ମୂଳ ରଚନା : ହର୍ହେ ଲୁଇ ବର୍ହେସ ।। ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ
ଦେବଦୂତ ମାନେ ମୋତେ କହିଥିଲେ, ମେଲାଙ୍କଥନ୍ ଯେତେବେଳେ ପ୍ରାଣତ୍ୟାଗ କଲେ,ପୃଥିବୀରେ ବସବାସ କଲା ବେଳେ ସେ ଯେମିତି ଘରେ ରହୁଥିଲେ ,ତାହାର ଅନୁରୂପ ଠିକ୍ ସେମିତି ଗୋଟିଏ ଘର ର ବ୍ୟବସ୍ଥା ତାଙ୍କପାଇଁ କରାଯାଇଥିଲା ( ମରଣ ପରେ ମେଲାଙ୍କଥନଙ୍କ ଭଳି ଯେତେ ଆଗନ୍ତୁକ ଏଠିକୁ ପ୍ରଥମେ ଆସିଥାନ୍ତି,ସେମାନଙ୍କ କ୍ଷେତ୍ରରେ ଅବିକଳ ଏହି ପରି ଘଟିଥାଏ,କାରଣ ସେମାନେ ଆଗ ଆଗ ସାଧାରଣତଃ ମୃତ୍ୟୁ ବିଷୟରେ ଅବହିତ ନୁହଁନ୍ତି ବୋଲି ମନେ କରିଥାନ୍ତି,ସେମାନେ ମନେ କରିଥାନ୍ତି ସେମାନେ ଯେମିତି ଏବେବି ତାଙ୍କର ପୁରୁଣା ପୃଥିବୀରେ ରହିଛନ୍ତି )। ମୃତ୍ୟୁହେବା ଆଗରୁ ଯେଉଁ ସମସ୍ତ ପଦାର୍ଥ ମାନ ସେ ବ୍ୟବହାର କରୁଥିଲେ,ଏଇଠି ଠିକ୍ ସେଇଭଳି ଜିନିଷ ସବୁ ରଖାଯାଇଛି, ଯେମିତି ସେଇ ଟେବୁଲଟା,ଡ୍ରୟାର୍ ଥିବା ପଢା ଟେବୁଲ୍,ବହିର ଥାକ,ସେମିତି ଅବିକଳ ସବୁ ।
ଏହି ନୂତନ ଅବସ୍ଥାନକୁ ଆସିଯିବା ପରଠାରୁ ମେଲାଙ୍କଥନ ତାଙ୍କର ଟେବୁଲ୍ ସାମ୍ନାରେ ବସି ବେଶ୍ ଆରାମରେ ତାଙ୍କର ସେଇ ପୁରୁଣା ଲେଖିବା କାମ କୁ ଆରମ୍ଭ କରି ଦେଲେଣି । ଏବଂ ଆଗରୁ ଯେମିତି ରହିଥିଲା ତାଙ୍କର ଅଭ୍ୟାସ ,ବେଶ୍ ଦୀର୍ଘ ଦିନ ଧରି ଠିକ୍ ଗୋଟିଏ ପ୍ରକାର ଭାବରେ ମଗ୍ନ ରହିବା ,ସେମିତି – କେବଳ ଗୋଟିଏ ବିଷୟ ,ଅର୍ଥାତ୍ ସେଇ ଏକମାତ୍ର ଈଶ୍ୱର ବିଶ୍ୱାସର ଯୌକ୍ତିକତାକୁ ଦେଖାଇବା ଏବଂ ତାହାଦ୍ୱାରା ପରହିତ ଯେମିତି ହେବ ସେକଥାକୁ ଆଦୌ ଗୁରୁତ୍ୱ ନଦେବା । ତାଙ୍କର କାମରେ ଏଇ ଖୁଣ ଥିବା ର ଲକ୍ଷ୍ୟ କରି ତାଙ୍କ ନିକଟକୁ ଦେବଦୂତମାନେ ଏଇ ବିଷୟରେ ପ୍ରଶ୍ନ କରିବା ପାଇଁ ଯେଉଁ ଦୂତ ମାନଙ୍କୁ ପଠାଇଥିଲେ, ସେମାନଙ୍କୁ ଉତ୍ତରଛଳରେ ମେଲାଙ୍କଥନ୍ କହିଥିଲେ, ଆତ୍ମାର ନିକଟରେ ପରୋପକାର ବ୍ରତ ଦେଖିବାକୁ ଗଲେ ସେମିତି କିଛି ଅପରିହାର୍ଯ୍ୟ ଆବଶ୍ୟକତା ନୁହଁ,ଏହାକୁ ଯୁକ୍ତି ଦ୍ୱାରା ଖଣ୍ଡନ କରିବା ପରେ ବି ସେ ପ୍ରମାଣ କରିବାକୁ ଚାହିଁଥିଲେ ଯେ, ମୋକ୍ଷଲାଭ ପାଇଁ ଗଭୀର ବିଶ୍ୱାସ ହିଁ ଯଥେଷ୍ଟ । ଏବେ ତାଙ୍କର ମରଣ ଘଟିସାରିଛି ,ଏବଂ ତାଙ୍କର ଭାଗ୍ୟ ଯେ ତାଙ୍କୁ ସ୍ୱର୍ଗର ବାହାରେ ଅବସ୍ଥାପନ କରାଇଛି, ଏ ସଂପର୍କରେ ଟିକିଏ ମାତ୍ର ସନ୍ଦେହ ନକରି ଏଇସବୁ କଥାକୁ ସେ ଗଭୀର ପ୍ରତ୍ୟୟର ସହ ସେଇ ଦେବଦୂତକୁ କହିଥିଲେ ।
କେତେ ସପ୍ତାହ ପରେ ମେଲାଙ୍କଥନ୍ ରହୁଥିବା ଘରର ଆସବାବପତ୍ରଗୁଡିକ ର ଉଜ୍ଜଳତା ଅନେକ ପରିମାଣରେ ହ୍ରାସ ଘଟି ଚାଲିଥିଲା ,ତାହା ଏବେ କ୍ରମଶଃ ଅଦୃଶ୍ୟ ହେବାକୁ ଆରମ୍ଭ କଲାଣି, ଏବଂ ଶେଷ ପର୍ଯ୍ୟନ୍ତ ସେଇଠି ତାଙ୍କର ବସିବା ଚେୟାର୍,ଟେବୁଲ୍,କାଗଜ ଆଉ କାଳି ର ଦୁଆତ ଛଡା ଆଉ କିଛି ଅବଶିଷ୍ଟ ରହି ନାହିଁ । ତାହାପରେ ଅଧିକ ପରିମାଣରେ ଆଉ ଯାହା ଯାହା ଘଟିବାକୁ ଲାଗିଲା,ଘରର କାନ୍ଥ ଗୁଡିକ ଚୁନରେ ଲିପା ହଳଦି ରଂଗର କାଚ ଦ୍ୱାରା ବହଳିଆ ଭାବରେ ଆବୃତ ହୋଇଗଲା। ମେଲାଙ୍କଥନ ଙ୍କ ପୋଷାକ ସେତେବେଳେ ଥିଲା ଅନେକ ପରିମାଣରେ ଅମସୃଣ। ଏଇସବୁ ପରିବର୍ତ୍ତନକୁ ଦେଖି ସେ କିଛି ପରିମାଣରେ ବିସ୍ମିତ ହୋଇଥିଲେ ବି,ଆଗ ଭଳି ସେ ପରହିତବ୍ରତକୁ ଗୁରୁତ୍ୱହୀନ କରି ଗଭୀର ବିଶ୍ୱାସ ଉପରେ ନିର୍ଭର କରି ନିଜର ବକ୍ତବ୍ୟମାନଙ୍କୁ ସେଇଠି ରହିଥିବା କାଗଜ ଉପରେ ଲେଖିଚାଲିଥିଲେ । ପରହିତକୁ ଏଇ ଭଳି ଗୁରୁତ୍ୱ ନଦେବା କଥାଟିର ଉପରେ ଏପରି ଅଟଳ ଆସ୍ଥା ବଜାୟ ରଖିବା ଫଳରେ ସହସା ସେ ଭୂଗର୍ଭସ୍ଥ ଏକଜାତୀୟ କାରଖାନା ଭିତରକୁ ନିକ୍ଷିପ୍ତ ହେଲେ,ଯେଉଁଠି ରହିଛନ୍ତି ଆଗରୁ ତାଙ୍କ ଭଳି ଆହୁରି ଅନେକ ଈଶ୍ୱରବାଦୀ । କିଛିଦିନ ସେଇଠି ଅଟକି ରହିବା ପରେ ନିଜର ତତ୍ତ୍ୱ ପ୍ରତି ମେଲାଙ୍କଥନ୍ ଙ୍କ ଭିତରେ ସାମାନ୍ୟ ସନ୍ଦେହ ଉପୁଜିଛି,ଫଳରେ ତାଙ୍କୁ ପୁଣି ସେଇ ପୂର୍ବବର୍ତ୍ତି ଘରଟିକୁ ଫେରି ଆସିବାର ସୁଯୋଗ ଦିଆଯାଇଛି। ସେ ସେତେବେଳକୁ କେବଳ ଲୋମଶ ଚମଡାର ପୋଷାକରେ ଆବୃତ ଥିଲେ ବି ,ତାହାକୁ ସେ ଅଗ୍ରାହ୍ୟ କରି ପ୍ରାଣପଣ ଚେଷ୍ଟାରେ ନିଜର ଏହି ପ୍ରତ୍ୟୟକୁ ଅକ୍ଷୁର୍ଣ୍ଣ ରଖିବାକୁ ଚେଷ୍ଟା କରୁଛନ୍ତି ଯେ,ତାଙ୍କ ପ୍ରତି ଯାହା କିଛି ଘଟୁଛି,ତାହା ନିହାତି ଅଳୀକ ପର୍ଯ୍ୟାୟର କିଛି । ଏବଂ ଏଥିରେ ଆଦୌ ପ୍ରଭାବିତ ନହୋଇ ସେ ଫେରି ଯାଉଛନ୍ତି ତାଙ୍କର ସେହି ପ୍ରାଚୀନ ମତବାଦକୁ- ମଣିଷର ମୁକ୍ତିର ପ୍ରଶ୍ନ ଉଠିଲେ ତାହାର ବିଶ୍ୱାସ ହିଁ ସବୁଠୁ ବେଶି ମର୍ଯ୍ୟଦା ପାଇବା ଉଚିତ । ସେଇଠି ପରହିତବ୍ରତ ର ଗୁରୁତ୍ୱ ସେତେ ନାହିଁ।

ଏହାପରେ ଦିନେ ସଂଜବେଳେ ମେଲାଙ୍କଥନ ନିରୁଦ୍ୟମୀ ହୋଇ ଘରଟିକୁ ପରୀକ୍ଷା କରିବାକୁ ଆରମ୍ଭ କଲେଣି । ଖୁବ୍ ସହଜରେ ସେ ଆବିଷ୍କାର କରିଛନ୍ତି,ସେଇଠି ଥିବା ଅନ୍ୟ ଘର ଗୁଡିକ ତାଙ୍କର ଘର ସହିତ ଠିକ୍ ଖାପ ଖାଉନାହିଁ । ତାଙ୍କର ଗୋଟିଏ ଘରେ ଏମିତି କିଛି ଯନ୍ତ୍ରପାତି ଏଇଭଳି ବିଶୃଙ୍ଖଳିତ ଅବସ୍ଥାରେ ପଡିରହିଛି ଯାହାର ବ୍ୟବହାର ସେ ଜାଣନ୍ତି ନାହିଁ, ଅନ୍ୟ ଘରଟି ଏତେ ଛୋଟ ଯେ,ତାହାର ଭିତରକୁ ପ୍ରବେଶ କରିବା ଦୁଃସାଧ୍ୟ ; ତୃତୀୟ ଟି ରେ ସେମିତି କିଛି ପରିବର୍ତ୍ତନ ଦେଖା ନ ଗଲେ ମଧ୍ୟ ,ତାହାର କବାଟ ଝରକାଗୁଡିକ ବିସ୍ତୃତ ସମୁଦ୍ରକୂଳ ଆଡକୁ ଖୋଲା ହୋଇ ରହିଛି । ଘରର ପଛପଟରେ ଥିବା ଦଳଗୁଡିକ ଭିତରେ ଗୋଟିକରେ ଘରଭର୍ତ୍ତି ଲୋକ,ଯେଉଁମାନେ ତାଙ୍କର ବନ୍ଦନା କରୁଛନ୍ତି -ତାଙ୍କ ଭଳି ଏମିତି ଜଣେ ଜ୍ଞାନୀ ଈଶ୍ୱରବାଦୀ ଏହାର ଆଗରୁ ସେମିତି ବେଶି ନଥିଲେ-ଏଇ ଭଳି ପ୍ରଶଂସା ତାଙ୍କୁ ଖୁସି କରୁଥିଲେ ବି, ଯେହେତୁ ସେମାନଙ୍କ ଭିତରେ କିଛି ସାକ୍ଷାତପ୍ରାର୍ଥୀ ନିତାନ୍ତ ଗୁରୁତ୍ୱହୀନ ଏବଂ ଅପରିଚିତ ଆଉ ଅନ୍ୟମାନେ ଦୃଶ୍ୟତଃ ମୃତ,ନିଜର ଭିତରେ ଘୃଣାର ଉଦ୍ରେକ ହୋଇଛି ଆଉ ତାହା ତାଙ୍କ ଭିତରେ ସେମାନଙ୍କ ପ୍ରତି ସନ୍ଦେହ ସୃଷ୍ଟି କରିଛି । ଏହି ସବୁ ଘଟଣା ର ପରେ ନୂଆକରି ସେ ପରହିତବ୍ରତ-ବିଷୟରେ କିଛି ଲେଖିବାର ସିଦ୍ଧାନ୍ତ ନେଇଥିଲେ । କିନ୍ତୁ ସେଥିରେ ଗୋଟିଏ ଅସୁବିଧା ଦେଖାଦେଲା, ଦିନକରେ ସେ ଯାହାଯାହା ଲେଖିଛନ୍ତି,ପରଦିନ ତାହା ଆଉ ତାଙ୍କୁ ଦୃଶ୍ୟଗୋଚର ହେଉନାହିଁ । ଏଇଭଳି ଘଟିବାକୁ ଲାଗିଥିଲା,କାରଣ ଲେଖାଗୁଡିକ ଭିତରେ ତାଙ୍କର ନିଜସ୍ୱ ବିଶ୍ୱାସ ଆଉ ପ୍ରତ୍ୟୟର ଅଭାବ ରହିଥିଲା।
ଏହାର ପରଠାରୁ ମେଲାଙ୍କଥନ୍ ଙ୍କ ନିକଟକୁ ଅନେକ ସଦ୍ୟ-ମୃତ ବ୍ୟକ୍ତି ସାକ୍ଷାତ କରିବାକୁ ଆସିଛନ୍ତି,କିନ୍ତୁ ସେ ନିଜର ଏହି ଭଗ୍ନ-ବିପର୍ଯ୍ୟସ୍ତ ଘରଟି ପାଇଁ ଖୁବ୍ ଲଜ୍ଜିତ ବୋଧ କରୁଛନ୍ତି । ଶେଷରେ,ସେ ଯେ ସ୍ୱର୍ଗରେ ଅଛନ୍ତି,ତାଙ୍କ ନିକଟରେ ଏହି ଭଳି ବିଶ୍ୱାସ ର ଉତ୍ପାଦନ କରିବା ନିମନ୍ତେ ନିକଟବର୍ତ୍ତୀ ଜଣେ ଯାଦୁକର କୁ ନିଯୁକ୍ତ କରାଯାଇଛି । ସେହି ଯାଦୁକର ଜଣକ ତାହାର ନିଜସ୍ୱ କୌଶଳରେ ଶାନ୍ତି ଆଉ ସମାରୋହର ଏକ ଆପାତଦୃଶ୍ୟ ସଂରଚନା କରି ସେହି ଆଗନ୍ତୁକମାନଙ୍କୁ ମୁଗ୍ଧ କରିଛି ସତ,କିନ୍ତୁ ସେଇ ଆଗନ୍ତୁକ ମାନେ ଚାଲି ଯିବାର କିଛି ସମୟ ଆଗରୁ ସେହି ଆପାତ-ସଜ୍ଜା ସବୁ ଅଦୃଶ୍ୟ ହୋଇ ଯାଉଛି, ଆଗ ଭଳି ଘରର ଚୂନର ଆସ୍ତରଣ ଏବଂ ଘରଟିର ହତଶ୍ରୀ ଅବସ୍ଥା ପୁଣି ଫେରି ଆସୁଛି ।
ମେଲାଙ୍କଥନ ଙ୍କ ସଂପର୍କରେ ଶେଷରେ ଯାହା ଶୁଣାଗଲା,ସେହି ଯାଦୁକର ଏବଂ ଗୁରୁତ୍ୱହୀନ ଅପରିଚିତମାନଙ୍କ ଭିତରୁ ଜଣେ ତାଙ୍କୁ ସେଇଠୁ ବାଲୁକାମୟ ପାହାଡଶ୍ରେଣୀ ଆଡକୁ ନେଇ ଯାଇଛି ,ସେଠାରେ ସେ ଏଇଲେ ଅପଦେବତାମାନଙ୍କର କହିବାକୁ ଗଲେ ଏକ ପ୍ରକାର ଭୃତ୍ୟ ମାତ୍ର ।
°°°°°

ଇତିହାସ ଏବଂ କୁହୁକବାସ୍ତବତାର ଆଧାରରେ ବହୁମାତ୍ରିକତା ପ୍ରଦାନ ପୂର୍ବକ କାହାଣୀକୁ ଅଲୌକିକ କରିଥିବା କଥାକାର ହେଉଛନ୍ତି ହର୍ହେ ଲୁଇ ବର୍ହେସ୍ ।
୧୪ ଜୁନ୍ ୧୯୮୬ ରେ ଏହି ମହାନ ଅଦ୍ୱିତୀୟ କାହାଣୀକାର ଙ୍କ ଦେହାବସାନ ଘଟିଥିଲା।
A Theologian in Death ଶୀର୍ଷକ କାହାଣୀଟି Jorge Luis Borges ଙ୍କ ପ୍ରଥମ କାହାଣୀ ସଂକଳନ A Universal History of Iniquity ରୁ ଏଇଠି ଅନୁସୃଜିତ କରାଯାଇଛି।
ହେ ପରମ କଥାତ୍ମା,ଆପଣଙ୍କୁ ଏ ଅକିଞ୍ଚନ ସ୍ମରଣ କରୁଛି ।

