ମେଣ୍ଢା



–ସେ ଦେଖୁଥିଲା,
ଠିକ୍ ଲକ୍ଷ୍ୟ କରୁଥିଲା;
କେମିତି ଧୀରେ ଧୀରେ ତା’ ଆଖପାଖର ଅନେକ
ପରିଣତ ହୋଇଯାଉଛନ୍ତି ମେଣ୍ଢାରେ!
ସେମାନେ ମେଣ୍ଢା ପାଲଟିବାରେ ହୁଏତ
ତା’ ପାଇଁ ଖୁବ୍ ଗୋଟେ ଅସୁବିଧାଜନକ ନଥିଲା କିଛି!

ହେଲେ ସେ ଲକ୍ଷ୍ୟ କରୁଥିଲା,
ସେମାନେ କେମିତି କ୍ରମେ
ହରାଇ ଦେଉଛନ୍ତି ନିଜ ନିଜର ଶବ୍ଦ ସବୁ!
ସେମାନେ ଭୁଲିବାରେ ଲାଗିଛନ୍ତି
କେମିତି, କେଉଁ ବାଗରେ ଉଚ୍ଚାରଣ କରାଯାଇପାରେ
ପ୍ରତିବାଦର ସ୍ବର!
କେମିତି ଆଉ କେଉଁଠି ଟଣା ଯାଇପାରେ ଲକ୍ଷ୍ମଣରେଖା,
କେମିତି କୁହା ଯାଇପାରେ,
“ନା’, ଏହା ପରେ ଆଉ କେହି କରି ପାରିବନି
ଆମ ଶୋଷଣ,
କେହି ଆଉ ହରଣ କରି ପାରିବନି
ଆମ ସୁଖଶାନ୍ତି!”
ସେ ପିଲାଦିନୁ ଜାଣିଥିଲା-
ମେଣ୍ଢା ମାନେ ଖୁବ୍ ନିରୀହ।

କାହାର ଅନୁସରଣରେ
ସେମାନେ ନିର୍ବିବାଦରେ ଡେଇଁ ଯାଇ ପାରନ୍ତି ବନ୍ଧବାଡ
ଲହୁଲୁହାଣ ହେଲା ପରେ ବି,
ଦେହର ଶକ୍ତି ସବୁ ନିଗିଡ଼ି ଗଲା ପରେ ବି!

ସେ ଡରୁଥିଲା,
କ୍ରମେ ତା’ ଭିତରେ ଗୋଟେ ଭୟ
ଆଡ୍ଡା ଜମାଉ ଥିଲା,
ହୁଏତ କେହି ଜଣେ ମନ୍ତ୍ରପାଣି ପକାଇ
ତାକୁ ବଶୀଭୂତ କରି ଦେଇପାରେ,
ତାକୁ ବି ପରିଣତ କରି ଦେଇପାରେ ଗୋଟେ ମେଣ୍ଢାରେ!

ସେଥିପାଇଁ ସେ ନିଜ ସ୍ବରକୁ ଶାଣ ଦେଉଥିଲା,
ଛାଡ଼ି ନଥିଲା ରିଆଜ୍-
ପ୍ରତିବାଦର ସଙ୍ଗୀତ
କେମିତି ଗାନ କରାଯାଇପାରେ
ଏକଦମ୍ ଶାଣିତ କଣ୍ଠରେ!
ଜାରି ରଖିଥିଲା ବି ଗୋଟେ ଅଭ୍ୟାସ,
ଘନଘୋର ଅନ୍ଧାର ଭିତରେ
ରାସ୍ତା ଖୋଜିବାର!!!

About Preeti Prajna Pradhan

Preeti Prajna Pradhan is a writer based in Bhubaneswar.

View all posts by Preeti Prajna Pradhan →