ସେଦିନ ବି କନି ସେମିତି ଅଖିଆ ଅପିଆ କେତେବେଳ ପର୍ଯ୍ୟନ୍ତ ଶୋଇଥାନ୍ତା। କିନ୍ତୁ ଅତନୁ ଡାକରେ ତା’ ନିଦ ଭାଙ୍ଗିଲା। କନିର ଗୋଟିଏ ହାତକୁ ପରୀକ୍ଷା କଲା ପରି ଉଠେଇ ଧରି ଅତନୁ ମନକୁ ମନ ପଚାରିଲା, “ଦେହ କ’ଣ ଖରାପ ହେଲା କି?”
ତା’ ହାତ ମୁଠା ଭିତରେ କନିର ହାତଟା ଝାଳେଇ ଉଠୁଥିଲା। ଅତନୁ ଦେହର ଉତ୍ତାପରେ ତା’ ଦେହର ସବୁ ଜଡ଼ତା, ସବୁ ଅବସାଦ ଯେପରି ଖଣ୍ଡେ ବରଫ ପରି ତରଳି ଯାଉଥିଲା। ତା’ ଦେହର ଶିରା ପ୍ରଶିରା ସବୁ ପୁଣି ସତେଜ ହୋଇ ଉଠୁଥିଲେ। ପୁରୁଷ ହାତର ଏହି ଉଷ୍ମତା ଭିତରେ କଟିଯାଏ ନାରୀର ସାରା ଜୀବନ। କିନ୍ତୁ ତା’ ଭାଗ୍ୟରେ ତାହା ନାହିଁ।
ପରକ୍ଷଣରେ କନି ଭାବିଲା- ଜୀବନଟା ସାରା ଯଦି ତା’ର ରିକ୍ତତା ଭିତରେ କଟିବାର ଥାଏ, ତାକୁ କିଏ ଅନ୍ୟଥା କରି ପାରିବ? ପୁଲକିତ ମୁହୂର୍ତ୍ତର ଏହି କ୍ଷଣିକ ଶିହରଣ ଟିକକୁ ଉପଭୋଗ ନ କରି ସେ ଅନିଶ୍ଚିତ ଆତଙ୍କ ଭିତରେ ହଜେଇ ଦେବ କାହିଁକି?
ଆଖି ବୁଜି ସେ ଅତନୁ ହାତର ସ୍ପର୍ଶସୁଖକୁ ନିଜର ସ୍ମୃତି କୋଷରେ ସଞ୍ଚୟକରି ରଖିବାକୁ ଚେଷ୍ଟା କଲା। ଅତନୁ ତା’ ଉପରକୁ ଝୁଙ୍କି ପଡି କପାଳ ଉପରଟା ଆଉଁସିବାରେ ଲାଗିଲା। କନିର ମନେ ପଡିଲା- ଅତନୁ ତାକୁ ଆଉଥରେ ବି ଛୁଇଁଥିଲା। ତାହା ଇଚ୍ଛାକୃତ କି ଆକସ୍ମିକ କିଏ ଜାଣେ?
ବୀଣାର ତାର ଉପରେ ସୁଦକ୍ଷ ଶିଳ୍ପୀର ହସ୍ତ ଚାଳନ ପରି ଅତନୁର ଅଙ୍ଗୁଳିଗୁଡିକ ତା’ର ବାଳ ସନ୍ଧିରେ ଖେଳି ବୁଲୁଥିଲା। ଗଭୀର ଆବେଶରେ କନିର ଆଖିପତା ଲାଗି ଆସୁଥିଲା।
ଚା’ ଧରି ପଶି ଆସି ମାଳ ଡାକିଲା- ଦେଈ!
ମନେ ମନେ କନି ତାକୁ ଗାଳି ଦେଲା- ପୋଡାମୁହିଁ!
ଅତନୁ ପଚାରିଲା- ଦେଈର କ’ଣ ହୋଇଛି?
ମାଳ ତା’ପରେ ରେଡ଼ିଓରେ ରଥଯାତ୍ରାର ଧାରା ବିବରଣୀ ପରି ଆରମ୍ଭ କଲା ଘଟଣାର ସବିସ୍ତୃତ ବର୍ଣ୍ଣନା।
ଚା’ ପିଉ ପିଉ ଅତନୁ ଡାକିଲା – କନି?
କନି ସେମିତି ଆଖି ବୁଜି ପଡିରହିଥିଲା। ଆଉଁଶି ଦେବାର ବାହାନା କରି ମାଳ ତା’ର ବିପର୍ଯ୍ୟସ୍ତ ଲୁଗାପଟାକୁ ସଜାଡି ଦେଇ ଡାକିଲା- ଦେଈ?
ଆଖି ନ ଖୋଲି କନି ଉତ୍ତର ଦେଲା- ଉଁ।
“ଟିକେ ଭଲ ଲାଗୁଛି?” ପଚାରିଲା ଅତନୁ।
ଉଠି ବସିବା ଛଡା କନିର ତେଣିକି ଅନ୍ୟ ଉପାୟ ନଥିଲା।
(ବି. ଏମ୍. ନ ଥିଲେ ଲଞ୍ଚ୍ ବିରତି ପରେ ଅଫିସଟା ପ୍ରାୟ….. ଆର ଥରକୁ)