ମୂଳ ରଚନା : ଜୋମୋ କେନିୟାତା ।। ଓଡ଼ିଆ ଅନୁବାଦ : ଜ୍ୟୋତି ନନ୍ଦ
ଥରେ ଗୋଟିଏ ହାତୀ ଜଣେ ମଣିଷ ସହିତ ସାଙ୍ଗ ବସିଥିଲା। ଦିନକରେ ପ୍ରଚଣ୍ଡ ଝଡବର୍ଷା ହେଉଛି।ହାତୀଟି ଆସିଥିଲା ତାହାର ଏଇ ସାଙ୍ଗଟିର ପାଖକୁ। ବଣର ଗୋଟିଏ ପଟ ଏକେଣା ଜାଗାରେ ଛୋଟ ଗୋଟିଏ କୁଡିଆ। ସେଇଟି ଥିଲା ସାଙ୍ଗର ଘର। ହାତୀ ସେଇଠେ ପହଞ୍ଚି କହିଲା,”ହେ ମୋର ପ୍ରିୟବର ମିତ୍ର,ବାହାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେଉଛି,ତମର ଘରେ ମୋର ଶୁଣ୍ଢକୁ ରଖିବା ପାଇଁ ଜାଗା ଟିକିଏ ଦେବ।” ସାଙ୍ଗର ଏପରି ପାଣି ସରସର ଅବସ୍ଥାଟିକୁ ଦେଖି ମଣିଷଟି କହିଲା,” ହେ ମୋର ପ୍ରିୟ ମିତ୍ର ହାତୀ ! ମୋର ରହିବା ଘରଟି ତ ଦେଖୁଛ ନିତାନ୍ତ ଛୋଟ,ତଥାପି ତମର ଶୁଣ୍ଢଟିକୁ ଥାପିବା ପାଇଁ ସେଥିରେ ନିଶ୍ଚୟ ଜାଗାର ଅକୁଳାନ ହେବ ନାହିଁ। ତମକୁ ଖାଲି ଯାହା ନିଜର ଶୁଣ୍ଢଟିକୁ ଭିତରେ ଥୋଇବା ବେଳେ ଟିକିଏ ସତର୍କ ହେବାକୁ ପଡିବ।” ହାତୀଟି ତାହାପରେ ବନ୍ଧୁକୁ ଧନ୍ୟବାଦ ଦେବାକୁ ଯାଇ କହିଲା,” କେତେ ବଡ ଉପକାର ସାଧିଲ ହେ ମୋର ସଖା,କଥା ଦେଉଛି ଦିନେ ଏହାର ପ୍ରତିଦାନ ମୁକର କରିବି ନିଶ୍ଚୟ।” କିନ୍ତୁ ତାହାପରେ ହୋଇଥିଲା କିସ ? ହାତୀ ଯେମିତି ତାହାର ଶୁଣ୍ଢଟିକୁ ସେଇ କୁଡିଆର ଭିତରକୁ ନେଇଛି,ସେମିତି ତା’ ସାଙ୍ଗରେ ବି ତାହାର ମଥାଟିକୁ ନେଇଯାଇଥିଲା ଭିତରକୁ। ଶେଷରେ ଲୋକଟି ଏଭଳି ବର୍ଷାର ଭିତରେ କହିବାକୁ ଗଲେ ଉଦବାସ୍ତୁ ହୋଇ ପଡିଲା,ଆଉ ବନ୍ଧୁଗୃହରେ ଏଇ ନୂତନଲବ୍ଧ ସନ୍ତୋଷର ସହିତ ଭିତରେ ଆରାମରେ ଶୋଇପଡିଲା ହାତୀଟି,ଆଉ କହିଲା,” ବନ୍ଧୁବର ତମର ଦେହର ତ୍ୱକ୍ ମୋର ଦେହର ତ୍ୱକ୍ ର ତୁଳନାରେ ଅଧିକ ଶକ୍ତ,ଏବଂ ଯେହେତୁ ଏଇଠି ଆମ ଦୁଇଜଣଙ୍କ ପାଇଁ ଜାଗା ଯଥେଷ୍ଟ ନାହିଁ,ତମେ ତ ଝଡବୃଷ୍ଟି ଭିତରେ ରହିପାରିବ, ଅନ୍ତତଃ ସେତେବେଳଯାଏଁ ମୁଁ ମୋର କୋମଳ ତ୍ୱକ୍ କୁ ବାହାରର ଏଇ ଶିଳାବୃଷ୍ଟିର କବଳରୁ ବଞ୍ଚାଇ ରଖେ !”
ମଣିଷ ଜଣକ ସବୁ ଦେଖୁଥାଏ ସବୁ ଶୁଣୁଥାଏ,ତେଣୁ ସେ ଅସନ୍ତୋଷରେ ଗଜଗଜ କରିବାକୁ ଲାଗିଲା,ଆଖପାଖରେ ଥିବା ବନସ୍ତର ଅନ୍ୟ ପଶୁପକ୍ଷୀମାନେ ମଣିଷର ଏଇ ଅସନ୍ତୋଷର ବିକଟ ଶବ୍ଦକୁ ଶୁଣିବାକୁ ପାଇଥିଲେ,ତାହାକୁ ଶୁଣିବା ପରେ ଅସଲରେ କାଣ୍ଡଟି କ’ଣ ତାହା ଦେଖିବା ପାଇଁ ଜଣକ ପରେ ଜଣେ ଆସି ସେଇଠାରେ ହାଜର ହୋଇଗଲେ ସେମାନେ। ଚୁପ୍ ଚାପ ଛିଡା ହୋଇ ସେମାନେ ଶୁଣିବାକୁ ଲାଗିଲେ ହାତୀ ଆଉ ମଣିଷର ଭିତରେ ଜାରି ରହିଥିବା ଏଇ ଯୁକ୍ତିତର୍କ। ଏହାପରେ ସେଇଠେ ଆସି ପହଞ୍ଚିଯାଏ ସିଂହ।ଗର୍ଜନ କରି କହେ,” ଜାଣିନାହଁ,ଜଙ୍ଗଲର ରାଜା ହେଉଛି ମୁଁ, ମୋ ରାଷ୍ଟ୍ରର ଶାନ୍ତିଭଙ୍ଗ କରିବା ଭଳି ଧ୍ରୁଷ୍ଟତା ଏବେ କାହାର ଅଛି ? ” ଏଇଠି କହିଦେବା ଆବଶ୍ୟକ ଯେ ହାତୀଜଣକ ସେ ବନରାଷ୍ଟ୍ରର ଥିଲା ଜଣେ ଉଚ୍ଚପଦସ୍ଥ ମନ୍ତ୍ରୀ । ନିଜର ଗଳାକୁ ଯଥାସମ୍ଭବ ମଧୁର କରି ହାତୀଟି ଉତ୍ତର ଦେଇଥିଲା : “ହଜୁର୍,ରାଷ୍ଟ୍ରର ଶାନ୍ତି ଭଙ୍ଗ କରିବା ଭଳି ସୁଯୋଗ କାହାର ନାହିଁ। ହଜୁର୍,ଆପଣ ମୋତେ ଯେଉଁ ଛୋଟ କୁଡିଆଟିକୁ ଅଧିକାର କରିଥିବାର ଦେଖୁଛନ୍ତି ,ତାହାର ମାଲିକାନାକୁ ନେଇ ମୁଁ ଏବଂ ମୋର ପ୍ରିୟ ବନ୍ଧୁଙ୍କ ମଧ୍ୟରେ ସାମାନ୍ୟ ଆଲୋଚନା ଚାଲିଛି।” ରାଷ୍ଟ୍ରରେ ଶାନ୍ତିରକ୍ଷା କରିବା ନିମନ୍ତେ ସତତ ଆଗ୍ରହୀ ସିଂହ ମହାରାଜ ଭଦ୍ରସ୍ୱରରେ ଉତ୍ତର ଦିଅନ୍ତି,” ମାନ୍ୟବର ମନ୍ତ୍ରୀ ମହୋଦୟଙ୍କ ଦ୍ୱାରା ଉପସ୍ଥାପିତ ସଂପୃକ୍ତ ବିଷୟଟିର ଗୁରୁତ୍ୱଦୃଷ୍ଟିରୁ ତାହାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଆବଶ୍ୟକ ଏବଂ ସଂପୃକ୍ତ ବିଷୟଟିର ନଥିଭିତ୍ତିକ ବିଶ୍ଳେଷଣମୂଳକ ତଦନ୍ତ ଆଉ ତଦନୁଯାୟୀ ରିପୋର୍ଟ ପ୍ରଦାନ କରିବା ନିମନ୍ତେ ଗୋଟିଏ ତଦନ୍ତ କମିଶନ ନିଯୋଗ କରିବା ପାଇଁ ଏତଦ୍ୱାରା ସମସ୍ତେ ନିର୍ଦ୍ଦେଶିତ ହେଉଛନ୍ତି।” ତାହାପରେ ମଣିଷ ଜଣକ ଆଡକୁ ମୁହଁ ବୁଲାଇ ମହାରାଜ ସିଂହ କହିଲେ,” ତୁମେ ଆମ୍ଭର ସରକାରୀ କର୍ତ୍ତବ୍ୟରତ ଅଧିକାରୀମାନଙ୍କ ସହିତ ବନ୍ଧୁତ୍ୱପୂର୍ଣ୍ଣ ସଂପର୍କ ସ୍ଥାପନ କରି ବସ୍ତୁତଃ ଦେଶପ୍ରେମର କାମ ସଂପାଦନ କରିଅଛ,ଏହା ଉତ୍ତମ ରାଷ୍ଟ୍ରପ୍ରେମର କାର୍ଯ୍ୟ,ବିଶେଷ ଭାବରେ ହାତୀଙ୍କ ସହ ତମର ସଂପର୍କକୁ ସ୍ୱାଗତ କରାଯାଉଛି,ତମେ ନିଶ୍ଚୟ ଅବଗତ ଅଛ ଯେ ,ହାତୀ ଆମ ରାଷ୍ଟ୍ରର ଜଣେ ସମ୍ମାନଜନକ ପଦବୀପ୍ରାପ୍ତ ଜଣେ ରାଷ୍ଟ୍ରମନ୍ତ୍ରୀ। ତାଙ୍କୁ ପ୍ରକାଶ୍ୟରେ ଗାଳିଗୁଲଜ କରିବା ଅସାମ୍ବିଧାନିକ,ଏପର୍ଯ୍ୟନ୍ତ ତମର କୁଡିଆଘରଟି କାହାର ଜବରଦଖଲ କରାଯାଇଥିବା ଭଳି ଘଟଣାର ପର୍ଯ୍ୟାୟବାଚୀ ନୁହଁ । ଆମ୍ଭର ଇମ୍ପେରିଆଲ୍ କମିଶନ୍ ର ବୈଠକ ଶେଷ ହେବାଯାଏଁ ତମକୁ ଅପେକ୍ଷା କରିବାକୁ ପଡିବ,ସେଥିରେ ତମକୁ ତମର ପକ୍ଷ ରଖିବାପାଇଁ ନିଶ୍ଚିତ ଭାବରେ ସମସ୍ତ ସୁଯୋଗ ଦିଆଯିବ। ମୋର ଆଶା ଏବଂ ଗଭୀର ବିଶ୍ୱାସ ଯେ କମିଶନ୍ ର ଫଳାଫଳରେ ତମେ ନିଶ୍ଚିତ ଭାବରେ ସାମ୍ବିଧାନିକ ଭାବରେ ସଂତୁଷ୍ଟ ହେବ।” ଜଙ୍ଗଲର ରାଜାଙ୍କର ଏହିପରି ମଧୁରବାଣୀ କୁ ଶ୍ରବଣ କରି ମଣିଷଟି ତ ଭାରି ଖୁସି । ତାହାପରେ ଆରମ୍ଭ ହୁଏ ମାମଲାରେ ପାଇବାକୁ ଥିବା ସୁଯୋଗର ଅପେକ୍ଷା,କୌଣସି ନିରାଶ୍ରୟା ଭଳି ଦୃଢ ବିଶ୍ୱାସଟିଏ ର ସହିତ ଯେ ,ସେ ସ୍ୱାଭାବିକ ଭାବରେ ନିଶ୍ଚେ ତାହାର କୁଡିଆଘରକୁ ଫେରସ୍ତ ପାଇବ।

ହାତୀଟି ହଜୁରଙ୍କ ଆଦେଶକୁ ମାନ୍ୟକରି,ତଦନ୍ତ କମିଶନର ନିଯୋଗ ନିମନ୍ତେ ଅନ୍ୟାନ୍ୟ ସହଯୋଗୀଙ୍କ ସହିତ ବ୍ୟସ୍ତ ହୋଇ ପଡିଲା। ଜଙ୍ଗଲର ପ୍ରବୀଣମାନଙ୍କୁ ସେଇ ତଦନ୍ତ କମିଶନରେ ନିଯୁକ୍ତି କରାଯାଇଥିଲା।(୧)ଗଣ୍ଡାର ସାହେବ (୨) ମହୀଷ ମହାଶୟ (୩)ଶ୍ରୀଯୁକ୍ତ କୁମ୍ଭୀର (୪)ତଦନ୍ତ କମିଶନର ସଭାପତି ନିମନ୍ତେ ମାନ୍ୟବର ଶୃଗାଳ (୫) ଏବଂ କମିଶନର ସଦସ୍ୟ ସଚୀବ ଭାବରେ ମାନ୍ୟବର ଚିତାଙ୍କୁ ଦାୟିତ୍ୱ ଅର୍ପଣ କରାଯିବାକୁ ସ୍ଥିରୀକୃତ ହେଲା। ତଦନ୍ତ କମିଶନର ଗଠନର ସ୍ୱରୂପକୁ ଦେଖିବା ମାତ୍ରକେ ମଣିଷର ଭିତରେ ଛନକା ପଶିଯାଏ। ଏଇ କମିଶନ୍ ରେ ତା’ପକ୍ଷରୁ ଏକ ଜଣ ସଦସ୍ୟ ଅନ୍ତର୍ଭୂକ୍ତ କରାଯିବା କି ନିହାତି ଅସଂବିଧାନିକ କାର୍ଯ୍ୟ ହୋଇଯିବ ବା ଏହାର ପ୍ରୟୋଜନୀୟତା କ’ଣ ରହିନାହିଁ ? ସେ ତାହାର ପକ୍ଷରୁ ଏପରି ଗୋଟିଏ ଦାବୀ ରଖେ। କିନ୍ତୁ ତାହାକୁ କୁହାଗଲା ଯେ ଏବେ କମିଶନ୍ ର ସେପରି ପୁନର୍ଗଠନ ଆଉ ସମ୍ଭବପର ନୁହଁ। ତାହାଛଡା ,ଏହାକୁ ନେଇ ଆତଙ୍କିତ ହେବାର କିଛି ନାହିଁ ,କମିଶନ୍ ରେ ସଦସ୍ୟ ହିସାବରେ ଯେଉଁମାନେ ନିଯୁକ୍ତ ହୋଇଛନ୍ତି ସେମାନେ ପ୍ରତ୍ୟେକେ ନ୍ୟାୟବିଚାର କ୍ଷେତ୍ରରେ ନିଜ ନିଜର ନିରପେକ୍ଷତା ନିମନ୍ତେ ପ୍ରଖ୍ୟାତ। ଆଉ ଯେହେତୁ ସେମାନେ ଈଶ୍ୱରକର୍ତ୍ତୃକ ମନୋନୀତ ଭଦ୍ରମହୋଦୟଗଣ ,ସମସ୍ତଙ୍କର ଦାନ୍ତ ଆଉ ନଖ ସାଂଖ୍ୟିକ ପରିମାଣରୁ ବିଚାର କଲେ ନ୍ୟୁନ,ତେଣୁ ନିଶ୍ଚିତ ହେବା ବିଧେୟ ଯେ ସେମାନେ ମାନଦଣ୍ଡର ସର୍ବୋଚ୍ଚ ଯତ୍ନ ସହକାରେ ବିଷୟଟିର ତଦନ୍ତ କରିବେ ଏବଂ ନିରପେକ୍ଷ ରିପୋର୍ଟ ଦେବେ।
କମିଶନ ସାକ୍ଷ୍ୟଗ୍ରହଣ ନିମନ୍ତେ ବସେ। ପ୍ରଥମେ ତଳବ କରାଯାଇଥିଲା ମାନ୍ୟବର ହାତୀମହାଶୟଙ୍କୁ। ସେ ଆସି ନିଜର ପତ୍ନୀ ଦେଇଥିବା ଗୋଟିଏ ଚାରାଗଛରେ ନିଜର ଦାନ୍ତକୁ ଘଷି ଘଷି ଗୁରୁତ୍ୱପୂର୍ଣ୍ଣ କଣ୍ଠରେ କହେ,” ବନରାଷ୍ଟ୍ରର ଉପସ୍ଥିତ ଭଦ୍ରମହୋଦୟଗଣ,ଆପଣମାନେ ସମସ୍ତେ ଭଲଭାବରେ ବୁଝିଛନ୍ତି ଯେ ଏପରି ଗୋଟିଏ ଗପକୁ ଫାନ୍ଦି ଆପଣମାନଙ୍କର ବହୁମୂଲ୍ୟ ସମୟକୁ ନଷ୍ଟ କରିବାର କୌଣସି ହେତୁ ନାହିଁ। ମୁଁ ସବୁସମୟ ମୋର ବନ୍ଧୁର ସ୍ୱାର୍ଥରକ୍ଷା କରିବାକୁ ମୋର ଗୁରୁତ୍ୱପୂର୍ଣ୍ଣ କର୍ତ୍ତବ୍ୟ ବୋଲି ମନେ କରି ଆସିଛି ,ଏବଂ ଏହା ଫଳରେ ମୋର ଏବଂ ମୋର ବନ୍ଧୁର ମଧ୍ୟରେ କିଛି ପରିମାଣରେ ଭୁଲବୁଝାବୁଝି ଦେଖା ଦେଇଛି ବୋଲି ମନେ ହୁଏ।ସେ ମୋତେ ତାହାର କୁଡିଆ ଘରଟିକୁ ଘୁର୍ଣ୍ଣିଝଡର ଆଘାତରୁ ବଞ୍ଚାଇବା ପାଇଁ ଆମନ୍ତ୍ରଣ ଜଣାଇଥିଲା। ଯେହେତୁ କୁଡିଆଘର ଖଣ୍ଡିକ ଖାଲି ଥିଲା ଆଉ ସେଇଥିପାଇଁ ତାହାରି ଉପରେ ଝଡର ଚୋଟ ଅଧିକ ପଡୁଥିଲା,ମୁଁ ମୋର ବନ୍ଧୁର ସ୍ୱାର୍ଥରେ,ସେଇଠି ନିଜେ ବସିରହି ମୋର ନିଜର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଭଲଭାବରେ ମାପଯୁପ ସାରିବା ପରେ ତାହାକୁ ବ୍ୟବହାରଯୋଗ୍ୟ କରିବା ଯଥାସମ୍ଭବ ଜରୁରୀ ବୋଲି ମନେ କରିଛି,ଏଇ ଭଳି କର୍ତ୍ତବ୍ୟ ଆପଣମାନଙ୍କ ଭିତରୁ ଯେ କେହି ଏଇ ଭଳି ପରିସ୍ଥିତିଟିଏ ଉପୁଜିଥିଲେ ନିଃସନ୍ଦେହରେ ସମାନ ଭାବରେ ପାଳନ କରିଥାନ୍ତେ ବୋଲି ଏଇ ଅକିଞ୍ଚନ ବିନୀତ ମତ ନିବେଦନ କରୁଛି।
ମାନନୀୟ ହାତୀଙ୍କ ଚୂଡାନ୍ତ ବକ୍ତବ୍ୟ ଶୁଣିବା ପରେ ,କମିଶନ ଶ୍ରୀମାନ ହାୟେନା ଏବଂ ବନସ୍ତର ଅନ୍ୟାନ୍ୟ ପ୍ରବୀଣ ମାନଙ୍କୁ ସମନ କରେ।ସମସ୍ତେ ଉପସ୍ଥିତ ହୋଇ କମିଶନ ସମ୍ମୁଖରେ ବିହିତ ସତ୍ୟପାଠ ମାଧ୍ୟମରେ ହାତୀମହାଶୟଙ୍କୁ ସମର୍ଥନ କରନ୍ତି। ଏହାପରେ କମିଶନର ଆଗରେ ହାଜିରା ପଡେ ମଣିଷର। ବିରୋଧୀପକ୍ଷର ଦୃଷ୍ଟିକୋଣରୁ ତାହାର ବିବରଣ ଆରମ୍ଭ ହୋଇଛି କି ନାହିଁ କମିଶନ ମଣିଷକୁ ତାହାର ବକ୍ତବ୍ୟକୁ ଯଥାସମ୍ଭବ ସଂକ୍ଷିପ୍ତ କରି କହିବା ନିମିତ୍ତ ବୈଧାନିକ ରୁଲିଂ ପ୍ରଦାନ କରେ : ସୁଜନେଷୁ,ଦୟାକରି ପ୍ରାସଙ୍ଗିକ ବିଷୟରେ ନିଜର ବକ୍ତବ୍ୟ ରଖନ୍ତୁ। ଆମ୍ଭେମାନେ ଇତିମଧ୍ୟରେ ବିଭିନ୍ନ ନିରପେକ୍ଷ ସୂତ୍ରର ମାଧ୍ୟମରେ ପରିସ୍ଥିତିର ଯଥାର୍ଥ ସମ୍ବନ୍ଧରେ ଅବଗତ ରହିଛୁ।ଆପଣଙ୍କୁ କେବଳ ଆମେମାନେ ଏତିକି ପଚାରିବାକୁ ଚାହୁଁଅଛୁ ଯେ,ଆପଣଙ୍କର ସେଇ ନଡଚଡ କରୁଥିବା କୁଡିଆଘରର ଇଲାକା ଖଣ୍ଡିକ ହାତୀମହାଶୟଙ୍କ ସେଇଠିକୁ ଆଗମନ ହେବାର ଆଗରୁ କ’ଣ ଆଉ କାହାର ଭୋଗଦଖଲରେ ରହିଥିଲା?” ମଣିଷଟି କହେ,”ନା,କିନ୍ତୁ..”,ଆଉ ତତକ୍ଷଣାତ କମିଶନ ଘୋଷଣା କରନ୍ତି ଯେ ସେମାନେ ଉଭୟ ପକ୍ଷର ତରଫରୁ ପର୍ଯ୍ୟାପ୍ତ ବୟାନକୁ ଶୁଣିଛନ୍ତି । ଏବଂ ସିଦ୍ଧାନ୍ତକୁ ବିବେଚନା କରିବା ନିମିତ୍ତ ସେମାନଙ୍କର କିଛି ବିରତିର ଆବଶ୍ୟକ। ମାନନୀୟ ହାତୀଙ୍କ ଖର୍ଚ୍ଚରେ ଚମତ୍କାର ଆହାରାଦିର ସଂପାଦନ ପରେ କମିଶନ ଉପସ୍ଥିତ ସମସ୍ତଙ୍କୁ ଅବଗତ କରାନ୍ତି ଯେ,ସେମାନେ ନିଜର ଚୂଡାନ୍ତ ରାୟ ଦେବାର ସ୍ତରରେ ଆସି ପହଞ୍ଚିଛନ୍ତି । ତାହାପରେ ମଣିଷକୁ କମିଶନର ସାମ୍ନାକୁ ତଲବ କରାଯାଏ ଆଉ ତାହାପରେ କମିଶନ ତାହାକୁ ଉଦ୍ଦେଶ୍ୟକରି ନିଜର ଚୂଡାନ୍ତ ରାୟ ପାଠ କରନ୍ତି : ଆମ୍ଭମାନଙ୍କର ମତାମତ ଏହି ବିରୋଧ ଗୋଟିଏ ଦୁଃଖଜନକ ଭୁଲବୁଝାବୁଝିର କାରଣରୁ ଉଦ୍ଭୁତ,ଆଉ ସେଇଥିପାଇଁ ଦାୟୀ ଆପଣଙ୍କର ପଛୁଆରହିଥିବା ଧ୍ୟାନଧାରଣା। ଆମ୍ଭେମାନେ ବିବେଚନା କରି ଦେଖିଲୁ ଯେ,ମାନନୀୟ ହାତୀ ଆପଣଙ୍କର ସ୍ୱାର୍ଥରକ୍ଷା ନିମିତ୍ତ ନିଜର ପବିତ୍ର କର୍ତ୍ତବ୍ୟକୁ ଯଥାସମ୍ଭବ ପାଳନ କରିଅଛନ୍ତି। ପ୍ରଶ୍ନରେ ଥିବା ଜାଗାଟି ବସ୍ତୁତଃ ଉପଯୁକ୍ତ ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରାଯିବା ଉଚିତ-ଏଇଟି ହିଁ ଆପଣଙ୍କ ନିମନ୍ତେ ସର୍ବୋତ୍ତମ,ଯେହେତୁ ଆପଣ ନିଜତରଫରୁ ଘରଟିର ପରିବର୍ଦ୍ଧନ କି ପରିମାର୍ଜନ କରିବା ଭଳି ଅବସ୍ଥାରେ ନାହାଁନ୍ତି,ତେଣୁ ଆମ୍ଭେମାନେ ଉଭୟ ପକ୍ଷର ନିମନ୍ତେ ଏକ ଆପୋସ ସମାଧାନ ର ବ୍ୟବସ୍ଥା କରିବାର ପ୍ରୟୋଜନ ରହିଛି ବୋଲି ମନେ କରୁ। ମାନନୀୟ ହାତୀ ଆପଣଙ୍କର କୁଡିଆ ଘରର ଉପରେ ତାଙ୍କର ଅଧିକାର କାୟେମ୍ ରଖିବେ,ତେବେ ଆମ୍ଭେମାନେ ଆପଣଙ୍କୁ ଏପରି ଗୋଟିଏ ଜାଗା ଖୋଜିବା ନିମନ୍ତେ ଅନୁମତି ପ୍ରଦାନ କରୁଛୁ ଯେଉଁଠି ଆପଣ ନିଜର ପ୍ରୟୋଜନ ଅନୁଯାୟୀ ଆଉ ଗୋଟିଏ ନୂଆ କୁଡିଆ ଘର ନିର୍ମାଣ କରିପାରିବେ ଏବଂ ଏଥିପାଇଁ ଆପଣଙ୍କୁ କିଛି ଆର୍ଥିକ ସହାୟତା ଦେବା ସହିତ ଆପଣଙ୍କୁ ସଂପୂର୍ଣ୍ଣ ସୁରକ୍ଷିତ ରଖିବା ନିମନ୍ତେ ଆମେ ସରକାରଙ୍କ ନିକଟକୁ ଆମ୍ଭର ଏହି ଅନୁମୋଦନକୁ ଏତଦ୍ୱାରା ସୁପାରିଶ କରୁଅଛୁ।”

ଆଉ କୌଣସି ବିକଳ୍ପ ରହିନଥିଲା ମଣିଷଟିର। ଏହାର ଖିଲାପ କମିଶନ୍ ର ସଦସ୍ୟମାନଙ୍କର ନଖ ଆଉ ଦନ୍ତର ମୁଖାମୁଖି କରିପାରେ ଏଇ ଭଳି ଆଶଙ୍କାରେ ସେ ଚୂଡାନ୍ତ ରାୟକୁ ମାନି ନିଏ। କିନ୍ତୁ ସେ ଆଉ ଗୋଟିଏ କୁଡିଆ ଘର ନିର୍ମାଣ କରିସାରିଛି ବୋଲି ଖବରଟି ଯେମିତି ବାହାରକୁ ଆସେ ଠିକ୍ ତାହାର ପର ମୁହୂର୍ତ୍ତରେ ମାନୀୟ ଗଣ୍ଡାର ତାହାର ଶିଙ୍ଘକୁ ଟିକିଏ ତଳକୁ କରି ଲୋକଟିକୁ ସେଇ ନବନିର୍ମିତ କୁଡିଆ ଘରଟିକୁ ଛାଡିବା ପାଇଁ ନିର୍ଦ୍ଦେଶ ଦିଏ । ଏହି ନୂତନ ସଂପୃକ୍ତ ବିଷୟଟିର ତଦନ୍ତ ପାଇଁ ଆଉ ଗୋଟିଏ ରୟାଲ କମିଶନ୍ ନିଯୁକ୍ତ କରାଯାଏ ଏବଂ ତାହାଠାରୁ ବି ସେଇ ଭଳି ସମାନ ସିଦ୍ଧାନ୍ତ ଆସେ। ମହିଷ ମହାଶୟ ,ଶ୍ରୀଚିତାବାଘ,ଶ୍ରୀଯୁକ୍ତ ହାୟେନା ଏବଂ ବାକି ଅନ୍ୟମାନଙ୍କୁ ଗୋଟିଏ ଗୋଟିଏ ନୂତନ କୁଡିଆଘରର ଭିତରେ ସ୍ଥାନ ନଦେବା ଯାଏଁ ଏହି ଭଳି ପଦ୍ଧତିର ପୁନରାବୃତ୍ତି ର ନିର୍ମାଣ ଚାଲିଥିଲା। ତାହାପରେ ମଣିଷଟି ସିଦ୍ଧାନ୍ତ ନେଇଥିଲା ଯେ ତା’କୁ ସ୍ୱୟଂ ନିଜର ସୁରକ୍ଷାପାଇଁ ଗୋଟିଏ କାର୍ଯ୍ୟକର ପଦ୍ଧତି ଅବଲମ୍ବନ କରିବାକୁ ହେବ,କାରଣ ତଦନ୍ତ କମିଶନ ତାହାର କୌଣସି କାମରେ ଆସିବ ବୋଲି ଆଉ ତାହାର ପ୍ରତେ ହେଉ ନାହିଁ। ବସି ବସି ସେ କହିବାକୁ ଲାଗେ,
” Ng’enda thi ndagaga motegi” ଯାହାର ଆକ୍ଷରିକ ଅର୍ଥ ହେବ”ପୃଥିବୀରେ ଏପରି କିଛି ନାହିଁ ଯାହାକୁ ଫାନ୍ଦରେ ପକାଇ ହେବନି” ,ଅନ୍ୟକଥାରେ କହିଲେ,ଆପଣ କିଛି ସମୟ ପାଇଁ ମଣିଷକୁ ବୋକା କରିପାରିବେ,କିନ୍ତୁ ଚିରକାଳ ପାଇଁ ନୁହଁ।

ଦିନେ ବଡିଭୋରରୁ ,ଯେତେବେଳେ ବନରାଷ୍ଟ୍ରର ଶାସକମାନଙ୍କର ଦଖଲରେ ରହିଥିବା ସମସ୍ତ କୁଡିଆଘର ଗୁଡିକ ଗୋଟିକ ପରେ ଗୋଟିଏ ଭାଙ୍ଗି ପଡୁଥାଏ,ସେତେବେଳେ ମଣିଷଟି ଭୂମୀକମ୍ପରୁ ରକ୍ଷାପାଇବା ଭଳି ବାହାରକୁ ବାହାରି ଆସି ଟିକିଏ ଦୂରରେ ତିଆରି କରେ ଗୋଟିଏ ବଡ ଏବଂ ଦେଖିବାକୁ ଭଲ ଏପରି ଗୋଟିଏ କୁଡିଆଘର । ମାନନୀୟ ଗଣ୍ଡାର ଯେମିତି ଏହାର ଖବର ପାଇଛନ୍ତି ଆଉ ଘଡିଟିଏ ବିଳମ୍ବ ନକରି ତାହାକୁ ଦେଖିବାପାଇଁ ସେଇଠି ଆସି ହାଜର। ତରତର ହୋଇ ସେ ସେହି କୁଡିଆଟିର ଭିତରକୁ ଆସି ଦେଖନ୍ତି ଯେ ମାନ୍ୟବର ହାତୀ ମହାଶୟ ଏହା ମଧ୍ୟରେ ଭିତରକୁ ଆସି ସେଇଠି ନିଦ୍ରା ଯାଇଛନ୍ତି। ଶ୍ରୀଚିତାବାଘ ଏହାପରେ ଘରଟିର ଝରକା ପାଖକୁ ଆସନ୍ତି,ମହାରାଜ ସିଂହ,ଶ୍ରୀମାନ ଶୃଗାଳ ଏବଂ ମହିଷ ମହାଶୟ ଘରଟିର ମୁଖ୍ୟ ଦରଜା ଦେଇ ଭିତରକୁ ପ୍ରବେଶ କରନ୍ତି। ଶ୍ରୀଯୁକ୍ତ ହାୟେନା ଟିକିଏ ଛାଇଥିବା ଜାଗା ପାଇବା ପାଇଁ ଚିତ୍କାର କରେ। ଘରଟିର ଛାତର ଉପରେ ବସିରହିଥାଏ ଶ୍ରୀମାନ କୁମ୍ଭୀର। ଇତିମଧ୍ୟରେ ସେମାନେ ସମସ୍ତେ ନିଜ ନିଜର ପ୍ରବେଶାଧୀକାରକୁ ନେଇ ତର୍କ ଆରମ୍ଭ କରି ଦିଅନ୍ତି ଏବଂ ସେଇ ତର୍କ ଲଢେଇରେ ପରିଣତ ହେବାପାଇଁ ଅଧିକ ସମୟ ନିଏ ନାହିଁ। ଯେତେବେଳେ ସମସ୍ତେ ଏକାଠି ସେଇଠି ନିଜ ନିଜର ଅଧିକାରକୁ ନେଇ ଲଢିବାରେ ବ୍ୟସ୍ତ ଲୋକଟି ଠିକ୍ ସେତିକିବେଳେ ତାହାର ଏଇ ନୂତନ ନିର୍ମାଣର କୁଡିଆଘରଟିରେ ନିଆଁ ଧରାଇ ଦିଏ। ଘରଟିକୁ ପୋଡି ପାଉଁଶ କରିଦିଏ।ତାହାପରେ ସେ ନିଜ ବସାକୁ ଫେରିଆସେ,କହେ:” ଶାନ୍ତି ବ୍ୟୟସାପେକ୍ଷ,ମାତ୍ର ଏଥିରେ ପଇସା ଅସୁଲ୍ ହୋଇଯିବା ନିଶ୍ଚିତ”। ତାହାପରେ ସେ ସୁଖରେ ବସବାସ କରୁଥାଏ।
°°°°°

ଏଇ ରୂପକଥାଟି ଯେମିତି ଅନ୍ୟସବୁ ରୂପକଥା ଠିକ୍ ସେଇଭଳି ଯେମିତି ଗଲାକାଲି ଲେଖାହୋଇଛି ସେଇଭଳି ମନେହେବ। ସ୍ୱତନ୍ତ୍ର ଭାବରେ ଏଥିରୁ ତିନୋଟି କଥାର ଉଲ୍ଲେଖ କରୁଛି । ପ୍ରଥମରେ,ପୃଥିବୀରେ ଏପରି କିଛି ନାହିଁ ଯାହାକୁ ଫାନ୍ଦରେ ପକାଇ ହେବନି। ଦ୍ୱିତୀୟରେ ତମେ ସବୁଲୋକଙ୍କୁ ମାତ୍ର କିଛି ସମୟ ପାଇଁ ନିର୍ବୋଧ କରି ରଖିପାର ମାତ୍ର ସବୁସମୟ ପାଇଁ ନୁହଁ। ତୃତୀୟରେ,ଶାନ୍ତି ହେଉଛି ବ୍ୟୟ ସାପେକ୍ଷ ମାତ୍ର ଏଥିରେ ପଇସା ଅସୁଲ ହୋଇଯାଏ।
ପ୍ରଜା ସାଧାରଣର ଭଙ୍ଗା କୁଡିଆଟିଏ ନଥିଲେ ରାଜା ସବୁବେଳେ ଅସହାୟ,ସେଇଟିକୁ ଯଥାସମ୍ଭବ ଆଉ ଯଥାଶିଘ୍ର ଅଧିକାର ନକଲେ ତାହାର ରାଜପଣରେ କୌଣସି ପ୍ରତିଷ୍ଠା ନାହିଁ । ଭଙ୍ଗା କୁଡିଆଟିଏ ତିଆରି କରିବା ସାଧାରଣ ମଣିଷ ପକ୍ଷରେ ଏମିତିରେ କିଛି କଷ୍ଟକର କଥା ନୁହଁ,ଠିକ୍ ସେମିତି ବନସ୍ତର ଜୀବଜନ୍ତୁଙ୍କ କବଳରୁ ନିଜକୁ ସୁରକ୍ଷିତ କରିବା ପାଇଁ ନିଆଁ ହୁଳା ଜାଳିବା ବି ଆମର ଏକ ପ୍ରାଚୀନତମ ଅଭ୍ୟାସ।
ଏଇ ଲେଖାଟିର ମୂଳ ଲେଖକ ହେଉଛନ୍ତି ଜୋମୋ କେନିୟାତା।
ଜୋମୋ କେନିୟାତା (୧୮୯୧-୧୯୭୮) କେନିଆର ସ୍ୱାଧୀନତା ଆନ୍ଦୋଳନର ଅନ୍ୟତମ ପ୍ରଧାନ ନେତା ଏବଂ ସ୍ୱାଧୀନ କେନିଆ ରାଷ୍ଟ୍ରର ପ୍ରଥମ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତି। ସେ କିକୁୟୁ ଜନଗୋଷ୍ଠୀର ସଂସ୍କୃତି ଏବଂ ବ୍ରିଟିଶ ଉପନିବେଶୀୟ ଶାସନର ପ୍ରଭାବକୁ ନେଇ “ଫେସିଙ୍ଗ୍ ମାଉଣ୍ଟ କେନିଆ (୧୯୩୮) ନାମରେ ଗୋଟିଏ ଗବେଷଣାଧର୍ମୀ ପୁସ୍ତକ ରଚନା କରିଛନ୍ତି।
କିକୁୟୁ ଜନଜାତି ଏବଂ ଇଉରୋପୀୟ ଉପନିବେଶବାଦୀ ଶାସନ ମଧ୍ୟରେ ଭୂକେନ୍ଦ୍ରିତ ସୁରକ୍ଷାଜନୀତ ସଂଘର୍ଷର ପୃଷ୍ଠଭୂମୀରେ ରଚିତ ଏଇ ରୂପକଥାଟି ସେଇ ପୁସ୍ତକରୁ ଗୃହୀତ ଏବଂ ଅନୁସୃଜିତ।