ଶ୍ରୀମନ୍ଦିର “ରେକର୍ଡ ଅଫ୍ ରାଇଟସ” ରେବାହୁଡାଯାତ୍ରା

ଶ୍ରୀଶ୍ରୀ ଜଗନ୍ନାଥଙ୍କ ମନ୍ଦିରରେ ଯାହା ଯାହା ନୀତିକାନ୍ତି ଅନୁସୃତ ହୋଇଥାଏ ତାହାର ପ୍ରାମାଣିକ ତଥା ବିଧିବଦ୍ଧ ନଥି ତଥା ରେକର୍ଡ ଅଫ୍ ରାଇଟସ୍ ର ଏକ ସଫ୍ଟ କପି ସୃଜନିକା ସୌଜନ୍ୟ ରୁ ପ୍ରସ୍ତୁତ ହୋଇ odiabibhab.in ରେ ରହିଅଛି । ଏଇ ରେକର୍ଡ ଅଫ୍ ରାଇଟ୍ ର ପ୍ରଥମ ଖଣ୍ଡର ପ୍ରଥମପୃଷ୍ଠାରେ “ଓଡିଶା ଗେଜେଟ୍” ତଥା ଆଇନ ବିଭାଗ ର ପ୍ରସ୍ତୁତ ରାଜପତ୍ରର ଏକ ପ୍ରତିଛବି ରହିଛି । ସେଥିରେ କୁହାଯାଇଛି ଯେ “ପୁରୀ ଶ୍ରୀଜଗନ୍ନାଥ ଟେମ୍ପଲ (ଆଡମିନିଷ୍ଟ୍ରେଟିଭ୍) ଆକ୍ଟ ୧୯୫୨(ଓଡିଶା ଆକ୍ଟ XIV “ଅନୁସାରେ ଏହି ରେକର୍ଡ ଅଫ୍ ରାଇଟ୍ କୁ ପ୍ରସ୍ତୁତ କରାଯାଇଛି। ଏବଂ ଏଥିରେ ସୂଚନା ଦିଆଯାଇଛି ଯେ ଏହି ପୁସ୍ତକ ପ୍ରକାଶିତ ହେବାର ଏକ ମାସ ଭିତରେ ଯଦି କାହାର କୌଣସି ଆପତ୍ତି ରହିଥାଏ ତେବେ ସେକଥାକୁ ସେ ପୁରୀର ମାନ୍ୟବର ଡିଷ୍ଟ୍ରିକ୍ଟ ଜଜ୍ ଙ୍କ ନିକଟରେ ଦାଖଲ କରି ପାରିବ । ଓଡିଶା ସରକାରଙ୍କର ଏହି ରାଜପତ୍ରର ପ୍ରକାଶ ତାରିଖ ହେଉଛି ୫ ଅଗଷ୍ଟ ୧୯୫୪। ତେଣୁ ଉପସ୍ଥିତ ଲେଖକ ଶ୍ରୀମନ୍ଦିରର ଏଇ ଯେଉଁ ରେକର୍ଡ ଅଫ୍ ରାଇଟ୍ ର ଏଠାରେ ଉଲ୍ଲେଖ କରିଅଛି ତାହାର ପରବର୍ତ୍ତି ପର୍ଯ୍ୟାୟରେ ଆଉ କୌଣସି ସଂଶୋଧିତ ” ରେକର୍ଡ ଅଫ୍ ରାଇଟସ୍ ” ପୁସ୍ତକ ରହିଥିବା ହୁଏତ ସଂଭବପର ହୋଇଥାଇ ପାରେ ମାତ୍ର ଉପସ୍ଥିତ ଲେଖକର ସେ ବିଷୟରେ କୌଣସି ଧାରଣା ନାହିଁ । ତେଣୁ ଶ୍ରୀଶ୍ରୀ ଜଗନ୍ନାଥଙ୍କ ନୀତିକାନ୍ତିରେ ଯଦି କୌଣସି ପରିବର୍ତ୍ତନ ଆଉ କୌଣସି ସଂଶୋଧିତ ରେକର୍ଡ ଅଫ୍ ରାଇଟ୍ ପୁସ୍ତକ ରେ ଆଉ ଯଦି କିଛି ବିଶେଷ କଥା ରହିଥାଏ ତେବେ ସେକଥାକୁ କେହି ଉଦାର ହୃଦୟରେ ଆମମାନଙ୍କୁ ଅବଗତ କରାନ୍ତି ତେବେ ଆମେମାନେ ଉପକୃତ ହେବୁ।

ଶ୍ରୀଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ଙ୍କୁ ନେଇ ସବୁ ଓଡିଆଙ୍କର ପ୍ରବଳ ଆଗ୍ରହ । ଏହି ସମୟରେ ଶ୍ରୀଜୀଉମାନଙ୍କର ନୀତିକାନ୍ତି ର ବସ୍ତୁସ୍ଥିତିକୁ ପ୍ରାମାଣିକ ଭାବରେ ଆମର ଜାଣିବା ଉଚିତ ।

ଆଜି ଶ୍ରୀଶ୍ରୀ ଜଗନ୍ନାଥଙ୍କ ବାହୁଡା ଯାତ୍ରା। ଆଜି ଶ୍ରୀଜୀଉ ପ୍ରତ୍ୟାବର୍ତ୍ତନ କରୁଛନ୍ତି ଶ୍ରୀମନ୍ଦିରକୁ।ନିଜସ୍ଥାନକୁ ଫେରିବା ସବୁବେଳେ ସୁଖଦ ଅନୁଭବ। ତେଣୁ ପ୍ରଭୂ ଯେତେବେଳେ ଆଜି ସର୍ବସମ୍ମକ୍ଷରେ ଅତ୍ୟନ୍ତ ହୃଷ୍ଟ ଚିତ୍ତରେ ବିରାଜମାନ ସେତିକିବେଳେ ସେ ନିଶ୍ଚୟ ଆମମାନଙ୍କ ପ୍ରତି ପ୍ରସନ୍ନ ରହିବା ସ୍ଵାଭାବିକ। ସେଇ ଦେବଦୁର୍ଲଭ ସ୍ଵାଭାବିକତା ଯେମିତି ଅମଳିନ ରହେ ତାହା ନିମନ୍ତେ ଏକାନ୍ତ ପ୍ରାର୍ଥନା କରୁଅଛି।

ଶ୍ରୀଶ୍ରୀଜଗନ୍ନାଥଙ୍କ ଏହି “ରେକର୍ଡ ଅଫ୍ ରାଇଟ୍” ଅନୁସାରେ ବାହୁଡା ଯାତ୍ରାରେ ଅସଲରେ କେଉଁ କେଉଁ ନୀତିକାନ୍ତି ହୋଇଥାଏ ତାହା ସେହି ବହିରୁ ଅବିକଳ ଆମମାନଙ୍କର ଜାଣିବା ପାଇଁ ଉଦ୍ଧୃତ କରାଯାଉଛି।

ବାହୁଡା ଯାତ୍ରା


କାହାଳିଆ କାହାଳି ବଜାଏ। ବାହୁଡା ଯାତ୍ରା ସକାଶେ ରଥ ଟଣା ଆରମ୍ଭ ହୁଏ।ଡାହୁକ ଗୀତ ଗାଏ।ବଡ ଠାକୁରଙ୍କ ରଥ ବଡଶଙ୍ଖ ଯାଏ ଆସିଲାପରେ ଦେବୀ ସୁଭ୍ରଦାଙ୍କ ରଥ ଟଣା ହୋଇ ଆସେ।ଶେଷରେ ଶ୍ରୀଜଗନ୍ନାଥଙ୍କ ରଥ ଟଣା ହୁଏ।ରଥରେ ଠାକୁରମାନେ ବିଜେ ହୋଇ ଆସିବା ବେଳେ ବାଟରେ ପନ୍ତି ଭୋଗ ହୁଏ।ବଡଠାକୁରଙ୍କର ଓ ଶ୍ରୀସୁଭଦ୍ରାଙ୍କର ରଥ ଟଣାହୋଇ ସିଂହଦ୍ୱାର ନିକଟକୁ ଆସେ। ଶ୍ରୀଜଗନ୍ନାଥଙ୍କର ରଥ ବାଟରେ ମାଉସୀମା ମନ୍ଦିର ପାଖରେ ରହେ। ମାଉସୀମା ଦେଉଳ ର ସେବକ ଛେନା ପୋଡପିଠା କରି ରଖିଥାଏ।ତାହା ଶ୍ରୀଜଗନ୍ନାଥଙ୍କୁ ଭୋଗ ହୁଏ। ସେଠାରୁ ଶ୍ରୀଜଗନ୍ନାଥଙ୍କର ରଥ ଆସି ରାଜାଙ୍କ ନଅର ପାଖରେ ରହେ।ଏହି ସମୟରେ ଲକ୍ଷ୍ମୀ ଭଣ୍ଡାର ଘରୁ ପାଟ ପିନ୍ଧି ମାଳ ଫୁଲ ବେଶ ହୋଇ ମହାଜନଙ୍କ ହାତରେ ବିଜେ ହୋଇ ସାତପାହାଚ ଦୁଆରରେ ଥିବା ପାଲିଙ୍କିରେ ବିଜେ କରନ୍ତି।ବିମାନବଡୁ ମାନେ ବିମାନ ନେଇ ଚାହାଁଣୀ ମଣ୍ଡପରେ ଠିଆ କରାନ୍ତି। ସେଠାରେ ଲକ୍ଷ୍ମୀ ଜଗନ୍ନାଥଙ୍କ ରଥକୁ ଚାହାଁନ୍ତି।ଏହାପରେ ବିମାନବଡୁ ମାନେ ବିମାନ ନେଇ ଘଣ୍ଟ,ଛତା,ଓ କାହାଳିଆ ସହ ଶ୍ରୀଜଗନ୍ନାଥଙ୍କ ରଥ ପାଖକୁ ନିଅନ୍ତି। ସେଠାରେ ପରବ ଯାତ୍ରା ଯୋଗାଣିଆ ଦେଇଥିବା ଦହି ପଟି ମଣୋହି ହୁଏ। ଏହି ସମୟରେ ରାଜା ବିଜେ ହୋଇଥିବେ।ମଣୋହୀ ପରେ ବିମାନବଡୁ ମାନେ ବିମାନ କାନ୍ଧେଇ ଶ୍ରୀଜଗନ୍ନାଥଙ୍କ ରଥ ଚାରିପାଖରେ ବେଢାଏ ବୁଲାଇବେ। ଦଇତାପତି ମାନେ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଦେଲାପରେ ଲକ୍ଷ୍ମୀ ମନ୍ଦିରକୁ ବିଜେ କରନ୍ତି। ଶ୍ରୀ ଜଗନ୍ନାଥଙ୍କ ରଥ ସିଂହଦ୍ୱାରକୁ ଆସେ। ଠାକୁରମାନେ ସେଇଦିନ ରଥରେ ସିଂହଦ୍ୱାର ପାଖରେ ରହନ୍ତି। ଶୁଖିଲା ଭୋଗ ମଧ୍ୟାହ୍ନ ଧୂପଠାରୁ ଆରମ୍ଭ ହୋଇ ଅବଶିଷ୍ଟ ଦୈନନ୍ଦିନ ନୀତି ହୋଇ ରଥରେ ପହୁଡ ହୁଅନ୍ତି।ଧୂପମାନଙ୍କରେ କେବଳ ଶୁଖିଲା ଭୋଗ ହୁଏ। ତହିଁ ପରଦିନ ମଧ୍ୟ ଠାକୁରମାନେ ରଥରେ ଥାଇ ଏକାଦଶୀ ନୀତି,ସୁନାବେଶ ଓ ଅଧରପଣା ଭୋଗ ହୁଏ।ଦ୍ୱାଦଶୀ ଦିନ ରଥରୁ ସିଂହାସନକୁ ବିଜେ କରନ୍ତି।

ଅଧରପଣା ଭୋଗ

ନିମ୍ନଲିଖିତ ସେବକ ମାନଙ୍କ ଦ୍ୱାରା ଏହି ନୀତିକାର୍ଯ୍ୟ ସଂପନ୍ନ ହୁଏ।
(୧)ରାଘବଦାସ ମଠ(୨)ଓଡିଆ ମଠ (୩)ଭିତରଛମହାପାତ୍ର (୪)ତଳିଛମହାପାତ୍ର (୫)ପୂଜା ପଣ୍ଡା।

ଏକାଦଶୀ ଦିନ ରଥ ଉପରେ ଅଧରପଣା ମଧ୍ୟାହ୍ନ ଧୂପ ପରେ ଲାଗି ହୁଏ। ଏହା ଦଶମୀ ଦିନ ରଥ ସିଂହ ଦ୍ୱାରସ୍ଥ ହେଲେ ବଢିବା କଥା,କିନ୍ତୁ ସମୟ ଅଭାବରୁ ଏକାଦଶୀ ଦିନ ଅନୁଷ୍ଠିତ ହେଉଅଛି। ରାଜୀବ ଦାସ ମଠ ,ଓଡିଆ ମଠ,ସଚ୍ଚି,ଛେନା,କଦଳୀ ଇତ୍ୟାଦି ଦରକାରୀ ସାମଗ୍ରୀ ଯୋଗାନ୍ତି। ପାଳିଆ ମହାସୁଆର ମାନେ ଥାଇ ଭିତରଛ ଓ ତଳିଛ ଓ ମଝିଆବାଡରେ ପାଳିଆ ପଶୁପାଳକ ଅଧର ଆଗରେ ଖଣ୍ଡେ ଖଣ୍ଡେ ନୂଆ ଗାମୁଛା ଟେରା ବାନ୍ଧନ୍ଥି। ମହାପ୍ରଭୂଙ୍କ ଶ୍ରୀଅଧରକୁ ପାଇବା ଭଳିଆ ଦିଶୁଥିବା ତୁମ୍ଭ ଭଳିଆ ମାଟିର ତିନୋଟି ହାଣ୍ଡିରେ ପଣା ଢାଳନ୍ତି ଓ ପୂଜା ପଣ୍ଡା ପଞ୍ଚୋପଚାରରେ ପୂଜା କରନ୍ତି। ଏହି ହାଣ୍ଡି ସବୁ ଭଙ୍ଗାଯାଏ।ଏହାକୁ ଅଧରପଣା କହନ୍ତି। ଦ୍ୱାଦଶୀ ଦିନ ପହଣ୍ଡି ପୂର୍ବରୁ ଠିକ୍ ଏଇ ରୀତିରେ ଅଧରପଣା ଭୋଗ ହୁଏ। ଏହାର ସମସ୍ତ ସାମଗ୍ରୀ ରାଜା ସୁପରିନଟେଣ୍ଡେଣ୍ଟ ଯୋଗାନ୍ତି।

ଦ୍ୱାଦଶୀ-ନିଳାଦ୍ରୀ ବିଜେ

ଏହି ନୀତି ଆଷାଢ ଶୁକ୍ଳ ଦ୍ୱାଦଶୀ ଦିନ ହୁଏ।

ନିମ୍ନଲିଖିତ ସେବକ ମାନଙ୍କ ଦ୍ୱାରା ଏହି ନୀତି ସଂପନ୍ନ ହୁଏ।
(୧)ରାଘବଦାସ ମଠ (୨)ପତ୍ରି (୩)ମହାଜନେ (୪)ଦେବଦାସୀ (୫)ଖଟଶେଜ ମେକାପ (୬)ଭିତରଛୁ ମହାପାତ୍ର (୭)ଦଇତାପତି (୮)ପୂଜାପଣ୍ଡା।

ଏହି ଦିନ ଠାକୁରମାନଙ୍କର ଗୋଟି ପହଣ୍ଡି ହୁଏ।ସଂଧ୍ୟା ଧୂପ ସରିବା ପରେ ବିଜେ କାହାଳୀ ବାଜି ପହଣ୍ଡି ଆରମ୍ଭ ହୁଏ।ଗୁଣ୍ଡିଚା ଘରକୁ ପହଣ୍ଡି ହେଲା ବେଳେ ଯେଉଁ ସବୁ ନୀତିରେ ପହଣ୍ଡି ହୋଇଥାଏ ,ସେଇ ନୀତିରେ ପହଣ୍ଡି ହୁଏ। ରାଘବଦାସ ମଠ ଟାୟା ଯୋଗାନ୍ତି। ପହଣ୍ଡି ପୂର୍ବରୁ ରତ୍ନ ସିଂହାସନ ତ୍ରିମୁଣ୍ଡିରେ ଚାନ୍ଦୁଆ ବନ୍ଧା ହୁଏ।ଅଖଣ୍ଡ ବଇଠା ବସା ହୁଏ।ବଡ ଠାକୁର ଆଉ ସୁଭଦ୍ରା ପହଣ୍ଡି ହୋଇ ସିଂହାସନକୁ ଆସନ୍ତି। ଆସିଲା ବେଳେ ପ୍ରତ୍ୟକ ଠାକୁରଙ୍କୁ ଶୁଆ-ଶାରୀ ଦେଉଳ ଠାରେ ପତି ମହାପାତ୍ରେ ପ୍ରସାଦ ଲାଗି ଘସା ବିଡିଆ ମଣୋହି ଓ ବନ୍ଦାପନା କରନ୍ତି ।ଜଗମୋହନ ଠାରେ ମଧ୍ୟ ସେଇ ନୀତି ହୁଏ।ଶ୍ରୀଜଗନ୍ନାଥ ରଥରୁ ଚାର ଉପରକୁ ଓହ୍ଲାଇଲେ ଲକ୍ଷ୍ମୀ ଠାକୁରାଣୀ ମହାଜନ ହାତରେ ବିଜେ ହୋଇ ଦେବଦାସୀ ସହ ଭେଟ ମଣ୍ଡପ ଠାରେ ଖଟ ଶେଜ ମେକାପ ପକାଇ ଥିବା ଡମ୍ବରୁ ଉପରେ ବିଜେ କରିଥାଆନ୍ତି। ରଥରେ ଠାକୁରଙ୍କ ବନ୍ଦାପନା ହେଲେ ଭିତରଛ ମହାପାତ୍ରେ ଏହାଙ୍କର ବନ୍ଦାପନା କରନ୍ତି। ଲକ୍ଷ୍ମୀ ଭଣ୍ଡାର ଘରକୁ ବିଜେ କରନ୍ତି। ଏହାପରେ ଦେବଦାସୀ ଯାଇ ଶ୍ରୀଜଗନ୍ନାଥଙ୍କ ସିଂହଦ୍ୱାରକୁ ଆସିବା ପୂର୍ବରୁ ଦରଜା ବନ୍ଦ କରିଥାନ୍ତି।ମହାପ୍ରଭୁ ସିଂହଦ୍ୱାରକୁ ଆସିଲେ ତାହା ଫିଟାଇ ଦିଅନ୍ତି।ତାପରେ ଠାକୁର ଭିତରକୁ ବିଜେ କରନ୍ତି ଓ ଜୟ ବିଜୟ ଦ୍ୱାରଠାରେ ଦ୍ୱାର ବନ୍ଦ ଥାଏ।ଦଇତା ମାନଙ୍କ ମଧ୍ୟରେ ଓ ଦେବଦାସୀମାନଙ୍କ ମଧ୍ୟରେ ବଚନିକା ଆରମ୍ଭ ହୁଏ ଓ ଦେବଦାସୀମାନେ ଦଇତାଙ୍କୁ ଲଣ୍ଡ ଭଣ୍ଡ କରନ୍ତି।ତାପରେ ଦ୍ୱାର ଫିଟି ଠାକୁର ଭଣ୍ଡାରକୂ ମୁହଁ କରି ଭଣ୍ଡାର ଦ୍ୱାର ଠାରେ ବିଜେ କରିଥିବା ଲକ୍ଷ୍ମୀଙ୍କ ପାଶରେ ବିଜେ ହେଲେ ରୁକ୍ମିଣୀ ବିବାହର ଗଇଁଠାଳ ଭିତରଛୁ ମହାପାତ୍ର ଫିଟାନ୍ତି। ବନ୍ଦାପନା ଓ ଭୋଗ ହୁଏ। ଘସା ବିଡିଆ ମଣୋହୀ ପରେ ଠାକୁର ସିଂହାସନ କୁ ବିଜେ କରନ୍ତି।ଏହାପରେ ଦୈନନ୍ଦିନ ନୀତି ଆରମ୍ଭ ହୁଏ।

xxxx

ଶ୍ରୀଜଗନ୍ନାଥଙ୍କ ନୀତିକାନ୍ତି ସଂପର୍କିତ ପ୍ରାମାଣିକ ଗ୍ରନ୍ଥ ଅର୍ଥାତ୍ ରେକର୍ଡ ଅଫ୍ ରାଇଟ୍ ରୁ ଏଇଠି ଆମେ ଶ୍ରୀଶ୍ରୀଜଗନ୍ନାଥଙ୍କର ବାହୁଡା ଯାତ୍ରା ଏବଂ ତାହା ପରବର୍ତ୍ତି ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଯେଉଁ ଯେଉଁ କାର୍ଯ୍ୟକ୍ରମ ହୋଇଥାଏ ତାହାର ବିବରଣୀକୁ ପାଠ କଲେ ଆମ ମନକୁ କେତେଗୁଡିଏ ପ୍ରଶ୍ନ ଆସେ ।

ଉପସ୍ଥିତ ଲେଖକ ଏଇଠି ସ୍ପଷ୍ଟ କରିଦେବାକୁ ଚାହୁଁଛି ଯେ ସେ ଶ୍ରୀଜୀଉଙ୍କର ନୀତିକାନ୍ତି ସଂପର୍କରେ ଏଠାରେ ଉଲ୍ଲେଖ କରାଯାଇଥିବା ଶ୍ରୀମନ୍ଦିର ର ଏହି ନିର୍ଦ୍ଦିଷ୍ଟ ସଂସ୍କରଣର “ରେକର୍ଡ ଅଫ୍ ରାଇଟ୍” ପୁସ୍ତକକୁ ଅନୁସରଣ କରିଛି । ଆମ ମାନଙ୍କ ଆଗରେ ଯାହା କୁହାଯାଏ ଆଉ ଏଇଠି ଯାହା ଲେଖା ହୋଇ ରହିଛି ସେଇ ଦୁଇଟି ଭିତରେ ଉପସ୍ଥିତ ଲେଖକ ସାମ୍ନାରେ କିଛି ଦ୍ୱନ୍ଦ୍ୱ ଉପସ୍ଥିତ ହେଲା । ଆଉ ସେ ତାହାର ନିରାକରଣ ନିମନ୍ତେ ଏହାକୁ ଆପଣମାନଙ୍କ ସାମ୍ନାରେ ଉପସ୍ଥାପନ କରୁଛି ।

ତିନି ଠାକୁର ରଥରେ ବସି ବାହୁଡିଆସିବା ସମୟରେ ବାଟରେ ସେମାନଙ୍କୁ “ପନ୍ତି ଭୋଗ” ଲାଗି ହେବାର କଥା ଏହି ରେକର୍ଡ ଅଫ୍ ରାଇଟ୍ ରେ ରହିଛି । ମାତ୍ର ମାଉସୀମା ପ୍ରସ୍ତୁତ ପୋଡପିଠା ଏହି ବିବରଣୀ ଅନୁସାରେ କେବଳ ଶ୍ରୀଶ୍ରୀ ଜଗନ୍ନାଥ ଙ୍କୁ ଅର୍ପଣ କରାଯାଏ ବୋଲି ଲେଖାଯାଇଛି । ବଡଠାକୁର ଆଉ ମାଆ ସୁଭଦ୍ରାଙ୍କ ରଥ ସେତେବେଳକୁ ଅନେକ ଦୂରକୁ ଆଗେଇ ଯାଇଥାଏ ଆଉ କେବଳ ଶ୍ରୀ ଜଗନ୍ନାଥଙ୍କ ରଥ ମାଉସୀମା ମନ୍ଦିର ପାଖରେ ଅଟକି ରହେ ଆଉ ମାଉସୀମା ଦେଉଳର ସେବକ ପ୍ରସ୍ତୁତ କରି ରଖିଥିବା ପୋଡପିଠା ଶ୍ରୀ ଜଗନ୍ନାଥଙ୍କୁ ଅର୍ପଣ କରିଥାଏ । ଯେହେତୁ ଏହି ରେକର୍ଡ ଅଫ୍ ରାଇଟସ୍ ରେ ମାଉସୀମା ପ୍ରସ୍ତୁତ ପୋଡପିଠା ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରାଯାଏ ବୋଲି ସ୍ୱତନ୍ତ୍ର ଭାବରେ ଉଲ୍ଲେଖ ରହିଛି ତାହାହେଲେ କ’ଣ ମାଉସୀ ମା ପ୍ରସ୍ତୁତ ପୋଡପିଠା କେବଳ ସ୍ୱତନ୍ତ୍ର ଭାବରେ ଶ୍ରୀଜଗନ୍ନାଥ ଙ୍କ ପାଇଁ ପ୍ରସ୍ତୁତ ହୋଇଥାଏ ? ତିନି ଠାକୁର ଏକାଠି ବାହାରକୁ ଆସିଛନ୍ତି ,ଏକାଠି ଫେରୁଛନ୍ତି ତେଣୁ ଏଇ ତିନିଜଣଙ୍କର ଭୋଗରାଗ ସମାନ ହେବା ଆବଶ୍ୟକ । ଭୋଗରାଗରେ ଏଇ ବିଭେଦ ଟି କାହିଁକି ? ରେକର୍ଡ ଅଫ୍ ରାଇଟସ୍ ଅନୁସାରେ ଆର ଦୁଇ ଦିଅଁ ଙ୍କ ରଥ ସେତେବେଳକୁ ସିଂହଦ୍ୱାର ନିକଟରେ ପହଞ୍ଚିଯାଇଥାଏ । ତେଣୁ ଶ୍ରୀଜଗନ୍ନାଥଙ୍କ ରଥକୁ ମାଉସୀମା ମନ୍ଦିର ପାଖରେ ଅଟକାଇ ରଖି ଏଇ ପୋଡପିଠା କୁ ଅର୍ପଣ କରାଯାଏ ବୋଲି ଏଇ ବହିରୁ ଅନୁମାନ କରାଯାଇପାରିବ । ତେଣୁ ହୁଏତ ଆମେ ମାଉସୀମା ଙ୍କ ପ୍ରସ୍ତୁତ ପୋଡପିଠା ଅନ୍ୟାନ୍ୟ “ପନ୍ତି ଭୋଗ” ( ଉପସ୍ଥିତ ଲେଖକର ବିଶ୍ୱାସ ଯେ ପନ୍ଥା ରେ ଅର୍ଥାତ୍ ବାଟରେ ପ୍ରଦାନ କରାଯାଉଥିବା ଭୋଗକୁ ପନ୍ଥାଭୋଗ ଆଉ ସେଇଠୁ ପନ୍ତିଭୋଗ କଥାଟି ଆସିଛି । ହୁଏତ ଏଇ ଲେଖକର ବିଚାର ଭ୍ରମାତ୍ମକ ହୋଇପାରେ )ଭଳି ସମାନ ଭୋଗ ନୁହଁ । ଶ୍ରୀଶ୍ରୀ ଜଗନ୍ନାଥଙ୍କୁ ଏହା ଯଦି ସ୍ୱତନ୍ତ୍ର ଭାବରେ ଅର୍ପଣ କରାଯାଉଥାଏ ତେବେ ଆମକୁ ଏହା ପଛ ର କାରଣ କୁ ବୁଝିବାକୁ ପଡିବ ।

ରେକର୍ଡ ଅଫ୍ ରାଇଟ୍ ଅନୁସାରେ ମାଉସୀ ମା ମନ୍ଦିରରେ ପ୍ରସ୍ତୁତ ହୋଇ ଶ୍ରୀଜଗନ୍ନାଥଙ୍କୁ ଅର୍ପଣ କରାଯାଉଥିବା ପୋଡପିଠା କୁ ନେଇ ଆଉ ଗୋଟିଏ ପ୍ରଶ୍ନ ମନକୁ ଆସୁଛି । ରେକର୍ଡ ଅଫ୍ ରାଇଟ୍ ରେ “ଦେଉଳର ସେବକ ଛେନା ପୋଡପିଠା ପ୍ରସ୍ତୁତ କରି ରଖିଥାଏ ” ବୋଲି ଲେଖା ହୋଇଛି । ମାଉସୀ ମାଆ ମନ୍ଦିରରେ ପ୍ରସ୍ତୁତ ହେଉଥିବା ଏହି “ଛେନା ପୋଡପିଠା” ର ସଂପ୍ରତି ପ୍ରସ୍ତୁତ ପ୍ରଣାଳୀ କେଉଁଭଳି ତାହାର ବସ୍ତୁସ୍ଥିତି ଉପସ୍ଥିତ ଲେଖକକୁ ଜଣାନାହିଁ । ସଂପ୍ରତି ଏକ ସଂବାଦପତ୍ରରେ ଏକ ବିବରଣୀ ସ୍ଥାନିତ ହୋଇଅଛି,ତଦନୁସାରେ ଶ୍ରୀଜୀଉଙ୍କର ଏଇ ପୋଡପିଠା ସେବା ପ୍ରଦାନକରୁଥିବା ସେବାକାରୀ ଜଣକ କହିଛନ୍ତି” ପୋଡପିଠା ପ୍ରସ୍ତୁତ ପୂର୍ବରୁ ଅଟାରେ ଛେନା,ଚିନି,ପିସ୍ତା ବାଦାମ,ଅଳେଇଚ,ଲବଙ୍ଗ ,ଦେଶି ଘିଅ ଆଦି ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ ହୋଇଥାଏ। ଏହାକୁ ଚକଟାଯାଇ ପୋଡପିଠା ଆକାରରେ ଚୁଲ୍ଲୀରେ ବସାଯାଇ ବାମ୍ଫରେ ସିଝିବାକୁ ଦିଆଯାଇଥାଏ।ପ୍ରାୟ ଆଠଘଣ୍ଟା ବାମ୍ଫରେ ସିଝିବା ପରେ ଏହାକୁ ବାହାର କରି ଥଣ୍ଡା ହେବାକୁ ଛାଡି ଦିଆଯାଇଥାଏ। ଥଣ୍ଡା ହେବା ପରେ ଖଣ୍ଡଖଣ୍ଡ କରି କାଟି ଏହାକୁ ପୁନର୍ବାର ଦେଶି ଘିଅରେ ଛଣାଯାଇଥାଏ। ପରେ ତିନି ଠାକୁରଙ୍କୁ ତିନୋଟି କୁଡୁଆରେ ସମର୍ପଣ କରାଯାଇଥାଏ ।”( ସଂବାଦ,୨ ଜୁଲାଇ ୨୦୨୪ ସଂଖ୍ୟା)।

ସଂବାଦ ପତ୍ରରେ ପ୍ରକାଶିତ ଶ୍ରୀଜୀଉଙ୍କ ଉଦ୍ଦେଶ୍ୟରେ ନିବେଦିତ ମାଉସୀମା ର ପୋଡପିଠା ର ପ୍ରସ୍ତୁତିର ବିବରଣୀକୁ ପଢିଲେ ଆମ ମନରେ ନିଶ୍ଚୟ ଏଇ ପ୍ରଶ୍ନଟି ଉଠିବ ଯେ,ଆଗ “ସିଝା” ଆଉ ପରେ “ଛଣା” ଏଇଭଳି ଦୁଇଟି ପର୍ଯ୍ୟାୟରେ ପ୍ରସ୍ତୁତ ହେଉଥିବା ପିଠାକୁ ଆମେ “ପୋଡ ପିଠା” ବୋଲି କହିବା କେତେଦୂର ସଠିକ ହେବ। ପୃଥିବୀର ଖାଦ୍ୟ ଇତିହାସରେ ଖାଦ୍ୟ ପ୍ରସ୍ତୁତି କାଳକୁ ବିବେଚନା କଲେ ଆମେ ଜାଣିପାରିବା ଯେ ଖାଦ୍ୟକୁ “ପୋଡିବା”,ଖାଦ୍ୟକୁ “ସିଝାଇ” ଖାଇବାଠାରୁ ଯଥେଷ୍ଟ ପୁରାତନ। ତେଣୁ ଶ୍ରୀଜୀଉ ଙ୍କୁ “ପୋଡପିଠା” ଅର୍ପଣ କରାଯାଏ ବୋଲି ଯେଉଁ ବିଧାନ ସଂପର୍କରେ ଆମେ ଅବଗତ ଥାଉ ତାହାକୁ ସମ୍ଭବତଃ ପୋଡିବା ଦ୍ୱାରା ପ୍ରାଥମିକ ଭାବରେ ପ୍ରସ୍ତୁତ କରାଯାଉଥିବ। ପରେ ସେଇ ଆଦ୍ୟରଂଧନ କଳାରେ ଅନେକ କିଛି ସଂଯୋଜନ ଘଟିଅଛି ଆଉ ଏହା କାଳର ବିବର୍ତ୍ତନରେ ସ୍ୱାଭାବିକ ମଧ୍ୟ। ଯେମିତି ସଂବାଦପତ୍ରର ଏ ସଂକ୍ରାନ୍ତ ବିବରଣୀ ଅନୁସାରେ ପୋଡପିଠା ପ୍ରସ୍ତୁତିରେ ଚିନି ଆଉ ପିସ୍ତା ବାଦାମର ବ୍ୟବହାର ନିଃସନ୍ଦେହରେ ଏକ ପରବର୍ତ୍ତି ସଂଯୋଜନ।

ଏଇ ପୋଡପିଠା କଥା ଆଲୋଚନା କରିବା ବେଳକୁ ଆଉ ଗୋଟିଏ କଥା ମନକୁ ଆସୁଛି।

ପୁରୀ ଏମିତିରେ ହେଉଛି ଏକ ନଡିଆବହୁଳ କ୍ଷେତ୍ର ଏବଂ ଆମର ପୋଡପିଠା ତିଆରି ବେଳେ ସର୍ବପ୍ରଥମେ ତାହାକୁ ସୁସ୍ୱାଦୁ କରିବା ପାଇଁ ଯାହା ଲୋଡାହୋଇଥାଏ ତାହା ହେଉଛି ନଡିଆ । ଏହି ଦୁଇଟି କଥାକୁ ବିଚାରକୁ ନେଇ ଦେଖିଲେ ,ମାଉସୀ ମାଆ ମନ୍ଦିର ର ପ୍ରସ୍ତୁତ ପୋଡପିଠାକୁ,ନଡିଆ ବଦଳରେ ଛେନା ରେ ଅଧିକ ବିଭୂଷିତ କରି “ଛେନା ପୋଡ ପିଠା” ବୋଲି କୁହାଗଲା କାହିଁକି ? ଘରେ ହେଉଥିବା ପୋଡପିଠା ର ପ୍ରସ୍ତୁତି ସଂପର୍କରେ ଉପସ୍ଥିତ ଲେଖକ ଜାଣେ ତାହା ଅନୁସାରେ ପିଠଉରେ କଟା ନଡିଆ ମିଶାଇ ତାହାକୁ ଉପର ତଳ ରଡ ନିଆଁ ରେ ବସାଯାଇଥାଏ । ମାତ୍ର କଟା ନଡିଆ ପାତ ଭଳି ଛେନାକୁ ପିଠଉ ସହିତ ମିଶାଇ ଚୁଲ୍ଲିରେ ଆମେ ସାଧାରଣତଃ ବସାଉ ନାହିଁ । ଛେନାକୁ କେବଳ ସେଥିରେ ପୁର ଆକାରରେ ହିଁ ଭର୍ତ୍ତି କରାଯାଇଥାଏ । ମାତ୍ର ତାହା ଆଗରୁ ଛେନାକୁ ଗୁଡ ବା ଚିନି ରେ ଖରଡି ତାହାକୁ ପୁର ଆକାରରେ ପ୍ରସ୍ତୁତ କରାଯାଇଥାଏ । କହିବା କଥା ହେଉଛି ଆମେ ସବୁବେଳେ ଆମର ସବୁଠୁ ପ୍ରିୟ ସୁସ୍ୱାଦୁକର ଖାଦ୍ୟକୁ ଈଶ୍ୱରଙ୍କୁ ଅର୍ପଣ କରିଥାଉ । ଏକ ନଡିଆ ବହୁଳ କ୍ଷେତ୍ରରେ ପୋଡପିଠା ପ୍ରସ୍ତୁତିରେ ଛେନା ର ଏମିତି ଅଧିକ ଆକର୍ଷଣ ସାଧାରଣ ଭାବରେ ମନକୁ ସନ୍ଦେହ ଆଣେ । ଉପସ୍ଥିତ ଲେଖକ ତେଣୁ ଏକ ସମ୍ଭାବନା ର କଥା ଉପସ୍ଥାପନ କରିବାକୁ ଚାହୁଁଛି । ହୁଏତ ବିଧିବଦ୍ଧ ଗବେଷଣା ପରେ ଏହା ତ୍ରୁଟିଯୁକ୍ତ ବୋଲି ପ୍ରମାଣିତ ହୋଇପାରେ ।

ଏଇଠି ଶ୍ରୀମନ୍ଦିରର ରେକର୍ଡସ୍ ଅଫ୍ ରାଇଟ୍ସ ରୁ ଆଉ ଗୋଟିଏ କଥାର ଇଙ୍ଗିତ ମିଳୁଛି । ମାଉସୀ ମାଆ ମନ୍ଦିର ରେ ପ୍ରସ୍ତୁତ ହେଉଥିବା “ଛେନା ପୋଡପିଠା ” ଆମେ ଆଜି ଯାହାକୁ “ଛେନାପୋଡ” ବୋଲି କହୁ ତାହାର ସମ୍ଭବତଃ ଇଏ ହେଉଛି ଏକ ପ୍ରାଥମିକ ରୂପ । ଏହା କେବଳ ଗୋଟିଏ ଯୁକ୍ତି ଉପରେ ଆଧାରିତ ଅନୁମାନ । ଏହି ଅନୁମାନ ଠିକ୍ ହୋଇପାରେ ,ଭୁଲ ବି ହୋଇପାରେ । ପୃଥିବୀର ଖାଦ୍ୟ ଇତିହାସରେ ଛେନାର ଖାଦ୍ୟ ଉପଯୋଗୀତାକୁ ନେଇ ଯାହା ଅଧ୍ୟୟନ କରାଯାଇଛି ସେଥିରେ ଆଦ୍ୟକାଳରେ ଛେନାକୁ ପୋଡି ଖାଇବା ଭଳି ଏକ ପ୍ରସ୍ତୁତିର ଉଲ୍ଲେଖ ରହିଛି ।

ମାଉସୀ ମାଆ ମନ୍ଦିର ପାଖରେ ଶ୍ରୀଜଗନ୍ନାଥଙ୍କ ରଥ ଅଟକିବା ଏବଂ ଛେନା ପୋଡପିଠା ପର୍ବ ସମାପନ ପରେ ଶ୍ରୀଜୀଉ ଙ୍କ ନନ୍ଦୀଘୋଷ ଆସି ଶ୍ରୀନଅର ସମ୍ମୁଖରେ ଅଟକିଯାଏ । ରେକର୍ଡ ଅଫ୍ ରାଇଟ୍ ଅନୁସାରେ ” ଏହି ସମୟରେ ଲକ୍ଷ୍ମୀ ଭଣ୍ଡାର ଘରୁ ପାଟ ପିନ୍ଧି ମାଳ ଫୁଲ ବେଶ ହୋଇ ମହାଜନଙ୍କ ହାତରେ ବିଜେ ହୋଇ ସାତପାହାଚ ଦୁଆରରେ ଥିବା ପାଲିଙ୍କିରେ ବିଜେ କରନ୍ତି।ବିମାନବଡୁ ମାନେ ବିମାନ ନେଇ ଚାହାଁଣୀ ମଣ୍ଡପରେ ଠିଆ କରାନ୍ତି। ସେଠାରେ ଲକ୍ଷ୍ମୀ ଜଗନ୍ନାଥଙ୍କ ରଥକୁ ଚାହାଁନ୍ତି।ଏହାପରେ ବିମାନବଡୁ ମାନେ ବିମାନ ନେଇ ଘଣ୍ଟ,ଛତା,ଓ କାହାଳିଆ ସହ ଶ୍ରୀଜଗନ୍ନାଥଙ୍କ ରଥ ପାଖକୁ ନିଅନ୍ତି। ସେଠାରେ ପରବ ଯାତ୍ରା ଯୋଗାଣିଆ ଦେଇଥିବା ଦହି ପଟି ମଣୋହି ହୁଏ। ଏହି ସମୟରେ ରାଜା ବିଜେ ହୋଇଥିବେ।ମଣୋହୀ ପରେ ବିମାନବଡୁ ମାନେ ବିମାନ କାନ୍ଧେଇ ଶ୍ରୀଜଗନ୍ନାଥଙ୍କ ରଥ ଚାରିପାଖରେ ବେଢାଏ ବୁଲାଇବେ। ଦଇତାପତି ମାନେ ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ଦେଲାପରେ ଲକ୍ଷ୍ମୀ ମନ୍ଦିରକୁ ବିଜେ କରନ୍ତି। ଶ୍ରୀ ଜଗନ୍ନାଥଙ୍କ ରଥ ସିଂହଦ୍ୱାରକୁ ଆସେ ।”

ରେକର୍ଡ ଅଫ୍ ରାଇଟ୍ ର ଏହି ଅଂଶକୁ ପାଠ କଲେ ଜଣାଯାଏ ଯେ ମାଆ ଲକ୍ଷ୍ମୀ ପ୍ରଭୂଙ୍କୁ ଦର୍ଶନ କରିବା ପାଇଁ ଶ୍ରୀନଅର ପାଖରେ ଅଟକି ଥିବା ନନ୍ଦୀଘୋଷ ନିକଟକୁ ବିମାନରେ ଯାଆନ୍ତି ଆଉ ସେଠାରେ “ଦହିପଟି ମଣୋହୀ” ହୁଏ ଏବଂ ତାହାପରେ ମାଆ ଲକ୍ଷ୍ମୀ ନନ୍ଦୀଘୋଷ ଚାରିପଟେ ଘେରାଏ ବୁଲି ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗରୁ ଆଜ୍ଞାମାଳ ନେଇ ଶ୍ରୀମନ୍ଦିରକୁ ଫେରି ଆସିଥାନ୍ତି । କହିବା କଥା ହେଉଛି ଶ୍ରୀଜଗନ୍ନାଥ ଆଉ ମାଆ ଲକ୍ଷ୍ମୀଙ୍କ ମଧ୍ୟରେ ମାନଭଞ୍ଜନ ର ପର୍ବ ସେଇଠି ଶେଷ । ପରେ ରଥରୁ ନିଳାଦ୍ରୀକୁ ବିଜେ କଲାବେଳକୁ ମାଆ ଭେଟ ମଣ୍ଡପ ନିକଟରେ ଆଗରୁ ଶ୍ରୀଜୀଉଙ୍କ ଅପେକ୍ଷାରେ ରହିଥାନ୍ତି । ରେକର୍ଡ ଅଫ୍ ରାଇଟ୍ ଅନୁସାରେ ଶ୍ରୀଜୀଉ ସିଂହଦ୍ୱାର ନିକଟରେ ପହଞ୍ଚିବା ମାତ୍ରକେ ତାହାକୁ ଖୋଲି ଦିଆଯାଏ । ଜୟ ବିଜୟ ଦ୍ୱାର କିନ୍ତୁ ବନ୍ଦ ଥାଏ । ସେଇଠି ଦଇତା ଏବଂ ଦେବଦାସୀ ଙ୍କ ଭିତରେ ବଚନିକା ଆରମ୍ଭ ହୁଏ । ଦେବଦାସୀ ମାନେ ଦଇତା ଙ୍କୁ “ଲଣ୍ଡ ଭଣ୍ଡ” କରନ୍ତି । କହିବା କଥା ହେଉଛି ଏଇ ଯେଉଁ ଅନୁଷ୍ଠାନ ହୁଏ ତାହା ମାଆ ଲକ୍ଷ୍ମୀ ଆଉ ପ୍ରଭୂଙ୍କ ଭିତରେ ବଚନିକା ନୁହଁ । ଏହା ସେବକ ଙ୍କ ଭିତରେ କଥା କଟାକଟି,ଯେଉଁ ସେବକ ମାନେ ମନ୍ଦିରରେ ରହିଗଲେ ଆଉ ଯେଉଁମାନେ ପ୍ରଭୁଙ୍କ ସହ ଯାଇଥିଲେ ସେହି ଉଭୟଙ୍କ ମଧ୍ୟରେ। ଶ୍ରୀନଅର ନିକଟରେ ନନ୍ଦୀଘୋଷ ଅଟକି ରହିଥିବା ସମୟରୁ ତ ପ୍ରଭୂ ଆଉ ମାଆ ଲକ୍ଷ୍ମୀ ଙ୍କ ମଧ୍ୟରେ ମାନଭଞ୍ଜନର ପର୍ବ ଶେଷ ହୋଇଅଛି ,ଆଉ ଦ୍ୱିତୀୟ ଥର କାହିଁକି ?

ରେକର୍ଡ ଅଫ୍ ରାଇଟ୍ ଅନୁସାରେ ଶ୍ରୀଜଗନ୍ନାଥ ଆଉ ମାଆ ଲକ୍ଷ୍ମୀ ଙ୍କ ମଧ୍ୟରେ ଶ୍ରୀନଅର ନିକଟରେ ମାନଭଞ୍ଜନ “ଦହି ପଟି ମଣୋହୀ “
ପରେ ଶେଷ ।

ସେ ଯାହା ହେଉ ଶ୍ରୀଜୀଉ ଏବଂ ମାଆ ଲକ୍ଷ୍ମୀ ଙ୍କ ମଧ୍ୟରେ ବିରହ,ମାନଭଂଜନ,ରସଗୋଲା ଆଦି ପ୍ରସଂଗ ଆମକୁ ବାହୁଡା ବିଜୟ କାଳରେ ପ୍ରଭୂତ ଭାବରେ ଆଚ୍ଛନ୍ନ କରି ରଖିଥାଏ। ଆଗରୁ କହିଛି ଉପସ୍ଥିତ ଲେଖକ ଶ୍ରୀମନ୍ଦିରର ଆଭ୍ୟନ୍ତରୀଣ ନୀତିକାନ୍ତି ସଂପର୍କରେ ବିଶେଷ ଭାବରେ ଅଜ୍ଞ। ତାହାର ମନକୁ ଗୋଟିଏ ସରଳ ପ୍ରଶ୍ନ ଅନେକ ସମୟରେ ଆନ୍ଦୋଳିତ କରେ,ବାହୁଡା ବିଜୟ ପରେ ଜୟ ବିଜୟ ଦ୍ୱାର ନିକଟରେ ମାଆ ଲକ୍ଷ୍ମୀ ଆଉ ଶ୍ରୀଜୀଉଙ୍କର ସେଇ ବହୂବର୍ଣ୍ଣିତ ସାକ୍ଷାତ୍ କ’ଣ ବର୍ଷକର ଏକମାତ୍ର ସାକ୍ଷାତ୍? ଶ୍ରୀମନ୍ଦିରର ପରିସର ଭିତରେ ଏହାର ପରବର୍ତ୍ତି କାଳରେ ଶ୍ରୀଜୀଉ ଆଉ ମାଆ ଲକ୍ଷ୍ମୀ ପରସ୍ପର ସହ ଏକାନ୍ତରେ ମଧୁର ଦାମ୍ପତ୍ୟକୁ ଭେଟିଥାନ୍ତି କେଉଁ ପ୍ରକୋଷ୍ଠରେ ,କେଉଁଠି ସେମାନେ ଏକାଠି ପହୁଡ ଯାଇଥାନ୍ତି ?

ଦେବତାର ମାନବାୟନ କାଳରେ ଏଇଭଳି ପ୍ରଶ୍ନକୁ ମନରୁ ବାରଣ କରିହୁଏ ନାହିଁ।

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →