ଆମେରିକାର ନିଖୋଜ ସନ୍ତାନଗଣ

ଲେଖକ : ଜୟନ୍ତ ମହାପାତ୍ର || ଅନୁବାଦ : ଜ୍ୟୋତି ନନ୍ଦ

ଏଇଠି

ଏଇ ଧୂଳିବାଲି ସନ୍ତସନ୍ତ ମେଲେରିଆ ଗଳି

କଟକର ଯେଉଁଠି ବୟସମାନେ ଧିରେଧିରେ ହଜାଇ ବସୁଛନ୍ତି ଆପଣାର ଗୋପନତା

ସେମାନେ ନିରୁଦ୍ଦେଶ ବୁଲାଚଲା କରୁଛନ୍ତି

ଗଳିରୁ ଗଳିକୁ ବୋହି ସାଥେ କ୍ଷତ ଯେତେ ଚକ୍ରାନ୍ତର ଓ ବର୍ଷାର

ଆଉ ଏକ ଈଶ୍ୱରଙ୍କ ହାତ ଯାହା କେବେ ଦିଶେନାହିଁ

ସାମ୍ନାରେ  ଆଡମ୍ବରପୂର୍ଣ୍ଣ ମନ୍ଦିର ଏକ  ହନୁମାନଙ୍କର ବାନରାକୃତିରେ

ନଈକୂଳ ସାରା ବିଛାଡି ପଡିଛି ମଣିଷର ମଳ ଓ ଗୋବର

ବଜାର ଛକରେ ଭାରି ଭୀଡ ପଚାସଢା ଟମାଟୋ

ମାଛକାତି ଇଷତ୍ ଆର୍ଦ୍ର କଦଳୀଚୋପା ଆଉ ମୂତ

ଯିବାବାଟ ଥନବତୀ କୁଟିଳନୟନା ରୂପଜୀବୀ ତରୁଣୀଗଣ

ଯେଉଁମାନେ ସ୍ଥାନୀୟ ସିନେମାଘର ପଛପଟ ଶୂନ୍ୟସ୍ଥାନକୁ ବାରଂବାର ଯାଉଥାନ୍ତି

ଟାଉନ ହଲ ପାଖରେ ଯେଉଁଠି ଅସାଧୁ ରାଜନେତା ତଥାପି ତାହାର

ପ୍ରାକ୍-ନିର୍ବାଚନୀ ଭାଷଣ ଜାରି ରଖିଥାଏ

ଆଉ ସହରର ସେହି ବଡରାସ୍ତା ଉଚ୍ଚାରେ ଅଧିକ ଶ୍ମଶାନ ଠାରୁ 

ଯେଉଁଠାରୁ କ୍ଷୁଧାଜୀବୀ ମାଟିଆ ରଂଗର ଧୂଆଁ ଭାସି ବୁଲୁଥାଏ

ପବନରେ,ଚାପୁଡାଟେ ମାରି ଉଷୁମର ଅସ୍ଥିସାର ଆଉ ଦ୍ୱିଧା ସକଳକୁ।

ଏଇଠି

ଅବାସ୍ତବ ଉଦ୍ଦୀପକ

କେଉଁ ଏକ ଅନ୍ଧାରି ଦେଉଳର ବାସ୍ନାର ଧୂଆଁ

ଯିବା ପାଇଁ ଉଦ୍ୟମରେ ଅନିଚ୍ଛୁକ ନିଜକୁ ଫାଳଫାଳ ଚିରୁଥିବା କୁଷ୍ଠରୋଗୀର ଗତି ଭଳି

ଚଣ୍ଡି ମନ୍ଦିର ପାଖରେ ବଡି ଭୋରରେ

ଯେମିତି ଏକ କ୍ଷତାକ୍ତ ତିମିମାଛ ଅପସରି ଯାଏ

ବିଷାଦରେ ଏକ ଅଜଣା ସମୁଦ୍ରକୁ

ଏସିଆର ଅଂଧାର ବତାସ ଭଳି

ଯାହା ନିରାନନ୍ଦରେ ଫୁସଫୁସ କରି କହୁଥାଏ ସାରା ବସ୍ତି ମାତ୍ର ଉତ୍ତର ଦିଏନି

ସେମାନେ ପର୍ଯ୍ୟଟକ,ସେହି ନିରୁଦ୍ଦିଷ୍ଟ ସନ୍ତାନଗଣ ଆମେରିକାର,

ମଥାରେ ଲମ୍ବା ଆଉ ଅସଜଡା କେଶ ଆଉ ତାଙ୍କର ଖାଲି ପାଦ ;

ଜଣକର ଅଣ୍ଟା ଯାଏଁ ଲୁଗା ନାହିଁ ,ତାହାର ପିନ୍ଧା ସର୍ଟସ୍ ର ପ୍ରାନ୍ତ ଦେଶ ଦୁଇଟିଯାକ କ୍ଳାନ୍ତ ଫଟାଫଟା ମୁହଁ –

ନାରୀ ଜଣେ,ମୁହଁ ତା’ର ପୁରୁଣା ଚିନାମାଟି

ଜଳୁଥାଏ ଉଦଗ୍ର ଖରାରେ

ବେପରୁଆ ଲୁଗାପିନ୍ଧା ରଙ୍ଗଛଡା ଅଖା

ଦୁର୍ବଳ ଥନ ତା’ର  ଶିଥିଳ ଏତିକି

ସେମାନଙ୍କ ପରାକ୍ରମ ଆଉ ଶକ୍ତି ସବୁ କେବେଠାରୁ ହରାଇସାରିଛି ;

ହଜିଯାଇଥିବା ପିଲାଏ ଫାଙ୍କା ଆଖିରେ ପର୍ଯ୍ୟଟନ କରୁଛନ୍ତି

ଧୂପର ସୁବାସ ନେଇ  ଘାସ ଆଉ ଫୁଲର ମେଳରେ ବଂଚିବାରେ

ଆବର୍ଜନା ସଫା କରୁଥିବା ଲୋକ

ଯେମିତି ଥାଏ ସାଥିରେ ତାହାର ଅବିଚଳିତ ଛାଇ ସେଇ ଭଳି

ହୁଏତ ଅନେକ ଦେବତାର ସନ୍ଧାନରେ,ପ୍ରାର୍ଥନାରେ ଶକ୍ତି ଦିଅ ପ୍ରଭୂ,

ସେମାନଙ୍କ ଚେହେରାରେ ଅଣଖିରସ୍ତାନୀ ସଭ୍ୟତାର ଭବିଷ୍ୟ କହୁଛି ସେ ନାରୀ ରହିଥାଏ ଆଉ ଡାହାଣୀଗଣ,

ଶିତରେ ଥୁରୁଥୁରୁ ବର୍ଜ୍ୟ ତ୍ୟାଗ ଆଉ ଏକ

ଭିନ୍ନ ପୃଥିବୀର ।

ଅଥବା ହୁଏତ

ବିଲୁଆ ନାରୀ ସେ ଯାହା ପଛେ ପଛେ କ୍ଷତିନିଷ୍ଟ ପାଦଚିପା ଚାଲି ସେଇ ଭଳି

କେଉଁ ଏକ ଅଦୃଶ୍ୟ ବାଣୁଆ ଯିଏ ଫେରିଆସେ

ସାଥିରେ ତାହାର କ୍ଷତାକ୍ତ ଶାବକ ଗହନ ବନସ୍ତକୁ,

ଏବଂ ଭୟ ନୁହଁ ଆଉ ଗୋଟେ କ’ଣ ଭୟ ଠୁ ବଳୁଆ

ଆଶ୍ରା ଖୋଜେ କେଉଁ ଏକ ଫରେଷ୍ଟରର କେବିନରେ

ଦରକାର ବେଳର ଦାନ ପରି

ଏବଂ ପବନର ଶକ୍ତିଶାଳି ବନ୍ଧନ ଟାଣରେ

ଅଥବା ଖୋଜି ପାଇବାକୁ ସେପରିକି ନୁହଁ ଏଇ

ଗ୍ରୀଷ୍ମମଣ୍ଡଳୀୟ ବତାସ

ଯାହା ଆବୋରି ବସିବ ଆଉ ମନର ଭିତରେ ପାଲଟଣା ବୋଇତକୁ ଭସାଇ ନେବ ଲୋଡା ଥିବା ପବନ ପାଖକୁ

ସେସବୁ ଯେତେ ବୁଣା ସରିଛି

କେରା କେରା ବିଦ୍ରୁପର ଅନ୍ତନାଡି ଦ୍ୱାରା।

କେହି ସେମାନଙ୍କୁ ଜାଣିନାହିଁ,

ସେମାନେ ମୁକ୍ତ,ସେମାନେ ସାଧାରଣ ଲୋକ

କୋମଳ ଆଉ ସବୁଜ ଠାଣି,ଆନମନା କରେ

ସେମାନଙ୍କର ମାନବତାର ଗୋପନ ସଙ୍ଗୀତ,

ମନ ଫୁରୁଫୁରୁ ଏସିଡ୍ ରେ ଆଉ ଦେହକୁ ମନକୁ

ତ୍ୱରିତ୍ ଫୁତ୍କାର ରେ ଯୋଡୁଥିବା ଆମ୍ଫିଟାମାଇନ୍ ବଟିକାରେ

ଆମେ ଦେଖୁ ସେମାନେ ଯାଉଛନ୍ତି ଉଦବିଗ୍ନ ପରମାନନ୍ଦର ଏକ ଅନିର୍ଦ୍ଦିଷ୍ଟ ଅନୁଭବ ସହ

ସେମାନେ ଏମିତି କିଛି ଆମକୁ ଯାହା ଜାଣିବାର ନୁହଁ;

ସେମାନେ,ଉଦାହାରଣ ସ୍ୱରୂପ,ଅତିଥି ନୁହଁନ୍ତି

ରୋଟାରୀ ଇଣ୍ଟରନେସନାଲ୍ ର କି ୟୁଏନ୍ଓ ର,

ସେମାନେ ନିଖୋଜ ସନ୍ତାନ

ଯିଏ ପ୍ରତ୍ୟାଖ୍ୟାନ କରିଛନ୍ତି ନିଜର ଭୂଇଁକୁ ଏବଂ

ସେମାନଙ୍କର  ଆଭୂଷଣର ଦିନମାନ ।

କିଏ ଲୋଡେ ନାହିଁ ଏମିତି ପଚାରିବସିବ ଯିଏ ଆମକୁ ସେହି ପୁନଃପୌନିକ ପ୍ରଶ୍ନାବଳୀ :

କାହିଁକି ଦେହର ରଂଗ ମୋର ଏଡିକି ଶ୍ୟାମଳ,ମୋର ଜନ୍ମ ଶେଷ ଜନ୍ମ ନୁହଁ ?

କାହିଁକି ମୁଁ ଶୌଚ ହୁଏ ନିଜ ହାତ ସହଯୋଗେ ?

କାହିଁକି ପତ୍ନୀ ଭାବରେ ମୋର ସତୀନାରୀ ଚାହି?

କାହିଁକି ମୁଁ ନତଜାନୁ ହୁଏ ଅଦ୍ଭୁତ ଏକ ଦେବତା ସାମ୍ନାରେ

ବିସ୍ୱାଦ କାଠରୁ ଯାହାକୁ ମୁଁ ଖୋଳିବାରେ ସାହାଯ୍ୟ କରିଛି ?

ଯେତେବେଳେ ଶିଶୁଟିକୁ ଲୁଗାରେ ଘୋଡାଇ କିଏ ଜଣେ ପଳାଇ ବସିଛି

କାହିଁକି ମୁଁ ଜବତ କରିବାକୁ ଚାହୁଁଛି ଅଭିଜ୍ଞତା ବିଜ୍ଞତା ସେଥିରୁ ?

ମୋର କିଛି ପଚାରିଯିବାର ନାହିଁ

ଦଶହଜାର ମାଇଲ୍ ଅତିକ୍ରମ କରି କାହିଁକି ସେମାନେ ଆସିଲେ ଏଠିକୁ,

ଆଖିମାନ ଠିଆ ମେଲା ଅଥଚ ନିଦରେ ଅଚେତନ,

ଏବଂ ହୁଏତ ସେମାନେ ମଣିଷ ସ୍ୱପ୍ନଚାରୀ;

ଏଇ ମଣିଷମାନେ ଶେଷହୀନ ବିପଣୀମହଲର

ଧାଡି ଧାଡି ମଝିରେ ଥିବା ସରୁ ପଥରେ ଭୀଡ କରୁଛନ୍ତି

ଛବିଳ ହସ୍ତଲିପି ମରିଚିକାର ଅପଭ୍ରମ ନୀଳ ଆଖିରେ ସେମାନଙ୍କର,

ବିଶ୍ୱାସ ନଥିବା ଏପରି ଦେହଟି ତାହାର ନୀରିହତାରେ ଗୋପନ ଥାଏ,

ଶ୍ୱାସରୁଦ୍ଧ ଜଙ୍ଘସନ୍ଧି,ସ୍ୱୟଂଚାଳିତ ଜନନାଙ୍ଗ;

ଆବେଶ ଯାହା କ୍ଷତିକର ନୁହଁ

କେବଳ ସେମାନଙ୍କୁ ନେଇଯାଇଥାଏ ସବାରୀ ଆକାରରେ ଥରଟିଏ ।

ଏବଂ ନିଦ ପାଇଁ ହତାଶ ଚେଷ୍ଟାରେ ଯେତେବେଳେ ସେମାନେ ଆଖି ବୁଲାଉ ଥାନ୍ତି

ସେମାନଙ୍କ ଗୋପନ ମୁହଁ ମୁକୁଳିତ ହୁଏ

ଛବିଳ ପୋଷ୍ଟକାର୍ଡ ଭଳି ଏକାନ୍ତ କେଉଁ ଅଜଣା ଦେଶର,

ହୁଏତ ସମାନ ଗୀତ,ଆଉ ଅନ୍ୟମାନେ କେହି

ଏହାକୁ ମୃତକଙ୍କ ଉଦ୍ଦେଶ୍ୟରେ ମନ୍ତ୍ରପାଠ କରୁଛନ୍ତି

ସମସ୍ତ ସନ୍ତାନଙ୍କ ସଦୟ ବିଦାୟ ସହ,

ଅଥବା ହୁଏତ ଅପେକ୍ଷାରତ ଅଭିଯୁକ୍ତ ଭଳି

ନିଷ୍ଠୁର ଅବିରତ ସମୟ,

ସତର୍କ ନଜରଦାରୀ ଆକାଶ ଉପରେ ଚାହାଁଣୀରେ ଜଟିଳ ସଂତ୍ରାସ।

ମାଈସଞ୍ଜ ଆଉ ଗାଢ ହେଲେ

ଅସ୍ଫଷ୍ଟ ହୋଇଥାଏ ପାର୍ଥିବ ନିଆଁର ଧାସ

କେଉଁ ସୁଦୂରରୁ ନୀରବତାର ବଂଶୀସ୍ୱନ ଲହରେଇ କ୍ଷୀଣ ହୋଇଯାଏ

ସେମାନେ ଶିଖିଗଲେଣି ନିଜ ନିକଟକୁ ଫେରିଆସିବାକୁ ହେବ କେଉଁପରି

ଶୂନ୍ୟତାର ଏରୁଣ୍ଡିକୁ ଡେଇଁ

ଯେତେବେଳେ ଶୂନ୍ୟତାର ଆକାଶୀ ଉଜ୍ଛଳ ଗୋଲକ

ଭରିଦେବ ଆଖିରେ ତାଙ୍କର ଧାଡିଏ ବର୍ଣ୍ଣାଳୀ:

ସେଇ ରଂଗ ତୃତୀୟ ନେତ୍ରର,ତୀର୍ଯ୍ୟକ୍,ମହାନ,

ସେଇ ରଂଗ ଆଖି ହଳକର ଯେତେବେଳେ ନିର୍ବାପିତ ସେଇଠୁ ସକଳ ଆଲୁଅ

ସେଇ ରଂଗ ଲଂଗଳାର ,ଯାହା ଚାବୁକମାରୁଥାଏ ଅନବରତ ଦେହକୁ

ଏବଂ ସେମାନେ ଚିହ୍ନିଯାଆନ୍ତି ତିରସ୍କାର ଆଉ କ୍ଷୁଧାର ଇଲାକା

ଏବଂ କେଉଁଭଳି ରମଣୀ ସେ ସୁଖରେ ରହିବ

ଶୁଖାଇବ ସୁବିଧାରେ ତା’ର ଏକମାତ୍ର ଓଦା ଲୁଗା

ସ୍ନାହାନର ସମାପନ ପରେ,ଏବଂ ଅନାମା ନିର୍ଜନତା

ପଛରେ ତାହାର ଆଉ କିଛି ଲୁଚାଇବାର ନାହିଁ,

ବିଷାଦ ନାହିଁ,ବୃହତ ଅଥବା ଛୋଟ ଠାରୁ ଅଧିକ ଛୋଟ,

ଏବଂ ସେମାନେ ପାଇଯାଆନ୍ତି ମରଣର ଗୋପନ ରହସ୍ୟ।

ଆମେ ପରସ୍ପରକୁ ଚାହିଁ ରହୁ ନୀରବରେ,ନିଖୋଜ ସନ୍ତାନ ଆଉ ମୁଁ ;

କିଏ ଜାଣେ କିଏ କାହାକୁ ନେଇ ହସକଥା ତିଆରି କରିଛି କାହାର ଉପରେ ?

କିଏ ମୋତେ ତଡିନେଇଯିବ ଏଇ ଅଂପାକ୍ତେୟ ନ୍ୟୁନ ଅଂଧଗଳୀ ଠାରୁ,

ଯେଉଁଠି ମୁଁ ରହେ ?

ଆମ ଭିତରୁ କିଏ ସେ ଦୂରଦୃଷ୍ଟି କାରଣରୁ ପଥଭ୍ରଷ୍ଟ

ଯାହା ଦିଶେ ତାହାଠାରୁ ଅଧିକ ବାସ୍ତବ,

ଯାହା ଛାଇଯାଏ ଥରଥର ପାଉଁଶରେ ସାରା ଘର ଆମ

ଯାହା ବହିଆଣେ ପ୍ରଶମିତ କ୍ଷୁଧାକୁ

ଭୌତିକ ବନସ୍ତରୁ ଆଉ ପୌରାଣିକ କାହାଣୀର ଶିକାର ଶେଷରୁ ?

ଗଲା ରାତିରେ ହନୁମାନ ମନ୍ଦିରରେ

ପୂଜକର ପୁଅ ମଥାରେ ସୁବାସିତ ତେଲ, ଜିନ୍ ପ୍ୟାଣ୍ଟ ପିନ୍ଧା

ବଳାତ୍କାର କରିଥିଲା ଚଉଦବର୍ଷୀୟା ଏକ ଧୀବରର କନ୍ୟା,ଚାହାଁଣୀରେ ଟେରୀ

ମନ୍ଦିର ପଛପଟେ ଭଂଗା ପଥର ଚଟାଣରେ

ଆଉ ଆଜିର ସକାଳେ

ବାପ ତା’ର ପୁଲିସ୍ ଷ୍ଟେସନରେ ପାଇଥିଲା ତା’କୁ

ଚାରିଜଣ ପୁଲିସ୍ ର ଲୋକ ତାହା ଉପରକୁ

ଝାମ୍ପି ପଡିଥିଲେ ଜଣକ ପରେ ଜଣେ ଚାରିଜଣ

ଅଂଧାକାର ଜରଜର ଆଉ ମରଣର ଗାଢ ଲାଲରଂଗ।

ଅଂଧାର ହେଲେ ସେଇ ନିଖୋଜ ସନ୍ତାନ ମାନେ ଆଉ ମୁଁ

ମିଞ୍ଜିମିଞ୍ଜି ଟିପାବତୀ ଆଉ ଫେରିଯାଉ ସେଇ ମୁହୂର୍ତ୍ତକୁ

ଆମେ ତୋଳିଧରୁ ଆଉ ଥରେ ଭୋର୍ ର ଅନିଶ୍ଚିତ ଆଲୁଅ;

ମିଛ ସହ ଆଉଥରେ ନିଜକୁ ତଉଲି ନେଉ

ଝରାପତ୍ରର ଗହଳିରେ ପୃଥିବୀର,

ଶବ୍ଦକୁ ଅସହଜ କରି ଝରିପଡେ ଯେତେ ଚିତ୍ରକଳ୍ପ ଉପମାନ,

ବିଶେଷଣର ସମସ୍ତ ପ୍ରଭାର ମଣ୍ଡଳ

ଆମେ ଯେତେବେଳେ ଅପେକ୍ଷାରେ ଥାଉ ଅନୁମତି ମିଳିଛି ଚୁପଚାପ୍ ସୁଖର ଭିତରକୁ ଯିବୁ,

ମୃତମାନେ ମାଟିର ଜୟଗାନ କରୁଛନ୍ତି

ଚାରିଆଡେ ପଙ୍ଗୁ ଅବସାଦ :

ପ୍ରତିଧ୍ୱନିତ ହେଉଅଛି ଭିନ୍ନ ଭିନ୍ନ ପ୍ରତିମା ପୂଜାରେ।

ଏବଂ ଏବେ ଆମେ ସହିଯିବୁ ଯାତନା ଯେତେକ

ଯେବେ ଆମ ଗୀତର ଶବ୍ଦ କଇଁଫୁଲ ହୋଇ ଫୁଟିଥିବ

ଅନ୍ଧାରରେ ନଥିବ ଯେଉଁଠି କିଛି ନିର୍ଦ୍ଦେଶିତ ସିଦ୍ଧାନ୍ତ,

ପରିତ୍ୟକ୍ତ ଉର୍ଣ୍ଣନାଭୀକୁ ଅତିକ୍ରମ କରି ଗଲାବେଳେ

ପବିତ୍ର ଭୋର୍ ର କାନ୍ଥମୂଳେ ରକ୍ତର ଗନ୍ଧ

ଜଳିପୋଡି ଗଲାପରେ ଦ୍ୱିଧାର ଧୂଆଁରେ ଆକ୍ତାମାକ୍ତା

ହୁଏତ ବୁଢାଲୋକଙ୍କ ଭଳି

ଚାହାଁଣୀରେ କଷାଫଳ ଆଉ କ୍ଳାନ୍ତି

ଦୁଆର ମୁହଁରେ ଯେବେ ପଡୁଥାଏ ସତ୍ୟର ପ୍ରଥମ ଆଲୋକ

ସମତୁଲ କରେ ।

ତେଣୁ ଆମ ଭିତରର ସମୟକୁ ଖୋଜିବାକୁ ହେଲେ,

ଏଇଠି ପୃଥିବୀ

ଯେତେବେଳେ ଇତିହାସ ଆଉ ପ୍ରତିକ୍ଷିପ୍ତ ହୁଏନାହିଁ

ଡ୍ରମ୍ ଅବା ବିଗୁଲ୍ ବାଜିଲେ

ଅଥବା ଜୁଆରର କୁହାଟ ଡାକ ସମୁଦ୍ରକୂଳରେ ପବିତ୍ର ପୂରୀର-

ମାତ୍ର ତାହାର ଉପସ୍ଥିତର କ୍ଷତ ଦାଗ ଧ୍ୱନୀତ ହେଉଛି

ପଡିରହିଥିବା ଅଶକତ ପଥର ଖଣ୍ଡରେ।

ଆତ୍ମାର କାଚକେନ୍ଦୁ ପୋଖରୀ ଆଉ ତାହାର ସବା ତଳେ,

ସେଇ ସତ୍ୟ ରହିଛି ଯା ତାହାକୁ ଅନୁଭବ କରିବାର ବେଳେ

ଆଲୁଅ ପ୍ରସରି ଆସେ,ପୃଥିବୀର ଦ୍ୱାହି ଦେଇ

ଯାହା ଆମକୁ ସୁଖ ଦିଏ  ଯାହା ଏବେ ନିଖୋଜ

ଚିରତର ଆମର ଆୟତ୍ତ ବାହାରେ,

ଯେଉଁପରି ଅବୁଝା ଚିଜର ବୋଝ ତରଙ୍ଗରେ ଖେଳୁଥାଏ ଉର୍ଦ୍ଧ୍ୱମୁଖୀ

ଧୂଆଁ ଭଳି।

°°°°°

“ଲଷ୍ଟ ଚିଲଡ୍ରେନ୍ ଅଫ୍ ଆମେରିକା” ର ଅନୁସୃଜନ।

Jayanta Mahapatra (22 October 1928 – 27 August 2023) Photo Credit : Ketaki Foundation, Bhubaneswar, Odisha

About Jyoti Nanda

Jyoti Nanda is a writer, translator based in Bhubaneswar.

View all posts by Jyoti Nanda →