ମୂଳ ରଚନା : ଏନଗୁଗି ୱା ଥିଆଙ୍ଗୋ।। ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ
ଗାଆଁର ପୁରୋହିତ ଜଶୁଆ ଆକାଶରେ ଖଣ୍ଡଖଣ୍ଡ କଳା ବଉଦ ଜମିଗଲାଣି ବୋଲି ଦେଖିଲା ବେଳକୁ ତା’ମନରେ ଆପେ ଆପେ ଗୁଣୁଗୁଣୁ ହୋଇ ଶବ୍ଦଟିଏ ଆସିଗଲା,ବୃଷ୍ଟି।ସେଖୁବ୍ ଧିରେ ଏଇ ଶବ୍ଦଟିକୁ କହିଥିଲା ଆଉ ତାହାର ଏମିତି କହିବା ଏତେ ଆସ୍ତେ ଥିଲା ଯେ ଗଜେ ଦୂରରେ ଥିବା ଲୋକଟିଏ ସେଇ କଥା ଆଦୌ ଶୁଣିପାରିବାର କଥା ନୁହଁ।ଗୋଟିଏ ଢିପ ଜମିର ଉପରେ ଛିଡା ହୋଇ ସେ ମେଘ ଆଉ ତାହାର ଆଖପାଖର ଇଲାକାଆଡକୁ ଘଡିଏ ଆଖିପକାଉଥିଲା।ତାହାର ପଛରେ ଥିବା ଚାରିକୋଣିଆ ଟିଣଛାତର ଘରଟିରୁ କଳାଧୂଆଁ ଉଠୁଥିଲା।ଲାଗୁଥିଲା ଗୃହକର୍ତ୍ତ୍ରୀ ଏହାଭିତରେ ଶିସବ୍(ଶସ୍ୟକ୍ଷେତ୍ର)ରୁ ଫେରି ରାତିର ରୋଷେଇରେ ଲାଗିପଡିଲାଣି।ଗାଆଁର ପୁରୋହିତ ଜଶୁଆର ଘର ପାହାଡତୀଖରେ,ତାହାର ପାଖାପାଖି ଯେତିକି ଘର ଅଛି ସେସବୁଠୁ ଏଇଟି ନିହାତି ଅଲଗା,ଅନନ୍ୟ ଘର।ଅନ୍ୟଗୁଡିକର ତ ମାଟିର କାନ୍ଥ,ନଡାଛପରରେ ଗୋଲ ଗୋଲ କୁଡିଆ ଘର ,ଚାରିଆଡ ଏଇମିତି।ସେଇ ସବୁ ଘରଭିତରୁ କଳାଧୂଆଁର କୁଣ୍ଡଳୀ ଉପରକୁ ଉଠିବାରେ ଲାଗିଛି।
ଜଶୁଆକୁ ଜଣା ଯେ, ବେଶିଭାଗ କୁଡିଆରେ ଯିଏ ଯିଏ ରହୁଛନ୍ତି ସେମାନେ ପ୍ରାୟତଃ କିଛି ନଖାଇ ବା ଅଳ୍ପକିଛି ଦାନା ପାଟି ବାଟେ ଗିଳି ପକାଇବା ପରେ ମାଡିଚକଟି ହେଉଥିବା ପେଟ ସହିତ ଶୋଇ ପଡିଛନ୍ତି। ସେ ଏମିତି ଢେର୍ ଦେଖିଛି ଯେତେବେଳେ ସେ ଘରକୁ ଘର ବୁଲି ଭୋକିଲା ଆଉ ଅଭାବୀ ମାନଙ୍କୁ କହୁଥିଲା,ଦେଖ ଈଶ୍ୱର ଯଥାସମୟରେ ବୃଷ୍ଟି ଦେବେ।ଖରା ସେତେବେଳେ ଭୟାବହ ଥିଲା,ବେଶ୍ କିଛିମାସ ଧରି,ବିଲ ଶୁଖିଲା ପଡିଥିଲା,ଯାହା କିଛି ଫସଲ ଥିଲା ତାହା ଆହୁରି ଶୁଖି ଝଣ ଝଣ। ଗାଈଛେଳି ମାନେ ଶୁଖି କି କଣ୍ଟା,ଏଇ ଅବସ୍ଥାରେ କେମିତି ବା କେତେ କ୍ଷୀର ଆଉ ଦେବେ ?

ଏଇଲେ ବର୍ଷା ହେଲେ ସମସ୍ତଙ୍କ ପାଇଁ ଇଏ ହବ ସବୁଠୁ ବଡ ଆଶୀର୍ବାଦ।ଶୁଖିଲା ଫସଲ ତାହାର ଜୀବନ ଫେରି ପାଇବ।ସବୁ ଦିଶିବ ଭାରି ସୁନ୍ଦର,ସବୁଠୁ ମଙ୍ଗଳମୟ।ବାପାମାଆ ଆଉ ସମସ୍ତଙ୍କ ଆଖିଆଗରେ ଯେଉଁ ଶୁଖିଶୁଖି ଯାଉଥିବା ଅସ୍ଥିରତା ଦେଖାଯାଉଛି ତାହା ଘଡିକରେ ଦୂର ହୋଇଯିବ। ପୁଣି ଥରେ ଯଶୁଆ କଳା ହୋଇ ଘନେଇଆସିଥିବା ବାଦଲ ଆଡକୁ ଦୃଷ୍ଟି ପକାଇ ନିଜ ଘର ଆଡକୁ ପାଦ ବଢେଇଲା।
ଶୀଘ୍ର ଆରମ୍ଭ ହେଲା ବର୍ଷା।ଭୟଙ୍କର ବଜ୍ର ଝଡ ରେ ଆକାଶ କଂପମାନ।ବିଜୁଳି ର ଚମକି ଯାଉଥିବା ରେଖା ଆକାଶର ଏପଟରୁ ସେପଟ ହୋଇ ରାଗରେ ସବୁକିଛିକୁ ଜାଳିଦେବ ବୋଲି ଏଇଲେ ଯେମିତି ଟହଲ ମାରୁଥିଲା ସେଥିରେ ସେ ଖୁବ୍ ଡରିଯାଉଥିଲା।ଝରକା ପାଖରେ ଠିଆ ହୋଇ ଚନ୍ଦା ମୁଣ୍ଡରେ ଅଳ୍ପ କିଛି ଛୋଟଛୋଟ ଧଳା ଚୁଟି ଅବଶିଷ୍ଟ ରହିଛି ସେଇଭଳି ଏଇ ଗାଆଁର ପୁରୋହିତ ଜଣକ ଦେଖୁଥିଲା ବର୍ଷା ପଡିବାର ଟୋପା ସବୁକୁ ।ସେହି ଟୋପାମାନ ଟାଣୁଆ ମାଟିକୁ ଭିଜାଇ ନରମ କରିଦେଉଥିଲା।” “ଜେହୋଭା,ତମେ ଜିତିଗଲ” ଶ୍ୱାସରୁଦ୍ଧ ପୁରୋହିତ ଗୁଣୁଗୁଣୁ କଲା। ସେ ନିଜକୁ ନିଜେ ଠକିଯାଇଛି ବୋଲି ଭାବିଲା।ବିରକ୍ତି ଓ କ୍ରୋଧ ଆସିଲା। କାରଣ ସେ ବୁଝିପାରିଥିଲା ଯେ ସକାଳେ ଉତ୍ସର୍ଗ ପରେ ଏତେ ଚଞ୍ଚଳ ବର୍ଷା ଆସିଯିବାର କଥାଟିଯେ ସେହି ରେନ୍ ମେକର୍ ମାନେ ଯେଉଁ ଲୋକଟି ତନ୍ତ୍ରମନ୍ତ୍ର ବଳରେ ବର୍ଷା କୁ ଡାକିଆଣିପାରେ ବୋଲି କହିଥିଲା, ତାହାର ବିଜୟ ବୋଲି ହିଁ ଧରାଯିବ।ଆଜି ତାହାରି କଥା ଅନୁସାରେ କଳାମେଣ୍ଢାଟିଏ ବଳି ଦିଆଯାଇଥିଲା।ତାହାପରେ ଦେଖିଲାବେଳକୁ ଆକାଶରେ ସଂଗେ ସଂଗେ କଳା ବାଦଲ।ହଁ।ଏଇଟି ଥିଲା ମାକୁ ନାମକ ଏଇ ଗାଆଁରେ ସେ ଦୁଇଜଣଙ୍କ ଭିତରେ ରେଷାରେଷି ଆଉ ପ୍ରତିଦ୍ୱନ୍ଦିତାର ଚୂଡାନ୍ତ ଏକ ରୂପ।
ମାକୁ ହେଉଛି ବିଛିନ୍ନ ଛୋଟ ଇଲାକାଟିଏ।ଏପରିକି ଏହାର ସବୁଠୁ ନିକଟରେ ଥିବା ସେଇ ଗୋଟିକ ବୋଲି ମିଶନାରୀ କେନ୍ଦ୍ର ଥିଲା ସେଇଠୁ ପ୍ରାୟ ପଂଚାବନ ମାଇଲ୍ ଦୂରରେ।ସଡକଯୋଗାଯୋଗବିହୀନ ଗୋଟିଏ ମୁଲକ ପାଇଁ ଏତିକି ବାଟ ଢେର୍ ବାଟ ହେବ।ଅସଲରେ କହିବାକୁଗଲେ ଏଇ ମୁଲକଟି ଥିଲା ଗୋଟିଏ ଶ୍ୱେତାଙ୍ଗ- ମିଶନାରୀ, ଖମାର ମାଲିକ ଓ ପ୍ରଶାସକମାନଙ୍କର ଆସିବାର କାରଣ ଯୋଗୁ ଗୁରୁତର ଭାବରେ ପ୍ରଭାବିତ ହେବାକୁଥିବା ଶେଷ ମୁଲକମାନଙ୍କ ଭିତରୁ ଗୋଟିଏ ମୁଲକ।ଆଉ ସେଇଥିପାଇଁ,ଯେତେବେଳେ ଦେଶର ବାକି ଅଂଚଳରୁ ସଭିଏ ଏଇଠି ଦେଖୁଥିଲେ ରେନମେକର୍,ଜାଦୁକର ଓ ଓଝା-କବିରାଜ ମାନଙ୍କର ଅବସ୍ଥିତି ଯୋଗୁ ଖ୍ରୀଷ୍ଟଧର୍ମ ବିପଦରେ ପଡିଛି ,ସେତେବେଳେ ଏଇ ମୁଲକଟି ରେନମେକର୍ ଙ୍କ ପ୍ରଭାବ ଓ ପରିଚାଳନାରେ ଦିବ୍ୟ ହୋଇ ରହିଥିଲା।

ଠିକ୍ ସେଇଠୁ ବିରୋଧ ଆଉ ପ୍ରତିଦ୍ୱନ୍ଦିତାର ଆରମ୍ଭ,ଯେତେବେଳେ ଥାଲବାଇନି ମିଶନର ରେଭରେଣ୍ଡ ଲିଭିଂଷ୍ଟୋନ୍ ଏଇଜାଗାକୁ ଆସିଲେ ଆଉ ଜଶୁଆକୁ ଏହି ନୂଆ ଗୁରୁଜ୍ଞାନ ମାନେ ଏହି ନୂଆ ଧର୍ମର ପ୍ରଚାରର ଦାୟିତ୍ୱ ଅର୍ପଣ କରିଥିଲେ।ଶ୍ୱେତାଙ୍ଗ ମାନଙ୍କର ଈଶ୍ୱରଙ୍କୁ ସର୍ବଶକ୍ତିମାନ, ସର୍ବଦ୍ରଷ୍ଟା , ସବୁକିଛିର ସ୍ରଷ୍ଟା ବୋଲି କୁହାଯାଏ। କେତେଜଣ ଲୋକ ଜଶୁଆର ଏଇ ନୂଆ ଧର୍ମବିଶ୍ୱାସ ରେ ଦୀକ୍ଷିତ ହୋଇଥିଲେ ତାହା ଦେଖିସାରିବା ପରେ ରେନ୍ ମେକର୍ ତାହାର ବିରୋଧୀମାନଙ୍କୁ ପ୍ରକାଶ୍ୟରେ ଖୁବ୍ ଗାଳି ଦେଇଥିଲା। ସେ ଭାରି ରାଗିଯାଇଥିଲା ଆଉ ଜଶୁଆକୁ ଅନୁସରଣ ନକରିବାପାଇଁ ଜନଗଣଙ୍କୁ ଖୁବ୍ ବୁଝାଇଥିଲା। ପ୍ଲେଗ ଭଳି ମହାମାରି ଆଉ ମୃତ୍ୟୁର ଭୟ ଦେଖାଇଥିଲା।କିନ୍ତୁ ସେମିତି କିଛି ଘଟିଲା ନାହିଁ।ରେନ୍ ମେକର୍ ବେଶ୍ କ୍ଷୁବ୍ଧ ହୋଇ ଧମକାଇ ଥିଲା ଜଶୁଆକୁ।
କିନ୍ତୁ ଏ କଥା ସବୁକୁ ଜଶୁଆ ଦେହକୁ ନେଲେ ତ ! କ’ଣ ଏହାର ଲୋଡା ପଡିବ ? ସେ କ’ଣ ଲିଭିଂଷ୍ଟୋନ୍ ଙ୍କ ଠାରୁ ଏହି ଭରସା ପାଇନାହିଁ ଯେ,ଏହି ନୂଆ ଈଶ୍ୱର ଜଣକ ତାହାର ସହିତ ରହିଥିବେ ,”ସବୁବେଳେ,ଏପରିକି କୟାମତ ନ ଆସିବାଯାଏଁ ?”
ସେତେବେଳେ ଦେଖାଦେଇଥିଲା ମରୁଡି।ଆଉ ଜଶୁଆ ସବୁବେଳେ ଗାଆଁ ସାରା ବୁଲିବୁଲି କହୁଥିଲା ସମସ୍ତଙ୍କୁ,ବର୍ଷା ଆସିବ।ଆଉ ସାରା ସମୟ ସେ ବର୍ଷା ପାଇଁ ପ୍ରାର୍ଥନାରେ ସମୟ ବିତାଇ ଦେଉଥିଲା।ହେଲେ ଫଳଘର ଶୁନ୍।ରେନ୍ ମେକର୍ କହିଲା,ଏଇ ମରୁଡି ପୁରୁଣା ଈଶ୍ୱରଙ୍କର କ୍ରୋଧ। ସେ ମାନେ ଏଇ ରେନ୍ ମେକର୍ ଆଉ ପୁରୁଣା ଈଶ୍ୱରଙ୍କ ଭିତରେ ହିଁ କିଛି ମଧ୍ୟସ୍ଥତା କରିପାରେ। ଆଜି ପବିତ୍ର ସୁଶୁମୋ ଗଛତଳରେ ଗୋଟିଏ ଖୁଣନଥିବା କଳାମେଣ୍ଢାକୁ ଉତ୍ସର୍ଗ କରାଯାଇଥିଲା।ଆଉ ତାହାପରେ ବର୍ଷା ଆଉ ବର୍ଷା।ସାରା ସକାଳ ଜଶୁଆ ନୂଆ ଈଶ୍ୱରଙ୍କୁ ପ୍ରାର୍ଥନା କରୁଥିଲା,ହେ ପ୍ରଭୂ ,ଆଜି ଦିନଟି ଯେମିତି ଟୋପାଏ ହେଲେ ବର୍ଷା ନହେଉ ।ଦୟାକର ପ୍ରଭୂ,ମୋର କରୁଣାମୟ ପ୍ରଭୂ ,ଏଇ ରେନ୍ ମେକର୍ ଆଜି ହାରିଯାଉ ପ୍ରଭୂ ।ଆପଣଙ୍କ ମହିମା ଗୌରବାନ୍ୱିତ ହେବ।ହେଲେ ଜଶୁଆର ସବୁ ଆକୁଳ ନିବେଦନକୁ ଉପେକ୍ଷା କରି ଆଜି ବର୍ଷା ହେଲା।
ସେ ବିମୂଢ ହୋଇପଡିଥିଲା।କଥାଟି ଯେମିତି ତାହାର ବେଶ୍ ଅବୁଝା।କପାଳରେ ରେଖାଗୁଡିକ ତାହାର କୁଂଚିତ ହେବାରେ ଲାଗିଲା।କାହାରି ସାଙ୍ଗରେ ତାହାର କଥାବାର୍ତ୍ତା ନାହିଁ।ଏପରିକି ସବୁଦିନ ସଂଜବେଳେ ନିଜ ପରିବାର ସହ ଏକାଠି ସେ ଯେଉଁ ସାନ୍ଧ୍ୟ ପ୍ରାର୍ଥନାଟି କରିଥାଏ ତାହାକୁ ସେ ପୁରାପୁରି ଭୁଲି ଶୋଇବାକୁ ବିଛଣାକୁ ଯାଇଥିଲା।ବିଛଣା ପଡିରହି ସେ ଏହି ନୂଆ ଈଶ୍ୱରଙ୍କୁ ନେଇ ଭାବି ବସିଲା। ଭାବି ଚାଲିଲା।ଆଜି ଯଦି ଲିଭିଂଷ୍ଟୋନ୍ ଥାଆନ୍ତେ ସାଥିରେ ବେଶ୍ ଭଲ ହୋଇଥାନ୍ତା।ସେ ନିଶ୍ଚୟ ତାଙ୍କର ମୁଣାରେ ଥିବା କଳାରଂଗର ବହିଟିକୁ ବାହାରକରି ସେଥିରୁ ଅଧ୍ୟାୟେ ପଢନ୍ତେ ଏବଂ ତାଙ୍କର ଈଶ୍ୱରକୁ ପ୍ରାର୍ଥନା କରୁଥାନ୍ତେ,ଆଉ ତାହା ହୋଇଥିଲେ ଏଇ ରେନ୍ ମେକର୍ କେବେହେଲେ ଜିତିପାରିନଥାନ୍ତା। ଏଇ ଧର , ହପ୍ତାଏ ପରେ ଲିଭିଂଷ୍ଟୋନ୍ କେଉଁ ଗୋଟିଏ ଜନସଭାରେ ବର୍ଷାପାଇଁ ପ୍ରାର୍ଥନା କରିଥାନ୍ତେ ।ଆଉ ସେତେବେଳେ ସମସ୍ତେ ବିଶ୍ୱାସ କରିଥାନ୍ତେ ଯେ ଏଇ ଜଶୁଆ ହେଉଛି ଏଇ ମାକୁ ଗାଆଁର ଅବିସମ୍ବାଦିତ ଆଧ୍ୟାତ୍ମିକ ନେତା।
ଯେତେବେଳେ ସେ ତାହାର ବାଉଁଶଖୁଣ୍ଟି ଆଉ ଦଉଡିରେ ତିଆରି ଖଟିଆରେ ଶୋଇଥିଲା,ତାହାର ମନକୁ ଗୋଟିଏ ଚିନ୍ତା ଆସିଥିଲା,ସେ ଚିନ୍ତାଟି ଏମିତି ବିସ୍ମୟକର ଥିଲା ଯେ ସେ ଉଠିବସି ପାରିଲା ନାହିଁ,ଠିକ୍ ରେ ନିଃଶ୍ୱାସପ୍ରଶ୍ୱାସ ନେଇ ପାରିଲା ନାହିଁ।ଏଇ କଥାକୁ ନେଇ ତାହାକୁ ଆହୁରି ଭାବିବାକୁ ହେବ,କଥାଟା ଭଲରେ ବୁଝିବାକୁ ହେବ।ନୂଆ ଈଶ୍ୱର ଗୋରାଲୋକଙ୍କର ଆଉ ସେଇଥିପାଇଁ ଗୋରା ଚମଡା ର ଲୋକଙ୍କ ଛଡା ଆଉ କାହାରି କଥାକୁ ସେ ଶୁଣିପାରନ୍ତି ନାହିଁ।ପ୍ରତ୍ୟେକଙ୍କର ତାଙ୍କର ନିଜର ଈଶ୍ୱର ରହିଛନ୍ତି।ମାସାଇ ନୃଗୋଷ୍ଠୀ ହୁଅନ୍ତୁକି ଆଗିକୁ ନୃଗୋଷ୍ଠୀ ହୁଅନ୍ତୁ ସମସ୍ତଙ୍କର ନିଜନିଜର ଈଶ୍ୱର ଅଛନ୍ତି।ଜଶୁଆର ଦେହଟା ପୂରା କଂପି ଉଠିଲା। ତାହାର ମନେହେଲା ସେ ଯେମିତି ସବୁକଥା ଏବେ ପରିଷ୍କାର ଭାବରେ ବୁଝି ପାରିଛି। କୌଣସି କୌଣସି ଈଶ୍ୱର ଯେମିତି ଆଉ କେଉଁ ଈଶ୍ୱରଠାରୁ ଅଧିକ ବଳଶାଳୀ।ହୁଏତ ଲିଭିଂଷ୍ଟୋନ୍ ଏକଥା ମନେମନେ ଜାଣନ୍ତି।ସେ ବୋଧହୁଏ ଭିତରେ ଭିତରେ ଆଗିକୁ ମାନଙ୍କ ଈଶ୍ୱରଂକୁ ଭୟ ପାଆନ୍ତି।ସେଇଥିପାଇଁ ସେ ଏତେବେଳକୁ ଦୂରରେ ଅଛନ୍ତି ଆଉ ମରୁଡି ହେବାର ପୂରା ସମୟ ରେ ତାଙ୍କର ଜମା ଦେଖାଦର୍ଶନ ନାହିଁ।
ମୁଁ ଏବେ କ’ଣ କରିବି ?କ’ଣ କରିବି ମୁଁ ?ସେତେବେଳେ ତାହା ମୁଣ୍ଡକୁ ଏକ ସିଧାସଳଖ ବିଚାର ଢୁକିଯାଇଥିଲା।ଆଜିତ ସେଇ ଗଛମୂଳରେ ଉତ୍ସର୍ଗ କରାଯାଇଛି।କାଲି ଖୁବ୍ ସକାଳୁ ସେ ସେଇ ଗଛମୂଳକୁ ଯିବ ଆଉ ତାହାର ସମର୍ଥକଙ୍କୁ କହିବ ,ଆଉ ନୁହଁ ଏଇ ଈଶ୍ୱରଙ୍କ ସହ ବୁଝାମଣା ନକଲେ ନଚଳେ।
ସକାଳ ରେ ଭାରି ଅଂଧାର ଥିଲା।ଆଉ ଭାରି କନକନିଆ ଥଣ୍ଡା।ପହିଲି କୁକୁଡା ତ ଏହାଭିତରେ ରାବି ସାରିଥିଲା।ନିଜର ଚିରପରିଚିତ ପୋଷାକ ଉପରେ ଜଶୁଆ ପିନ୍ଧିନେଇଥିଲା ଗୋଟିଏ ଚକମକ ରେନ୍ କୋଟ୍।ଆସ୍ତେ ଆସ୍ତେ ଖୁବ୍ ଧିରେ ପାଦ ପକାଇ ସେ ଆଗେଇଯାଉଥିଲା ଯେମିତି ତାହାର ଦେହରେ ଆଉ ସେମିତି ବଳନାହିଁ।
ଘରଟିରେ କଳା ଅଂଧାର ଭିତରେ ଠିକ୍ ରେ ସ୍ପଷ୍ଟ ହେଉନଥିବା ଦୃଶ୍ୟ ଆଉ ସେହି ଗୋଲାଘରଟି ତାହାକୁ ମନେ ହେଉଥିଲା ଯେମିତି ସେଇଠି ଗୋଟିଏ ଜୀବନ୍ତ ଅଶୁଭ କିଛି ଜାଗ୍ରତ ରହିଛି।ତାହାକୁ ଭାରି ଡର ମାଡିଲା।କିନ୍ତୁ ସେ ମନେମନେ ଠିକ୍ କରିନେଇଥିଲା ,ଦୂରପଥ ବଣରେ ଯିବାପରେ ସେଇ ପବିତ୍ର ଗଛ ପଡିବ ଆଉ ସେହି ଗଛମୂଳରେ ନିଜ ଗୋତ୍ରର ଦେବତାଙ୍କ ସହ ଶାନ୍ତିଚୁକ୍ତି।ପକ୍ଷୀ ମାନେ ଇଆଡେ ସିଆଡେ ଉଡୁଥିଲେ,ସ୍ୱାଭାବିକ ଥିଲା ସେମାନଙ୍କର ପ୍ରତ୍ୟୁଷ ଗୀତି,ଭୋର୍ ର ଆଗମନୀ ବାର୍ତ୍ତା।ଜଶୁଆ ପାଇଁ ସେଇ ସୁରଟି କରୁଣ ଶୁଭୁଛି।ମନେ ହେଉଛି ଯେମିତି ତାହାକୁ ଲକ୍ଷ୍ୟ କରି ଆଜିର ସେମାନଙ୍କର ଗୀତ।
ସବୁସମୟ ସେ ଯେଉଁଠି ଛିଡା ହୋଇଥାଏ ଏପରିକି ଜଶୁଆର ଜନ୍ମର ଢେର୍ ଆଗରୁ , ସେହି ବିଶାଳ ବୁଢା ଗଛଟି ସେଇଠି ହିଁ ଛିଡା ହୋଇଥିଲା।ହଠାତ୍ ଗଛଟିକୁ ରହସ୍ୟମୟ ଓ ଅଶୁଭ ମନେ ହେଲା ତାହାର।ଠିକ୍ ଏଇ ଜାଗାରେ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ପ୍ରବୀଣ ଆଉ ଓଝା-କବିରାଜଙ୍କ କଥା ଅନୁସାରେ ପଶୁବଳି ଦିଆଯାଇଥାଏ।ଆଖପାଖର ଲତାବୁଦାକୁ ପରିଷ୍କାର କରି କରି ଜଶୁଆ ସେହି ଗଛର ପାଖାପାଖି ପହଞ୍ଚିଯାଇଥିଲା।କିନ୍ତୁ କେମିତି ଈଶ୍ୱରଙ୍କ ସହ ସମଝୋତା କରାଯାଇପାରିବ ?ତାହା ପାଖରେ ତ ନିଖୁଣ କଳା ମେଣ୍ଢାଟିଏ ଉତ୍ସର୍ଗ କରିବାକୁ ନାହିଁ।ତାହା ପାଖରେ କିଛି ଯେ ନାହିଁ।
“ଆଗିକୁ ମାନଙ୍କର ଈଶ୍ୱର,ଆମ ନିଜ ଜନଗୋଷ୍ଠୀର ଈଶ୍ୱର ..” ସେ ଅଟକି ଗଲା।କଥାଗୁଡିକ ଅତି ଅବାନ୍ତର ଶୁଭୁଥିଲା।ମିଛ।ମନେ ହେଉଛି ସେ ନିଜ ସହିତ ନିଜେ ଯେମିତି ଗପସପ ହେଉଛି। ଜଶୁଆ ପୁଣି ଆରମ୍ଭ କଲା,” “…ଈଶ୍ୱର, ଆଗିକୁ ମାନଙ୍କର.. “ଗୋଟିଏ ଛୋଟ ଅଥଚ ଅସ୍ପଷ୍ଟ ହସ,ଏବଂ କଂଚା ଡାଳପତ୍ର ଭଂଗାହେବାର ଶବ୍ଦ ତାହାର କଥାରେ ବାଧା ତିଆରି କଲା।ଜଶୁଆ ଆତଙ୍କିତ ହୋଇ ପଡିଲା ଏବଂ ସେପଟକୁ ମୁହଁ ବୁଲାଇ ଦେଖିଲା।ସେଇଠି ଛିଡା ହୋଇ ତାହା ଆଡକୁ ଏକ ବିଦ୍ୱେଷପୂର୍ଣ୍ଣ ଦୃଷ୍ଟି ହାଣୁଛି ରେନ୍ ମେକର୍।ରେନ୍ ମେକର୍ ପୁଣିଥରେ ହସି ଉଠିଲା,ହସ ଟି ଭୟାବହ ହସ,ବିଜୟୋଲ୍ଲାସରେ ଭରପୁର।
“ହୁଁ ! ତାହାହେଲେ ଗୋରାମଣିଷର କୁକୁର ସିଂହର ଗୁମ୍ଫାକୁ ଆସିଛି। ହା ହା ! ତାହେଲେ ଆମର ଜଶୁଆ ଏବେ ଆସିଛି ସମଝୋତା କରିବାକୁ। ହା ହା ହା ! ମୁଁ ଜାଣିଛି ତୁ ମୋ ପାଖକୁ ଦିନେ ଆସିବୁ,ଜଶୁଆ ! ଏଠିକି ପଶିଆସିଥିବା ଗୋରାଙ୍କର ଚାକର ହୋଇ ତୁ ଏଇ ମୁଲକରେ ବିଭେଦ ଆଣିଛୁ।ଏଥର ତୋ ଲୋକମାନଙ୍କର ଶକ୍ତି ଦେଲେହିଁ ଯାଇ ତୁ ପରିଷ୍କାର ହୋଇ ପାରିବୁ।ଆଉ ଅଧିକ କିଛି ଶୁଣିବାକୁ ଜଶୁଆ ଅପେକ୍ଷା କଲା ନାହିଁ।ସେହି ବୋବା ପରିଥିବା ପୁରୁଣା ଗଛ ତଳୁ,ରେନ୍ ମେକର୍ ଠାରୁ ଯେତେ ଜଲଦି ହେବ ସେତେ ଦୂରକୁ ପଳାଇ ଆସିଲା।
ନା,ଏଇଟା ଭୟ ନଥିଲା।ନା ସେଇ ଗଛର ,ନା ସେଇ ରେନ୍ ମେକର୍ ର, ନା ସେ ଆଉ କାହାକୁ ଭୟ ପାଉନାହିଁ।ସେ ସେମାନଙ୍କ ଶକ୍ତିକୁ ଆଉ ଡରିବ ନାହିଁ ,କାରଣ ସେ ବୁଝିଯାଇଛି,ସବୁକିଛି ମିଛ,ଯେତେବେଳେ ସେ ସେହି ଗଛଟି ସହ କଥାବାର୍ତ୍ତା କରୁଥିଲା। ଏହା ଏପରିକି କୌଣସି ପରାଜୟ ବୋଧର ନୁହଁ।ଏଇଟି ଅନ୍ୟ କିଛି,ଆହୁରି ଖରାପ,ଲଜ୍ଜାକର।ଏହା ଥିଲା ଚରମ ଫମ୍ପା ଓ ଆଶାହୀନତାର ଏକ ଅନୁଭୂତି, ଯାହା କେବଳ କେଉଁ ଦୃଢ ଇଚ୍ଛାଶକ୍ତିସଂପନ୍ନ ଲୋକଟିର ଭିତରେ ହିଁ ଆସି ପାରେ, ଯିଏ ନିଜର ବିଶ୍ୱାସକୁ ବଳି ଦେଇ ସାରିଛି।ଗୋଟିଏ ଲଜ୍ଜାବୋଧ ତାହାର ଗତିକୁ ଆହୁରି ଦ୍ରୁତ କରୁଥାଏ । ଦିନ ଶେଷ ଆଡକୁ ନିଜ ଘରକୁ ଫେରିବାବେଳେ ଲାଜ ତାହାକୁ ନା ବାଆଁ ନା ଡାହାଣକୁ ମୁଣ୍ଡ ଟେକି ଚାହିଁବାକୁ ଦେଉନଥାଏ।
ଭ୍ରମଣ ଦୀର୍ଘ ଥିଲା।ବାଟ ସାରା କାଦୁଅ।କିନ୍ତୁ ତାହାର ସେଆଡକୁ ଖିଆଲ୍ ଥିଲେ ତ ! ସେକିଛି ଦେଖୁନାହିଁ,ନା କିଛି ଅନୁଭବ କରୁନାହିଁ।ଲାଜରେ ଫମ୍ପା ଗୋଟିଏ ଅନୁଭୂତି ଏବଂ ନିଜ ପ୍ରତି ଘୃଣା ,କେବଳ ଏହାହିଁ ତାହାର ଭିତରେ ଖେଳି ଚାଲୂଥାଏ ସେତେବେଳେ।ପୁରୁଣା ସେହି ଗଛଟି ତଳେ ସେ କ’ଣ ତାହାର ବିଶ୍ୱାସକୁ ବଳିଦେଇନାହିଁ ?
“ଲିଭିଂଷ୍ଟୋନ୍ ମୋତେ ଏଇଲେ କ’ଣ କହିବେ?”ସେ ମନକୁ ମନ ବିଡବିଡ୍ ହେଲା।ଲିଭିଂଷ୍ଟୋନ୍ ପୁଣି ତା’କୁ ଭର୍ତ୍ସନା କରିବେ।କହିବେ ,ସେ ଗୋଟାଏ ଅଯୋଗ୍ୟ, ଅପଦାର୍ଥ।ଥରେ ଶୋଷରେ ଜଶୁଆ ଢୋକେ ବିଅର୍ ପିଇଥିଲା,କେତେ ଗାଳି ସେ ନକରିଛନ୍ତି। ଆଉଥରେ ତାହାକୁ ସାବଧାନ୍ କରିଦେଇଥିଲେ,ଯେତେବେଳେ ତାହାର କଥାକୁ ତାହାର ସ୍ତ୍ରୀ ଶୁଣିବାରେ ଡେରି କରିଥିଲା ବୋଲି ସେ ତାହାକୁ ନିସ୍ତୁକ ପିଟିଥିଲା ସେଦିନ।
“ଈଶ୍ୱର ଙ୍କର ମଣିଷ ଯେଉଁମାନେ ସେମାନଙ୍କ ପାଖରେ ଏମିତି ଆଚରଣ ଶୋଭା ଦିଏ ନାହିଁ”।ଲିଭିଂଷ୍ଟୋନ୍ ତାହାକୁ ବିଷାଦଭରା ଗଳାରେ ଏଇ କଥା କହିଥିଲେ।ହଁ।କେହି ଲିଭିଂଷ୍ଟୋନ୍ ଙ୍କୁ ସେମିତି ବୁଝି ପାରନ୍ତି ନାହିଁ। ଏକ ସମୟରେ ସେ ହୋଇଯାଆନ୍ତି ଅଯୌକ୍ତିକ ଭାବରେ କଠୋର ଓ ଉଦ୍ଧତ ଆଉ ଅନ୍ୟବେଳେ ଦେଖାଯାଏ ସେ ଭାରି ଦୁଃଖିତ।ଯେତେବେଳେ ଖରାକାଟିବନାହିଁ ବୋଲି କାନଢଙ୍କା ପୁରା ହେଲମେଟ୍ କୁ ମୁଣ୍ଡରେ ଦେଇ ସେ ତାଙ୍କର ନିର୍ଲିପ୍ତ ନୀଳ ଆଖିଦୁଇଟିରେ ତୁମ ଆଡକୁ ଚାହିଁଥିବେ ,ତୁମେ ତାଙ୍କର ଅଭିବ୍ୟକ୍ତିରେ କୌଣସି ଅଲୌକିକତ୍ୱ ଖୋଜି ବାହାର କରି ପାରିବ ନାହିଁ।ଜଶୁଆ ଏବେ ନିଶ୍ଚିତ ଯେ ,ଲିଭିଂଷ୍ଟୋନ୍ ତାହାକୁ ଜଣେ ନେତା ହେବ ବୋଲି ପ୍ରଶ୍ନ ଉଠିଲେ ଅପଦାର୍ଥ ଓ ଅଯୋଗ୍ୟ ବୋଲି ଭାବିବେ।ସେ ଏବେ ନିଜ ବିଷୟରେ ସେମିତି ଭାବୁଥିଲା।
ଶେଷରେ ଜଶୁଆ ଯେତେବେଳେ ଘରେ ପହଁଚିଲା ସେତେବେଳକୁ ସୂର୍ଯ୍ୟ ପୂର୍ବଦିଗନ୍ତରେ ଉଁକି ଦେଉଥିଲା।ସେ ବାହାରେ ଅପେକ୍ଷା କଲା,ପୁରା ପାହାଡର ତୀଖ ଆଉ ବାହାର ଇଲାକାକୁ ଭଲଭାବରେ ଆଖି ବୁଲାଇ ନେଲା ।ହଠାତ୍ ତାହାର ମନେ ହେଲା ସେ ଯେମିତି ଦୌଡି ପଳେଇଯାଉଛି, ଆଉ କେଉଁଦିନ ସେ ଧର୍ମପ୍ରଚାର କରିବ ନାହିଁ।ସେ ଏତେ ଗଂଭୀର ଭାବରେ ଚିନ୍ତାମଗ୍ନ ଥିଲା ଯେ , ମନେ ହେଲା, ସେ ତାହାର ସ୍ତ୍ରୀ ର ଉତ୍କଣ୍ଠା,ଉତ୍ତେଜିତ ଚେହେରାକୁ ସେ ଏବେ ଦେଖିପାରିନି,ଯେତେବେଳେ ବାହାରୁ ଘରଭିତରକୁ ଆସି ସ୍ତ୍ରୀ କହିଥିଲା,”କିଏ ଜଣେ,ଜଣେ ଅତିଥି ଆସିଛନ୍ତି ଆଉ ବାହାରେ ଅପେକ୍ଷା କରିଛନ୍ତି ସେ ଅତିଥି”।

“କିଏ ହୋଇପାରେ?” ଏହାକୁ କହିବ ସ୍ତ୍ରୀଲୋକ।ସେମାନେ କେବେହେଲେ କହିବେ ନାହିଁ ଏଇ ଅତିଥି ଜଣକ କିଏ,ଖାଲି କହୁଥିବେ,”କିଏ ଜଣେ”।କାହା ସହିତ ଦେଖା କରିବାର ଇଚ୍ଛା ଜଶୁଆର ଏଇଲେ ହେଉନାହିଁ,କାରଣ ତାହାର ନିକଟରେ ପୁରା ସବୁ ପରିଷ୍କାର।ଏଇ ଅତିଥି ଜଣକ କ’ଣ ସେଇ ରେନ୍ ମେକର୍ ? ଏମିତି ଭାବିଲା ମାତ୍ରକେ ତାହାର ଦେହମୁଣ୍ଡ ଥରି ଉଠିଲା।ଇଏ କ’ଣ ତାହାର ଗୋତ୍ରରୁ କିଏ ଜଣେ କି ?ତାହାହେଲେ ସେ ତାହାକୁ କ’ଣ କହିପାରିବ,ଯେତେବେଳେ ସେ ନିଜେ ତ ବିଶ୍ୱାସଭଂଗ କରିଛି ?ଜଣେ ପୁରୋହିତ ହେବାର ଯୋଗ୍ୟତା ତାହାର ନଥିଲା।”ଆଜି ଯଦି ଲିଭିଂଷ୍ଟୋନ୍ ଙ୍କ ସହ ତାହାର ଦେଖାହୁଏ,କହିବି ମୋତେ ମାଫ୍ କର।ତାହାପରେ ମୁଁ ଏଇଠୁ ଚାଲି ଯିବି।”
ସେ ଘରକୁ ପ୍ରବେଶ କଲା ଏବଂ ଚମକି ପଡିଥିଲା।କାରଣ ସେଇଠି ଗୋଟିଏ ତିନିପାଦିଆ ଗିକୁ ଟୁଲ୍ ଉପରେ ଯିଏ ବସିଥିଲେ ସେ ଆଉ କେହି ନୁହଁ,ସେ ଲିଭିଂଷ୍ଟୋନ୍। ସାରା ରାତ୍ରୀର ଯାତ୍ରା ପରେ ଏକାବେଳେକେ କ୍ଳାନ୍ତ ଶ୍ରାନ୍ତ ଲିଭିଂଷ୍ଟୋନ୍ ମୁହଁ ଟେକି ଜଶୁଆକୁ ଚାହିଁଲେ ।କିନ୍ତୁ ଜଶୁଆ ତାଙ୍କୁ ଦେଖୁନଥିଲା ।ସେ ଯେମିତି ଆଉ କିଛି ଦେଖୁଥିଲା ସେତେବେଳେ।
ସେ ଦେଖୁଥିଲା ସେହି ପୁରଣା ଗଛତଳର ବେଦୀମୂଳ ଯେଉଁଠି ସେ ବଳି ଦେଇସାରିଛି ତାହାର ସମସ୍ତ ଦୃଢ ବିଶ୍ୱାସ।ସେ ଦେଖୁଥିଲା ସେଇ ରେନ୍ ମେକର୍ କୁ ,ଶୁଣିପାରୁଥିଲାତାହାର ବିଦ୍ୱେଷମିଶା ବିଜୟସୂଚକ ଅଟ୍ଟହାସ୍ୟ।
ଯା,ପଳା ଜଶୁଆ।କିନ୍ତୁ ସେ ଘୁଂଚୁନଥାଏ।
ଯା ପଳା, ଜଶୁଆ ! ସେ କିନ୍ତୁ ଲିଭିଂଷ୍ଟୋନ୍ ଙ୍କ ଆଡକୁ ଆହୁରି ଘୁଂଚି ଆସୁଥାଏ,ଯେମିତି ତାହାର ଏଇଲେ ସୁରକ୍ଷା ଲୋଡା।
ତାହାହେଲେ ଏଇ ଅତିଥିକୁ କିଛି ଜଣା ନା ! ସେ କିନ୍ତୁ ଲିଭିଂଷ୍ଟୋନ୍ ଙ୍କୁ ସବୁକଥା ଖୋଲାଖୋଲି କହିଥିଲା। ଆଉ ତାହାପରେ ତାହାର ଟିକିଏ ସାହସ ନଥିଲା ନିଜର ମଥାଟିକୁ ଉଚ୍ଚ କରି ଟେକି ଧରିବା ପାଇଁ। ସେ ମଥା ତଳକୁ କରି ରହିଛି।ଏବଂ ଯେହେତୁ ସେ ସବୁକଥା ଖୋଲାଖୋଲି କହି ସାରିଲାଣି,ଚରମ ଶୂନ୍ୟତା ବୋଧ ଓ ଲଜ୍ଜାର ଅନୁଭୂତି ସତ୍ତ୍ୱେ ,ସେ ମନେକଲା ତାହାର ଆଣ୍ଠୁରୁ ଯେମିତି ସବୁ ଶକ୍ତି କୁଆଡେ ଅପହୃତ ହୋଇ ଯାଇଛି।ସେ ଯେମିତି ଏଇଲେ ବୁଡି ଯାଉଛି,ବୁଡିଯାଉଛି କେଉଁ ଅତଳ ଗହ୍ୱରକୁ …,ସେ କାନ୍ଥ ସହିତ ଯେମିତି ଜଡିଯାଉଛି ,ଯଦିଓ ତାହାର ଦୃଷ୍ଟି ଭୂଇଁରେ ରହିଛି।
ଲିଭିଂଷ୍ଟୋନ୍ ପଦଟିଏ ଶବ୍ଦ ଉଚ୍ଚାରଣ କରି ନଥିଲେ।
ଘର ସାରା ନୀରବତାର ରାଜୁତି।ଜଶୁଆ ତାହାର ନିଜର ହୃତସ୍ପନ୍ଦନ ଶୁଣିପାରୁଥିଲା,ଟୁକ୍ ଟୁକ୍।ସେ ଅପେକ୍ଷା କରୁଥିଲା କେତେବେଳେ,ନିଜର ନିନ୍ଦା ଶୁଣିବାପରେ ଏଠିକି ଆସିବା ଅଯଥା ହୋଇଛି ବୋଲି ଲିଭିଂଷ୍ଟୋନ୍ ଉଠି ଠିଆ ହେବେ ଆଉ ଏଇ ଜାଗା ଛାଡି ତୁରନ୍ତ ପ୍ରସ୍ଥାନ କରିବେ ,ସେଇକଥାକୁ ନିଜ ଆଖିରେ ଦେଖିନେବାପାଇଁ।
ସାବଧାନତାର ସହ ଜଶୁଆ ଦେଖୁଛି।ସେ ଦେଖୁଛି ଲିଭିଂଷ୍ଟୋନ୍ ଙ୍କ ମୁହଁ ହାସ୍ୟୋଚ୍ଛଳ।ଜୀବନରେ ଏହାଠୁ ବେଶି ବିସ୍ମିତ ହେବାର ଅବସର ତାହାକୁ ଆଉ କେବେ ମିଳିନାହିଁ।ଲିଭିଂଷ୍ଟୋନ୍ ଙ୍କ ପୁରୁଣା ନିର୍ଦ୍ଦୟତା ଓ ଦୃଶ୍ୟମାନ କଠୋରତା ତାଙ୍କର ଆଖିରେ ନାହିଁ ବରଂ ତାହା ବଦଳରେ ରହିଛି ଏମିତି ଜଣେ ମଣିଷର କେବଳ କୋମଳତା ଓ ପ୍ରସନ୍ନତାଭରା ସହାନୁଭୂତିର ଚାହାଁଣୀ,ଯିଏ ବେଶ୍ ନିଶ୍ଚିତ ହୋଇ ରହିଛି ତାହାର ନୂତନ ଆଉ ଅଧିକ ଦୃଢ ଏକ ଅନୁଗାମୀ ସଂପର୍କରେ।ଜଶୁଆ ଏହି ଚାହାଁଣୀକୁ ବୁଝି ପାରୁନଥାଏ।ତାହାର ହୃତସ୍ପନ୍ଦନ ଆହୁରି ବଢିଚାଲିଥାଏ।ଜୋରରେ ଖୁବ୍ ଜୋରରେ।
ବେଶ୍ ଧୀରେସୁସ୍ଥେ ଆଲୋଚନା କରିବା ସହିତ ଲିଭିଂଷ୍ଟୋନ୍ ଜଶୁଆର ଡାହାଣ ହାତଟିକୁ ନିଜ ହାତରେ ଉଠାଇ ଧରିଲେ ଆଉ ନିଜର ବାଆଁ ହାତରେ ତାହାର କାନ୍ଧକୁ ଆସ୍ତେ ଆସ୍ତେ ଥାପୁଡାଇ ଦେଲେ।ଭଗ୍ନ ହୃଦୟ ଆଉ ଅନୁତପ୍ତ ଆତ୍ମା ସଂପର୍କରେ ସେ ଗୁଣୁଗୁଣୁ କରି କ’ଣ କିଛି କହୁଥିଲେ।ଜଶୁଆ ନୀରବରେ ତାଙ୍କୁ ଚାହିଁ ରହିଥିଲା। “ଆସ,ଆମେ ପ୍ରାର୍ଥନା କରିବା”,ଅବଶେଷରେ କହିଥିଲି ଲିଭିଂଷ୍ଟୋନ୍।
ଜଶୁଆର ସ୍ତ୍ରୀ ଘର ଭିତରକୁ ପଶିବା ପରେ ଦେଖିଥିଲା ସେ ଦୁଇଜଣ ଗଭୀର ଉପାସନାରେ ମଗ୍ନ।ରୋଷେଇଘରକୁ ଫେରିଗଲାବେଳକୁ ସେ ଏହି ବିସ୍ମୟ ସହିତ ରହିଥିଲା ,ଏହା ଭିତରେ ଏମିତି କ’ଣ ଘଟିଗଲା!କେତେ ମିନିଟ୍ ପରେ ଯେତେବେଳେ ସେ ପୁଣିଥରେ ଏଇ ରୁମ୍ ଭିତରକୁ ଆସିଥିଲା ସେତେବେଳେ ଲିଭିଂଷ୍ଟୋନ୍ ମାକୁ ଗାଆଁର ସମସ୍ତଙ୍କର ସମସ୍ୟା ବିଷୟରେ କହିଚାଲିଥିଲେ।ସେହି ସମୟଟି ଏମିତି ଏକ ସମୟ ,ଯେତେବେଳେ ବର୍ଷା ଆସିଯାଇଛି ଆଉ ବିତିଗଲାଣି ମରୁଡି। ଗାଆଁରୁ।
ଜଶୁଆ ଶୁଣି ଚାଲିଥାଏ।
°°°°°

ଆଫ୍ରିକାରେ ଗୋଟିଏ ବହୁ ପ୍ରଚଳିତ ପ୍ରବାଦ ରହିଛି : ଯେତେବେଳେ ଜଣେ ବୟସ୍କର ମୃତ୍ୟୁ ହୁଏ ସେତେବେଳେ ବସ୍ତୁତଃ ପୋଡି ଛାରଖାର ହୋଇ ଯାଏ ଗୋଟିଏ ବିପୁଳ ଗ୍ରନ୍ଥାକାର।
ଏଇ କଥାକୁ ଆଜି ଉଲ୍ଲେଖ କରିବାର ଏକମାତ୍ର ଉଦ୍ଦେଶ୍ୟ ଯେ ଦୀର୍ଘ ଛଅ ଦଶକ ଧରି ନିଜର ବିସ୍ତୃତ ସାହିତ୍ୟକର୍ମର ମାଧ୍ୟମରେ କୃଷ୍ଣାଙ୍ଗ ସାହିତ୍ୟ ବିଶେଷରେ କେନିଆର ସାମାଜିକ ,ରାଜନୈତିକ ତଥା ସାଂସ୍କୃତିକ ରୂପାନ୍ତରକୁ ନିଜର କାହାଣୀ ଏବଂ ଚିନ୍ତନ-ଆଲେଖ ମାଧ୍ୟମରେ ବିଶ୍ୱର ପଟଳ ରେ ସୁଦୃଢ ତଥା ପ୍ରଭାବୀ ଭାବରେ ଉପସ୍ଥାପିତ କରିଥିବା ଆମର ଚର୍ଚ୍ଚିତ ଲେଖକ ଏନଗୁଗି ୱା ଥିଆଙ୍ଗୋ ୨୮ ମେ ୨୦୨୫ ଦିନ ପ୍ରାତଃ କାଳରେ ଯୁକ୍ତରାଷ୍ଟ୍ର ଆମେରିକାର ଆଟଲାଣ୍ଟା ଠାରେ ନିଜର ଇହଲୀଳା ସମ୍ବରଣ କରିଛନ୍ତି।
୮୭ ବର୍ଷ ବୟସରେ ଦେହାବସାନ ଘଟିଥିବା ଏହି ଲେଖକକୁ ତାହାର ଜୀବଦ୍ଦଶାରେ କାରାଗାର ,ନିର୍ବାସନ ଏବଂ ଅସୁସ୍ଥତା ନିଜର କବଳିତ କରିବାକୁ କଦାପି ସମର୍ଥ ହୋଇନାହିଁ। ତାଙ୍କର ବିୟୋଗରେ ସମସ୍ତଙ୍କ ମୁହଁରୁ ଗୋଟିଏ କଥା ସ୍ୱତଃ ଉଚ୍ଚାରିତ ହୋଇଛି : ଗୋଟିଏ ବାଓବାବ ଗଛର ପତନ ଘଟିଛି। ଆଫ୍ରିକୀୟ ମିଥ୍ ରେ ଦେଖିବାକୁ ଝଙ୍କାଳିଆ ଏହି ବାଓବାବ ଗଛଟିକୁ ସେମାନେ “ଓଲଟବୃକ୍ଷ” ବୋଲି ମନେ କରିଥାନ୍ତି।ସାହିତ୍ୟରେ ଗୋଟିଏ ଓଳଟବୃକ୍ଷର ପତନ ଯିଏ ଆକାଶରୁ ନିଜର ରସଦ ସଂଗ୍ରହ କରି ଭୂମୀମୁଖା ହୋଇଥାଏ ସେଇଭଳି ଜଣେ ଲେଖକର ଅବସାନ ଘଟିବ ନିଶ୍ଚିତ ଭାବରେ ଜନପକ୍ଷଧର ଲେଖନର ଏକ ବିପୁଳ କ୍ଷତି।
ପ୍ରଣାମ ” ଡିକଲୋନାଇଜେସନ୍ ଅଫ୍ ମାଇଣ୍ଡ ” ର ଲେଖକ ଏନଗୁଗି ୱା ଥିଆଙ୍ଗୋ, ପ୍ରଣାମ।
କୃଷ୍ଣାଙ୍ଗ ଲେଖକ ଏନଗୁଗି ୱା ଥିଆଙ୍ଗୋ ୧୯୩୮ ମସିହାରେ କେନିଆର ଲିମୁରୁ ରେ ଜନ୍ମଗ୍ରହଣ କରିଥିଲେ। ସେତେବେଳେ କେନିଆ ଥିଲା ବ୍ରିଟିଶ ଉପନିବେଶୀୟ ଶାସନର ଏକ ଅଂଶ ବିଶେଷ। କୃଷିକାର୍ଯ୍ୟ ସହିତ ଯୁକ୍ତ ଏକ ବୃହତ ପରିବାରରେ ତାଙ୍କର ଜନ୍ମ। ବ୍ରିଟିଶ ମିଶନାରୀମାନଙ୍କ ଦ୍ୱାରା ପରିଚାଳିତ ଏକ ବୋର୍ଡିଂ ସ୍କୁଲ୍ ରେ ତାଙ୍କର ପ୍ରାରମ୍ଭିକ ଶିକ୍ଷା। ସେଇ ବୋର୍ଡିଂସ୍କୁଲ୍ ରୁ ଦିନେ ଘରକୁ ଫେରିବାବେଳେ ସେ ଦେଖନ୍ତି ଯେ ତାଙ୍କର ପୂରା ଗାଆଁଟିକୁ ବ୍ରିଟିଶ ଉପନିବେଶୀୟ ଶାସନ ପୋଡି ଛାରଖାର କରି ଦେଇଛି। ସେତେବେଳେ ତାଙ୍କର ପରିବାରର ସଦସ୍ୟମାନେ ବ୍ରିଟିଶ ମାନଙ୍କ ବିରୁଦ୍ଧରେ ଆନ୍ଦୋଳନ କରିଥିବା କାରଣରୁ ଜେଲ୍ ରେ ବନ୍ଦୀ। ଏନଗୁଗି ସେମାନଙ୍କ ସହ ସାମିଲ ହୁଅନ୍ତି । ସେହି ଉପନିବେଶ ବିରୋଧୀ ଆନ୍ଦୋଳନର ନାଆ ଥିଲା “ମାଉ ମାଉ ” । ୧୯୫୨ ରୁ ୧୯୬୦ ପର୍ଯ୍ୟନ୍ତ ସେହି ଆନ୍ଦୋଳନର ପ୍ରଭାବ ଏନଗୁଗିଙ୍କ ଉପରେ ଦୀର୍ଘସ୍ଥାୟୀ ହୋଇ ରହିଥିଲା।
ତାହାପରେ ଏନଗୁଗି ଉଚ୍ଚତର ଅଧ୍ୟୟନ ପାଇଁ ଉଗାଣ୍ଡା ଚାଲି ଯାଆନ୍ତି । ସେଇଠି ପଢିବା ବେଳେ ତାଙ୍କର ଆଫ୍ରିକୀୟ ସାହିତ୍ୟର ଅନ୍ୟତମ କିମ୍ବଦନ୍ତୀ ଚିନୁଆ ଆଚିବିଙ୍କ ସହିତ ସାକ୍ଷାତ ହୁଏ ଆଉ ତାଙ୍କର ପ୍ରେରଣାରେ ସେ ରଚନା କରନ୍ତି ତାଙ୍କର ପ୍ରଥମ ଉପନ୍ୟାସ।
ପ୍ରଣାମ, “ୱିପ୍ ନଟ୍, ଚାଇଲ୍ଡ” ର ଲେଖକ,ଏନଗୁଗି ୱା ଥିଆଙ୍ଗୋ। ତାହାପରେ ସେ ରଚନା କରନ୍ତି “ଏ ଗ୍ରେନ୍ ଅଫ୍ ହ୍ୱାଇଟ୍ ” ଆଉ “ଦି ରିଭର୍ ବିଟୁଇନ”। ୧୯୭୨ ମସିହାରେ ଟାଇମ୍ ମ୍ୟାଗାଜିନ୍ ଉଲ୍ଲେଖ କରେ ଯେ, ୩୩ ବର୍ଷୀୟ ଏନଗୁଗି ହେଉଛନ୍ତି ଆଫ୍ରିକାର ଅନ୍ୟତମ ସମସାମୟିକ ଲେଖକ।
ଆରମ୍ଭରେ ଉପନିବେଶବାଦ ବିରୁଦ୍ଧରେ ସଂଗ୍ରାମ ଏବଂ ସତୁରୀ ଦଶକଠାରୁ ସ୍ୱାଧୀନ କେନିଆର ସ୍ୱୈରତନ୍ତ୍ରର ଏକନାୟକତ୍ୱର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିବା କାରଣରୁ ତଥା ଦରିଦ୍ର ଅବହେଳିତ ମଣିଷର ଆର୍ତ୍ତି ଓ ପ୍ରତିବାଦ ତାଙ୍କର କଥାସାହିତ୍ୟ ପ୍ରତିପାଦିତ ସ୍ୱର ହୋଇଥିବା
କାରଣରୁ ସେ ଅନେକ ଥର କାରାବରଣ କରିଛନ୍ତି। କେନିଆର ସ୍ୱୈରତାନ୍ତ୍ରିକତାର ବିରୁଦ୍ଧରେ ଲଅର୍ଥାତ୍ ୧୯୭୭ ପରଠାରୁ ସେ ଆଉ ଇଂରେଜୀ ଭାଷାରେ ନିଜର ଲେଖନ କର୍ମ କରି ନାହାଁନ୍ତି,ତାଙ୍କର ଲେଖାଲେଖି ର ମାଧ୍ୟମ ହୋଇଛି ତାଙ୍କର ମାତୃଭାଷା “ଗୁୟୁକୁ”।
ପ୍ରଣାମ ମାତୃଭାଷାରେ ଅର୍ଥାତ୍ ଗୁୟୁକୁ ଭାଷାରେ ଲିଖିତ ନିଜର ପ୍ରଥମ ଉପନ୍ୟାସ “ଡେଭିଲସ୍ ଅନ କ୍ରସ୍ ” ର ଲେଖକ ଏନଗୁଗିଙ୍କୁ। ଆଉ ସେହି ବିଶେଷ ବର୍ଷ ୧୯୭୭ ରେ ସେ ଯୁକ୍ତରାଷ୍ଟ ଆମେରିକାକୁ ଆତ୍ମନିର୍ବାସନରେ ଯାଆନ୍ତି। ସେ ସେଠାରେ କାଲିଫର୍ଣ୍ଣିଆ ବିଶ୍ୱବିଦ୍ୟାଳୟର ଇଂରାଜୀ ଓ ତୁଳନାତ୍ମକ ସାହିତ୍ୟର ପ୍ରଫେସର୍ ହିସାବରେ କର୍ମରତ ହୁଅନ୍ତି।
ଆଜି ବିଶ୍ୱସାହିତ୍ୟର ଏଇ ଅନ୍ୟତମ ପ୍ରମୁଖ ସାହିତ୍ୟିକଙ୍କର ଦେହାବସାନ ରେ ତାଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇବା ବେଳେ ଆମର ଦୃଷ୍ଟିକୁ ସର୍ବପ୍ରଥମେ ଯାହା ଆସିବ ତାହା ହେଉଛି ଗତ କିଛି ବର୍ଷ ଧରି ସାହିତ୍ୟର ସର୍ବୋଚ୍ଚ ନୋବେଲ ପୁରସ୍କାର ପାଇଁ ତାଙ୍କର ନାଆଁ ଚର୍ଚାରେ ରହିଆସୁଥିଲା,ହେଲେ ଅନ୍ୟାନ୍ୟ ସର୍ବକାଳୀନ ଶ୍ରେଷ୍ଠଙ୍କ ଭଳି ସେ ତାହାର ପ୍ରାପକ ହେବା ଆଗରୁ କାଳର କବଳିତ ହୋଇଗଲେ।
ଏନଗୁଗି ଙ୍କ ଦକ୍ଷତା ମୂଖ୍ୟତଃ ତାଙ୍କର ଉପନ୍ୟାସରେ ନିହିତ । ତାଙ୍କର ଶେଷ ଉପନ୍ୟାସଟିର ନାଆଁ “ୱିଜାର୍ଡ ଅଫ୍ ଦି କ୍ରୋ”।ଏହି ଉପନ୍ୟାସଟି ଏକ କଳ୍ପିତ ସାଧାରଣତନ୍ତ୍ର ଆବୁବେରିଆର ସ୍ୱୈରାଚାରୀ ଏକଛତ୍ରାଧିପତି ଶାସନକର୍ତ୍ତାଙ୍କ ଜୀବନଯାପନକୁ ନେଇ ଏକ ବିଚିତ୍ର ରୂପକ ଉପନ୍ୟାସ। ସେଇ ଶାସକ ଜଣକ ଏକ ଅଦ୍ଭୁତ ଅସୁଖ ଭୋଗୁଥାଏ ,ପ୍ରତିଦିନ ତାହାର ଅବୟବରେ ବେଶ୍ କିଛି ଇଞ୍ଚ ବୃଦ୍ଧି ହେଉଥାଏ ଆଉ ତାହାର କହିବା କଥା ସେତିକି ସେତିକି କମ୍ ହେବାକୁ ବସୁଥାଏ।
ଶେଷରେ ଦୁଇଟି ତଥ୍ୟ ସହ ଏହି ଦିବଂଗତ ପ୍ରିୟ ଲେଖକ ସଂପର୍କୀତ ଏଇ ସ୍ମରଣାଲେଖ ର ଶେଷ।
ପ୍ରସିଦ୍ଧ ଭାରତୀୟ ଜନପକ୍ଷଧର କବି ଏବଂ ଜନକର୍ମୀ ଶ୍ରୀଯୁକ୍ତ ବାରବାରା ରାଓଙ୍କର କାରାଗାରକାଳୀନ ଚିନ୍ତନ ପୁସ୍ତକ “ପ୍ରିଜନ ନୋଟ୍” ର ଏକ ସୁନ୍ଦର ମୁଖବନ୍ଧ ଲେଖିଛନ୍ତି ଏନଗୁଗି ୱା ଥିଆଙ୍ଗୋ।
ସୁବିଧା ହେଲେ ପଢିବେ।
ଏବଂ ଆପଣମାନେ କଳ୍ପନା କରନ୍ତୁ ଏପରି ଦୃଶ୍ୟଟିଏ :
ଏନଗୁଗିଙ୍କର ଗୋଟିଏ ସାନଭାଇ ଥିଲା, ନାଆଁ ତା’ର ଥିଲା ଗିତୋଗୋ। ଗିତୋଗୋ ଦିନେ ଆଗେ ଆଗେ ଯାଉଥାଏ ଆଉ ତାହାଠାରୁ ଟିକିଏ ପଛରେ ରହିଥାଏ ଜେମସ୍,ଏନଗୁଗିଙ୍କର ସେଇଟି ଥିଲା ଶୈଶବର ନାଆଁ । ସେତିକିବେଳେ ପଛରୁ ଜଣେ ବ୍ରିଟିଶ ଉପନିବେଶୀୟ ସୈନିକ ଗିତୋଗୋକୁ ଅଟକି ଯିବାପାଇଁ ନିର୍ଦ୍ଦେଶ ଦିଏ। ଗିତୋଗୋ କିନ୍ତୁ ସେଇ ନିର୍ଦ୍ଦେଶକୁ ମାନି ନଥିଲା ,ଆଗକୁ ଆଗକୁ ମାଡିଚାଲିଥିଲା ସେ, ଯେମିତି କିଛି କେଉଁଠି ଘଟିନାହିଁ। ବ୍ରିଟିଶ ସୈନିକ ଏଇ ବର୍ବର ମେଞ୍ଚଡ କୃଷ୍ଣାଙ୍ଗ ବାଳକର ଅସମ୍ମାନ କୁ ସହ୍ୟ କରିନେବ କେମିତି ?
ସେ ପଛପଟରୁ ଗୁଳି କରେ ଆଉ ଆଗକୁ ମୁହଁମାଡି ଭୂଇଁରେ ଟଳିପଡେ ଗିତୋଗୋ।
ପଛରେ ଆସୁଥିବା ଏନଗୁଗି ଦୌଡିଯାଇ ତାହାର ସାନଭାଇକୁ ଭୂଇଁରୁ ଉଠାଇ ନିଏ । ଆଉଁଷି ଦିଏ ତାହାର ପ୍ରାଣହୀନ ଦେହଟିକୁ ।
ଆହା ! ଗିତୋଗୋ ଯେ ଜନ୍ମରୁ ଶ୍ରବଣବାଧିତ ଏକଥା ସେ ଦୂରନ୍ତ ସୈନିକ ଜାଣି ନାହିଁ।
ଏମିତି ଏକ ଅପାଶୋରା ଦୃଶ୍ୟ ଏବଂ ତାହା ସହିତ ନିଜର ବିକଶିତ ହୋଇଚାଲିଥିବା ଅତ୍ୟାଚାରିତର ତାତ୍ତ୍ୱିକତାରେ ପରିପୁଷ୍ଟ ବିଚାର ଜଣକୁ ଶେଷ ଯାଏଁ ରକ୍ତକ୍ଷୟୀ ଲେଖକ କରି ରଖିବା ନିଶ୍ଚିତ।
°°°°°