ଭ୍ରମଣ କାହାଣୀ – ୭ (ଦ୍ୱାରକା)

ମନ୍ଦିର ଅଗଣା ମଝିରେ ଏକ କୁଟିର ଥାଏ ।ସେଇ କୁଟୀର ଭିତରେ ଏକ ଯଜ୍ଞକୁଣ୍ଡ ଯୋଉଠି ଲେଲିହାନ ଶିଖା ରେ ଘୃତାହୁତି ଦେଉଥାନ୍ତି ମହତସାଧୁଗଣ ।ଲୋକେ ଯାଉଥାନ୍ତି ଦୁରରୁ ପ୍ରଣାମକରି ଯୋଡହସ୍ତରେ ପ୍ରତ୍ଯାବର୍ତ୍ତନ କରୁଥାନ୍ତି ଅଗଣା କୁ ଓ ମେଲାରେ ଖୁସି ହେଉଥାନ୍ତି ସୁଲୁସୁଲିଆ ଛାଇଖରା ଛୁଆଁ ରେ ।ସେଇ ଅଗଣାରେ ଗୋଟିଏ ଛୋଟିଆ କାଠର ଗେଟ ବାହାର ପଟକୁ ଲାଗିଥାଏ ।ସେଇପଟେ ମୁଁ ଯାଇ ବାପାଙ୍କୁ ଭିତରକୁ ଧରି ନେଇ ଆସିଲି ।ଲାଇନରେ ସିନା ଦର୍ଶନ କରିବା ତାଙ୍କୁ କଷ୍ଟ ହବ ,ମହାପ୍ରଭୁଙ୍କ ଦୁଆରୁ ବିନା ଦର୍ଶନ ରେ ଫେରିଯିବା ପୁଣି ବାପାଙ୍କ ପରି ଲୋକ …. ଏକଥା କଣ ଶମ୍ବୁ ଭଗବାନ ହସି ପାରିଥାନ୍ତେ !ବହୁତ ଖୁସି ହେଲେ ବାପା ଏଇ ବିଭୁକୃପାରେ ।

ବାସ୍ତୁ କଳା ଅନୁଯାୟୀ ଏହି ମନ୍ଦିର କୁ ପାଞ୍ଚ ଟି ମୁଖ୍ଯ ଭାଗରେ ବିଭକ୍ତ କରାହେଇଛି ।ମଣିଷ ଶରୀରର ଶୟନକାଳିନ ଅବସ୍ଥା ରେ ପାଞ୍ଚ ଭିନ୍ନ ଭିନ୍ନ ଭାଗରେ ବଣ୍ଟାଯାଇଛି ।ଗର୍ଭଗୃହ: ଯେଉଁ ଠାରେ ମୁଖ୍ୟ ମହାଦେବ ଲିଙ୍ଗ ପୂଜା ପାଉଛନ୍ତି ତାହା ମଥା ବା ମସ୍ତକ । ନନ୍ଦୀବାବା ପୂଜା ମଣ୍ଡପ: ଅନ୍ତନାଡୀ ବା ଅନ୍ତରାଳ,  ସଭା ମଣ୍ଡପ: ପେଟ ଓ ଛାତି _ ପ୍ରାର୍ଥନା କକ୍ଷ,  ପ୍ରବେଶ ଦ୍ବାର ରେ ହନୁମନ୍ତ ଓ ଶ୍ରୀ ଗଣପତି ହେଲେ ଦୁଇ ହାତ, ମହାଦ୍ବାର କୁ ଆମେ କେବଳ ପାଦ ଦ୍ବୟ ଭାବରେ ନେଇ ପାରିବା ।

ଏହା ଏକ ଦକ୍ଷିଣ ମୁଖୀ ମନ୍ଦିର ।ଏହି କଥାକୁ ନେଇ ଏକ ଲୋକ ଗଳ୍ପ/କଥା ରହିଛି ।

ପୂର୍ବ କାଳରେ  ଈଶ୍ବର ଏଠାରେ ପୂର୍ବ ଦିଗରେ ଅବସ୍ଥିତ ଥିଲେ ।ଦିନକର କଥା ମହାଦେବଙ୍କ ର ନାମଦେବ ନାମକ ଏକ ଭକ୍ତ ଥିଲେ, ଯାହାଙ୍କ ଅଖଣ୍ଡ ଭକ୍ତି ଯେ ଈଶ୍ବର ପ୍ରସନ୍ନ ଥିଲେ ।ଦିନେ ନାମଦେବ ପ୍ରାର୍ଥନା କରୁଥାନ୍ତି ।ଏତେ ନିମଗ୍ନ ଥାନ୍ତି ପ୍ରାର୍ଥନା ରେ ଯେ ବୁଝିପାରିନଥାନ୍ତି ତାଙ୍କ ପଛରେ ଅନ୍ୟ ଦର୍ଶନାର୍ଥୀ ମାନଙ୍କୁ ସିଏ ତାଙ୍କ ଅଜାଣତେ ଉହାଡ କରି ରଖିଛନ୍ତି ।ଅନ୍ଯ ଉତ୍ଯକ୍ତ ଦର୍ଶନାର୍ଥୀ ମାନେ ଅପେକ୍ଷା କରି ,ଓ ଅନେକ କହିବା ପରେ ମଧ୍ୟ ନାମଦେବଙ୍କ କର୍ଣ୍ଣଗୋଚର ନ ହେବାରୁ ଉତ୍କ୍ଷିପ୍ତ ହୋଇ ଜନତା ତାଙ୍କୁ ସେଠାରୁ ବଳପୂର୍ବକ ବିତାଡିତ କରିବା ସହ ଈଶ୍ବର ଦର୍ଶନ ରେ ମଧ୍ୟ ପାବନ୍ଧୀ ଲଗାଇଲେ ଯେ ସେହି ସମୟ ଠାରୁ ନାମଦେବ ଦକ୍ଷିଣ କୁ ମୁହଁ କରି ଈଶ୍ବର ଙ୍କୁ ଯେତେ ସମୟ ଇଛ୍ଛା ସେତେ ସମୟ ପ୍ରାର୍ଥନାରତ୍ତ ରହି ପାରିବେ ।ସାଧାରଣରେ ଧାରଣା ଥିଲା ଯେ ଈଶ୍ବର ଦକ୍ଷିଣ ଦିଗରେ ଅନୁପସ୍ଥିତ ଥାନ୍ତି ।ମୂଢ ଗଣ ଏହା ବୁଝିବାରେ ସକ୍ଷମ ନ ଥିଲେ ଯେ କେବଳ ପୂର୍ବ ଦିଗ ନୁହେଁ, ଚତୁର୍ଦିଗ ରେ ଈଶ୍ବର ବିଦ୍ଯମାନ ।ପୃଥିବୀ ର କୋଣ ଅନୁକୋଣେ ଈଶ୍ବର ଙ୍କ କରୁଣା ଝରେ ।ଈଶ୍ବର ସ୍ଥିତ ସୃଷ୍ଟି ର ପ୍ରତି ମୂହୁର୍ତ୍ତ ରେ ।ଭକ୍ତ ସହ ତ ଠିଆ ହବାର ହି ଥିଲା ପ୍ରଭୁଙ୍କୁ ।ବିଶ୍ବାସ ସହ ତ ସିଏ ଠିଆ ହେଇଛନ୍ତି ଯୁଗ ଯୁଗ ରୁ ।ଏଥର ବି ସେଇଆ ହେଲା,  ସମଗ୍ର ଠୁଳଜନତାଙ୍କୁ ସ୍ତବ୍ଧ ଚକିତ କରି ମହାଦେବ  ଭକ୍ତ ର ମାନ ରଖି ଆବିର୍ଭୂତ ହେଲେ ଦକ୍ଷିଣ ଦିଗରେ ଜ୍ଯୋତିର୍ଲିଙ୍ଗ ରୂପେ ।ଜୟ ଜୟକାର ପ୍ରକମ୍ପିତ ହେଲା ଗଗନେ ପବନେ ନାମଦେବଙ୍କ ଭକ୍ତି ପରାକାଷ୍ଠାର ।ଜୟ ଜୟକାର ରେ କମ୍ପିଲା ଧରଣୀ ଭକ୍ତସଦୟେ ପ୍ରକଟିତ ମହାଦେବଙ୍କ ନାମରେ ।

ଏତେ ସୁନ୍ଦର କଥା ସବୁ ଶୁଣି ଶୁଣି ଆପେ ମନରେ ଭକ୍ତି ଜାଗ୍ରତ ହେଉଥିଲା ।ଆମେ ସମସ୍ତେ ପୁଣି ଖୋଜାଲୋଡା ହେଇ ବୀନିତପଣରେ ନତମସ୍ତକେଇ ହାତଧରାଧରି ହେଇ ଚପଲ
ମଡେଇ ବାହାରିଲୁ ମନ୍ଦିର ବିରାଟ ତୋରଣ ଦୁଆର ଦେଇ ବାହାରକୁ ।

ଆମ ରଙ୍ଗିଲା କୋଉଠି ଥିଲା, ଆମକୁ ଦେଖି ଦଉଡି ଆସିଲା ।ଅଭ୍ଯାସ ବଶତଃ ଝାଡିପୋଛି ଦେଲା ସିଟ୍ ସବୁ ଆମ ଗାଡିର ।ତାକୁ ଦେଖି ମୁଁ ପୁଣି ଖୁସି ହେଇଗଲି ।ଆହାଃ!  ନୀରିହ ପିଲାଟି ।କେତେ ଆମ ପରି ଦଳଦଳ ଅଜଣା ଲୋକଙ୍କୁ ନିତି ଆପଣାପଣର ମହୁଶିଶିରେ ଗୋଳୋଉଛି ।ଆଣୁଛି, ବୁଲଉଛି, ଦେଖଉଛି ଆଉ ଏହି ସବୁ ଗପ ପରଶୁଛି ନିତି ନିତି ।ନୁହେଁ  !

ପୁଣି ଆମ ଗାଡି ଚାଲିଲା ସେଇ ଅନନ୍ତ ପଥରେ ଯୋଉଠୁ ଦିଶୁଥିଲା ଗୋଟେ ବିନ୍ଦୁ ଆକାଶ ର ନୀଳିମା, ମାଟିର ସବୁଜମିଶା ମାଟିଆ ଆଉ ରାସ୍ତା ର ଧୂସର ପିଚୁରଙ୍ଗର ମିଳିତ ଏକ ଅଭେଦ୍ଯ ଲକ୍ଷ୍ୟ ବିନ୍ଦୁ ।

ପବନ ଚକ ଦିଶୁଥାଏ ଦୂରଦୂରରୁ ।ଡେଙ୍ଗା ଭୁତ ଭଳିଆ ତିନିଟା ହାତ ତିନିପଟକୁ ମେଲେଇ ଠିଆହେଇଥାନ୍ତି ଧଳା ଧଳା ରଙ୍ଗର ପବନ ଚକ ସବୁ ।ରଙ୍ଗିଲା ସେଇପଟକୁ ହାତଠାରି କହୁଥାଏ କେତେ କଣ କଥା ।କେତେ ବିଜୁଳି ମିଳୁଛି, କଣ କଣ ଉଦ୍ଯୋଗ ସବୁ ସେଥିରୁ ଚାଲୁଛି, ଘର,ଗାଁ ସବୁ ଉଜ୍ବଳ ହେଉଛି ।ଆହୁରି କଣ କଣ ।ମୁଁ କିନ୍ତୁ ଭାବୁଥିଲି ଈଶ୍ବର ସତରେ କେତେ ଦୟାଳୁ ।ପାଣି, ପବନ, ବିଜୁଳି ,ମାଟି, ଅମ୍ଳଜାନ, ଫୁଲ,ଫଳ, ଜୀବନ ସବୁ ତ ଦେଇଛନ୍ତି ।ଅପରିଯ୍ଯାପ୍ତ ଓଜାଡି ଦେଇଛନ୍ତି ।ସବୁ ପୁଣି ବିନା ଶୁଳ୍କ, ବିନା ଦେୟରେ ।ଆମର ସେଇ ତୁଳନାରେ ନମ୍ରତା କାଇଁ? ଆମର କୃତଜ୍ଞ ମନ ଟି କାଇଁ? କାହିଁକି ଆମେ ଏତେ ସବୁ ଅଯାତିତ ଭାବେ ପାଇ ବି ଧନ୍ଦି ହେଉଛି? କାହିଁ ସନ୍ତୁଳି ହେଉଛେ, ଛାଟିପିଟି ହେଉଛେ ” ନାହିଁ ନାହିଁ ” ର ସାପ ଚୋଟରେ  ଅନୁକ୍ଷଣ ? ନମ୍ର ହେବା କଣ ଏତେ କଷ୍ଟ ?

ସମୁଦ୍ରି ପବନ ର ମହକ ଅଲଗା।ସାଗରକୂଳିଆ ଝିଅ ଭାବରେ ମୋ ଅନ୍ତଚେତନା ତାକୁ ଚିହ୍ନେ ।ସେଇ ପବନ ମତେ ଥରେ ଛୁଇଁଲା ।କହିଲା ରାଶି ରାଶି ନୀଳ ଢେଉର ସମ୍ମୋହନ ଏଇ ତୋ ହାତ ପାହାନ୍ତାରେ ।ଦେଖ ଏ ଦିଗରେ ।

ମୁଁ ଫେରିଲି ବର୍ତ୍ତମାନ କୁ ଆଉ ପଚାରିଲି  ,”ସମୁଦ୍ର  ପାଖ ହେଇଗଲାଣି କି ରଙ୍ଗିଲା ? ” ସିଏ ମୋଡଣି ଗୋଟିଏ ବୁଲେଇ ଗାଡିରେ ବ୍ରେକ୍ କଷିଦେଲା ଆଉ ଗଜୁରୁଥିବା ଚିନା ଚିନା ନିଶରେ ସାଉଁଳା ମାରି ଆଖି କୁ ବିସ୍ତୃତି ଦିଗକୁ ଖୋଲିଦେଲା ବିଜୟୀ ଢଙ୍ଗରେ।ମୁଁ ତା ନଜରର ଅନୁଧାବନ କରି ମୋ ଆଖି କୁ ସେଇଦିଗକୁ ଘୁରେଇ ପେଟ ଭିତରୁ ଖୁସି ଟେ ହେଇଗଲି ।” ଦେଖରେ ପିଲେ ସମୁଦ୍ର ।” ଚିଲେଇଲି ଆଉ ଉପରମୁହାଁ ଦୃଷ୍ଟି ଯୋଗୁଁ ଝୁଣ୍ଟି ପଡିଲି ଗୋଡ ପାଖରେ ପଡିଥିବା ଗୋଲିଆ ପଥରଟିଏରେ ।ଗୋଡ ପଡି ଚାପଲ ଖସିଯିବାରୁ ଖସିପଡିଲି ।ବେଶୀ ଆବଶ୍ୟ କାଟିନି, ତଥାପି ଟିକେ ଖଲିଆ ହେଇଗଲା ।

ମୋ ଝିଅ ପୁଅ ଦିହେଁ ଯାକ ନଇଁ ପଡି ମତେ କୁନି ପାପୁଲି ର ଭରା ଦେଇ ଉଠେଇବାର ଚେଷ୍ଟା କଲେ ।ମୁଁ କୃତ୍ଯ କୃତ୍ଯ ହେଇ କହିଲି, ” କିଛି ହେଇନି ରେ ,ଠିକ୍ ଅଛି ବୋଉ ।ଚାଲ ।ଚାଲ ।ଅଜା ଆଉ ଜେଜଙ୍କ ହାତ ଧର ।”

ମୁଁ ଠିଆହେଲି ଆଉ ଆମେ ଚାଲିଲୁ । ସେମାନେ ଜେଜୀ, ଜେଜେ ଆଉ ଅଜାଙ୍କ ହାତ ଧରାଧରି କରି ଚାଲୁଥାନ୍ତି, ଯେମିତି ତାଙ୍କୁ ତିନୋଟି ବଡ ପିଲାଙ୍କର ଦାୟିତ୍ୱ ଦେଇଦିଆଯାଇଛି ଏବଂ ବର୍ତ୍ତମାନ ଏହା ହି ତାଙ୍କର ପରମ କର୍ତ୍ତବ୍ୟ ।ପିଲାଙ୍କ ପାଇଁ ଏସବୁ ମହାର୍ଘ୍ଯ ଭାଗ୍ଯ ।ଏଠୁ ଗଲେ ତ ପୁଣି ଏକା ହେଇଯିବେ ।ସମସ୍ତେ ଓଡିଶା ଫେରିଯିବେ ଆଉ ଆମେ ପୁଣି ସେଇ ଆପାର୍ଟମେଣ୍ଟର ଚତଷ୍କୋଣି ସହରରେ ବନ୍ଦୀ ।

ଚାଲୁ ଚାଲୁ ଦିହିଁଙ୍କ କଥା ମୋ କାନରେ ପଡୁଥାଏ ।
ପୁଅ କହୁଥାଏ, ” ବୋଉକୁ କାଟିଥିବ ନା ଜେଜେ ।ପଡିଗଲା ଯେ କିନ୍ତୁ କାନ୍ଦିଲାନି ତ କାଇଁ ।” ଝିଅ କହିଲା, ” ଆମେ ପଡିଗଲେ ଆମକୁ ସିନା ଜୋର କାଟେ ବୋଲି ଆମେ କାନ୍ଦୁ ।ଅଜା ବଡ ମଣିଷ ମାନଙ୍କୁ କାଟେନି ? ସେମାନେ ତ କାଇଁ କେବେ ଆମ ଭଳିଆ କାନ୍ଦନ୍ତିନି ।ବଡ ହେଇଗଲେ ବଢିଆ ନା ! କିଛି କାଟିବନି ।strong ହେଇଯିବ ନା ।”

ମୁଁ ଭାବୁଥାଏ ବୟସର ଅପରାହ୍ନ  ରେ ଠିଆ ହେଇଥିବା ଏଇ ଦୁଇବାପା କଣ ବା ଉତ୍ତର ଦେବେ ଏହି ନିରୀହ ପ୍ରଶ୍ନ ମାନଙ୍କର ।
ଆମେ ଆଗଉଥିଲୁ ରଙ୍ଗିଲା ପଛେ ପଛେ ରତ୍ନାକର ଦିଗକୁ ।ନିଳାଭ ବିସ୍ତୃତି କୁ ଅଭିବ୍ଯକ୍ତି କରିବାର ଚେଷ୍ଟା ରେ ଟିକି ଟିକି ଢେଉ ।ଜଳରାଶି ଖୁବ୍ ଗଭୀର ବୋଲି ଦର୍ଶାଉଥାଏ ତାର ଗାଢ ଶବୁଜମିଶା ନୀଳ ରଙ୍ଗ । ଛୋଟକାଟିଆ ଚିନାମାଟି ର ବାସନ ଆଉ ଘରସଜା ଜିନିଷ , ଝୋଟ ତିଆରି ହସ୍ତଶିଳ୍ପ, ସୁନ୍ଦର ସୁନ୍ଦର ଏଲିଜାବେଥ୍ ଗୋଲାକାର ଲେସ୍ ଲଗା ଟୋପି ମାଳ, ବେଲୁନ୍ ଆଉ କଣ କଣ ସବୁର ବଜାରଟିଏ ମଝିରେ ଯାଉଥାଉ ଆମେ ।ଝିଅ ଗୋଟିଏ ଗୋଲାପି ଟୋପି କିଣିଲା  ।ଶାଶୁମାଆ ଦିଟି ଚିନାମାଟି କପ୍ ସେଟ୍ ବାଛିଲେ ।

Deck ବା କାଠପଟାରେ ତିଆରି ସମୁଦ୍ରି ସାନ ପୋଲଟି ଉପରୁ ପଥର ପାହାଚ କେତୋଟି ଲମ୍ବିଥାଏ ଯାହା ତଳକୁ ଭଳିକି ଭଳି ଲଞ୍ଚ ( launch ) ସବୁ ।ଛୋଟ cruise ବି କହିହେବ ।ଟିକଟ କରି ଲୋକେ ସେଥିରେ ଓହ୍ଲାଉଥାନ୍ତି ।ଏଇ ଡଙ୍ଗା ଜଳପରିବହନ ହି ଏକମାତ୍ର ବାଟ ସମୁଦ୍ର ମଝିର ଦ୍ବୀପକୁ ଯିବାକୁ, ଯୋଉଠି ଦର୍ଶନ ଦେବେ ” ଭେଟ ଦ୍ବାରକା ଅଧିପତି ” ।ମୁଖ୍ୟ ସହରରୁ (30 km ) ତିରିଶ କିଲୋମିଟର ଦୂରତାରେ ଧଳାବାଲି ର ଏହି ଛୋଟିଆ ଦ୍ବୀପ ।ଏହି ସ୍ଥାନକୁ ପ୍ରଭୁ ନିଜର ମୁଖ୍ୟ ସଦନ ରୂପେ ବ୍ଯବହାର  କରୁଥିଲେ ,ଯେତେବେଳେ କି ସହର ଦ୍ବାରକାରେ ଅଧିବେଶନ, ରାଜକାର୍ଯ୍ଯ, ଦରବାର, ରାଜଧାନୀ ଆଦି ବସୁଥିଲା ।ଏଠାରେ କିନ୍ତୁ ପ୍ରଭୁ ଏକାନ୍ତ ରେ ସହ ନିଜର ସୁନ୍ଦର ଜୀବନ କୁ ଉପଭୋଗ କରୁଥିଲେ, ଜଳବିହାର କରୁଥିଲେ,ସୁଦାମା ର ଚିରା ବୁଜୁଳିରୁ ଛଡେଇକି ଖୁଦିଚାଉଳ ଭଜା ମୁଠା ମୁଠା କରି ଦୁଇମୁଠା ଖାଇଦେଇଥିଲେ ଆଉ ତାଙ୍କୁ ଧରତ୍ରୀ ର ସବୁଠାରୁ ଧନ୍ଯଜୀବରେ ପରିଣତ କରେଇଥିଲେ,  ସାଗରରେ ସୂର୍ଯ୍ଯୋଦୟ ଦେଖୁଥିଲେ, ପକ୍ଷୀ ମାନଙ୍କୁ ନିଜ ହାତରେ ଦାନା ଖୁଏଇ ଧନ୍ଯ କରୁଥିଲେ ନିଜେ ତୃପ୍ତ ହେଉଥିଲେ ।

ଏହି ସ୍ଥାନର ନାମ କରଣ ଗୁଜୁରାଟୀ ଶବ୍ଦ “ବେଟ୍ ବା ବେୟତ୍ “ଯାହାର ଅର୍ଥ ” ଚାରିଦିଗରୁ ଜଳଘେରା ଜମି ” ରୁ  କାଳକ୍ରମେ ଶବ୍ଦ କ୍ଷୟଶୁଂ ହୋଇ ” ଭେଟ୍ ଦ୍ବାରକା” ଯାହାର ଅର୍ଥ ” ମିଳନ ବା ଭେଟ ର ଭୂମି ”   ହୋଇଯାଉଛି ବୋଲି ବିଶ୍ୱାସ କରାଯାଏ ।

ଅନ୍ୟ ଏକ ମତରେ ଏହି ସ୍ଥାନ ଶ୍ରୀବିଷ୍ଣୁ ଙ୍କର ପ୍ରିୟ ଆୟୁଧ ପଞ୍ଚଜନ୍ଯ ଶଙ୍ଖ ଆକୃତିର ହୋଇଥିବାରୁ ଏହାର ଅନ୍ଯ ନାମ ” ଶଂଖୋଧର ” ମଧ୍ୟ ଅଟେ ।


କ୍ରମଶଃ