ତା’ ପରଦିନ ଅଫିସରୁ ଫେରି କନି ଦେଖିଲା ମଲ୍ଲୀ ଅପା କେତେବେଳୁ ଆସି ମାଳ ସାଙ୍ଗରେ ଗପ ଯୋଡ଼ି ଦେଇଛି। ହାଟ ପାଳିଦିନ ମୁଢି ମୁଆଁର ପସରା ନେଇ ସେ ବଜାରକୁ ଆସେ। ଶାଶୂ ଘରଠାରୁ ମୋଟେ ଦି ଖଞ୍ଜା ଛାଡି ମଲ୍ଲୀ ଅପା ଘର।
ଶାଶୁଘର ଗାଁ କଣ୍ଟାପଡାରେ ଏଇ ମଲ୍ଲୀ ଅପା ଥିଲା ତାର ଏକ ମାତ୍ର ଆଶ୍ବାସନା। ଶାଶୁ ନଥିଲା ବେଳେ ଲୁଚି ଛପି ଆସି ବେଳେବେଳେ ପ୍ରବୋଧନା ଦିଏ।
ତାକୁ ଦେଖିଲେ କନିର ବୋଉ କଥା ମନେପଡେ। ଆଠ ଦଶ ଦିନେ ଥରେ ସେ ତାଙ୍କ ଗାଁ ଆଡେ ପସରା ନେଇ ଯାଏ। ତା’ ଠାରୁ କନି ପଚାରି ବୁଝେ ବାପଘର ଖବର।
ବାହାଘର ଦି’ ବର୍ଷ ପରେ ସେଇ ସାବିତ୍ରୀ ଅମାବାସ୍ୟାଠାରୁ ବନ୍ଧୁ କଟାକଟି।
ସେଥର ସାବିତ୍ରୀ ଅମାବାସ୍ୟାକୁ ବାପା ମରିବାର ମୋଟେ ବର୍ଷଟିଏ ପୂରିଥାଏ। ବୋଉ କେଉଁଠୁ କେମିତି ଯୋଗାଡ କରି ଅରିଆ ଦାସ ହାତରେ ସାବିତ୍ରୀ ଭାର ପଠେଇ ଥାଏ। କନି ମନେ ମନେ ଖୁସି ହେଉଥାଏ – ଯା’ ହେଉ ଏଥରକ ଶାଶୁଙ୍କ ଉଲୁଗୁଣାରୁ ରକ୍ଷା ମିଳିବ। ରୋଷେଇଘର ପିଣ୍ଡାକୁ ଆଉଜି ଅରିଆ ଥକ୍କା ମାରୁଥାଏ। ତା’ ପାଇଁ ଚା’ ଟିକେ ବସେଇ ପରିବା କାଟୁ କାଟୁ କନି ଗାଁର ଭଲ ମନ୍ଦ ଖବର ପଚାରି ବୁଝୁଥାଏ। ତା’ ର ଇଚ୍ଛା ହେଉଥାଏ ଏକାଥରେ ସବୁ ଖବର ପଚାରି ବୁଝନ୍ତା। ଗାଁ ଦୋଳ ମେଲଣଠାରୁ ଆରମ୍ଭ କରି, ବାଡି ବେଲ ପତରିଆ ଆମ୍ବଗଛ, ବୁଢ଼ୀଗଡିଆ କଇଁ ଫୁଲଠାରୁ ଜୟନ୍ତ ବୋଉ ପର୍ଯ୍ୟନ୍ତ…..। କିନ୍ତୁ ରୋଷେଇ ସେତେବେଳଯାଏ ଅଧା ହୋଇନି। ଆଉ ଟିକକୁ ଠାକୁର ଘରୁ ବାହାରି ଶଶୁର ସିଧା ଖାଇ ବସିବେ। ସବୁ କଥା ଖରାବେଳେ ପଚାରି ବୁଝିବ ବୋଲି ଭାବି ସେ ପଚାରିଲା, “ଅରୁ ଭାଇ! ଆଜି ରହିବ ତ?”
ଅରିଆ କହିଲା, “ମୁଁ ଏଇ ଖରା ଖରା ଲେଉଟିବି। ଏଠୁ ଗଲେ ପୁଣି ସାମଲଘର ଭାର ନେଇ ପଣସୁଆପଡା ଯିବି। ଅମେଇସା ଘଡି। ଏଇକ୍ଷିଣା ଫୁରୁସତ ମାରିବାକୁ ବେଳ କାହିଁ?”
ଶାଶୁ ସେତିକିବେଳକୁ ଶାଗ ପଚିଆଟା ଧରି ବାଡିପଟରୁ ପଶି ଆସିଲେ। ଅରିଆ ଉଠି ଅଣ୍ଟା ଭାଙ୍ଗି ଦଣ୍ଡବତ ହେଲା। ଶାଶୁ ନାକଟାକୁ ଘୋଡା ଥୋମଣି ଭଳିଆ ଉପରକୁ ଟେକି ଦେଇ ପଚାରିଲେ – ‘ଏ ଗୁଡା କ’ଣ?’
ଅରିଆ ଉତ୍ତର ଦେଲା, “ମାଇଁ ପରା ଅମେଇସା ଭାର ପଠେଇଛନ୍ତି।”
“ଦିନେ ନାହିଁ କାଳେ ନାହିଁ, ଏ କ’ଣ କହନ୍ତିନି, ଗହ୍ମାପୁନେଇ ଦିନ ମାଇଁ ମାଇଁ! କୁଜୀ ପଣସ ଦିଟା ପଠେଇ ନ ଥିଲେ କ’ଣ ଅଟକି ଯାଉଥିଲା?”
ବୁଝେଇଲା ପରି ଅରିଆ କହିଲା, “ମାମୁ ତ ଅଧାରୁ ବାଟ କାଟିଲେ। ଘରେ ମରଦ ପୁଅ ବୋଲି ଛୁଆ ବକଟେ ବି ନାହିଁ। ମାଇଁ ମାଇପି ଲୋକ, ଏକୁଟିଆ ଆଉ କ’ଣ କରିବେ?”
“ହଃ – ବାପ ଯୋଗଣୀଖିଆ ବଞ୍ଚିଥିଲା ବେଳେ ତ ଭାର ଥୋରରେ ଭସେଇ ଦେଉଥିଲା। ଆଉ ମା’ ରାଣ୍ଡୀ ଏବକୁ ନିପାରିଲା ହୋଇଛି।”
“ତମେ ବୁଝିଲାଶୁଝିଲା ଲୋକ ହୋଇ ଏମିତି ହେଲେ ହେବ?” କାକୁତି କଲା କଣ୍ଠରେ କହିଲା ଅରିଆ। କିନ୍ତୁ ଶାଶୁ କ’ଣ ବୁଝିଲେ କେଜାଣି ହଠାତ୍ ତାଙ୍କ ରାଗ ପଞ୍ଚମକୁ ଉଠିଗଲା।
ସେ ଅରିଆକୁ କୋବଲେଇଲେ – “ହେଲି କ’ଣ? କ’ଣ ହେଲି ବା? ଇରେ ପଚାରୁଛି ପରା କ’ଣ ହେଲି? ଆରେ, ଦେଖ ହୋ ଛାରଛିକର ଭାରୁଆର ବହପ ଦେଖ! ମୋ ହେଲା ନହେଲା ପୁଣି ଇଏ ବାରିବ! ହେଇତିନି ଭଲରେ ଭଲରେ କହୁଛି ସେଗୁଡା ମୋ ଆଖି ଆଗରୁ ଉଠା।”
ଠିଆ ଗୋଇଠା ମାରି ଭାରରୁ ଗୋଟିଏ ଟୋକେଇ ଗଡେଇ ପକେଇ ତା’ ପରେ ସେ ଖଞ୍ଜା ଉଠେଇଲେ ପକେଇଲେ, “ଉଠା – ଉଠା- ଅବିକା ଉଠା।”
ପାଟି ଶୁଣି ଶଶୁର ଠାକୁରଘରୁ ବାହାରି ଆସି ପଚାରିଲେ- କ’ଣ ହେଲା, ଶାନ୍ତିରେ ଟିକେ ପୂଜା କରେଇ ଦେଉନୁ?
-ମୋ ପାଟି ତୁମକୁ ଶୁଭି ଯାଉଛି? ଆଉବେଳକୁ କାନରେ ପଥର ପଡିଛି?
ତଳେ ବିଞ୍ଚିହୋଇ ପଡିଥିବା ଆମ୍ବ ପଣସ ଗୋଟେଇ ଅରିଆ ସେତେବେଳକୁ ଟୋକେଇରେ ପୂରୋଇଥିଲା।
ଶଶୁର ଡାକିଲେ – ଦାସ ପୁଅ?
ଶାଶୁ ଜିଙ୍ଘାସି ଉଠିଲେ- ସେ ପାଣିପକା କଥାଗୁଡା ଚଳିବନି କହି ଦେଉଛି। ତା’ ଭାର ନେଇ ସେ ତା’ ବାଟେ ବାଟେ ଯାଉ। ସେଗୁଡା ରଖିଲେ ମୁଁ କନିଅର ମଞ୍ଜି ବାଟି ପିଇଦେବି ଜାଣିଥା। ମୋର ବାପ ଗୋଟାଏ, କଥା ଗୋଟାଏ।ଶାଶୁ ଦାଣ୍ଡ କବାଟକୁ ଧଡ୍ କରି ପେଲି ଦେଇ ପଦାକୁ ବାହାରିଗଲେ। ସଜନା ଗଛର ଭଙ୍ଗା ଡାଳ ଆଡେ ଅନେକ କିଛି ସମୟ ଠିଆ ହେଲାପରେ ଶଶୁର ପୁଣି ଥରେ ଠାକୁରଘରକୁ ପଶିଗଲେ।
ରୋଷେଇଘରୁ ବାହାରି ଆସି କନି କହିଲା, “ଆଉ ଠିଆ ହେଲ କାହିଁକି ଅରୁଭାଇ? ଖରା ମାଡି ଆସୁଛି। ଯାଅ, ବାଟ କଡରେ ସେଗୁଡା କୁଢେଇ ଦେଇ ଯିବ। ବୋଉକୁ କହିବ- କନି…..”, ଲୁହରେ ଲୁହରେ କଣ୍ଠଟା ରୁନ୍ଧି ହୋଇଗଲା।
ଭାରରୁ ଖସି ପଡିଥିବା ନାସିକଟା ପଇଡଟାଏ ନାଳ ମୁହଁରେ ପଡିରହିଥିଲା ଅନେକ ଦିନ। ଦିନେ ଗୋଟାଏ ଠିଆ ଗୋଇଠାରେ ଶାଶୁ ତାକୁ ବାଡି ଆଡକୁ ଗଡେଇ ଦେଲେ।
ଗୋଟିଏ ଦୀର୍ଘଶ୍ବାସ ପକେଇ କୂଅମୂଳୁ କନି ବାହାରି ଆସିଲା। ତାକୁ ଦେଖି ମାଳ କହିଲା, “ହେଇତିନି ଦେଈ, ନାନୀ କ’ଣ କହୁଛନ୍ତି ଶୁଣିଲଣି?”
-କ’ଣ?
– ତୁମର ‘ସିଏ’ କାଳେ ବେପାର କରିବେ। ତମର ଆଉ ଦୁଃଖ କ’ଣ? – “କ’ଣ ହୋଇଛି ନାନୀ?” ମଲ୍ଲୀକୁ ଚାହିଁ କନି ପଚାରିଲା।
ମୁହଁ ଛିଞ୍ଚାଡି ମଲ୍ଲୀ କହିଲା, “ଅଲଜ୍ୟା ନାଉ ନା, ଟେକିଟାକି ଦିଅ ପିଢାକୁ ଯାଉ।” ସେ ଛୋପରୀ ଝିଅ କଥାରୁ ତୁ କ’ଣ ପାଇବୁ?
ମଲା, କଥାଟା ଟିକେ ଖୋଲି କହୁନ। ଦେଈ ଶୁଣନ୍ତୁ
-ଶୁଣିବ ଆଉ କ’ଣ ବା? ବିକଳା ମାହାନ୍ତି ଆର ଟାଉକା। ସବୁ ଯଦି ଚଳୁ ନ କରିଛି ମୋ ନାଁରେ କୁକୁର ପାଳିବୁ।
ଉତ୍କଣ୍ଠିତ ଆଖିରେ କନି ମଲ୍ଲୀ ମୁହଁକୁ ଚାହିଁ ରହିଲା।
ସେ ଗପିଲା, “ମଉଳା ସାଙ୍ଗରେ ମିଶି ତାଙ୍କ ଗାଁରେ ଚୁଡାଚାଉଳ କଳ ବସେଇବ ବୋଲି ରମା ବାହାରିଛି। ହେଲା ଯେ…..” କଥା ମଝିରୁ ହଠାତ୍ କଣ୍ଠଟାକୁ ନୁଆଁଇ ଦେଇ ମଲ୍ଲୀ କହିଲା, “ତୋ ଗହଣା ଗାଣ୍ଠି ଯାହା ବନ୍ଧାଛନ୍ଦା ପକେଇଲେ।”
କନି ଆଖି ଆଗରେ ସତେ ଯେପରି ଚାଉଁ କରି ଲତା ବିଜୁଳିଟାଏ ଖେଳିଗଲା। ସେ ତଳେ ବସିପଡି ପଚାରିଲା – କାହା ପାଖରେ?
-“କାହା ପାଖରେ ଆଉ କ’ଣ ପଚାରୁଛୁ? ସେଇ ବିକଳା ବାଡିପଡାତ ଡାଆଣୀ ହୋଇ ଲାଗୁଛି, ଗୁଣିଆ ହୋଇ ଝାଡୁଛି। ବନ୍ଧା ଦେବା ନାଁରେ ନେଇ ନିଜେ ଘରେ ରଖି ନଥିବ ବୋଲି କୋଉ ବିଶ୍ୱାସ? ଜୋକ ରକତ ପରି ସେ ଯେଉଁ ବିଛୁମାଳି ହାରଲୋ ମାଳ; ତାକୁ ଦେଖି ସେ ଯୋଗଣୀଖିଆ ପାଟିରୁ ତ ଖାଲି ଲାଳ ବୋହୁଥିଲା।”
ବିଛୁମାଳି ହାରଗଢାରେ ବୋଉର ପାଚିଆଏ ହେବ ରୁପା ଗହଣା ବିକ୍ରୀ ହୋଇଥିଲା। ବାପା ଅଦରଦରରେ ଅମାରକ ଧାନ ବିକିଥିଲେ। ଟଙ୍କା ଅଭାବରୁ ସେ ବର୍ଷ ଘର ବେଛପର ରହି ଚାରିଆଡେ ପାଣି ଗଳୁଥିଲା। ତଥାପି ତା ବେକରେ ହାରଟାକୁ ଦେଖି ବାପା ବୋଉଙ୍କ ମୁହଁରେ ହସର ଚନ୍ଦ୍ରଉଦିଆ ଚମକି ଉଠିଥିଲା।
ତାକୁ ନୀରବ ରହିବା ଦେଖି ମଲ୍ଲୀ ଲମ୍ବା ନିଶ୍ବାସଟାଏ ଛାଡି କହିଲା, “ସେଗୁଡାଙ୍କୁ ଧରମ ସହିବନି। ଅଧା ଗହଣାତ ଝିଅ ଘରେ ପୂରେଇଥିଲେ। ବାକି ଯାହା ବଳି ଥିଲା ଶେଷକୁ ଖଣ୍ଟ ଖୋଇଲେ।”
କନିର ଆଉ କିଛି ଶୁଣିବାକୁ ଧୈର୍ଯ୍ୟ ନ ଥିଲା। ସେ ଛାତ ଉପରକୁ ଉଠିଗଲା। ପଛରେ ମଲ୍ଲୀ କହୁଥିଲା, “ହେଲେ ବୁଢାର ଏଥକୁ ମନ ନ ଥିଲା। ସେ ସେଇଦିନୁ ଯାଇ ନେନ୍ତାର ମଠରେ।”
ସେତେବେଳେ ଶାଶୁଘର ଆଉ ବାପଘର ଭିତରେ ଯୋଗସୂତ୍ର ଥିଲା ଏଇ ମଲ୍ଲୀ ଅପା। ଆଜି ତା’ର ଅତୀତ ଓ ବର୍ତ୍ତମାନ ଭିତରେ ସେ ହିଁ ଏକମାତ୍ର ସେତୁ। କନି ଅନେକ ଥର ଭାବେ ତାକୁ ଆସିବାକୁ ମନା କରିଦେବ। ପୋଡିଗଲା ତରକାରୀରୁ ସ୍ବାଦ ଖୋଜି ଆଉ ଲାଭ କ’ଣ? ଗହଣାଗାଣ୍ଠି ଛାଡି ରାତି ଅଧରେ କଣ୍ଟାପଡାରୁ ଆସିବା ଦିନ ସେ କେବେ ବିଛୁମାଳି ହାର କଥା ଭାବି ନ ଥିଲା। ସେ ହାର ଆଉ କେହି କେବେ ତାକୁ ଫେରେଇ ଦେଇ ନଥାନ୍ତେ। ତଥାପି ଖବରଟା ଶୁଣି ଆଜି ମନଟାକୁ କିଏ ରାମ୍ପି ବିଦାରି ଲହୁ ଲୁହାଣ କରି ଦେଉଛି।
କନି ଭାବିଲା – ଏ ଦୁନିଆରେ ତା’ ପରି ହତଭାଗିନୀ ଆଉ କିଏ ଅଛି ନା ସେ ଏକା? ସବୁ ଦୁଃଖ ଅପମାନ, ଦୁର୍ଭାଗ୍ୟ କ’ଣ ଭଗବାନ ତା’ରି ପାଇଁ ସଜାଡି ରଖିଥିଲେ? ଖାଲି ବଞ୍ଚିରହିବା ପାଇଁ ମିଛ ସ୍ବପ୍ନ ଟିକେ ଦେଖିବା ପାଇଁ ଚେଷ୍ଟା କଲାବେଳକୁ, ସେତକ ବି ଅଧାରୁ ଭାଙ୍ଗି ଯାଉଛି।
ସୁର ଘରର ଏଇ ଛାତ ଉପରେ ହେଉ କି କଣ୍ଟାପଡା ଗାଡିଆକୂଳ ନଡ଼ିଆ ଗଛ ମୂଳ ହେଉ, କନି ଆଖିରୁ ଲୁହ ଧାର ପୋଛି ଦେବାକୁ କେହି ନ ଥାନ୍ତି।
ମାଳ ବି ସେତେବେଳେ ତା’ ପାଖକୁ ଆସିବାକୁ ସାହସ କରେନା। ଅନେକ ସମୟଧରି କାନ୍ଦି ସାରିବା ପରେ, ତା’ ମନ ହାଲୁକା ହୁଏ କି ନାହିଁ କେଜାଣି, ତା’ ମୁଣ୍ଡ ବିନ୍ଧା କମିଯାଏ। ସେ ବହୁ ସମୟ ଶୋଇପଡେ।
(ସେଦିନ ବି କନି ସେମିତି…….ଆର ଥରକୁ)