିବା କାରଣରୁ କବାଟ ଉପରୁ ହାତ ଅଲଗା ହୋଇଯାଉଥିଲା ଆଉ  କବାଟ ବତାସରେ ବଶ ମାନୁନଥିଲା, ବାରଂବାର ମେଲା ହୋଇଯାଉଥିଲା । ସେ କବାଟକୁ ଟାଣି ବଡପାଟିରେ କହିଲା,”ବଡ ଦୁଷ୍ଟ ହୋଇଛି ରେ ..।”

ଭିତରୁ କବାଟକୁ ବୀଣା ଟାଣିବାରୁ ଫୁଲଲ କୌଣସି ପ୍ରକାରେ ହାତ ଛାଡି ଦେଲା । ବୀଣା ଗଭୀର ସ୍ୱରରେ କହିଲା,”ଯା ଗୋଟିଏ କ’ଣ ଜାଗା ନେଇକି ଆ,ଫୁଲ ପକେଇବି,ମନେକରି କୋଦାଳ ଆଣିଥିବୁ “,ତାହାପରେ କହିଲା,”ପିକା ଖଣ୍ଡେ

ଦେ ।”

ଫୁଲଲ ନିଜର ଅଂଟାରୁ ପିକା ଖଣ୍ଡିଏ  ଅଗତ୍ୟା ବାହାର କରି ତାହାର ସାମ୍ନାରେ ଧରି ରଖିଲା ,ବୀଣା ଧାଈ ତାହାର ଅଶୁଚି ହାତକୁ ବର୍ଷାପାଣିରେ ଧୋଇ ,ପିକା ଖଣ୍ଡିକୁ ହାତରେ ଧରି ଭିତରକୁ ଅନ୍ତର୍ହିତ ହେଲା।

ଫୁଲଲ ବୀଣାର ହୁକୁମଟିକୁ ଭଲ କରି ଜାଣିବା ପାଇଁ ସେଇଠି ଛିଡା ହୋଇ ରହିଲା। ବୀଣା ଆସି ପାହାଚ ପାଖରେ ଛିଡା ହୋଇ ଆରାମରେ ପିକା ଟାଣୁଟାଣୁ ଆଉଥରେ ସବୁକଥା ଫୁଲଲକୁ ବୁଝାଇ ଦେଲା। ଫୁଲଲ ବେଙ୍ଗ ଭଳି ଥପ ଥପ କରି ଡେଇଁ ଜିନିଷ ସବୁ ଆଣିବାକୁ ଗଲାପରେ ବୀଣା ଆଖି ମିଟିମିଟି କରି  ପାଦରୀଙ୍କୁ ଡାକିଲା,” ପାଦରୀ ବାବା ଗୋ,ଓ ପାଦରୀ ବାବା…”

ବିଜୁଳି ଆଲୁଅରେ ଦେଖାଯାଉଥାଏ ପାଦରୀ ସେତେବେଳେ ବି ପ୍ରାର୍ଥନାରେ ସ୍ଥିର । ପ୍ରାଚୀନ କେଉଁଦିନ ଭିତରେ ତାଙ୍କର ସ୍ଥୁଳ ଅଶରୀରୀ ଦେହ ଚାଲି ଯାଇଅଛି,ଯେଉଁ ମାଟିରେ ପ୍ରଥମ ପ୍ରଚାର ହୋଇଥିଲା । ଆଉ ଜଣକର କଥା ତାହାର ମନକୁ ଆସେ,ଯିଏ ନିଜର ଅସ୍ଥି ଦେଇ ମଣିଷର ମନରେ ସବୁଜତା ଆଣିଥିଲେ ।

“ପାଦରୀ ବାବା,ପାଦରୀ ବାବା ଗୋ …”

ବୀଣା ତାଙ୍କୁ ଏଇ ପରିବେଶକୁ ଆଣିବା ପାଇଁ ଗଳାର ସ୍ୱରକୁ ତେଜ କରିଥିଲା। ପାଦରୀଙ୍କର ଅସମ୍ଭବ ଉଦ୍ଦୀପନା ହେଲା;ସଂସାର ଚିରଦିନ ଶୁଦ୍ଧ ପବିତ୍ର ,ଏଇ କଥାରେ ତା’ର କୌଣସି ଦିନ ଅବିଶ୍ୱାସ ହୋଇନାହିଁ,ଆଜି ଆହୁରି ଦୃଢ ହୋଇଛି । ଛପଛପ ଶବ୍ଦ କରି ଆସି ଦରଜା ପାଖରେ ସେ ମୁହାଁମୁହିଁ ହୋଇ ଛିଡା ହେଲେ।

ବୀଣା ପିକାରେ ଶେଷଟାଣ ଦେଇ କହିଲା,”ପୁଅକୁ ଦେଖିବ କି ? ସାକ୍ଷାତ୍ ରାଜପୁତ୍ର ,ରାଜପୁତ୍ର ପରିକା ଦେହ,ରଂଗ !”

ଏତିକି ବେଳେ ଫୁଲଲ ପହଞ୍ଚିଗଲା। ତାକୁ ଦେଖି ବୀଣା କହିଲା,”ତୋର ବୁଦ୍ଧି ସବୁ ପୋଡି ଖାଇଲୁ ? ଏତିକି ରେ ହବ କ’ଣ ? ବଡ ଠେକି ଟେ ଧରିକି ଆ !”

ଫୁଲଲ ବିରକ୍ତ ହୋଇ ” ଭଲକରି କହିବୁ ତ ” ବୋଲି କହି ସେଇଠୁ ଚାଲିଗଲା। ପାଦରୀଙ୍କ ଆଖି ଯଦିଓ ସେପଟକୁ ରହିଥିଲା ତଥାପି ସେ ଯେମିତି ଆଉ କେଉଁଠି ଥିଲେ। ଓଠ ହଳକ ଯେମିତି ପଟପଟ କରି କୌଣସି ମନ୍ତ୍ରଶବ୍ଦ କମ୍ପୁଥାଏ । ଇତିମଧ୍ୟରେ ଫୁଲଲ ଫେରି ଆସିଛି । ବୀଣା ପିକାକୁ ଲିଭାଇ କାନରେ ଗେଞ୍ଜି ସରଞ୍ଜାମ ସବୁକୁ ଧରି ଭିତରକୁ ଗଲା।

ବୀଣା କୌଣସି ମତେ ପ୍ରସୂତୀକୁ ଗୋଟିଏ ପଟେ ଶୁଆଇ ଦେଇଛି । ଏଇଲେ ନଡା ଉପରେ ପିଲାଟି କ୍ରମାଗତ କାନ୍ଦୁଛି । ସେ ଆସ୍ତେ ଆସ୍ତେ କୋଦାଳ ଦେଇ ମଈଳା ମାଟିକୁ ତୋଳି ପାଛିଆରେ ଆଉ  ଠେକିରେ  ଭର୍ତ୍ତିକରି ,ଗୋଟିଏ ହାତରେ ପାଛିଆ ଆଉ ଆର ହାତରେ ଠେକିକୁ ଧରି ପାଦରେ ହାଲକା ଗୋଇଠାମାରି କବାଟକୁ ଖୋଲିଦେଲା। ସେମାନେ ଦିଜଣ ମୁହଁକୁ ଅନ୍ୟ ଆଡେ କରି ରହିଥିଲେ।  ବୀଣା ସିଡି ନିକଟରେ ଠିଆହୋଇ ହସି ହସି କହିଲା,”ପାଦରୀ ବାବା ଗୋ,ନିଅ ଏଥର,ଘରକୁ ଦେବତା ଆଣିଲି,ପିନ୍ଧିବା ପାଇଁ ଲୁଗା ଖଣ୍ଡିଏ ଦିଅ ,ଯାଅ ଏଥର ପଦ୍ମ କୁ ଦେଖ ।” ଏତିକି କହି ସେ ବର୍ଷା ଭିତରେ ମଥା ହଲାଇ ହଲାଇ ଚାଲିଗଲା ଦୂରକୁ। ସେଇଠୁ ଥାଇ କହିଲା,” ପୁଆତି ଟି କୁଆଡର ଗୋ,କହୁଛି ତାହାର କେହି ନାହାଁନ୍ତି ।”

ଘରକୁ ଦେବତା ଆଣିଲି ,ବୀଣାର ଏଇ କଥା ପଦକ ପାଦରୀଙ୍କୁ ଏକ ନୈସର୍ଗିକ ଆଲୋକ ଭିତରକୁ ନେଇଯାଇଥିଲା।

ଦିଜଣ ଯାକ କ’ଣ କରିବେ ତାହା ଭାବି ପାରନ୍ତି ନାହିଁ । ଜଣେ ବାଆଁ ହାତରେ ଆଉ ଆରଜଣକ ଡାହାଣ ହାତରେ କବାଟର କଡା ଧରି ହୁଟ କରି କବାଟ ଖୋଲି ଦେଇ ଅବାକ ହୋଇ ଚାହିଁ ରହିଥିଲେ। ଅଦ୍ଭୁତ ନାଟକୀୟ ଶିଳ୍ପୀକଳ୍ପିତ ଭଙ୍ଗୀ ଦିଜଣଙ୍କର।

Kamal Kumar Majumdar (17 November 1914 – 9 February 1979), A major fiction-writer of the Bengali language

ମତିଲାଲ ସଦ୍ୟ ଗୋଲାପୀ ସ୍ପନ୍ଦନ ଦେଖି ହତବାକ ହୋଇଥିଲେ ଏକଥା ସତ; କିନ୍ତୁ ବିସ୍ମିତ ହୋଇ ନାହାଁନ୍ତି ।ଆଉ କିଛି ଦୂରରେ ଗୋଟିଏ ମେଘତୁଲ୍ୟ ସ୍ତ୍ରୀଲୋକ ଆଉ ତାହାର ନିକଟରେ ବୀଣା କହିବା ଭଳି ଗୋଟିଏ ଦେବଶିଶୁ ! ଖୁବ୍ ସୁନ୍ଦର ଗୋଟିଏ ବାସ୍ନା ଅନୁଭବ କରୁଥିଲେ ; ଆଉ ଟିକିଏ ଉପରେ ,ଅଲଟାର୍  ଉପରକୁ ସେ ଉଠି ଗଲେ ; ସେଇଠି ବସି କରଯୋଡି ଅନିମେଷ ନୟନରେ ଚାହିଁ ଟିକିଏ ହସିଲେ,ଏଇ ହସ ମଣିଷର ପ୍ରାର୍ଥନାରେ ଦେଖାଦେଇ ଥାଏ ।

ଫୁଲଲ ଖୁବ୍ ଗମ୍ଭୀର ଭାବରେ କହିଲା,” ଏଇ ପୁଆତି ର ଘର କେଉଁଠି !”

ମତାଲାଲ ସେକଥା ଶୁଣିଲେ , ସେତେବେଳକୁ ଜଳ ଭରପୂର ଆଖିରେ ସେ ସେଇ ଶିଶୁଟିକୁ ଦେଖୁଥାଆନ୍ତି । କେତେଥର ଏହାଭିତରେ ପବନ ଦରଜାଟି ଖୋଲୁଥାଏ ଆଉ ବନ୍ଦ

କରୁଥାଏ ।

ଫୁଲଲ ନିଶ୍ଚିତ ହେବା ପାଇଁ କହିଲା,” ବାପ ଛାଡରି ପିଲା ଇଏ ,ନୁହଁ,ତମର କ’ଣ ମନେ ହେଉଛି ବାବା ?”

ପାଦରୀ କଠିନ ଭାବରେ ତା’ଆଡକୁ ଚାହିଁ କହିଲେ,”ଫୁଲଲ !” ସେଇ ଉଚ୍ଚାରଣରେ ଧମକ ଥିଲା। ଅସମ୍ଭବ କଣ୍ଠସ୍ୱର,ତଥାପି ତାଙ୍କର ଯେ ଦାନ୍ତ ଅକ୍ଷତ ଅଛି ତାହାର ତୁଳନାରେ ବେଶୀ ରହିଛି ହିତକର ସଭ୍ୟତା ଜ୍ଞାନ ।

ଏଠିକାର ଲୋକେ, ପାଦରୀଙ୍କୁ ଗୋଟିଏ  ଶିଶୁ ଛଡା ଅଧିକ କିଛି ମନେ କରନ୍ତି ନାହିଁ,ଏପରିକି ସେମାନଙ୍କର ଧାରଣା ତାଙ୍କୁ ଅତି ସହଜରେ  ନିଜର କୋଳକୁ ନିଆଯାଇପାରେ। ସୁତରାଂ ଏମିତି ଧମକରେ ଫୁଲଲ ଟିକିଏ ଅବାକ ହୋଇଥିଲା,ମାତ୍ର ଦବିଯାଇ ନଥିଲା । ପାଟି ଭିତରେ ଜିଭକୁ ବୁଲାଇ ଆଣି ମଥାକୁ ଟିକିଏ ଠିକ୍ କରି ସେ କହିଲା,” କିଛି ବେଆଡା କଥା କହିଚି କି ଗୋ ବାବା ,ନ୍ୟାର୍ଯ୍ୟ କଥା କହିଛି ,କିଛି କୁହୁକ ରହସ୍ୟ ନାଇଁ !”

ମତିଲାଲ ନିଜର ଭିଜା ମଥାରୁ ପାଣି ଝାଡି  ଇସାରାରେ କହିଲେ ,”ପରେ “।

“ତୁମେ କହୁଚ ବୋଲି,ଚୁପ୍  ରହୁଚି ସିନା ,ତମେ ଆପଣ ଏସବୁର କ’ଣ ବୁଝନ୍ତି ,ପାଦରୀ ମଣିଷ ତ ଆଉ କିଛି ନୁହଁ ! ହାଟ ବାଟ ଜାଣିଲ ନାହିଁ …ଗିର୍ଜାଟା ନଷ୍ଟ …ପତିତ ହେଲା .. ବୀଣା ଠିକ୍ ଖବର ଆଣୁ …”

ମତିଲାଲ  ଅଧୈର୍ଯ୍ୟ ହୋଇ କହିଲେ,” ଫୁଲଲ ତୁ ଜାଣି ନାହୁଁ ।ଏହାକୁ ଉପରକୁ ଚାହିଁ ଧନ୍ୟବାଦ ଦେ..” ତାହାପରେ ନିଜର ଗଳାକୁ ମୁଲାୟମ କରି କହିଲେ,”ଆରେ ଯା ,ଭିତରୁ ମୋର ବାଇବେଲ୍ ଟା  ନେଇ ଆ,ମୁଁ ସବୁକଥା ଭୂଲିଯାଇଛି …।”

ଫୁଲଲ କ୍ଳାନ୍ତ ଦେଖାଯାଉଥିଲା । ବାଇବେଲ୍ ର କଥା ଶୁଣି ସେ ଯେମିତି ଡେଇଁ ପଡିବ। ଯଦିଓ ସେ ଖ୍ରୀଷ୍ଟାନ ତଥାପି ବିରକ୍ତ ହେଲା,କହିଲା,” ତମେ ମରିବ ନା କ’ଣ ଗୋ! ପିଲା ତ ହେଲା ଏଥର ତମ ଲୁଗା ଅଲଗା କର,କେଉଁଠିକାର ପିଲା କିଏ ଜାଣେ ,ଯାଅ ,ଉଠ…।”

“ନା ନା ,ତୁ ନେଇ କି ଆ ..ଗୋଟେ ଲଣ୍ଠଣ ଆଣିଥିବୁ …।”

“ଦୂର୍ ଦୂର୍ ..ଏଇ ଝଡ ଝାପଟ ରାତି,ତାହା ଉପରେ ଶଳା କଚେ ବାର ଏଇ ପିଲା ହବାର ହଙ୍ଗାମା,ପୁଣି ବାଇବେଲ କିଆଁ ? ତମର କ’ଣ ଭୀମରତି ହେଲାଣି ବାବା ?”

“ଯା ଧନଟା ପରା,ଯା ନେଇ ଆ…”

ଫୁଲଲ ବାଧ୍ୟ ହେଲା। କିଛି ସମୟ ପରେ ଫେରି ଆସି ବାଇବେଲ ଆଉ ଲଣ୍ଠଣ ସହ ଅପେକ୍ଷା କରିବାକୁ ଲାଗିଲା।

ବାଇବେଲଟିକୁ ଗ୍ରହଣ କରି ପାଦରୀ କହିଲେ,”ଲଣ୍ଠଣଟା ଟିକିଏ ଟେକି ଧର “। ତାଙ୍କର କଥାନୁସାରେ ଫୁଲଲ ଲଣ୍ଠଣଟିକୁ ଟେକି ଧରିଲା। ସଠିକ ପୃଷ୍ଠା ଖୋଲି,ଦୁଇଥର ଦାଢୀରେ ହାତ ବୁଲାଇଆଣନ୍ତେ ମନ ପ୍ରସ୍ତୁତ।ଓଠ ଥରଥର ଏବଂ ସଂଗେ ସଂଗେ ବାକ୍ୟର ଅସ୍ଫୁଷ୍ଟ ଶବ୍ଦ । ଏଇଲେ ଗୋଟିଏ ଗୋବର ପୋକ ଆସି ପୃଷ୍ଟା ଉପରେ ବସିଗଲା,ଲଣ୍ଠଣ ହାତରେ ଫୁଲଲ ପାଦରୀଙ୍କ ଭକ୍ତିଭାବ ର ଆଡକୁ ଚାହିଁ ଆଙ୍ଗୁଠିରେ ଫୋଟକାମାରି ତାହାକୁ ତଡିଦେଲା । ପାଠ ଶେଷକରି ପାଦରୀ କହୀଲେ,”ଆମେନ୍ !” ତା ସହିତ ଫୁଲଲ ବି କହିଉଠିଲା “ଆମେନ୍”। ଏତିକି କହି ସେ ଲଣ୍ଠଣକୁ ତଳକୁ କରି  କହିଥିଲା,”ଶାଳୀ !

ପାଦରୀ ତାହା ଆଡକୁ ଅସହାୟ ଭାବରେ ଚାହିଁ ରହିଲେ।

ଫୁଲଲ ଟିକିଏ ଥତମତ ଖାଇ କହିଲା,” ନା ,ଏଇ ଦେଖ ଅକଲ କି ବା ଧନୀର,କେତେବେଳେ ଯାଇଛି ,ଏଯାଏଁ ଆସିବାର ନାହିଁ-ହେଇ ଆସୁଛି -କୁଆଡେ ଯାଇଥିଲୁ ଗୋ ଶାଳୀ !” ବୀଣା ଉପରେ ବିରକ୍ତି ପ୍ରକାଶ କରିଥିଲା ଫୁଲଲ।

“ମରଣ ହେଉନି ଯାହା ! ସୋହାଗସଫର କରିବାକୁ ଯାଇଥିଲି ରେ ” ଏଥର ପାଦରୀଙ୍କ ଆଡକୁ ଚାହିଁ ବୀଣା କହିଲା,” ପାଦରୀ ବାବା ଗୋ ,ଖାସ୍ ତମରି ଲାଗି ଆସିଲି,ଏହାକୁ,ଏଇ ଶଳା ଢମଣା ଫୁଲଲକୁ କୁହ ସେ ଯେମିତି ମାନ୍ୟ କରି କଥା କହେ ଗୋ,ଶଳା ବଜାତ୍ ଖ୍ରୀଷ୍ଟାନ୍ …।”

“ଯାବେ ହାଡି ,ନୀଚ ଜାତି ।”

ଏଇ ସମୟରେ ଏମିତି ମାଙ୍କଡାମି ପାଇଁ ପାଦରୀ ପ୍ରସ୍ତୁତ ନଥିଲେ । ତାଙ୍କର ସତକୁ ସତ ଭାରି କଷ୍ଟ ହେଉଥିଲା । ଗର୍ତ୍ତରେ ମୁହଁ ରଖିଥିବା ଠେକୁଆ ଭଳି ସେ ବଞ୍ଚିବାକୁ ଚାହିଁଥିଲେ । ବାର ବାର ତାଙ୍କର ସେଇ ସମାହିତ ଭାବ ଉପୁଡି ପଡୁଛି। ବୀଣା ତାଙ୍କର ମୁହଁକୁ ଦେଖି ଜାଣିପାରୁଥିଲା ଯେ ସେ କଷ୍ଟ ଭୋଗୁଛନ୍ତି । ସେ କହିଲା,”ତମର ରାଣ ମଦ ଛୁଇଁ ନାହିଁ,ଦିଇଟା ଭାତ ନେଇକି ଆସିଛି ,ରାତିରେ ଏଇଠି ରହିବି,ପିକା ଟାଣିବି ?”

“ଏଇଟା ବାପ ଗୀର୍ଜାଘର,ଏଇଠେ ପିକା ଟାଣିବା ମନା,ଆ ଆମର କୋଠାକୁ ଆ ….”

“ଏନ୍ତୁଡି କୁ ଛାଡି ମୁଁ ଏମିତି ଘନଘନ ବାହାରକୁ କେମିତି ଯିବି ? ତାହା ଛଡା କେଉଁଠିକାର,କୁଳଶୀଳ ବେଜନ୍ମା ,ଥାନା ମୌଜାର ଠିକଣା ନାହିଁ ,ସେ ତମର ଏଇଠି ଆସି ବେଇ ପାରେ ,ସେଥିରେ ଦୋଷ ନାହିଁ ? ବାଃରେ ବାଃ …”

ଫୁଲଲ ବୀଣାଧାଈର ଏଇ ଉକ୍ତିକୁ ସମର୍ଥନ କରି ପାଦରୀଙ୍କୁ ଅନେଇଲା ।

କେତେଗୁଡିଏ ଅପରିଷ୍କାର ହାତ ଆଉ ମଥା ଯେମିତି ପାଦରୀଙ୍କୁ ଆଲିଙ୍ଗନ କରିବାକୁ ଯାଉଛନ୍ତି ,ସେଥିରେ ଯେମିତି ସେ ଆହୁରି ସରୁ ହୋଇଯାଉଥିଲେ ,କେବଳ ଅସହାୟ ସ୍ୱରରେ ସେ କହିଲେ,” ବୀଣା,ତୁ ଏହାକୁ ଚିହ୍ନି ନାହୁଁ ..।”

ବୀଣା ତାହାର ହାତରେ ଥିବା ପୋଟଳିଟିକୁ ତଳେ ରଖି ,ପାଦରୀଙ୍କ କଥା ଶୁଣିବା ଅପେକ୍ଷା ବେଶୀ ଉତ୍ତର ଦେବାପାଇଁ ପ୍ରସ୍ତୁତ  ହୋଇଥିଲା । ଯାତ୍ରା କରିବା ଭଳି ଢଙ୍ଗରେ ହାତକୁ ହଲାଇ ସେ କହିଲା,”ଓହୋ ,କେତେ ହାଟ କେତେ ଥାନା ଘୁରିଛି,କେଉଁଠି ଏହାକୁ ଦେଖିନି..ଆଉ ନିଜେ ଏଇ ରାଣ୍ଡି କହୁଛି ତାହାର କେହି ନାହିଁ ! ସେ ବେଇ ପାରିବ ,ହେଲେ ମୋର ପିକା ଟାଣିବାରେ ଯେତେକ ଦୋଷ ?”

“ମୁଁ କହୁଚି ,ଏଇଟା ତାହାହେଲେ ବଡ ଖରାପ କଥା ହେବ ” ଫୁଲଲ କହିଲା।

ପାଦରୀ ଅସୁବିଧାରେ ପଡିଗଲେ।ଏମାନଙ୍କର କଥାବାର୍ତ୍ତା ତାଙ୍କର ମନକୁ ଟିକିଏ ମଳିନ କରିବାକୁ ଚେଷ୍ଟା କରୁଥିଲା। ଥରଟିଏ ଭାବିଲେ କହିବାକୁ,” ଛୋଟ ପିଲା ଟା ଅଛି,ତା ପାଖରେ ପିକା ଟାଣିବା ଠିକ୍ ହେବନି ” କିନ୍ତୁ ଏକଥା କହିବା ଆଗରୁ କହି ପକାଇଲେ,”ଇରେ କିଏ ଏଇଠି ଜନ୍ମିଛି ,ତମେ ଯାହା ଜାଣିଲ ନାହିଁ !”

“ଏଇ ନିଅ !” ଫୁଲଲ ବୀଣା ଆଡକୁ ଚାହିଁ ହସିବାକୁ ଚେଷ୍ଟା କଲା।

ବୀଣା କହିଲା,” ହେ ହେ ,ମୁଁ ଖଲାସ କଲି,ନାଡୀ କାଟିଲି ,ଯତ୍ନ କଲି ,ଆଉ ମୁଁ ଜାଣିନି .. ତମେ ଖାଲି …।”

ବାଳକ ଭଳି ଚାରିଆଡକୁ ଚାହିଁ ପାଦରୀ କହିଲେ,” କିଏ ଜନ୍ମିଛି ତାହା ତ ଜାଣିଲି ନାହିଁ ରେ ..”

ବୀଣା ବଡ ପାଜି,ନିଜର ଅଂଟାରେ ହାତ ରଖି ସଖୀନାଚ କରିବା ଭଳି କହିଲା,” ତମର କଥା ଶୁଣି ନିଅ ଖୁବ୍ ନାଚିଲି..ଏଥର ଜାତି ଖାଇବି ଖ୍ରୀଷ୍ଟାନ ହେବି ..।”

ଏଇପରି ଯେଉଁ ଫୁଲଲ ,ତାହାର ଏଇ ନାଚ ଭଲ ଲାଗିଲା ନାହିଁ ,ସେ ଗୋଟିଏ ଧମକ ଦେଲା। ପାଦରୀଙ୍କୁ ଏଇକଥା ଅତ୍ୟନ୍ତ ଗର୍ହିତ ମନେ ହୋଇ ପାରିଥାନ୍ତା ,କିନ୍ତୁ ତାହା ହେଲାନାହିଁ । ଅସହାୟ ଭାବରେ ହସି କହିଲେ,” ବୀଣା ତୁ ଯଦି ବଂଚି ରହିଥିବୁ ତାହାହେଲେ ବୁଝିପାରିବୁ,ମୋର ଡାକ ସଫଳ ହୋଇଛି ।” ଏତିକି କହି ସେ ଘରର ଭିତର ଆଡକୁ ସ୍ପଷ୍ଟ ଚାହିଁରହିଲେ । ବତୀଦାନ ର ଉପରେ ପବିତ୍ରତା ,ନିମ୍ନରେ କର୍ଷିତ କ୍ଷେତ୍ର ,ସମ୍ମୁଖରେ ଗୋଲାପୀ ସ୍ପନ୍ଦନ ।  ଦେଖି ହିଁ ପାଦରୀ ଯେମିତି ପିଗଳର ଭଳି  ଏଦିଗ ସେଦିଗ ଚାହିଁଥିଲେ,ହଠାତ୍ ଦୌଡିଯାଇ ଘଣ୍ଟା ସହିତ ଲାଗିଥିବା ଦଉଡିକୁ ଖୋଲି ନିଜର ଦେହରେ ଯେତିକି ଶକ୍ତି ଅଛି ତାହାକୁ ଦେଇ ଘଣ୍ଟାକୁ ବଜାଇବାକୁ ଲାଗିଲେ। ମେଘ ଗର୍ଜନର ପ୍ରତ୍ୟୁତ୍ତର ଭଳି ଶୁଭିଲା ।

ବୀଣା କହିଲା ,”ହାୟରେ ମନ୍ଦ ଯା ଯା ଖ୍ରୀଷ୍ଟାନ ପାଗଳା ହୋଇଛି ଗୋ,ତୁ ଇ ନା ଖ୍ରୀଷ୍ଟାନ୍ ,ଏହାକୁ ବଞ୍ଚା ,ଯା ବଞ୍ଚାରେ ଶଳା !”

ଫୁଲଲ ମହାବିରକ୍ତିର ଆବାଜ  କରୁଥିଲା । ଅନେକକ୍ଷଣ ଧରି ଦେହରେ ଅଯଥା ବର୍ଷାର ଜଳ ଜମିଛି ,ତାହା ଉପରେ ଏଇ ସବୁ ପାଗଳାମିର ଖେସାରତ ଦେବା ତାହାକୁ କୌଣସି ପ୍ରକାରେ ଭଲ ଲାଗୁନଥିଲା । ତଥାପି ତାହାକୁ ଆଗେଇ ଯିବାକୁ ହେଲା।ବୀଣାର କଥାରେ ତାହାର ମନ ଟିକିଏ ଖ୍ରୀଷ୍ଟାନସୁଲଭ ହୋଇଥିଲା,ଗୀର୍ଜାର ଭିତରେ ଯେ କୌଣସି କାର୍ଯ୍ୟ,ବିଶେଷତଃ ପାଦରୀ  ମତିଲାଲଙ୍କ ନିମନ୍ତେ ଯେ କୌଣସି କାର୍ଯ୍ୟ ହିଁ ପୁଣ୍ୟର ,ସେଇ କଥା ମନେ ହୋଇଛି ।

ସେ ଯାଇ ଦେଖିଲା ପାଦରୀ ପାଗଳଙ୍କ ଭଳି ଅସ୍ତବ୍ୟସ୍ତ ଭାବରେ ଘଣ୍ଟାର ଦଉଡିକୁ ଟାଣୁଛନ୍ତି । ବିଦ୍ୟୁତର ଆଲୋକରେ ଦୃଶ୍ୟଟି  ଭୌତିକ। ଫୁଲଲ ଭୀତ ହୋଇଯାଇଥିଲା। ତଥାପି ସେ ନିଜକୁ ପ୍ରସ୍ତୁତ କରେ ,ଆଗେଇ ଯାଇ ଦଉଡିକୁ ହାତକୁ ନିଅନ୍ତେ ପାଦରୀ କହିଲେ,”ଖୁବ୍ ବଜା ରେ”,ଏମିତି କହି ଶିଶୁ ଭଳି ହାତତାଳି ଦେଇଉଠି କହିଲେ,” ଜଳ କମିଯିବ  ଫୁଲଲ,ସେମାନେ ସଭିଏଁ ଆସିବେ,ମୁଁ କହିବି ସେମାନଙ୍କୁ ଇଏ

 କିଏ ଆସିଛି …”

“ଜଳ ଛାଡିବ ନା ହାତୀ ” ଫୁଲଲ କହିଲା । ସେ ଚାହୁଁଥିଲା ବେଦମ ଜଳ ବର୍ଷୁ ,ସେ ସେଥିରେ ଛୁଟି ପାଇଯିବ । ଏହାପରେ ଖୁବ୍ ରାଗି ଯାଇ ଅଥଚ ବିଶ୍ୱାସର ସହିତ କହିଲା,” ତୁମେ ଅଛ ଆଉ ଆମର ଦରକାର କ’ଣ ?”

ଆଶ୍ଚର୍ଯ୍ୟ ଡର୍ଷା ଅଟକି ଗଲା। ଅବଶ୍ୟ ଏଇ ସମୟରେ ବର୍ଷା ଏଇ ଭଳି। ମେଘ ସତ୍ୱର ଉଭାନ ,ପାହାଡ ପ୍ରତୀୟମାନ,ଇଉକାଲିପଟାସ୍  ର ଝିରିଝିରି ଫାଙ୍କରେ ଚାନ୍ଦ ସ୍ପଷ୍ଟ । ଜଣେ ଦିଜଣ କରି ବେଶ୍ କେତୋଟି ଲୋକ କାଦୁଅ ଛପଛପ କରି ଆସିଲେ।ସମସ୍ତେ ନରକବାସୀ ଦରିଦ୍ର ,ତଥାପି ନରକକୂ ଭୟ ପାଇ ସତ୍ ହେବାକୁ ଚାହାଁନ୍ତି ,ସମସ୍ତେ ପଡିଆରେ ଶାନ୍ତ ହୋଇ ଛିଡାହେଲେ । ପାଦରୀଙ୍କ ଦେହ ଆନନ୍ଦରେ ଦୋଳି ଖେଳୁଛି ,କହିଲେ,” ଆଜି ଜଣେ ସୁନାର ମଣିଷ ଜନ୍ମ ନେଇଛି ରେ।” ଏଇ ସୁସମାଚାର ଦେବାର ପରେ ପାଦରୀ କହିଲେ,” ଫୁଲଲ ବାବା,ବାଇବେଲ୍-“

ଫୁଲଲ ବାଇବେଲ ଆଉ ଲଣ୍ଠଣ ଆଣି ଆସି ଛିଡାହେଲା। ପାଠ ହେଲା ,ଗାନ ହେଲା,” ଜଗତଜୀବନ କରି ଆଗମନ ,ନବଜୀବନ ତୁମେ,କରହେ ବଣ୍ଟନ “। ପ୍ରାର୍ଥନା,”ଯିଏ ଆସିଅଛି ସିଏ  ତମକୁ ଦେଖାଏ ….।”

ଏହାପରେ ସଭିଏଁ ଗିର୍ଜା ଘର ପାଖକୁ ଆସିଲେ,କିଏ କବାଟ ପାଖରେ କିଏ ଝରକା ପାଖରେ ଉଙ୍କି ମାରିବାକୁ ଲାଗିଲେ । ନିଜେ ବୁଢା ବୟସରେ କାନ୍ଦନ୍ତି  ବୋଲି ସେ -କ୍ରନ୍ଦନକୁ  ଅବହେଳା କରିଲେ ନାହିଁ । ଶିଶୁର କ୍ରନ୍ଦନଧ୍ୱନୀ  ସଭିଏଁ ମନଦେଇ ଶୁଣୁଥିଲେ  ଆଉ ସମସ୍ତଙ୍କର ମନେ ହେଲା ଏଇ କ୍ରନ୍ଦନ ଧ୍ୱନୀ ସାଧାରଣ ନୁହଁ ।

ବୀଣା ଆସି କହିଲା,”ବୁଝିଲ ହେ, ଏତେଗୁଡିଏ ମନ୍ଦର ନିଃଶ୍ୱାସ ଭଲ ନୁହଁ, ପିଲାର ଦେହ କୁ ଧାସ ଲାଗିବ, ଏଇଠି ସବୁତକ ପିଲାଖିଆ ମରଦ ମଣିଷ !”

ଫୁଲଲ୍ କୌଣସି ମତେ ଭୀଡକୁ ହଟାଇ ଦେଇଛି । ଜନତାର ପ୍ରତ୍ୟେକ ର ହିଁ  ନବଜାତ ଶିଶୁର ମାଆକୁ ଦେଖିବାର ଭାରି ଇଚ୍ଛା ଥିଲା,କିନ୍ତୁ ପ୍ରଥମରେ ଗୀର୍ଜାଘର ତାହାର ଉପରେ ପାଦରୀ ବାବା ସଦୈବ ଛିଡା ହୋଇଛନ୍ତି ସେଇଠି  ,ତାହା ଫଳରେ କେହି ବିଶେଷ ସାହସ କରି ପାରିଲେ ନାହିଁ ।

କ୍ରମଶଃ

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →