ମୂଳ ରଚନା : ବାନୁ ମୁଶତାକ ।। ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ
ଖରାଛୁଟି ହେଲେ ମାଆ ମାନେ ଯେଉଁ ସମସ୍ୟାର ସାମ୍ନା କରିଥାନ୍ତି ତାହାର ଅନ୍ତ ବୋଇଲେ କିଛି ନାହିଁ। ସବୁପିଲାଏ ସେତିକିବେଳେ ଘରେ; ଯଦି ସେମାନେ ଟିଭି ଆଗରେ ନାହାଁନ୍ତି,ତାହେଲେ ସେମାନେ ସାମ୍ନା ଅଗଣାର ପିଜୁଳି ଗଛର ଡାଳରେ ଅବା ଘରର କମ୍ପାଉଣ୍ଡ କାନ୍ଥର ଉପରେ,ଆଉ ସେମାନଙ୍କ ଭିତରୁ ଯଦି କେହି ଜଣେ ତଳକୁ ଖସିପଡିବ, ହାତଗୋଡ ଭାଙ୍ଗି ବସିବ ? ହେଲେ ଏଇଟି ସେପରି ନୁହଁ,ନା : ଏହା ହେଉଛି କାନ୍ଦ, ଫାଟିପଡୁଥିବା ହସ, ଦଣ୍ଡପ୍ରଦାନର କଥା, ସେଇ ପ୍ରକାରର ଦଣ୍ଡ ଦିଆଯାଇଥାଏ ଯାହା ବହୁତ କମ ଲୋକଙ୍କୁ ଗୋଚର, ଭିନ୍ନ କେଉଁ ଜଗତର ଦଣ୍ଡ ସେ। ସେଇଥିପାଇଁ ଖରାଛୁଟି ଆରମ୍ଭ ହେବା ମାନେ ରେଜିୟାର ମୁଣ୍ଡ ବିନ୍ଧାର ଆରମ୍ଭ। କପାଳର ଦୁଇପଟରୁ ଶିରା ଦୁଇଟି ତାହାର ଟକମକ କରେ, ମଥାଟି ଏପରି ଗରମ ଯେ ଲାଗିବ ସେଇଟି ଯେମିତି ଆଉ ଟିକକରେ ଫାଟିପଡିବ ଆଉ ବେକଦଣ୍ଡାରେ ଯେଉଁ ଶିରା ରହିଛି ତାହା ଯେମିତି ଆଉ କୁଆଡକୁ ହଠାତ୍ ଖସି ଯିବାର ଫିରାକ ଖୋଜୁଛି। ସେମାନେ ଆସନ୍ତି, ଜଣକ ପରେ ଜଣେ ,ଅଭିଯୋଗ ପରେ ଅଭିଯୋଗ ଆଉ ଅଭିଯୋଗଗୁଡିକର ମଝିରେ ଚିତ୍କାର ଆଉ କାନ୍ଦ।ଆଉ ତାହାପରେ ସେମାନେ ସେହି ପ୍ରକାରର ଖେଳ ଖେଳନ୍ତି .. ବାପରେ …ଖଣ୍ଡାରେ ଯୁଦ୍ଧ, ମେସିନ୍ ଗନ୍, ବୋମା ମାଡ ।
“ଯଥେଷ୍ଟ ହୋଇଛି” ସେ ଭାବିଲା,ସେତେବେଳେ ସେ ହଲଘରେ ଥିବା ଡିଭାନ ଖଟରେ ଶୋଇ ରହିଛି,ଖଣ୍ଡିଏ ଗାମୁଛାରେ ତାହାର କପାଳ ଚାରିପଟକୁ ଜୋର୍ ରେ ଭିଡି ଧରିଛି। ସେ ଏଇଲେ ଆଉ କୌଣସି ପାଟିତୁଣ୍ଡକୁ ସହ୍ୟ କରିବା ଭଳି ଅବସ୍ଥାରେ ନାହିଁ। ଟିଭିଟା ତଥାପି ଚାଲୁଛି ,ତାହାର ଭଲ୍ୟୁମ ଯଥେଷ୍ଟ କମ୍।ସେ ଗୋଟିଏ ଦୃଢ ନିର୍ଦ୍ଦେଶ ସତର୍କ ଆକାରରେ ଦେଇଛି ଆଉ ସେଥିରେ ସେ ହାଲୁକା ହୋଇଯିବ ବୋଲି ଆଶା ରଖିଛି,ଗୋଡହାତକୁ ଟିକିଏ ଖେଳାଇ ନେଉଛି ସେତିକି ବେଳେ ସେ ଚିତ୍କାରଟି ଶୁଣିବାକୁ ପାଏ।”ଦାଦୀମା ଦାଦୀମା ,ମୋତେ ସେ ଚିମୁଟି ଦେଇଛି।” ତାହାପରେ ତାହାର ରାଗର ସୀମା ରହେନାହିଁ, ଆଉ ସେ ଉଠି ଠିଆ ହୁଏ,ମନେ ମନେ ସେମାନଙ୍କୁ ଶାପଶାପାନ୍ତରେ ପୋତି ପକାଉଥାଏ।

ଠିକ୍ ଯେମିତି ସେ ଭାବିଛି,”ଏଇଠେ ଛଅଟା ବଦମାସ ଥିଲେ ଆଗରୁ, ପ୍ରତି ଦିଅରଙ୍କ ର ଦୁଇ ଦୁଇ..ତିନ ତିନ.. ସେମାନେ ସମସ୍ତେ ଛୁଟି କଟାଇବା ପାଇଁ ଏଇଠି ଆଉ ମୋ ସାନଭଉଣୀର ପିଲାମାନେ ବି ଏଇଠି,ମୁଁ ସେଥିରେ ଆଉ କ’ଣ କରିବି,ହେ ଭଗବାନ !” ତାହାର ସ୍ୱାମୀ ଲତିଫ ଅହମଦ ଘରର ଭିତରକୁ ଆସନ୍ତି। ନିଜ ପତ୍ନୀର ଏଇ ଦୁରାବସ୍ଥାକୁ ଦେଖି ସେ ବେଶ୍ ସତର୍କ ହୋଇ ପଡନ୍ତି,ସେ ଦେଖିଛନ୍ତି ପିଲାମାନଙ୍କ ପ୍ରତି ସବୁବେଳେ ତା’ର ଆଲର୍ଜି। ପ୍ରଥମରେ ସେଇ ପୁରୁଣା ମୁଣ୍ଡ ବିନ୍ଧା,ଆଉ ତାହାପରେ ପିଲାଏ ତାଙ୍କର ପାଟିତୁଣ୍ଡରେ ତାହାର ଅସୁବିଧା ଉପରେ ଲୁଣ ଛିଟା ପକାଉଛନ୍ତି ,ସେ ଭାବିଲା, ସମସ୍ତଙ୍କୁ ଚାରିପଟରୁ ଦେଖିବା ପରେ ସେଇ ଯେତେକ ଅସୁବିଧା ସବୁକୁ ଏକ ଦୁଇ କରି ଗଣିବସିଲେ, ସବୁମିଶି ଅଠର ଜଣ ପିଲା ,ଆଉ ସମସ୍ତଙ୍କର ବୟସ ତିନି ବର୍ଷରୁ ବାର ବର୍ଷର ଭିତରେ।
ରେଜିୟା ତାହାର ମୁହଁ ଖୋଲିବା ଆଗରୁ, ଯେମିତି ସେମାନଙ୍କୁ ଜୋରଦାର ଗାଳି ଦେଉଛି ( ଏଇ,ତମେ ସମସ୍ତେ ଚୁପ୍ ହୋଇ ବସ, ଯିଏ ପାଟି କରିବ ତାହାକୁ ମୁଁ କିଛି ଦେବିନି) ହୁସେନ ପଛପଟୁ ବଗିଚାରୁ ଆସି ପହଞ୍ଚିଛି , ସାଥିରେ ତା’ର ରହିଛି ଝୁଡିଏ ଆମ୍ବ । ଯେତେବେଳେ ପିଲାଏ ପାଟି କରନ୍ତି ଆଉ ସେଇ ଝୁଡିଟିର ଉପରକୁ ଡିଆଁ ମାରିବାର ଚେଷ୍ଟା କରନ୍ତି ,ଏଥର ଏଇଟି ହେଉଛି ହୁସେନର ଭୟଭୀତ ହେବାର ପାଲା। ଲତିଫ୍ ଅହମଦ ତାହାର ପତ୍ନୀର ଅସହାୟ ମୁଖମଣ୍ଡଳକୁ ଘଡିଏ ଦେଖେ ଆଉ ଗୋସଲଖାନା ଆଡକୁ ଆଗେଇ ଯାଏ।ନିଜର କଷ୍ଟକୁ ସହ୍ୟ କରି ନପାରି ରେଜିୟା ତାହାର ହାତ ପାହାନ୍ତାରେ ଥିବା ଗୋଟିଏ ଦିଇଟି ପିଲାଙ୍କୁ ଧରିପକାଏ ଆଉ ସେମାନଙ୍କୁ ପିଟିବାକୁ ଲାଗେ। ସାମ୍ନାରେ ଗୋଟିଏ ଗ୍ରୀଷ୍ମକାଳର ଯାତନାର ବିସ୍ତାରକୁ ଦେଖିବା ପରେ ଆଉ କୌଣସି ବାଟ ନପାଇ ଶେଷରେ ଯେମିତି ହେଉ ପଛକେ ସେମାନଙ୍କ ଭିତରୁ କିଛିଙ୍କୁ ଅନ୍ତତଃ ଶେଜରେ କିଛିଦିନ ଶୁଆଇ ରଖିବା ଭଳି ବାଟକୁ ସେ ପାଞ୍ଚେ। ଖତନା ହେଉଛି ସେଇ ବାଟ , ସେ ନିର୍ଦ୍ଦିଷ୍ଟ କରେ । ଯଥାଶିଘ୍ର ଖତନା କାମଟାକୁ ସାରିବାକୁ ହେବ।
ତାହାର ହିସାବ ଅନୁସାରେ,ଅଠର ଜଣକ ଭିତରୁ ଆଠ ଜଣ ଝିଅ। ସେମାନଙ୍କୁ ବାଦ୍ ଦେବାକୁ ହେବ। ବାକି ଦଶଜଣଙ୍କ ଭିତରୁ ଚାରି ଜଣଙ୍କର ଯୋଡା ବୟସ ଚାଲିଛି, ଆଠ, ଛଅ , ଚାରି ଏମିତି, ତେଣୁ ଏଇ ଟିକି ଦାନବମାନେ ବି ବାଦ ପଡିଯିବେ । ଲତିଫ ଅହମଦ ତାହାର କଥାକୁ ବିନା ପ୍ରତିବାଦରେ ମାନିନେଲା ଯେ,ବାକି ଛଅଜଣଙ୍କର ଖତନା ଏହା ଭିତରେ କରାଯିବ।
ଡିଷ୍ଟ୍ରିକ୍ଟ ସେଣ୍ଟରରେ ସେମାନଙ୍କ ପରିବାର ଗୋଟିଏ ସ୍ୱଚ୍ଛଳ ପରିବାର। ଯଦିଓ ଅଧ ଡଜନରୁ ଅଧିକ ଲତିଫ୍ ର ଭାଇମାନେ ସରକାରୀ ଚାକିରୀରେ ନିଯୁକ୍ତ ଅଛନ୍ତି ଆଉ ବାହାରେ ରହୁଛନ୍ତି, ପରିବାରର ଜ୍ୟେଷ୍ଠ ହିସାବରେ ପରିବାର ର ସମସ୍ତ କାମଗୁଡିକ ଲତିଫ ର ଘରେ ହିଁ ସଂପନ୍ନ ହୋଇଥାଏ । ଏହିସବୁ ପାରିବାରିକ ଆୟୋଜନରେ ହେଉଥିବା ଖର୍ଚ୍ଚ କୁ ନେଇ ରେଜିୟାର ଆପତ୍ତି କେବେ ନାହିଁ। ସେ ମନେକରେ ଏସବୁ ତାହାର କର୍ତ୍ତବ୍ୟର ପରିସର ଭିତରେ ନିଶ୍ଚୟ ଆସୁଛି। ଆଉ ଏକଥା ଯେ ଖତନା ପାଇଁ ଯୋଗ୍ୟ ଛଅଜଣ ବାଳକଙ୍କ ଭିତରୁ ଦୁଇଜଣ ତାହାର ସାନ ଭଉଣୀ ର ପିଲା,ତାହାର ଭାରି ଆପଣାର।
ତାହାର ନିର୍ଦ୍ଦେଶକ୍ରମେ ଆୟୋଜନ ଯଥାରୀତି ଆରମ୍ଭ ହେଲା। କେତେ ମିଟର ଲାଲ ରଙ୍ଗର କପଡା କିଣା ହୋଇ ଆସିଲା । ଏପରିକି ସବୁ ପିଲାଏ ଦୋଦାଆମ୍ମାକୁ ଏହାର ପ୍ରସ୍ତୁତିରେ ସହଯୋଗ କରିବାକୁ ଲାଗିଲେ। ସେ ସେଇ କପଡାକୁ କାଟି ମାପ ଅନୁସାରେ ଲୁଙ୍ଗି ତିଆରି କରେ। ଝିଅ ମାନଙ୍କର ଏଣେ ଅନେକ କାମ,ଲୁଙ୍ଗିର ଗୋଲେଇ ଉପରେ ଚୁନି ଲଗାଇବା ଆଉ ଚୁନିର ଚାରିପାଖରେ ଚିତ୍ର ଆଙ୍କିବା ,ଏପରି ଅନେକ କାମ,ହେଲେ ଛଅଜଣ ପିଲାଙ୍କ ପାଇଁ ଲୁଙ୍ଗି ସିଲେଇ ବେଳେ ସେଇ ସେଇ ଲାଲ ରଙ୍ଗର କପଡାର ଥାନଟି ପୂରା ଲାଗିଲା ନାହିଁ । ଅନେକ କପଡା ବଳି ପଡିଲା।ଏଇ ବଳକା କପଡାକୁ ନେଇ କ’ଣ କରାଯିବ ଯେତେବେଳେ ସେ ଏଇ କଥାଟିକୁ ଭାବି ବସେ,ଗୋଟିଏ ସମାଧାନର ବାଟ ଆସିଥିଲା। “ଆରେ , ଆମର ରୋଷେଇ କରୁଥିବା ଅମିନା ର ପୁଅ ଆରିଫ୍ ଅଛି – ଆମର ବୋଲ ହାକ ଯିଏ କରୁଛି ତାହାର ପୁଅ ଫରିଦ ବି ଅଛି – ଚାଲ ଆମେ କିଛି ଗରିବଘରର ପିଲାଙ୍କର ଖତନା କରିଦେବା”, ରେଜିୟାର ମନକୁ ଏପରି କଥା ଆସିଥିଲା,ଆଉ ମନକୁ ଏପରି ବିଚାର ଆସିଯିବା ସାଙ୍ଗେ ସାଙ୍ଗେ ସେ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ତୁରନ୍ତ ଲାଗିଯାଏ ।

ସହରରେ ଥିଲା ପାଞ୍ଚୋଟି ମସଜିଦ: ଜାମିଆ ମସଜିଦ୍,ମସଜିଦ୍-ଏ-ନୂର, ଆଉ ଅନ୍ୟାନ୍ୟ। ଶୁକ୍ରବାରର ନମାଜ ପରେ ଏଇ ସବୁ ମସଜିଦ ର ସେକ୍ରେଟାରୀମାନେ ହାତରେ ମାଇକ୍ ଧରିଥିଲେ ଆଉ ବାର୍ତ୍ତାଟିକୁ ସବୁଆଡେ ପଠାଇ ଦେଇଥିଲେ।
“ଲତିଫ ଅହମଦ ସାହେବ,ପରବର ଦିଗାର ଆଲ୍ଲାହଙ୍କ ନିକଟରେ ସମର୍ପଣ ଉଦ୍ଦେଶ୍ୟରେ ଆସନ୍ତା ଜୁମ୍ମା ବାରର ଅପରାହ୍ନ ନମାଜ ଶେଷ ପରେ ଏକ ସାମୂହିକ ସୁନ୍ନତ-ଏ-ଈବ୍ରାହୀମ ର ଆୟୋଜନ କରୁଛନ୍ତି । ଯେଉଁମାନେ ଏଥିରେ ଆଗ୍ରହୀ ସେମାନେ ନିଜନିଜର ନାମକୁ ଅଗ୍ରୀମ ତାଲିକାଭୂକ୍ତ କରିବା ନିମନ୍ତେ ଏତଦ୍ଦ୍ୱାରା ସୂଚନା ଦିଆଗଲା।”
ସେମାନେ ଲୋକମାନେ ଯେମିତି କୁହାକୁହି ହୋଇଥାନ୍ତି ସେମିତି “ଖତନା” ବୋଲି କହିପାରିଥାଆନ୍ତେ। ଯେହେତୁ ଏଇ ସବୁ ଶବ୍ଦ ଗୋଟିଏ ଉଚ୍ଚ ସ୍ଥାନରୁ ମାଇକ ରେ କୁହାଯାଉଥିଲା ତେଣୁ ଏହା ଔପଚାରିକ ହେବା ଆବଶ୍ୟକ,ତେଣୁ ମସଜିଦ୍ ର ସେକ୍ରେଟାରିମାନେ ଏହାକୁ ପୟଗମ୍ବର ଈବ୍ରାହିମ୍ ଙ୍କ ଏକ ଉତ୍ସବ ବୋଲି କହି ନାହାଁନ୍ତି। ମାତ୍ର ପୟଗମ୍ବର ଈବ୍ରାହିମ ଙ୍କ ଉତ୍ସବ ଆଉ ସୁନ୍ନତ-ଏ-ଈବ୍ରାହୀମ ଉଭୟର ଅର୍ଥ ଏକ : ଏହାର ଅର୍ଥ ଏହା ଏକ ସାମୁହିକ ଉତ୍ସବ ଯେଉଁଠିକୁ ପିଲାଏ ଅତ୍ୟନ୍ତ ଖୁସିର ସହିତ ଆଗଭର ହେବାର ଦେଖାଯାଇଥାଏ ଆଉ ସେମାନଙ୍କର ବଡପାଟିରେ ଚିତ୍କାର କରିବାରେ ହିଁ ଏହାର ଶେଷ।
ରେଜିୟା ଯେମିତି ଅନୁମାନ କରୁଥିଲା ସେଇଭଳି ସବୁ ଘଟେ। ସଂଖ୍ୟାରେ ଅନେକ ଗରିବ ଲୋକ ଆସିଥିଲେ ଆଉ ସେମାନଙ୍କର ପିଲାମାନଙ୍କର ନାଆଁକୁ ତାଲିକାରେ ଦର୍ଜ କରାଇଥିଲେ। ରେଜିଆ କପଡାର ଥାନରୁ ଲୁଙ୍ଗି ପରେ ଲୁଙ୍ଗି କାଟି ଚାଲିଥାଏ । ପରିବାରର ପିଲାଙ୍କ ପାଇଁ ତିଆରି ଲୁଙ୍ଗିରେ କିନ୍ତୁ ଚୁନି ଆଉ ଜରି ଲଗାଯାଉଥିଲା, ଅନ୍ୟମାନଙ୍କର ଲୁଙ୍ଗି କିନ୍ତୁ ଥିଲା ଖାଲି ଲାଲ ରଙ୍ଗର । ତା’ର ପୁଅ ସମଦ ର ଲୁଙ୍ଗିରେ ଏତେ ଚୁନି ଲାଗିଥିଲା ଯେ କେହି ତାହାର କପଡାର ରଙ୍ଗ ଅସଲରେ କ’ଣ ଥିଲା ସେକଥା ଜାଣିପାରୁନଥିଲେ। ବସ୍ତା ଭର୍ତ୍ତି ଗହମ ଆଉ ବସ୍ତା ଭର୍ତ୍ତି ଶୁଖିଲା ନଡିଆର ଶସକୁ ଅଣାହେଲା। ଘରର ପିଲାଙ୍କ ପାଇଁ ଗାଈର ଦୁଗ୍ଧରୁ ପ୍ରସ୍ତୁତ ବିଶୁଦ୍ଧ ଦେଶି ଘିଅ , ପେସ୍ତାବାଦାମ, କିସମିସ ଆଉ ଖଜୁର ବି ଅଣାଯାଇଥିଲା।

ପିଲାମାନେ କିନ୍ତୁ ଅଦ୍ଭୁତ ଭାବରେ ଉତ୍ସାହୀ, ସେମାନଙ୍କର ଭିତରେ ଟିକିଏ ବୋଲି କ୍ଳାନ୍ତି ନାହିଁ, ସମସ୍ତେ ଆନନ୍ଦରେ ମସଗୁଲ୍, ଚାରିଆଡେ ପର୍ବ ପର୍ବର ମିଜାଜ । ସେମାନେ ଜାଣିପାରିବା ପୂର୍ବରୁ ଶୁକ୍ରବାର ଆସେ। ସେଦିନର ଅପରାହ୍ନର ନମାଜ ଯେମିତି ସରିଛି ଲତିଫ ଅହମଦ ନିଜର ଦ୍ୱିପହରର ଖାଇବା ଶେଷ କରେ ଆଉ ମସଜିଦ୍ ର ପରିସରକୁ ଲାଗି ଥିବା ଜାଗାରେ ଆସି ପହଞ୍ଚିଯାଏ । ଆଗରୁ ଗୁଡାଏ ଲୋକ ଆସି ସେଇଠି ଭୀଡ କରିଛନ୍ତି; ସେଇ ବାପାମାଆମାନେ ନିଜର ପିଲାମାନଙ୍କୁ ସାଥିରେ ଧରି ଆସିଛନ୍ତି ,ସେଇ ପିଲାମାନଙ୍କର ଏବେ ଖତନା ହେବ, ସେମାନେ ସବୁ ଏଇଲେ ଧାଡିବାନ୍ଧି ଛିଡା ହୋଇଛନ୍ତି । ଦଳେ ଯୁବକ ସ୍ୱେଚ୍ଛାସେବୀ ହିସାବରେ କାମରେ ଭାରି ବ୍ୟସ୍ତ। ସେମାନେ ସଭିଏଁ ପିନ୍ଧିଛନ୍ତି ଧଳା ରଂଗର ସାଲୱାର ଆଉ ଧଳା ରଂଗର ଶେରୱାନୀ ,ମଥାରେ ସେମାନଙ୍କର ରହିଛି ଧଳାରଙ୍ଗର ଟୋପି ଅଥବା ଭିଡା ହୋଇଛି ଧଳାରଂଗର କପଡା। ଯେହେତୁ ସେମାନେ ଆଜିର ଜୁମ୍ମାବାରରେ ଭଲ ଭାବରେ ସ୍ନାନ ସାରି ପରିଷ୍କାର ପରିଚ୍ଛନ୍ନ ହୋଇ ମସଜିଦକୁ ଆସିଛନ୍ତି ତେଣୁ ସଭିଏଁ ଭାରି ସତେଜ ଦିଶୁଛନ୍ତି। ଅନେକଙ୍କ ଆଖିରେ ସୁରମା ଲାଗିଛି ଆଉ କାନସନ୍ଧିରେ ରହିଛି ଅତର ଭିଜା ତୁଳା ,ତେଣୁ ଆଖପାଖ ଅଞ୍ଚଳ ଭରପୂର ବାସ୍ନାରେ ମହକି ଯାଉଛି।
ସବୁ ବ୍ୟବସ୍ଥା କରାଯାଇଥିଲା ଯେ ପାଖ ମଦ୍ରାସାର ଭିତରେ ଖତନା କରାଯିବ। ଈବ୍ରାହୀମ, ଦେଖିବାକୁ ଜଣେ କୁସ୍ତିଗୀର, ଆଜି ଦିନର ବିଶେଷ ଅତିଥି। ପିନ୍ଧା ଜୁବା ର ଭିତରେ ତାହାର ବାହା ଦୁଇଟିର ପେଣ୍ଡା ଫୁଲି ଦିଶୁଛି । ଖତନା କରିବା ହେଉଛି ତାହାର ପାରମ୍ପରିକ ବୃତ୍ତି, ହେଲେ ବାକିତକ ସମୟ ସେ କ୍ଷୌରକାର୍ଯ୍ୟ କରିଥାଏ। ମଦ୍ରାସାର ବର୍ଦ୍ଧିତ ହଲଘରଟିରେ ସେ ତାହାର ଆନୁସଙ୍ଗିକ ପ୍ରସ୍ତୁତିପର୍ବରେ ବ୍ୟସ୍ତ । ସେ ତରତର ହୋଇ ବ୍ରୋଞ୍ଜ ନିର୍ମିତ କଳସୀ ଯାହାକୁ କନ୍ନଡ ଭାଷାରେ ବିନ୍ଦିଙ୍ଗ ବୋଲି କୁହାଯାଏ ତାହାର ମୁହଁକୁ ତଳକୁ କରି ରଖିଥିଲା। ଏଇ ଭଳି ଉତ୍ସବ ପାଇଁ ସେ ଏଇ ବିନ୍ଦିଙ୍ଗକୁ ସାଥିରେ ଧରି ଆସିଛି। ରେଜିୟା ଅମିନାକୁ ଲଗାଇ ସେଇ ବିନ୍ଦିଙ୍ଗକୁ ଖଟା ତେନ୍ତୁଳି ପାଣିରେ ଥର ଥର କରି ଦୁଇଥର ଘଷି ଚକମକ କରିଦେଇଛି। ତାହାରି ପାଖରେ ଚଟାଣ ଉପରେ ଗୋଟିଏ ଥାଳିରେ ରହିଛି ଅତି ମୁଲାୟମ ଭାବରେ ଛାଣି କି ଅଣାଯାଇଥିବା ଥାଳିଏ ପାଉଁଶ।
ଈବ୍ରାହୀମ ଯେଉଁ ପର୍ଯ୍ୟନ୍ତ ସେ ସନ୍ତୁଷ୍ଟ ହୋଇନାହିଁ ସେଇ ପର୍ଯ୍ୟନ୍ତ ସେ ସମସ୍ତ ପ୍ରସ୍ତୁତି ପର୍ବକୁ ଅନୁଧ୍ୟାନ କରୁଥାଏ। ତାହାର ହାତ ତ ନିହାତି ଅଭିଜ୍ଞ ହାତ । ତାହାର ହାତରେ ଥିବା ଛୁରୀଟି ତଳକୁ ଖସିଆସିଲା ମାନେ ଜାଣିହେବ ଯେ , ଖତନା କାମଟି ଖୁବ ଭଲଭାବରେ ସଂପନ୍ନ ହୋଇଛି ଆଉ ଏହା ବିନା ସଂକ୍ରମଣରେ ଯଥାଶିଘ୍ର ଶୁଖିଯିବ । ସ୍ଥାନଟି ବିଷରପି ନଯିବାର ଖ୍ୟାତି ତା’ ସହିତ ସବୁବେଳେ ବଳବତ୍ତର ରହିଛି । ମଦ୍ରାସାର ସେଇ ହଲଘରର ଆଉ ଗୋଟିଏ କୋଣରେ ଦଳେ ଯୁବକ ଗୋଟିଏ ବଡ ଜାମଖାନା ବା ଦରିକୁ ତଳେ ବିଛାଇଦେଇଛନ୍ତି ଆଉ ତାହାରି ଉପରେ ବସି ନିଜର ମୁହଁରୁ ବ୍ରଣକୁ ଚିପି ସଫା କରିବାରେ ଲାଗିଛନ୍ତି। ଈବ୍ରାହୀମ ଏଇ ସବୁକୁ ଆଉ ଥରେ ଭଲଭାବରେ ପରୀକ୍ଷା କରିନେଲା ଆଉ ଉଠି ଆସ୍ତେ ଛିଡାହୋଇଗଲା। ସେ ତାହାର ପକେଟରୁ ଖଣ୍ଡିଏ କ୍ଷୁର ବାହାର କଲା,ନିଜର ବାଆଁ ହାତର ପାପୁଲି ଉପରେ ତାହାକୁ ପରସ୍ତେ ଏପଟ ସେପଟ ନକଲ ଭାବରେ ଘଷି କହିଲା, ” ଜଣକ ପରେ ଜଣକୁ ଏଠିକି ଆଣ ।”
ତାହାର ପାଖରେ ଛିଡା ହୋଇଥିଲା ଜଣେ ସ୍ୱେଚ୍ଛାସେବୀ,ତାହାର ନାଆଁ ଆବାସ,ଭାରି ସତେଜ ଦେଖାଯାଉଥାଏ,ସେ ନିଜକୁ ଆଉ ସମ୍ଭାଳି ରଖି ପାରିଲା ନାହିଁ ,କିଛି ନଭାବି ହଠାତ୍ ବଡପାଟିରେ କହି ଉଠିଲା, ” ତମେ ଯଦି ମୋତେ ଏଇ କ୍ଷୁର ପଟକ ଦେବ ,ମୁଁ ତା’କୁ ଖୁବ ଶିଘ୍ର ବିଶୋଧନ କରି ତମକୁ ନିଶ୍ଚୟ ଫେରାଇଦେବି । ମୁଁ ଭାବୁଛି ଏହାକୁ ପ୍ରଥମେ ଡେଟଲ୍ ଲଗାଇ ବିଶୋଧନ କରାଯାଇପାରିବ।” ଆବାସକୁ ତେରଛା ଚାହିଁ ଈବ୍ରାହୀମ ହଠାତ୍ ବୁଝିଗଲା ଯେ ଏଇ ପିଲାଟାର ମଗଜ ନିଶ୍ଚେ କୌଣସି ଏକ କଲେଜର ପାହାଚ ଚଢିଛି। ସେ ଦ୍ୱେଷର ସହିତ ଆବାସକୁ ଚାହିଁଲା,ସେଇ ଚାହାଁଣୀରେ ରହିଥିଲା ଯେଉଁ ଚାହାଁଣୀ ଯାହା ମୂଷାଜାତୀୟ କ୍ଷୟକାରୀ ଜୀବପ୍ରତି ଆଗରୁ ଯେମିତି ସଂରକ୍ଷିତ ହୋଇ ରହିଥିଲା ଆଉ ସେ ତାହାପରେ ଗଳାରେ ଟିକିଏ ବ୍ୟଙ୍ଗ ଉପୁଜାଇ କହିଥିଲା,”କାହିଁକି ?” । “ତାହେଲେ ଆଉ ସେପ୍ଟିକ ହେବାର କୌଣସି ସମ୍ଭାବନା ରହିବନି ” ଅତି ଆସ୍ତେ ତାହାର ପଛେ ପଛେ ଯେମିତି ଯାଉଛି ସେଇ ଭଳି କହିଥିଲା ଆବାସ, ତାହାପରେ ଈବ୍ରାହୀମ ତାହାକୁ ଆଉ ବ୍ୟଙ୍ଗ କରୁନାହିଁ ,ଟିକିଏ ନିଷ୍ଠୁର ଭାବରେ ତାହାକୁ ପଚାରିଛି,”ତମବେଳକୁ କ’ଣ ଘାଆଟି ଚଞ୍ଚଳ ଶୁଖି ନଥିଲା କି ?” ଚାରିପଟେ ଆବାସର ବନ୍ଧୁମାନେ ଏଥିରେ ଖି ଖି କରି ହସିବାକୁ ଲାଗିଲେ । ଆବାସ ଏଥିରେ ଟିକିଏ ଉତ୍ତ୍ୟକ୍ତ ହୋଉଠିଥିଲା,ଗାଳିଦେଇ କହିଥିଲା,” ତମେ ସବୁ ଗୋଟିଏ ଗୋଟିଏ ଅସଭ୍ୟ।” ଏତିକି କହି ସେ ସେମାନଙ୍କ ଠାରୁ ଦୂରେଇ ଯାଇଥିଲା। ଈବ୍ରାହୀମର ମୁହଁରେ ବିଜେତାର ହସ ,ସେଇ ହସକୁ ସେ ଚାରିପାଖକୁ ବିଛାଡି ଦେଇ କହିଥିଲା, ” ସମସ୍ତେ, ଏଇ, ଜଣକ ପରେ ଜଣେ ଏଠିକୁ ଆସ !”
ସ୍ୱେଚ୍ଛାସେବୀମାନେ ପିଲାମାନଙ୍କୁ ସେମାନଙ୍କର ଅନ୍ତର୍ବାସକୁ ଖୋଲି ପକାଇବାକୁ କହିଲେ। ଧାଡିର ସବା ଆଗରେ ଥିଲା ଆରିଫ। ତାହାର ବୟସ ଟିକିଏ ବେଶି ,ତେରବର୍ଷ ଭିତରେ ହେବ। ସାଧାରଣଭାବେ ନଅବର୍ଷ ପୂରିବା ଆଗରୁ ପୁଅମାନଙ୍କର ଖତନା ହେବା କଥା। ହେଲେ ତାହାର ମାଆ ଅମିନା ଏଇ କାମ ପାଇଁ ଦରକାର ହେଉଥିବା ଅର୍ଥକୁ ଯୋଗାଡ କରିବାପାଇଁ ସକ୍ଷମ ହୋଇନାହିଁ । ଆରିଫ୍ ଯେତେବେଳେ ନିଜର ପିନ୍ଧା ସାଲୱାରକୁ ଆଉ ସାର୍ଟକୁ ତଳକୁ କରୁଥିଲା ତାହାକୁ ଦେଖି ତାହାର ଚାରିପଟର ଲୋକମାନେ ହସୁଥିଲେ । ଜଣେ ଯୁବକ ତାହାର ହସକୁ ସମ୍ଭାଳି ନପାରି ଆରିଫ୍ କୁ ପଛପଟରୁ ଆସ୍ତେ କରି ଚିମୁଟି ଦେଇଥିଲା ଆଉ ତାହାକୁ ଟିକିଏ ଠେଲି ଦେଇଥିଲା ଭିତରକୁ ।
ଚାରି ରୁ ଛଅ ଜଣ ଲୋକ ତାହାକୁ ଭିଡି ଧରିଥାନ୍ତି ଆଉ ଓଲଟା ହୋଇ ରହିଥିବା ସେଇ ବ୍ରୋଞ୍ଜର କଳସୀ ବା ବିନ୍ଦିଙ୍ଗର ଉପରେ ତାହାକୁ ମାଡି ଧରି ବସାଇ ରଖନ୍ତି। ସେ କିଛି ଜାଣିପାରେ ନାହିଁ। ସେ ଅସଲରେ କିଛି ଜାଣିପାରିବା ଆଗରୁ ତାହାର ପଛପଟରୁ ହଳେ ଟାଣୁଆ ହାତ ବାହାରି ଆସେ,ତାହାର କାଖ ତଳ ଦେଇ ସେଇ ହାତ ଦୁଇଟି ଯାଇ ତାହାର ଜଙ୍ଘ ଉପରେ ରହେ ଆଉ ତାହାର ଗୋଡ ଦୁଇଟିକୁ ଫାଙ୍କ କରିଦିଏ । ସେ ଭୟରେ ଚିତ୍କାର କରିବା ଆଗରୁ ଦୁଇଜଣ ତାହାର ବାଆଁ ଆଉ ଡାହାଣ ଗୋଡକୁ ଭିଡି ଧରନ୍ତି । ତାହାର ଛାତି ଖୁବ ଜୋର୍ ରେ ଧଡପଡ ହେଉଥାଏ ,ସେ ପଳାଇଯିବା ପାଇଁ ଛାଟିପିଟି ହୁଏ । କିନ୍ତୁ ଯେଉଁମାନେ ତାହାକୁ ଭିଡି ଧରିଥାନ୍ତି ସେମାନେ ତାହାଠୁ ଅଧିକ ଚାଲାକ,ତାହାଠୁ ବଳରେ ବି ଅଧିକ । ସେମାନେ ତାହାକୁ ଏପରି ମାଡି ଧରିଥାନ୍ତି ଯେ ତାହାର ହଲିବାର ଜୁନଥାଏ । ନିଜର ଯେତିକି ଶକ୍ତି ରହିଛି ସେଇ ସବୁକୁ ପ୍ରୟୋଗ କରି ସେ ସେଇଠୁ ପଳାଇ ଯିବାର ଚେଷ୍ଟା କରେ,ହେଲେ ସେଥିରେ ସେ ବିଫଳ ହୁଏ , ଗଳା ଫାଟି ଯିବା ଭଳି ଆର୍ତ୍ତ ଚିତ୍କାର ଟିଏ କରେ ସେ : “ମୋତେ ଛାଡିଦିଅ, ମୋତେ ଛାଡିଦିଅ, ଆମ୍ମି ଆମ୍ମି, ଆଲ୍ଲା, ଆଲ୍ଲା !”ତିନି ଚାରିଟି ଗଳା ,ଖାସ୍ ସେମାନେ ଯେମିତି ଏପରି ଶୁଣିବାକୁ କାନ ଡେରି ବସିରହିଥିଲେ , କହିଥିଲେ, ” ଆରେ ଆରେ ତୁ ଏମିତି ପାଟି କରନା,ବରଂ କହ, ଦୀନ୍ , ଦୀନ୍ ।” ଦମ୍ ନେବା ଭିତରେ ତାହାପରେ ଆରିଫ କହେ,
” ଦୀନ୍..ଦୀନ୍..ଆଲ୍ଲା..ଆଲ୍ଲା..ଅମ୍ମି ..ଅମ୍ମି ..ଆଃ..”
ଯେତେବେଳେ ଏଇ ସବୁ ନାଟକ ଚାଲିଥିଲା,ଈବ୍ରାହୀମ ଅତ୍ୟନ୍ତ ନିରାସକ୍ତ ଭାବରେ କାଗଜ ଭଳି ପତଳା ଖଣ୍ଡିଏ ବାଉଁଶ ପାତ ବାହାର କରେ ଆଉ ସେଥିରେ ଚିମୁଟା ଭଳି ଆରିଫ ର ଗୁପ୍ତାଙ୍ଗକୁ ଧରିକି ରଖେ,ତାହାକୁ ଏପରି ଧରିକି ରଖେ ଯେପରି ତାହାର ଗୁପ୍ତାଙ୍ଗର ଆଗ ଚମଟି ସେଇ ବାଉଁଶ ପାତର ଚିମୁଟାରେ ଯେମିତି ଆଗକୁ ରହିଥିବ। ଜଣେ କିଏ ଆରିଫ ର ମୁହଁକୁ ଅନ୍ୟ ଆବକୁ ବୁଲାଇ ଦିଏ ଆଉ ତାହାକୁ ବାଧ୍ୟକରେ କହିବା ପାଇଁ,” ବାବୁରେ କହ କହ , ଦୀନ ,ଦୀନ, ଜଲଦି ଜଲଦି କହିଚାଲ୍, ଦୀନ୍..ଦୀନ ..।”
ଦୀନ୍ ର ଅର୍ଥ ଅନେକ, ବିଶ୍ୱାସ, ଆସ୍ଥା, ଧର୍ମ ଆଉ ଆହୁରି ଅନେକ କିଛି ,ହେଲେ ଏସବୁର ବିନ୍ଦୁବିଃସର୍ଗ ନଜାଣି ଆରିଫ୍ ଏପରି ଶବ୍ଦକୁ ଗଳା ଫଟାଇ ଚିତ୍କାର କରି କହିଚାଲୁଥାଏ । ଦୀନ୍ ..ଦୀନ୍..! ତାହାର ଜିଭ ଶୁଖିଲା ହୋଇ ଆସୁଥାଏ, ତାହାର ପିଠି ପଟରେ ବୁନ୍ଦା ବୁନ୍ଦା ଝାଳ, ତାହାର ଦେହରୁ ଉତ୍ତାପଟିଏ କେମିତି ଉପରକୁ ଉଠିବାକୁ ଲାଗେ : ତାହାର ହାତ ଆଉ ଗୋଡ କିନ୍ତୁ ଡରରେ ବରଫ । ଶେଷ ଥର ସେ ଯେମିତି ଏଇଠୁ ମୁକୁଳି ଯିବ ତାହାର ନିରର୍ଥକ ପ୍ରଚେଷ୍ଟା କରେ ସେ ।

” ଏମିତି କାହିଁକି ହଉଚୁ ରେ ? ‘ତାହାର ଗୋଡକୁ ତଳକୁ ମାଡିଧରିଥିବା ଜଣେ ସ୍ୱେଚ୍ଛାସେବୀ କହେ। “ମୋତେ ଛାଡିଦିଅ, ମୋତେ ଛାଡିଦିଅ, ମୋତେ ମୂତ ମାଡୁଛି “, ସେ ସେମାନଙ୍କୁ ମିନତି କରି କହେ। ସେମାନେ ତା’କୁ କହନ୍ତି, ” ଆଉ ଟିକିଏ ସବୁର କର୍ ,ତା’ ପରେ ତ ତୋ’ର ଛୁଟି !” ସେମାନେ ତା’କୁ ଜୋର୍ ରେ ମାଡି ଧରିଥାନ୍ତି। ଈବ୍ରାହୀମ ତାହାପରେ ନିଜର ପଛପଟେ ରଖିଥିବା କ୍ଷୁରଟିକୁ ବାହାର କରେ ଆଉ କାଗଜ ଭଳି ପତଳା ବାଉଁଶ ପାତକୁ ଚିମୁଟା କରି ଧରି ରଖିଥିବା ଆରିଫ ର ଗୁପ୍ତାଙ୍ଗର ଆଗଭାଗର ଚମଡାକୁ ଥରକରେ କାଟି ପକାଏ। ଗୁପ୍ତାଙ୍ଗର ସେଇ କଟା ଆଗଚମଟି ତଳେ ଥିବା ଥାଳିର ପାଉଁଶ ଉପରେ ଖସି ପଡେ। କଟା ସ୍ଥାନଟି ରକ୍ତରେ ଜୁଡୁବୁଡୁ ହୋଇଯାଏ । ତାହାରି ଉପରେ ଥାଳିରୁ ପାଉଁଶ ନେଇ ପରସ୍ତେ ବୋଳିଦିଆଯାଏ । ସେଇଠି ସେଇ ପାଉଁଶ ବୋଳାହେବା ଯୋଗୁ ରକ୍ତ ଝରିବା କ୍ରମଶଃ କମିଆସେ । ଆରିଫ ର ମୁହଁଟି ଶେତା ପଡି ଆସିଛି। ତା’ର ପୂରା ଦେହ ଏବେ ଝାଳ ସରସର। ତାହାର ମୁହଁ ଦେଇ ଛୋଟ ଛୋଟ ଧଇଁ ବାରଂବାର ବାହାରିବାରେ ଲାଗିଛି। ଦୁଇଜଣ ଯୁବକ ତାହାକୁ ତାହାପରେ ସେଇଠୁ ଟେକି ଟେକି ନେଇ ଯାଆନ୍ତି ଆଉ ମଦ୍ରାସା ର ହଲଘରର ଗୋଟିଏ କୋଣରେ ତାହାକୁ ତଳେ ଶୁଆଇ ଦିଅନ୍ତି।
ତଳେ ଚଟାଣର ଶୀତଳ ପଲସ୍ତରା ତାହାର ପିଠିପଟକୁ ଟିକିଏ ଶାନ୍ତି ଦେଇଥାଏ। ହେଲେ ,ତଥାପି ସେଇଠି କ୍ଷତଟି ଜଳିବାରେ ଲାଗିଛି। ଆଉ କିଛି ଯୁବକ ତାହାପରେ ଆଉ ଗୋଟିଏ ପିଲାକୁ ଧରି ଈବ୍ରାହୀମ୍ ର ନିକଟକୁ ଦୌଡି ଆସନ୍ତି । ଆବାସ ତାହାର ପାଖରେ ଆସି ପହଞ୍ଚିଯାଏ , ଗୋଟିଏ କପ୍ ରେ ଥିବା ପାଣିକୁ ତାହାର ପାଟିରେ ଆସ୍ତେ ଆସ୍ତେ ଢାଳିବାକୁ ଲାଗେ, ଆଉ ତାହାକୁ ବିଞ୍ଚିବାକୁ ଲାଗେ। ଠିକ୍ ସେତିକି ବେଳେ ଦୁମ୍ କରି ଆଉ ଗୋଟିଏ ଗଳା, ” କହ ଦୀନ..ଦୀନ୍..!” ଏପରିକି ଆରିଫ ଯେତେବେଳେ ଯନ୍ତ୍ରଣାରେ ଥରୁଥାଏ ,ଠିକ୍ ସେତିକିବେଳେ ସେମାନେ ଆଉ ଜଣକୁ ଆଣି ତାହାର ପାଖରେ ତଳେ ଚଟେଇ ଉପରେ ଶୁଆଇ ଦିଅନ୍ତି ।
“ଦୀନ୍..ଦୀନ୍..” ଭିନ୍ନ ଭିନ୍ନ ଗଳାର ଚିତ୍କାର ବାରଂବାର ଶୁଭିବାକୁ ଲାଗେ। ଗୁଡାଏ ଦେହ ଏଇଠି ସେଇଠି ଯନ୍ତ୍ରଣାରେ ଅବିରତ ଚିତ୍କାର କରୁଥାନ୍ତି । ଆରିଫ୍ କୁ ଦେଖିଲେ ,ଏତେ କଷ୍ଟ ଭିତରେ ବି ତାହାର ଆଖି ଦୁଇଟି ବନ୍ଦ ହୋଇ ରହିଛି । ତାହାକୁ ନିଦ ମାଡୁଥିଲା ହେଲେ ନିଦଟି ଆସିବା ମାତ୍ରକେ ପିଛୁଳାକରେ ଯେମିତି ଗାଏବ ହୋଇଯାଇଛି । ସେକଥା ବୁଝିବା ଆଗରୁ ସେ ଜାଗ୍ରତ ଅଛି । ନିଦର ଏପାରି ସେପାରି ହେଉଥିବା ବେଳେ କିଏ ଜଣେ ତାକୁ ଅତି ଆସ୍ତେ ହଲେଇ ଦିଏ । ଯଦିଓ ତାହାର ବ୍ୟଥା କମିନାହିଁ ,କିନ୍ତୁ ଏବେ ତାହା ଆଉ ଏତେ ଅସହ୍ୟ ନୁହଁ,ଆଉ ସେ ତାହାର ଆଖିକୁ ଆସ୍ତେ ଆସ୍ତେ ଖୋଲେ । ତାହାର ଆଗରେ ଛିଡା ହୋଇଛି ଆବାସ, ଆଖିରେ ତାହାର କରୁଣାର ଦୃଷ୍ଟି ଆଉ ସେ ଆରିଫ କୁ ପଚାରେ, ” ଆରିଫ, ତୁ କ’ଣ ଏଇଲେ ଚାଲି ପାରିବୁ ? ସେଇଠିକୁ ଚାହାଁ,ସେଇଠି ତୋ ଅମ୍ମି ଆସି ଠିଆ ହୋଇଛି !”
ସେ ଯେଉଁଠି ଚିତ୍ ହୋଇ ଶୋଇ ରହିଥିଲା ସେଇଠୁ ସେ ତାହାର ଅମ୍ମିକୁ ଦେଖିବାକୁ ଚେଷ୍ଟା କରେ। ବୁର୍ଖାର ଆବରଣ ଭିତରେ ରହିଛି ତା’ର ଅମ୍ମି,ବୁର୍ଖାଟିର ଅନେକ ଜାଗା ଫଟା , ସେ ଏତେ ଲୋକଙ୍କ ସାମ୍ନାକୁ ଆସିପାରୁନାହିଁ କି ନିଜର ଔଲାଦକୁ ଏପରି ଅବସ୍ଥାରେ ଏକେଲା ଛାଡି ଚାଲିଯାଇପାରୁନାହିଁ। କବାଟର ଆରପଟରେ ରହି ସେ ଖାଲି ଭିତରକୁ ଟିକିଏ ଟିକିଏ ଉଙ୍କିମାରି ଦେଖୁଛି । ଅମ୍ମିର ରଙ୍ଗଛାଡିଯାଇଥିବା ବୁର୍ଖାକୁ ଦେଖି ଆରିଫ୍ ଭିତରେ ଟିକିଏ ନୂଆ ଶକ୍ତିର ସଂଚାର ହୁଏ । ଆବାସ ତାହାକୁ ଉଠିବାରେ ସାହାଯ୍ୟ କରେ , ଆଉ ସେମାନେ ଦିଜଣ ଆସ୍ତେ ଆସ୍ତେ କବାଟ ପାଖକୁ ଯିବାକୁ ଲାଗନ୍ତି ।
ଆରିଫ ଯେମିତି କବାଟ ପାଖରେ ପହଞ୍ଚି ଯାଇଛି,ଲତିଫ ଅହମଦ ଯିଏ କି ଗୋଟିଏ ଷ୍ଟୁଲ୍ ରେ ବସିଥିଲା ସେ ଗୋଟିଏ ଥଳୀ ବାହାର କରି ଆରିଫ ର ହାତକୁ ବଢାଇ ଦିଏ । କ୍ଷତଟି ତଥାପି ଜଳୁଛି,ହେଲେ ଆରିଫ୍ ସେଇ ଥଳିଟିର ଭିତରେ କ’ଣ ରହିଛି ତାହାକୁ ଉଣ୍ଡିବାରେ ଲାଗେ। ଥଳୀରେ ଗହମ ଭର୍ତ୍ତି ,ଆଉ ସେଥିରେ ରହିଛି ଦୁଇ ଫାଳ ଶୁଖିଲା ନଡିଆର ଶସ। ଗୋଟିଏ ପ୍ୟାକେଟ୍ ଚିନି,ଆଉ ଗୋଟିଏ ପ୍ଲାଷ୍ଟିକ ପ୍ୟାକେଟରେ ଅଲଗା କରି ଦେଶି ଘିଅ । ଏହାକୁ ଦେଖି ଆରିଫ ର ମୁହଁରେ ପାଣି ଆସିଯାଏ । ଗୋଟିଏ ପିଲା ଭିତରକୁ ଯିବାପାଇଁ ନାରାଜ,ଦୁଆର ବନ୍ଧ ପାଖରେ ଖସି ପଡିବାର ବାହାନା କରି ଜୋର୍ ରେ କାନ୍ଦୁଥାଏ । ଆରିଫ ସିଧା ଛିଡା ହେଲା,ଯେମିତି ସେ ଅବିକା ଗୋଟାଏ ବୀର । ସେ ସେଇ ପିଲାଟି ଆଡକୁ ଚାହିଁଲା ଆଉ କହିଥିଲା, ” ଏଇ ସୁଭାନ୍ ,ଡରିବାର କିଛି ନାହିଁ ରେ , ଖାଲି କହ, ଦୀନ୍..ଦୀନ୍..। କିଛି ହବନି ।” ସେ ଏବେତ ସେଦୃଷ୍ଟିରୁ କିଛି ପରିମାଣରେ ବରିଷ୍ଠତା ଅର୍ଜନ କରି ସାରିଲାଣି । ଆରିଫ୍ ଛୋଟେଇ ଛୋଟେଇ କବାଟର ବାହାରକୁ ଆସେ । ଅମିନା ତାହାର ହାତରୁ ସେଇ ଥଳିଟିକୁ ନିଏ ଆଉ ତାହାକୁ ବାହାରର ବାରନ୍ଦାରେ ବସାଇଦିଏ । ବସିବାବେଳେ ସେ ତାହାର ଗୋଡ ଦୁଇଟିକୁ ଫର୍ଚ୍ଚା କରି ବେଶ୍ ସତର୍କତାର ସହ ସେଇଠି ବସେ,ସେ ସେତେବେଳେ ଏପରି ସତର୍କ ଥାଏ ଯେମିତିକି ତାହାର ପିନ୍ଧା ଲାଲ ଲୁଙ୍ଗିଟି ସେଇ କ୍ଷତ ସ୍ଥାନକୁ ଆଦୌ ଛୁଇଁବ ନାହିଁ । ଧାଡିରେ ଛିଡା ହୋଇଥିବା ପିଲାଟିଏ ତା’କୁ ଦେଖିବା ପରେ ପଚାରି ବସେ,” ଆରେ ଆରିଫ୍,ସତରେ କ’ଣ ବେଶି କାଟିବ ?” ନିଜର ମୁହଁରେ ଯେମିତି କଷ୍ଟ ପାଇବାର ସାମାନ୍ୟ ଚିହ୍ନ ନାହିଁ ସେଇଭଳି ଆରିଫ୍ ଉତ୍ତର ଦିଏ, ” ନା ନା ରେ କାନୁ,ଟିକିଏ ବୋଲି କାଟିବନି ରେ !”
ମଧ୍ୟବୟସ୍କ ଜଣେ ଦାଢିଆ ଲୋକ ପାଖରେ ଠିଆହୋଇ ତାହାର କଥାକୁ ଶୁଣୁଥିଲା ଆଉ କହିଲା,” ସାବାସ୍ ବେଟା,ନେ ,ଧର୍,ତୋର କାମରେ ଆସିବ !” ଏତିକି କହି ସେ ଆରିଫ୍ ର ହାତକୁ ବଢାଇଦେଇଥିଲା ଗୋଟିଏ ପଚାଶ ଟଙ୍କାର ନୋଟ୍। ପାଖରେ ଛିଡା ହୋଇଥିବା ପିଲାଏ ତାହାକୁ ଈର୍ଷାତୁର ଦୃଷ୍ଟିରେ ଚାହିଁ ରହନ୍ତି। ଭିତରୁ ଚିତ୍କାର ଶୁଭୁଥାଏ, “ଦୀନ୍ ..ଦୀନ୍.. ହାୟ ..ଆଲ୍ଲା. ” ଆଉ ଜଣକର ଖତନା କାମ ଏହା ଭିତରେ ଶେଷ ହୁଏ ।
ପିଲାମାନେ ଜଣକ ପରେ ଜଣେ ଭିତରକୁ ଯାଆନ୍ତି ଆଉ ଭିତରୁ ଆସିବା ବେଳକୁ ସେମାନେ ପିନ୍ଧିଥାନ୍ତି ଖଣ୍ଡିଏ ଖଣ୍ଡିଏ ଲାଲ ରଂଗର ଲୁଙ୍ଗି। ଏଇଟି ହେଉଛି ସେଇ ସମୟ ଯେତେବେଳେ କି ସେ ଆସି ସେଇଠେ ଉପସ୍ଥିତ ହୁଏ। ଦେଖିବାକୁ ଭାରି ପତଳା ସେ,ଆଖି ଦୁଇଟି ମୁହଁର କୋରଡ ଭିତରକୁ ପଶି ଯାଇଛି । ଜଣେ ଜାଣି ପାରିବନି ଯେ ତାହାର ଦେହରେ ଅସଲରେ ଅଣ୍ଟା ଭଳି କିଛି ରହିଛି କି ନାହିଁ ,ଆଶ୍ଚର୍ଯ୍ୟର କଥା ସେଥିରେ ସେ ଗୋଟିଏ ଛୁଆକୁ କାଖେଇ ଧରିଥାଏ। ତାଳି ପକା ବ୍ଲାଉଜଟି ତାହାର ଛିଣ୍ଡା ଶାଢୀର ଭିତରୁ ବାହାରକୁ ସ୍ପଷ୍ଟ ଦିଶୁଥାଏ। ସେ ତାହାର ଆର ହାତଟିରେ ଟାଣି ଟାଣି ଆଣୁଥାଏ ଗୋଟିଏ ପୁଅକୁ,ପୁଅଟିର ବୟସ ଛଅ କି ସାତ ବର୍ଷ ର ଭିତରେ ହେବ । ଛିଣ୍ଡା ଶାଢୀରେ ନିଜର ମଥାକୁ ଟିକିଏ ଢାଙ୍କି ନେବା ବେଳେ ତାହାର ଶାଢୀଟି ଆଉ ଟିକିଏ ଫାଟି ଯାଏ । ସେ ଯାହା କହୁଚି ତାହା ଯେମିତି ସେ ନିଜେ ଶୁଣିପାରିବ ସେଇ ଭଳି ସେଇ ମହିଳା ଜଣକ ଅତି ଆସ୍ତେ ଡାକେ,” ଭାୟା ..”। ଅନ୍ୟ କାହା ସହିତ କଥା ହେଉଥିବା ଲତିଫ ସାହେବ ତାହାର ଆଡକୁ ମୁହଁକୁ ବୁଲାଇ ନେଇ କହନ୍ତି,” କ’ଣ ହେଲା ରେ ମାଆ ?”
ପିଲାଟି ରାହା ଧରି ଉଚ୍ଚସ୍ୱରରେ କାନ୍ଦିବାକୁ ଲାଗେ। “ଭାୟା,ଏହାର ବି ସୁନ୍ନତ କରିଦିଅ” ସେ କହିଥିଲା । “ନା, ନା , ମୋର ଦରକାର ନାହିଁ, ମୋତେ ଛାଡ୍ !” ପିଲାଟି ପାଟି କରେ । ମାଆଟି କିନ୍ତୁ ତାହାର ବାହାକୁ ଖୁବ୍ ଜୋର୍ ରେ ଧରିଥାଏ । ତାହାର ମଥାର ଓଢଣୀଟି ଖସି ପଡେ । ତାହାର ଶୁଖିଲା ପେଟ, ବାହାରି ପଡିଥିବା ହନୁ ହାଡ, ଫାଙ୍କା ଆଖି , ତାଳି ପକା ବ୍ଲାଉଜ୍ ,ଏଇ ସବୁ ଏକାଠି ମିଶି ଅପଦସ୍ତ କରୁଥାଏ ଲତିଫ୍ ର ଆଖି ହଳକୁ । ସେ ନିଜର ଦୃଷ୍ଟିକୁ ଟିକିଏ ତଳକୁ କଲା ଆଉ ସେଇ ପିଲାଟିକୁ ଗାଳିଦେଇ କହିଲା, ” ଏଇ, ଚୁପ୍ ଚାପ ଛିଡା ହ ! ତୁ କ’ଣ ତାହେଲେ ଦୀନ୍ ରେ ମିଶିବୁ ନାହିଁ ? ଖତନା ନହେବା ଯାଏଁ ତୁ ପବିତ୍ର ଇସଲାମ୍ ର ନୁହଁ । ତୁ କ’ଣ ସେମିତି ସବୁଦିନ ରହିବାକୁ ଚାହୁଁ ? ” ପିଲାଟି ତାହାପରେ କଇଁ କଇଁ କାନ୍ଦର ମଝିରେ ସତକଥାଟି ଓଗାଳି ପକାଏ :
” ମୋର ଖତନା ସରିଛି ।”
ଏଥିରେ ଉତ୍ତେଜିତ ହୋଇ ମାଆଟି ତୁରନ୍ତ କହେ, ” ହେଲେ ଭାୟା, ସେଥର କାମଟା ଭଲଭାବରେ ହୋଇନି, ଆଉ ଥରେ ତ ଏହାକୁ ବି କରାଯାଇ ପାରିବ !” ଯଦିଓ ଏଥିରେ ଯେ ସେମିତି କିଛି ଅସୁବିଧା ରହିଛି ସେକଥାରେ ଲତିଫ ଅହମଦ ଦୃଢ ନିଶ୍ଚିତ ହୋଇପାରୁ ନଥାଏ । ନିକଟରେ ଛିଡା ହୋଇଥିବା ଜଣେ ଯୁବକକୁ ସେ ପାଖକୁ ଡାକେ । “ଆରେ ସମି, ଏହାକୁ ଧର୍ ତ, ଆଉ ଦେଖ୍ ଅସୁବିଧା ଟି କ’ଣ ? ଖୁଜୁବୁଜୁ ହେଉଥିବା କିଛି ପିଲା ମଉଜ ଦେଖିବା ପାଇଁ ସେଇ ପିଲାଟିକୁ ଉପରକୁ ଟେକି ଧରନ୍ତି । ଜଣେ ତାହାର ପ୍ୟାଣ୍ଟଟିକୁ ଟାଣି ତଳକୁ କରେ। ଅନ୍ୟ କାହାର ମାପରେ ସିଲେଇ ହୋଇଥିବା ଏବଂ ତାହାପାଇଁ ପିନ୍ଧିବାକୁ ବେଶ୍ ଢିଲା ସେଇ ପ୍ୟାଣ୍ଟଟି ସହଜରେ ତଳକୁ ଖସିଆସେ । ସଭିଏଁ ନିଜର ହସକୁ ଓଠରେ ଆଖିରେ ଚାପି ଧରି ଚାରି ଆଡକୁ କୌତୁହଳୀ ଦୃଷ୍ଟିରେ ଚାହିଁରହନ୍ତି ।
“ଖତନା ଭଲରେ ହୋଇଛି।” ସବୁ ପିଲାଙ୍କର ଚାପିଧରିଥିବା ହସ ଗୋଟିଏ ରୋଳରେ ପରିଣତ ହୋଇଯାଏ । ଜଣେ ସେମାନଙ୍କ ଭିତରୁ ତୀକ୍ଷ୍ଣ ଗଳାରେ ସେଇ ମହିଳାକୁ କହେ, ” ଯା ଏଥର ତୋର ଖାମିନ୍ଦକୁ ସାଥିରେ ଧରି ଆସିବୁ । ଆମେ ତାହାର ଖତନା କରିବୁ,ଆଉ ତୋତେ ଗହମ ଆଉ ଶୁଖିଲା ନଡିଆର ଶସ ନିଶ୍ଚେ ଦେବୁ। ” ଏହାପରେ ଆଉ ପରସ୍ତେ ହସର ଲହରୀ।
ଯେମିତି ତାହାର ହାତଟି ଟିକିଏ ଢିଲା ପଡି ଆସିଛି ସେଇ ପିଲାଟି ତାହାର ପ୍ୟାଣ୍ଟ ଟିକୁ ଉପରକୁ ଉଠାଇ ଆଣେ ହଠାତ୍ ଆଉ ସେଇଠୁ ଚମ୍ପଟ ମାରେ। ତାହାର ମାଆ ନିଜର ଓଢଣୀଟିକୁ ମଥାର ଉପରକୁ ଟାଣି ନିଏ ଆଉ ସେଇଠୁ ବାହାରି ଯାଏ ଯଥାଶିଘ୍ର, ତାହାର ପଦପାତ ସେତେବେଳେଦ୍ରୁତ। ଜଣେ କିଏ ଲୋକ ଘୃଣାରେ ଛେପ ଲଣ୍ଡାଏ ତଳକୁ ପକାଇ କହିଥିଲା, ” ଥୁଃ, ଦେଖ ହୋ ପୃଥିବୀରେ କେମିତି କେମିତି କା ଲୋକ ସବୁ ରହିଛନ୍ତି ? ସେମାନେ ଚାହିଁଲେ ନୀଚ୍ଚତାର ଯେ କୌଣସି ସ୍ତରକୁ ଯାଇପାରିବେ !”
ସେ ମହିଳା ଜଣକ ଏଇଠୁ ଜାଗାଛାଡି ଗଲାପରେ ଲତିଫ ଅହମଦକୁ ଭାରି ଅଶାନ୍ତି ଲାଗିଲା। ଯେତେବେଳେ ଚାରି ପାଖରେ ଏତେ ଏତେ ଦୁଃଖ ଆଉ ଦାରିଦ୍ର୍ୟ ଉପସ୍ଥିତ ରହିଛି ସେତେବେଳେ ଅମାନବୀୟ ହେବା ଉଚିତ କି ? ସେଇ ଖାତୁନ ଜଣକ ତାହାର ଦୃଷ୍ଟି ପଥକୁ ବାରଂବାର ଆସୁଥାଏ। ” ଛିଃ ଛିଃ ମୋର ତାହାକୁ ଏମତି ଖାଲି ହାତରେ ଏଇଠୁ ବିଦା କରିବାର ନଥିଲା ! ” ସେ ଖୁବ୍ ଆନ୍ଦୋଳିତ ହୁଏ, ଚାରିପଟକୁ ଥରକୁ ଥର ଅନାଏ , ହେଲେ ସେ ଯେମିତି ଆସିଥିଲା ସେଇଭଳି ଠିକ୍ ସେଇଠୁ ଉଭେଇ ଯାଇଛି।
ଧାଡିଟି ଆଗକୁ ଆଗକୁ ଗତିଶୀଳ ହେଉଥାଏ। ଲାଲ ଲୁଙ୍ଗି ମାନ ଗୋଟିକ ପରେ ଗୋଟିଏ ଆସିବାରେ ଲାଗିଥାନ୍ତି । ଲତିଫ ଅହମଦ କାନ୍ଥ ଘଣ୍ଟାକୁ ଅସ୍ଥିର ଭାବରେ ଚାହିଁ ରହିଥାଏ । ସନ୍ଧ୍ୟା ପାଞ୍ଚଟା ବାଜିବାକୁ ବସିଲାଣି । ଏଇ ଇଲାକାର ଜଣାଶୁଣା ଡାକ୍ତର ଡାଃ ପ୍ରକାଶ ତାଙ୍କ ନିକଟକୁ ନିଜ ଘରର ପିଲାମାନଙ୍କୁ ଛଅଟା ବେଳକୁ ଖତନା ପାଇଁ ନେଇ ଆସିବାକୁ କହିଛନ୍ତି । ସେଇ ପିଲାଏ ଏବେ କରୁଛନ୍ତି କ’ଣ ? ରେଜିୟା ସେମାନଙ୍କୁ ସକାଳୁ ସକାଳୁ ଭଲ କରି ଗାଧୋଇ ଦେଇଛି, ସମଦ ତା’ର ବଡ ପୁଅ,ତା’ ପ୍ରତି ତାହାର ଭଲପାଇବା ଟିକିଏ ଅଧିକ । ସେ ଗଲା ଛଅ ବର୍ଷ ହେଲା ତାହାର ସ୍ୱାମୀକୁ କହି ଆସିଛି , ଯେବେଠୁ ସମଦ୍ ର ବୟସ ପାଞ୍ଚ, “ଚାଲ ,ପିଲାଟାର ଖତନା କରିଦେବା ,ସେ ଭାରି ଦୁର୍ବଳ ହୋଇଯାଉଛି ।” ତାହାର ଧାରଣା ଯେ , ଖତନା ହୋଇଗଲେ ତାହାର ସ୍ୱାସ୍ଥ୍ୟ ଭଲ ରହିବ। ହେଲେ ଲତିଫ୍ ଏଥିପାଇଁ ସାହସ ବାନ୍ଧିପାରୁ ନଥିଲା,ବାରଂବାର ଗୋଟିକ ପରେ ଗୋଟିଏ ବାହାନାର ଆଳରେ ସେ ଏହାକୁ ଏଡାଇ ଚାଲୁଥାଏ। ଏବେ ଶେଷରେ ସେଇ ସମୟ ଆସି ଉପସ୍ଥିତ । ସେଇଥିପାଇଁ ଲତିଫ ତଥାପି ଭାରି ଅସହଜ ରହିଛି।
ରେଜିଆର ଦୁଲାଭାଇ ମାନେ ଏଇ ଉତ୍ସବ ପାଇଁ ଆସିଛନ୍ତି । ତାହାର ଭଉଣୀମାନେ ବି ଲମ୍ବା ଯାତ୍ରା ପରେ ଆସି ଏଇଠି ଉପସ୍ଥିତ ଅଛନ୍ତି । ଘରେ ଏଇଲେ ମେହମାନ ରେ ଭର୍ତ୍ତି । ସବୁ ପିଲାଙ୍କର ନୂଆ ଜାମାପଟା ହୋଇଛି,ଯେଉଁମାନଙ୍କର ଆଗରୁ ଖତନା ସରିଛି ସେମାନେ ଛାତି ଫୁଲାଇ ଚାଲୁଛନ୍ତି। ଯେତେବେଳେ ସଭିଏଁ ଟୋକାଠାରୁ ବୁଢା ଯାଏଁ ସାମୂହିକ ଖତନା ପାଇଁ ମସଜିଦ ରେ ଭୀଡ କରିଛନ୍ତି ,ସହରର ଅଧିକାଂଶ କିଶୋରୀ ଆଉ ବୟସ୍କା ମହିଳା ମାନେ ଆସି ଲତିଫ ଅହମଦ ର ଘରେ ଜମାଟ ବାନ୍ଧିଛନ୍ତି।
ଦ୍ୱିପ୍ରହରର ଖାଇବା ସରିବା ପରେ ପୁଅମାନେ ଶେରୱାନୀ,ନେହେରୁ କୋଟ୍ ଆଉ ଜରି ଟୋପି ପିନ୍ଧି ଧାଡିରେ ବସି ରହିଥିଲେ। ସେମାନଙ୍କର ବେକ ଠାରୁ ପାଦ ଯାଏଁ ଲମ୍ବିଥାଏ ଗୋଟିଏ ଗୋଟିଏ ଲମ୍ୱା ଫୁଲମାଳ। ମଲ୍ଲୀଫୁଲର ଗଜରା ସମସ୍ତଙ୍କର ମଣିବନ୍ଧରେ ଗୁଡା ହୋଇ ରହିଛି। ଶୁଭାକାଂକ୍ଷୀମାନେ ସମାଗତ । ସେମାନେ ସେଇ ପିଲାମାନଙ୍କୁ ମଝିରେ ମଝିରେ ଆଉଁଷି ଦେଉଛନ୍ତି। କିଏ କାହାର କାଣି ଆଙ୍ଗୁଠିରେ ସୁନାମୁଦୀଟିଏ ପିନ୍ଧାଇ ଦେଲାଣି ତ ଆଉ କିଏ ଆଉ କାହାର ବେକରେ ଗଳାଇ ଦେଲାଣି ଚିକଚିକ୍ କରୁଥିବା ଗୋଟିଏ ଗୋଟିଏ ସୁନା ଚେନ୍ । ପାଞ୍ଚଶ ଟଙ୍କା ଆଉ ଶହେ ଟଙ୍କାର ନୋଟ୍ ମାନ ସେମାନଙ୍କୁ ଶୁଭେଚ୍ଛା ଆକାରରେ ଦିଆ ଚାଲିଛି ,ସେଇ ନୋଟ୍ ଗୁଡିକର ସଂଖ୍ୟା ଏତେ ଯେ ଏଇଲେ ତାହାକୁ ଗଣିବାର ଅବସର ନାହିଁ । ସଭିଏଁ ଯେଉଁମାନେ ସେଇଠି ଉପସ୍ଥିତ ରହିଛନ୍ତି ସେମାନେ ପିଲାଙ୍କ ଉପରୁ କୁଦୃଷ୍ଟିକୁ ହଟାଇଦେବା ପାଇଁ ପିଲାଙ୍କର ମଥାର ଉପରେ ନିଜର ଆଙ୍ଗୁଳିକୁ ମୁଠା କରି ଫୁଟାଇବାର ପ୍ରଥାକୁ ପାଳନ କରିବାରେ ଲାଗିଯାଇଛନ୍ତି । ପାନ ପତ୍ର, ପାଚିଲା କଦଳୀ, କରଞ୍ଜି ଆଦି ବଣ୍ଟା ଚାଲିଛି। କାହାରି ପାଖରେ ଗପସପ କରିବାପାଇଁ ସମୟ ନାହିଁ । ଘର ସାରା ବିଶୃଙ୍ଖଳା, ସମସ୍ତେ ଭାରି ବ୍ୟସ୍ତ ।
ଲତିଫ ଅହମଦର ସାମ୍ନାରେ ସେ ଛିଡା ହୋଇଥିଲା। ଛିଡା ହୋଇ ହୋଇ ଏଇ ସାମୂହିକ ଖତନା ପର୍ବର ବ୍ୟବସ୍ଥାକୁ ବୁଝିବା ଫଳରେ ସେ କ୍ଳାନ୍ତ ହୋଇ ପଡେ ଆଉ ଗୋଟିଏ ଚେୟାର ସେଇଠିକୁ ଆଣିବା ପାଇଁ ଜଣକୁ କହିବାକୁ ଗଲାବେଳେ ସେ ଯେମିତି ପାଟି ଖୋଲିଛି ,ସେ ସେତେବେଳେ ତାହାର ଆଗକୁ ଆସିଯାଏ । ଦେଖିବାକୁ ଭାରି ପତଳା ,ହେଲେ ତାହାର ସ୍ତନଦୁଇଟି ସେମିତି ପୁଷ୍ଟ ରହିଛି,ତାହାର ଉପରେ ତାହାକୁ ଢାଙ୍କି ଦେଇ ସେ ପିନ୍ଧିଛି ଖଣ୍ଡିଏ ପୁରୁଣା ସ୍ୱେଟର । ମଥାରେ ବାନ୍ଧିଛି ସେ ଗୋଟିଏ ପୁରୁଣା ସ୍କାର୍ଫ । ତାହାର ମୁହଁଟି ଶେତା । ତାହାର ହାତରେ କ’ଣ କିଛି ଅଛି, ଲୁଗାର ପୋଟଳି ଟିଏ ତାହାର ଛାତିକୁ ଭିଡିକି ରହିଛି ।
“ଭାୟା ! ଏହାର ବି ସୁନ୍ନତ କରି ଦିଅ !” ଲତିଫ ଅହମଦ ତାହାର ଆଡକୁ ଚାହିଁ ରହେ । ସେ ଚାହିଁ ରହେ ଲୁଗାର ପୋଟଳିରେ ଥିବା ସେଇ ଏକମାସର କଢକୁ ଆଉ ଚାହିଁ ରହେ ତାହାର ମାଆଟିର ମୁହଁକୁ। ତା’ ପାଖରେ ଯେତେଜଣ ତାହାକୁ ଘେରି ରହିଛନ୍ତି ସେମାନେ କାଳେ ଏଇ ମାଆଟିକୁ ଏଇଲେ କିଛି ଖରାପ ଖରାପ କଥା କହିପାରନ୍ତି,ସେ ଆତଙ୍କିତ ହୁଏ । ସେ ପଦଟିଏ ଆଉ କିଛି ନକହି ନିଜର ପକେଟ ରୁ ଗୋଟିଏ ଶହେ ଟଙ୍କାର ନୋଟ ବାହାର କରେ ଆଉ ସେଇ ନୋଟ ଖଣ୍ଡିକ ସେଇ ମାଆଟିର ହାତକୁ ବଢାଇ ଦିଏ । ସେ ମନେକରିବାକୁ ଲାଗେ, ରେଜିୟା ଯେମିତି ଏଇଲେ ତା’ର ସାମ୍ନାରେ ଆସି ଛିଡା ହୋଇଛି ଆଉ କୋଳରେ ତାହାର ରହିଛି ଶିଶୁ ସମଦ୍ । ସେଇ ଖାତୁନ ଟି ତାହାପରେ ଆଉ ମିନିଟିଏ ସେଇଠି ରହି ନଥିଲା,ପଛକୁ ଜମା ନଚାହିଁ ତରତର ହୋଇ ସେ ସେଇଠୁ ଆଗକୁ କୁଆଡେ ଚାଲିଯାଇଥିଲା । ଲତିଫ ପୁଣି ଭାବିବାକୁ ଲାଗେ ଯେ ,ଏଇ ଖାତୁନ ଯିଏ ତାହାର ସାମ୍ନାକୁ ଆସିଥିଲା ଆଉ କିଛି ଅଧିକ ଅର୍ଥ ତାହାର ହାତରେ ଦେଇଥିଲେ ବୋଧେ ଭାରି ଭଲ ହୋଇଥାଆନ୍ତା। ମାତ୍ର ତାହାପରେ .. ଆଉ ଜଣେ ..ଆଉ ଜଣେ ..ଏପରି ଜଣକ ପରେ ଜଣେ ଆସିବାକୁ ଲାଗିବେ ..ଏହାର ତେବେ ଶେଷ କେଉଁଠି ? ଶେଷ ପିଲାଟିର ଖତନା ଶେଷ ହେବା ପରେ ,ସେ ସମସ୍ତଙ୍କୁ ଘରକୁ ପଠାଇ ଦିଏ, ଏବେ ଲତିଫ ଅହମଦକୁ ଭାରି ଶାନ୍ତି ଲାଗୁଛି । ଏବେ ତା’କୁ ନିଜର ପରିବାରର ପିଲାଙ୍କ କଥା ଦେଖିବାକୁ ହେବ।
ସେ ଘରେ ଯାଇ ପହଞ୍ଚିବା ବେଳକୁ ସମସ୍ତେ ସର୍ଜନ୍ ଙ୍କ ପାଖକୁ ଯିବାକୁ ପ୍ରସ୍ତୁତ ହେଉଥିଲେ। ଡାଃ ପ୍ରକାଶ ନିଜେ ଲତିଫ ଅହମଦକୁ କହିଛନ୍ତି : “ତମେ ସମସ୍ତେ ଠିକ୍ ଛଅଟା ବେଳକୁ ଆସିବ। ଆମେ ପିଲାଙ୍କୁ ଆଗ କିଛି “ଲୋକାଲ୍ ଆନାସ୍ଥେସିଆ ” ଦେବା ଆଉ ସେଥିରେ ଏଇ ଅପରେସନଟି କରିନେବା, ତେଣୁ ପିଲାଙ୍କୁ ଟିକିଏ ବୋଲି କାଟିବ ନାହିଁ । ପିଲାଏ ରାତିରେ ଶୋଇବାକୁ ଗଲେ ସକାଳୁ ଉଠିବା ବେଳକୁ ଭାରି ଫ୍ରେଶ୍ ଦିଶିବେ ।” ଏମିତି,ସେଇ ପୂରା ପରିବାର ସଂଜବେଳକୁ ଡାଃ ପ୍ରକାଶଙ୍କ ଶିଶୁ ହସପିଟାଲ୍ ର ଅପରେସନ୍ ଥିଏଟର୍ ର ବାହାରେ ଆସି ଜମା ହୋଇଯାଇଥିଲେ । ଅପରେସନ୍ ରେ ସେମିତି କିଛି ଅସୁବିଧା ହୋଇନି,ଯଦିଓ ପିଲାଏ ଖୁବ୍ କାନ୍ଦିଥିଲେ, ଢେର୍ ଚେଞ୍ଚାମେଞ୍ଚି କରିଥିଲେ ।
ସେମାନଙ୍କୁ ଘରକୁ ଅଣାଯିବା ପରେ, ପିଲାମାନଙ୍କୁ ଶୋଇବା ପାଇଁ ଫ୍ୟାନ ତଳେ ଭାରି ନରମ ତୂଳାର ଶେଜ ବିଛାଇ ଦିଆ ଯାଇଥିଲା। ସେମାନଙ୍କର ମଥାଠୁ ତଳିପା ଯାଏଁ ଦେଖାଶୁଣା କରିବାପାଇଁ ଢେର୍ ଲୋକ ସଜାଗ ରହିଥିଲେ। ଜଣେ ଅଧେ ଙ୍କୁ ବାଦ ଦେଲେ ଆଉ କେହି ଯନ୍ତ୍ରଣାରେ ଆହା ଉହୁ କରୁନଥିଲେ । ଏହା ଛଡା ଘର ଭିତରେ ରହିଥିଲା ପ୍ରଚୁର ହସ, ଉଚ୍ଚଗଳାରେ ଢେର୍ ଦିନ ପରର ଗପସପ ଆଉ ଉତ୍ସବକାଳୀନ ଉଲ୍ଲାସ। ପ୍ରତି ଆଠ ଘଣ୍ଟାରେ ପିଲାଙ୍କୁ ନିଦରୁ ଉଠାଇ ଦୁଗ୍ଧରେ ପେସ୍ତାବାଦାମର ଗୁଣ୍ଡ ଆଉ ପେନ୍-କିଲର୍ କୁ ଏକାଠି ପିଇବାକୁ ଦିଆଯାଉଥିଲା , ଆଉ ତାହାପରେ ସେମାନଙ୍କୁ ଶୋଇ ପଡିବାକୁ କୁହାଯାଉଥିଲା। ପରଦିନ ଦେଖିଲାବେଳକୁ ଅଧିକାଂଶ ପିଲା ସୁସ୍ଥ । ସୁସ୍ଥ ହେବାର ଉଦ୍ଦେଶ୍ୟରେ ସେମାନଙ୍କ ପାଇଁ ବେଶ୍ ପୁଷ୍ଟିକର ଖାଦ୍ୟର ଭଣ୍ଡାର ମହଯୁଦ ରହିଛି । ଦୁଗ୍ଧ, ଘିଅ, ପେସ୍ତା ବାଦାମ, ଖଜୁର୍ ..ପ୍ରତ୍ୟେକଙ୍କ ପାଇଁ ସେଥିରୁ ଯଥେଷ୍ଟ ରହିଛି, ଖାଇବା ପାଇଁ, ଖାଇସାରି ଫୋପାଡିଦେବା ପାଇଁ ।
ସାମୂହିକ ଖତନା ପର୍ବ ଘଟିବାର ଠିକ୍ ପାଞ୍ଚ ଦିନ ପରେ ଘରର ସାମ୍ନାପଟ ବାରଣ୍ଡାରୁ ଗୁଡାଏ ପାଟିତୁଣ୍ଡ ଶୁଭେ। ରେଜିୟା ସିଡି ଦେଇ ତଳକୁ ଆସି ଉହୁଙ୍କି ଦେଖେ ଯେ, ଅମିନାର ପୁଅ ଆରିଫ୍ ପେୟାରା ଗଛରେ ଚଢି କେତୋଟି କଷି ଆଉ ଅଧାପାଚିଲା ପେୟାରା ତୋଳିଛି । ଦିଜଣ ବୋଲହାକ କରିବା ବାଲା ଯେମିତି ତାହାକୁ ଦେଖିଛନ୍ତି ସେମିତି ଜୋର୍ ରେ ପାଟି କରିବାକୁ ଲାଗିଲେ । ତାହାର ଅମ୍ମି ଗଛତଳେ ଛିଡା ହୋଇ ସେଇ ପରିଚାରକମାନଙ୍କୁ ନେହୁରା ହେଉଛି,ତାହାର ପୁଅକୁ ଛାଡି ଦେବା ପାଇଁ କହୁଛି। ନିଜର ମନ ମୁତାବକ ପେୟାରା ତୋଳି ସାରିବା ପରେ ଆରିଫ୍ ଗଛରୁ ଧିରେ ସୁସ୍ଥେ ଓହ୍ଲାଇଥିଲା। ପରିଚାରକମାନେ ତାହାକୁ ଧରି ପକାଇଛନ୍ତି। ସେମାନେ ଯେତେବେଳେ ତାହାକୁ ଆଣି ରେଜିୟାର ସାମ୍ନାରେ ହାଜିର୍ କରାନ୍ତି ସେତେବେଳକୁ ସେ ସାର୍ଟ ପକେଟ୍ ରୁ ଗୋଟିଏ ପେୟାରା ବାହାର କରି ତାହାର ଉପରେ ଗୋଟିଏ କାମୁଡା ବସାଉଥିଲା । ରେଜିୟା ତାହାପରେ ସେଇ ପରିଚାରକ ମାନଙ୍କୁ ସେଇଠୁ ବିଦା କରିଦେଲା ପରେ,ଆଶ୍ଚର୍ଯ୍ୟଜନକ ଭାବରେ ତାହାକୁ ପଚାରିବସେ, ” ତୋର ଘାଆ ଶୁଖିଯାଇଛି ତ ?”
“ହଁ ହଁ ,ଚିକାମ୍ମା” ସେ ଉତ୍ତର ଦେଇଥିଲା ଆଉ ବିନା ଲାଜ ଆଉ ଶରମରେ ସେ ନିଜର ଲୁଙ୍ଗିର ଦୁଇ ଧଡିକୁ ଅଲଗା କରି ଧରିଥିଲା। ରେଜିୟା ତାହାର ନିଜ ଆଖିକୁ ବିଶ୍ୱାସ କରିପାରେ ନାହିଁ। ତାହାର କ୍ଷତ ସ୍ଥାନରେ ବ୍ୟାଣ୍ଡେଜ୍ ବୋଲି କିଛି ନାହିଁ। କଟା ଜାଗାଟି ପୂରାପୁରି ଶୁଖିଯାଇଛି। ପୁଜ କି ସଂକ୍ରମଣ କିଛି ବି ନାହିଁ। ଘାଆଟି ଶୁଖିଗଲା ! ତାହାର ପୁଅ ସମଦ୍ ଏଯାଏଁ ତାହାର ଗୋଡକୁ ସିଧା ପକାଇ ପାରୁନାହିଁ । ଏତେ ଏତେ ଆଣ୍ଟିବାୟୋଟିକ ଖାଇବା ପରେ ବି ତାହାର ଘାଆଟି ବିଷରପି ଯାଇଛି । ଆଜି ର ସକାଳର କଥା। ଆଜି ଯେତେବେଳେ ତାହାକୁ ଗାଧୋଇବା ପାଇଁ ଗୋସଲଖାନାକୁ ନିଆଯାଉଥିଲା ,ସେ ସେତେବେଳେ ପାଦଟିଏ ବି ତଳେ ପକାଇପାରୁ ନଥାଏ । ସେମାନେ ଗୋଟିଏ ଷ୍ଟେରିଲାଇଜଡ୍ ଷ୍ଟିଲ୍ ରେ ତିଆରି କପ୍ ସାହାଯ୍ୟରେ ତାହାର କ୍ଷତ ସ୍ଥାନକୁ ଘୋଡାଇ ରଖିଛନ୍ତି ଯାହାଫଳରେ କି ଗାଧୋଇବା ବେଳେ ତାହାର ଉପରେ ଛିଟାଏ ବୋଲି ପାଣି ପଡିବ ନାହିଁ । ତାହାପରେ ଯାଇ ତାହାକୁ ଗାଧୋଇ ଦିଅନ୍ତି । ତାହାକୁ ଭାରି କ୍ଳାନ୍ତ ଲାଗେ । ସେମାନେ ତାହାର ଦେହକୁ ଆସ୍ତେ ଆସ୍ତେ ପୋଛିପାଛି ଦିଅନ୍ତି । ଡାଃ ପ୍ରକାଶ ପଠାଇଥିବା ଜଣେ ନର୍ସ ପ୍ରତିଦିନ ଆସେ ଆଉ ତାହାର କ୍ଷତସ୍ଥାନରୁ ପୁରୁଣା ବ୍ୟାଣ୍ଡେଜ୍ କୁ ବଦଳାଇ ନୂଆ ବ୍ୟାଣ୍ଡେଜ୍ ଲଗାଇ ଦିଏ। ଆଉ ନିୟମିତ ଇଞ୍ଜେକସନ୍ ଦେଇଥାଏ। ଆଉ ଏଇଠି ଦେଖ ଏଇ ପିଲା ,ମାଙ୍କଡଙ୍କ ପରି ଗଛଅଗକୁ ଚଢୁଛି । ନିଜକୁ ରୋକି ନପାରି ରେଜିୟା ତାହାକୁ ପୁଣି ପଚାରେ, ” ଆରେ ଆରିଫ୍ ,କହିଲୁ ତୁ କ’ଣ କ’ଣ କିଛି ଦବାଇ ଖାଉଛୁ ?”
“ନା ମ ! ମୁଁ କିଛି ଦବାଇ ଖାଉନି। ସେଦିନ ସେମାନେ ମୋ ନୂଆ ଘାଆ ର ଉପରେ ଯେଉଁ ଶୁଖିଲା ପାଉଁଶ ବୋଳି ଦେଉଥିଲେ,ଦବାଇ କହିଲେ ବାସ୍ ସେତିକି… !”

ପ୍ରକୃତରେ ରେଜିୟା ଜାଣେ ନାହିଁ ଯେ ଗରିବ ପିଲାମାନଙ୍କର ଖତନା କେଉଁପରି ହୋଇଥାଏ। କ୍ଷତ ସ୍ଥାନରେ ପାଉଁଶ ବୋଳାଯିବା କଥା ଶୁଣିବା ପରେ ସେ ଖୁବ୍ ବିଚଳିତ ହୋଇ ପଡିଥିଲା। ଯଦି ସେଇ ଭଳି ଗୋଟିଏ ପରିବାରରୁ କେହି ଜଣେ ଏଇଭଳି ଖତନା ହେବାପରେ ସଂକ୍ରମଣରେ ମରିଯାଏ ତାହେଲେ କ’ଣ ଯେ ହେବ,ଏ କଥାକୁ ଭାବି ଭାବି ସେ ଘରର ଭିତରକୁ ଚାଲିଯାଏ। ସେ ଦେଖେ, ପିଲାଏ ସବୁ ଉପରମହଲାରେ ଶୋଇରହିଛନ୍ତି । ସେ ତାହାର ପୁଅ ସମଦ୍ ପାଖକୁ ଯାଏ ,ସେ ବି ସେଇଠି ଶୋଇ ରହିଥିଲା । ତାହାର ମୁଣ୍ଡ ପାଖରେ ଗୋଟିଏ ଟି-ପୟ ର ଉପରେ ରହିଛି ନାନା ପ୍ରକାରର ଫଳ, ମିଠା, ବିସ୍କୁଟ ପ୍ୟାକେଟ୍ ଆଉ ଡ୍ରାଇ ଫ୍ରୁଟସ୍ । ସେ ସେଇଠୁ ଉଙ୍କି ମାରି ତଳକୁ ଦେଖେ । ଯଦି ସେ ସେତେବେଳେ ଆରିଫ୍ କୁ ତଳେ ଦେଖିପାରିଥାନ୍ତା ତେବେ ସେ ତାହାକୁ ଉପରକୁ ଡାକିଥାନ୍ତା ଆଉ ତାହାର ହାତକୁ ବଢେଇଦେଇ ଥାନ୍ତା ନିଶ୍ଚିତ ଗୋଟିଏ ବିସ୍କୁଟ ପ୍ୟାକେଟ୍ । ହେଲେ ସେ ସେଇଠୁ ତା’କୁ ଦିଶୁନାହିଁ। ସେ ତାହାପରେ ଖଣ୍ଡିଏ ପତଳା ଚାଦର ତାହାର ପୁଅର ଉପରେ ଘୋଡାଇ ଦିଏ ଆଉ ତଳକୁ ଯାଏ , ଏବେ ତାହାର ଦେଖିବାର ଅଛି ତଳେ ରୋଷେଇବାସ କାମ ଚାଲିଛି କେମିତି ।
ଖତନା ହୋଇଥିବା ପିଲାଙ୍କ ପାଇଁ ଚିକେନ-ସୁପ୍ ତିଆରି ହୋଇଥିଲା। ଘରକୁ ଆସିଥିବା ଅତିଥି ଅଭ୍ୟାଗତଙ୍କ ପାଇଁ ପଲାଉ ଆଉ କୁର୍ମା ହୋଇଛି। ରୋଷେଇଘରର ଭିତରକୁ ଆସିବାର ଦଶମିନିଟ ହୋଇଛି କି ନାହିଁ ତାହାକୁ ଭାରି ଅଣନିଃଶ୍ୱାସୀ ଲାଗିଲା। କାମରେ ଏମିତିରେ ଅମିନାର ହାତ ଖୁବ୍ ଚଞ୍ଚଳ, ହେଲେ ତା’କୁ ଲାଗିଲା ସେ ଯଦି ଆସି ରୋଷେଇବାସର ଠିକ୍ ବୁଝାବୁଝି ନକରେ ତେବେ ସମସ୍ତେ ଠିକ୍ ସମୟରେ ଖାଇବାକୁ ପାଇବେ ନାହିଁ, ତଥାପି ସେ ସେଇଠେ ଅଧିକ ସମୟ ରହିଲା ନାହିଁ । ସେ ତରତର ହୋଇ ଉପରମହଲାକୁ ଉଠିଗଲା। କବାଟକୁ ଆଉଜାଇ ଆଣିଲା ଯେମିତି କି ସମଦ ର ନିଦ ଭାଙ୍ଗି ନଯାଏ । ଯେତେବେଳେ ସେ କବାଟକୁ ଠେଲି ଖୋଲିଥିଲା ,ତାହାର ମୁହଁରୁ ବାହାରି ଆସିଥିଲା ଗୋଟିଏ ବଡ ଆର୍ତ୍ତ ଚିତ୍କାର । ତାହାର ଆଖିର ଆଗରେ ହଠାତ୍ ଯେମିତି ଖସି ପଡିଛି ଗୋଟିଏ ବିଶାଳ କଳା ରଂଗର ପରଦା। ଆସିଥିବା ସଂପର୍କୀୟ ମାନେ ନିଜନିଜ ବଖରାରୁ ରେଜିୟାର ଆର୍ତ୍ତ ଚିତ୍କାରକୁ ଶୁଣି ଯେତେବେଳେ ଉପରମହଲାକୁ ଯାଆନ୍ତି ସେତେବେଳେ ଦେଖନ୍ତି ଚେତା ନାହିଁ, ତଳେ ପଡିରହିଛନ୍ତି ରେଜିୟା ଆଉ ରକ୍ତ ଜୁଡୁବୁଡୁ ସମଦ । ସମଦ ଉଠି ଠିଆ ହୋଇଥିଲା ,ଶେଜରୁ ଓହ୍ଲାଇ ସେ ତାହାର ଅମ୍ମିଜାନ୍ ର କ’ଣ ହୋଇଛି ସେଇକଥାକୁ ଦେଖିବାକୁ ଯାଇଥିଲା , ହେଲେ କବାଟ ଯାଏଁ ପହଞ୍ଚିବା ଆଗରୁ ସେ ଚେତା ହରାଇବସେ। କାନ୍ଥରେ ତାହାର ମୁଣ୍ଡଟି ପିଟି ହୋଇଯାଇଥିଲା ଆଉ ସେଇଠୁ ରକ୍ତ ବାହାରିଥିଲା। ଅପରେସନ୍ ପରେ ଶୁଖି ନଥିବା କ୍ଷତ ସ୍ଥାନରୁ ବି ରକ୍ତ ବାହାରୁ ଥିଲା। ଶେଷରେ ତାହାକୁ ହସପିଟାଲ୍ ରେ ଆଡମିଟ୍ କରିବାକୁ ପଡେ।
ଖତନାର ଏଗାର ଦିନ ପୂରଣ ହୁଅନ୍ତେ ଲତିଫ ଅହମଦ୍ ର ପରିବାରର ପିଲାମାନଙ୍କୁ ପବିତ୍ର-ସ୍ନାନ କରାଯାଇଥିଲା। ଠିକ୍ ସେହିଦିନ ଯୋଗକୁ ହସପିଟାଲ୍ ରୁ ଘରକୁ ଫେରି ଆସିଥିଲା ସମଦ । ସେଦିନ ରାତିରେ ପରିବାରରେ ଗୋଟିଏ ଭୋଜି ର ଆୟୋଜନ କରାଯାଇଥିଲା। ସହର ସାରା ଲୋକଙ୍କୁ ସେଠିକୁ ଦାୱତ୍ ଦିଆଯାଇଥିଲା , ଗୁଡାଏ ଖାସିଙ୍କୁ ହଲାଲ୍ କରାଯାଇଥିଲା । ବେଶ୍ ଭବ୍ୟ ଥିଲା ସେ ଭୋଜି । ଘରର ସାମ୍ନାରେ ଆଉ ଅଗଣାରେ ସାମିଆନା ବନ୍ଧା ଯାଇଥିଲା। ବିରିଆନୀ ର ମହକ ପବନରେ ଚାରିଆଡେ ଖେଳି ବୁଲୁଥାଏ । ସମଦ ର ଦୁର୍ବଳତା ତଥାପି ଯାଇନାହିଁ। ରେଜିୟା ତାହାକୁ ନିଜର ଆଖି ଆଗରୁ ଘଡିଟିଏ ଅନ୍ତର କରୁନଥାଏ । ଅନ୍ୟମାନଙ୍କ ସହ କଥାବାର୍ତ୍ତା କରିବା ବେଳେ ସେ ଗୋଟିଏ ଖଟର ଉପରେ ବସି ରହିଥାଏ ଆଉ ତାହାର ଅମ୍ମିଜାନର କୋଳଟିର ଉପରେ ସେତେବେଳେ ରହିଥାଏ ସମଦ ର ମଥା।
ସେ ସେଇଠି ବସି ରହିଥିବା ବେଳେ ଦେଖିଥିଲା କିଏ ଜଣେ ବୈଠକଖାନା ଦେଇ ଭିତରକୁ ଯାଉଛି ଆଉ ସେ ତାହାପରେ ପାଟିକରି ତାହାକୁ ଡାକିଥିଲା, ” ଆରେ, କିଏ ରେ, କିଏ ଯାଉଛ ? ଏଠିକୁ ଆସ !” ଭିତରକୁ ଯାଉଥିବା ଜଣକ ତାହାର ଡାକ ଶୁଣି ତାହାର ପାଖକୁ ଆସି କହିଥିଲା, ” ମୁଁ..ମୁଁ..ଚିକାମ୍ମା.. ” । ରେଜିୟା ଟିକିଏ ଆଖି ମେଲା କରି ଦେଖିଥିଲା, ସେ ଆରିଫ୍। ଯଦିଓ ସେ ଗୋଟିଏ ଛିଣ୍ଡା ସାର୍ଟ ପିନ୍ଧିଥିଲା ଯାହାର କାଲର ପଟଟି ଫଟା,ତଥାପି ତାହାର ମୁହଁ ଉତ୍ତମ ସ୍ୱାସ୍ଥ୍ୟର କାରଣରୁ ଝଲମଲ କରୁଛି । ସେ ଅନେକ ଆଗରୁ ଲାଲ ଲୁଙ୍ଗିକୁ ଛାଡି ସାରିଲାଣି ଆଉ ଟ୍ରାଉଜର୍ ପିନ୍ଧିବାକୁ ଆରମ୍ଭ କଲାଣି । ଏହାର ଅର୍ଥ ଏପରି ଯେ ,ତାହାର କ୍ଷତ ସ୍ଥାନଟି ପୂରାପୁରି ଶୁଖି ଯାଇଛି । ରେଜିୟା ମୁହଁ ବୁଲାଇ ସମଦକୁ ଦେଖେ। ତାହାର ଆଖିରେ ଲୁହ ଜକେଇ ଆସେ। ସେ ନିଜକୁ ନିଜେ ଗୁଣୁଗୁଣୁ କରି କହେ, ” ଖର୍ କୁ ଖୁଦା କା ୟାର୍, ଗରୀବ କୁ ପରବରଦିଗାର୍ .. ଯଦି ଧନୀକୁ ସାହାଯ୍ୟ କରିବା ପାଇଁ ଲୋକ ଅଛନ୍ତି,ଗରୀବ ପାଇଁ ଅଛନ୍ତି ଈଶ୍ୱର !”
ରେଜିୟାର ଦୃଷ୍ଟି ସେ ଯେଉଁ ଟ୍ରାଉଜର ଖଣ୍ଡିକ ପିନ୍ଧିଛି ତାହାରି ଉପରେ ଯାଇ ପଡେ। ପୂରାପୁରି ଛିଣ୍ଡା ସେଇ ଟ୍ରାଉଜର ଟିର ବିଶେଷ ଭାବରେ ଆଣ୍ଠୁ ପାଖରେ ବେଶ୍ ଫଟା । ରେଜିୟାକୁ ଶାନ୍ତ ଆଉ ନିଜର ଭାବନାରେ ଚୁପଚାପ ବୁଡି ରହିଥିବାର ଦେଖି ଆରିଫ୍ ସେଇଠୁ ଯିବାକୁ ଲାଗେ। ସେତେବେଳେ ରେଜିୟା ଦେଖେ ଯେ ତାହାର ପିନ୍ଧା ଟ୍ରାଉଜର ଆଉ ସାର୍ଟର ତଳ ପଟରେ ଦୁଇଟି ଚିରା ବେଶ୍ ବଡ କରି ଦିଶୁଛି। ତାହାକୁ ଭାରି ଖରାପ ଲାଗେ।
“ରହ ରେ ଆରିଫ୍, ରହ ” ସେ କହିଥିଲା। ତାହାପରେ ରେଜିୟା ଯାଇ ଲୁଗାପଟା ରହୁଥିବା ସିନ୍ଧୁକକୁ ଖୋଲେ । ତାହାର ଆଗରେ ରହିଛି ସମଦ ର ଭଳି କି ଭଳି ଜାମାପଟା,ପରିଷ୍କାର ଭାବରେ ଭାଙ୍ଗକରି ଥାକ ଥାକ କରି ରଖାଯାଇଛି।
ଦଶ କି ପନ୍ଦର ହଳ ସେ ଏବେ ଉପହାର ଆକାରରେ ପାଇଥିଲା ଯାହାକୁ ଏଯାଏଁ ଖୋଲା ଯାଇନାହିଁ । ସମଦ୍ ର ଦେହଠୁ ବଡ ହେବ ଏପରି ମାପର ହଳେ ପୋଷାକ ବାହାର କରି ସେ ଆରିଫ୍ ର ହାତକୁ ବଢାଇ ଦିଏ ଆଉ ତାହାକୁ କହେ, ” ନେ, ଏହାକୁ ଧର୍ । ଯେତେବେଳେ ଭୋଜି ଖାଇବାକୁ ଆସିବୁ ଏହାକୁ ପିନ୍ଧିକି ଆସିବୁ,ବୁଝିଲୁ ତ !”
ଆରିଫ୍ ର ଆଖି ଦୁଇଟି ଉଜ୍ଜଳି ଉଠେ। ଏହା କୌଣସି କୃତଜ୍ଞତାର ନୁହଁ, ଏହା ହେଉଛି ଭକ୍ତି। ସେ ହଠାତ୍ ସେଇ ଟି-ସାର୍ଟର ଭିତରକୁ ନିଜର ହାତକୁ ଗଳାଇବାକୁ ଲାଗେ। ରେଜିୟାର ମୁହଁରେ ହସ ଖେଳିଯାଏ। ସମଦ ଖଟରୁ ଉଠି ବସେ ,ତାହାର ମଥାଟି ଥାପିଦେଇଥାଏ ତାହାର ଅମ୍ମିଜାନ୍ ର କାନ୍ଧଟିର ଉପରେ। ଆରିଫ୍ ଏଇ ଦୁଇଜଣଙ୍କୁ ଅନେକ ସମୟ ଚାହିଁ ରହେ ଆଉ ଆସ୍ତେ ଆସ୍ତେ କବାଟ ଆଡକୁ ଆଗେଇ ଯାଏ,ତାହାର ଛାତିରେ ସେ ସେତେବେଳେ ଖୁବ୍ ଜୋର୍ ରେ ଜାବୁଡି ଧରିଥାଏ ସେଇ ନୂତନ ପୋଷାକ ହଳକ।
°°°°°

ବାନୁ ମୁଶତାକଙ୍କର ମୂଳ କାହାଣୀ ଅର୍ଥାତ୍ ଏଇଠି ଅନୁସୃଜିତ କାହାଣୀ, “ରେଡ୍ ଲୁଙ୍ଗି” ବା “ଲାଲ୍ ଲୁଙ୍ଗି” ଟି ପ୍ରଖ୍ୟାତ ସାହିତ୍ୟ ପତ୍ରିକା “ଦି ପାରିସ୍ ରିଭିଉ’ ର ସମର୍ ୨୦୨୪ ସଂଖ୍ୟାରେ ପ୍ରକାଶିତ ହୋଇଛି। ଏଇ କାହାଣୀର ଆଧାର ହେଉଛି ପୃଥିବୀର ସବୁଠାରୁ ବିବଦମାନ ଶଲ୍ୟକ୍ରିୟା ଯାହାକୁ ସ୍ଥାନୀୟ ଭାବରେ କୁହାଯାଏ “ଖତନା”, ସାଧୁଭାଷାରେ କୁହାଯାଏ “ସୁନ୍ନତ” ଏବଂ ଇଂରେଜୀରେ ତାହାକୁ “ସାରକୁମସାଇଜେସନ୍” ବୋଲି କୁହାଯାଇଛି । ଏଇ ସ୍ୱତନ୍ତ୍ର ଶଲ୍ୟକ୍ରିୟାଟି ବସ୍ତୁତଃ ଇସଲାମ୍ ର ଧାର୍ମିକ ଅନୁସଙ୍ଗ ଏବଂ ଏହା ବସ୍ତୁତଃ ଅଳ୍ପବୟସର ପୁଅମାନଙ୍କ ଉପରେ ନିଷ୍ପାଦନ କରାଯାଇଥାଏ।
ବାନୁ ମୁଶତାକଙ୍କ ଏଇ କାହାଣୀରେ ଇସଲାମର ଧାର୍ମିକ ତଥା ପାରଂପରିକ ବିଶ୍ୱାସ “ଖତନା” ଏବଂ ସମାଜର ସେଇ ଧାର୍ମିକ ବର୍ଗର ଅର୍ଥନୈତିକ ବିଷମତାକୁ ଏପରି ମାନବୀୟ ସଂବେଦନାରେ ନିପୁଣତାର ସହ ଉନ୍ମୋଚନ କରାଯାଇଛି ଯେ କାହାଣୀର ପର୍ଯ୍ୟାୟରେ ଆମେ କୌଣସି ଧାର୍ମିକ ସ୍ୱତନ୍ତ୍ରତାକୁ ଅସଲରେ ଦେଖିପାରିବା ନାହିଁ , ଆମେ ନିଜ ଭିତରେ କ୍ରମଶଃ ପାଲଟି ଯାଉଥିବା ଏଇ କାହାଣୀର କାରକ ଚରିତ୍ର ରେଜିୟା, ଆରିଫ୍, ସମଦ ଆଉ ଲତିଫ୍ ଅହମଦ।
କାହାଣୀର ଡିଟେଲିଂ ଅଦ୍ଭୁତ। କାହାଣୀର ସରଳତା ଅଦ୍ଭୁତ । ଆମକୁ ଏଇଠି ଗୋଟିଏ କଥାକୁ ପ୍ରସଙ୍ଗକୁ ଆଣିବା ଆବଶ୍ୟକ। କାହାଣୀର ସରଳତା,ବଖାଣ ଆଉ ପ୍ରଭାବୀ ଇଂଗିତ ବସ୍ତୁତଃ କୌଣସି କାହାଣୀକୁ ଲୋକକଥା-ବାଚକ କରିଦେଇଥାଏ।
ଶ୍ରୀଯୁକ୍ତା ବାନୁ ମୁଶତାକଙ୍କୁ ଅନେକ ଅନେକ ଅଭିନନ୍ଦନ ।
୨୦୨୫ ମସିହାର ମର୍ଯ୍ୟଦାବନ୍ତ ଆନ୍ତର୍ଜାତିକ ବୁକର ପୁରସ୍କାରର ପ୍ରାପକ ହେଉଛନ୍ତି କନ୍ନଡ ଭାଷାରେ ଲେଖନକର୍ମ କରି ଆସୁଥିବା ଜଣେ ଭାରତୀୟ ଲେଖିକା ବାନୁ ମୁଶତାକ। ତାଙ୍କର କ୍ଷୁଦ୍ରଗଳ୍ପ ସଂକଳନ “ହାର୍ଟ ଲାମ୍ପ” ନିମନ୍ତେ ଏହି ସେ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତା ହୋଇଛନ୍ତି। ୧୯୯୦ ମସିହାରୁ ୨୦୨୩ ମସିହା ପର୍ଯ୍ୟନ୍ତ ଦୀର୍ଘ ତିନି ଦଶକ ସମୟରେ ଲିଖିତ ମାତ୍ର ୧୨ ଟି କ୍ଷୁଦ୍ରଗଳ୍ପର ସଂକଳନ ହେଉଛି ଏହି “ହାର୍ଟ ଲାମ୍ପ” ,ଯାହାକୁ ବାନୁ ମୁଶତାକଙ୍କର ମୂଳ କନ୍ନଡ ଭାଷାରୁ ଅନୁବାଦ କରିଛନ୍ତି ଶ୍ରୀମତୀ ଦୀପା ଭାସ୍ତି।
ଆନ୍ତର୍ଜାତିକ ବୁକର ପୁରସ୍କାରର ଚୟନ କମିଟି ବାନୁ ମୁଶତାକଙ୍କୁ ଯୋଗ୍ୟ ବିବେଚନା କଲାବେଳେ ଦୀପା ଭାସ୍ତିଙ୍କର ଅନୁବାଦର ବି ସ୍ୱତନ୍ତ୍ର ଭାବରେ ପ୍ରଶଂସା କରିଛନ୍ତି। ପୁରସ୍କାର କମିଟି ବହିଟି ସଂପର୍କରେ କହିଛନ୍ତି : “ହାର୍ଟ ଲାମ୍ପ” କେବଳ ନିପୀଡନର କାହାଣୀ ନୁହଁ, ଏଥିରେ ରହିଛି ସାହସ, ରସିକତା ଏବଂ ବ୍ୟଙ୍ଗ। ମୁସଲିମ ଜୀବନ ପ୍ରତି ପଶ୍ଚିମାମାନଙ୍କର ଏକମାତ୍ରିକଦୃଷ୍ଟି ଭଂଗିକୁ ଏଇ ଗଳ୍ପଗୁଡିକ ବିଶେଷ ଭାବରେ ଚାଲେଞ୍ଜ କରୁଛି। ବହିଟିର ଅନୁବାଦ ସଂପର୍କରେ ପୁରସ୍କାର କମିଟି କହିଛି :”ବହିଟିର ଅନୁବାଦ ହେଉଛି ବ୍ୟତିକ୍ରମୀ। ଯେଉଁଠି ଅଧିକାଂଶ ଅନୁବାଦ ପାଠକ ନିକଟରେ ମୂଳ ଭାଷାକୁ ଆଢୁଆଳରେ ରଖିଦେବାକୁ ଚାହେଁ , ସେଇଠି ଦୀପା ଭାସ୍ତିଙ୍କ ଅନୁବାଦ ହେଉଛି “ଦୃଶ୍ୟମାନ” – ଭାରତୀୟ ଅଭିବ୍ୟକ୍ତି ଓ ବାଚନ ଭଂଗି ଗଳ୍ପଗୁଡିକୁ ପ୍ରାଣବନ୍ତ କରିଛି”
ପୁରସ୍କାର ପ୍ରାପ୍ତିର ସଂବାଦକୁ ଉଲ୍ଲେଖ କଲାବେଳେ ଏହି ବହି “ହାର୍ଟ ଲାମ୍ପ” ସଂପର୍କରେ ପର୍ଯ୍ୟାଲୋଚନା କରିବାକୁ ଯାଇ “ଇଣ୍ଡିଆନ ଏକ୍ସପ୍ରେସ ” କହିଛି : “ଏପରି ସାହିତ୍ୟ ସଂସ୍କୃତିରେ ଯେଉଁଠି କେବଳ ଚମକପ୍ରଦ ଉପସ୍ଥାପନାକୁ ପୁରସ୍କୃତ କରା ଯାଇଥାଏ ,ସେଇଠି “ହାର୍ଟ ଲାମ୍ପ” ଗୁରୁତ୍ୱ ଦେଇଛି ସୀମାନ୍ତ (ଆଉଟସ୍କାର୍ଟ)ରେ ବସବାସ କରୁଥିବା ଯାପିତ ଜୀବନଗୁଡିକ ପ୍ରତି , ଅଦୃଶ୍ୟ ରହି ଯାଉଥିବା ସିଦ୍ଧାନ୍ତ ଗୁଡିକ ପ୍ରତି ଏବଂ ଯେ କୌଣସି ପ୍ରକାରରେ ବଞ୍ଚି ବର୍ତ୍ତି ରହିପାରିବାର ଦୃଢ ପ୍ରତ୍ୟୟର ପ୍ରତି। ଏହା ହିଁ ବାନୁ ମୁଶତାକଙ୍କ ନିଃଶବ୍ଦ ଶକ୍ତି।
୧୯୪୮ ମସିହାରେ ଦକ୍ଷିଣ ଭାରତରେ ଜନ୍ମିତ ୭୭ ବର୍ଷ ବୟସୀ ବାନୁ ମୁଶତାକ ପେଶାରେ ଜଣେ ଆଇନଜୀବୀ,ସାମ୍ବାଦିକ ଏବଂ ମାନବାଧୀକାର କର୍ମୀ। ନିଜର ଗଳ୍ପ ସଂପର୍କରେ ସେ କହିଛନ୍ତି : “ମୋର ଗଳ୍ପ ଗୁଡିକ ସମାଜ ଧର୍ମ ଏବଂ ରାଜନୀତି ଦ୍ୱାରା ନାରୀମାନଙ୍କ ଉପରେ ଆରୋପିତ ନିଃସର୍ତ୍ତ ଆନୁଗତ୍ୟର ଦାବୀ ଏବଂ ତାହା ଫଳରେ ସୃଷ୍ଟ ନିଷ୍ଠୁରତାର ପ୍ରତିଛବି। ମୋର ହୃଦୟ ମୋର ଗବେଷଣା କ୍ଷେତ୍ର।”
ପୁରସ୍କାର ପ୍ରାପ୍ତିର ସଂବାଦ ପାଇବା ପରେ ନିଜର ପ୍ରତିକ୍ରୀୟାରେ ବାନୁ ମୁଶତାକ ଯେଉଁ ଅଭିବ୍ୟକ୍ତି ପ୍ରକାଶ କରିଛନ୍ତି ତାହା ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ସେ କହିଛନ୍ତି : “ଯେମିତି ହଜାରେ ଜୁଳୁଜୁଳିଆ ପୋକ ଘଡିକ ପାଇଁ ଆକାଶରେ ସମ୍ମିଳିତ ଭାବରେ ତୀବ୍ର ଆଲୋକର ବିଚ୍ଛୁରଣ ଘଟାଉଛନ୍ତି । ଏଇ ବହିଟି ମୋର ଭଲପାଇବାର ବାର୍ତ୍ତା – ଏହିପରି ବିଶ୍ୱାସର ଉପଜ ଯେ କୌଣସି ଗଳ୍ପ କେବଳ “ସ୍ଥାନୀୟ” ନୁହଁ। ଆମର ଗାଆଁ ର ଝଙ୍କାଳିଆ ବରଗଛର ତଳେ ଜନ୍ମ ନେଇଥିବା ଗଳ୍ପ ବି ଆନ୍ତର୍ଜାତିକ ମଞ୍ଚରେ ଆଲୋକ ପକାଇପାରିବାକୁ ସମର୍ଥ ହୋଇପାରେ।”
ସ୍ଥାନୀୟତା ଏଇ ବିଶ୍ୱାସ-ଭାଷ୍ୟ ଆମର ସର୍ବଦା କାମ୍ୟ ।
ପ୍ରଖ୍ୟାତ ବାନୁ ମୁଶତାକଙ୍କ ଉପରେ ଏଇ ଉଦ୍ଧୃତି ବହୁଳ ଆଲେଖରେ ଆଉ ଗୋଟିଏ ଉଦ୍ଧୃତି। ସେଇ ଉଦ୍ଧୃତିଟି ” ହାର୍ଟ ଲାମ୍ପ” ପୁସ୍ତକର ଇଂରେଜୀ ଅନୁବାଦିକା ଦୀପା ଭାସ୍ତିଙ୍କର। ସଂପୃକ୍ତ କ୍ଷୁଦ୍ରଗଳ୍ପ ସଂକଳନର ଶେଷରେ ସେ “ଟ୍ରାନସଲେଟର’ସ ନୋଟ୍” ଆକାରରେ ଗୋଟିଏ ଖୁବ୍ ସୁନ୍ଦର ଆଲେଖର ସଂଯୋଜନ କରିଛନ୍ତି ,ତାହାର ଶୀର୍ଷକଟି ବି ଆହୁରି ଅଧିକ ସୁନ୍ଦର ,” ଏଗେନଷ୍ଟ ଇଟାଲିକ୍ସ”।
ସେଥିରେ ଅନୁବାଦିକା ଦୀପା ଭାସ୍ତି ଲେଖିଛନ୍ତି :
“ବାନୁ ମୁଶତାକଙ୍କ ସଂପୂର୍ଣ୍ଣ କାର୍ଯ୍ୟ ନିର୍ବହନର ପନ୍ଥା, ତାହା ଜଣେ ଲେଖକ ହେଉ କି ଜଣେ ସାମ୍ବାଦିକ ହେଉ, ଜଣେ ଆଇନଜୀବୀ ହେଉ କି ଜଣେ ସମାଜ କର୍ମୀ ହେଉ ,ଏହାକୁ ସଂକ୍ଷିପ୍ତ ଭାବରେ ଗୋଟିଏ କନ୍ନଡ ଶବ୍ଦରେ କହିହେବ, ବନ୍ଦାୟା । ବନ୍ଦାୟା ର ଅର୍ଥ ହେଉଛି ଅସହମତ, ବିଦ୍ରୋହ, ପ୍ରତିବାଦ, ସତ୍ତାପକ୍ଷକୁ ବିରୋଧ ,ବିପ୍ଳବ ଏବଂ ଏହାର ଆନୁସଙ୍ଗିକ ବିଚାରଧାରା ; ଏହାକୁ ସାହିତ୍ୟ ସହ ସଂଯୋଜନ କରିବା ଏବଂ ଏହା ଫଳରେ ଆମେ କନ୍ନଡ ସାହିତ୍ୟରେ ସତୁରୀ ଦଶକରେ ଏକ କ୍ଷଣଜୀବୀ ତଥା ପ୍ରଭାବୀ ସାହିତ୍ୟ ଆନ୍ଦୋଳନ କୁ ଦେଖିବାକୁ ପାଇଥିଲେ। “
“ବନ୍ଦାୟା ସାହିତ୍ୟ” ହେଉଛି ସେଇ ସାହିତ୍ୟ ଆନ୍ଦୋଳନ ଆଉ ଏହାର ଅନ୍ୟତମ କର୍ଣ୍ଣଧାର ହେଉଛନ୍ତି ବାନୁ ମୁଶତାକ।
ବାନୁ ମୁଶତାକ ହେଉଛନ୍ତି ସାହିତ୍ୟରେ ଜଣେ ଚିର ବିଦ୍ରୋହୀ । ତାଙ୍କର ଗଳାରେ କେବଳ ଗଳ୍ପ କୁହାହୋଇ ନାହିଁ ,ସେଥିରେ ଜାଗରିତ ହୋଇଛି ସମାଜର ନିମ୍ନବର୍ଗର କଂଠସ୍ୱରର କ୍ରିୟାଶିଳ ହେବାର ଆହ୍ୱାନ। ତାଙ୍କର କାହାଣୀରେ ରହିଛି ଅତୀତର ଆକୁଳ ଇତିହାସ,ସମକାଳ ସମାଜର ନେପଥ୍ୟ ସଂଗ୍ରାମ ଏବଂ ଭବିଷ୍ୟତର ସ୍ୱପ୍ନର ଅନାବୃତ୍ତ କାହାଣୀ।
ଏଇ କଥାଟି ସମାପ୍ତିରେ ଆପଣମାନଙ୍କ ସ୍ମରଣକୁ ଆଣୁଛି ଯେ,ଆନ୍ତର୍ଜାତିକ ସ୍ତରରେ ପ୍ରତିବର୍ଷ “ବୁକର୍” ଦୁଇଟି ପୁରସ୍କାର ପ୍ରଦାନ କରିଥାଏ, ଗୋଟିଏ “ବୁକର ପ୍ରାଇଜ୍” ଆଉ ଆରଟି “ଇଣ୍ଟରନେସନାଲ ବୁକର୍ ପ୍ରାଇଜ୍”। ୨୦୨୨ ମସିହାରେ ଭାରତୀୟ ଲେଖିକା ଗୀତାଞ୍ଜଳୀ ଶ୍ରୀ ତାଙ୍କର ମୂଳ ହିନ୍ଦି ଭାଷାରେ ଲିଖିତ ଉପନ୍ୟାସ “ରେତ କି ସମାଧୀ (ଦି ଟମ୍ବ ଅଫ୍ ସାଣ୍ଡ ) ନିମନ୍ତେ ପ୍ରଥମ ଭାରତୀୟ ଲେଖକ ଯିଏ ଏହି “ଇଣ୍ଟରନେସନାଲ୍ ବୁକର୍ ପ୍ରାଇଜ” ଲାଭ କରିଥିଲେ। ଗୀତାଞ୍ଜଳୀ ଶ୍ରୀ ଙ୍କ ପରେ ବାନୁ ମୁଶତାକ ହେଉଛନ୍ତି ଦ୍ୱିତୀୟ ଭାରତୀୟ ଲେଖିକା ଯିଏ ସଂପ୍ରତି ୨୦୨୫ ମସିହା ପାଇଁ ଏଇ ବିଶେଷ ପୁରସ୍କାରରେ ସମ୍ମାନୀତ ହୋଇଛନ୍ତି।
ଏଇଠି ଆଉ ଗୋଟିଏ କଥା ସବୁଠାରୁଗୁରୁତ୍ୱପୂର୍ଣ୍ଣ।
୧୯୬୯ ମସିହାରେ ପ୍ରତିଷ୍ଠିତ ହୋଇଥିବା ଏଇ ସମ୍ମାନଜନକ ” ବୁକର ପୁରସ୍କାରର ଦୀର୍ଘ ୫୬ ବର୍ଷର ଇତିହାସରେ ଏଇ ପ୍ରଥମଥର ଏକ ଅଦ୍ଭୁତ ଘଟଣା ସଂଘଟିତ ହୋଇଛି। ଏଥର “ବୁକର୍’ ର ଇତିହାସରେ ପ୍ରଥମ ଥର ପାଇଁ ସମ୍ମାନୀତ ହୋଇଛି କ୍ଷୁଦ୍ରଗଳ୍ପ ।
“ହାର୍ଟ ଲାମ୍ପ” କୁ ସମ୍ମାନ, ବାନୁ ମୁଶତାକଙ୍କୁ ପ୍ରଣାମ।
ଭାରତୀୟ କ୍ଷୁଦ୍ର ଗଳ୍ପ ର ଜୟ ହେଉ।