ବି. ଏମ୍. ନଥିଲେ ଲଞ୍ଚ୍ ବିରତି ପରେ ଅଫିସଟା ପ୍ରାୟ ଫାଙ୍କା ହୋଇଯାଏ। ନୂଆ ବି. ଏମ୍. କମ୍ପାନୀ ହେଡ୍ ଅଫିସକୁ ସକାଳୁ ସକାଳୁ ସପ୍ତାହକ ପାଇଁ ବାହାରି ଯାଇଛନ୍ତି। ସେ ପୁଣି ଜଏନ୍ କରିବା ପରେ ପରେ ଅଫିସ ଆଓ୍ବାରକୁ ଭାରି କଡାକଡି କରି ଦେଇଛନ୍ତି। ସେଥିପାଇଁ ବଡବାବୁ ପଛରେ ପରିହାସ କରନ୍ତି, “କିହୋ ମିଶ୍ର ବାବୁ, ଚଡ୍ଢ଼୍ଢ଼ାତ ସମସ୍ତଙ୍କୁ ଚଢାରେ ପକାଇ ଦେଲା!”
କିନ୍ତୁ ପ୍ରକୃତରେ ତାଙ୍କର ହିଁ ଘର କାମ ଥାଏ ବେଶୀ। ବଗ. ଏମ୍.ଙ୍କ ଯିବା ପରେ ପରେ ତେଣୁ ସେ ସମସ୍ତଙ୍କୁ ଏକାଠି କରି କିଛି ଗୋଟାଏ ମସୁଧା ଚଳେଇ ଥିଲେ।
ଲଞ୍ଚ୍ ପରେ ଘରମୁହାଁ ଗୋରୁପଲ ପରି କିଏ କୁଆଡ଼େ ପଳେଇଥିଲେ। ବୁକି° କାଉଣ୍ଟରରେ ମୁହଁକୁ ମୁହଁ ଯୋଡି ବସି ରମେଶ କିମ୍ବା ଛନ୍ଦା ଷଡ଼ଙ୍ଗୀର ବି ଆଜି ଦେଖା ନଥିଲା। ମ୍ୟାଟିନ୍ ସୋ ଦେଖିବାକୁ ଦୁହେଁ ହୁଏତ ଯାଇ ଉଠିଥିବେ କେଉଁ ସିନେମା ହଲରେ।
ମାର୍କେଟିଂ ମ୍ୟାନେଜର ବିନୟ ଚୌଧୁରୀ ତାଙ୍କ ଚାମ୍ବରରେ ଟାଇପିଷ୍ଟ କମ୍ ପି.ଏ. ଅପରାଜିତାକୁ କ’ଣ ଗୋଟିଏ ଡିକ୍ଟେସନ୍ ଦେଉଛନ୍ତି। କନି ଭାବିଲା, ସେ ବି ବସାକୁ ଫେରିଯିବ। କିନ୍ତୁ ଏତେ ବେଳାବେଳି ଯାଇ ସେ କରିବ କ’ଣ? ମାଳ ହୁଏତ ବୁଲି ଯାଇଥିବ ନହେଲେ ନିଘୋଡ଼ ନିଦରେ ଶୋଇ ଘୁଙ୍ଗୁଡ଼ି ମାରୁଥିବ। ଏମିତି ନିଶ୍ଚିନ୍ତ ନିଦରେ ମାଳ କେମିତି ଶୁଏ କେଜାଣି? ବସାଟା ତାକୁ ଖାଁ ଖାଁ ଖାଇ ଗୋଡେଇବ। ଅତନୁ ଯଦି ଆସିବ ତେବେ ଯାଇ ସେଇ ସନ୍ଧ୍ୟା ବେଳକୁ। ସ୍ବପ୍ନେଶ୍ବର ବୁଲି ଯିବା କଥା ତ ସେ ଆଉ କାହିଁକି ଉଠାଉନି? ଭୁଲି ଗଲା ନା କ’ଣ? ନିଜଆଡୁ ମୁହଁ ଖୋଲି ପଚାରିବାକୁ ବହୁତଥର ଭାବି ବି କନି ଲାଜରେ ପଚରି ପାରୁନି।ଆଉ ତିନି ମାସ ପରେ ଅଫିସ ଆନୁଆଲ୍ କ୍ଲିଅରାନ୍ସ ପାଇଁ ମାସେ ଛୁଟି ହେବ। ସେଥିପାଇଁ ଆଜି ଠାରୁ କିଏ କ’ଣ କରିବେ ଯୋଜନା କରି ସାରିଲେଣି। କନିକୁ କିନ୍ତୁ ସେ ଛୁଟି ମାସଟା କାଳ ପରି ଲାଗେ। ସମୟ ତା’ ଉପରେ ପାହାଡ଼ ପରି ଚାପି ହୋଇଯାଏ। ଦିନସବୁ ଲାଗନ୍ତି ଦୀର୍ଘକାୟ, ରାତି ଲାଗେ ଅସରା।
କଣ୍ଟାପଡାରେ କାମ କରି କରି ଦିନରାତି ଅଣ୍ଟୁ ନଥିଲା। ପାହାନ୍ତା ପହରୁ ଉଠି ଠାକୁରଘର ବାସନ ମଜାରେ କାମ ଆରମ୍ଭ ହୁଏ ଯେ ଶେଷ ହୁଏ ଯାଇ ରାତି ଅଧରେ ଶାଶୁଙ୍କ ଗୋଡ ମୋଡାରେ। ଶଶୁର ଶୁଅନ୍ତି ବେଳାବେଳି। ଉଠନ୍ତି ପାହାନ୍ତାରୁ। ଖରାବେଳ ସାରା ଶୋଇ ଶୋଇ ଶାଶୁ ସଞ୍ଜ ପହରୁ ସାହି ବୁଲି ଯାଇ ଫେରନ୍ତି ଭାତଖିଆ ପହର ଗଡିଗଲା ପରେ। ରମାକାନ୍ତ ଖାଇ ପିଇ ସାରି ଗାଁ ବୁଲି ବାହାରି ଗଲାବେଳକୁ ଶାଶୁଙ୍କ ପାନଜକା କଣ୍ଠ ଘୁଙ୍ଗୁଡ଼ିରେ ଦଦରା ମାଠିଆରେ ପାଣି ପଶିଲାପରି ଘଡ ଘଡ କରି ଉଠେ। ଗୋଡ ମୋଡିଦେବାକୁ ଯାଇ କନି ଦେଖେ ତେଲ ଚିକିଟା ତକିଆରୁ ଅରାଏ ପାନ ଛେପରେ ଭେଦି ଗଲାଣି। ମୋଡି ମୋଡି ହାତ ଘୋଳେଇ ହୋଇ ପଡିଲା ବେଳକୁ ଶାଶୁ କଡ ଲେଉଟାଇ ପଚାରନ୍ତି- ଇଲୋ, ମୋ ଉପରେ ଢୋଳୋଉଛୁ କି? ତୁଚ୍ଛାକୁ କି ଦଶା ଘୋଟିଛି, ମୋ ଧିଅ ମୁଣ୍ଡ ଭଲ ରହୁନି।”
କନି ସେ ପ୍ରଶ୍ନର କି ଉତ୍ତର ଦେବ ଭାବି ପାରେନି। ଶାଶୁ ଗୋଡ ଟାଣି ନେଇ କହନ୍ତି, ‘ତୁ ଉଠ୍ ଲୋ। ଯୋଉ ତ ମୋଡା! ମୋ ଗୋଡହାତ ସଲସଲ ଲାଗୁଛି।’
ସେଥିରେ ପୁଣି ଦିନେ ଦିନେ ସେ ଅଯଥା ଖୁମାଣ ପୋତନ୍ତି। ଶ୍ବଶୁର କି ରମାକାନ୍ତ ଡାକି ଡାକି ଥକି ପଡିଲେ ବି ଉଁ କି ଚୁଁ କୁହନ୍ତିନି। ଶେଷକୁ ପାଳି ପଡେ କନିର। ଘଣ୍ଟାଘଣ୍ଟା ଧରି ସେ ଗୋଡତଳେ ଦୋଷୀଙ୍କ ପରି ଅଣ୍ଟା ଭାଙ୍ଗି ମୁଣ୍ଡ ନୁଆଁଇ ଠିଆ ହୁଏ। ପାଟିକରି ‘ବୋଉ’ ବୋଲି ଡାକିବାକୁ ବି ସାହସ ଅଣ୍ଟେନା। ସେମିତି ମୁହଁ ପୋତି ଠିଆ ହୋଇ ସେ କି ଦୋଷ କରିଛି ବୋଲି ମନେ ପକାଇବାକୁ ଚେଷ୍ଟା କରେ। ଦିନମାନର ଖଟଣି ପରେ ଗୋଡହାତ ଛିଣ୍ଡି ପଡିଲା ପରି ଲାଗୁଥାଏ। ଇଚ୍ଛା ହେଉଥାଏ ସେଇଠି ସେ ଅଖିଆ ଅପିଆ ତଳେ ଗଡି ପଡନ୍ତା। କିନ୍ତୁ ଶାଶୁ ନ ଖାଇଲା ଯାଏଁ ତାର ଗତି କାହିଁ? ଶାଶୁ ରାତିରେ ଅଖିଆ ଶୋଇଲେ ସକାଳୁ ଶଶୁର କି ରମାକାନ୍ତ ମୁହଁରେ ମାଛି ବସିବନି।
ରାତି ଅଧକୁ ବୁଲି ବୁଲି ଫେରି ରମାକାନ୍ତ ଦେଖେ କନି ସେମିତି ଠିଆ ହୋଇଛି। ସେ ଡାକେ- ବୋଉ?
କେତେ ଡାକ ପରେ ଫଟା କ°ସା ପରି ଶାଶୁଙ୍କ ସ୍ବର ଗର୍ଜି ଉଠେ, ‘କ’ଣ?’
ସିଏ ପରା ତୋତେ ଖାଇବାକୁ ଡାକୁଛି?
ମୁଁ ଖାଇବିନି।
କାହିଁ, ଆଜି ପୁଣି ତୋର କ’ଣ ହେଲା?
ତୋତେ ଏତେ ଜେରା କରିବାକୁ କିଏ କହୁଛି?
ଆଗରୁ ସେଇୟା କହିଲୁନି? ରାତି ଅଧଯାଏ ସେ ଠିଆ ହୋଇଛି।
କନି ପ୍ରତି ସେଇ ସାମାନ୍ୟ ଦରଦ ଟିକକରେ ଅସମ୍ଭାଳ ହୋଇ ଶାଶୁ ଚିତ୍କାର କରନ୍ତି, “ଆହା ଲୋ ମୋର; ମାଇପ ଘଡିଏ ପହଡେ ଠିଆ ହୋଇ ପଡିଲେ ଧିଅ ସହୁନି। ମୁଁ କାହାକୁ ଠିଆ ହେବାକୁ ନେହୁରା ହେଉଥିଲି? କିଏ ମୋ ଗାତ ନା ଚୁଲି?”
ଅସହାୟ କଣ୍ଠରେ ରମାକାନ୍ତ କୁହେ, “ରାତି ଅଧରେ ଏଡେ ପାଟିଟା କାହିଁକି କରୁଛୁ?”
“ଇରେ, କ’ଣ କହିଲୁ? ମୁଁ ପାଟି କରୁଛି? ମୋ ପାଟି ତୋ କାନକୁ ଏମିତି ଶୁଭି ଯାଉଛି? ଆଉ ତୋ ମାଇପ ଯାହା କରୁଛି ଆଖିକୁ ଦିଶୁନି? ହା – ରେ କ’ଣ କହନ୍ତିନି ‘ବାଘ ଛାଲ ଆସି କୁକୁର ନେଲାଣି’। ମାଇଚିଆ, ମାଇପ ରଙ୍କୁଣା! ତୋତେ ଯଦି ସେ ଠାୟା୍ଁଣୀ ଛୁଆ ଛାଞ୍ଚୁଣୀ ଛ’ ଗୋଇଠା ନ କରିଛି…..’ ଘର ଭିତରକୁ ପଶିଯାଇ ସେ ମୁହଁ ଉପରେ କବାଟଟାକୁ ଧଡାସ୍ କରି ବନ୍ଦ କରି ଦିଅନ୍ତି। ସବୁ ରାଗ ଯେମିତି ଶୁଝେ ଯାଉଁଳି କବାଟ ଉପରେ।
ଦିନମାନ ଭିତରେ ରମାକାନ୍ତ ଯାହା ବି ପଦେ ଦୁଇପଦ କଥା କୁହେ, ପରଦିନଠାରୁ ସେତକ ବି ବନ୍ଦ ହୋଇଯାଏ। ସେ କେଉଁ ବନ୍ଧୁବାନ୍ଧବ ଘରକୁ ପଳାଏ, ନ ହେଲେ ଗାଁ ରାମଲୀଳା ଦଳ ସାଙ୍ଗରେ ଏଣେତେଣେ ବୁଲେ। ଛାଟିପିଟି ହେଲା ପରି ଶଶୁର ସକାଳୁ ସକାଳୁ ବାହାରି ପଡନ୍ତି ନେନ୍ତାର ମଠକୁ। ଗାଧୋଇ ପାଧୋଇ ଶାଶୁ ନିଜେ ରୋଷେଇ ବସାନ୍ତି। ଉପରେ ପଡି ପରିବା କାଟିଦେଲେ କି ବେସରବାଟି ଦେଲେ ଚାଳକୁ ବାଡକୁ ଦେଖେଇ କୁହନ୍ତି, “ଆଉ କିଏ ଟିପ ଛୁଇଁଲେ ମୁଁ ପାଣି ଛୁଇଁବିନି କହି ଦେଉଛି। ମୋର ବାପ ଗୋଟାଏ, କଥା ବି ଗୋଟାଏ। ଆଉ କହାଭଳିଆ ମୁଁ ବାରଜାତକା ଛୁଆ ହୋଇଛି କି?”
କେଉଁଠୁ କ’ଣ ସେ ଶୁଣିଥିଲେ, କଥା କଥାକେ ଆକ୍ଷେପ କରନ୍ତି- ବାରଜାତକା ଛୁଆ।
ଗୋଟିଏ ଦୀର୍ଘ ନିଶ୍ଵାସ ପକେଇ କନି ଫାଇଲଟା ରଖି ଦେଲା। ସକାଳର ଗଣ୍ଡଗୋଳ ଭିତରେ ତା’ର ଅନେକ କାମ ବାକି ରହିଯାଇଥିଲା। ଲଞ୍ଚ୍ ପରେ ତେଣୁ ସେ ବସିଥିଲା ସେସବୁ ସାରିବା ପାଇଁ। କିନ୍ତୁ କଣ୍ଟାପଡାର ବ୍ୟଥାକଣ୍ଟକିତ ସ୍ମୃତି ତାକୁ କିଛି କରାଇ ଦେଲାନି। ସେ ସବୁ ପଛ କଥା ଭୁଲିବାକୁ ଯେତେ ଚେଷ୍ଟା କଲେ ସୁଦ୍ଧା ଅତି ଅତର୍କିତ ଭାବେ ସେସବୁ ତା ମନ ଭିତରକୁ ପଶି ଆସେ।
ଆରପଟ ଘରୁ ଶୁଭୁଛି ବିନୟ ଚୌଧୁରୀ ଆଉ ଅପରାଜିତାର ମୃଦୁ ସ୍ବରର କଥାବାର୍ତ୍ତା ସାଙ୍ଗକୁ ଚାପା ହସ। ଫାଇଲଟାଏ ଆଣିବା ପାଇଁ ଉଠିଗଲା ବେଳେ ସେ ଦେଖିଥିଲା – ପୋଷାକ ସନ୍ଧିରୁ ବକ୍ଷର ଉର୍ଦ୍ଧ୍ବା°ଶକୁ ଉନ୍ମୀଳିତ କଲାପରି ଏକ ବିଶିଷ୍ଟ ଭଙ୍ଗୀରେ ବିନୟ ଚୌଧୁରୀର ଟେବୁଲ ଉପରେ ଅପରାଜିତା ହାମୁଡେଇ ପଡି ଓଠ ସନ୍ଧିରେ ପେନସିଲଟାକୁ ଚାପି ଧରିଛି।
ପେପର୍ ଓ୍ବେଟଟାକୁ ଘୁରେଇ ଘୁରେଇ ବିନୟ ଚୌଧୁରୀ ସେତେବେଳେ ପରବର୍ତ୍ତୀ ଲାଇନ୍ ଚିନ୍ତା କରୁଥିଲା କି ଅପରାଜିତାର ଛାତିର ଉଚ୍ଚତା ଆକଳନ କରୁଥିଲା – କନି ବୁଝି ପାରିଲାନି। ଡିକ୍ଟେସନ୍ ଦେବା ବୋଧେ ଆଜି ଆଉ ସନ୍ଧ୍ୟା ପୂର୍ବରୁ ସରିବନି।
ପ୍ରଚଣ୍ଡ ବିରକ୍ତିରେ ଆଲମାରୀରେ ଚାବି ଦେଇ ପକାଇ ପଦାକୁ ବାହାରି ଆସିଲାବେଳେ ପଛରୁ ଶୁଭିଲା ବିନୟ ଚୌଧୁରୀର ତୁଳାଭିଣା ଇ°ଲିଶ୍ – ଜିତା, ୟୁ ନଟି ଗାର୍ଲ?
କନିର କାହିଁକି ଧାରଣା ହେଲା – ଏମିତି କେତୋଟି ନାଟକୀୟ ଇ°ଲିଶ୍ ସ°ଳାପ ମୁଖସ୍ଥ କରିବା ବ୍ୟତୀତ, ବିନୟ ଚୌଧୁରୀର ଜୀବନ ସମ୍ପର୍କରେ ଆଉ କୌଣସି ବୃହତ୍ତର ଅନୁଭବ ନାହିଁ।
କେତେଦିନ ତଳୁ ଅତନୁ ପାଇଁ କ’ଣ ଗୋଟିଏ ପ୍ରେଜେଣ୍ଟେସନ୍ କିଣିବ ବୋଲି ଭାବି ଭାବି ଆଜିଯାଏ କିଣି ପାରିନି। ଦେଖୁ ଦେଖୁ ଅତନୁର ଜନ୍ମଦିନ ଯିବା ଦଶ ଦିନରୁ ଅଧିକ ହେଲାଣି।
ବଜାରକୁ ଯିବା ପାଇଁ ରିକ୍ସା ଅପେକ୍ଷାରେ ସେ ଛକ ଉପରେ ଠିଆ ହୋଇ ରହିଲା।
(ଚିଠି ପାଇ ଅତନୁ ରାଉରକେଲା ଯାଇଛି….. ଆର ଥରକୁ)